Prasanta kumar Hota

Inspirational Others


3  

Prasanta kumar Hota

Inspirational Others


ଧୋକା

ଧୋକା

7 mins 14.9K 7 mins 14.9K

ବାପାଙ୍କର ଜାଗା ଖଣ୍ଡେ ନାହିଁ କି ଘର ଖଣ୍ଡିଏ ନାହିଁ ବୋଲି ପରିମଳ ଯୁବା ବୟସରୁ ଭାରି ବ୍ୟସ୍ତ ଥାଏ। ଅନ୍ୟ ମାନଙ୍କର ଜମି କିମ୍ବା ଘର ଖଣ୍ଡିଏ ଥିବାର ଜାଣିଲେ ମନ ଭିତରେ ଗୋଟାଏ ଜ୍ଵଳନ ଆସେ। ନିଜ ଭାଗ୍ୟକୁ ବି ନିନ୍ଦା କରେ। ପାଠ ପଢା ପରେ ଦି' ବର୍ଷ ବିତିଗଲାଣି କିନ୍ତୁ ଚାକିରି କିଛି ହାତରେ ଲାଗୁନି ବୋଲି ବହୁତ ଚିନ୍ତା । ଚାକିରି ଆଗ ମିଳିଲେ ସିନା ତାପରେ ଜମି ଘର କଥା ଭାବି ହେବ। ନିଜ ଭାବନାରେ ନିଜକୁ ପରିହାସ କରୁଥାଏ - ମୂଳରୁ ମାଇପ ନାହିଁ ପୁଅ ନା ଗୋପାଳିଆ।

ପ୍ରତ୍ୟେକ ମଣିଷର ଭାବନା ଥାଏ ମୋର ଏକ ନିଜର ଘର ହେବ। ସେହି ଭାବନାରେ କେତେ ଭାସି ଯାଆନ୍ତି ତ ଆଉ କେତେକ ସକ୍ଷମ ହୁଅନ୍ତି। ଇଚ୍ଛା ବଳବତ୍ତର ହେଲେ ଅସାଧ୍ୟ ବି ସାଧନ ହୁଏ। ପରିମଳର ପ୍ରଚେଷ୍ଟା ବି ଚାକିରୀ ପାଇବାରେ ସମର୍ଥ ହେଲା। ସେ ପୁଣି ସରକାରୀ ଚାକିରି।

ହାତରେ ଦି ପଇସା ଆସିବାରୁ ପରିମଳ ସଞ୍ଚୟ କରିବାକୁ ଲାଗିଲା। ଏମିତି ପାଞ୍ଚ ବର୍ଷ ବିତିଗଲା କିନ୍ତୁ ଜମି ଗୋଟିଏ କିଣା ଯାଇ ପାରିଲା ନାହିଁ। ଯାହା କିଛି ସଞ୍ଚୟ ଥିଲା ଭଉଣୀ ବାହାଘରରେ ଖର୍ଚ୍ଚ ହେଇଗଲା। ବାପା କହିଲେ ପୁଅଟା ମୋର ଗର୍ବ। ଏମିତି ପୁଅ ପାଇ ମୋ ଛାତି କୁଣ୍ଢେମୋଟ ହୋଇଯାଉଛି। ମୋ ପୁଅର ବିଶାଳ ହୃଦୟ ନହେଲେ ଭଉଣୀ ପାଇଁ ଏମିତି ପାଣି ପରି ଟଙ୍କା କିଏ ଖର୍ଚ୍ଚ କରିବ। ଏତେଭଲ ଘରର ପ୍ରସ୍ତାବ ପରିମଳ ପାଇଁ କେବଳ ସମ୍ଭବ ହୋଇପାରିଲା। ବାପା ଯେତିକି ପ୍ରଶଂସା କରୁଥାଆନ୍ତି ପରିମଳର ଜମି କିଣିବା ନିଶା ସେତିକି କମି କମି ଯାଉଥାଏ। ଘରର ଯାବତୀୟ ଖର୍ଚ୍ଚ ଭିତରେ ବୋଧେ ଆଉ ସମ୍ଭବ ହେବ ନାହିଁ। ବାପାଙ୍କର ଚାକିରି ସରିଲା ଦିନଠୁ ସଞ୍ଚୟ ବି କମିବାରେ ଲାଗିଥାଏ। ଯାହା କିଛି ଅବସର ଜନିତ ପଇସା ମିଳିଥାଏ ତାକୁ ସେ ସମ୍ଭାଳିକି ରଖି ଥାଆନ୍ତି। ପରିମଳ ବେଳେବେଳେ ଭାବେ, ସେଥିରୁ ଯଦି ବାପା ଦିଅନ୍ତି ତାହେଲେ ଜମିଟେ କିଣି ହେଇଯାନ୍ତା। କିନ୍ତୁ ଯେଉଁ ଦିନ ବାପା କହିଲେ ଅବସର ପରେ ମିଳିଥିବା ଟଙ୍କା ସବୁ ପୁଅର ବାହାଘରରେ ପୁରା ଧୁମ ଧାମରେ ଖର୍ଚ୍ଚ ହେବ ସେହି ଦିନ ଠାରୁ ପରିମଳ ସେ ଟଙ୍କା ଉପରେ ଆଖି ପକେଇବା ବନ୍ଦ କରିଦେଲା।

