Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lopamudra Mishra

Others

1.7  

Lopamudra Mishra

Others

ଅସ୍ପୃଶ୍ୟତା ଆଢୁଆଳେ

ଅସ୍ପୃଶ୍ୟତା ଆଢୁଆଳେ

7 mins
786


💥ଅସ୍ପୃଶ୍ୟତା ଆଢୁଆଳେ 💥

ଛକ ପାଖରୁ ସରୁଆ ରାସ୍ତା ଟେ ସର୍ପିଳଗତି ରେ ମୋଡି ହୋଇ ପଶିଯାଇଛି ସେହି ଛୋଟ ସାହି ଟି ଭିତରକୁ l ସାହି ରେ ପ୍ରତ୍ୟେକ ଟି କୁଡ଼ିଆ ଉପରର ନଡ଼ା ଛପରଗୁଡିକ ଅତି ଦୁସ୍ଥ ଓ ସଙ୍କଟାପନ୍ନ ଅବସ୍ଥା ରେ l କାହାରି କାହାରି ଘର ଉପରେ କେବଳ ମାତ୍ର ପଲିଥିନ ଟିଏ ବନ୍ଧା ଯାଇଥିବାର ଦୃଶ୍ୟ ବି ଦେଖିବାକୁ ମିଳେ l ସରକାର ଙ୍କ ଅନେକ ଗୁଡିଏ ଯୋଜନା ଠୁ ଯୋଜନ ଯୋଜନ ଦୂରରେ ଏମାନେ l କାହାରି କୁଡ଼ିଆ ଆଗରେ ଛେଳିଟିଏ ତ ଆଉ କାହା ବାଡ଼ିପଟେ କୁକୁଡ଼ା ମାନେ ବୁଲୁଥିବାର ଦେଖାଯାଏ l ସାହିର ପିଲା ଛୁଆ ଛିଣ୍ଡା ମଇଳା ଲୁଗା ପିନ୍ଧି ଦାଣ୍ଡ ରେ ଖେଳୁଥାନ୍ତି l ବୁଢା ବୁଢୀ ସ୍ତ୍ରୀ ପୁରୁଷ ସଭିଏଁ ଏଠି ଖଟିଖିଆ ମଜୁରୀଆ l ଆଖ ପାଖର ସମ୍ଭ୍ରାନ୍ତ ଅଞ୍ଚଳ ଗୁଡିକରେ ସକାଳୁ ରାତି ଯାଏଁ ଛୋଟ ବଡ ଯାବତୀୟ କାର୍ଯ୍ୟ ରେ ଆସୁଥିବା ଏହି ସାହିଲୋକମାନେ,ସେହିସବୁ ସଭ୍ୟ ଲୋକମାନ ଙ୍କ ନଜର ରେ ଅଛୁଆଁ ଓ ଦଳିତ l ଆଶ୍ଚର୍ଯ୍ୟ !!ଯାହା ର ବିନା ସାହାଯ୍ୟ ରେ ଜୀବନ ଅଟକିଯାଏ, ସେ ପୁଣି ଅଛୁଆଁ !!

