Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rakesh Mishra

Tragedy

4.8  

Rakesh Mishra

Tragedy

ଡ଼ିମିରି ଫୁଲର ବାସ୍ନା

ଡ଼ିମିରି ଫୁଲର ବାସ୍ନା

10 mins
14.6K


ଶୁଣୁଛ ?? ଗୋଟେ ଖୁସି ଖବର ଅଛି.. ମୋତେ ଲାଗୁଚି ତୁମେ ବାପା ହେବାକୁ ଯାଉଛ!

ବଡ଼ି ଭୋର ରୁ ଉଠିବା ସିପ୍ରାର ଅଭ୍ୟାସ । ସକାଳୁ ସକାଳୁ ଉଠି ନିଜ ନିତ୍ୟ କର୍ମ ସାରି ଅନିମେଶ ପାଇଁ ବ୍ରେକଫାଷ୍ଟ ରେଡି କରେ । ଯଦିଓ ଘରର ଯାବତୀୟ କର୍ମ ପାଇଁ ରୁପା ଅଛି.. ବାସନ ମାଜିବା ଠାରୁ ଆରମ୍ଭ କରି ୱାସିଂ ମେସିନ ରେ ଲୁଗା ପଟା ଧୁଆ ଧୋଇ କରି ବାଲ୍କୋନି ରେ ଶୁଖାଇବା, ଘର ପୋଛା ପୋଛି କରିବା ସମସ୍ତ କିଛି ରୁପାର ଦାୟିତ୍ୱ କିନ୍ତୁ ଅନିମେଶ ପାଇଁ ସକାଳର ଜଳଖିଆ ଆଉ ଚାହା ତା ନିଜ ହାତରେ କରେ ସିପ୍ରା । ଅନିମେଶକୁ ଆଉ କାହା ହାତ ରନ୍ଧା ଭଲ ଲାଗେନି ।

ସକାଳୁ ସକାଳୁ ନିଦ ଭାଙ୍ଗିଲେବି ଘାଲେଇ ବିଛଣାରେ ପଡି ରୁହେ ଅନିମେଶ I ଉଠିବାକୁ ଇଛା କରେନି.. କିନ୍ତୁ ସିପ୍ରାର ଏଇ କଥା କେଇ ପଦରେ ଧଡ଼ ପଡ଼ ହୋଇ ବିଛଣାରେ ଉଠି ବସିଲା ଅନିମେଶ।

- Are you sure ??

- ହୁଁ... ଏଇ ମାସ ପିରିୟଡ଼ ଅଫ ଅଛି.. ସକାଳୁ ବାନ୍ତି ବାନ୍ତି ଲାଗୁଚି । ଏବେ ଘରେ କାହାକୁ କିଛି କହିବା ଦରକାର ନାହିଁ ।Confirm ହେଲା ପରେ ଘରେ ସମସ୍ତଙ୍କୁ ଫୋନ କରି ଜଣେଇବା.. ଆଉ ଶୁଣ ତୁମେ ଆଜି ଅଫିସରୁ ଫେରିଲା ବେଳେ Prega News ନେଇ ଫେରିବ ।

- Prega News? ସେଇଟା ପୁଣି କଣ?

- ଓ ହୋ, Pregnancy test Kit ବୁଦ୍ଦୁ। ମୁଁ ସକାଳେ ୟୁରିନ୍ ରଖିଛି container ରେ । ସେ କିଟ୍ ରେ Confirm ହେଇଯାଏ ।

ଖୁସିରେ ଆତ୍ମହରା ହୋଇ ଉଠୁଥିଲା ଅନିମେଶ.. ଖୁସିରେ ସିପ୍ରାକୁ କୁଣ୍ଢେଇ ଧରି ରଖିଥିଲା ବେଶ କିଛି ସମୟ ।

- ବାସ୍ ବାସ୍ .. ଏଇଥର ଉଠ.. ଯାଅ ଫ୍ରେଶ ହୋଇ ଆସ.. ମୁଁ ଟେବୁଲ ଉପରେ ଚାହା ଦେଉଛି।

ଅନ୍ୟ କେଉଁଠାରେ ମନ ଲାଗୁନଥିଲା ଅନିମେଶର.. ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ତାର ଧୈର୍ଯ୍ୟ ନଥିଲା.. ଯଥା ସମ୍ଭବ ତ୍ୱରିତ ଗତିରେ ବ୍ରଶ କରି ଚାହା ପି' ଅନିମେଶ ବାହାରି ପଡିଲା.. ସିପ୍ରା ପଚାରିଲା କୁଆଡେ ବାହାରୁଛ ??

ଏବେ ୧୦ ମିନିଟରେ ଆସୁଛି କହି ସ୍କୁଟି ନେଇ ଅନିମେଶ ଛୁଟି ଚାଲିଲା ମେଡିକାଲ ଦିଗକୁ. ସେ ଜାଣେ ଏବେ କେବଳ ମେଡିକାଲ ପାଖରେ ଥିବା ମେଡ଼ିସିନ ଷ୍ଟୋର ହିଁ ଖୋଲା ମିଳିବ ।

ମେଡିକାଲ ବଜ଼ାରରୁ ପ୍ରେଗନାନ୍ସି କିଟ୍ କିଣି ଘରକୁ ଫେରି ଆସିଲା ?

