Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ବଡ଼ମଣିଷ ବଡ଼କଥା-ଚନ୍ଦ୍ରଶେଖର ଆଜାଦ
ବଡ଼ମଣିଷ ବଡ଼କଥା-ଚନ୍ଦ୍ରଶେଖର ଆଜାଦ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Classics

3 Minutes   7.4K    16


Content Ranking


ଡ. ରବିନାରାୟଣ ସାହୁ


ଚନ୍ଦ୍ରଶେଖର ଆଜାଦ । ଜଣେ ଦେଶଭକ୍ତ ତଥା ସ୍ଵାଧୀନତା ସଂଗ୍ରାମୀଭାବେ ଭାରତ ଇତିହାସରେ ସୁପ୍ରସିଦ୍ଧ । ଦେଶ ମାତୃକାର ସେବା ପାଇଁ ତାଙ୍କର ଉତ୍ସର୍ଗୀକୃତ ଜୀବନ ଆଜି ସମସ୍ତ ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ । ସେହି ବିଶିଷ୍ଟ କ୍ରାନ୍ତିକାରୀ ଦେଶପ୍ରେମୀ ଚନ୍ଦ୍ରଶେଖର ଆଜାଦଙ୍କ ଜୀବନରୁ ଘଟଣାଟିଏ ।

ସେତେବେଳେ ସ୍ଵାଧୀନତା ସଂଗ୍ରାମ ଚରମ ସ୍ଥିତିରେ ପହଞ୍ଚିଥାଏ । ସଂଗ୍ରାମୀମାନେ ଘରଦ୍ଵାର ଛାଡ଼ି ବ୍ରିଟିଶ ସରକାର ବିରୋଧରେ ଲଢ଼େଇ ଜାରି ରଖି ଥାଆନ୍ତି ଗୋରା ସରକାରକୁ ଦେଶରୁ ବିତାଡିତ କରିବାର ଲକ୍ଷ୍ୟ ନେଇ ସାରା ଦେଶର କୋଣ ଅନୁକୋଣରେ ସଂଗ୍ରାମୀମାନେ ଖିଆପିଆ ଭୁଲି ଜୀବନକୁ ବାଜି ଲଗେଇ ଦେଇଥାଆନ୍ତି । ବଣପାହାଡ଼ ବୁଲି ଦିନରାତି ଏକକରି ସେହି ଗୋଟିଏ ଲକ୍ଷ୍ୟରେ ସମସ୍ତେ ମାତିଥାଆନ୍ତି ଦେଶପ୍ରେମରେ । ପାଗଳ ଚନ୍ଦ୍ରଶେଖର ସେତିକିବେଳେ ଫେରାର ହୋଇ ଇଂରେଜମାନଙ୍କ ଆଖିରେ ଧଳି ଦେଇ ରହୁଥାନ୍ତି ହରିଦ୍ଵାରଠାରେ । ସେହି ରହଣି କାଳରେ ସେଠାରେ ଜଣେ ପରିଚିତ ଗ୍ରାମବାସୀଙ୍କର ଆଜାଦଙ୍କ ସହ ସାକ୍ଷାତ ହେଲା । ଚନ୍ଦ୍ରଶେଖର ସେହି ଗ୍ରାମବାସୀଙ୍କୁ ପ୍ରଣାମ କରି କହିଲେ, ‘‘ଭାଇ, ତମେ ଗାଁକୁ କେବେ ଯିବ। ଗାଁରେ ମାଆଙ୍କୁ ମୋର କହିଦେବ ମୁଁ ଏଠାରେ ଭଲରେ ଅଛି। ମୋର କିଛି ଅସୁବିଧା ନାହିଁ । ମୋ ପାଇଁ ସେ ଆଦୌ ଚିନ୍ତା ନ କରିବା ପାଇଁ ତାକୁ ବୁଝେଇ ଦେବ । ମୁଁ ବର୍ଷେ ହେଲା ଗାଁକୁ ଯାଇନାହିଁ । ତା’ କଥା ମୋର ଭାରି ମନେ ପଡୁଛି । ତା’ର ବି ମୋ କଥା ମନେ ପଡୁଥିବ । ମୋ କଥା ମନେ ପକାଇ ସେ ହୁଏତ କାନ୍ଦୁଥିବ । ତେଣୁ ତାକୁ ବୁଝେଇ କହିବ ମୋର କୌଣସି ଅସୁବିଧା ନାହିଁ । ସେ ନିଶ୍ଚିନ୍ତରେ ରହିବ ।’’

