ପଡୋଶୀ
ପଡୋଶୀ
କିଛି ନା କିଛି କାମ ବାହାନାରେ , ସ୍ୱପ୍ନା ଦିନରେ ଥରୁଟିଏ ତା' ଘରକୁ ଘେରାଏ ମାରିବ ଈ ମାରିବ । ପ୍ରବୀଣ ଥିଲାବେଳେ , ସ୍ୱପ୍ନାର ଆସିବା , ନେହାକୁ ଆଦୌ ଭଲଲାଗେନି । କିନ୍ତୁ ଭିତରଟା ପୋଡିଗଲେ କାହାକୁ ଦେଖାଇ ହୁଏନି ।
ଆଉ ପ୍ରବୀଣ ??? କିଛି କମ୍ ନୁହଁନ୍ତି ସେ । ଯେବେକେବେ ଦେହପା' ହୋଇ ସ୍ୱପ୍ନା ଦେଖାନଦେବ , ବାରବାର ପ୍ରବୀଣ ପଚାରୁଥିବେ -
- ରଥବାବୁ ଘର କୁଆଡେ ଯାଇଛନ୍ତି କି ??
ଜଳିଯାଏ ନେହାର ଦେହ । ପର ସ୍ତ୍ରୀ ପାଇଁ ଏତେ ଆଟେନସନ୍ କ'ଣ ମଁ ଗୋଟେ ?? ଠିକ୍ ଅଛି ସ୍ୱପ୍ନା ଟିକେ ମେଣ୍ଟେନ୍ଡ୍ । ତେବେ ସେ ନେହାଠୁଁ ଚାରି ପାଞ୍ଚ ବର୍ଷ ସାନ ବି ତ ??
ଅବଶ୍ୟ ସ୍ୱାମୀ ହିସାବରେ ପ୍ରବୀଣ ଭଲ । କିନ୍ତୁ ସେଇ ପୁରୁଷ ମାନସିକତା । ସବୁବେଳେ କହୁଥିବେ -
- ମଣିଷ ନିଜେ ସୁନ୍ଦର ହେଉ କି ନହେଉ , ନିଜର ସୌନ୍ଦର୍ଯ୍ୟବୋଧ କିନ୍ତୁ ରହିବା ଦର୍କାର ।
ତା'ବୋଲି କଣ ପଡୋଶୀ ସ୍ତ୍ରୀ କୁ ପ୍ରଶଂସା ??
- ସ୍ୱପ୍ନା ବାଳ କାଟିଦେଇଛିକି ନେହୁ ??
- ହଁଅଁ ! କଣ ହେଲାକି ?
- ନାଇଁ , ବରଂ ବାଳ ବେଶି ଥିଲା ବେଳେ ଭଲଲାଗୁଥିଲା ।
- ତୁମେ ତାକୁ ଏତେ ନିରିଖେଇ ଦେଖ ନା ??
- ନାଁ ମଁ ! ଅଧିକା ଥିବ , ହଠାତ୍ କମିଗଲେ ଆଖିରେ ପଡିବନି ?
ଆଉ ବେଶି ଯୁକ୍ତି କରେନି ନେହା । କଲେ , ଅଧିକା ପ୍ରଶସ୍ତି ଗାଇବ ପ୍ରବୀଣ । କେଉ ନାରୀ ଏସବୁ ସହେ ଯେ ??
★★★
ସେଦିନଠୁଁ ପ୍ରବୀଣ ଗୁମସୁମ୍ । କାରଣଟା ଉପରେ ସଂଦେହ ଥିଲେବି , ଅକାରଣେ ଲୋକଟାକୁ ବିରକ୍ତ କରିବାକୁ ଚାହିଁଲାନି ନେହା ।
- ରଥବାବୁ କେବେ ଯାଉଛନ୍ତି ଏଠୁ ?
- କାଲି ।
- କାଲି ???
- ହଁଅଁ ! ଚମକିଲ ଯେ' ?
- ନାଇଁ , ଟିକେ ସେମାନଙ୍କୁ ଖୁଆଇପିଆଇ ବିଦାୟି ଦେଇଥାନ୍ତେ । ଏତେବର୍ଷ ରହିଲେ ପଡୋଶୀ ହୋଇ , ବିନା ବାଦବିବାଦରେ । ବଡକଥା ।
ସତରେ ଚିଡିଗଲା ନେହା ଏଥର । ଏତେ କଣ ଗୋଟେ ?