- କଣ ହେଲା ଆଜି ଅଫିସ ଯିବନି କି ?? କୁଆଡେ ଯାଇଥିଲ ସକାଳୁ..

କିଛି ନକହି ସିପ୍ରା ହାତକୁ କିଟ୍ ବଢ଼େଇ ଦେଲା ଅନିମେଶ ।

ଘର ଭିତରେ ଅଦ୍ଭୁତ ନୀରବତା.. ଦୁହେଁ କିଟ୍ ଉପରେ ଝୁଙ୍କି ପଡି କିଟରେ ରଙ୍ଗ ପରିବର୍ତନର ଅପେକ୍ଷା କରୁଛନ୍ତି.. କିନ୍ତୁ କିଟରେ ଏବେ ବି ଗୋଟିଏ ହିଁ ଲାଇନ । ସବୁ ଆଶା, ସବୁ ପରିକଳ୍ପନା ଧୀରେ ହାୱାରେ ମିଳେଇ ଯାଉଥିଲା.. ଭୁଶୁଡି ପଡୁଥିଲା ସ୍ବପ୍ନର ତାସ ଘର.. ଏଇ ଟିକେ ଆଗରୁ ଆନନ୍ଦରେ ଆତ୍ମହରା ହେଉଥିବା ଦୁଇଟି ଚେହରା ଧୀରେ ଧୀରେ ମଳିନ ପଡି ଯାଉଥିଲା ।

- ଧୂର ଏଇଟା ଖରାପ ଅଛି.. ସବୁଥିରେ ଭେଜାଲ ଆଜି କାଲି.. ମେଡିକାଲ କିଟ୍ ରେ ବି.. ମୁଁ ନିଜେ ତ ସମସ୍ତ ଲକ୍ଷଣ ଅନୁଭବ କରି ପାରୁଛି ନିଜ ଭିତରେ ।

କହିଲା ସିପ୍ରା.. ଅନିମେଶକୁ ହେଉ ବା ନିଜକୁ ହେଉ ସାନ୍ତ୍ୱନା ଦେବାକୁ ଚାହିଁ ବି ସଫଳ ହୋଇ ପାରୁ ନଥିଲା ସିପ୍ରା.. ଦୁଇ ଆଖିରୁ ଝରୁଥିବା ଲୁହ କେଇ ଟୋପା ସେତକ ହେବାକୁ ଦେଇ ନଥିଲା ।

ସିପ୍ରାକୁ କୋଳେଇ ନେଲା ଅନିମେଶ.. ପ୍ଲିଜ କାନ୍ଦନି.. ଆମେ ଆଉ ଥରେ ଟେଷ୍ଟ କରିବା..ବ୍ଲଡ଼ ଟେଷ୍ଟ କରି ନେଲେ ବୁଝାଯିବ..

ସମୟ ଯେମିତି ଅଟକି ଯାଇଥିଲା ଦୁହିଁଙ୍କ ପାଇଁ .. ଲାବୋରଟୋରୀର ରିସେପସନରେ ପଡିଥିବା ସୋଫାରେ ବସି ଦୁହେଁ ଏବେ ଅପେକ୍ଷା କରୁଛନ୍ତି ରିପୋର୍ଟ୍ ପାଇଁ । ରିପୋର୍ଟ ପାଇବା ସଂଗେ ସଂଗେ ଦୁହେଁ ସିଧା ଛୁଟି ଚାଲିଲେ ଫାମିଲି ଡ଼କ୍ଟରଙ୍କ ଚାମ୍ବରକୁ । ବୁଡି ଯିବା ଲୋକର କୁଟା ଖିଅକୁ ଭରସା କଲା ପରି ଏବେ ଦୁହିଁଙ୍କ ଭରସା କେବଳ ବ୍ଲଡ଼ ଟେଷ୍ଟ ରିପୋର୍ଟ ଉପରେ । ସେ ରିପୋର୍ଟ ବି ଯେତେବେଳେ ଧୋକା ଦେଲା ନିଜକୁ ସମ୍ଭାଳି ପାରି ନଥିଲା ସିପ୍ରା।

-ଏମିତି କାନ୍ଦିଲେ କଣ ହବ.. ଆଉ ଥରେ ଚେଷ୍ଟା କରିବା..

