Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Aravinda Das

Comedy

0.8  

Aravinda Das

Comedy

ଗୋଲାପ ଦିବସ

ଗୋଲାପ ଦିବସ

3 mins
7.7K


ଫେବୃଆରୀ ମାସରେ "ରୋଜ ଡେ଼ " ଅର୍ଥାତ୍ ଗୋଲାପ ଦିବସ ପଡେ ବୋଲି ବିଜୟ ପ୍ରଥମଥର ପାଇଁ ଅଫିସରେରେ ଶୁଣିଲା।

" ଭାଲେଣ୍ଟାଇନ ଡେ଼" କିଛି ବର୍ଷ ହେଲା ଜୋରସୋରରେ ପାଳନ ହେଉଛି । ଆମେ ସ୍କୁଲ ,କଲେଜ ପଡ଼ିଲା ବେଳେ ଏସବୁ ନଥିଲା । ପାଶ୍ଚାତ୍ୟ ସଭ୍ୟତା ଢ଼ାଞ୍ଚାରେ ନୂଆ ପିଢୀଙ୍କୁ ଭୂତେଇ ପଇସା ଝଡାଇବା ଉଦ୍ଦେଶ୍ୟରେ ବେପାରୀ ଏସବୁ କରୁଛନ୍ତି । ତା ସାଙ୍ଗକୁ ଏବେ ପୁଣି ଗୋଲାପ ଦିବସ । ଆଜି ସ୍କୁଲ, କଲେଜରେ ଶହ, ଶହ ଗୋଲାପ ହସୁଥିବେ । କିଏ ଜାଣେ କେବେ ଗେଣ୍ଡୁ, ଟଗର,କନିଅର ଦିବସ ଆସିବ କେଜାଣି ?"

ସିନିଅର ଆକାଉଣ୍ଟଟାଣ୍ଟ ପ୍ରକାଶ ବାବୁଙ୍କ କଥା ଶୁଣି ,ମିଷ୍ଟର ରାଓ କହିଲେ, " ଓହୋ ,ପ୍ରକାଶ ବାବୁ । ଯୁଗ ବଦଳୁଛି । ଗୋଲାପ ଫୁଲ ପ୍ରେମର ପ୍ରତୀକ । ଆମ ସାଉଥରେ ସବୁଦିନ ଫୁଲ ଦରକାର । ମଲ୍ଲୀ,ଗୋଲାପ ,ଜୁଇ କିଛି ବି ଫୁଲ ସ୍ତ୍ରୀ ଆମର ଲଗାଇବେ । ନହେଲେ ରାଗ,ଅଭିମାନ । ଆଜି ତ ଗୋଲାପ ଅଧିକ ଦାମ ହୋଇଥିବ।"

ଅଫିସରୁ ବାହାରି ମାର୍କେଟରେ ବିଜୟକୁ ଦେଖି ରାଓ ବାବୁ କହିଲେ,"ଆଜି ଭାଉଜଙ୍କ ପାଇଁ ଗୋଲାପ ନେଇ ଯାଆନ୍ତୁ । ସାଙ୍ଗରେ ଗୋଟେ ମଲ୍ଲୀମାଳ ବି ନିଅନ୍ତୁ । ମୁଁ ସବୁଦିନେ ନିଏ । ଏଇଟା ଭାରି ଆଫ୍ରୋଡେ଼ସିଆକ । ଏ ଫୁଲ ଦେଖି ଚଉଠି ରାତି ମନେପଡ଼ିବ।"

ଲାଜେଇଗଲା ବିଜୟ । ତେବେ ଘରକୁ ଫେରିଲାବେଳେ କିଛି ଲାଲ ଗୋଲାପ ଓ ଗୋଟେ ମଲ୍ଲୀମାଳ କିଣି ହାତବ୍ୟାଗରେ ରଖିଦେଲା । ସ୍ନିଗ୍ଧାକୁ ସରପ୍ରାଇଜ ଦେବ ସେ । କେବେ ଫୁଲ ଦେଇନି ସେ । ସେଇଥିପାଇଁ ବୋଧେ ତାକୁ ବେରସିକିଆ କହେ ସ୍ନିଗ୍ଧା । ଆଜି ସେ ପ୍ରମାଣ କରିଦେବ ଯେ ସେ ରୋମାଣ୍ଟିକ ବୋଲି ।

