Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sushama Parija

Tragedy

3  

sushama Parija

Tragedy

ଅସ୍ତିତ୍ବ

ଅସ୍ତିତ୍ବ

9 mins
726


।। ଅସ୍ତିତ୍ବ ।।

ସୋମବାର ସକାଳଟା ଭାରି ଚଞ୍ଚଳିଆ ଲାଗେ । ରବିବାର ଛୁଟିଦିନ ର ସୁସ୍ଥିଆପଣଟା ଠିକ ଭାବରେ କଟିନଥିବା ବେଳେ ପୁଣି ସେଇ ଗତାନୁଗତିକ କାର୍ଯ୍ୟବ୍ୟସ୍ତତା ଭିତରକୁ ଫେରି ଯିବାକୁ ହୁଏ ନିଜର ଶତ ଅନିଚ୍ଛା ସତ୍ତ୍ବେ ମଧ୍ୟ । ଏମିତି ସମୟରେ ମୋବାଇଲ୍ ଫୋନ୍ ର ରିଂ ଟି ଆହୁରି ବିରକ୍ତିକର ଲାଗେ।

ସେଦିନ ସକାଳ ର ନିତ୍ୟକର୍ମ ସାରି ଚା କପ୍ ଟିଏ ଧରିବାକୁ ଯାଉଛି ମୋବାଇଲ୍ ଫୋନ୍ ର ରିଂ ଶୁଭିଲା।

ଏତେ ସକାଳୁ କିଏ ଫୋନ୍ କରୁଛି ବୋଲି ଦେଖଲା ବେଳକୁ ଅଜଣା ନମ୍ବର ଟିଏ। କିଏ ହୋଇଥିବ ଭାବି

ଉଠାଇଲି ନାହିଁ । ପୁଣି ରିଂ ହେଲା ମୋବାଇଲ୍ ଫୋନ୍ ଟି, ଦେଖିଲା ବେଳକୁ ପୁଣି ସେଇ ନମ୍ବର ରୁ କଲ୍ ଆସିଛି । ବିରକ୍ତ ହୋଇ ଫୋନ୍ ଟି କୁ ଉଠାଇ କ'ଣ ଦି 'ପଦ ଶୁଣେଇବାକୁ ଯାଉଛି ସେପଟରୁ ଶୁଭିଲା ଗୋଟିଏ ପରିଚିତ କଣ୍ଠ ସ୍ୱର '' ଲୀନା କିରେ ? ମୁଁ ରେଣୁ ଅପା କହୁଛି '' । ନିଆଁ ରେ ପାଣି ପଡିଲା ପରି ମୋ ବିରକ୍ତିଭାବ କୁଆଡେ ଉଭେଇ ଗଲା । ଗୋଟିଏ ଅନାବିଳ ଆନନ୍ଦ ର ଲହରୀ ଖେଳିଗଲା ମୋ ମନରେ । ଆଖି ଆଗରେ ଭାସି ଉଠିଲା ଅତି ଆପଣାର ସ୍ନେହସିକ୍ତ ଗୋଟିଏ ସୁନ୍ଦର ମୁହଁ , ମୋ ରେଣୁ ଅପାର । ଆନନ୍ଦାତିଶଯ୍ୟ ରେ ମୋ ମୁହଁ ରୁ ବାକ୍ୟ ସ୍ଫୁରିଲା ନାହିଁ। ସେପଟ ରୁ ରେଣୁ ଅପା କହୁଥିଲା ବୁଝିଲୁ ଲୀନା ,ତୋ ନମ୍ବର ତ ମୋ ପାଖରେ ନଥିଲା , ରବିବାର ସମାଜ ରେ ତୋର ଗୋଟିଏ ଲେଖା ବାହାରିଥିଲା, ତାକୁ ତୋ ଭାଇ ଆଣି କାଲି ମତେ ପଢିବାକୁ ଦେଇଥିଲେ, ସେଇଥିରୁ ତୋ ଫୋନ୍ ନମ୍ବର ଟି ଦେଖି ଆଜି ତତେ ଫୋନ୍ କରୁଛି । ତୋ ଲେଖାଟି ଖୁବ୍ ସୁନ୍ଦର ହୋଇଛି ରେ ଲୀନା , କାଲି ରାତିରେ ମୁଁ ତ ଏକା ନିଶ୍ୱାସ ରେ ପଢି ପକେଇଲି ସେଇଟିକୁ । ପଢିବା ବେଳେ ପୁରୁଣା କଥା ସବୁ ଜଳଜଳ ହୋଇ ନାଚି ଉଠିଲା ମୋ ଆଖି ଆଗରେ । ରାତିସାରା ଆଉ ଶୋଇ ପାରିଲିନି ମୋ ମନକଥା ସବୁ କଗଜ କଲମ ଧରି ଉତ୍ତାରି ପକେଇଲି ଚିଠି ଟିଏ କରି । ତୋ ଲେଖାଟି ତଳେ ଦେଇଥିବା ଠିକଣାରେ ଆଜି ପଠାଇଛନ୍ତି ତୋ ଭାଇ 'ମୋ ସୁନା ଭଉଣୀ ଟା ପରା ! ଚିଠି ଟି ଆମୂଳଚୂଳ ପଢିବୁ , ମୋ ମନ ଭିତରେ ଥିବା ଚାଳିଶି ବର୍ଷ ର ଜମାଟ ବନ୍ଧା ଅକୁହା କଥା ସବୁ ସ୍ୟାହି ହୋଇ ଛପି ଯାଇଛି ସେଥିରେ । ତୁ ତ ଗପ ଲେଖୁଛୁ , ସେଇ ଚିଠି ରେ ଥିବା ମୋ ମନର କଥା ସବୁ ତୋ କଲମ ତୃଳୀ ରେ ରଙ୍ଗ ଭରି ସାକାର କରିବୁ । ତୁ କେମିତି ଅଛୁ ଜଣାଇବୁ। ବହୁତ ବେଳୁ ଗପିଲିଣି । ରଖୁଛି '। ଫୋନ୍ ଟି ସେପଟରୁ କଟି ଯିବାର ଶବ୍ଦ ରେ ମୁଁ ପ୍ରକୃତିସ୍ଥ ହେଲି।