ସିପ୍ରାକୁ ଅନେକ ବୁଝେଇ ଘରକୁ ଫେରେଇ ଆଣିଥିଲା ଅନିମେଶ । ୟା ଭିତରେ ଢେର ବର୍ଷ ବିତିଛି.. ଆଉ ଢେର ବାର ଟେଷ୍ଟିଙ୍ଗ ବି.. କିନ୍ତୁ ପ୍ରତ୍ୟେକ ଥର କେବଳ ନିରାଶ.. ଆଜି କାଲି ଆଉ ଅନିମେଶର କିଛି ମନେ ହୁଏନି.. ଯେମିତି ଏଇ ଟେଷ୍ଟ କରିବା ଆଉ ନିରାଶ ହେବା ଦେହ ସୁହା ହୋଇ ଯାଇଛି ଅନିମେଶର.. କେବଳ କିଛି ମାସ ଅନ୍ତରରେ ସିପ୍ରା କହିବା ମୁତାବକ ଅଫିସରୁ ଫେରିବା ବେଳେ ଟେଷ୍ଟିଙ୍ଗ କିଟ ନେଇ ଆସେ.. କିନ୍ତୁ ୟୁରିନ ଟେଷ୍ଟ ପରେ ସିପ୍ରା ମୁହଁ ଦେଖି ଆଉ କିଛି ପଚାରେନି.. ବୁଝି ଯାଏ ।

ସିପ୍ରା କିନ୍ତୁ ଯେମିତି ଭାଙ୍ଗି ପଡିଛି.. ଆଉ ଧର୍ଯ୍ୟ ନାହିଁ ତାର ଏ ସବୁ କରିବାକୁ ।

ଅନିମେଶ ବେଶ ଭଲ ଭାବେ ଲକ୍ଷ୍ୟ କରେ ସିପ୍ରା ସବୁ ବେଳେ ଅନ୍ୟମନସ୍କ ରହୁଛି.. ପାର୍କରେ ବସିଥିଲା ବେଳେ ଦୂରରେ ଖେଳୁ ଥିବା ଛୋଟ ଛୋଟ ପିଲା ମାନଙ୍କୁ ଦେଖି ଏକ ଲୟରେ ଚାହିଁ ରୁହେ.. ଅଜାଣତରେ କେବେ କେବେ ଆଖିରୁ ଦୁଇ ଟୋପା ଲୁହ ଝରି ପଡେ.. ବେଳେ ବେଳେ ଅନିମେଶ ଲକ୍ଷ୍ୟ କରି ନିଏ ସେସବୁ.. ଆଖିରୁ ଲୁହ ପୋଛି କୋଳେଇ ନିଏ.. ଏଣୁ ତେଣୁ କଥା କହି ଭୁଲାଇବାକୁ ଚେଷ୍ଟା କରେ । ଅନିମେଶ ଚେଷ୍ଟା କରେ ସବୁବେଳେ ସିପ୍ରାକୁ ଖୁସି ରଖିବାକୁ । ଅନିମେଶ ଭୁବନେଶ୍ୱରର ଏକ ବହୁ ରାଷ୍ଟ୍ରୀୟ ସଫ୍ଟଓୟାର କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜେର.. କୌଣସି କିଛି ରେ ଅଭାବ ନାହିଁ.. ଭୁବନେଶ୍ୱରରେ ନିଜର 3 BHK ଫ୍ଲାଟ.. ଦାମୀ ଆସବାବପତ୍ର .. କିନ୍ତୁ ଏ ସବୁ ଆଭିଜାତ୍ୟ, ଚାକଚକ୍ୟ, ଧନ ସମ୍ପତ୍ତି କିଛି ବି ସିପ୍ରାର ପ୍ରକୃତ ଅଭାବବୋଧକୁ ଦୂର କରି ପାରେନି, ସେ ଅଭାବବୋଧ ମାତୃତ୍ଵର। ଢେର ଡାକ୍ତର, ବୈଦ୍ୟ, ଜ୍ୟୋତିଷ, ଗୁଣିଆ ଦେଖେଇ ମୁଢିଚୁଡା ପରି ଦୁହେଁ ଔଷଧ ଖାଇ ବି କିଛି ଫଳ ହୋଇନି ।

X X X X X X X X X

ଆଜି ରୁପାର ଆସିବା ଟିକେ ଡେରି ହୋଇଥିଲା । ରୁପାର ଆସିବାରେ କେବେ ଡେରି ହୁଏନି । ଆସିବା ସଂଗେ ସଂଗେ କିଛି ନକହି ଘର କାମରେ ମନ ଦେଲା ରୁପା । କିନ୍ତୁ ତା ଭିତରେ ଏକ ଅଦ୍ଭୁତ ଅନ୍ୟମନସ୍କତା ଅନୁଭବ କରି ପାରୁଥିଲା ସିପ୍ରା। ଅନିମେଶ ଜଳଖିଆ ଖାଇ ଅଫିସ ବାହାରି ଗଲା ପରେ ସିପ୍ରା ଡାଇନିଂ ରେ ସୋଫା ଉପରେ ବସି ରହିଛି । ମୁହଁ ଶୁଖେଇ ପାଖରେ ଆସି ଛିଡା ହେଲା ରୁପା ।

- ମ୍ୟାଡ଼ାମ୍

- ହଁ କହ ରୁପା.. କିଛି କହିବୁ?

- ମୁଁ କାଲି କାମକୁ ଆସି ପାରିବିନି..ମୋର ଗୋଟେ ଦିନ ଛୁଟି ଦରକାର.. ଆଉ.. ଆଉ କିଛି ପଇସା ଦରକାର ଥିଲା.. ମଇନା ଦେବା ବେଳେ କାଟି ନେବେ..।

- ହଠାତ ପଇସା କଣ ଦରକାର ପଡିଲା.. ଗାଁ କୁ ଯିବୁ କି ?? କାହାର କିଛି ଅସୁବିଧା ହେଇନି'ତ ? କଣ ହୋଇଛି ମୋତେ ଖୋଲି କହ..

