Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bibhu Samanta

Thriller Others

5.0  

Bibhu Samanta

Thriller Others

ବୈଶାଖୀର ଇନ୍ଦୁ: ଶୀତଳ ଚନ୍ଦନ ବିନ୍ଦୁ

ବୈଶାଖୀର ଇନ୍ଦୁ: ଶୀତଳ ଚନ୍ଦନ ବିନ୍ଦୁ

6 mins
635


ଅଳ୍ପ ଦିନର ଗଳ୍ପ:


କେଉଁ ଏକ ଶୁକ୍ଳପକ୍ଷ ବୈଶାଖୀ ସଞ୍ଜ ବେଳେ ମୁଁ ବହାରିଗଲି ଦେଉଳକୁ। ଝାଞ୍ଜି ମାଡ଼ ଖାଇ ଦେହ ଠୁ ଆତ୍ମା ଯାଏ ଜର୍ଜରିତ। ଖୋଜୁଥାଏ ଶୀତଳ ପରଶ ଟିକେ। ତା ଚକା ଆଖିରେ ଆଖି ମିଶିଗଲେ, ମୁଁ ଭୁଲିଯାଏ ସବୁ ଜ୍ୱାଳାକୁ। ମଥାରେ ଚନ୍ଦନ ଟିପା ଦେଲେ, ଶୀତଳ ହୋଇଯାଏ ତନୁମନ। ଆକାଶର ଜହ୍ନଟା ବିଞ୍ଚି ଦେଉଥିଲା ଅଜସ୍ର ସଜମଲ୍ଲୀ ପାଖୁଡା ତୋ ପାଟ ଅଗଣାରେ। ଓଃ! କି ଶାନ୍ତି ଏଠି। 


ଏଇ ପାହାଚରେ ବସି ଭାବେ ଏମିତି ହୁଅନ୍ତାନି ! ତୁ ଥରେ ମୋ ଘର ଆଡ଼େ ଆସନ୍ତୁ। ବନ୍ଧୁ ପଣରେ ସଂଖୋଳି ନିଅନ୍ତି ତୋତେ ମୋ ଠାକୁର ଘରକୁ। ତୋ ପାଦ ଧୋଇ ଦିଅନ୍ତି। ପୋଛି ଦିଅନ୍ତି ପିନ୍ଧା ଲୁଗାରେ। ଟିପି ଟିପି ଚନ୍ଦନରେ ସଜେଇ ଦିଅନ୍ତି। ପଣା ଟିକେ ପି, ପାନ ଖଣ୍ଡେ ଖାଇ। ଦି ସାଙ୍ଗ କେତେ କଥା ହୁଅନ୍ତେ। ହେଲେ, ସେମିତି କଣ ହେଇପାରିବ। ତୁ ପରା ରାଜା ଘର ଦିଅଁ, ତୋ ଲାଗି କେତେ ଖଞ୍ଜା। ମୋ ସୁଖ ଦୁଃଖରେ ସିନା ମୁଁ ତୋତେ ଲୋଡ଼େ। ହେଲେ ତୋ ପାଇଁ ରାଜା କୁ ଖଜା ମହରଗ? ପଚାରୁନୁ କାହିଁ ଏତେ ଦୁଃଖ ଦେଲା ପରେ ତୋ ପାଖକୁ ମୁଁ ଧାଇଁ ଆସେ। ତୋ ବିନା ଆଉ କିଛି ମୁଁ ଜାଣିନି। ମାରିଲେ ମାରିବୁ, ତାରିଲେ ତାରିବୁ। କିଛି ବିକଳ୍ପ ନାହିଁରେ, କିଛି ନାହିଁ।