ସେହି ଭଙ୍ଗାରୁଜା ସାହି ଟିର ଠିକ ମଝା ମଝି ରେ ଗୋଟେ ସିମେଣ୍ଟ କାନ୍ଥ ଓ ଆଜବେଷ୍ଟସ ଛାତ ଥିବା ଘର l ସେହି ଘର ର ପକ୍କା ପିଣ୍ଡା ଉପରେ ନାରୀ ଟିଏ ପଡି କାନ୍ଦୁଛି l ଘର ଟି ଗାଁ ଅଙ୍ଗନବାଡି କେନ୍ଦ୍ର l ଏତେ ସକାଳୁ ଏ ସ୍ତ୍ରୀଲୋକ କୋଉଠୁ ଆସିଲା ଓ ଏଠି କାହିଁକି କାନ୍ଦୁଛି ଜାଣିବା ପାଇଁ ସାହିଲୋକେ ଆସି ସେଇଠି ରୁଣ୍ଡ ହେଲେ l ସ୍ତ୍ରୀ ଲୋକ ଟିର ଅସ୍ତବ୍ୟସ୍ତ ବସ୍ତ୍ର , ମୁକ୍ତ ବିକ୍ଷିପ୍ତ କେଶ, ଶୁଷ୍କ ମୁଖମଣ୍ଡଳ ଏବଂ କପାଳ ହସ୍ତ ପାଦ ରେ ଅନେକ କ୍ଷତ ଚିହ୍ନ କୁ ଦେଖିଲେ ଯେ କେହି ବି ଜାଣିଯିବ ସେ ଖୁବ ଗୋଟେ ବିରାଟ ଝଡ଼ ର ସାମ୍ନା କରି ଆସିଛି l ଆଖିରୁ ତାର ଲୁହ ଝରି ଦୁଇ ଗାଲ ର ମଇଳା କୁ ଦୁଇଭାଗ କରିପକାଉଛି l କ୍ଷତ ଗୁଡ଼ିକରୁ ରକ୍ତ ଝରି ଶୁଖିଯାଇଛି l ମହିଳା ଜଣଙ୍କ ମୁଁହ ଉଠାଇ ହାତ ଯୋଡି ଅନୁନୟ ହୋଇ କହିଲେ, "ଦୁଇଦିନ ହେଲା ପେଟ ରେ ମୋର ଦାନା ଟିକେ ବି ପଡିନି l ଖାଇବାକୁ କିଛି ମିଳିବ? ଭାରି ଭୋକ !" ତା କଥା ଶୁଣି ଦୁଇଜଣ ସ୍ତ୍ରୀ ଲୋକ ଦୌଡ଼ି ଯାଇ କିଛି ବାସି ରୁଟି ଓ ଗୁଡ଼ ସହିତ ପାଣି ଢାଳେ ଧରି ଆସିଲେ l ସ୍ତ୍ରୀଲୋକ ଟି ଏକନିଶ୍ୱାସ ରେ ସେହି ରୁଟିଗୁଡ କୁ ଚୋବାଇ ଢ଼ୋକି ପକାଇଲା ଓ ଢକ ଢକ କରି ଢାଳ ଟା ଯାକ ପାଣି ପିଇପକେଇଲା l ଟିକେ ଆଶ୍ଵସ୍ତ ହୋଇ ପୁଣି କହିଲା, "ମତେ ଭଲ ଲୁଗା ଖଣ୍ଡେ ଦିଅନ୍ତନି l ବହୁତ ପୁରୁଣା ହେଲେ ବି ଚଳିବ l ଏହି ଟା ପୁରା ଛିଡି ଖଣ୍ଡ ଖଣ୍ଡ ହେଇଯାଇଛି l ମତେ କିଛି ବି କାମ ଦିଅ ମୁଁ କରିବି l ଖାଲି ମୁଠିଏ ଖାଇବା ଦରକାର ମୋର l ଆଉ, ବେଶି କିଛି ଲୋଡ଼ା ନାହିଁ l ତୁମ ର ମଙ୍ଗଳ ହେବ "l ସ୍ତ୍ରୀ ଲୋକ ଟି ପୁଣି କାନ୍ଦି ଉଠିଲା l

ତା କଥା ଓ କାନ୍ଦ ଶୁଣି ସଭିଏଁ ହାଁ କରି ଅନେଇ ରହିଛନ୍ତି l ସଭିଙ୍କ ମନରେ ପ୍ରଶ୍ନ ଇଏ କୋଉଠୁ ଓ କେମିତି ଆସିଲା?କିଏ ୟାର ଏମିତି ଅବସ୍ଥା କରିଛି? ଦୁଇଜଣ ବୟସ୍କା ମହିଳା ସେହି କ୍ଷତ ବିକ୍ଷତ ମହିଳା ଜଣଙ୍କର ପାଖକୁ ଲାଗିଯାଇ ବସି ତାକୁ ସାନ୍ତ୍ୱନା ଦେଇ ତାର କଣ ହେଇଛି ପଚାରୁଥାନ୍ତି l ତାକୁ ଟିକେ ନରମେଇକି ପଚାରିଲେ ସେ ବେଶି ଜୋର ରେ କାନ୍ଦୁଛି ଯେମିତି ଆଗରୁ କେବେ କେହି ତା ସହ ଏମିତି ନମ୍ରତା ର ସହ ବ୍ୟବହାର ଦେଖେଇନାହିଁ l

ଅଙ୍ଗନବାଡି ର ପଦ୍ମିନୀ ଦିଦି କେତେବେଳରୁ ଆସି ସେଠି ଠିଆ ହେଲେଣି ଘର ଖୋଲି ଭିତରକୁ ଯିବେ ବୋଲି l ଲୋକଙ୍କ ଭିଡ଼ ଦେଖି ଅଟକି ଯାଇଛନ୍ତି l ସେ ବି ଝିଅଟିର କାନ୍ଦ ଦେଖି ନିଜ କୁ ଆଉ ଅଟକାଇ ପାରିଲେ ନାହିଁ l ପାଖକୁ ଯାଇ କହିଲେ, "କୋଉଠୁ ଆସିଛ ତୁମେ?ଏମାନଙ୍କୁ ସାହାଯ୍ୟ ମାଗିଲେ ଏମାନେ ତୁମକୁ କଣ ଦେଇପାରିବେ? ନିଜେ ଏମାନେ ଓଳିଏ ଖାଇଲେ ଆର ଓଳି ଉପାସ ରେ କାଟନ୍ତି l ସକାଳୁ ସଞ୍ଜ ଯାଏଁ ନଖଟିଲେ ଏମାନଙ୍କ ସଂସାର ଚଳେନି l ଏମାନଙ୍କ ପାଖେ କି କାମ କରିବ ଆଶା କରୁଛ ? କାମ ଦରକାର ଯଦି ଯାଅ ଆର ଗାଁ କୁ, ସେଇଠି ବହୁତ ଧନୀ ଲୋକ ଅଛନ୍ତି l ତାଙ୍କରି ବିଲବାଡ଼ି ରେ ଏ ସାହି ଲୋକ ମଜୁରୀ ଖଟି ଚଳନ୍ତି l ସେଠିକୁ ଯାଅ l ତୁମକୁ ନିଶ୍ଚୟ ସାହାଯ୍ୟ ମିଳିବ "

ପଦ୍ମିନୀ ଦିଦି ଙ୍କ କଥା ସାହିଲୋକଙ୍କ ମନକୁ ବି ପାଇଲା l କିନ୍ତୁ ସ୍ତ୍ରୀଲୋକ ଟି ବେଶି ଭୟ ପାଇଲା ପରି ପଚାରିଲା, "ଧନୀଲୋକ?? ସେମାନେ ସମସ୍ତେ କଣ ଛୁଆଁ ଜାତି ଲୋକ? "

ତା ପାଖରେ ବସିଥିବା ଦୁଇମହିଳା ଙ୍କ ମଧ୍ୟ ରୁ ଜଣେ କହିଲେ, "ହଁ l କାହିଁ କଣ ହେଲା କି? ସେ ଗାଁ ରେ ଖୁବ ପଇସା ଵାଲା ଲୋକ ବି ଅଛନ୍ତି l ଏ ପଦ୍ମିନୀ ଦିଦି ଙ୍କ ଘର ତ ସେହି ଗାଁ ରେ l ସେ ତୋତେ ସେଠି କାମ ଯୋଗେଇଦେବେ ଯଦି ତୁ ଚାହିଁବୁ l"

ସ୍ତ୍ରୀଲୋକ ଟି ଏଥର ବିଚଳିତ ହୋଇ କହିଲା, "ନାଁ ନାଁ.. ମୋର କିଛି କାମ ଦରକାର ନାହିଁ l ମୁଁ ଖାଇବାକୁ ଚାହେଁନା l ମୁଁ ଏଇଠି ଏମିତି ପଡି ମରିଯିବାକୁ ଚାହେଁ l ସେଠାକୁ ନିଅନାହିଁ ମତେ l ମୁଁ ତୁମମାନଙ୍କ ଗୋଡ଼ ଧରୁଛି l ସେଠିକି ଯିବା କଥା କୁହନି "l