ସେହି ପରିଚିତ ଲୋକଟି ଗାଁରେ ପହଞ୍ଚି ପ୍ରଥମେ ଚନ୍ଦ୍ରଶେଖରଙ୍କ ମାଆକୁ ଭେଟିବା ପାଇଁ ଗଲେ । ସେତେବେଳକୁ ରାତି ହୋଇଯାଇଥାଏ । ସାରା ଗାଁ ପୁଲିସ ଛାଉଣି । ଚନ୍ଦ୍ରଶେଖର ଓ ଆଉ କେତେକ କ୍ରାନ୍ତିକାରୀଙ୍କୁ ଧରିବା ପାଇଁ ଗାଁରେ ପୁଲିସ ପଇଁତରା ମାରୁଥାନ୍ତି । ଲୋକଟି ଯେତେବେଳେ ଚନ୍ଦ୍ରଶେଖରଙ୍କ ଘର କବାଟ ଖଟଖଟ୍ କରେ ଭିତରୁ ଚନ୍ଦ୍ରଶେଖରଙ୍କ ମାଆ ଭାବିଲେ ପୁଣି ପୁ ଲିୁସମାନେ ଆସି ତାଙ୍କୁ ଡାକୁଛନ୍ତି ବୋଧେ । ତେଣୁ ସେ ଘର ଭିତରୁ କହିଲେ, ‘‘କାହିଁକି ମୋତେ ବାରମ୍ବାର ବିରକ୍ତ କରୁଛ । ଥରେ ତ କହିଲି ପୁଅ ଘରେ ନାହିଁ । ଆଉ କେତେଥର ଦେଖିଲେ ତମ ମନ ଶାନ୍ତିହେବ। ଯାଅ ଯାଅ, ମୁଁ କବାଟ ଖୋଲି ପାରିବି ନାହିଁ । ତମର ଯାହାର କରିବାର ଅଛି କର’’। ଚନ୍ଦ୍ରଶେଖରଙ୍କ ମାଆଙ୍କ ଠାରୁ ଏପରି କଥା ଶୁଣି ଲୋକ ଜଣଙ୍କ ନିଜର ପରିଚୟ ଦେବାରୁ ସେ କବାଟ ଖୋଲିଲେ । ହାତରେ ଦୀପଟିଏ ଧରି ବାହାରକୁ ଆସି ତାଙ୍କୁ ଘର ଭିତରକୁ ନେଇଗଲେ ଚନ୍ଦ୍ରଶେଖରଙ୍କ ମାଆ । ଲୋକଟି ତାଙ୍କୁ ପ୍ରଣାମ କରି ଚନ୍ଦ୍ରଶେଖରଙ୍କ କୁଶଳ ବାର୍ତ୍ତା ଦେବାରୁ ଖୁସିରେ ତାଙ୍କ ଆଖିରୁ ଲୁହ ଝରି ଆସିଲା। ଚନ୍ଦ୍ରଶେଖର କେମିତି ଅଛି, କେମିତି ଖିଆପିଆ କରୁଛି କେଉଁଠି ରହୁଛି ଆଦି କେତେ କଥା ପଚାରିବାରେ ଲାଗିଲେ । ବର୍ଷେ ହେଲା ପୁଅକୁ ନ ଦେଖିଥିବା ମାଆ ପୁଅର ଖବର ପାଇ ସେଦିନ ବହୁତ ଖୁସି ହୋଇଥିଲେ। କିଛି ସମୟ କଥା ହୋଇ ସେ ବିଦାୟ ନେବାକୁ ବାହାରିବାରୁ ମାଆ ପଚାରିଲେ, ‘‘ପୁଅ, ତୁମର ପୁଣି ଚନ୍ଦ୍ରଶେଖର ସହିତ ଭେଟ ହେବ ତ’’। ଏତିକି କହୁକହୁ ତାଙ୍କ ଆଖିରୁ ଲୁହ ଝରି ଆସୁଥାଏ । ମାଆ ହୃଦୟର ଅନାବିଳ ସ୍ନେହ ଓ ମମତା ଦେଖି ଲୋକଟି ଅତି ରୋମାଞ୍ଚିତ ହୋଇଗଲେ । ଭାବୁକତା ପୂର୍ଣ୍ଣ ସ୍ବରରେ କହିଲେ, ‘‘ହଁ ମାଆ । ମୁଁ ମାତ୍ର ଦୁଇଦିନ ପାଇଁ ଆସିଛି, ପଅରିଦିନ ପଳେଇବି। ଗଲେ ନିଶ୍ଚୟ ଚନ୍ଦ୍ରଶେଖର ସହିତ ଭେଟ ହେବ।’’