ମନେ ମନେ ଭାବିଲା ବାପା ଯଦି ଘର ନକରି ଖୁସିରେ ଜୀବନ କାଟି ପାରିଲେ ସେ କଣ ପାରିବନି! ପ୍ରଶ୍ନ ନିଜ ପାଇଁ ଜଟିଳ ହେଲେ ବି ଉତ୍ତର ଖୋଜୁଥିଲା। ତାର ମନେ ପଡିଗଲା ଦିନେ ଜେଜେ ତାକୁ କହୁଥିଲେ ମନୁଷ୍ୟ ଭୁଲବଶତଃ ସ୍ତ୍ରୀ ପୁତ୍ର ଧନ ଘର ମାନ ଇତ୍ୟାଦି ନାଶବାନ୍ ବସ୍ତୁ ଗୁଡିକୁ ନିଜର ଓ ନିଜ ପାଇଁ ମନେକରି ଦୁଃଖୀ ହୁଏ। ଆହୁରି ମଧ୍ୟ ଏସବୁକୁ ଉପଭୋଗ କରି ନିଜକୁ ବଡ ମନେକରେ। କିନ୍ତୁ ଭୁଲିଯାଏ ଏସବୁକୁ ନିଜର ମାନିବା କ୍ଷଣି ସେ ତାର ଦାସ ପାଲଟି ଯାଏ। ଆମକୁ ଜଣା ପଡୁ ବା ନ ପଡୁ ଆମେ ଯେଉଁ ବିଷୟ ଆଦିର ଆବଶ୍ୟକ କରୁ ବା ଯାହା ଚାହୁଁଛେ ସେହିସବୁ କଣ ସତରେ ଆମଠାରୁ ବଡ ଓ ଆମେ ତା ଆଗରେ ତୁମ। ତେଣୁ ପଦାର୍ଥ ମିଳିବାରେ ଯିଏ ମହତ୍ତ୍ୱ ରଖେ ତାକୁ ପଦାର୍ଥ ମିଳୁ କି ନ ମିଳୁ ସେ ନିଶ୍ଚୟ ପଦାର୍ଥ ଠାରୁ ବି ତୁଛ। ସତରେ କି ସୁନ୍ଦର ଯୁକ୍ତି। ପରିମଳ ଏପରି ଏକ ଭଗବତ୍ ତତ୍ତ୍ଵର ଭାବନାରେ ସନ୍ତୁଷ୍ଟ ହେଇଗଲା ସିନା ଆତ୍ମସନ୍ତୋଷ ପାଇ ପାରିଲା ନାହିଁ। ସଂସାରରେ ସଂସାରକୁ ଅର୍ପଣ କରିବା ବୋଧେ ତା ପାଇଁ କଷ୍ଟ।