ମହିଳା ଟି ପୁଣି କାନ୍ଦି କାନ୍ଦି ଧକେଇଲା l ଅଙ୍ଗନବାଡି ଦିଦି ଏଥର ତା ପାଖକୁ ଆସି ତା ପିଠି ଆଉଁଶି ଦେଲେ ଓ ତା ଆଖିରୁ ଲୁହ ପୋଛି ଦେଇ ତାକୁ ବୋଧ କରିବାକୁ ଚେଷ୍ଟା କଲେ l ଆଉ ଟିକେ ପାଣି ପିଇବାକୁ ଦେଇ ମହିଳାଟିର ହାତକୁ ଥାପି ଧରିଲେ l ଜଣେ ପିଲାକୁ କାଠିଟି ଦେଇ ଅଙ୍ଗନବାଡି ଘର ତାଲା ଖୋଲିବାକୁ କହିଲେ l

ଦିଦି ଦୁଃଖିନୀଟିକୁ ଭିତରକୁ ନେଇ ତାର କ୍ଷତ ସବୁକୁ ଭଲରେ ଧୋଇ ମଲମ ପଟି କରି ଦେଲେ l ସେହି ସାହିର ଜଣଙ୍କ ସଫା ଲୁଗା ବଦଳେଇ ମହିଳା ଜଣଙ୍କ ଟିକେ ସାଷ୍ଟାମ ହେଲା ପରେ ତା ଦୁଃଖ କାହାଣୀ କହିଲା l ସେ ଯାହା କହିଲା ତାହା ଶୁଣି ସଭିଙ୍କ ହୃଦୟ କୋହ ରେ ଭରିଗଲା l

ନାରୀଟି କାନ୍ଦି କାନ୍ଦି ନିଜ ବେଦନାସିକ୍ତ ଦୁଃଖ କୁ ଏହିପରି ବଖାଣି ଥିଲା -

ଦିଦି ମୋ ନାଁ କୁସୁମ l ମୁଁ ଜାତି ରେ କୈବର୍ତ୍ତ l କାହିଁ କେଉଁ କାଳରୁ କଲ୍ୟାଣପୁର ଗାଁ ଶେଷମୁଣ୍ଡ ପଡିଆ କଡ଼ ଅନାବାଦୀ ଗୋଚର ଜାଗା ରେ ଆମେ କୈବର୍ତ୍ତ କେଇଘର ଝୁମ୍ପୁଡି କରି ରହିଆସୁଛୁ l ଛଅ ବରଷ ତଳେ ମୁଁ ବାଆ ହେଇ ଯାଇଥିଲି ମଧୁପୁର ଗାଁ କୁ l ମରଦ ମୋର ବିଦେଶ ରେ କାମ କରେ l ବାହାଘର ଆଠ ଦିନାକେ ଯାଇ ଆଉ ଅଇଲା ନାହିଁ l ଶୁଣିଲି ସେଠି କୁଆଡେ ଆଉ କାହାକୁ ରଖିଛି l ଶାଶୁଘର ଧକ୍କା ଦେଇ ତଡ଼ିଦେଲେ l ରହିଲି ଆସି ବାପ ଘର ଝୁମ୍ପୁଡି ତଳେ l ଦୁଇ ବରଷ ଭିତରେ ମୋ ବାପା ଆଉ ବୋଉ ସାଙ୍ଗ ସୁଂଗା ହୋଇ ଆର ପାରିକୁ ଚାଲିଗଲେ l ଭାଇ ବାହା ହେଇ ଭାଉଜ ଆସିଲା l ମୁଁ ନିଆଁ ମୁଁହି ଭାଇ ଉପରେ ବୋଝ ହେଇ ରହିଲି l ଛେଳି ଚରେଇ, କୁକୁଡ଼ା ରଖି ଭାଉଜ ଙ୍କୁ ଜାଳ କୁଟା ଯୋଗେଇ ଯାହା କିଛି ଅଳ୍ପ ସେମାନଙ୍କୁ ସାହାଯ୍ୟ କରୁଥିଲି l ସବୁଦିନ ସଞ୍ଜ ପୂର୍ବରୁ ଛେଳିଗୁଡାଙ୍କୁ ପଡିଆ ରୁ ଆଣି ଘର ଆଗେ ବାନ୍ଧି ପକାଏ l ନିତି ସଞ୍ଜ କୁ କଲ୍ୟାଣପୁର ଗାଁ ସବର୍ଣ୍ଣ ଟୋକାଏ ସେହି ପଡିଆ ରେ ବସି ଖଟିକରନ୍ତି l ମୋତେ ଦେଖିଲେ ଟାହି ଟାପରା କରନ୍ତି l ସେଦିନ ଗୋଟେ ଛେଳି କୁ ଖୋଜୁ ଖୋଜୁ ଟିକେ ସଞ୍ଜ ଗଡ଼ି ରାତି ରତ ରତ ହେଇଗଲା l ପଡିଆ ରେ ବୁଲି ବୁଲି ସାନ ଛେଳି ଛୁଆ ଟିକୁ ଖୋଜୁଛି ହଠାତ ପଛରୁ କେହି ମତେ ଧକ୍କା ଦେଲାପରି ଲାଗିଲା l ମୁଁ ଉଠିକି ମୁଁହ ବୁଲେଇଵା ପୂର୍ବରୁ ମୋ ଦେହ ରୁ ସବୁ ଲୁଗା ଉତୁରିଯାଇଥିଲା l