ତା ପର ଦିନ ସକାଳେ ଚାକବାଲା କୁ ଅପେକ୍ଷା କରି ରହିଥାଏ ମୁଁ । କେମିତି ରେଣୁ ଅପା ର ଚିଠିଟି ପାଇବି ଆଉ ତା' ର ସେ ଅକୁହା କଥା ସବୁ ଜାଣିବି ସେଇ ଚିନ୍ତାରେ ମୁଁ ଖାଲି ଗେଟ୍ ପାଖରେ ଏପଟସେପଟ ହେଉଥାଏ । ଡାକ ପିଅନ ଟି ଗେଟ୍ ପାଖରେ ପହଞ୍ଚିଲା କ୍ଷଣି ତା' ହାତରୁ ଚିଠି ଟିକୁ ଚିଲ ଭଳିଆ ଝାମ୍ପି ନେଇ ମୋ ଶୋଇବା ଘର ଭିତରେ ପଶି ଚିଠି ଟି ଖୋଲି ପଢିବାକୁ ଆରମ୍ଭ କଲି। ରେଣୁ ଅପା ଲେଖିଥିଲା ......

ସ୍ନେହର ଲୀନା

ଆଜି ରବିବାର ସମାଜ ରେ ବାହାରିଥିବା ତୋ ର ଗପଟି ପଢିଲି । ପଢିଲି କମ୍ କାନ୍ଦିଲି ବେଶି । କାରଣ ପଢିଲା ବେଳକୁ ପୁରୁଣା ଦିନର କଥା ସବୁ ମନେ ପଡି ମୋ ଆଖିରେ ଲୁହ ଆସି ଯାଉଥିଲା । ସମାଜ

