Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan chandra Senapati

Others

3  

Narayan chandra Senapati

Others

ବିଶ୍ୱାସର ବାୟାବସା

ବିଶ୍ୱାସର ବାୟାବସା

6 mins
539


🎍 *ବିଶ୍ୱାସର ବାୟାବସା*🎍

ଅପରାହ୍ଣର ନିଷ୍ଠୁର ସୁର୍ଯ୍ୟଟା ଆଶାର ଆଶାକୁ ନିରାଶ କରୁଥାଏ।ଆଜବେଷ୍ଟସ୍ ଘରର ଗରମ ହାୱାରେ ସେ ସତେ ଯେମିତି ଅଣନିଃଶ୍ବାସୀ ହେଉଥାଏ।ତା ସାଙ୍ଗକୁ ତା ଦୁଃଖର ଅଂଶୁଘାତ ନିଃସଙ୍ଗତାକୁ କରୁଥିଲା ବିଦ୍ରୁପ ହସ।ମୁହଁରୁ ଝାଳ ଓ ଆଖିରୁ ଅସହାୟତାର ନିରୀହ ଲୁହଗୁଡ଼ାକୁ ଭରସାର ଲୁଗାକାନିରେ ପୋଛି ସ୍ମୃତି ସାଇତା ପୁରୁଣା ଆଲବମଟାକୁ ଧରି ଚାଲିଲା ଘର ପଛ ଆମ୍ବଗଛ ମୂଳକୁ।ପାଖରେ ସମୁଦ୍ର କୂଳର ଶୀତଳ ବାଆର କୋମଳ ସ୍ପର୍ଶରେ ଗଛର ପତ୍ର ଗୁଡାକ ସତେ ଯେମିତି ରଜ ଦୋଳି ଖେଳୁଥାନ୍ତି।ଅବଶ୍ୟ ସେହି ଶୀତଳ ବାଆର କୋମଳ ସ୍ପର୍ଶ ଆମୋଦ ଦେଉଥାଏ ତା ଶରୀରକୁ ହେଲେ ତା ମନରେ ଲାଗିଥିବା ଆଗ୍ନେୟଗିରିର ନିଆଁ ହୁତୁହୁତୁ ହୋଇ ଜଳି ବିବ୍ରତ କରୁଥାଏ କ୍ଷଣକୁ କ୍ଷଣ।ତାକୁ ଲିଭାଇ ଆଶ୍ୱସ୍ତି ହେବା ପାଇଁ ଖୋଲିଲା ଆଲବମର ପୃଷ୍ଠା ଗୋଟିକ ପରେ ଗୋଟିଏ।ଆଖିରେ ପଡ଼ିଲା ଏକ ଏପରି ଫଟୋ,ଯାହାକି ସେଦିନ କରିଥିଲା ରଙ୍ଗୀନ ଓ ଆଜି ସାଉଁଟୁଛି ଶ୍ମଶାନର ମୁଠାଏ ପାଉଁଶ।ତାକୁ ଦେଖି ଦୀର୍ଘଶ୍ଵାସଟାଏ ପକାଇଲା ଆଶା।

ସେଥିଲା ପି.ଏନ୍.କଲେଜର ଯୁକ୍ତ ଦୁଇ ୨ୟ ବର୍ଷର କୃତୀ ଛାତ୍ରୀ।ପାଠରେ ଗୀତରେ ନାଚରେ ବକ୍ତୃତାରେ ତା ସମକକ୍ଷ ହେବା ଥିଲା ସଭିଙ୍କ ପାଇଁ କଷ୍ଟକର ବ୍ୟାପାର।ଅଭିନୟ ଥିଲା ସ୍ୱତନ୍ତ୍ର ଓ ଜୀବନ୍ତ।ଆନୁଆଲ ଫଙ୍କ୍ ସନ୍ ରେ ଏକ ନାଟକ ମଞ୍ଚସ୍ଥ ହେଉଥାଏ, ସେଥିରେ ଥିଲା ତାର ନାୟିକା ଚରିତ୍ର।ନାଟକ ଟିର ନାଁ ଥିଲା "ଵିଶ୍ଵାସର ବାୟାବସା"।ତାର ନାୟକ ଥିଲେ ଯୁକ୍ତ ତିନି ୨ୟ ବର୍ଷର ଉଦୀୟମାନ ଯୁବକ ଆକାଶ।ମନେ ପଡ଼ିଲା ତାର ଏକ ଦୃଶ୍ୟର କଥା....

