ଓଡିଶୀ ଶାଢୀ
ଓଡିଶୀ ଶାଢୀ
ମିଷ୍ଟର ସମୀର ଭଲ୍ଲାଙ୍କ ଲନ୍ ଟି ଆଲୋକ ମାଳାରେ ସୁସଜ୍ଜିତ ହୋଇଥିଲା।ଲାଲ,ନୀଳ,ସବୁଜ,ହଳଦୀ,ସୁନେଲୀ ଓ ରୂପେଲୀ ରଙ୍ଗର ଆଲୋକର ବର୍ଣ୍ଣାଳୀରେ ଅଳକାପୁରୀର ରମ୍ଭା,ଉର୍ବଶୀ ଓ ମେନକାଙ୍କ ଭ୍ରମ ସୃଷ୍ଟି କରୁଥିବା ପ୍ରତିମୂର୍ତ୍ତିଗୁଡିକ ମଲ୍ଟିନ୍ୟାସନାଲ୍ କମ୍ପାନୀରେ କାମକରୁଥିବା ତଥା ସୋ କଲ୍ଡ୍ ହାଇ ସୋସାଇଟିର କର୍ମଚାରୀମାନଙ୍କୁ ରୋମାଞ୍ଚିତ କରୁଥିଲା।ସୁସଜ୍ଜିତ ମଦିରା କାଉଣ୍ଟର୍ ରୁ ମଦିରା ପିଆଲା ଗୁଡିକର ଟୁଂ ଟାଂ ଶବ୍ଦ ଭାସିଆସି ମତୁଆଲା କରିଦେଉଥିଲା ଅତିଥି ମାନଙ୍କୁ।ବିଦେଶୀ ମଦିରାର ପରିବେଷଣରେ ବ୍ୟସ୍ତ ଥିବା କ୍ଷୀଣକଟୀ ତରୁଣୀ ମାନଙ୍କ ସାନ୍ନିଧ୍ୟ ଲାଭକରିବାକୁ ନିଜକୁ ନିୟନ୍ତ୍ରଣ କରିପାରୁ ନଥିବା ମଧ୍ୟବୟସ୍କ ,ବୟସ୍କ ତଥା ପ୍ରୌଢ ମାନଙ୍କୁ ଦେଖି ମୁରୁକି ହସା ଦେଉଥିଲେ କାଉଣ୍ଟର୍ ରେ ଥିବା ଆଟେନ୍ଡାଣ୍ଟ ମାନେ।ସେପଟେ ନିଅନ୍ ଆଲୋକର ଝାପ୍ସା ଦିପ୍ତୀରେ ଦୁଇଟି ଛାଇଙ୍କୁ ଆଲିଙ୍ଗନ ବଦ୍ଧ ଅବସ୍ଥାରେ ଦେଖାଯାଉଥିଲା।ଉଗ୍ର ଆଧୁନିକ ସଙ୍ଗୀତର ତାଳେ ତାଳେ ନାଚିଯାଉଥିଲା ଆମନ୍ତ୍ରିତ ଅତିଥି ମାନଙ୍କର ପାଦ ସବୁ।ତା ସାଙ୍ଗେ ସାଙ୍ଗେ ଅତ୍ୟାଧୁନିକ ସମାଜର ତଥାକଥିତ ଚଳଣୀର ଦ୍ବାହି ଦେଇ ସହକର୍ମୀ ମାନେ ପରଷ୍ପର ର ପତ୍ନୀମାନଙ୍କ ସହିତ କାନ୍ଧ ଓ କଟୀରେ ହାତରଖି ବାଲେ ଡାନ୍ସ ର ଅନୁକରଣ କରି ନାଚିଚାଲୁଥିଲେ।ପରିପାଟୀରୁ ଆଧୁନିକତାର ଛଟା ସ୍ପଷ୍ଟ ବାରି ହେଉଥିଲା।
"ମେ ଆଇ ହାଭ୍ ୟୋର୍ ଆଟେନ୍ ସନ୍ ପ୍ଲିଜ୍"..........ଷ୍ଟେଜ୍ ଉପରୁ ଏକ ମଧୁର ଗଳାର ଘୋଷଣା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଗାଢଲାଲ ରଙ୍ଗର ମର୍ମେଡ୍ ଗାଉନ୍ ପରିହିତା ସୁନ୍ଦରୀ ଆଙ୍କରିଂ କରିବାକୁ ଷ୍ଟେଜ୍ ର ମଧ୍ୟସ୍ଥଳକୁ ଆସୁଥିଲେ।ତରୁଣୀଙ୍କ ଚପଳା ମୟୂରୀର ଗତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିସାରିଥିଲା।ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ଥିଲା ଷ୍ଟେଜ୍ ଉପରେ।