ଜୀବନ ଜଞ୍ଜାଳରୁ ଡହଳ ବିକଳ ହେଲେ ମୁଁ ଚାଲିଯାଏ ଦେଉଳକୁ। କାହିଁ କେଜାଣି ସେ ଧୂପ ଚନ୍ଦନର ବାସ୍ନା ସଂଚରି ଆତ୍ମା ଯାଏ। ବାହ୍ୟ ଜଗତରୁ ବିଛିନ୍ନ ହେଇଯାଏ ମନ। ବିଭୂମୟ ଲାଗେ ଚାରିଆଡ଼। ଆଉ ଫେରିବାକୁ ମନ ହୁଏନା। ମନ୍ଦ ମଳୟରେ ଆଖି ମାଡି ଆସୁଥାଏ। ଭାରି ଇଚ୍ଛା ହୁଏ, ତା ଶ୍ରୀମୁଖ ମାଧୁରୀକୁ ଚାହିଁ ଶୋଇଯିବାକୁ। ହେଲେ ସେମିତି କଣ ହୁଏ କେବେ? ଠିକ ସେତିକି ବେଳେ ମନେ ପଡେ ଘର କଥା, ସଂସାର କଥା। ସତ କହିଲୁ, ଏସବୁ ତୋରି ମାୟା ନା!!


ମନ୍ଦିରରୁ ବାହାରୁ ବାହାରୁ କୁଆଡୁ ମାଡି ଆସିଲା, କଳା ଅନ୍ଧାରି ମେଘଟା। ଲାଜକୁଳୀ ଜହ୍ନଟା ଲୁଚିଗଲା ଆକାଶ ଛାତିରେ। ଆଉ ମୁଁ ନିରୀହ ପକ୍ଷୀ ଶାବକଟେ ପରି ଧାଇଁଲି ଘର ଆଡ଼କୁ। ଚପଲଟା ଘୋଷାରି ଶୀଘ୍ର ପାଦ ପକେଇ ଚାଲିଲି ଘର ଆଡେ। ଟିକେ ଆଗରୁ, ତାକୁ ନେଇ ହେଉଥିବା ଆଲୋଡନ ସବୁ ସେମିତି ଅଧା ରହିଗଲା। କାଳ ବୈଶାଖୀର ଝଡ଼ ଇଏ। ଧୂଳିରେ ଆଖି ନାକ ସବୁ ଭର୍ତ୍ତି। ବରକୋଳିଆ ଟୋପା ସବୁ। ପଡିଲା। ପାଣି ଛିଟା ଗୁଡା ପିଟି ହେଉ ଥାଏ ଦେହରେ, ଯେମିତି କିଏ ଏକୁଟିଆ ପଶୁକୁ ଶରବିଦ୍ଧ କରୁଛି। ନ ଆସି ରହିଯାଇଥିଲେ ହେଇଥାନ୍ତା ଦେଉଳରେ। କାହିଁ ଆସୁଥିଲି । ଏଇଟା ବି ତୋ ମାୟା ନା!!


ଲାଇନ ଚାଲିଗଲା ବିଜୁଳି ଘଡ଼ଘଡିରେ, ଅନ୍ଧାର ଚାରିଆଡେ। କାଉ କୋଇଲି ଟେ ବ ନାହିଁ ରାସ୍ତାରେ। ମୁଁ ମୁହଁ ତଳକୁ କରି ଘର ଆଡ଼େ ଯାଉଥିଲି। କେମିତି ଘରେ ପହଞ୍ଚିବି ଭାବି। ଅଧା ଦେହ ମୋର ଓଦା, ଆଜିକାଲି ଥଣ୍ଡା ସହଜରେ ଛାଡ଼ୁନି ମୋତେ, ଗଲା ସପ୍ତାହରେ ଜ୍ଵରରୁ ଉଠିଥିଲି ମୁଁ। ଆଉ ଆଜି ପୁଣି ଓଦା। ଦୂରରୁ ଗଳି ମୁଣ୍ଡରେ ଦେଖିଲି ଆଲୁଅଟିଏ। ଆଉ କିଛି ଲୋକଙ୍କ ପାଟି ଶୁଣାଯାଉଥିଲା।