କାଗଜ ପୃଷ୍ଠା ଉପରେ ଛବି ହୋଇ ଦିଶି ଯାଉଥିଲା ମଙ୍ଗଳାବାଗ ର ସେଇ ନୁଆଁଣିଆ ଚାଳଘର ଆଉ ସେ ଘରେ ବିତାଇଥିବା ସ୍ଵର୍ଣ୍ଣାଭ ଅତୀତ। କେତେ ସୁନ୍ଦର ଥିଲା ସେ ଦିନ ଗୁଡିକ । ତୋ ବାବା ଆଉ ମୋ ବାବା ଥିଲେ ବନ୍ଧୁ । ସେମାନଙ୍କ ଭିତରେ ବନ୍ଧୁତ୍ବ କମ ଭାତୃତ୍ବ ଥଲା ଅଧିକ । ସ୍ୱଳ୍ପ ବେତନଭୋଗୀ କର୍ମଚାରୀ ହୋଇଥିଲେ ମଧ୍ୟ ପିଲାମାନଙ୍କୁ ପାଠପଢାଇ ମଣିଷ କରିବା ର ଆଶା ଥିଲା ପ୍ରବଳ । ମୋ ଠାରୁ ବର୍ଷ ଟିଏ ସାନ ହେଲେ ମଧ୍ୟ ତୁ ମୋରି ସାଥିରେ ମାଟ୍ରିକ ପାସ୍ କରିଥିଲୁ । ଆମ ଗାଁରେ କଲେଜ ନଥିବାରୁ ବାବା ମତେ ଆଣି ତମ ଘରେ ଛାଡି ଥିଲେ କଲେଜରେ ପଢିବା ପାଇଁ। କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରେ ତୁ ନାମ ଲେଖାଇଲୁ ବିଜ୍ଞାନ ରେ ଆଉ ମୁଁ ଆର୍ଟସ ପଢିଲି । ତମେ ପାଞ୍ଚ ଭାଇଭଉଣୀ ଆଉ ମତେ ମିଶେଇ ଛଅ ଜଣ ଛୁଆ ଙ୍କୁ ଆପଣେଇ ନେଇଥିଲେ ମାଉସୀ । ସେଇ ବଖୁରିକିଆ ଚାଳଘର , ତାକୁ ଲାଗି ଛୋଟ ରୋଷେଇ ଘର ଆଉ ଅଗଣାରେ କଟିଥିଲା ମୋର ତିନି ବର୍ଷ । ସେଇଠି ମୋ ଜୀବନର ଦ୍ବିତୀୟ ଭାଗ ଆରମ୍ଭ ହୋଇଥିଲା । ତୁ ପାଠ ଛଡା ଆଉ କିଛି ବୁଝୁ ନଥିଲୁ କିନ୍ତୁ ଗାଁର ଯୌଥ ପରିବାର ରେ

ଚଳି ଆସିଥିବାରୁ ମତେ ରୋଷେଇ ବାସ ଘରକରଣା ସବୁ ଜଣାଥିଲା । ମାଉସୀ ଏତେ ଗୁଡ଼ାଏ ପିଲାଙ୍କ କାମ କରି ଥକି ପଡୁଥିଲେ ତେଣୁ ମୁଁ ତାଙ୍କ ହାତରୁ କାମ ଛଡାଇ କରିବାକୁ ଲାଗିଲି । କଲେଜ ଯିବାର ପୂର୍ବରୁ ଏବଂ କଲେଜ ରୁ ଫେରି ମୁଁ ତାଙ୍କ ସହିତ କାମରେ ଲାଗି ଯାଉଥିଲି । ତୁ ଟା ତ ପକ୍କା ଅଳସେଇ ଥିଲୁ କଲେଜ ରୁ ଫେରି ଫାଁ ଗାଳି ଦେଇ ଶୋଇ ପଡୁଥିଲୁ ହେଲେ ମାଉସୀଙ୍କର କଷ୍ଟ ମୁଁ ସହି ପାରୁନଥିଲି। ତାଙ୍କ ସହି ମିଶି ସବୁ କାମ କରି ଦେଉଥିଲି । ମାଉସୀ ତୋ 'ଠାରୁ ଅଧିକ ଭଲ ପାଉଥିଲେ ମତେ । ଧୀରେ ଧୀରେ ମୁଁ ତମ ଘରର ବଡ ଝିଅ ହୋଇଗଲି। ତୋ ସାନଭାଇ ଦି ଜଣ ମତେ ପ୍ରାଣ ରୁ ଅଧିକ ଭଲ ପାଇଲେ । ଆଉ ତମେ ତିନି ଭଉଣୀ ମୁଁ ବସ କହିଲେ ବସିଲ ଉଠ କହିଲେ ଉଠିଲ ।

