Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଶୁଆ ଶାରୀ କଥା - ୧୮
ଶୁଆ ଶାରୀ କଥା - ୧୮
★★★★★

© ଓଡିଆ ଶିଶୁ ଗପ

Children

6 Minutes   7.3K    14


Content Ranking

ବୁଢୀଟି କାନ୍ଦୁଥିଲା କାହିଁକି?

ସେମାନଙ୍କ ମଧ୍ୟରୁ ପ୍ରଥମ ଚୋରଟି କହିଲା, ଆଜି ଯଦି ଥୋଡାଏ ଟଙ୍କା, ସୁନା, ରୂପା ମୁଁ ପାଇଯିବି ତାହା ହେଲେ ଠାକୁରାଣୀଙ୍କ ପୂଜା ଲାଗି ଶୁଣ୍ଢି ଦୋକାନକୁ ପୂରା ପୂରି ଖାଲି କରି ଦେବି । ପ୍ରଥମ ଚୋରଠାରୁ ଏକଥା ଶୁଣି ଦ୍ୱିତୀୟ ଚୋରଟି କହିଲା – ଭଗବାନ କରନ୍ତୁ, ମୋ ହାତରେ ଆଜି ଥୋଡାଏ ଧନରତ୍ନ ପଡି ଗଲେନା କାଲି ସକାଳୁ ବ୍ରାହ୍ମଣ ଗୋଟାଏ ଡାକି ତାକୁ ପୂର୍ଣ୍ଣଗ୍ରାସ ଭୋଜନ ସହିତ ଦକ୍ଷିଣା ଦେଇ ଖୁବ୍ ଖୁସିରେ ବିଦା କରିଦେବି ।

ଏ ଦୁଇ ଚୋରଙ୍କ ମୁଖରୁ ଏକଥା ଶୁଣିବା ମାତ୍ରେ ତୃତୀୟ ଚୋର କହିଲା – ମୁଁ ଯଦି ଚାରି ଦିନ ତଳେ ଯେପରି ଅମାପ ଧନ ପାଇ ଗଲି ଆଜି ଯଦି ସେହି ପରି ପୁଳାଏ ପାଇ ଯିବିନା ତାହା ହେଲେ ଆସନ୍ତା କାଲି ସକାଳ ହେବା ମାତ୍ରେ ମାଳି ଘରର ସବୁ ଫୁଲ ଧଣ୍ଡା ବୋହିଆଣି ଠାକୁରାଣୀଙ୍କ ଗଳାରେ ଲମ୍ବାଇ ଦେବି ।

ଏହି ପରି ଭାବରେ ତିନି ଚୋରଙ୍କର କଳ୍ପନା ଜଳ୍ପନା ସରିବା ମାତ୍ରେ ଚତୁର୍ଥ ଚୋର ଶେଷକୁ ଥିଲାଯେ ସେ କହିଲା – ଆରେ ତୁମ କଥା ତ ସରିଲା । ଏବେ ମୋକଥା ଶୁଣ, ମୋର ମାନସିକ ଆଜି ଯଦି ସତ୍ୟରେ ପରିଣତ ହୋଇ ଯିବନା ମୁଁ ଆଜି ରାତିକ ମଧ୍ୟରେ ୟେ ରାଜା ଝିଅକୁ ଆଣି ଠାକୁରାଣୀଙ୍କ ପାଖରେ ଛେଦ ପକାଇ ଦେବି ।

ଜଗୁଆଳି ପୁଅ ସେଠାରେ ଲୁଚି ଲୁଚି ଚାରି ଚୋରଙ୍କ କଥା ଶୁଣି ସାରି ମନେ ମନେ ଭାବିଲା, ଆଜି ମୁଁ ନିଶ୍ଚୟ ଏମାନଙ୍କୁ ଉପଯୁକ୍ତ ଶାସ୍ତି ଦେବି । ସେଥି ଲାଗି ସେ ଧୀରେ ଧୀରେ ଯାଇ ଠାକୁରାଣୀ ମନ୍ଦିରର ଗୋଟିଏ ଅନ୍ଧାରୁଆ କୋଣରେ ଲୁଚି ବସିଲା ।

ଏହା ପରେ ଚାରି ଚୋର ମାନେ ଚୋରି କରି ଫେରି ଆସିଲେ । ସେମାନେ ଥୋଡାଏ ଲେଖା ଧନ ଆଣି ଥାଆନ୍ତି । ସବୁ ଧନକୁ ଠାକୁରାଣୀ ମନ୍ଦିରରେ ଗଦେଇ ଦେଇ ଆନନ୍ଦରେ ମତୁଆଲା ହେଲେ । ମଝିରେ ଚତୁର୍ଥ ଚୋରର ମନେ ପଡି ଯିବାରୁ ସେ କହିଲା – ରୁହ ରୁହ ଭାଇ ବଂଟା କୁଂଟା ଆମର ପଛକୁ ଥାଉ । ଆଗ ଆଗ କାମ ଆମକୁ କରିବାକୁ ହେବ । ମାନସିକ କରିଛି ପରା, ଆଗ ରାଜା ଝିଅକୁ ଆଣିବାକୁ ହେବ । ତାଙ୍କୁ ଠାକୁରାଣୀଙ୍କ ପାଖରେ ବଳି ପକାଇ ସାରିଲେ ଯାଇ ଆଉ ସବୁ କଥା ।