- ପେଟରେ ଆଉ ଗୋଟେ ପିଲା ବଢୁଛି..

ଘରେ ତିନି ତିନିଟା ଟା ପିଲା.. ତାଙ୍କୁ ଠିକ୍ ସେ ପାଳି ପାରୁନି... ଆଉ ଗୋଟେ ଆସିଲେ କଣ କରିବି..!!

ମୁଣ୍ଡରେ ହାତ ଦେଇ ବସି ପଡିଲା ରୁପା..

ନିଜ ବସିବା ଜାଗାରୁ ରୁପା ଆଡକୁ ଘୁଂଚି ଆସିଲା ସିପ୍ରା.. ରୁପାର ମୁହଁ ପାଖକୁ ମୁହଁ ନେଇ ପଚାରିଲା

-ତା ହେଲେ କଣ କରିବୁ ବୋଲି ଭାବୁଛୁ ତୁ..?

- ଭାବୁଛି ନର୍ସିଙ୍ଗ ହୋମରେ ଯାଇ ପିଲାଟା ନଷ୍ଟ କରି ଦେଇ ଆସିବି..

- ପାଗଳୀ ହୋଇ ଯାଇଛୁ ନା'କଣ !! କଣ କହୁଚୁ ତୁ ନିଜେ ବୁଝି ପାରୁଚୁ ?? ଚିତ୍କାର କରି କହିଲା ସିପ୍ରା..

- କଣ ଆଉ କରିବି ମାଡାମ.. ଆପଣ ତ' ମୋ ଘର ଅବସ୍ଥା ସବୁ ଜାଣିଛନ୍ତି.. ମୋ ମରଦ ଦିନ ସାରା ଯାହା ରୋଜଗାର କରେ ସବୁ ମଦ ପିଇ ଉଡେଇ ଦିଏ.. ଚାରି ଘର କାମ କରି ପିଲାଙ୍କ ମୁହଁରେ ମୁଠେ ଭାତର ଯୋଗାଡ଼ ହୁଏ.. ଏବେ ମୁଁ ପେଟରେ ପିଲା ନେଇ ଚାରି ଘର ପାଇଟି କରିବି କେମିତି, ଆଉ ପର ଘରେ ପାଇଟି ନକଲେ ମୋ ପିଲା ଭୋକରେ ମରିବେ..ସେଥି ପାଇଁ ଯିଏ ଏବେ ଦୁନିୟା ଦେଖିନି ତାକୁ ବଞ୍ଚେଇ ରଖିବା ପାଇଁ ଆଉ ତିନି ତିନିଟା ପିଲାଙ୍କୁ ମାରି ପାରିବିନି ମାଡାମ..

କାନ୍ଦ କାନ୍ଦ ହୋଇ କହିଲା ରୂପା ।

- ମୋ କଥା ଶୁଣ.. ଏ ପିଲା ତୁ ନଷ୍ଟ କରିବୁନି କିମ୍ବା ଆଉ କାହା ଘରେ କାମ କରିବା ବି ଦରକାର ନାହିଁ । ଅନ୍ତତଃ ଯେତେ ଦିନ ତୋ ପେଟର ପିଲା ବାହାର ଦୁନିୟା ନ ଦେଖିଚି, ସେତେ ଦିନ ତୁ ମୋ ଘରେ କାମ କରିବୁ । ସକାଳୁ ସଞ୍ଜ ଯାଏ ମୋ ଘରେ ରହିବୁ । କିନ୍ତୁ ମୋର ଗୋଟେ ସର୍ତ୍ତ ଅଛି..

- କି ସର୍ତ୍ତ ମାଡାମ..!!

- ପିଲା ଜନ୍ମ ହେଲା ପରେ ଏ ପିଲା କୁ ମୋତେ ଦେଇ ଦେବୁ..

ଆଜି ଠାରୁ ତୋ ପିଲା ଜନ୍ମ ହେଲା ଯାଏ, ତୋ ପରିବାର ଆଉ ପିଲା ମାନଙ୍କର ଦାୟିତ୍ୱ ମୋର.. ତୋର ଯେତେ ପଇସା ଦରକାର ମୁଁ ଦେବି.. କିନ୍ତୁ ବଦଳରେ ତୁ ମୋତେ ତୋ ପେଟର ପିଲାଟା ଦେବୁ ।

ଏକ ଅଦ୍ଭୁତ ନୀରବତା ବିଚରଣ କରୁଥିଲା ସମ୍ପୂର୍ଣ ଘରେ.. ରୁପା କଣ ଉତ୍ତର ଦେବ କିଛି ବୁଝି ପାରୁ ନଥିଲା.. ସେ ଜାଣେ ଅନେକ ଚେଷ୍ଟା କଲା ପରେ ବି ମାଡାମ ମା ହୋଇ ପାରୁ ନାହାନ୍ତି... ତା ବୋଲି ନିଜ ପେଟର ପିଲା କୁ ଆଉ କାହା ହାତରେ ତୋଳି ଦେବ କେମିତି !