ତୁମେ ମୋତେ ଠକି ଦେବନି ତ ଆକାଶ ଭାଇ.....।

ତୁମର କଣ ମୋ ଉପରେ ବିଶ୍ୱାସ ନାହିଁ ଆଶା....।

ଅଛି ବୋଲିତ ଏ ଖରସ୍ରୋତା ନଦୀକୁ ପାର ହେବା ପାଇଁ ତୁମ ବିଶ୍ୱାସର ହାତକୁ ଧରିଛି।ହେଲେ ମୋତେ ଡର ଲାଗୁଛି ଆକାଶ ଭାଇ,ଯଦି କିଏ ଆମ ବିଶ୍ୱାସର ବାୟାବସାକୁ ଭାଙ୍ଗିଦିଏ....? ଯଦି କେଉଁ ଲହଡି ଆମ ବିଶ୍ୱାସର ହୁଲି ଡଙ୍ଗାକୁ ବୁଡାଇ ଦିଏ....?

ଯଦି ଏଭଳି କରିବାକୁ କିଏ ସାହସ ଵି କରେ, ତେବେ ବିଶ୍ୱାସ କର ଆଶା,ତାକୁ ମୁଁ ଜୀଅନ୍ତା ଫାଡ଼ି ଦେବି।

ସୁର୍ଯ୍ୟ ବରଂ ପଶ୍ଚିମ ଦିଗରେ ଉଦୟ ହୋଇପାରେ କିନ୍ତୁ ଆକାଶ ତାର ଭଲ ପାଇବାର ବାୟାବସାକୁ କେବେ ବି ଭାଙ୍ଗିବାକୁ ଦେବ ନାହିଁ।

ଏହି ନାଟକର ଜୀବନ୍ତ ଅଭିନୟ କିଏ ଜାଣିଥିଲା ତାଙ୍କ ଜୀବନରେ ବାସ୍ତବ ରୂପ ନେବ।ପରସ୍ପରକୁ ଭଲ ପାଇଲେ ଆଶା ଓ ଆକାଶ।ମାତ୍ର ପରସ୍ପରର ପାରିବାରିକ ଜ୍ୟାମିତିକ ରେଖା ସମାନ ନ ଥିଲା ବରଂ ସମାନ୍ତରାଳ ଗତିରେ ବାଟ କାଟୁଥିଲା।ଆକାଶ ଥିଲା ବିଶିଷ୍ଟ ଶିଳ୍ପପତି ରଂଜୀତ ମହାପାତ୍ରଙ୍କ ଏକୋଇରବଳା ବିଶିକେଶନ, ମାତ୍ର ଆଶା ଥିଲା ମାଟିର ମଣିଷ ଜଣେ ସାଧାରଣ କୃଷକର ଝିଅ।ସାମାଜିକ ଅବସ୍ଥା ଆକାଶ ପାତାଳ ଫରକ।ଆଶା ଭୟ କରି ବାରଣ କରୁଥିଲା ଏ ବନ୍ଧନକୁ କିନ୍ତୁ ଆକାଶ ବିଶ୍ୱାସର ବୈତରଣୀକୁ ଛିଞ୍ଚି ବିଶ୍ୱାସର ନିବିଡ଼ତାରେ ଆର୍ଦ୍ର କରି ଦୃଢ଼ ପ୍ରତିଶ୍ରୁତି ଦେଇଥିଲା ଆଶାକୁ।