ଏତିକି ଶୁଣୁଶୁଣୁ ଚନ୍ଦ୍ରଶେଖରଙ୍କ ମାଆ ଥରଥର ହାତରେ ଶାଢ଼ିର କାନିରେ ପଡିଥିବା ଗଣ୍ଠିଖୋଲି ଲୋକ ଜଣଙ୍କ ହାତରେ ଦୁଇଅଣା ପଇସା ଧରେଇ ଦେଇ କହିଲେ, ‘‘ପୁଅ ମୋର, ରସଗୋଲା ଖାଇବାକୁ ଭାରି ଭଲ ପାଏ । ବର୍ଷେ ହେଲା ଘରୁ ଗଲାଣି ଯେ ପାଟିରେ ମିଠା ଟିକେ ବାଜି ନ ଥିବ । ତମେ ଏହି ଦୁଇଅଣାର ରସଗୋଲା କିଣି ଚନ୍ଦ୍ରଶେଖରକୁ ଖାଇବାକୁ ଦେବ। କହିବ, ମୁଁ ଘରୁ ପଠେଇଥିଲି ବୋଲି।’’ ଏତିକି କହୁ କହୁ ଲୁହ ଧାର ଦୁଇ ଆଖିରୁ ବହି ଆସୁଥାଏ ତାଙ୍କର । ଗାଁର ସେହି ଲୋକ ଜଣକ, ମାଆର ମମତା ଦେଖି ତାଙ୍କ ଆଖିରୁ ବି ଲୋତକର ଧାର ବହିବାକୁ ଲାଗିଲା। ତାଙ୍କର ମମତା ଆଗରେ ତାଙ୍କ ପ୍ରତି ଭକ୍ତିରେ ମଥା ନଇଁ ଆସିଲା । ପାଦଛୁଇଁ ପ୍ରଣାମ କରି ସେଦିନ ସେ ବିଦାୟ ନେଇ ତାଙ୍କ ଘରୁ ଫେରି ଆସିଥିଲେ ଓ ଆସିଲାବେଳେ ଭାବୁଥିଲେ ଧନ୍ୟ ତୁମେ ମାଆ ଆଉ ଧନ୍ୟ ତୁମର ମମତା ।

ସେହି ବିଶିଷ୍ଟ କ୍ରାନ୍ତିକାରୀ ଆଜାଦଙ୍କ ଜନ୍ମ ହୋଇଥିଲା ଉତ୍ତରପ୍ରଦେଶର ଉନାଓ ଜିଲା ଅନ୍ତର୍ଗତ ଭାବରା ଗାଁରେ ୧୯୦୯ ମସିହା ଜୁଲାଇ ୨୩ ତାରିଖରେ ଓ ୧୯୩୧ ଫେବୃଆରୀ ୨୭ତାରିଖରେ ଆହ୍ଲାବାଦଠାରେ ବ୍ରିଟିଶମାନେ ତାଙ୍କୁ ଧରିବା ପୂର୍ବରୁ ସେ ନିଜ ପିସ୍ତଲରୁ ନିଜକୁ ଗଳି କରି ଆତ୍ମହତ୍ୟା କରିଥିଲେ ଓ ତାଙ୍କର ଶପଥ ରକ୍ଷା କରିଥିଲେ । ଉଲ୍ଲେଖନୀୟ ଯେ ଏକଦା ସେ ପ୍ରତିଜ୍ଞା କରିଥିଲେ ଜୀବନର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ କୌଣସି ଇଂରେଜ ତାଙ୍କ ଦେହ ସ୍ପର୍ଶ କରିପାରିବେ ନାହିଁ ଓ ତାହା ମଧ୍ୟ ସେ କରି ଦେଖାଇଥିଲେ ନିଜକୁ ନିଜେ ଗୁଳିକରି। ସତରେ ତାଙ୍କ ଭଳି ଦେଶପ୍ରେମୀ ବାସ୍ତବରେ ବିରଳ ।

ଚନ୍ଦ୍ରଶେଖର ସଂଗ୍ରାମୀ ରସଗୋଲା

Rate the content


Originality
Flow
Language
Cover design

Comments

Post

Some text some message..