- କଣ ଏତେ ଭାବୁଚୁ ?? ତୁ ତ' ଏବେ ସେ ପିଲାଟାକୁ ମାରି ଦେବାକୁ ବସି ଥିଲୁ.. ମାରିବା ଦରକାର ନାହିଁ, ମୋତେ ଦେଇ ଦେ। ତୋର ଯେତେ ଟଙ୍କା ଦରକାର ମୁଁ ଦେବି ।

- ନା ମାଡାମ୍.. ଟଙ୍କା ବଦଳରେ ମୁଁ ମୋ ପେଟର ପିଲାକୁ ବିକ୍ରି କରି ପାରିବିନି । ତା ଛଡ଼ା, ମୋ ମରଦ ଜାଣିଲେ ମୋତେ ହାଣି ଦେବ । ମୁଁ'ତ ତାକୁ ଜାଣିଛି, ସେ ମଦ ପିଇ ମାତାଲ ହୋଇ ମୋତେ ବାଡ଼ିଆ ପିଟା କରିପାରେ କିନ୍ତୁ ପିଲା ବିକ୍ରି କରିବାକୁ ଦେବ ନାହିଁ ।

- ମୁଁ ଭିକ ମାଗୁଛି ତୋ ପିଲା ତୋତେ..

ରୁପାର ଦୁଇ ହାତ ଧରି କଇଁ କଇଁ ହୋଇ କାନ୍ଦି ଉଠିଲା ସିପ୍ରା..

ନିର୍ବାକ ଦୃଷ୍ଟିରେ ରୁପା ଚାହିଁ ରହି ଥିଲା ସିପ୍ରାର ମୁହଁକୁ । ସେ ଅନୁଭବ କରି ପାରୁ ଥିଲା, ଟିକେ ମାତୃତ୍ଵର ସ୍ୱାଦ ପାଇବାରୁ ବଞ୍ଚିତ ସିପ୍ରାର ହୃଦୟର ଆକୁଳତା । ଭାବୁଥିଲା, ଇଶ୍ବରଙ୍କ ଖେଳ ବି ବେଳେ ବେଳେ କେତେ ନିର୍ମମ ଲାଗେ !

- କିନ୍ତୁ ମୋ ମରଦକୁ କଣ କହିବି? କେମିତି ବୁଝାଇବି..

- ଶୁଣ ତୋ ମରଦ ତ ଏମିତି ଦିନ ସାରା ମଦ ପିଇ ଘରେ ବାହାରେ ପଡି ରୁହେ.. ସେ ତୋ ସହ କଣ ନର୍ସିଙ୍ଗ ହୋମ ଯିବ ? ତୁ କହିବୁ ତୋ ପେଟରୁ ମଲା ପିଲା ଜନ୍ମ ହୋଇଥିଲା..

- ଏତେ ବଡ ମିଛ କଥା କେମିତି କହିବି ମାଡାମ..

- ତୁ ଆଉ କିଛି ଭାବନା.. ନେ ଏ ଟଙ୍କା ତକ ରଖ ତୋ ପିଲା ମାନଙ୍କ ପାଇଁ..। ଆଜିଠାରୁ ତୋର ସବୁ ଖର୍ଚ୍ଚ ମୋର..।

ରୁପା ହାତରେ କେଇଟା ୧୦୦ ଟଙ୍କିଆ ବଣ୍ଡଲ ଧରେଇ କହିଲା ସିପ୍ରା ।

X X X X X X X X X X X

ଅନିମେଶ ଏ ସବୁ ଜାଣିବା ପରେ ଅନେକ ଥର ମନା କରିଛି ସିପ୍ରାକୁ । ଆଉ କିଛି ଦିନ ଅପେକ୍ଷା କରିବାକୁ କହିଛି.. ଦରକାର ହେଲେ ଅରଫାନେଜରୁ ପିଲାଟିଏ ଦତ୍ତକ ନେବା କଥା ବି କହିଛି । କିନ୍ତୁ ଅନିମେଶର କଥାକୁ କର୍ଣ୍ଣପାତ କରି ନାହିଁ ସିପ୍ରା। ଅରଫାନେଜରୁ ପିଲା ଦତ୍ତକ ନେଲେ ସମସ୍ତେ ଜାଣିବେ ସେ ବାଂଝ.. ମା ହେବା ପାଇଁ ସେ ଅସମର୍ଥ । ନା, ସାରା ଜୀବନ ବନ୍ଧ୍ୟାତ୍ଵର ଅପବାଦ ନେଇ ବଂଚି ରହି ପାରିବନି ସେ । ବରଂ ଯେମିତି ବି ହେଉ, ଦୁନିଆ ଆଖିରେ ତାକୁ ମା' ହେବାକୁ ପଡ଼ିବ ।

ଆଜି କାଲି ରୁପାକୁ ବେଶୀ କାମ କରିବାକୁ ଦିଏନି ସିପ୍ରା । ନିଜେ ଭଲ ଭଲ ରୋଷେଇ କରି ତାକୁ ଖୁଆଏ । ଫଳ ମୂଳ, କ୍ଷୀର ଖୁଆଏ.. ଔଷଧ ପତ୍ର ଜୋର ଜବରଦସ୍ତ ଖୁଆଏ । ରୁପା ମନା କରେ କୁହେ , ପର ଘର ପାଇଟି କରି ଭୋକ ଉପାସରେ ରହି ସେ ତିନି ତିନିଟା ପିଲାଙ୍କୁ ଜନ୍ମ ଦେଇଛି..