କଥାରେ ପରା ଅଛି "କାନ୍ଥ ବାଡ଼ରେ କାନ ଅଛି" ଆଉ "ଦୁଷ୍ଟ ଲୋକଙ୍କ ତୁଣ୍ଡ ବିଞ୍ଚେ ବିଶ୍ୱ ବ୍ରହ୍ମାଣ୍ଡ" । ତେବେ କଲେଜ, ରାସ୍ତାଘାଟ,ବଜାର,ସମୁଦ୍ରକୂଳ,ପାର୍କରେ ଦୁହିଙ୍କ ଲୁଚାଛପା ମିଳାମିଶାକୁ ସହି ପାରୁନଥିଲା ଏ ସମାଜର ବିଷଆଖି।ସବୁଠୁ ବିପଦ୍ଜନକ ଓ ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟି କରିଥିଲା ଆଶାକୁ ବାରମ୍ବାର ଲୋଲୁପ ଦୃଷ୍ଟି ନିକ୍ଷେପ କରି ବିଫଳ ହୋଇ ଆସୁଥିବା ଅସାମାଜିକ ବିରେନ୍ ଚୌଧୁରୀ।ସବୁ ଅପଚେଷ୍ଟା ସତ୍ତ୍ଵେ ଆକାଶ ଓ ଆକାଶର ପରିବାରଙ୍କ ନିର୍ମଳ ଚିନ୍ତାଧାରା, ତା ହୀନ ଚକ୍ରାନ୍ତକୁ ପଣ୍ଡ କଲା।

ଘୋଟି ଆସିଲା ଦୁହିଁଙ୍କ ପବିତ୍ର ପ୍ରେମର ସ୍ୱଚ୍ଛ ଆକାଶରେ ଦୁଃଖର କଳାବାଦଲ। ଘନେଇ ଆସିଲା ପ୍ରେମର ଯବନିକା, ସାମୟିକ ଆସନ୍ନ ବିଚ୍ଛେଦର ଡ଼ାକରାରେ।ଆକାଶ ଉଚ୍ଚ ଶିକ୍ଷା କରିବାକୁ ଯିବେ ପଣ୍ଡିଚେରୀ।ଏ କଥା କାନରେ ଶୁଣିବା ମାତ୍ରେ ଆଶାର ଆକାଶରେ ସତେ ଯେମିତି ଦୁଃଖର ଧୂମକେତୁ ଉଙ୍କିମାରିଲା।ଆକାଶ ଯିବାର ପୂର୍ବ ଦିନ ଆଜି ବି ମନେ ପଡୁଛି,ପ୍ରଣୟର ଅନ୍ତିମ ଦେଖାହୋଇଥିଲା ମଝିପାହାଚରେ।ଆଶାର ଆଖିରୁ ବହି ଯାଉଥିଲା ପ୍ରେମର ଅମାନିଆ ଅଶ୍ରୁ।ଦୁଃଖମିଶା ଥରା ଗଳାରେ ଆଶାର ଆଖିରୁ ଲୁହ ପୋଛି ଆକାଶ କହିଥିଲା ସେହି ନାଟକର ପୁରୁଣା ସଂଳାପ,

"ଆମ ବିଶ୍ୱାସ କଣ ଏତେ ଦୁର୍ବଳ ଆଶା ?"

"ତୁମେ କଣ ମୋତେ ପୁଣି ଅବିଶ୍ୱାସ କରୁଛ?"

"ବିଶ୍ୱାସର ବାୟା ବସାକୁ ଗଢିବାର ସ୍ବପ୍ନ ତ ଦେଖିଛି ଆକାଶ ଭାଇ,ହେଲେ.....ତୁମେ ବିଦେଶରେ ରହି ତୁମ ଗାଉଁଲି ଆଶାକୁ ଭୁଲି ଯିବନି ତ?"

"ନାଁ ରେ ଆଶା, ଏ ଆକାଶ ସବୁ ଭୁଲି ପାରେ ହେଲେ କେବେ ବି ଭୁଲି ପାରିବନି ତାର ପ୍ରେମର ଆଶା ଭରସାକୁ।ଏଇ ରହିଲା ଆମର ପ୍ରେମର ସାକ୍ଷୀ..ଏହା କହି ନିଜ ହସ୍ତର ହୀରକ ହାରକୁ ଆଶାର ଆଙ୍ଗୁଠିରେ।ମୋ ସନ୍ତକକୁ ଛୁଇଁ ମୋତେ ମନେ ପକାଇବ ଆଶା।କେବେ ବି ବିଶ୍ୱାସ ହରେଇବ ନାହିଁ।"