- ସୁଆଗ ଥାଉ । ଭଡାଘରେ ପଡୋଶୀ ଆସିବେ ଯିବେ । ଏତେଯାକ ଭାବଅଭାବ ଭଲନୁହେଁ ।
ପ୍ରବୀଣ ଚୁପ୍ ରହିଲା ।
ପରଦିନ , ସ୍ୱପ୍ନା ଯିବାବେଳେ , ନେହାକୁ ଧରି ଖୁବ୍ କାନ୍ଦିଲା । ଭାଗ୍ୟଭଲ ପ୍ରବୀଣ ଅଫିସ୍ ଯାଇଥିଲେ ।
★★★
ଢେର୍ ଦିନ ପାଖଘରଟା ଖାଲି ପଡିଲା । କାହାକୁ ଘର ପସନ୍ଦ ହେଉନଥିଲା ତ କିଏ ଘରବାଲାକୁ ପସନ୍ଦ ହେଉନଥିଲେ । ପ୍ରବୀଣ ନର୍ମାଲ ହୋଇସାରିଥିଲେ । ସ୍ୱପ୍ନାର ସ୍ୱପ୍ନ ଫିକା ପଡିସାରିଥିଲା ।
ସେଦିନ ତଳେ ପାଟି ଶୁଭିବାରୁ , ନେହା ବାଲକୋନୀରୁ ଦେଖିଲା ନୂଆ ଭଡାଟିଆ । ନୂଆ ପଡୋଶୀ । ଆଖି କୋଣରୁ ନିରିଖେଇଲା ନେହା । ସ୍ୱାସ୍ଥ୍ୟବତୀ ଭାରିଭରକମ୍ ସ୍ତ୍ରୀ ଟାଏ । ଛୋଟବଡ ମିଶାଇ ପିଲା ଯୋଡିଏ । ପାଟିତୁଣ୍ଡ କରି ଶିଢୀ ଚଢୁଥିଲେ । ନେହା ଖୁସିହେଲା । ଏଥର ପ୍ରବୀଣର ସୌନ୍ଦର୍ଯ୍ୟବୋଧ ମାଡ ଖାଇଯିବ ନିଶ୍ଚୟ ।
ଆଉଟିକେ ନିରିଖେଇଲା ଉପରୁ ନେହା । ଗାଡିବାଲା ସହ ଜିନିଷ ପତ୍ର କାଢୁଥିବା ଗୃହକର୍ତ୍ତାଙ୍କୁ । ସୁନ୍ଦର, ସୁଠାମ , ଡେଙ୍ଗା ମଣିଷଟାଏ । ଫ୍ରିଜ୍ ଟା ତଳେ ଥୋଉଥୋଉ , ମୁହଁ ହୋଇଗଲା ଉପରକୁ । ଆଖିରେ ଆଖି ପଡିଯିବାରୁ , ନେହା ଚମକିପଡିଲା । କେତେବେଳୁ ଦେହ ଅସଂଜତ ହୋଇସାରିଥିଲା ନିଘା ନଥିଲା ତା'ର ।
ସତରେ ଅନ୍ତରଙ୍ଗ ପଡୋଶୀ ଟିଏର ଆବଶ୍ୟକତା ପଡେ ଏଇ ଏକା ଏକା ଜୀବନରେ । ଯା'ର ଗୋଟେ ଭଲ ଦିଗ ବି ଥାଏ । ସବୁ ଆକର୍ଷଣକୁ ସନ୍ଦେହ ଭୁକ୍ତ ନକଲେ ଭଲ । କାହିଁକି କେଯାଣି ନେହାର ଏଇତକ ହୃଦବୋଧ ହେବାରେ ଲାଗିଲା ଏବେଏବେ ।
ଭଲକି କ୍ଲାମ୍ପ୍ ଦେଇନଥିବାରୁ , ତାର ଉପରେ ଶୁଖୁଥିବା ଅନ୍ତବସ୍ତ୍ରଟାଏ ପଡିଗଲା ଚଟାଣରେ ନିଶବ୍ଦରେ ଏଥର !!!!
ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର