Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jyotiranjan Sahu

Tragedy

3  

Jyotiranjan Sahu

Tragedy

ମଧୁ-ସ୍ମିତା (ଗୋଟିଏ ରଙ୍ଗ୍ ନମ୍ବର)

ମଧୁ-ସ୍ମିତା (ଗୋଟିଏ ରଙ୍ଗ୍ ନମ୍ବର)

4 mins
545


ଆଜି ଅନେକଦିନ ପରେ କହିବାକୁ ଗଲେ ପାଖାପାଖି ପନ୍ଦର ବର୍ଷ ପରେ ‌ମଧୁ ପାଦଥାପିଛି ରାଜଧାନୀର ମାଟିରେ । ଖୁବ୍ ନିଜର ନିଜର ଲାଗୁଛି ତାକୁ ରାଜଧାନୀର ଏ ମାଟି , ପାଣି, ପବନ ସବୁକିଛି । ପବନର ପ୍ରତ୍ୟେକଟି ସ୍ପର୍ଶରେ ମନ ତାର ରୋମାଞ୍ଚିତ ହୋଇଉଠୁଥାଏ ଠିକ୍ ଗୋଟିଏ ଟାଙ୍କୁରା ଲୋମକୂପ ପରି । ରହିରହି ସ୍ପନ୍ଦନଟା ତାର ସ୍ପନ୍ଦିତ ହେଉଥାଏ ଠିକ୍ ସେଦିନର ସ୍ମିତା ସହ ଶେଷ ସାକ୍ଷାତରେ ଶେଷ ସ୍ପର୍ଶପରି । ରାଜଧାନୀ ଠାରୁ ଅନେକ ଦୂର ଗୋଟେ ଛୋଟ ସହର ର ସରଳ ମଧୁ ର ସରଳତା ଆଗରେ ବିବଶ ହୋଇ ପ୍ରେମଟା ସେଦିନ ଅଭିମାନ ଭରା ଉପମାରେ ବିଚ୍ଛେଦର ପୂର୍ଣ୍ଣଚ୍ଛେଦଟା ଟାଣିଦେଇ ଯେଉଁ ଯାଇଛି ଯେ ପୁଣିଥରେ ଲେଉଟିବାର ବାଟଟା ଭୁଲିଯାଇଛି । ବେଳେବେଳେ ସରଳତାଟା ଯେ ପ୍ରେମ ପାଇଁ ଅଭିଶାପ ପାଲଟିଯାଏ ସେହିକଥାକୁ ଆଜି ମର୍ମେମର୍ମେ ଉପଲବ୍ଧି କରୁଛି ମଧୁ । ଆଦ୍ୟ ଯୌବନର ପ୍ରଥମ ପ୍ରେମଟା ଆଜିବି ମଧୁ ର ପ୍ରେମ ସ୍ଥାନକୁ ଶୂନ୍ୟକରି ରଖିଛି । ଏହାଭିତରେ ସେ ଜଣେ ପୁତ୍ର ସନ୍ତାନର ଜନକ ହୋଇସାରିଲାଣି । ବ୍ୟବସାୟ କରି ସେ ଆଜି ଜଣେ କୋଟିପତି । ତଥାପି ମନଟା ଭିତରେ ଅବଶୋଷଟା ସବୁବେଳେ ବିଚରଣ କରୁଛି । ସ୍ମିତା ! ଯାହାକୁ ଆଜିଯାଏ ମଧୁ ଭୁଲିପାରିନି । ପଟିଆ ଛକରୁ *** ଇଞିନିୟରିଂ କଲେଜର ସେହି ନିଛାଟିଆ ରାସ୍ତାରେ ଯିବା ଆସିବା ବେଳେ ଅନେକଥର ସେ କୋଣେଇ ଚାହିଁଛି ସ୍ମିତାକୁ । ବାହାନା କରି ରାସ୍ତା ମଝିର ସେହି ଆମ୍ବଗଛଟା ମୂଳରେ ଅପେକ୍ଷା କରିଛି ସ୍ମିତା ଆସୁଥିବା ଅଟୋକୁ । ଅଟୋ ଭିତରେ ସ୍ମିତାର ଚଷମାଲଗା ମୁହଁଟି ଦେଖୁଦେଖୁ ସ୍ପନ୍ଦନଟା ତାର ଅନେକଥର ଦ୍ରୁତଗତିରେ ସ୍ପନ୍ଦିତ ହେବାର ସେ ଅନୁଭବ କରିଛି । ଏହାର କାରଣଟା ପ୍ରେମ ବୋଲି ହୃଦୟ ତାର ଯେତେଥର ବୁଝାଇବାକୁ ଚେଷ୍ଟା କରିଛି ; ସେତେଥର ସରଳ ମନଟା ତାର ଏହାକୁ ପ୍ରତ୍ୟାଖ୍ଯାନ କରିଛି । 