କାନ୍ଦୁଣୁ ମାନ୍ଦୁଣୁ ହେଇ ଦୌଡ଼ି ଝପଟି ଘରକୁ ଫେରିଲି l ଭାଇ କୁ ସବୁ କହିଲି l ତହିଁଆର ଦିନ ଭାଇ ସହ ଆମ କୈବର୍ତ୍ତ କେଇଘର ଲୋକ ଯାଇ ତାଙ୍କ ଗାଁ ରେ ଫେରାଦ ହେଲେ l ମୋ ଭାଇ ପାଟି ଖୋଲିଵା ଆଗରୁ ତାଙ୍କ ସାହି ମୁଖିଆ ଭାଇ କୁ ଚଢ଼ା ଗଳାରେ କହିଲା, " ଭଗିଆ !ତୋ ଭଉଣୀ କୁ କହିଦେ ଧନ୍ଦା କରିବାରେ ଅଛି ତ ଆଉ କୋଉଠି ଯାଇ କରୁ l ଆମ ପୁର୍ବପୁରଷ ତୁମ କୁ ଦୟା କରି ଏଠି ରହିବାକୁ ଥାନ ଦେଇଥିଲେ l କିଛି ଗଲତ କାମ କରିବାକୁ ନୁହେଁ l କହିଦେ କୁସୁମ କୁ ଗାଁ ଛାଡ଼ି ଚାଲିଯାଉ l ନୋହିଲେ ତୋତେ ତୋ ପରିବାର ସହ ଏଠୁ ତଡିଦିଆଯିବ l କାଲି ଆମ ସାହି ପିଲା ତାକୁ ହାବୁଡ଼ିଥିଲେ l କଥା ଟା ସଙ୍ଗେ ସଙ୍ଗେ ଆସି ମତେ ଜଣେଇଲେ l ଏଇଟା ଗୋଟେ ଭଦ୍ରଲୋକଙ୍କ ଗାଁ l ଗାଁ କୁ ବେଶୀ କଳୁଷିତ କରିବା ଆଗରୁ ସେ କଳଙ୍କିନୀ ଏଠୁ ବାହାର କର l" ଭାଇ ଆଚମ୍ବିତ ଓ ଅପମାନିତ ହେଲା l ମୋ ପାଇଁ କେଡେ ନେହୁରା ହେଲା l ସେମାନେ ତଥାପି ମାନିଲେ ନାହିଁ l ହଜାରେ ଟଙ୍କା ଓ ଦୁଇଟି ଛେଳି ରେ କଥା ଛିଡି଼ଲା l ବଡ କଷ୍ଟ ରେ ଜମା ରଖିଥିବା କିଛି ଟଙ୍କା ଓ ଦୁଇଟି ଅଣ୍ଡିରା ଛେଳି ଜୋରିମାନା ଦେଇ ଭାଇ ସେମାନଙ୍କୁ ରାଜି କରେଇଲା ମତେ ଗାଁ ରେ ରଖିବା ପାଇଁ l ମୁଁ ଆଉ ତାପରଠୁ ଚାରିଟା ବାଜିଲେ ଘରୁ ଗୋଡ଼ କାଢୁନଥିଲି l ଘଟଣା କୁ ପନ୍ଦର ଦିନ ଯାଇନି ମୋ ଭାଉଜ ମତେ କହିଲା, "କୁସୁମ ସାନ ଛେଳି ଛୁଆ ଟା ମିଳୁନି l ଦେଖିଲ କୁଆଡେ ଗଲା l" ମୁଁ ଛେଳି କୁ ଖୋଜି ଖୋଜି ଯାଇ ଦେଖିଲି ବାବୁଲି ପାଢ଼ୀ ର କୁନି ପୁଅ ଟି ଆମ ଛେଳି କୁ ଧରି ଗାଁ ମଣ୍ଡପ ପାଖରେ ଖେଳୁଛି l ତାକୁ ଦେବାକୁ କହିଲାରୁ ସେ ତାକୁ ଧରି ଦୌଡିଲା l ମୁଁ ବି ତା ପଛେ ପଛେ ଗଲି l ସେ ମତେ ଦେଖି ଏତେ ଜୋରରେ ଦୌଡିଲା ଯେ ଗାଁ ଶିବ ମନ୍ଦିର ପାଖ ନାଳୁଆ ପାଣିରେ ତା ଗୋଡ଼ ଖସିଗଲା l ପିଲା ଟା ପଡିଯାଇ କାଦୁଅ ହେଇଗଲା l ଖୁବ କାନ୍ଦିଲା l ମୁଁ ଅଲକ୍ଷଣୀ ତା କାନ୍ଦ ସହିନପାରି ତାକୁ ଛୁଇଁ ତଳୁ ଉଠେଇଦେଲି l ମନ୍ଦିର କଳରୁ ପାଣି ଆଣି ତା ଗୋଡ଼ ହାତ ଧୋଉଥାଏ l ସେ ଏଣେ କାନ୍ଦ ବନ୍ଦ କରୁନଥାଏ l ତା ପାଟି ଶୁଣି କିଛି ଲୋକ ଦୌଡି ଆସିଲେ l ଛୁଆ ର ମାଆ ବି ଆସି ଛୁଅଟାକୁ ମୋ ଠାରୁ ଛଡେଇନେଲା l କେଇ ମିନିଟ ଭିତରେ ଗାଁ ସାରାଲୋକ ହାଜର ହେଇଗଲେ l ମତେ ଖାଲି ଭିଡ଼ ଭିତରୁ ଶୁଭୁଥାଏ, "ଦୁଶ୍ଚରିତ୍ରା କଳଙ୍କିନୀ l ଆମ ମନ୍ଦିର ପାଣି ଅପବିତ୍ର କଲୁ l ଛୁଇଁଲୁ... ଅସଭ୍ୟ...ଘ--ତା... ଛାଡ଼ି... "