ପାଖେଇ ଆସୁଥିଲା ଶବ୍ଦ । କିଏ ଜଣେ କହୁଥିଲା, ଦେଖିଲ ପରମା'ଦି, ଆମ ମଦନମୋହନଙ୍କ ଲୀଳା। ଚନ୍ଦନ ପୋଖରୀ ଯାଏ ପହଂଚି ପାରିଲେନି। ହେଲେ ଭୋଗ ଖାଇଲେ ଆଉ ଗାଁ ବୁଲି ଆସିଲେ। ଆଉ ଜଣେ କହୁଛି, ହଁ ପରା, ସବୁଥର ଆମେ ଯୋଉ ରାସ୍ତାରେ ଯାଉ, ସେପଟେ ନ ଯାଇ, ଆଜି ଏପଟେ ଅଣେଇଲେ। ଏତିକି ପବନରେ କଣ ଏତେ ବର୍ଷର ପୁରୁଣା ଗଛଟା ଭାଙ୍ଗି ପାରେ? ଜାଣିପାରିଲି ଆମ ମଦନମୋହନଙ୍କ ବିମାନ, ଚାପ ଖେଳିବାକୁ ଯାଇଥିଲେ ପୋଖରୀକୁ। ହେଲେ ପହଂଚି ପାରିଲେନି,ଆଉ ଫେରିବା ରାସ୍ତାରେ କାହା ଘରୁ ଭୋଗ ଖାଇ ଫେରୁଛନ୍ତି।

 ବର୍ଷା ବଢିବାକୁ ଲାଗିଲା। ଠିକ ମଝି ରାସ୍ତାରେ ବର୍ଷା ଏତେ ଜୋରେ ହେଲା ଯେ, ସେମାନେ କୁଆଡେ ନ ଯାଇ ପାରି ଅଟକି ଗଲେ , ଗୋଟେ ଭଙ୍ଗା ଚାଳିଆରେ। ମୁଁ ବି ଆଉ କିଛି ନ ପାଇ ଦୌଡ଼ିଲି ସେ ଆଡକୁ। ଚାଳିଆରେ ପଶିଗଲା ବେଳକୁ ମଲ୍ଲୀ, ଜୁଇ, ତୁଳସୀ ତରାଟର ମହମହ ବାସ୍ନା। ଚାର୍ଜ ଲାଇଟର କ୍ଷୀଣ ଆଲୁଅ ଦିଶି ଯାଉଥିଲା, ସେ ରଙ୍ଗ ଅଧରରେ ବଂଶୀ ତୋଳି ସ୍ମିତହାସ୍ୟ ବଦନ। ଯାହା ଦେଖି ଭୁଲି ହେଇଯାଏ ତମାମ ଦୁଃଖକୁ। ସବୁ ଅଳି, ଅଭିଯୋଗ , ଅଭିମାନ ସେ ବର୍ଷ ଛିଟାରେ ଧୋଇ ହୋଇଗଲା ଯେମିତି। ସେ ପାଟ ପିତାମ୍ବରୀ, ସେ ମୟୁର ଚନ୍ଦ୍ରିକାର ଥାଟ। ଆହା! କେତେ ମନଲୋଭା ସେ ଦୃଶ୍ୟ। ସେମାନେ କଥା ହେଉଥାନ୍ତି, ମୁଁ ସେମାନଙ୍କ ଭିତରେ ଥାଇ ବି ନଥାଏ। କେହି ଜଣେ ଆଲୁଅ ଲିଭେଇ ଦେଲା। ସବୁ ଆଡ଼ ଅନ୍ଧାର। ପୁଣି ଗୋଟେ କପଟ କଲୁ ନା ତୁ?