ଚାଲିଗଲା ଆକାଶ ବିଦେଶ,ରହିଗଲା ଆଶା ଅସୀମ ଆଶାକୁ ଆଶାର ସାଗର ଗର୍ଭରେ ରଖି।ସନ୍ତାପିତ ମନକୁ ବାରମ୍ବାର ସାନ୍ତ୍ୱନା ଦେଉଥିଲା ଦୁଷ୍ମନ୍ତଙ୍କ ଦିଆହୋଇଥିବା ସ୍ନେହ, ଶ୍ରଦ୍ଧା, ପ୍ରୀତିର ଶକୁନ୍ତଳାକୁ ଦେଇଥିବା ମୁଦ୍ରିକାକୁ ଚାହିଁ ରହିଥିଲା ପରି।

"ମୋ ଆକାଶ କଣ ମୋତେ ସତରେ ମନେ ରଖିଥିବେ ?, କେବେ ଭୁଲିବେ ନାହିଁ?ନିଜ ମନର ଅବ୍ୟକ୍ତ ଭାଷାକୁ ନିଜ ଉତ୍ତରରେ ସାନ୍ତ୍ୱନା ଦେଇ ଆଶ୍ୱସ୍ତି ପାଉଥିଲା ଆଶା।"

ସତେ ଯେମିତି ଆଶାର ଭାଗ୍ୟ ଆକାଶର ଚାନ୍ଦିନୀ ରାତି ଦୁରେଇ ଦୁରେଇ ଅମାବାସ୍ୟାର କିଟିକିଟା ଅନ୍ଧାରକୁ ବନ୍ଦାପନା କରୁଥିଲା।ତା ସୁଖର ବାଳ ଗୁଡାକ ପାଚି ପାଚି ଯାଉଥିଲା ଓ ଦୁଃଖର ମଞ୍ଜି ଅଙ୍କୁରୋଦ୍ଗମ ହୋଇ ଖୁବ୍ ଦ୍ରୁତ ଗତିରେ ବଢ଼ୁଥିଲା।ସାପ କାମୁଡ଼ାରେ ବାପଟି ଆରପାରକୁ ବାଟ କାଟିଲା।ବୁଢ଼ୀ ମାଆ ଓ ନିଜେ ଟିକେ ଶାନ୍ତିରେ ରହିବାକୁ ତାକୁ ପାଖ ଗାଁରେ ଘରୋଇ ଟ୍ୟୁସନ କରିବାକୁ ପଡିଲା।ଦୁଃଖର ଚାରାଗଛଟା ଯୌଵନରେ ପଦାର୍ପଣ କଲା ।ଦିନେ ବିଳମ୍ବରେ ଟ୍ୟୁସନ ସାରି ଫେରିବା ବାଟରେ ପୂର୍ବ ଯୋଜନାନୁସାରେ ବିରେନ୍ ଉଠେଇ ନେଲା ଆଶାକୁ ଓ ନାସାରେ କ୍ଲୋରୋଫର୍ମ ଶୁଂଘାଇ ପାଶବିକ ଅତ୍ୟାଚାର କଲା।ଉଲଗ୍ନ ଫଟୋ ଉଠାଇ ବିବାହ ନ କଲେ ଫଟୋ ମେଡିଆରେ ଛାଡିବାର ଧମକ ଦେଇ ବାରମ୍ବାର ବ୍ଲାକମେଲ୍ କଲା।ତାର ଏ ଦୁର୍ବାର ଆଶା, ସହସ୍ର ପ୍ରଚେଷ୍ଟା ଶେଷରେ ନିଷ୍ଫଳ ହେଲା।ମାତ୍ର ଦୁଃଖର ଚାରାଗଛଟି ବଢି ମହାଦ୍ରୁମରେ ପରିଣତ ହେଲା।ଏପଟେ ଉଲଗ୍ନ ଫଟୋ ଛାଡି ଆଶାକୁ ବଦନାମ କଲା ତ ସେପଟେ ଅଜାଣତରେ ଶାରୀରିକ ସମ୍ପର୍କର ଲକ୍ଷଣ ତାକୁ କଳଙ୍କିନି ସଜାଇଲା।"