ବାପା ମାଆ ଉଭୟ ଆସି ଦିନେ ପରିମଳର ବାହାଘର କଥା ଉଠାଇଲେ। କହିଲେ ଆଉ ବେଶି ଡେରି କରିବା ଉଚିତ୍ ନୁହେଁ। ଝିଅ ବାହାଘର ତ ସରିଗଲା ଏବେ ତୋ କାମ ସାରି ଦେଲେ ମୁଁ ଟିକେ ନିଶ୍ଚିନ୍ତ ହେବି। ପରିମଳ କିଛି କହିଲା ନାହିଁ। ଝିଅ ଖୋଜା ଆରମ୍ଭ ହେଇଗଲା ।

ବହୁତ ଆଡୁ ଝିଅଙ୍କ ପ୍ରସ୍ତାବ ଆସୁଥାଏ। କେତେ ଆଡୁ ଯୌତୁକର ସିଧା ସିଧା ବାର୍ତ୍ତା ମଧ୍ୟ ଆସୁଥାଏ। କିଏ ଟଙ୍କା କଥା କହୁଥାଏ ତ ଆଉ କିଏ ଜିନିଷର ଲମ୍ବା ଚିଠା ପଢି ଶୁଣାଇ ଦେଉଥାନ୍ତି। ପରିମଳର ମନରେ ଧାରଣା ଆସିଲା ଏହି ବାହାଘରଟା ବୋଧେ ଜୀବନର ଗୋଟିଏ one time investment. ଯିଏ ଯେତେ ଯୋଗତ କରି ପାରିଲା ସିଏ ସେତେ ଭାଗ୍ୟବାନ। କିଛି କିଛି ଯାଗାରୁ ପ୍ରସ୍ତାବ ଆସିଲାବେଳେ ଯେତେବେଳେ କୁହନ୍ତି ଆମେ ଝିଅ ନାଁରେ ଜମି ଗୋଟିଏ ଦେବୁ ସେତେବେଳେ ମନଟା କିଛି ସମୟ ପାଇଁ ଉଲ୍ଲସିତ ହୋଇ ଉଠେ। ପୁରୁଣା ସ୍ଵପ୍ନ ପୁରୁଣା ବ୍ଲୁ ପ୍ରିଣ୍ଟ ପୁଣି ତାଜା ହୋଇ ଉଠେ।

ଜମି ପାଇବାର ଲୋଭ ଧୀରେ ଧୀରେ ବଢିବାକୁ ଲାଗେ।

କିନ୍ତୁ ଯେତେବେଳେ ବାସ୍ତବତାକୁ ଫେରିଆସେ ପରିମଳ ନିଜ ଭାବନାରେ ନିଜକୁ ପରିହାସ କରେ। ଜାଗା ଓ ଘର ଦେଖିବାର ସ୍ଵପ୍ନ କିନ୍ତୁ ବନ୍ଦ ହୋଇଯାଏ ନାହିଁ। ସ୍ଵପ୍ନ ସଦାବେଳେ ତାର ଫାଙ୍କ ଖୋଜି ବାହାରି ଆସେ। ନିଜ ସ୍ଵପ୍ନରେ ବିଭୋର ହେବା ପାଇଁ ବି ଖୁବ୍ ଭଲ ଲାଗେ। କଳ୍ପନା ଓ ସ୍ଵପ୍ନକୁ ସାଇତି ରଖିଥାଏ କାଳେ କେତେବେଳେ କିଛି ବାସ୍ତବ ରୂପ ନେଇଯିବ। ଭାବନାର ମାୟା ଗହ୍ଵର ଭିତରୁ ପରିମଳ ବାହାରି ଆସି ପାରେ ନାହିଁ। ସ୍ଵପ୍ନର ବ୍ଲୁ ପ୍ରିଣ୍ଟ ମଧ୍ୟ ଧିରେ ଧିରେ ମାନସପଟରେ ଘୁରି ବୁଲେ। ବାସ୍ତବତା ଓ କଳ୍ପନା ଭିତରେ ଥିବା ପାର୍ଥକ୍ୟକୁ ପୁରାପୁରି ବୁଝିଯାଏ ।ଯେଉଁ ଦରରେ ଜମିର ଦାମ୍ ପହଞ୍ଚିଲାଣି ମନ ଭିତରେ ଆଉ ସାହାସ ପାଉ ନଥାଏ ଘରର ସ୍ଵପ୍ନ ଦେଖିବା ପାଇଁ। ଜୀବନ ଦର୍ଶନର ସତ୍ୟ କିନ୍ତୁ ଅଲଗା। ମନର ଆଶା ନିମ୍ନଗାମୀ ହେଲେବି ମନର ମରୀଚିକା କେବେ ମରିଯାଏ ନାହିଁ।

