Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Swagatika Mishra

Others Tragedy

3  

Swagatika Mishra

Others Tragedy

ବୁଲା କୁକୁର

ବୁଲା କୁକୁର

5 mins
7.0K


ସେ ବର୍ଷ ଶନିବାର ଆଉ ରବିବାର ଦୁଇ ଦିନ ଲାଗି କରି ଛୁଟି ପଡ଼ିଥାଏ । ମୋର ବାଲେଶ୍ୱରସ୍ଥିତ ବାନ୍ଧବୀ ପୂଜା ଫୋନରେ କହିଲେ ସେ ପୁରୀ ଆସିବେ,ଜଗନ୍ନାଥ ଦର୍ଶନ ଅଭିଳାଷେ । ଶୁକ୍ରବାର ଦିନ ସନ୍ଧ୍ୟାରେ ସେ ପୁରୀ ଷ୍ଟେସନ୍ ରେ ପହଁଚିବା ପରେ ମୁଁ ବାହାରି ଗଲି ବାନ୍ଧବୀ ଜଣଙ୍କୁ ଆଣିବା ପାଇଁ ମୋର ଏକମାତ୍ର ସାହାରା ଅଟୋ ଟିଏ ଧରି । ସେଦିନ ରାତିରେ ଖୁବ୍ ଗପ ସପ ସହ ଚା’ ଓ ପକୋଡ଼ିର ମଜା ନେଉ ନେଉ ନିଷ୍ପତି ନିଆଗଲା ଆସନ୍ତା କାଲି ପ୍ରାତଃ ସମୟ ରେ ଯିବୁ କାଳିଆ ଠାକୁର ଦର୍ଶନ ପାଇଁ ।

ଶନିବାର ସକାଳୁ ମୁଁ ମୋ ସ୍ନାନ ଓ ଠାକୁର ପୂଜା ସାରି ବାଲକୋନୀ ସ୍ଥିତ ଚେୟାରରେ ବସି ଖବର କାଗଜ ଉପରେ ନଜର ପକାଉ ପକାଉ ମୋର ନଜର ପଡ଼ିଲା ତଳେ ଥିବା ଏକ ଅପରିଷ୍କାର, ଅପରିଛନ୍ନ,ରୁଗ୍ଣ ମ୍ଲେଛ କୁକୁର ଉପରେ । କୁକୁରଟି ଥିଲ ଖୁବ୍ ଦୁର୍ବଳ ଆଉ ସ୍ଥାନେ ସ୍ଥାନେ ଲୋମ ଉହାଡରୁ ଫୁଟି ଦିଶୁ ଥାଏ ତାର ଚର୍ମ । ପିଂଜରା ହାଡ ଗୁଡାକ ତାକୁ ଅଟ୍ଟହାସ୍ୟ କରି ବାହାରି ଆସୁ ଥାନ୍ତି ବାହାରକୁ । କୁକୁରକୁ ଦେଖି ଦେଇ ମୋ ମନଟା ବିଗିଡି ଗଲା । କାରଣ ଗତ କିଛି ଦିନ ହେଲ କୁକୁରଟା ମୋତେ ନାକେଦମ୍ କରି ରଖି ଥାଏ । ମୋ ଘରଟାକୁ ସେ ପୁରା ସୁଲଭ ଶୌଚାଳୟ କରି ସାରି ଥାଏ । ଆଉ ତାର ସେଇ ଅପରିଷ୍କାର ମଳର ଦର୍ଶନ ସହ ତାକୁ ସଫା କରିବା ମୋର ଏକ ନିତ୍ୟ କର୍ମ ହୋଇ ସାରି ଥାଏ । ତେଣୁ କୁକୁରଟି ଉପରେ ଖୁବ୍ ରାଗିବା ସହ ମନେ ମନେ ବହୁତ ଗାଳି ଦେଲି । ହେଲେ କୁକୁରର କୌଣସି ଥିରେ କିଛି ଫରକ ପଡୁ ନ ଥାଏ । ସେ ତା ନିଜ କାମରେ ଲାଗି ପଡ଼ି ଥାଏ । ଘର ସମ୍ମୁଖରେ ଥିବା ପରିତ୍ୟକ୍ତ ଖାଦ୍ୟ ଡବାରୁ କିଛି ଗୋଟାଏ ନେଇ ଦୌଡ଼ି ପଳାଉଥାଏ । ପୁଣି ଆସୁ ଥାଏ କିଛି ସମୟ ପରେ ।