ତୁଣ୍ଡ ଵାଇଦ ସହସ୍ର କୋଶ" ପରି ଏ କଦର୍ଯ୍ୟ ଖବର ସମାଜର ବାୟୁମଣ୍ଡଳକୁ ଘାଇଲା କଲା।ଗାଁ ରେ ଛି ଛାକର, ନିନ୍ଦା ଅପବାଦ ସହି ନ ପାରି, ବାଛନ୍ଦରୁ ବର୍ତ୍ତିବାକୁ, ନିଜ ଅସହାୟା ମାଆଟିକୁ ଏ ଅପବାଦରୁ ରକ୍ଷା କରିବାକୁ ବିଶେଷ କରି ଆକାଶର ବିଶ୍ୱାସର ବାୟାବସାକୁ ଅବିଶ୍ୱାସ ନର୍ଦ୍ଦମାକୁ ନ ଠେଲିବାକୁ ଆତ୍ମହତ୍ୟା କରିବାକୁ ଡେଇଁ ପଡିଲା ସମୁଦ୍ରକୁ।ତାପରେ ଦେଖିଲା ଏକ ଯୁବକ ତାକୁ ଆଣି ଘରେ ଚିକିତ୍ସା କରୁଛି,ବଞ୍ଚାଇଛି।ବିଚରା ପତ୍ନୀହରା ଯୁବକ ଅମ୍ବର ମୋ ଦୁଃଖ ଶୁଣି ମୋତେ ଭାଇର ସ୍ନେହ ଦେଇ ତା ପାଖରେ ଇଜ୍ଜତର ସହ ରଖିଲା।ହେଲେ ମୋ ଦୁଃଖର ଚାରା ବୁଢା ବରଗଛ ପାଲଟିଲା।ଆକାଶ ଫେରିଲେ, ମୋତେ ଖୋଜିଲେ ମାତ୍ର ଏସବୁ ଶୁଣି ମୋତେ ଧିକ୍କାର କଲେ,ଏମିତିକି ବାରନାରୀ ବେଶ୍ୟାର ପ୍ରମାଣପତ୍ର ଦେଲେ।ମୋ ବିଶ୍ୱାସର ବାୟା ବସାଟା ଭାଙ୍ଗି ଖଣ୍ଡ ଖଣ୍ଡ ହୋଇଗଲା।ମୋ ଆଶାର ସୌଧଟା ଭାଙ୍ଗିତୁଟି ଚୁର୍ ମାର ହୋଇଗଲା।ଏଣେ ଅବୈଧ ସନ୍ତାନର ଜନନୀ ହୋଇ ଅମ୍ବର ଭାଇକୁ ସନ୍ଦେହରୁ ମୁକ୍ତ କରି, ଵିଦାୟ ନେଇ ଚାଲିଆସି ଏ ଅଜଣା ରାଇଜରେ ବଂଚିରହିଛି ଏ ଛୁଆଟିର ଆଖିକୁ ଚାହିଁ।

ସତରେ ମୋର ଭୁଲ କଣ ଥିଲା?ବହିରେ ପଢିଥିବା ବିଶ୍ୱାସର ସଜ୍ଞାଟା କଣ ଭୁଲ ? "ବିଶ୍ୱାସ ହିଁ ଗାଢ଼ତମ ଅନ୍ଧକାରମୟ ଦିନ ଗୁଡିକରର ପଥ ପ୍ରଦର୍ଶକ" କହିଥିବା ଦାର୍ଶନିକଙ୍କ ଏ ଉକ୍ତି କଣ ମିଥ୍ୟା ଉପରେ ପର୍ଯ୍ୟବେସିତ?ଆକାଶଙ୍କ ଏ ପ୍ରଣୟର ସନ୍ତକ ହୀରକ ମୁଦ୍ରିକା କଣ ଥିଲା ଛଳନା?

