ସାଧାରଣ ମଣିଷ
ସାଧାରଣ ମଣିଷ
ହାତରେ ତିନି ରଙ୍ଗିଆ ପତାକା।
ବେଶ୍ ଖୁସିରେ ସାଙ୍ଗମାନଙ୍କ ସହିତ ଘର ଆଡ଼କୁ ଦୌଡ଼ି ଦୌଡ଼ି ଆସୁଥିଲା ପୁଅ - ସତେ ଯେମିତି ସେ ରାଜ୍ୟ ଜୟ କରି ଫେରୁଛି।
ନିଜ ଘର ଆଗରେ ଠିଆ ହୋଇ ତାକୁ ଦେଖୁଥିବା ତା' ବାପାର ମନ କୁଣ୍ଡେମୋଟ ହୋଇଗଲା।
ମେହନତି ମଣିଷ ଜଣେ ସେ । ନୂଆଁଣିଆ ଘର ଖଣ୍ଡେ ତା'ର । ମନରେ ପୁଅକୁ ନେଇ ଅସରନ୍ତି ସ୍ବପ୍ନ। ସେ ବୁଲି ଚାହିଁଲା ତା' ନିଜର ଘର ଆଡେ । ସ୍ବପ୍ନରେ ବୁଡିଗଲା।
- ' ବୁଆ ! ଏଇ ଦେଖିଲୁ ମୁଁ କ'ଣ ଆଣିଚି ! ' ପାଖରେ ପହଞ୍ଚି କହିଲା ତା'ର ପୁଅ।
ବାପା ଚମକି ପଡିଲା । ସ୍ବପ୍ନ ତୁଟିଗଲା ସେଇଠି । ପୁଅକୁ ସେ ପଚାରିଲା - ' ଆରେ,ସେଇଟା କ'ଣ ତୋ ହାତରେ ? '
ସାଙ୍ଗମାନେ ଯିଏ ଯାହା ବାଟରେ ଚାଲି ଯାଇଥିଲେ ।ସେ ତା'ର ବାପାକୁ କହିଲା - ' ଏଇଟା ଆମ ଦେଶର ପତାକା । ଗୁରୁଜୀ କହିଲା । ତୁ ଦେଖୁନୁ,ଦେଖ୍।'
ଦେଶର ପତାକା ! ଗୁଡେଇ ତୁଡେଇ ଦେଖିଲା ତା' ବାପା।
କେତେ ସମୟ ପରେ କହିଲା - ' ଆଗରୁ ଦେଖି ନଥିଲି। '
- ' ମୁଁ ବି ଆଜି ନୂଆ ଦେଖୁଛେ , ବୁଆ । ' ପୁଅ କହିଲା।
- ' କ'ଣ କରିମୁ ? କାହିଁକି ଏ ପତାକା ଆଣିଚୁ ? 'ବାପା ପଚାରିଲା।
- ' ଚାଳରେ ଉଡେଇମି ।ଗୁରୁଜୀ କହିଚି । ' ପୁଅ କହିଲା।
- ' ହେଲେ ଏଇଟା ତ ଚିରି ଯାଇଛି । ତୁଇ ଆଉରି ତ ନାଁ ସେଥିରେ ଲେଖି ଦେଇଚୁ ନା କ'ଣ ! ' ବାପା କହିଲା।
ପୁଅ ମୁର୍କି ହସିଲା।
- ' ହଉ ତେବେ ଉଡେଇ ଦେ'। ' କହିଲା ବାପା।
ଚାଳ ଉପରେ ପତାକା ଉଡେଇ ଦେଲା ପୁଅ।
- ' ସବୁଆଡେ ପତାକା ଉଡୁଚି । ଆଜି ଗୁଟେ କ'ଣ ବୋଲି କହୁଥିଲା ଗୁରୁଜୀ । ' ପୁଅ କହିଲା।
- ' କ'ଣ କହୁଥିଲା,ଗୁରୁଜୀ ? ' ପଚାରିଲା ବାପା।
କିଛି ସମୟ ପରେ ....
ଜଣେ ଖାକି ପିନ୍ଧା ବାବୁ ଆସି ପହଞ୍ଚିଲେ । ତାକୁ ତାଗିଦ୍ କଲେ । କହିଲେ - ' କେଉଁ ସାହସରେ ତୁ ଏ ଚିରା ପତାକା ଉଡାଉଛୁ ? ସେଥିରେ ପୁଣି ଲେଖା ହୋଇଛି କ'ଣ ? ଏଇଠି ପାଖରେ ଥାନା ଅଛି ବୋଲି ଭୁଲିଯାଇଛୁ ? ଥାନାକୁ ଚାଲ୍ ।'
- ' ମୋ ପୁଅ ଉଡେଇ ଦେଇଚି । ସେଇ ତା' ନାଁ ଲେଖିଚି,ବାବୁ । ମତେ କିଛି ଜଣାନାହିଁ । ମୁରୁଖ ଲୋକ ମୁଁ । ଏଥରକ ମତେ ଛାଡିଦିଅ । ଆଉ ଏ ଭୁଲ୍ ହବନି । ' ବାପା କହିଲା।
- ' ହଉ,ଥାନାବାବୁକୁ ମୁଁ ତୋ କଥା ବୁଝାଇଦେବି । ଗୋଟେ ଗଞ୍ଜା ଆଣ । ସେଇ ଚିରା ପତାକାରେ ଭଲକି ଗୁଡେଇ ଦେ' । ରାତିକି ଫିଷ୍ଟ ହବ । ଆଜିର ତାରିଖଟା ତତେ ଜଣାଥିବ ନିଶ୍ଚେ । ହେଲେ ଯମାରୁ ବ୍ୟସ୍ତ ହବୁନି । କାଲି ରାତି ନ ପାହୁଣୁ ଗଞ୍ଜା ଦାମ୍ ପାଇଯିବୁ। ' ଖାକି ପିନ୍ଧା ବାବୁ କହିଲେ।
ଅଗତ୍ୟା ବାପାକୁ ସେତକ କରିବାକୁ ପଡିଲା। ଖାକି ପିନ୍ଧା ବାବୁ ଗଞ୍ଜା ନେଇ ଚାଲିଗଲେ।
କାନମୁଣ୍ଡ ଆଉଁଷି ହେଲା ବାପା । ମନ ଦୁଃଖରେ ବସିଲା। ଏବେ ସବୁଦିନେ ସକାଳକୁ ଅପେକ୍ଷା କରୁଥିଲା ସେ ।ଅପେକ୍ଷା କରୁଥିଲା ଗଞ୍ଜାର ଡାକକୁ । ହେଲେ ତା'ର ଇପସିତ ସକାଳଟି ଆସୁ ନଥିଲା।
ସାଧାରଣ ମଣିଷଟିର ଭାଗ୍ୟରେ ତା'ର ଇପସିତ ସକାଳଟି ଆସେ କ'ଣ !