ଠିକ ଏହି ସମୟରେ ମୋ ବାନ୍ଧବୀ ଜଣଙ୍କ ତାଙ୍କ ନୀଳ ରଙ୍ଗର ନୁଆ ଶାଢ଼ୀ ପିନ୍ଧି କହି ପକାଇଲେ,ଆରେ ଲିଜା !ମୁଁ ବାହାରି ସାରିଲାଣି ଚାଲ ଚାଲ ଖରା ଆସିବା ପୂର୍ବରୁ ଦର୍ଶନ କାମଟା ସାରି ଦେଇ ଆସିବା । ମୁଁ ମଧ୍ୟ ହଁ ହଁ ଚାଲ ଯିବା କହି ଘର କବାଟ କଣ୍ଟା ଦେଇ ଦୁଇ ଜଣ ବାହାରି ପଡ଼ିଲୁ ।

ଘର ଫାଟକଟି ଖୋଲୁ ଖୋଲୁ ସବୁ ଦିନ ପରି ସଦ୍ୟ ମଳର ଦର୍ଶନ କରି ନାକକୁ ଟେକି ଟେକି ରାସ୍ତା ପାଖକୁ ଆସିଲା ବେଳେ ପୁଣି କୁକୁରଟିକୁ ଗାଳି କରିବାରୁ ପୂଜା ମତେ ପରିହାସ ରେ କହି ପକାଇଲା,ତୁମ ପୁରୀ ରେ ବୁଲା ଷଣ୍ଢ ଆଉ ବୁଲା କୁକୁର ପୁରୀର ଅଧା ଯାଗା ମାଡ଼ି ବସିଛନ୍ତି । ଏଇଟା କୋଉ ନୂଆ କଥା?ମୁଁ ମଧ୍ୟ ସେ କଥାରେ ସହମତି ପ୍ରକାଶ କରି ଆଗକୁ ବଢିବା ମାତ୍ରେ ପରିତ୍ୟକ୍ତ ଖାଦ୍ୟ ଡବା ପାଖରେ ଦୁଇ ତିନୋଟି କୁକୁରଙ୍କର ଝଗଡା ଆରମ୍ଭ ହୋଇଗଲା । ଆଉ ରୁଗ୍ଣ କସରା କୁକୁରଟି ଭୟ ପାଇ ଦୌଡ଼ି ଆସିଲା ଆମ ଆଡେ ଆଉ ଘସି ହୋଇଗଲା ମୋ ଶାଢ଼ୀ କାନିରେ । ଏଥର ମୋ ମୁଣ୍ଡକୁ ବିଷ ଚଢି ଗଲା ।  ରାଗ ଆଉ ବିରକ୍ତରେ ପାଖରେ ପଡ଼ି ଥିବା ବାଡ଼ି ଟିକୁ ଉଠାଇ ଆଣି ଦୁମ୍ ଦୁମ୍ କରି ତିନି ଚାରି ପାହାର କସି ଦେଇ କହିଲି,ପାନେ ନେ ଯେ ଆଉ ଦିନେ ମୋ ଘର ପାଖ ମାଡ଼ି ବୁନି । ବିଚରା କୁକୁର ଟି କେଁ..କେଁ... ହୋଇ ରଡ଼ି କରୁ ଥାଏ । କୁକୁର ଟିକୁ ବାଡେଇ ମୁଁ ଖୁବ୍ ଆତ୍ମ ସନ୍ତୋଷ ପାଉ ପାଉ,ପୂଜା କହି ପକାଇଲା,ଛିଃ... ଛିଃ.. କୁକୁରଟା ଛୁଇଁ ଦେଲା । ପୁରା ଛୁଆଁ ହୋଇଗଲେ ଆଉ ଥରେ ଗାଧୋଇକି ମନ୍ଦିର ଯିବାକୁ ପଡ଼ିବ । ଆଉ ଆମେ ଚାଲିଗଲୁ ପୁଣି ଘର ଭିତରକୁ ।

ଆମେ ଦୁଇ ବନ୍ଧୁ ଗାଧୋଇ ପୋଷାକ ବଦଳାଇ ମନ୍ଦିର ଚାଲିଗଲୁ । ଏପଟେ ବିଚରା କୁକୁରଟି ମୋ ମାଡ଼ ଯନ୍ତ୍ରଣ ।  ରେ ଜର୍ଜରିତ ହୋଇ ଘୋଷାରି ଘୋଷାରି ହୋଇ ଆସି ପଡ଼ି ଥାଏ ସେହି ପରିତ୍ୟକ୍ତ ଖାଦ୍ୟ ଡବା ପାଖରେ । ଦର୍ଶନ ସାରି ଫେରିଲା ବେଳକୁ ସମୟ ପ୍ରାୟ ଦଶଟା । ଫାଟକ ଚାବି ଖୋଲୁ ଖୋଲୁ କୁକୁର ମଳର ଦୁର୍ଗନ୍ଧ ମନେ ପକେଇ ଦେଲା ସକାଳର ଘଟଣା । ମୁଁ ଟିକେ ଚାରିଆଡେ ଆଖି ବୁଲାଇ ଆଣିଲି ଆଉ ଦେଖିଲି କୁକୁରଟା ସେଇ ଖାଦ୍ୟ ଡବା ପାଖରେ ପଡ଼ିଛି । ମନେ ମନେ ନିଜକୁ ନିଜେ ବାହାଦୁରି ଦେଇ ଦୁଇ ବନ୍ଧୁ ଘର ଭିତରକୁ ଆସିଲୁ ।