ଘରକୁ ଫେରିଲାବେଳକୁ ତା ଘରେ ଲେଡିଜ କିଟିପାର୍ଟି ଚାଲିଥିଲା । ଆଜି ଅବଶ୍ୟ ସେ ଶୀଘ୍ର ଆସିଯାଇଥିଲା ।ସବୁଦିନେ ସନ୍ଧ୍ୟା ସାଢ଼େ ସାତ,ଆଠଟା ବାଜିଯାଏ।

ବିଜୟ ସମସ୍ତ ମହିଳାମାନଙ୍କୁ ଅଭିବାଦନ ଜଣାଇ ,ଘର ଭିତରକୁ ଯାଇ ବାଥରୁମରେ ପଶିଗଲା । ଆରାମରେ ଗାଧେଇ ଡ୍ରେସ ବଦଳାଇ ଡାଇନିଂକୁ ଆସିଲାବେଳେ କିଛି କଥା ତା କାନରେ ପଡ଼ିଲା।

କବାଟ ଫାଙ୍କ ଓ ପରଦା ଆଢ଼ୁଆଳରେ ସେ ଦେଖୁଥିଲା ସ୍ନିଗ୍ଧା ହାତରେ ତା ହ୍ୟାଣ୍ଡ ବ୍ୟାଗରୁ କଢ଼ା ହୋଇଥିବା ଗୋଲାପ ଓ ମଲ୍ଲୀମାଳ।

"ବିଜୟ ବାବୁ ରୋମାଣ୍ଟିକ ହୋଇଗଲେଣି । ଆଜି ରୋଜ ଡେ଼ ପାଇଁ ଫୁଲ ଆଣିଛନ୍ତି କି ?"

ମିସେସ୍ ମହାନ୍ତିଙ୍କ କଥା ଶୁଣି ସ୍ନିଗ୍ଧାକହିଲା," ଛେନାଗୁଡ଼ ରୋମାଣ୍ଟିକ । ମୁଁ ତ ଜମା ଫୁଲ ଲଗାଏନା । ତା ଛଡ଼ା ଗୋଲାପ ମୋର ଆଲର୍ଜି । ତା ସାଙ୍ଗରେ ପୁଣି ମଲ୍ଲୀ ମାଳ । ବାହାଘର ଏତେବର୍ଷ ଭିତରେ କେବେ ତ ଫୁଲ ଆଣିନାହାନ୍ତି । ସକାଳୁ ଠାକୁରଙ୍କ ପାଇଁ ଫୁଲ ଦିଇଟା ଆଣିବା ବି କଷ୍ଟ।"

ମିସେସ୍ ବାନାର୍ଜୀ କହିଲେ, "ହଜବ୍ୟାଣ୍ଡ ମାନଙ୍କୁ କି ବିଶ୍ଵାସ ? ମୋ ମିଷ୍ଟର ତାଙ୍କ ତାମିଲ ଷ୍ଟେନୋ ସହିତ ଫୁଲ ଦିଆନିଆ କରି ରାସଲୀଳା ଚଳାଇଥିଲେ । ଥରେ ସ୍ପଟରେ ଧରି ଏମିତି ପାଟିତୁଣ୍ଡ କଲିଯେ ସେ ଟୋକି ଟ୍ରାନ୍ସଫର ନେଇ ଚାଲିଗଲା । ଆମ ବାବୁ ବି ସାବାଡ଼ । ସେଇଦିନୁ ଫୁଲ ଛୁଇଁବା ତାଙ୍କର ବନ୍ଦ କରିଦେଇଛି ।"

" ସ୍ନିଧା, ତୋ ଉପର ମହଲାରେ ପରା ଗୋଟେ ଡାଇଭରସି କେରଳୀ ଝିଅ ରହୁଛି ? ସିଏ ତ ସବୁଦିନ ମୁଣ୍ଡରେ ଫୁଲ ଲଗାଇ ବୁଲେ ।"ମିସେସ୍ ସାହୁ କହିଲେ,ନିଆଁରେ ଘିଅ ଢାଳିଲା ଭଳି ।

ରାଗି ଯାଇ ସ୍ନିଗ୍ଧା କହିଲା, "ମୋର ତ ଆଗରୁ ସନ୍ଦେହ ଥିଲା । ଲକ୍ଷ୍ମୀ ଆୟାର ଏକଦମ ଛମକଛଲୁ । ଆଉ ଇୟେ ତ ବଗିଚାରେ ବୋଧେ ତାକୁ ଅନେଇବା ପାଇଁ ବୁଲୁଛନ୍ତି ଓ ମର୍ଣିଂଗ୍ ୱାକିଙ୍ଗ ବି ତାରି ପଛେ ପଛେ ଯାଉଛନ୍ତି । ମୋ ଆଣ୍ଠୁ ଦରଜ ଯୋଗୁ ଘରେ ମୁଁ ରହୁଛି ବୋଲି ୟାଙ୍କର ବୋଧେ ଲୀଳା ଲାଗିଥିବ । ହେ ଭଗବାନ ୟେ ଫୁଲ ନିଶ୍ଚୟ ତାରି ପାଇଁ।"

ବିଜୟ ବୋକାଙ୍କ ଭଳି ଠିଆ ହୋଇଥିଲା ହତବାକ ହୋଇ । ଏମିତି ସନ୍ଦେହୀ ସ୍ତ୍ରୀ ଲୋକଙ୍କୁ କେମିତି ବୁଝାଇବ?"

ସମସ୍ତେ ଗଲାପରେ ସ୍ନିଗ୍ଧା ଥମଥମ ହୋଇ ପଚାରିଲା, " କେବେଠୁ ନାଗର ହେଲଣି ? କାହାପାଇଁ ଏ ଗୋଲାପ ଫୁଲ ?"

ଛେପଢ଼ୋକି ବିଜୟ କହିଲା, " ଠାକୁର ପୂଜା ପାଇଁ ଆଣିଥିଲି । ଜଗନ୍ନାଥଙ୍କୁ ଦେବା ପାଇଁ ।"

"ଗୋଲାପ ଫୁଲ ଜଗନ୍ନାଥଙ୍କ ପାଇଁ ?" ଆଉ ଏ ମଲ୍ଲୀ ?"ଫୁଲ ଗୁଡାକ ବିଜୟ ମୁହଁ ଉପରକୁ ଫୋପାଡ଼ି ପଚାରିଲା,"ଏଇଟା ସେଇ ଛୋପରି ଉପର ମହଲାଵାଲି ଲକ୍ଷ୍ମୀ ପାଇଁ ତ ? ଯାଉନ ତାକୁ ପିନ୍ଧାଇଦେଵ।" 

ନାକ ସୁଉଁ ସୁଉଁ କରି ବେଡ଼ରୁମ କବାଟଟା ଧଡ଼ କରି ବନ୍ଦ କରିଦେଲା ସ୍ନିଗ୍ଧା । ବିଜୟ ଆଶ୍ଚର୍ଯ୍ୟ ହୋଇ ଭାବୁଥିଲା ମଲ୍ଲୀଫୁଲ ଅଫ୍ରୋଡେସିଆକ ବଦଳରେ ସନ୍ଦେହ ଉଦ୍ରେକକାରୀ ବନିଲା କେମିତି ? ଆଉ ଗୋଲାପ !!!!ତଳେ ବିଛାଡ଼ି ହୋଇପଡ଼ିଥିଲା ବିଚରା ଗୋଲାପ ଫୁଲତକ । ଚଉଠି ରାତିରେ ବିଛଣା ଉପରେ ଏମିତି ବିଛାଡିହୋଇଥିଲା ଫୁଲ । ହେଲେ ଆଜି ବୋଧେ ବିଛଣା ବଦଳରେ ଏଇ ଚଟାଣରେ ଶୋଇବାକୁ ପଡିପାରେ । ଗୋଲାପ ପାଖୁଡା ଯୁକ୍ତ ଚଟାଣ ! ବିଜୟକୁ ଇଛା ହେଉଥିଲା ରାଓ ବାବୁକୁ ଗୋଟେ ଶକ୍ତ ଚଟକଣା ଲଗାଇବା ପାଇଁ ।

ଆଜି ରୋଜ ଡେ଼ରେ ,ଗୋଲାପ'ର ସୁଗନ୍ଧ ବଦଳରେ, କଣ୍ଟା ଫୁଟିଗଲା ପରି ଯନ୍ତ୍ରଣା ଅନୁଭବ ହେଉଥିଲା ବିଜୟକୁ ।

😊(ଅରବିନ୍ଦ ଦାସ)


Rate this content
Log in

Similar oriya story from Comedy