ଏଇମିତି ଭାବୁ ଭାବୁ ଆଶା ଦେଖିଲା ସେହି ଗଛର ଛୋଟ ଡାଳ ଉପରେ ପକ୍ଷୀଟିଏ ବସି ଆନନ୍ଦରେ ରାବୁଛି।ମନରେ ତାର ଏକ ଦାର୍ଶନିକ ଚିନ୍ତାଧାରା ଆସିଲା।ସତରେ ଏ ପକ୍ଷୀଟିର ଏ ଡାଳ ଉପରେ କେତେ ବିଶ୍ୱାସ.... କେତେ ଭରସା...।ଭାଙ୍ଗିଯିବାର ଅବିଶ୍ୱାସ କେବେ ବି ଆସୁନି।ଡାଳଟି ବି ଛଳନା କରୁନି,ପ୍ରତାରଣା କେବେ ବି କରେନା।ପୁଣି ସେମାନେ ତ ପକ୍ଷୀ...ଓ ଉଦ୍ଭିଦ। .।ଆମେ ତ ଶ୍ରେଷ୍ଠଜୀବ ମଣିଷ।

ପୁଣି ଚାହିଁଲା ପାଖ ସମୁଦ୍ରକୁ....ଲହଡିକୁ....ପାର୍ଶ୍ଵରେ ଛିଡା ହୋଇଥିବା କୁଡ଼ିଆ ଘରକ୍ଜ।ବାରମ୍ବାର ଲହଡି ମାଡ଼ ଖାଇ ଭାଙ୍ଗି ବି ସଗର୍ବେ ସାରା ଜୀବନ ବିତାଇବାର ବିଶ୍ୱାସ ଅଛି ସେ ସମୁଦ୍ର ଉପରେ ତାର ଓ ତା ମାଲିକ ନୋଳିଆଙ୍କର...।ସେ ଏତେ ହତାଶ କାହିଁକି?

ଶେଷରେ ଚିଂ ଚିଂ ଶବ୍ଦ ଶୁଣି ଚାହିଁଲା ଉପରକୁ ଲମ୍ବିଛି ବାୟା ଚଢ଼େଇର ବସାକୁ।କେବେ ନ ଭାଙ୍ଗିବାର ଆଶା ରଖି ବନାଇଛି କେତେ ଉଚ୍ଚରେ...! ଝଡ ବତାସକୁ ବି ଖାତିର ନାହିଁ କି ସେଥିରେ ଭାଙ୍ଗିବାର ଆଶଙ୍କା ବି ନାହିଁ।

ଏ ପୃଥିବୀରେ ପ୍ରତିମୁହୂର୍ତ୍ତରେ

ବିନାଶ ଭୟ ଥାଇ ବି ମଣିଷ ବିଶ୍ୱାସରେ ବଂଚି ରହିଛି।ତେବେ ସେ ବା ଅବିଶ୍ୱାସ କରିବ କାହିଁକି?ବୁଝାମଣାର ଭୁଲ ହିଁ ତାର ଓ ଆକାଶର ବିଶ୍ୱାସ ମଝିରେ ପାଚେରି ଉଠାଇଛି।ସମୟ ଆସିବ ତା ବିଶ୍ୱାସର ବାୟାବସାଟା ଖୁସିରେ ଡାକି କହିବ...ହେ ଜୀବମାନେ..ଜୀବନରେ କେବେ ବିଶ୍ୱାସ ହରାଅନା...କାରଣ କଥାରେ ଅଛି ପରା

ବିଶ୍ୱାସ ବଳେ ଏ ଜଗତ...