ଦ୍ୱିପ୍ରହର ଭୋଜନ ସାରି ଦୁଇ ବନ୍ଧୁ ବିଶ୍ରାମ ନେଉ ନେଉ କେତେବେଳେ ଖରା ଗଡ଼ି ଯାଇଥାଏ । ଚା’ କପଟା ବାନ୍ଧବୀଙ୍କୁ ବଢ଼ାଇ ଦେଉ ଦେଉ କାନରେ ପଡ଼ିଲା କୁକୁରଟାର ବିକଟାଳ ରଡି,ତଳକୁ ଦେଖିଲି ତ ଘାଇଲା କୁକୁରଟା ପାଖେ ଆହୁରି ଦୁଇଟା ବୁଲା କୁକୁର ଖାଦ୍ୟ ପାଇଁ ଝଗଡା କରୁ ଥାନ୍ତି ।

ସଂଧ୍ୟା ହେଲା ଆମେ ଦୁଇ ବାନ୍ଧବୀ ବାହାରକୁ ଟିକେ ବୁଲି ଯିବା ପାଇଁ ବାହାରିଲା ବେଳକୁ ଦେଖିଲି କୁକୁରଟା ସେଇଠି ଶୋଇ ଥାଏ ଯେଉଁଠି ସକାଳେ ଶୋଇଥିଲା । ଏଥର ମୋ ମନଟା ଭଲ ଲାଗିଲାନି,ଭାବିଲି କୁକୁରଟିର କିଛି ହେଇନି ତ?ଏହା ଭାବି ତା ପାଖକୁ ଯିବା ମାତ୍ରେ ସେ ମତେ ଗୋଡାଇ ଆସିବାକୁ ଚେଷ୍ଟା କଲା କାମୁଡ଼ିବା ପାଇଁ । ହେଲେ ପୁଣି ପଡି ଗଲା । ଉଠି ପାରିଲା ନାହିଁ । ତା ଆଖିରେ ମୋ ପୈଣ୍ କ୍ରୋଧ ମୁଁ ସ୍ପଷ୍ଟ ଭାବରେ ଦେଖି ପାରୁ ଥାଏ । ପୂଜା ମତେ ବାଧା ଦେଇ କହିଲା,ତୁ ଯାଆନା ତା ପାଖକୁ, ମାଡ଼ ଯୋଗୁ ବୋଧେ ଜଖମ ହେଇ ଯାଇଅଛି ସେ । ଆଉ ସେହି ଯନ୍ତ୍ରଣା ଯୋଗୁ ସେ ରାଗି ଯାଇଚି । କାଲିକୁ ଠିକ ହେଇ ଯିବ । ଏହା ପରେ ଆମେ ଦୁଇ ସାଙ୍ଗ ବାହାରକୁ ଚାଲି ଗଲୁ । ବୁଲା ବୁଲି ସାରି ଫେରିଲା ବେଳକୁ କୁକୁରଟା ସେଇଠି ପଡ଼ି ଥାଏ । ମନଟା ଜମା ଭଲ ଲାଗିଲାନି । କାହିଁକି ମାରିଲି କୁକୁରଟାକୁ ମନେ ମନେ ଭାବୁ ଥାଏ । ମନଟାକୁ ପାପ ଛୁଁ ଥାଏ । ରାତ୍ର ଭୋଜନ ପରେ ପୂଜାକୁ କହି ବଳକା ଖାଦ୍ୟ କିଛି ତା ପାଖରେ ରଖି ଦେଇ ଆସିଲି ଖୁବ୍ ସନ୍ତର୍ପଣ ସହ । ବୋଧ ହୁଏ କୁକୁରଟି ଶୋଇଯାଇ ଥାଏ । ଏହା ପରେ ଆମେ ଦୁଇ ବାନ୍ଧବୀ ଶୋଇବାକୁ ଚାଲି ଗଲୁ ।

ସକାଳୁ ଉଠୁ ଉଠୁ ମୋର ମନେ ପଡ଼ିଲା ସେଇ ବୁଲା କୁକୁର କଥା ଦୌଡ଼ି ଗଲି ଦେଖିବାକୁ ହେଲେ କୁକୁରଟି ସେଠି ନ ଥିଲା । ଭଗବାନଙ୍କୁ ମନେ ମନେ ଧନ୍ୟବାଦ ଦେଇ,ପୂଜାକୁ କହି ପକାଇଲି,ଆରେ ପୂଜା! କୁକୁରଟି ଭଲ ହୋଇ ଯାଚି । ଦେଖୁନୁ ସେଠୁ ଉଠିକି କୁଆଡେ ପଳାଇ ଯାଇଅଛି । ପୂଜା ମଧ୍ୟ ଖୁସି ହୋଇ ମତେ କହି ଉଠିଲା ତତେ କହି ଥିଲି ନା,କାଲି କୁ ଠିକ ହେଇ ଯିବ ବୋଲି!