ସିପ୍ରା ରାଗିଯାଏ ରୁପା ଉପରେ, କୁହେ ଦେଖ ତୁ ତାକୁ କେବଳ ପେଟରେ ରଖିଛୁ, କିନ୍ତୁ ସେ ମୋ ପିଲା । ମୋ ପିଲାର କୌଣସିଥିରେ ଅଭାବ କରିବିନି ।

ମନେ ମନେ ହସେ ରୁପା..

ସଞ୍ଜ ନଇଁ ଗଲେ ନିଜେ କାର ଡ୍ରାଇଭ କରି ରେଗୁଲାର ଚେକଅପ୍ ପାଇଁ ନେଇ ଯାଏ ସିପ୍ରା. ଡ଼: ମହାପାତ୍ରଙ୍କ ଚାମ୍ବରକୁ।

ଆଜି କାଲି ସିପ୍ରା ବେଶ ଖୁସି ରହୁଛି..। ଡେ଼ଲିଭରି ଦିନ ଯେତେ ପାଖେଇ ଆସେ ସିପ୍ରାର ମନର ଥରମୋମିଟରରେ ଉତ୍ତେଜନାର ପାରଦ ସେତେ ଉପରକୁ ଉଠିବାରେ ଲାଗେ । ସତେ ଯେମିତି ସେ ଆକାଶର ଜହ୍ନକୁ ହାତ ବଢ଼େଇ ଧରି ନେଇଛି ।

ତା'ଖୁସି ଦେଖି ଅନିମେଶ ବି ଖୁସି ଅଛି । କିନ୍ତୁ ତାକୁ କେବଳ ଗୋଟେ ଚିନ୍ତା ଘାରିଛି, ସେ ଭାବୁଛି ଘର ଲୋକଙ୍କୁ କଣ କହିବ। ସିପ୍ରା ତାକୁ ବୁଝେଇ ଦେଇଛି ଘର ଲୋକଙ୍କ କଥା ତୁମେ ଭାବି ।ମୁଁ ଯେମିତି କହିବି ତୁମେ ଘର ଲୋକଙ୍କୁ ସେମିତି ବୁଝେଇ ଦେବ । ସମସ୍ତେ ବୁଝିଯିବେ।

ସବୁ କିଛି ବ୍ୟବସ୍ଥା କରା ଯାଇଛି ଅତ୍ୟନ୍ତ ଗୋପନୀୟ ଭାବରେ.. ପାଖ ପଡ଼ିଶା କାହାକୁ କିଛି ବୁଝିବାର ସୁଯୋଗ ଦିଆ ଯାଇନି । ଏମିତି କି ନର୍ସିଙ୍ଗ ହୋମରେ ଭର୍ତ୍ତି ହେବା ଯାଏ ଘର ଲୋକଙ୍କୁ ବି ନଜଣେଇବାକୁ ଅନିମେଶକୁ କହି ଦେଇଥିଲା ସିପ୍ରା.. ସମସ୍ତ ଘଟଣା କେବଳ ଚାରି ଜଣଙ୍କ ମଧ୍ୟରେ ସୀମାବଦ୍ଧ.. ଅନିମେଶ, ସିପ୍ରା, ରୁପା ଆଉ ଫାମିଲି ଡ଼କ୍ଟର ଡ଼: ମହାପାତ୍ର ।