ହଁ ଅନ୍ଧାର ଭିତରେ ମୋ ମନଟା ବୀମାନ ଭିତରେ ତୋ ଶ୍ରୀଅଙ୍ଗକୁ ଛୁଇଁ ଯାଉଥିଲା। ମନରେ ଥିବା ମୋହନ ମୁରତିକୁ ଅନୁଭବୀ ପାରୁଥିଲା। ସ୍ଥୁଳ ରୂପରେ ମୁଁ ଠିଆ ହୋଇଥିଲି ସେ ଚାଳିଆର ଗୋଟେ ଖୁଣ୍ଟକୁ ଆଉଜି । ବିଜୁଳି ଆଲୁଅରେ ଫୁଲରେ ମଣ୍ଡିତ ଦେହ ଆଉ ସେ ସୁନ୍ଦର ମୁହଁ ଟା ଦିଶି ଯାଏ ଯାହା। କ୍ଷଣିକ ପାଇଁ ହେଉ ପଛେ ମୁଁ ତୋତେ ଦେଖିବାକୁ ଟିକେ ବି ସୁଯୋଗ ହାତଛଡା କରିପାରିବିନି। ଏତେ ଦିନ ପରେ ଏମିତି ଦେଖା ହେବ ଆମର? କେବେ ଭାବି ନଥିଲି। ଖୁବ ଖୁସି ମୁଁ ତୋତେ ପାଇ, ଏତେ ପାଖରେ। ଦେଖ ଆଜି କେହି ନାହିଁ ଆମକୁ ବାଧା ଦେବାକୁ। ଏମିତି ମୁହୂର୍ତ୍ତ ଟିଏ ଖୋଜୁଥିଲା ଏ ମନ। ତୋତେ କିଛି ନାହିଁ ମାଗିବାର, ନା କିଛି ତୋତେ ଦେଇ ପାରିବି। ଜୀବନର ସବୁ କିଛି ହରେଇ ତୋତେ ପାଇଯିବାକୁ ଚାହେଁ ମୁଁ। ହେଲେ, ହରେଇବାକୁ ବି ସେମିତି କିଛି ନାହିଁ ମୋ ପାଖେ। ମେଞ୍ଚାଏ ଅହଂ, ଆଉ ପୁଳାଏ ଜଞ୍ଜାଳରେ ବ୍ୟତିବ୍ୟସ୍ତ ମୁଁ। ଛାଡ଼, ତୋ କଥା କହ। ତୁ ଭଲ ନା? ପଣ୍ଡାମାନେ ବୁଝୁଛନ୍ତି ନା ତୋ କଥା? ମୁଁ ଜାଣେ ତୁ ବି ମୋ ପରିକା ଧରାବନ୍ଧା ଜୀବନଟିଏ କାଟୁଛୁ। ପ୍ରତିଦନ ସକାଳୁ ଉଠିବୁ, ଆଉ ସମସ୍ତଙ୍କ କଥା ବୁଝି ଡେରିରେ ଶୋଇବୁ। ପୁଣି ତା ପରଦିନ ସେୟା। ମଣିଷ ମାନଙ୍କ ପରି ତୋର ତ ଦିନେ ହେଲେ ଛୁଟି ନାହିଁ। ବୁଝେ ମୁଁ ତୋ ଦୁଃଖ। ହେଲେ କଣ କରି ପାରିବି କହ? ତୋତେ କଣ ମୁଁ ବୁଲେଇ ନେଇ ପାରିବି ଏମିତି ଗୋଟେ ଜାଗାକୁ, ଯୋଉଠି ଏତେ ସବୁ ଅଳି ଅର୍ଦ୍ଦଳି ନଥିବ। ଖାଲି ତୁ ବଂଶୀ ବଜାଉ ଥିବୁ,ମୁଁ ଶୁଣୁଥିବି। ବିଜୁଳି ଘଡ଼ଘଡି ଆଉ ଦଲକାଏ ପବନ। ବିଜୁଳି ଆଲୁଅରେ ଦେଖିଲି ତୋ ମଥାରେ ଚହଲୁଥିବା ଚନ୍ଦ୍ରିକାକୁ। ଛାତିରେ ଛପି ହେଇଗଲା ସେ ଦୃଶ୍ୟ। ମନେ ପଡିଗଲା, ପୂଜାଘରେ ତୋ ପାଇଁ ତିଆରି ଥିବା ମୟୁର ଚନ୍ଦ୍ରିକା ଟିଏ। ଭାରି ଇଚ୍ଛା ଥିଲା, ତୁ ଆମ ଘରକୁ ଗଲେ ପିନ୍ଧି ଆସନ୍ତୁନି। ଏଇ ଚନ୍ଦ୍ରିକା ଠିକ ସେଇ ପରି। ସତ କହ କାହ୍ନୁ ଚୋରେଇ ଆଣିନୁ ତ?