ପୂଜାର ଟ୍ରେନ ସମୟ ହୋଇ ଆସୁ ଥାଏ । ଦୁଇ ସାଙ୍ଗ ବାହାରି ପଡ଼ିଲୁ ଷ୍ଟେସନ ଅଭିମୁଖେ । ଘର ବାହାରେ ଅଟୋକୁ ଅପେକ୍ଷା କରିଥାଉ । ହଟାତ୍ ମୋ ନଜର ପଡ଼ିଲା ମୋ ଘର ପାଖେ ଥିବା ଏକ ଭଙ୍ଗା ଦୋକାନ ଘର ଉପରେ ଆଉ ସେଠି ଯାହା ଦେଖିଲି ମୁଁ ମୋ ଆଖିକୁ ବିଶ୍ୱାସ କରି ପାରିଲିନି । କୁକୁରଟା ସେଠି ଠେଙ୍ଗା ହୋଇ ଦାନ୍ତ ନିକୁଟି ପଡ଼ି ଥାଏ । ଦୁଇଟି କୁକୁର ଛୁଆ ତା ଉପରେ ଚଢି କୁଦା ମାରୁ ଥାନ୍ତି । ଆଉ ଗୋଟାଏ ତାର ଭୋକ ମେଣ୍ଟାଇବା ପାଇଁ ଦୁହିଁ ଚାଲି ଥାଏ ତାର ଶୁଖିଲା ଚିରଟାକୁ । ଆଉ ବିଚରା ବୁଲା କୁକୁରଟା ପଡ଼ି ରହି ଥାଏ ନିଶ୍ଚଳ, ନିର୍ବିକାର,ନିଷ୍କ୍ରାଣ ଭାବେ । ଭଣ ଭଣ ହୋଇ ମାଛି ଗୁଡାକ କୁକୁରଟାର ନାକ ପୁଡା଼ରେ ପଶି ବାହାରି ଆସୁ ଥାନ୍ତି । ତା ଆଖିରୁ ନିଗିଡି ପଡ଼ି ଥାଏ ଦୁଇ ଧାର ଲୁହ ଯାହା ସୁଖି ଚିକ୍ ଚିକ୍ କରୁ ଥାଏ ତାର ସେଇ ଶୁଖିଲା ମୁହଁରେ । ଏ ତାର କଷ୍ଟର ଲୁହ ଅବା ମମତାର ସେ କଥା ସେ ହିଁ ଜାଣି ଥିବ । ପାଖରେ ପଡ଼ି ଥିଲା ମୁଁ ଦେଇ ଥିବା ସେଇ ବଳକା ଖାଦ୍ୟ ପଲିଥିନଟା । ବୋଧ ହୁଏ ଶେଷ ଥର ପାଇଁ ସେ ବୁଝି ଦେଇ ଯାଇ ଥିଲା ତା ପିଲାଙ୍କ ପେଟର ଭୋକକୁ ।

ମୁଁ ସ୍ଥାଣୁ ପାଲଟି ଯାଇଥିଲି । ମନଟା ରେ ଏକ ଜୀବ ହତ୍ୟାର ପାପ ସହ ତା ତିନୋଟି ଅନାଥ ଛୁଆଙ୍କ ଆସନ୍ନ ମୃତ୍ୟୁର ପାପକୁ ମୁଁ ମୋ ମୁଣ୍ଡରେ ମୁଣ୍ଡେଇ ଅଟୋ ରେ ଗଲା ବେଳେ ମୋ ଆଖି ଆଗରେ ନାଚି ଯାଉ ଥିଲା ବୁଲା କୁକୁର ର ସେଇ ନିଷ୍କ୍ରାଣ ମୁହଁଟା । ମୋ ଅଜାଣତରେ ଆଖିରେ ଜକେଇ ଯାଇ ଥିଲା ଲୁହ ଦି ଟୋପା । ଆଉ ନିଜକୁ ନିଜେ କହି ହେଉ ଥିଲି ଆହାଃ!!ଆଉ ଥରେ ଫେରି ଆସନ୍ତା କି ସେଇ କସରା ବୁଲା କୁକୁରଟା!

ସ୍ୱାଗତିକା ମିଶ୍ର


Rate this content
Log in