ନର୍ସିଙ୍ଗ ହୋମର ବେଡ଼ ରେ ପଡି ପ୍ରସବ ବେଦନା ରେ ଛଟପଟ କରୁଥିଲା ରୁପା ଆଉ ବାହାରେ ସିପ୍ରା.. ତଫାତ କେବଳ, ଜଣେ ପ୍ରସବ ବେଦନାକୁ ପେଟ ଭିତରେ ଅନୁଭବ କରୁଥିଲା ଆଉ ଜଣେ ମନ ଭିତରେ । ବାହାରେ ପଡିଥିବା ସୋଫାରେ ବସି ସାମାନ୍ୟ ତନ୍ଦ୍ରାଛନ୍ନ ହୋଇ ପଡିଥିଲା ଅନିମେଶ.. ସିପ୍ରା ଆଖିକୁ କିନ୍ତୁ ନିଦ ଆସୁ ନଥିଲା ଠିକ ଭୋର ସମୟରେ ଡ଼କ୍ଟର ମହାପାତ୍ର ଆସି ଦୁହିଁଙ୍କୁ ଡାକି ନେଲେ ଭିତରକୁ.. ଅଚେତନ ଅବସ୍ଥାରେ ପଡି ରହିଛି ରୁପା ଆଉ ପାଖରେ ଶୋଇ ରହିଚି ସଦ୍ୟଜାତ ଶିଶୁ ପୁତ୍ର .. ପୂର୍ବ ଯୋଜନା ଅନୁସାରେ ସିପ୍ରାକୁ ମେଡିକାଲ ଗାଉନ ପିନ୍ଧେଇ ପାଖ ବେଡ଼ରେ ଶୁଆଇ ପାଖରେ ପିଲାକୁ କୋଳରେ ରଖି କେତେଟା ଫୋଟୋ ନିଆ ଗଲା.. ଖବର ପଠେଇ ଦିଆ ଗଲା ଗାଁ ରେ ରହୁ ଥିବା, ବାପା ମା ତଥା ଶାଶୁ ଶଶୁର ଏବଂ ଅନ୍ୟ ସମ୍ପର୍କୀୟ ମାନଙ୍କୁ .. ଘରେ ସମସ୍ତେ ଖୁବ ଖୁସି ଥିଲେ କିନ୍ତୁ ସମସ୍ତଙ୍କ ମନରେ ସନ୍ଦେହ ଦାନା ବାନ୍ଧୁଥିବାର ଜାଣି ସିପ୍ରାର କହିବା ଅନୁସାରେ ସମସ୍ତଙ୍କୁ ବୁଝେଇ ଦେଲା ଅନିମେଶ ଯେ କୌଣସି ଏକ ନାମଜାଦା ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ପିଲା ନ'ହେବା ପର୍ଯ୍ୟନ୍ତ ଏ କଥା ଗୋପନ ରଖା ଯାଇଥିଲା. ଘର ଲୋକେ କଥାଟା ବିଶ୍ୱାସ କରିନେଲେ..

ଯଥାରୀତି ଗାଁ ରୁ ସମସ୍ତ ନିକଟ ଆତ୍ମୀୟମାନଙ୍କୁ ଡାକି ଫ୍ଲାଟରେ ଏକୋଇଶିଆ ପୂଜା, ସତ୍ୟ ନାରାୟଣ ପାଲା ପାଇଁ ଆୟୋଜନ କରା ଯାଇ ପିଲାର ନାମ କାରଣ କରା ଯାଇଛି.. ପ୍ରତୀକ.. ପ୍ରତୀକକୁ ନିଜ ଆଖି ଆଗରୁ ଟିକେ ବି ଆଢୁଆଳ କଲେ ସହି ପାରେନା ସିପ୍ରା.. କିନ୍ତୁ ଅସୁବିଧା ଟି ହେଲା ରୁପା କୁ ନେଇ.. ସିପ୍ରା ଆଜି କାଲି ରୁପା କୁ ପ୍ରତୀକର ପାଖ ମାଡିବାକୁ ଦିଏନି.. ସେ ଭାବେ ରୁପା ପ୍ରତୀକ ସହ ବେଶି ସମୟ କାଟିଲେ ତା ପ୍ରତି ମାୟା ଆସିଯିବ.. ଆଉ ଯଦି ମାୟାରେ ପଡି କେବେ ଯଦି ରୁପା ପ୍ରତୀକକୁ ତା ଠୁ ଛଡ଼େଇ ନିଏ.. ନା ସେ କଦାପି ଏମିତି ହେବାକୁ ଦେବନି.. ରୁପା କେବେ କେବେ କୋଳରେ ଧରିଥିଲେ ସହି ପାରେନି ସିପ୍ରା, ବାହାନା କରି ନିଜ କୋଳକୁ ନେଇ ଯାଏ.. ରୁପା ବି ଏ ସବୁ ନେଇ କେବେ କିଛି ଭାବେ ବୋଲି ଜଣା ପଡ଼େନି.. ବରଂ ହସି ହସି କୁହେ ମାଡାମ ଦେଖିଲେ ମୋ ପାଖରେ କେତେ ଜୋରରେ ରଡି ଛାଡି କାନ୍ଦୁଥିଲା, ଯେମିତି ଆପଣ ଧରିଛନ୍ତି କାନ୍ଦ କେମିତି ବନ୍ଦ ହେଇ ଗଲା.. ମା କୋଳ କୋଉଟା ଠିକ ଜାଣିଲାଣି.. ଅନିମେଶ ସବୁ ବୁଝି ପାରୁ ଥିଲେ ବି ଚୁପ ରୁହେ.. ସେ ଅନୁଭବ କରି ପାରୁଛି ସିପ୍ରା ଧୀରେ ଧୀରେ ମାନସିକ ରୋଗୀ ପାଲଟି ଯାଉଛି.. କେବେ କେବେ ହଠାତ୍ ଡାଇନିଂ ରୁ ଝଡ ପରି ଉଠି ଯାଏ ଶୋଇବା ଘରକୁ ପଚାରିଲେ କୁହେ ମୋତେ ଲାଗିଲା ପ୍ରତୀକ କାନ୍ଦୁଚି..

X X X X X X X X X X X

ଅଫିସରେ କ୍ଲାଏଣ୍ଟ ମିଟିଂ ପାଇଁ ପ୍ରସ୍ତୁତ ହେଉଥିଲା ଅନିମେଶ.. ହଠାତ ଫୋନ ଟା ବାଜିଉଠିଲା..ସିପ୍ରାର ଫୋନ..

- ହଁ କୁହ..