ମୁଁ କିଛି ବୁଝିବା ଆଗରୁ ମୋ ଚୁଟି କୁ ଘୋଷାରି ସ୍ତ୍ରୀଲୋକ ମାନେ ତଳେ ପକେଇଦେଲେ l ମୋ ପିଠି ଉପରେ ସ୍ତ୍ରୀଲୋକ ମାନଙ୍କ ଚୁଡ଼ି ଝମ ଝମ ଶବ୍ଦ l ମୋ ପିଠି ପେଟ ମୁଣ୍ଡ ହାତ ସବୁଠି ସେମାନଙ୍କ ହାତ ଗୋଡ଼ ର ଶକ୍ତ ପ୍ରହାର l ଆଉ ଉଠିବାକୁ ବଳ ପାଇଲା ନାହିଁ l ଦୁଇ ଚାରି ଘଣ୍ଟା ପରେ ବଡ କଷ୍ଟ ରେ ଉଠି ଘୋଷାରି ଘୁଷୁରି ହୋଇ ମୋ ଝୁମ୍ପୁଡି ଘର କବାଟ ବାଡ଼େଇଲି, ଭାଇ କି ଭାଉଜ କେହି ଦରଜା ଖୋଲିଲେ ନାହିଁ l ଭିତରୁ ଥାଇ ଭାଇ କହିଲା "କୁସୁମ ଲୋ ତୋ ଭାଇ ପାଖେ ଆଉ ପଇସା ଟେ ବି ନାହିଁ ଜୋରିମାନା ଭରିବାକୁ l ତୁ କୁଆଡେ ଗୋଟେ ବାଟକାଟି ଚାଲିଯାଆ "l ତାପରେ ଚାଲି ଚାଲି ଆସି ଏଇଠି l

