Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -157
ଜହ୍ନମାମୁଁ -157
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.4K    13


Content Ranking

ଦର୍ପଣବାଲା ରୂପମ୍ 2

ଏସବୁ କଥା ଶୁଣି ରୂପମ୍ ଙ୍କର କେତେକ ବନ୍ଧୁ ତାଙ୍କ ଘରକୁ ଆସି ଦର୍ପଣରେ ମୁହଁ ଦେଖିଲେ । କିନ୍ତୁ ପୂର୍ବପରି ତାହା ଆହୁରି ଅଧିକ ସୁନ୍ଦର ପ୍ରତିବିମ୍ବ ଦେଖାଇଲା । ଜମିଦାର ଏକଥା ଶୁଣିଲେ । କଥା କ’ଣ ହେଲା କି ଦର୍ପଣଟି ରୂପମ୍ଙ୍କ ଘରଠାରୁ ଭିନ୍ନ ସ୍ଥାନକୁ ନେଲେ ଚେହେରା ଖରାପ ଦେଖାଯାଏ । କେବଳ ରୂପମଙ୍କ ଘରେହିଁ ସୁନ୍ଦର ଦେଖାଯାଏ । ପ୍ରତ୍ୟେକ ମଣିଷ ଚେହେରାରେ କିଛିଟା ଭଲ ଓ କିଛିଟା ମନ୍ଦ ଥାଏ । ଦର୍ପଣରେ ଭଲ ଅଂଶ ଗୁଡିକ ବେଶି ଦେଖାଯାଏ, ମନ୍ଦ ଅଂଶ ଗୁଡିକ ଆଦୌ ଦେଖାଯାଏ ନାହିଁ । ଏକଥା ଶୁଣି ଜମିଦାର ରୂପମ୍ ଙ୍କ ଘରକୁ ଆସିଲେ; ଦେଖିଲେ ଦର୍ପଣରେ ତାଙ୍କର ପ୍ରତିବିମ୍ବ ଅତ୍ୟନ୍ତ ସୁନ୍ଦର; ସେ ଚିତ୍ରକାରକୁ ତତ୍କ୍ଷଣାତ୍ ଡକାଇ ଦର୍ପଣରେ ଦିଶୁଥିବା ମୁହଁର ଚିତ୍ର କରାଇ ନେଲେ । ନିଜେ ଖୁବ୍ ଖୁସି ହୋଇ ରୂପମ୍ ଙ୍କ କିଛି ଧନ ମଧ୍ୟ ଦେଲେ ।

ରୂପମ୍ ପୂର୍ବପରି ଅତିଥିଚର୍ଚ୍ଚା କରୁଥା’ନ୍ତି । କିନ୍ତୁ ଲୋକସଂଖ୍ୟା ଏତେ ବଢିଲେ ଯେ ଅତିଥିଙ୍କୁ ଭଲ ଭାବରେ ଚର୍ଚ୍ଚା କରିବା ଆଉ ତାଙ୍କ ଶକ୍ତି ମଧ୍ୟରେ ରହିଲା ନାହିଁ । ଅତିଥିଚର୍ଚ୍ଚା ନକଲେ ମଧ୍ୟ ମାୟାଦର୍ପଣ ଯୋଗୁଁ ଲୋକମାନେ ଆସୁଥା’ନ୍ତି ।

ଥରେ ସେ ଭାବିଲେ ତାଙ୍କ ବିଷୟରେ ଲୋକେ କ’ଣ ସବୁ କହୁଛନ୍ତି ତାହା ଜାଣିବା କଥା । ତେଣୁ ସେ ତାଙ୍କ ଘରର ଦାୟିତ୍ୱ ପତ୍ନୀଙ୍କ ଉପରେ ଛାଡିଦେଇ ନିଜେ ରାଜଧାନୀ ଅଭିମୁଖେ ଚାଲିଲେ ।

ରାଜଧାନୀରେ ପହଁଚିବା ପରେ କେହି ତାଙ୍କୁ ପଚାରିଲେ, “ଆଚ୍ଛା ତମେ ଧବଳପୁରରୁ ଆସିଛ ତ? ଭାଇ ମୋତେ ଟିକିଏ ସେ ଦର୍ପଣବାଲା ରୂପମ୍ ଙ୍କ ବିଷୟରେ କିଛି କୁହତ? ତୁମେ ତ ନିଶ୍ଚୟ ତାଙ୍କୁ ଜାଣିଥିବ?”