ଘରେ କାହାର ଯୌତୁକ ମାଗିବା ପାଇଁ ଇଛା ନାହିଁ ଅଥଚ ପରିମଳ ମନ ଭିତରେ ବସା ବାନ୍ଧି ରହିଛି କେହି କାଳେ ଝିଅ ସହିତ ଘର କରିବା ପାଇଁ ଜମି ଗୋଟିଏ ଦେବକି!

ବୋଧହୁଏ ଭଗବାନ ମନକଥା ବୁଝି ପାରିଲେ ବା ଭାଗବତର ମହାନ୍ ପଦଟି ମନେ ପଡିଗଲା ଯାହା କହିଛି - ଏ ମନ ଭାବୁଥାଇ ଯାହା କାଳେ ପ୍ରାପତ ହୁଏ ତାହା।

ସତକୁ ସତ ଅଚାନକ ଦିନେ ବାପାଙ୍କର ଜଣେ ବନ୍ଧୁ ଘରକୁ ଆସି ସମସ୍ତଙ୍କୁ ଝିଅ ଦେଖିବା ପାଇଁ ଡାକିନେଲେ। କହିଲେ ଜାତକ ଆଦି ମୁଁ ଦେଖି ସାରିଛି। ତମେ ମାନେ ଝିଅ ପସନ୍ଦ କଲେ ସେମାନେ ବାହାଘର କରିବେ। ଏକାଥରେ କାମ ସରିଯିବ। ପରିମଳ ଯଦିଓ କିଛି ସମୟ ପାଇଁ ବିସ୍ମୟ ପ୍ରକାଶ କଲା ତଥାପି ଅବାଧ୍ୟ ନହୋଇ ସାଙ୍ଗରେ ଗଲା। ମନ ଭିତରେ ଗୋଟାଏ ମାତ୍ର ଆଶା - ଜାଗା ଖଣ୍ଡେ ସେ କରି ପାରିବ ତ। କିନ୍ତୁ ଏ ପ୍ରଶ୍ନ ସେ କାହାକୁ ପଚାରି ପାରିବ ନାହିଁ। ସମସ୍ତେ ଝିଅ ଘରେ ପହଞ୍ଚି ଗଲେ। ଝିଅ ଯେତେବେଳେ ଚାହା ଟ୍ରେ ଧରି ପହଞ୍ଚି ଗଲା ପରିମଳର ଏକାଥରକେ ଝିଅ ପସନ୍ଦ ହେଇଗଲା। ମନ ଭିତରେ ଖାଲି ଗୋଟିଏ ଶଙ୍କା ଉଙ୍କି ମାରୁଥାଏ ଆଉ ତାହା ହେଲା ସେମାନେ କଣ ଦେବେ। ଭାବନାରେ ପୂର୍ଣଛେଦ ପଡି ନଥାଏ ଯୌତୁକ କଥା ଆରମ୍ଭ ହେଇଗଲା। ପରିମଳର ବାପା ନିଜ ସ୍ଵାଭିମାନକୁ ବଜାୟ ରଖି କହିଲେ ଯୌତୁକ ଦେବା ଆପଣଙ୍କ କାମ। ଆପଣ ଝିଅକୁ ଯାହା ଖୁସି ଦେବେ। ଆମର ସେ ବିଷୟରେ କିଛି ଆଲୋଚନା କରିବାର ନାହିଁ। ମୋର ଝିଅ ପସନ୍ଦ ହେଇଛି। ମୁଁ ପୁଅ ସାଙ୍ଗରେ କଥା ହେଇ କାଲି ଆପଣଙ୍କୁ ଜଣାଇ ଦେବି। କନ୍ୟା ପିତା ତଥାପି ଅନୁରୋଧ କରି କହିଲେ। ଯଦି ବାହାଘରରେ କୌଣସି ଆପତ୍ତି ନଥାଏ ଆମେ ଯୌତୁକ ବିଷୟରେ ଆଉଥରେ ବସି ଆଲୋଚନା କରିବା। ପରିମଳଙ୍କ ପିତା ହୋଉ ଦେଖିବା କହିଲେ। ସେତିକି ବେଳେ କନ୍ୟାର ମାଆ ଟିକେ ପାଖକୁ ମାଡି ଆସି କହିଲେ ୟାଙ୍କର ଏହି ଘରଟିକୁ ଛାଡି ଆହୁରି ତିନିଟା ପ୍ଲଟ୍ ଅଛି। ପରିମଳଙ୍କ ପିତା ହୋଉ ଭଲ ବୋଲି କହି ସିନା ଚାଲି ଆସିଲେ କିନ୍ତୁ ପରିମଳ ମନରେ ଅନେକ ପ୍ରଶ୍ନର ଉତ୍ତର ଉହ୍ୟ ହୋଇ ରହିଗଲା। ପରିମଳ ଭାବିଲା ତିନିଟା ପ୍ଲଟ୍ ଅଛି ବୋଲି କାହିଁକି ବାରମ୍ବାର କହିଲେ। ଗୋଟିଏ ପ୍ଲଟ୍ ଦେବେ ବୋଲି ସୂଚନା ଦେଉ ନାହାଁନ୍ତି ତ! ତାଙ୍କର ତ ଗୋଟିଏ ପୁଅ ଦିଇଟା ଝିଅ। ପୁଅ ନାଁରେ ଗୋଟିଏ ପ୍ଲଟ୍ ରଖିଲେବି ଆହୁରି ଦୁଇଟା ପ୍ଲଟ୍ ରହିଲାଣି। ସତରେ କଣ ତାକୁ ଗୋଟିଏ ପ୍ଲଟ୍ ଦେବେ। ବାପା ସ୍ପଷ୍ଟ ପଚାରି ଦେଇଥିଲେ ଭଲ ହୋଇଥାନ୍ତା। ଏବେ ସେ କଣ କରିବ!