ମିଷ୍ଟର୍ ସମୀର ଭଲ୍ଲା,ଚିଫ୍ ଏକ୍ଜିକ୍ୟୁଟିଭ୍ ଅଫିସର୍,ଆର୍ମାଣ୍ଡା ମଲ୍ଟିନ୍ୟାସନାଲ୍ କମ୍ପାନୀ,ହାଲକା ନୀଳ ରଙ୍ଗର ସଫାରୀ ସୁଟ୍ ରେ ମଞ୍ଚରେ ପଦାର୍ପଣ କଲେ।ସାଙ୍ଗରେ ଥିଲେ ତାଙ୍କର ଧର୍ମପତ୍ନୀ କୋମଲ୍।କିନ୍ତୁ ଏ କ'ଣ? ଆଧୁନିକତାର ପ୍ରଦର୍ଶନୀରେ କୋମଲ୍ ନୀଳ ଏବଂ ଗାଢ ଗୋଲାପୀ ରଙ୍ଗ ମିଶା ଏକ ଓଡିଶୀ ପଶାପାଲୀ ପ୍ରିଣ୍ଟ ର ସିଲ୍କ ଶାଢ଼ୀ ପିନ୍ଧିଛନ୍ତି ଯେ!ସମସ୍ତଙ୍କୁ ବିସ୍ମୟରେ ପକାଇ ଦେଇଥିଲା ଏଇ କଥାଟା।
କିନ୍ତୁ ଏଇ ନିଆରା ପରିପାଟୀ ତାଙ୍କୁ ପ୍ରଶଂସାର କେନ୍ଦ୍ରବିନ୍ଦୁ କରିଦେଇଥିଲା।
ଜଣକ ପରେ ଜଣେ ମଞ୍ଚ ଉପରକୁ ଯାଇ ମିଷ୍ଟର୍ ଭଲ୍ଲାଙ୍କୁ ଜନ୍ମଦିନର ଶୁଭକାମନା ଜଣାଉଥିଲେ।ତା ସଙ୍ଗେ ସଙ୍ଗେ ଫୁଲତୋଡା ଅଥବା ରଙ୍ଗୀନ ଚକମକିଆ ଜରିରେ ଢାଙ୍କି ହୋଇଥିବା ଉପଢୌକନ ଗୁଡିକୁ ବଢାଇ ଦେଉଥିଲେ ତାଙ୍କ ହାତକୁ।କ୍ୟାମେରାମ୍ୟାନ୍ ସତର୍କତାର ସହିତ ପ୍ରତ୍ୟେକ ଅତିଥିଙ୍କର ଫଟୋ କୁ କ୍ଲିକ୍ କରି ଚାଲୁଥିଲେ।ଭିଡିଓ ସୁଟିଂ ର ଦାୟିତ୍ୱରେ ଥିବା ମୟଙ୍କ ଖୁବ୍ ମନଦେଇ ସୁଟିଂ କାମ ବଳବତ୍ତର ରଖିଥିଲେ।
କଥାବାର୍ତ୍ତା ,ଗଳ୍ପ,ନାଚଗୀତ ସହିତ ରାତ୍ରୀ ଭୋଜନ ଆରମ୍ଭ ହୋଇଯାଇଥିଲା।ଅଗଣିତ ବ୍ୟଞ୍ଜନର ସୁଗନ୍ଧ ଭୋକକୁ ବଢାଇ ଦେଉଥିଲା।ଗପରେ ବ୍ୟସ୍ତଥିବା ବିମଲ୍ ଏଥର ପତ୍ନୀ ଶୋଭନାଙ୍କୁ ଇଶାରା ଦେଲେ ଉପହାରଟି ଆଣି ଆସିବାକୁ।ଦୁଇଜଣ ଯାକ ମଞ୍ଚ ଉପରକୁ ଯାଇ ବସ୍ ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହିତ ଉପହାରଟି ହାତରେ ଧରାଇଦେଲେ ଓ ମଞ୍ଚରୁ ଓଲ୍ହାଇ ଆସିଲେ।
ଏଭିତରେ କିନ୍ତୁ ଦୁଇଜଣ କିଛିମାତ୍ରାରେ ଗମ୍ଭୀର ଦେଖାଯାଉ ଥା'ନ୍ତି।ପ୍ଲେଟ୍ ରେ ନିଜ ନିଜର ପସନ୍ଦର କିଛି ଖାଦ୍ୟ ଧରି ଦୁଇଜଣ ଏକପାଖିଆ ହୋଇ ରହିଥିବା ଗୋଟିଏ ଟେବୁଲ ରେ ବସିଗଲେ।