ବାସ୍ପରୁଦ୍ଧ କଣ୍ଠ ରେ ଏତିକି କହି ଲୁଗା କାନିରେ ନିଗିଡି ଆସୁଥିବା ଲୁହ କୁ ପୋଛି ପକାଇଲା କୁସୁମ l କୁସୁମ ର କଷ୍ଟ ସଭିଙ୍କ ଅନ୍ତର୍ଭେଦି ଆଖି କୁ ଓଦା କରିପକେଇଲା l ପଦ୍ମିନୀ ଦିଦି କାନ୍ଦୁ କାନ୍ଦୁ କହିଲେ, "କୁସୁମ ତୁ ମୋ ଘର କୁ ଚାଲ l ମୋ ପାଖେ ରହିବୁ l ତୋର କିଛି ଅସୁବିଧା ହେବନି l"

କୁସୁମ ଲୁହ ପୋଛି ଦିଦିଙ୍କୁ କହିଲା, "ମୋର ଅସୁବିଧା ହେବା ଆଗରୁ ଅଛୁଆଁ ଟାକୁ ଘରେ ପୂରେଇଥିବାରୁ ଆପଣଙ୍କୁ ହୁଏତ କେହି ଗାଁ ରୁ ବହିଷ୍କାର କରିଦେଇପାରେ l"

ପଦ୍ମିନୀ ଦିଦି ତାକୁ ସାହସ ଦେଇ କହିଲେ, "କାହାର କିଛି ହେବନି l ତୁ ଚାଲ ମୋ ସହ l ସମସ୍ତଙ୍କ ଉପରେ ଆଇନକାନୁନ ଅଛି l ତୋ ସହ ଯାହା ହେଇଛି ସବୁ ବେଆଇନ କାର୍ଯ୍ୟ l ସେଥିପାଇଁ ତୋତେ ନାୟ ମିଳିବ ଆଉ ସେ ପଶୁମାନେ ନିଶ୍ଚୟ ଶାସ୍ତି ପାଇବେ l "

କୁସୁମ ଏବେ ପଦ୍ମିନୀ ଙ୍କ ଗାଁ ରେ l ସେହି ଗାଁ ର କିଛି ଶିକ୍ଷିତ ଲୋକଙ୍କ ସହାୟତା ରେ ତାକୁ ଉଚିତ ନାୟ ଓ କ୍ଷତିପୂରଣ ମିଳିଲା l ଏହି ଘଟଣା ଟି ବି ପଦ୍ମିନୀ ଙ୍କ ଗାଁ ର ଅନେକ ଅନ୍ଧବିଶ୍ୱାସୀ ଲୋକଙ୍କ ଆଖି ଖୋଲିଦେଲା l

ପଦ୍ମିନୀ ଦିଦି ଙ୍କ ଘରେ ରହି ସିଲେଇ ଶିଖି କୁସୁମ ମଧ୍ୟ ଅଳ୍ପ କିଛି ଉପାର୍ଜନକ୍ଷମ ହୋଇପାରିଛି l ତାକୁ ଛୁଇଁଲେ କାହାରି କିଛି କ୍ଷତି ହେଉନାହିଁ ବରଂ ସେ ଛୁଇଁ ସିଲେଇ କରୁଥିବା ପୋଷାକ କୁ ପିନ୍ଧି ବହୁ ଲୋକ ଖୁସୀ ହୋଇ ତାର ଅନେକ ପ୍ରଶଂସା କରୁଛନ୍ତି l

***********ଲୋପାମୁଦ୍ରା ମିଶ୍ର ***********-


Rate this content
Log in