ତା ' ପର ବର୍ଷ ମୋ ସାନଭାଇ ମଧ୍ୟ ଗାଁରୁ ଆସି ରେଭେନ୍ସା କଲେଜରେ ନାଆଁ ଲେଖାଇଲା। ମାଉସୀ ତା'ର ବି ଦାୟିତ୍ବ ନେଇ ତାକୁ ବି ରଖିଲା ପାଖରେ। ସାହି ଲୋକ ଜାଣିଲେ ଆମେ ସାତ ଭାଇଭଉଣୀ ଗୋଟିଏ ମାଆ ର ସନ୍ତାନ । କେତେ ଅଭାବ କେତେ ଅସୁବିଧା ଭିତରେ ଚଳୁଥିଲେ ଆମେ ତଥାପି କେତେ ସୁଖ ଥିଲା ସେ ସମୟରେ। ମୁଁ ଆଇ ଏ ଶେଷ ବର୍ଷ ରେ ପଢୁଥିବା ବେଳେ ମୋ ମା' ର ପିତ୍ତ କୋଷ ରେ ପଥର ହେଲା । ସେତେବେଳକୁ ମୋ ସବା ସାନ ଭାଇ ଟି ଚାରି ମାସର ପିଲା । ଗାଁ ଡାକ୍ତର କହିଲେ ତୁରନ୍ତ ଅପରେସନ କରିବାକୁ ପଡିବ ନହେଲେ ରୋଗୀ ର ଜୀବନ ପ୍ରତି ବିପଦ ଅଛି। ସାଙ୍ଗେ ସାଙ୍ଗେ ମା' କୁ ଆଣିଲେ କଟକ ବଡ ମେଡିକାଲ କୁ। ମା ' ରହିଲା ବଡମେଡିକାଲରେ ଆଡମିଶନ୍ ହୋଇ , ସାନ ପିଲା ଟିର ଦାୟିତ୍ବ ପଡିଲା ମାଉସୀ ଆଉ ମୋ ଉପରେ। ସେଇ ଚାଳଘର ଟିରେ ବାଉଁଶ ଖଣ୍ଡିଏ ବାନ୍ଧି ଶାଢ଼ୀ ଟିଏ ଦୋଳି କରି ଦିନ ଯାକ ଝୁଲେଇ ଝୁଲେଇ ସାଗୁ ପାଣି ପିଆଇ ବଞ୍ଚେଇ ରଖିଲୁ ସେ ସାନ ପିଲା ଟିକୁ। ଅପରେସନ ପରେ

ଆରୋଗ୍ୟ ହୋଇ ମା' ଫେରି ଗଲା ଗାଁ କୁ କିନ୍ତୁ ଏସବୁ ଭିତରେ ମୋ ପାଠପଢା ର ବାଆର ବାଜି ଯାଇଥିଲା । ଫାଇନାଲ ପରୀକ୍ଷା ରେ ଭଲ ନମ୍ବର ରଖି ଫାଷ୍ଟ ଡିଭିଜନ ରେ ପାସ୍ କଲୁ ତୁ ଆଉ କମ୍ ନମ୍ବର ରଖି ତୃତୀୟ ଶ୍ରେଣୀ ରେ ପାସ୍ କଲି ମୁଁ। ମା' କହିଲା ଆଉ ପାଠ ଦରକାର ନାହିଁ ଏବେ ବାହାଘର ଖୋଜ।

ତୁ ରେଭେନ୍ସା କଲେଜ ରେ ପଢିଲୁ ଆଉ ମୁଁ ଗଲି ଗାଁ କୁ । ମାଉସୀ କିନ୍ତୁ ମତେ ପାଖରୁ ଛାଡିବାକୁ ମୋଟେ ଚାହୁଁ ନଥିଲା । ଏତେ ଦିନ ଧରି ଏକାଠି ରହିବା ଭିତରେ ତା'ର ମୋର କେମିତି ଗୋଟାଏ ଆତ୍ମା ର ସମ୍ପର୍କ ଯୋଡି ହୋଇ ଯାଇଥିଲା । ତତେ ଛାଡି ସେ ରହିପାରୁଥିଲା କିନ୍ତୁ ମତେ ନୁହେଁ । କଳେ ବଳେ କୌଶଳେ