ଘରକୁ ଫେରିବା ପରେ ବାପା ଆସି ପସନ୍ଦ ଅପସନ୍ଦ କହିବା ପାଇଁ ପଚାରି ଗଲେଣି। ପରିମଳ ତ ପସନ୍ଦ କରି ସାରିଛି କେବଳ ପ୍ଲଟ୍ ବିଷୟରେ ଜାଣିବା ପାଇଁ ମନରେ ନାନା ପ୍ରଶ୍ନ ଆସୁଥାଏ। ବାପାଙ୍କର ବନ୍ଧୁ ଗମ୍ଭୀରତାକୁ ଭାଙ୍ଗି ଥଟାରେ କହିଦେଲେ- ଭଲହେଲା ତାଙ୍କର ତିନୋଟି ପ୍ଲଟ୍ ରୁ ଆପଣଙ୍କର ଗୋଟିଏ। ପରିମଳ ମନେ ମନେ ଖୁସି ହୋଇଗଲା। ତାପରେ ଯାହାର ତିନିଟି ପ୍ଲଟ୍ ଅଛି ସେ କଣ ଗୋଟେ ଦେବ ନାହିଁ। ନହେଲେ ଭାବି ଶାଶୁ ମା କଥା ଉଠାଉ ଥିଲେ କାହିଁକି। ନିଶ୍ଚୟ ଦେବାର ଯୋଜନା ଥିବ। ପରିମଳ ଭାବନାରେ ଖୁସି ହୋଇ ରଙ୍ଗୀନ୍ ସ୍ଵପ୍ନ ଦେଖିବାକୁ ଲାଗିଲା।

ବାହାଘର ସରିଗଲା ବର୍ଷ ମଧ୍ୟ ବିତିଗଲା କିନ୍ତୁ ପ୍ଲଟ୍ ର ନାମ ସୁଦ୍ଧା କେହି ଧରିଲେ ନାହିଁ। ମନରେ ବିଦ୍ରୋହ ଆସୁଥିଲେ ବି କିଛି କହି ପାରିଲା ନାହିଁ। ମନର ଅନ୍ତର ଉଦ୍ଦେଶ୍ୟ ବହିର୍ଭାଗରେ ପ୍ରକାଶ ନପାଇଲେ ତାହା ବେଳେ ବେଳେ ଆଗ୍ନେୟ ଉଦ୍ଗିରଣର ରୂପ ପ୍ରକାଶ କରିଥାଏ। ସାଧାରଣ ଜୀବନ ଶୈଳୀରେ ଏହା ଏକ ବଡ ବିପଦ ମଧ୍ୟ ସୃଷ୍ଟି କରେ।