ଏକଥା ଶୁଣି ରୂପମ୍ ଖୁସି ହେଲେ । ନିଜର ପରିଚୟ ନ ଦେଇ ସେ କହିଲେ, “ଧବଳପୁର ନାମ ସହିତ ରୂପମ୍ ଙ୍କ ନାମ ଏତେ ମାତ୍ରାରେ ଜଡିତ ଯେ ମୁଁ ବା କିପରି ତାଙ୍କୁ ନ ଜାଣିବି?”

ରୂପମ୍ ଙ୍କ ବିଷୟରେ ଅଧିକ ଜାଣିବାକୁ ସେହି ବ୍ୟକ୍ତିଟି ରୂପମ୍ ଙ୍କ ନିଜ ଘରକୁ ନିମନ୍ତ୍ରଣ କଲେ; ରୂପମ୍ ସେଠାରେ ପହଁଚି ଦେଖିଲେ ତାଙ୍କ ଘରେ ଦୟାରାମଙ୍କ ଚିତ୍ର ଅଛି, ସେ ଆଶ୍ଚର୍ଯ୍ୟ ହେବାର ଅଭିନୟ କରି ପଚାରିଲେ, “ଏ ବ୍ୟକ୍ତି ଜଣକ କିଏ? ଏହାଙ୍କ ଚିତ୍ର କିପରି ଆପଣଙ୍କ ଘରେ?”

ଉକ୍ତ ବ୍ୟକ୍ତି କହିଲେ, “ଆଶ୍ଚର୍ଯ୍ୟ କଥା ତୁମେ ଏହାଙ୍କୁ ଜାଣନାହିଁ? ଏହି ମହାପୁରୁଷ ତ ତୁମରି ଗ୍ରାମର ଲୋକ? ଦର୍ପଣବାଲା ରୂପମ୍ ଙ୍କ ଘର ପାଖରେ ଏହାଙ୍କ ଘର । ଅତିଥିସତ୍କାର ଶବ୍ଦ ସହ ଏହାଙ୍କ ନାମ ବେଶ୍ ଜଡିତ । ଏହାଙ୍କ ଆତିଥ୍ୟ କଥା ଶୁଣି ଦିନେ ରାଜା ଏହାଙ୍କୁ ଦରବାରକୁ ଡାକି ସମ୍ମାନିତ କରିଥିଲେ । ରାଜା ତାଙ୍କୁ ତାଙ୍କର ଅତିଥିସତ୍କାର ପାଇଁ ପୁରସ୍କାର ଦେଇଛନ୍ତି ଓ କିଛି ଧନ ମଧ୍ୟ ଦେଇଛନ୍ତି, ଯଦ୍ୱାରା ଅତିଥିସତ୍କାର କରିବାରେ ତାଙ୍କୁ ଯଥେଷ୍ଟ ସୁବିଧା ହେବ । ଲୋକେ ତାଙ୍କୁ କୁହନ୍ତି “ଅତିଥିପରାୟଣ ଦୟାରାମ” । ତାଙ୍କର ଚିତ୍ରପଟ ବହୁ ଲୋକଙ୍କ ଘରେ ତୁମେ ଦେଖିବାକୁପାଇବ ।”

ଏତକ ଶୁଣି ସେ ନିରାଶ ହୋଇ ପୁଣି ନିଜ ଗ୍ରାମକୁ ଫେରିଲେ, ରାସ୍ତାରେ ପୂର୍ବୋକ୍ତ ସାଧୁଙ୍କ ସହିତ ତାଙ୍କର ଦେଖା ହେଲା । ସାଧୁ କହିଲେ, “କ’ଣ ହେଲା? ଲୋକେ ତୁମକୁ ଦର୍ପଣବାଲା ରୂପମ୍ ବୋଲି କହୁଛନ୍ତି, ପୁଣି ଏ ଉଦାସ କାହିଁକି?”