କଟକ ରେ ରଖିବାକୁ ଇଚ୍ଛା କରି ସେ ମୋର ବାହାଘର ପ୍ରସ୍ତାବ ପକେଇଲା ନୂଆପାଟଣା ରେ। ମା ଟିଏ ପୁଅ ଟିଏ , ପୁଅ ଭଲ ବ୍ୟବସାୟ କରୁଛି ଭଲ ଦି ' ପଇସା ରୋଜଗାର କରୁଛି , ଶାଶୁଟି ଭଲ , ଝିଅ ଆମର ଭଲରେରହିବ, କହି ପ୍ରସ୍ତାବ ଦେଲା ମୋ ମାଆ କୁ। ବାବା ସିନା ଛୋଟ ଚାକିରୀ କରୁଥିଲେ ହେଲେ ଆମର ଥିଲା ଚାଷବନ୍ଦୀ ପୁରୁଣା କାଳିଆ ଜମିଦାର ଘର। ଘରେ କେହି ରାଜି ହେଲେ ନାହିଁ ଏମିତି ଗୋଟିଏ ବାପ ନଥିଲା ଆଭିଜାତ୍ୟଶୂନ୍ୟ ଘରେ ଝିଅ ଦେବା ଲାଗି । ମାଉସୀ କିନ୍ତୁ ଚେଷ୍ଟା ଛାଡୁ ନଥାଏ ।ସେ ମୋ ମା' କୁ ବାରମ୍ବାର ପ୍ରବର୍ତ୍ତାଇବାରେ ଲାଗି ଥାଏ ସେଇ ଯାଗାରେ ବାହାଘର କରିବାକୁ କାରଣ ସେଠାରେ ବାହାଘର ହେଲେ ମୁଁ ତା'ର ପାଖାପାଖି ରହିବି ଆଉ ସେ ଯେତେବେଳେ ଇଚ୍ଛା ମତେ ଦେଖି ପାରିବ । ଶେଷରେ ମାଉସୀଙ୍କର ଚେଷ୍ଟା ସଫଳ ହେଲା, ମା' ରାଜି ହୋଇଗଲା । ସମସ୍ତଙ୍କର ନା ନା ଆଉ ମା ' ମାଉସୀ ଦି ଜଣଙ୍କର ହଁ ହଁ ଭିତରେ ମୋ ବାହାଘର ହୋଇଥିଲା ଶ୍ରୀକାନ୍ତଙ୍କ ସହିତ ମାଉସୀଙ୍କର ପ୍ରସ୍ତାବିତ ଜାଗାରେ।

ବାପ ଘରେ କ'ଣ ଥିଲି ନଥିଲି ଜଣା ନାହିଁ , ଶାଶୁଘରକୁ ଆସି ମୁଁ ପାଲଟି ଯାଇଥିଲି ସାକ୍ଷାତ ଲକ୍ଷ୍ମୀ । ଶାଶୁ

ରେଣୁ ରେଣୁ ବୋଲି ପାଣି ପିଉ ନଥିଲେ ଆଉ ଶ୍ରୀକାନ୍ତ ତାଙ୍କ ଭଲ ପାଇବା ରେ ଏମିତି ବାନ୍ଧି ପକେଇଥିଲେ ଯେ ମୁଁ ସାରା ଦୁନିଆଁର କଥା ଭୁଲି ଯାଇଥିଲି। କିନ୍ତୁ କେବେ କେମିତି ଆମ କୋଠାଘରୁ ଆସି ଶାଶୁଘର ଭଡା ରେ ଥିବା ଦି ବଖୁରିଆ ଚାଳ ଘର ଟାର ଦୁଃଖ ମତେ ଚେଙ୍କି ପକାଉଥିଲା । ବିରାଟ ଚାଷବନ୍ଦୀ ଘରର କୁଢ କୁଢ ପରିବା ଗଦା , ଆମ୍ବ, ପଣସ, ନଡିଆ , ତାଳ , ବାଡି ପୋଖରୀର ବଡ ବଡ ସଜ ମାଛର ମୋହ ମତେ ବାପ ଘରକୁ ଟାଣୁଥିଲା । ହେଲେ ଶ୍ରୀକାନ୍ତ ଙ୍କ ପାଇଁ ସେମାନଙ୍କ ମନରେ ଥିବା ଦ୍ୱିଧା ମୋ ମନକୁ ପଛକୁ ଟାଣୁଥିଲା । ସେଥିଲାଗି ମୁଁ ସମୟ ସମୟରେ ଯାଇ ମାଉସୀ ଘରେ ତା' ହାତରନ୍ଧା ପଖାଳ ଗଣ୍ଡାଏ