'ମଧୁ କେବେ ପ୍ରେମ କରିପାରେନା' ! ଏହି କଥାଟା ସେଦିନବି ମନତାର କହୁଥିଲା ଆଉ ପନ୍ଦର ବର୍ଷ ପରେ ବି ମନ ତାର କହୁଛି । ସତେ ତ ମଧୁ କେବେ ପ୍ରେମ କରିପାରେନା ! କାହିଁକି ନା ମଧୁ ପ୍ରେମକୁ ସ୍ବୀକାର କରିବା ଶିଖିନି । ସେଥିପାଇଁ ଆଜିବି ମଧୁ ର ପ୍ରେମ ସ୍ଥାନଟା ଶୂନ୍ୟ ।ସରଳତା ର ଗୋଟିଏ ଗୁଣ ଏଇଆ ଯେ ତାର ସିଦ୍ଧାନ୍ତ ଆଉ ନିଷ୍ପତ୍ତିରୁ ସେ ପଥଚ୍ୟୁତ ହୁଏନାହିଁ । ଯେଉଁଟା ଅଭିଶାପ ପାଲଟିଗଲା ପ୍ରେମ ପାଇଁ ଆଉ ଆଶିର୍ବାଦ ମଧୁ ର କୋଟିପତି ହେବାପାଇଁ । ସେଥିପାଇଁ ସେଦିନ କଲେଜର ଶେଷ ଦିନରେ ସ୍ମିତା ଜାଣିଶୁଣି ମଧୁ ସହ ସେହି ନିଛାଟିଆ ରାସ୍ତାରେ ଶେଷଥର ପାଇଁ ପଟିଆ ଛକକୁ ଚାଲିଚାଲି ଆସୁଥିଲା । କାଳେ ଆଜି ମଧୁ ନିଜ ମୁହଁରେ ତା ପ୍ରେମକୁ ସ୍ବୀକାର କରିବ । କିନ୍ତୁ ମଧୁ ଥିଲା ନୀରବ ଆଉ ଅବିଚଳିତ । ଯେଉଁ ସ୍ମିତାକୁ ଦେଖିଦେଲେ ହୃଦୟଟା ତାର ଦ୍ରୁତଗତିରେ ସ୍ପନ୍ଦିତ ହୋଇଉଠୁଥିଲା ସେହି ସ୍ମିତାକୁ ଆଜି ପାଖରେ ପାଇ ମଧ୍ୟ ହୃଦୟଟା ଯେପରି ସ୍ଥିର ହୋଇଯାଇଥିଲା । ସେଦିନ ଛଳଛଳ ଆଖିରେ ସ୍ମିତା ଲୋକ ଲଜ୍ଜାକୁ ଖାତିର ନକରି ମଧୁ ର କାନ୍ଧରେ ଆଉଜି ହୋଇ ଚାଲିଥାଏ ପଟିଆ ରାସ୍ତାଉପରେ । ଆଉ କିପରି ନିଜ ପ୍ରେମକୁ ପ୍ରକାଶ କରନ୍ତା ସ୍ମିତା । ଗୋଟିଏ ଝିଅ ପାଇଁ ଏଇଟା କଣ ଯଥେଷ୍ଟ ନଥିଲା ପ୍ରେମକୁ ପ୍ରକାଶ କରିବାକୁ ଆଉ ମଧୁ ପାଇଁ କଣ ଏହା ଯଥେଷ୍ଟ ନଥିଲା ବୁଝିବାକୁ ଯେ ସ୍ମିତା ମଧୁ କୁ ଭଲପାଏ ବୋଲି ! !ମଧୁ କିନ୍ତୁ କେବେ ପ୍ରକାଶ କରିନାହିଁ ସେ ସ୍ମିତାକୁ କେତେ ଭଲ ପାଏ ! ସେଦିନ ବି କିଛି ଗୋଟିଏ ଭ୍ରମ ମଧୁ କୁ ବାରମ୍ବାର ପଥରୋଧ କରୁଥାଏ ସ୍ମିତାକୁ କହିବାକୁ ଯେ ସେ ବି ସ୍ମିତାକୁ ବହୁତ ଭଲପାଏ ବୋଲି । ଅନେକ ସମୟପରେ ପାଖେଇ ଆସୁଥାଏ ପଟିଆ ଛକ । ଆଉ ଅଳ୍ପ କିଛି କ୍ଷଣର ମିଳନ । ହଠାତ୍ ସ୍ମିତା ମଧୁ ର ସାର୍ଟକୁ ଭିଡିଧରି କହିଲା " ଆଉ କେତେ ଅପେକ୍ଷା କରିବ ମଧୁ " ! କିଛି ସମୟ ଚୁପଚାପ୍ ରହିବା ପରେ ମଧୁ କହିଲା " ତୁମେ ଗୋଟିଏ ରଙ୍ଗ୍ ପର୍ସନକୁ ଏକଥା କହିଲ ସ୍ମିତା " । ଆଉ ଅଧିକ କିଛି ନକହି ସ୍ମିତା ସିଧା ଯାଇ ଅଟୋରେ ବସିଗଲା । ଥରଟେ ହେଲେ ଆଉ ବୁଲି ଚାହିଁନି ସିଏ । ସେହିଦିନ ଠାରୁ ପ୍ରେମଟା ଅଫେରା ବାଟରେ ଯାଇଛି ଯେ ଆଉ ମଧୁ ଜୀବନକୁ ଫେରିନାହିଁ । ଏହା ଭିତରେ ଆକର୍ଷଣ ବିକର୍ଷଣ ପ୍ରଣୟ ମିଳନ ସବୁକିଛି ଜୀବନର ପରିଧି ଭିତରକୁ ଆସିସାରିଲେଣି । ହେଲେ ପ୍ରେମଟା ଆଜିବି ଜୀବନ ପରିଧିରୁ ଅନେକ ଦୂରରେ ।