ଇଚ୍ଛା ନଥିବା ପରି ନଖରେ ଆଡେଇ ଆଡେଇ ଖାଦ୍ୟ ଗୁଡିକୁ ଖାଉଥା'ନ୍ତି ଦୁଇଜଣଯାକ।ବିମଲ୍ ଙ୍କ ଅଜାଣତରେ ବାରମ୍ବାର ନିଜର ଆଖି ପୋଛୁଥା'ନ୍ତି ଶୋଭନା।ଲୁହର ଧାର ତାଙ୍କ ଶତଚେଷ୍ଟାକୁ ବି ଅମାନ୍ୟ କରି ଘାଇ ଭାଙ୍ଗିଲା ପରି ବର୍ଷି ଯାଉଥିଲେ।ହଠାତ୍ ହେଙ୍କା ଉଠିବାରୁ ଏପର୍ଯ୍ୟନ୍ତ ତଳକୁ ମୁହଁ କରି ବସିଥିବା ବିମଲ ମୁହଁ ଉଠାଇ ଦେଖିଲା ବେଳକୁ ଶୋଭନାଙ୍କ ଗୋରା ମୁହଁଟି ବାରମ୍ବାର ରୁମାଲର ବ୍ୟବହାର ପାଇଁ ଲାଲ ହୋଇଯାଇଥାଏ।ଆଖି ଦୁଇଟିରେ ଲୁହଗୁଡା ଢଳଢଳ ହେଉଥାନ୍ତି। ନିଜର ରୁମାଲଟି ବାମ ହାତରେ ନେଇ ଖୁବ୍ ଯତ୍ନରେ ଶୋଭନାଙ୍କ ଆଖି ଦୁଇଟି ପୋଛିଦେଲେ ବିମଲ।ଟିସୁ ପେପର ରେ ନିଜ ହାତ ପୋଛି ଶୋଭନାଙ୍କ ହାତକୁ ଚାପିଧରି କହିଲେ "ମତେ କ୍ଷମା କରିଦିଅ ସୁଇଟ୍ ହାର୍ଟ।ମୋର ଅଜାଣତରେ ମୁଁ ତୁମ ମନରେ ବହୁତ ବଡ ଆଘାତ ଦେଇଛି।କେତେ ସରାଗରେ ଓଡିଶୀ ଶାଢ଼ୀଟି ବାହାର କରିଥିଲ ପିନ୍ଧିକି ଆସିବା ପାଇଁ।ଆଧୁନିକତାର ଦ୍ବାହି ଦେଇ ଆମ ଓଡିଶାର ପାରମ୍ପରିକ ପୋଷାକ ପ୍ରତି ମୁଁ ଖୁବ୍ ଅବହେଳା ପ୍ରଦର୍ଶନ କରିଛି।ତୁମକୁ ତୁମର ପସନ୍ଦର ଶାଢ଼ୀ ପିନ୍ଧିବାକୁ ବାରଣ କରି,ତୁମକୁ ଆଉଟ୍ ଡେଟେଡ୍ କହି କେତେଯେ ଭୁଲ କରିଛି ଏକଥା ମୁଁ ହୃଦୟଙ୍ଗମ କରିପାରିଛି।ଭଲ୍ଲା ମ୍ୟାଡାମ୍ ଅଣଓଡିଆ ହୋଇମଧ୍ୟ ଓଡିଶୀ ବସ୍ତ୍ରର ମର୍ଯ୍ୟାଦା ବଢାଇବା ବେଳେ ମୁଁ କେମିତି ନିଜର ରାଜ୍ୟର ଗର୍ବ ଓ ଗୌରବ ବହନ କରୁଥିବା ଜିନିଷକୁ ଭୂଲିଗଲି।ମସ୍ତବଡ ଭୂଲ କରିଛି ମୁଁ।ମତେ କ୍ଷମା କରିଦିଅ ଶୋଭନା।କଥାଦେଉଛି ଭବିଷ୍ୟତରେ ଏଭଳି ଭୂଲର ପୁନରାବୃତ୍ତି ହେବନି।"କହୁକହୁ ଶୋଭନାଙ୍କୁ ନିଜର ବାହୁଯୁଗଳରେ ଜଡାଇ ଧରିଲେ ବିମଲ।
ଚୁପ୍ ଚାପ୍ ହୋଇ ଶୁଣୁଥିବା ଶୋଭନାଙ୍କ ମୁଖମଣ୍ଡଳରେ ସ୍ମିତହାସ୍ୟର ଏକ ଝଲକ ସୂଚନା ଦେଉଥିଲା ଯେ ସେ ସ୍ବାମୀ ବିମଲଙ୍କୁ କ୍ଷମା କରିଦେଇଛନ୍ତି।ଆଶାର ନୂଆ କିରଣ ତାଙ୍କର ମନରେ ଝଲସି ଉଠି ମୁଖମଣ୍ଡଳର ଆଭାକୁ ଦ୍ବିଗୁଣିତ କରୁଥିଲା।
*** ମିନାକ୍ଷୀ ସାମଲ ***