ଖାଇ ମନ ଶାନ୍ତି କରି ଆସୁଥିଲି। ମନ କଥା ତା' ଆଗରେ କହି ମନ ହାଲୁକା ହୋଇ ଯାଉଥିଲା । ଶ୍ରୀକାନ୍ତ ଙ୍କର ବ୍ୟବସାୟ ଦିନ କୁ ଦିନ ବଢିବାରେ ଲାଗିଥିଲା । ଶାଶୁଙ୍କୁ ଲାଗୁଥିଲା ମୋ ଲକ୍ଷ୍ମୀ ପାଦ ତାଙ୍କ ଘରେ ପଡିବାରୁ ତାଙ୍କର ଶ୍ରୀ ବୃଦ୍ଧି ହୋଇଛି । ବର୍ଷ ଟିଏ ପରେ ମୋ କୋଳକୁ ଆସିଲା ବେବି । ଶାଶୁଙ୍କର ତ ଝିଅ

ନଥିଲା , ବେବି କୁ ପାଇ ସେ ଖୁବ୍ ଆନନ୍ଦିତ ହେଉଥିଲେ । ଶ୍ରୀକାନ୍ତ ଏ ଭିତରେ ଜାଗା ଖଣ୍ଡିଏ କିଣି ସାରିଥିଲେ ବିଡାନାସୀ ରେ । ଘର ତିଆରି କରିବାକୁ ଅଳ୍ପ ଦିନ ଲାଗିଥିଲା, ନୂଆଘରେ ପାଦ ଦେଲାବେଳକୁ

ଶ୍ରୀକାନ୍ତ ଙ୍କ ପାଖରେ ନିଜର ଦାମିକା କାର୍ ଟିଏ ମଧ୍ୟ କରି ସାରିଥିଲେ । ଶ୍ରୀକାନ୍ତ ଥିଲେ କଠିନ ପରିଶ୍ରମୀ ।

ପିଲାଟି ଦିନରୁ ବାପାଙ୍କୁ ହରାଇ ଜୀବନ କୁ ବହୁତ ପାଖରୁ ଦେଖିଥିଲେ ସେ । ନିଜେ କଷ୍ଟ କରି ନିଜ ଗୋଡ ରେ ଠିଆ ହୋଇ କେ ଦୁଃଖିନୀ ମାଆ ଟିକୁ ସଂସାର ର ସବୁ ସୁଖ ଦେବେ , ସେଇଥି ପାଇଁ ଦିନରାତି ଖାଲି କାମ କରିବାକୁ ଲାଗିଥିଲେ । କାମ ଛଡା ସଂସାର ରେ ଆଉ କିଛି ନଥିଲା ତାଙ୍କ ପାଇଁ। କାମ କରିବା , ପଇସା ରୋଜଗାର କରିବା ବ୍ୟତୀତ ଆଉ କୌଣସି କଥା ଦେଖା ଯାଉନଥିଲା ତାଙ୍କୁ । ଦିନ ରାତି ଖାଲି କାମ ହିଁ କାମ । ସଂସାର ଟା ଖାଲି କାମ ଆଉ ପଇସା ଏଇ ଦୁଇଟି ଜିନିଷ ରେ ସୀମିତ ଥିଲା ତାଙ୍କର ।

ଏପଟେ ବିଡାନାସୀ ଆସିଲା ପରେ ଆଉ ମାଉସୀ ଘରକୁ ଯାଇ ହେଉନଥିଲା କି କୌଣସି ପ୍ରକାରେ

ସମ୍ପର୍କ ରଖି ହେଉନଥିଲା । ସେଇ ଭିତରେ ତୋର ବାହାଘର ପରେ ପରେ ମଉସା ଚାକିରୀ ଛାଡି

ତମ ଗାଁ କୁ ଚାଲି ଯାଇଥିଲେ । ମୋ ସଂସାର ରେ ମଧ୍ୟ ଆଉ ଗୋଟିଏ ପୁଅ , ଗୋଟିଏ ଝିଅ ଆସି ମୋର ଜଞାଳକୁ ଆହୁରି ବଢେଇ ଦେଇଥିଲେ । ମୁଁ ଖାଲି ମୋ ଘର , ମୋ ବର , ମୋ ପିଲା ଙ୍କ ଭିତରେ ସୀସିତ ହୋଇ ରହିଗଲି । ଏତେ ପ୍ରାଚୁର୍ଯ୍ୟର ଭିତରେ ରହି ମଧ୍ୟ ମୁଁ ମୋ ନିଜକୁ ଖୋଜି ପାଉ ନଥିଲି। କେମିତି ପିଲା