ଥମି ଯାଇଥିଲା ବୈଶାଖୀ ତାଣ୍ଡବ। ସେମାନେ ବିମାନ ନେଇ ଦେଉଳ ଯିବାକୁ ବାହାରିଲେ। ଆଖି ଉହାଡରୁ ଅନ୍ତର ହେଉଥିଲୁ ତୁ। ଆତ୍ମା କିନ୍ତୁ ନଛୋଡବନ୍ଧା। କେଇଟା ମୁହୂର୍ତ୍ତରେ କି ମାୟା ଲଗେଇ ପାରୁ ତୁ? ବିମାନକୁ କାନ୍ଧରେ ଧରି ସେମାନେ ଯିବାକୁ ବାହାରନ୍ତି। ମୁଁ ଭାବନାର ମୂକସାକ୍ଷୀଟିଏ ମାତ୍ର। କେଜାଣି ଏମିତି ଆଉ କେବେ ହେବ କି ନାହିଁ? ଅଜାଣତରେ ଦି ଧାର ଲୁହ ବୋହିଗଲା। କଣ୍ଠରୋଧ ହେଇ ଆସୁଥିଲା ମୋର। ମୁଁ ପୁରା ଭିଜି ସାରିଥିଲି। ଭିତରୁ ବାହାରୁ ସବୁଆଡୁ। ସେମାନେ ବିମାନ ନେଇ ଯାଇ ସାରିଥିଲେ ଖଣ୍ଡେ ବାଟ। ମୁଁ ସେମିତି ଠିଆ ହେଇଥିଲି ଅନ୍ଧାରରେ, ତାଙ୍କ ଯିବା ବାଟକୁ ଚାହିଁ। ମୋ ଉପସ୍ଥିତି କାହା ନଜରକୁ ଆସିନି, ମତେ କେହି କିଛି ପଚାରିନି। କେହି ଜଣେ କାନ୍ଧରେ ହାତ ମାରିଦେଲା, ଗୋଟେ କୋମଳ ଉଷ୍ମ ସ୍ପର୍ଶ ଟିଏ, ଖୁବ ଆପଣାର ସେ ଛୁଆଁ। ମା କୋଳଠୁ ବି ଆପଣାର । ଚମକି ପଡିଲି ମୁଁ। ବୁଲି ଚାହିଁଲା ବେଳେ କେହି ତ ନଥିଲେ। ହେଲେ ସେ ଯାଗା ସେମିତି ମହକୁ ଥିଲା, ଚନ୍ଦନ ତୁଳସୀର ବାସ୍ନାରେ। ଦେହକୁ ମୋର କେହି ଯେମିତି ଭିଡି ନେଇ ଆଲିଙ୍ଗନ କରିଦଉଛି। ମୁଁ କିଛି ବି କହିପାରୁନି। ଖାଲି କାନ୍ଦୁଛି। ମୋ ପିଠି ଆଉଁସି ଦେଉଛି। ଅମୃତମୟ ଆନନ୍ଦର ସ୍ରୋତରେ ଭାସି ଯାଉଛି ମୁଁ। ପ୍ରାପ୍ତି ଅପ୍ରାପ୍ତିର ଢେର ଉର୍ଦ୍ଧରେ। ସମସ୍ତ ଇଚ୍ଛା ସରିଯାଇଛି ମୋର। ପାପପୂଣ୍ୟ ସବୁକିଛି ଭୁଲି ଯାଇଛି। ଖାଲି ଶୁଣିପାରୁଛି ସ୍ପନ୍ଦନକୁ ମୋର। ମୁଁ ହଜି ଯାଇଛି କୋଉଠି। ଯୋଉଠୁ ଫେରିବାକୁ ମୋର ଇଚ୍ଛା ନାହିଁ। 

ଶବ୍ଦଟିଏ ହେଲା ନୀରବତା ଭାଙ୍ଗିଲା। ଆଲୁଅ ପଡିଲା ମୁଁହରେ ମୋର। ରାସ୍ତା ଦେଇ ଗାଡିଟିଏ ଗଲା ବୋଧେ। ମୁଁ ଝୁଣ୍ଟି ପଡିବା ପରି ଦୋହଲି ଗଲି, ମୁଁ କଣ ସ୍ୱପ୍ନ ଦେଖୁଥିଲି? ସେ ଯାଗା ତ ସେମିତି ଖାଲି ଥିଲା। ଭଙ୍ଗା ଚାଲିଆ ଟେ, ରାସ୍ତାକଡେ। ଜାଣି ପାରୁନଥିଲି ସେ ସ୍ୱପ୍ନ କି ବାସ୍ତବତା। ସତ କହ ପୁଣି କଣ ଗୋଟେ କରିଛୁ ତୁ?