ଆଜି ମୋବାଇଲ୍ ଆସିଲା ପରେ ପୁରୁଣା ବନ୍ଧୁ ସବୁ ମିଶି ଗୋଟିଏ ଗେଟଟୁଗେଦର ପାର୍ଟିର ଆୟୋଜନ କରିଛନ୍ତି । ସେହି ପାର୍ଟିରେ ଯୋଗଦେବାକୁ ମଧୁ ଆଜି ରାଜଧାନୀରେ । ଗାଡିରେ ଯାଉଯାଉ ହଠାତ୍ ପଟିଆ ଛକରେ ଗାଡିକୁ ରଖିବାପାଇଁ କହିଲା ମଧୁ । ଗାଡିରୁ ଓହ୍ଲାଇ ନଜର ପକାଇଲା ଚାରିଆଡେ । ଏହାଭିତରେ ଅନେକ ବଦଳିଯାଇଛି ପଟିଆ ଛକ । ଝୁରୁଛି ସେଦିନର ନିର୍ଜନତାକୁ । ଶୀତୁଆ ସକାଳର କଅଁଳିଆ ଖରାଟାକୁ ଖାତିର୍ ନକରି ସୁଲୁସୁଲିଆ ପବନଟା ମଧୁ ମନରେ ଗୋଟିଏ ଅପୂର୍ବ ମାଦକତା ଭରିଦେଉଥାଏ । ଦେଖୁଦେଖୁ ମଧୁ ସେହି ରାସ୍ତାରେ ଚାଲିବାକୁ ଲାଗିଲା । ଆଖିରେ ନାଚିଯାଉଥାଏ କଲେଜର ଶେଷ ଦିନର ଶେଷ ଦୃଶ୍ୟ । ମଧୁ କୁ ଲାଗୁଥାଏ ସତେ ଯେପରି ଆଜିବି ସିଏ ଅପେକ୍ଷା କରିବ ସ୍ମିତାକୁ ସେହି ଆମ୍ବ ଗଛମୂଳରେ । ଏକଥା ଭାବୁଭାବୁ ପୁଣିଥରେ ରୋମାଞ୍ଚିତ ହୋଇଉଠୁଥାଏ ମଧୁ । ହଠାତ୍ ଫୋନ୍ ବାଜିଉଠିଲା । ରିସିଭ୍ କଲାକ୍ଷଣି ସେପଟୁ ପ୍ରଶ୍ନ ହେଲା " ଆରେ ପହଞ୍ଚିଲୁଣି " ! ମଧୁ କହିଲା " ହଁ ! ଆଉ ଅଳ୍ପବାଟ । ଆଚ୍ଛା ସ୍ମିତା ଆସିଛି " ? ସେପଟୁ ଉତ୍ତର ଆସିଲା " ନା ! ସେ ଆସିପାରିବନି ବୋଲି ମ୍ୟାସେଜ୍ କରିଛି " । ମଧୁ ବିରସ ମନରେ କହିଲା " ତା ନମ୍ବର ଟା ଦେବୁ " ! ଏହାପରେ ମଧୁ ଡାଏଲ କଲା ସେହି ନମ୍ବର । କାହିଁକି କେଜାଣି ଆଙ୍ଗୁଳି ଗୁଡା ଥରୁଥିଲା ଡାଏଲ କଲାବେଳେ । ବୋଧହୁଏ ଆଜି ରାଜଧାନୀର ଥଣ୍ଡାଟା ଟିକେ ଅଧିକ ଥିଲା । ହେଲେ ନାଲି ପଡିଥିବା ମୁହଁରେ କେଇବୁନ୍ଦା ଜଳବିନ୍ଦୁ କାକର ଟୋପା ଥିଲା ନା ସୂଚାଉଥିଲା ମଧୁ ର ବିବ୍ରତ ମନକୁ ସେକଥା କହିହେବନି କିନ୍ତୁ ସେହି ନମ୍ବରରେ ରିଙ୍ଗ୍ ହେଉଥିଲା ମୋବାଇଲ୍ । କିଛି ସମୟ ପରେ ଗୋଟିଏ ଶୁଣିଲାଶୁଣିଲା ନାରୀ ସ୍ବରଟିଏ ସେପଟୁ ଭାସିଆସିଲା । ପଚାରିଲା " ଜୟ ଜଗନ୍ନାଥ ! କିଏ କହୁଛନ୍ତି " ? ସେଦିନ ପରି କୌଣସି ଉତ୍ତର ନଥିଲା ମଧୁ ପାଖରେ । ସେ ଥିଲା ନିରୁତ୍ତର । ପୁଣି ପ୍ରଶ୍ନ ହେଲା " କିଏ କହୁଛନ୍ତି " ? ଏଥର କିନ୍ତୁ ନେଟୱାର୍କ ର ବୋଧେ କିଛି ଅସୁବିଧା ହେବାରୁ ଶଡ ଶଡ ଶବ୍ଦ ହେଲା । ବିରକ୍ତି ଭରା ସ୍ବରରେ ସେହି ନମ୍ବରରେ ସେପଟୁ ନାରୀ ଜଣକ ଆଉ କାହାକୁ କହୁଥିବାର ଶୁଣାଗଲା " ନାହିଁମ ! କେହିନାହିଁ ! ଖାଲି ନଏଜ୍ ଆସୁଛି । ବୋଧହୁଏ ରଙ୍ଗ୍ ନମ୍ବର " ! ! ଯାହାକୁ ସେହି ନାରୀ ଜଣକ କହିଲେ ନଏଜ୍ ବୋଲି ସେଇଟା ଥିଲା ମଧୁ ର ଉଷ୍ମ ଶ୍ବାସର ତୀବ୍ର ସ୍ବର । ଫୋନ୍ କଟିଯିବା କ୍ଷଣି ଗାଡିରେ ବସିଥିବା ମଧୁ ର ଡ୍ରାଇଭର ପଚାରିଲା " ସାର୍ ! କଣ ଫୋନ୍ ଲାଗୁନି କି " ? ମଧୁ ତାର ନିଷ୍ପ୍ରଭ ମୁହଁରେ ଉଦାସୀ ହସଟେ ଖେଳାଇ ଦେଇ କହିଲା " ଆରେ ନା ! କେଉଁ ଏକ ରଙ୍ଗ୍ ନମ୍ବରକୁ ବୋଧେ ଲାଗିଗଲା " ! ! !

॥ ଜ୍ୟୋତିରଞନ ସାହୁ ॥

jrs.2013rediffmail@gmail.com

8895156355


Rate this content
Log in

Similar oriya story from Tragedy