ରୂପମ୍ କହିଲେ “ସାଧୁଜୀ, ମୁଁ ଆପଣଙ୍କୁ ମୋ ବ୍ୟଥା ବିଷୟ କହି ପାରୁନାହିଁ । ମୁଁ ମୋ ନିଜ ବିଷୟରେ ଶୁଣିବାକୁ ରାଜଧାନୀ ଆସିଲି । ଦୟାରାମ ଯେଉଁ ଯଶ ଓ ସମ୍ମାନ ପାଇଛନ୍ତି ମୁଁ ତାହା ପାଇପାରିଲି ନାହିଁ । ସବୁକିଛି ଦେଖି, ଜାଣି ମୋ ମନ ବଡ କଷ୍ଟ ହେଲା । ଏବେ ଆପଣଙ୍କ ଦର୍ପଣ ଆପଣ ଫେରାଇ ନିଅନ୍ତୁ ।”

ତା’ପରେ ରୂପମ୍ ସେହି ଦର୍ପଣଟିକୁ ସାଧୁଙ୍କୁ ଫେରାଇ ଦେଲେ ।

ଏହି କଥାଟି ଶୁଣାଇବା ପରେ ବେତାଳ କହିଲା, “ରାଜନ୍, ଦର୍ପଣବାଲା ରୂପମ୍ ଙ୍କ କଥା ତୁମକୁ ଟିକେ ଆଶ୍ଚର୍ଯ୍ୟ ଲାଗୁ ନାହିଁ? ସାରା ଦେଶରେ ତାଙ୍କ ନାମ ସମସ୍ତେ ଜାଣିଲେ, ହେଲେ ତାଙ୍କ ମନରେ ଏତେ ଅସୁନ୍ତୁଷ୍ଟ କଣ ପାଇଁ? ସେ ସାଧୁଙ୍କୁ ତାଙ୍କ ମାୟାଦର୍ପଣଟିକୁ ଫେରାଇଲେ କାହିଁକି? ଏସବୁ ପ୍ରଶ୍ନର ଉତ୍ତର ଜାଣି ତମେ ଯଦି ନୀରବ ରହିବ, ତେବେ ତମ ଶିର ସ୍କନ୍ଧଚ୍ୟୁତ ହେବ ।”

ଏକଥା ଶୁଣି ରାଜା ବିକ୍ରମ ତୁରନ୍ତ ଉତ୍ତର ଦେବାକୁ ଯାଇ କହିଲେ, “ରୂପମ୍ ରାଜଧାନୀସ୍ଥ ସେହି ବ୍ୟକ୍ତିଙ୍କ ପାଖରୁ ଏହି ତଥ୍ୟ ବିଷୟରେ ଜାଣିଲେ ଯେ ତାଙ୍କ ଘରକୁ ଆସୁଥିବା ଲୋକମାନେ ଦର୍ପଣ ପାଇଁ ତାଙ୍କ ଘରକୁ ଆସୁଛନ୍ତି ମାତ୍ର ତାଙ୍କ ପାଇଁ ନୁହେଁ । ତେଣୁ ଏଥିରୁ ତାଙ୍କୁ ଯେଉଁ ଯଶ ମିଳିଲା ତାହା ଦର୍ପଣର, ତାଙ୍କର ନୁହେଁ । ତାଛଡା ସେ ଦର୍ପଣଟି ମଧ୍ୟ ପୁଣି ଅନ୍ୟଜଣକ ଦୟାରୁ ମିଳିଛି । ଅତିଥିପରାୟଣ ଦୟାରାମଙ୍କ କଥା ଭିନ୍ନ । ତାଙ୍କର ଯଶକୀର୍ତ୍ତି ତାଙ୍କ ନିଜ କର୍ମର ଫଳ । ଏହି କଥା ଜାଣିବା ପରେ ସେ ବୁଝିଲେ କି ସେ କେବେବି ମଧ୍ୟ ଦୟାରାମଙ୍କ ପରି କୀର୍ତ୍ତି ଅର୍ଜ୍ଜନ କରିପାରିବେ ନାହିଁ । କେବଳ ସେଇଥିଯୋଗୁଁ ସେ ଅସନ୍ତୁଷ୍ଟ ହୋଇ ସେହି ମାୟାଦର୍ପଣକୁ ସାଧୁଙ୍କୁ ଫେରାଇ ଦେଲେ ।” ଏତିକି କହି ବିକ୍ରମ ନୀରବ ରହିଲେ ।

ରାଜାଙ୍କର ମୌନଭଙ୍ଗ ହୁଅନ୍ତେ ଶବ ସହିତ ବେତାଳ ପୁଣି ଯାଇ ପୂର୍ବୋକ୍ତ ଗଛରେ ଝୁଲି ପଡିଲା ।




ରୂପମ୍ ଦର୍ପଣବାଲା ବିକ୍ରମ

Rate the content


Originality
Flow
Language
Cover design

Comments

Post

Some text some message..