ଓଦା ସଦସଡ଼ ହୋଇ ଘରେ ପହଞ୍ଚିଲା ବେଳକୁ ମା କହୁଛି,କିରେ ଏତେ ବର୍ଷାରେ କୋଉଠି ଥିଲୁ ତୁ? ଜାଣିଛୁ! ଆଜି ମଦନମୋହନ ଆମ ଘରକୁ ଆସିଥିଲେ। କରେଣ୍ଟ ମାରିଲା ପରି ବୁଲି ଚାହିଁଲି ମୁଁ। ସତରେ? ସେ କହିଲା ,ହଁ ଆଜି ଚାପ କୁ ଗଲା ରାସ୍ତାରେ, ଗୋଟେ ବଡ଼ ଗଛ ପଡି ରାସ୍ତା ବନ୍ଦ। ସେମାନେ ପୋଖରୀ ନ ଯାଇ ପାରି ଏଇ ପଟେ ଫେରିଲେ। ଆମ ଦୁଆରେ ରହିଗଲେ ଦିଅଁ। ମୁଁ ଡାକିଲି, ବନ୍ଦାପନା କଲି। ଭାରି ବଢିଆ ଲାଗିଲା,ଭୋଗରାଗ କଲି। ଏମିତି, ହାଁ ଟା ହେଇ ଅନେଇଛୁ କଣ? ତୋ ପାଇଁ ବି ରଖିଛି। ସେଇ ଦାଣ୍ଡ ଘର ଟେବୁଲ ଉପରେ ଗିନାରେ। ମୁଁ ଚାଲି ଗଲି ଟେବୁଲ ପାଖକୁ, ପିତ୍ତଳ ଗିନାରେ ଉଖୁଡା ନଡ଼ିଆ କଦଳୀ ଉପରେ ପଡିଥିଲା ଛଡା ତୁଳସୀ ଟିଏ। ଭୋଗରୁ ଆସୁଥିଲା ସେମିତି ସୁଗନ୍ଧ, ଯାହା ସେ ଚାଳିଆରେ ବାସୁଥିଲା। ଭୋଗ ଗିନାକୁ ହାତରେ ଧରି ମୁଁ କାନ୍ଦି ପକେଇଲି। କାହାକୁ କହିପାରୁନଥିଲି କଣ ହେଇଛି ମୋର। ସତରେ ତୁ ମୋ ମନ କଥା ଜାଣି ଆସିଥିଲୁ ମୋ ଘରକୁ। ଆମ ଘର ଭୋଗ ଖାଇଲୁ। ଭାବଗ୍ରାହୀ ନାଁ ଟାକୁ ସାର୍ଥକ କଲୁ। ମୋ ପୂଜା ମୋ ଅସ୍ଥାକୁ ସାହାରା ଦେଲୁ। ଏବେ ମତେ ଇଛା ହେଉଥିଲା ତୋତେ ଧରି କାନ୍ଦିବାକୁ। ପୁଣି ଥରେ ମତେ ନେ, ତୋ କୋଳକୁ। ନେଇ ଯା। ମା ଆସି ଲୁହ ପୋଛିଲା କେତେବେଳେ ଜାଣିନି। ଭୋଗକୁ ଧରି ବସିଥିଲି, ଲୁହର ବନ୍ଦ ହେଉ ନଥିଲା ଜମା। କଣ ମନ ହେଲା କେଜାଣି? ଧାଇଁ ଗଲି, ଠାକୁର ଘରକୁ। ଖୋଜୁଥିଲି ତୋ ପାଇଁ ସାଇତି ରଖିଥିବା ମୟୁର ଚନ୍ଦ୍ରିକାଟିକୁ । ବହୁତ ଖୋଜିଲି,ପାଇଲିନି। ମା କୁ ପଚାରିଲି, ଜାଣିନି ସେ। ଖଟୁଳି ଉପରେ ବସି ସେମିତି ହସୁଥିଲୁ ତୁ। ଆଉ ମୋ ଆଖିରେ ଲୁହ। ଏବେ ଜହ୍ନଟା ଆକାଶରେ ସେମିତି ହସୁଥିଲା। ଠିକ ତୋ କପାଳର ଚନ୍ଦନ ବିନ୍ଦୁ ପରି। 



Rate this content
Log in

Similar oriya story from Thriller