ପାଠ ପଢିବେ,ମଣିଷ ହେବେ ସେଇ ଚେଷ୍ଟା ରେ ଲାଗି ରହିଥିଲି । ଐଶ୍ଵର୍ଯ୍ୟ ଆସିଲା ପରେ ଆମଘର ଲୋକମାନେ ମଧ୍ୟ ଯଥୋଚିତ ସମ୍ମାନ ଦେବାକୁ ଲାଗିଥିଲେ ଶ୍ରୀକାନ୍ତ ଙ୍କୁ । ହେଲେ ସବୁ ସୁଖ ତ ବିଧାତା

ସହନ୍ତି ନାହିଁ ନା । ମୋ ଶାଶୁ ଦୂରାରୋଗ୍ୟ କର୍କଟ ରୋଗର ଶିକାର ହେଲେ । ପିଲା ମାନଙ୍କ ସେବା ସହିତ ତାଙ୍କର ବି ସେବା କରିବାକୁ ପଡିଲା ମତେ। ତିନି ବର୍ଷ କାଳ ଘାଣ୍ଟି ହୋଇ ସିଏ ଗଲେ ଆରପାରିକୁ । ଦୁଃଖ ରେ ଭାଙ୍ଗି ପଡିଲେ ବି ଶ୍ରୀକାନ୍ତ କାମ କରିବା ଛାଡିଲେନି। ଏବେ ତାଙ୍କୁ ପିଲାମାନଙ୍କୁ ଥଇଥାନ କରିବାର ଚିନ୍ତା ଘାରି ଥିଲା । ଝିଅ ଦୁଇଜଣ ବାହା ହୋଇ ନିଜ ନିଜର ସଂସାର କଲେ। ପୁଅ ମଧ୍ୟ ଭଲ ଚାକିରି କରି ବାହା ହୋଇ ବାହାରେ ରହିଛି ତା ପିଲାମାନଙ୍କ ସହିତ ହେଲେ ଏଯାବତ୍ ତୋ ଭାଇ ଙ୍କର କାମ କରିବା ସରି ନାହିଁ।

ସେ ଏବେ ବି ସକାଳ ଛଅଟାରୁ ଉଠି ଦୋକାନ କୁ ଯାଉଛନ୍ତି ଆଉ ମୁଁ ଏବେ ବି ସେଇ ଆଗ ଭଳିଆ ତାଙ୍କ ଲାଗି ଚା ଜଳଖିଆ ଠାରୁ ଆରମ୍ଭ କରି ରାତି ଖାଇବା କରି ଜଗି ବସୁଛି। ଏତେ ବଡ ଘର ଟା ମତେ ଖାଁ ଖାଁ

ଗୋଡାଉଛି ତଥାପି ମୁଁ ନାଚାର । ଆଜି ବି ସିଏ ତାଙ୍କ ପ୍ରେମ ରେ ମତେ ଏମିତି ବାନ୍ଧି ରଖିଛନ୍ତି ଯେ ପିଲାମାନେ ତାଙ୍କ ପାଖକୁ ଡାକିଲେ ବି ମୁଁ ୟାଙ୍କୁ ଛାଡି ଯାଇ ପାରୁନି । ଜୀବନ ସାରା ଖଟି ଖଟି ସେ ଏବେ

ରୋଗୀ ହୋଇ ଗଲେଣି ତଥାପି ଖଟିବା ଛାଡୁ ନାହାଁନ୍ତି । ଆଉ ଚାଳିଶ ବର୍ଷ ଧରି ତାଙ୍କୁ ହିଁ କେନ୍ଦ୍ର କରି ଘୁରି

ବୁଲୁଥିବା ମୋ ଜୀବନ ଟା ମଧ୍ୟ ସେଇ ଅକ୍ଷାଂଶ ରୁ ଆଉ ବାହାରି ପାରୁନାହିଁ। କେମିତି ଏକ ଅଜବ ସ୍ଥାଣୁତା ଆବୋରି ବସିଛି ମତେ। ଏତେ ପ୍ରାଚୁର୍ଯ୍ୟର ଭିତରେ ଥାଇ ବି ମୁଁ ନିସ୍ୱ । ଏଠି ମୁଁ ସମ୍ପୂର୍ଣ୍ଣ ଏକା।ଖାଲି ଯନ୍ତ୍ରବତ୍