ଯେତେବେଳେ ଏମିତି ପାଞ୍ଚ ଛଅ ବର୍ଷ ବିତିଗଲା ପରିମଳ ଜାଣି ପାରିଲା ଆଉ ବୋଧେ କିଛି ମିଳିବ ନାହିଁ। ବିଦ୍ରୋହର ଅନ୍ତରାଗ୍ନି ବିଦ୍ରୋହରେ ପ୍ରକାଶିତ ନହେଲେବି ସେ ତାର କରାଳ ରୂପ ଦେଖାଇ ଥାଏ।

କିଛି ବିଶେଷ କାରଣ ନଥିଲେ ବି ପରିମଳର ଅନେକ ସମୟରେ ତା ସ୍ତ୍ରୀ ସହ ଝଗଡା ହୁଏ। ଶ୍ବଶୁର ଘରେ କୌଣସି ଆବଶ୍ୟକତା ପଡିଲେ ସେ ପ୍ରାୟତଃ ଦୁରେଇ ରହେ। କାହା ସହ ମିଶି ରହିବାକୁ ମଧ୍ୟ ପସନ୍ଦ କରେ ନାହିଁ ଯେମିତି ସେ ଶ୍ବଶୁର ଘରର କେହି ନୁହେଁ। ଏପରି ଆଚରଣ କେହି ବୁଝି ପାରନ୍ତି ନାହିଁ। ସମସ୍ତେ କିନ୍ତୁ ମନ ଦୁଃଖ କରନ୍ତି।

ଯେତେବେଳେ ଦ୍ଵିତୀୟ ଝିଅର ବାହାଘର ଠିକ ହେଲା ତାର ଜାଣିବା ପାଇଁ ଇଛା ହେଲା ଯେ ଏ ଜୋଇଁକୁ କଣ ତା ଭଳି ବ୍ୟବହାର କରିଛନ୍ତି । ଯୋଗକୁ ପରିମଳକୁ ଡାକିବା ନକରି ସେମାନେ ସବୁ ସ୍ଥିର କରିଦେଲେ। ନିର୍ବନ୍ଧରେ ପରିମଳ କିଛି ଜାଣି ପାରିଲା ନାହିଁ କି ବାହାଘର ପରେ ବି ଜାଣି ପାରିଲା ନାହିଁ। ମନେ ମନେ ଅଶାନ୍ତି ହେଉଥାଏ।

ଦିନେ ଶାଳୀ ଓ ସଢୁ ଘରକୁ ବୁଲିବା ପାଇଁ ଆସିଥାନ୍ତି। ପରିମଳକୁ ଏକୁଟିଆ ପାଇ ସଢୁ ମହାଶୟ ପଚାରିଲେ - ଭାଇନା ଆପଣ ଶ୍ବଶୁରଙ୍କର ଯୋଉ ତିନିଟା ପ୍ଲଟ୍ ଅଛି କେବେ ଦେଖିଛନ୍ତି କି? ପରିମଳ ଚମକି ଗଲା। କଣ ଉତ୍ତର ଦେବ ଜାଣି ପାରିଲା ନାହିଁ। ଟିକିଏ ରହି କହିଲା, ମୁଁ ଦେଖି ନାହିଁ। କିନ୍ତୁ ମୋ ବାହାଘର ବେଳେ ବି ଶୁଣିଥିଲି ଏଇ ତିନିଟି ପ୍ଲଟ କଥା। ଶାଶୁ ମା ଆମର ବାହାଘର ପ୍ରସ୍ତାବ ବେଳେ କହିଥିଲେ। କଣ ପାଇଁ କହିଥିଲେ ଅବଶ୍ୟ ମୁଁ କହି ପାରିବି ନାହିଁ। ହଁ! ଗୋଟିଏ କଥା ତୁମକୁ କିନ୍ତୁ କହୁଛି - ଯାହା ପ୍ରକାଶ କରିବାର ଆବଶ୍ୟକତା ନାହିଁ ତାକୁ ଉପସ୍ଥାପନା କଲେ ଅଘଟଣ ଘଟିବାର ଯଥେଷ୍ଟ ସମ୍ଭାବନା ଥାଏ।