- ପ୍ରତୀକ.. ପ୍ରତୀକ ଘରେ ନାହିଁ ତୁମେ ଶୀଘ୍ର ଘରକୁ ଆସ..

ଝଡ ବେଗରେ ଗାଡି ଚଳେଇ ଅଫିସ ରୁ ଘରକୁ ଆସିଲା ଅନିମେଶ..

ଘରର ଦରଜା ଖୋଲା.. ଘର ଭିତରକୁ ପଶୁ ପଶୁ ହାଉ ହାଉ କରି କାନ୍ଦି ଉଠିଲା ସିପ୍ରା.. ଶୋଇବା ଘରେ ଶୋଇ ଥିଲା ପ୍ରତୀକ.. ମୁଁ ଡାଇନିଂ ବାଲକୋନୀରେ ମା'ଙ୍କ ସହ କଥା ହେଉଥିଲି ଫୋନ ରେ.. ଫେରି ଦେଖେ ମଶୁରି ଭିତରେ ପ୍ରତୀକ ନାହିଁ.. ରୁପା ବି ନାହିଁ ଘରେ.. ମୁ ଠିକ୍ ଜାଣିଛି ସେ ରୁପା ହିଁ ମୋ ପୁଅକୁ ନେଇ ଯାଇଛି.. ଛୋଟଲୋକ କୋଉଠିକାର.. ବେଇମାନି କଲା ମୋ ସହ.. ଚିତ୍କାର କରି କହୁଥିଲା ସିପ୍ରା.. ସତେ ଅବା ସେ ପାଗଳ ହୋଇ ଯାଇଛି.. ହଠାତ୍ ଦୁଆର ମୁହଁରେ ପ୍ରତୀକର କାନ୍ଦ ଶୁଭିଲା.. ଦରଜାରେ ଛିଡା ହୋଇ ଚୁପ ଚାପ ଆଖିରୁ ଲୁହ ଗଡାଉ ଥିଲା ରୁପା.. ପ୍ରତୀକକୁ ରୁପା ସହ ଦେଖି ପରି ଝଡ ପରି ଛୁଟି ଯାଇ ତା ହାତରୁ ପ୍ରତୀକ କୁ ନେଇ ନେଲା ସିପ୍ରା..

- କୁଆଡେ ନେଇ ଯାଇ ଥିଲୁ ମୋ ପୁଅକୁ.. ସତ କହ..

- ମାଡାମ ବହୁତ ଜୋର ରେ ରାହା ଧରି କାନ୍ଦୁ ଥିଲା.. ଆପଣ ଫୋନରେ କଥା ହେଉଥିଲେ, ସହି ପାରିଲିନି ସେଥିପାଇଁ ଟିକେ ବାହାରକୁ ନେଇ ଯାଇଥିଲି ବୁଲେଇ ଆଣିବାକୁ.. ଭାବିଲି ବାହାରେ ଟିକେ ବୁଲି ଆସିଲେ ଚୁପ ହୋଇ ଯିବ..।

- ଚୁପ କର.. ମୁଁ ଠିକ ଜାଣିଛି ତୁ ମୋ ପିଲାକୁ ଚୋରି କରିନେବାକୁ ବସିଥିଲୁ... ଚୋର ଛୋଟଲୋକ.. ସାପକୁ ଯେତେ କ୍ଷୀର ଖୁଆଇଲେ ବି ତା ପ୍ରକୃତି ଯିବନି..

ଅନିମେଶ ବୁଝାଉଥିଲା ସିପ୍ରାକୁ.. ଶାନ୍ତ କରିବାକୁ ଚେଷ୍ଟା କରୁଥିଲା.. କିନ୍ତୁ କାହାରି କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନଥିଲା ସିପ୍ରା ।

କୋଳରେ ପ୍ରତୀକକୁ ନେଇ ଶୋଇବା ଘରକୁ ଯାଇ ହାତରେ କିଛି ଟଙ୍କା ବିଡ଼ା ଧରି ଫେରି ଆସିଲା ସିପ୍ରା... ରୁପା ଉପରକୁ ସବୁ ତକ ଟଙ୍କା ଫିଙ୍ଗି ଦେଇ କହିଲା ।

- ନେ.. ୫୦ ହଜାର ଅଛି.. ଯଦି ଚାହିଁବୁ ଆହୁରି ଦେବାକୁ ପ୍ରସ୍ତୁତ ମୁଁ .. କିନ୍ତୁ କାଲି ଠୁ କେବେ ବି ମୋ ଘର ଦୁଆର ମାଟି ମାଡ଼ିବୁନି.. ଯା ଏବେ ।

ପଣତକାନିରେ ଆଖି ପୋଛି, ରୁପା ଚୁପ୍ ଚାପ୍ ସେଠୁ ଚାଲି ଗଲା ପରେ ବି ତା ଆଖିରୁ ଝରି ପଡିଥିବା କେଇ ଟୋପା ଲୁହ ଆଉ କେଇ ବିଡ଼ା ଟଙ୍କା ପଡି ରହିଥିଲା ଚଟାଣ ଉପରେ..।

© ରାକେଶ ମିଶ୍ର


Rate this content
Log in

Similar oriya story from Tragedy