ଘୁରି ବୁଲୁଛି ଶ୍ରୀକାନ୍ତ ଙ୍କ ଚାରିପଟେ । ତାଙ୍କ ବିନା ମୋର ଅସ୍ତିତ୍ବ ହିଁ ନାହିଁ। ମୁଁ ଗୋଟିଏ କା' ମାତ୍ର ।ଆଜି ତୋର ଲେଖାଟି ପଢିବା ପରେ ମୁଁ ଭାବୁଛି, ମୁଁ ଜୀବନରେ କିଛି କରି ପାରିଲିନି । ଯଦି ମୁଁ କିଛି କାମ ନକରି ମନଧ୍ୟାନ ଦେଇ ପାଠ ପଢି ଥାଆନ୍ତି ତୋ ଭଳିଆ କୋଉଠି ଚାକିରୀ ଟିଏ କରି ଥାଆନ୍ତି । ତୋ ଭଳିଆ

କିଛି ସୃଜନଶୀଳ କାମ ବି କରି ପାରି ଥାଆନ୍ତି । ଆଜି ନିଜ ଭିତରେ ନିଜର ଅସ୍ତିତ୍ବ କୁ ସାଉଁଟି ଖୋଜିବାକୁ ପଡି ନଥାନ୍ତା।

ଲୀନା ରେ ! ତୁ ଭାବିବୁନି ଯେ ମୁଁ ତତେ ଈର୍ଷା କରୁଛି ବୋଲି । ମୁଁ କେବଳ ମୋର ଆତ୍ମସମୀକ୍ଷା କରୁଛି ।

ଈଶ୍ବରଙ୍କୁ ପ୍ରାର୍ଥନା କରୁଛି ସେ ତତେ ଯଶସ୍ବୀ କରନ୍ତୁ । ତୋ ସଫଳତା ରେ ସବୁଠାରୁ ଅଧିକ ଖୁସି ମୁଁ ହେବି ,

କାରଣ ଯେତେବେଳେ ତୁ କଲେଜରୁ ବିଶିଆ ଦହିବରା ଖାଇବା ଲାଳସା ରେ ରିକ୍ସା ଭଡା ତକ ଖର୍ଚ୍ଚ କରି ଦେଇ ଚାଲି ଚାଲି ଘରକୁ ଆସି ଥକି ଯାଇ ଶୋଇ ପଡୁଥିଲୁ ସେତେବେଳେ ଯଦି ମୁଁ ତୋ କାନ ମୋଡି ଉଠେଇ ପାଠ ପଢିବାକୁ କହି ନଥାନ୍ତି ତେବେ ତୁ ପ୍ରଥମ ଶ୍ରେଣୀରେ ପାସ୍ କେମିତି କରିଥାନ୍ତୁ ? ମୋ ସୁନା ଭଉଣୀ ପ୍ରଭୁ ତତେ ଭଲରେ ରଖନ୍ତୁ । ଏଚିଠି ଟି ଲେଖି ମୋ ମନ ହାଲୁକା ହୋଇଗଲା । କିଛି ଭାବିବୁ ନାହିଁ । ରହିଲି , ଯାଉଛି ଟିକିଏ ଶୋଇ ପଡିବି । କାଲି ସକାଳୁ ପୁଣି ପାଞ୍ଚ ଟା ବେଳୁ ଉଠି ତୋ ଭାଇ ଙ୍କ

ପାଇଁ ଚା ଜଳଖିଆ କରିବାକୁ ପଡ଼ିବ । ଇତି ।।

ତୋର ରେଣୁ ଅପା

ଚିଠି ଟି ଧରି ମୁଁ ଖମ୍ବ ଟି ଭଳି ଠିଆ ହୋଇଥିଲି । ମତେ ଲାଗୁଥିଲା ରେଣୁ ଅପାର ଲୁହ ଗୁଡାକ ମୋ ଆଖି ଦେଇ ବୋହି ଯାଉଛି।।


Rate this content
Log in

Similar oriya story from Tragedy