ସାନ ସଢୁ ସମ୍ଭାଳି ନପାରି କହିଲା- ଧୋକା ଦେବାର ଫଳ କିନ୍ତୁ ସଦାବେଳେ ଭଲରେ ଭଲରେ ଯାଏ ନାହିଁ। ଧୋକା ଦେଇଥିବା ବ୍ୟକ୍ତିର ଜୀବନରେ ବି ଭଟ୍ଟା ଆସେ। କୌଣସି ଜିନିଷ କହିଲେ ଯଦି କାହାର ଭାବାନ୍ତର ଆସିବାଟା ସ୍ଵାଭାବିକ ତାହେଲେ ସେ ତାହା କହିଛି ବୋଲି ଭାବିବାଟା ମଧ୍ୟ ଯଥେଷ୍ଟ ସ୍ଵାଭାବିକ। ସବୁକଥାରେ ସଠିକ୍ ଶବ୍ଦର ପ୍ରୟୋଗ ଯେ ଆବଶ୍ୟକ ହେବ ତାହାର କୌଣସି ଯଥାର୍ଥତା ନାହିଁ। କାରଣ ଯାହା ଯୋଗୁଁ ଯେଉଁ ଅର୍ଥ ନିଷ୍କାସିତ ହୁଏ ତାହାହିଁ ସିଦ୍ଧ ଅଟେ। ଏସବୁ ଜିନିଷରେ ମଣିଷ ଠକିଲେ କେବଳ ନିଜକୁ ଠକେ ଓ ଅନ୍ୟ ଆଗରେ ନିଜକୁ ବୁଦ୍ଧିମାନ୍ ବୋଲି କହି ବୃଥା ବାହାସ୍ପୋଟ ମାରେ। ପ୍ରତ୍ୟେକ ଜିନିଷର ଫଳ ଭୋଗିଲା ପରି ଯେଉଁ ଜିନିଷ ଦ୍ଵାରା ଅନ୍ୟ ମନରେ କଷ୍ଟ ଦିଆଯାଏ ତାର ଫଳ ମଧ୍ୟ ଭୋଗିବାକୁ ପଡିବ।

ପରିମଳ ଏସବୁ ଶୁଣି ଯଦିଓ ଆଶ୍ଚଯ୍ୟ ହେଲା କିନ୍ତୁ କିଛି ଆଭାସ ପାଇଲା ପରି ମନେ ମନେ ବହୁତ ଖୁସି ହେଲା। ଯାହା ହେଉ ନିଜେ ପାଇଥିବା ଧୋକା ଆଉ କାହାକୁ ବି ମିଳିଛି ଓ ବାଧିଛି ବି। ପାଇଥିବା ଧୋକା ଆଉ ବୃଥା ଯିବ ନାହିଁ। ଏକ ଆତ୍ମତୃପ୍ତିରେ ସାନ ସଢୁ ଆଡେ ଅନାଇ ଖୁସି ହେଲା। କହିଲା- ଧୋକା ଦେବା ଲୋକକୁ କେହି ଧୋକା ଦେଲେ ବହୁତ ଆନନ୍ଦ ମିଳେ। ସାନ ସଢୁ କିଛି ନବୁଝିଲା ପରି ପରିମଳ ଆଡେ ଅନାଇଲା କିନ୍ତୁ ସବୁ ବୁଝିଲା ପରି କହିଲା-ହଁ ଭାଇନା ସତ କହିଲ । ଧୋକାବାଜ୍ କୁ ଧୋକା ମିଳିଲେ ହିଁ ଧକ୍କା ଲାଗେ। ସେ ପର୍ଯ୍ୟନ୍ତ ସେ ଭାବେ ସେ ଯାହା କରୁଛି ଠିକ୍ କରୁଛି।

ପ୍ରଶାନ୍ତ କୁମାର ହୋତା


Rate this content
Originality
Flow
Language
Cover Design