ପ୍ରାଣୀ ହୁଅନ୍ତି ଆତଯାତ।

ୟା ଭିତରେ ଆଖିର ଅଭିମାନର ଅଶ୍ରୁ କେଇଟୋପା ଭିଜେଇ ଦେଲା ଫଟୋ କେଇଟାକୁ।ସେହି ଟୋପା ଗୁଡାକୁ ପୋଛି ଆଲବମକୁ ବନ୍ଦ କରି ବାହାରିଲା ଘରକୁ।ଏଇବେଳେ ଡାକ ପିଅନ ଶନିଆ ଭାଇର ସାଇକେଲ ଘଣ୍ଟି ଶୁଣି ଆବେଗର ପହଁଚିଲା ତା ପାଖରେ।ଶୁଖିଲା ଜୀବନ କାଟୁଥିବା ଏ ହତଭାଗିନୀ ପାଖକୁ କିଏ ବ କାହିଁକି ଚିଠି ପଠାଇବ।ଏୟା ଭାବି ଭାବି ପହଂଚି ଗ୍ରହଣ କଲା ଏକ ରେଜେଷ୍ଟ୍ରି ଚିଠି।ତୁରନ୍ତ ଖୋଲି ପଢି ଚାଲିଲା ଆବେଗର...ଏକ ନିଃଶ୍ଵାସରେ।

ମୋ ପ୍ରାଣପ୍ରିୟା ଆଶା,କଣ ବ ଲେଖିବି?ଭୁଲ ବୁଝାମଣାର ଶିକାର ହୋଇ ତମ ପରି ରତ୍ନକୁ ମୁଁ ମାଟି କରିଦେଲି।ଅମ୍ବର ପାଖରୁ ସବୁ କିଛି ଶୁଣି ମୁଁ ଅନୁତପ୍ତ।ଦୁହେଁ ପ୍ଲାନ୍ କରି ମଦରେ ନିଶା ଦେଇ ବିରେନ କୁ ବେହୋସ କରି,ତା ମୁଣ୍ଡରେ ବନ୍ଧୁକ ଲଗାଇ ତା ଠାରୁ ସବୁ କଥା ଆଦାୟ କରି ଜାଣିଦେଲୁ।ଶେଷରେ ଅମ୍ବର ତୁମ ପୋଲିସ ଭାଇ ଏନକାଉଣ୍ଟର କରି ତାକୁ ମାରି ଦେଇଛି।ସତରେ ତୁମେ ମୋ ପାଇଁ ଗଙ୍ଗା ପରି ପବିତ୍ର।ମୋତେ କ୍ଷମା କରିଦେବ।ସେଦିନର ହାତ ତିଆରି ବାୟାବସାକୁ କଣ ଆମେ ଭାଙ୍ଗିଦେବା?ମନେ ପକାଇବ ମଞ୍ଚ ନାଟକର ଓ ବାସ୍ତବ ଜୀବନର ସେ ସଂଳାପ।ଆସନ୍ତା ଶ୍ରୀପଞ୍ଚମୀ ରେ ମା' ତାରିଣୀ ମନ୍ଦିରରେ ଶଙ୍ଖା,ସିନ୍ଦୁର ଧରି ଅପେକ୍ଷା କରିଥିବି, ନିଶ୍ଚୟ ପହଞ୍ଚିବ ବୋଲି ମୋର ବିଶ୍ୱାସ।

ଇତି ତୁମର ଆକାଶ ଭାଇ।

ଜୀବନର ପ୍ରତି ପାହାଚର ଦୁଃଖ ଗୁଡାକ ସତେ ଯେମିତି କାପୁରୁଷ ପରି ପଛଘୁଞ୍ଚା ଦେଇ ଖସି ପଳାଇଲା ଆଶା ଆକାଶର ମିଳିତ ଚକ୍ରବ୍ୟୁହରୁ।ଆନନ୍ଦରେ ଫାଟି ଉଠିଲା ସେ।ଆଖିର ଆନନ୍ଦାଶ୍ରୁ ଉତ୍ଫୁଲତାରେ ନାଚିଉଠିଲା ।ଆତ୍ମବିଶ୍ୱାସର କାଠି କୁଟା ଗୁଡାକ ଯୋଡିହୋଇ ସତେ ଯେମିତି ତିଆରିକରି ବସିଲେ ଦୁଇ ନିର୍ମଳ ହୃଦୟ ଆଶା-ଆକାଶର ସ୍ନେହ,ଶ୍ରଦ୍ଧା,ପ୍ରେମ,ପ୍ରୀତିବୋଳା..... "ବିଶ୍ୱାସର ବାୟାବସା।"

🔥 *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କଡ଼ନ୍ଦୁଝର*🔥


Rate this content
Log in