ଚତୁର୍ଥ ଚୋର କଥାରେ ସବୁ ଚୋର ରାଜି ହୋଇ ଗଲେ ଜଣକୁ ଛାଡି ସମସ୍ତେ ରାଜ ଉଆସକୁ ଗଲେ । ଉଆସରେ ପହଁଚିବା ପରେ ଆଗ ଅନୁମାନ କଲେ ରାଜା ଝିଅ କେଉଁ ଉଆସରେ ଶୋଇଛି । ସମସ୍ତେ ଅନୁମାନ କରିଲେ ଯେ – ସେ ରାଜା ଝିଅ ପରା, ପ୍ରକୃତରେ ସୌନ୍ଦର୍ଯ୍ୟ, ଆକାଶର ଚାନ୍ଦ, ଘୋଡା ଦୌଡ ପଡିଆ ଦେଖିବା ଯେଉଁ ଠାରେ ସୁବିଧା ହେବ ସେହି ଠାରେ ରାଜା ଝିଅର ଉଆସ ଥିବ । ତେଣୁ ରାଜା ଝିଅ ଯେ ସବା ଉପର ମହଲାରେ ନଥିବ କାହିଁକି?

ଏହା ପରେ ସେମାନେ ନିଶୁଣି ପରେ ନିଶୁଣି ଲଗାଇ ଜଣକ ପରେ ଜଣେ ରାଜା ଝିଅର ଉଆସକୁ ପଶିଲେ । ସେଠାରୁ ରାଜା ଝିଅର ପଲଙ୍କ ସହିତ ଉଠାଇ ଘେନି ଆସିଲେ ଠାକୁରାଣୀ ମନ୍ଦିରକୁ ।

ରାଜା ଝିଅକୁ ଆଣି ସାରିବା ପରେ ବଳି ଦେବାକୁ ମାନସିକ କରି ଥିଲା ଚତୁର୍ଥ ଚୋର । ସେ ଏଥର ସମସ୍ତଙ୍କୁ ତାଗିଦ୍ କରି ଦେଇ ବସାଇ ଦେଲା । ତା’ପରେ ରାଜା ଝିଅକୁ ଉଠାଇ ନେଇ ଠାକୁରାଣୀଙ୍କ ଆଗରେ ପହଁଚିଲା ।

ସେତେ ବେଳକୁ ରାଜା ଝିଅ ଭୟ ଆତଙ୍କରେ କାନ୍ଦୁ ଥାଏ । ତାକୁ ଚୋରମାନେ ବଳି ଦେବା ଲାଗି ଏଠାକୁ ନେଇ ଆସିଛନ୍ତି । ଏଠାରେ ରାଜା ଝିଅର ତ ସାହା ଭରସା କେହି ନାହାଁନ୍ତି । ମନେ ମନେ ଠାକୁରାଣୀଙ୍କୁ ଡାକୁଥାଏ । ହେ ମା’ ରକ୍ଷାକର ।

ଏଣେ ଜଗୁଆଳି ପୁଅ ତ ଏକଥା ଜାଣି ମନ୍ଦିରର ଏକ ଅନ୍ଧାରୁଆ କୋଣରେ ବସିଥିଲା । ସେ ସଙ୍ଗେ ସଙ୍ଗେ ନିଜର ତରବାରୀକୁ ସଜ କଲା । ଚୋର ଯେତେ ବେଳେ ରାଜା ଝିଅକୁ ଜବରଦସ୍ତ ବଳି ପକାଇବା ଲାଗି ଚେଷ୍ଟା କଲା ସେହି ସମୟରେ ସୁଯୋଗ ଉଣ୍ଡି ଜଗୁଆଳି ପୁଅ ତା’ର ତରବାରୀରେ ଚୋଟଟାଏ ମାରିଲା ଯେ ଚୋରର ଗଣ୍ଡିରୁ ମୁଣ୍ଡ ଅଲଗା ହୋଇ ଗଲା ।

ଚୋର ତ ମରି ଗଲା, ସେଠାରେ ପୁଣି ଆଉ ତିନି ଜଣ ଚୋର ଅଛନ୍ତି । ସେମାନଙ୍କୁ ଖତମ୍ ନକରିବା ଯାଏଁ, ଜଗୁଆଳି ପୁଅକୁ ବିପଦ । ଆଗ ସେ ତିନି ଜଣଙ୍କୁ ହାଣି ସାରିବ ତା’ପରେ ଯାଇ ରାଜା ଝିଅକୁ ରାଜ ଉଆସରେ ଛାଡିବା କଥା ।

ତା’ପରେ ରାଜା ଝିଅକୁ ଚୁପି ଚୁପି କରି କହିଲା, ତମେ ଏବେ ନିର୍ଭୟରେ ଠାକୁରାଣୀ ଘରର କୋଣରେ ଲୁଚି କରି ବସ । ମୁଁ ସିନା ଗୋଟିଏ ଚୋରକୁ ହାଣି ଦେଲି । ଏଠାରେ ପରା ଆଉ ତିନି ଜଣ ଚୋର ରହିଛନ୍ତି, ଆମ ଚାଲିଯିବା ସମୟରେ ସେମାନେ ନିଶ୍ଚୟ ଆମ ସହ ଦଙ୍ଗା ହଙ୍ଗାମା କରିବେ । ଆମେ କାହିଁକି ଅଯଥାରେ ସେ ବୋଲକୁ ପଶିବା । ସବୁଠୁ ଯାହା ଆମ ଲାଗି ସୁବିଧା ତାହା ମୁଁ କରୁଛି । ତମେ ଖାଲି ନିରବ ହୋଇ ନିଶଦ୍ଧରେ ଏହି କୋଣରେ ଲୁଚି ବସ ।

ଜଗୁଆଳିର ପୁଅ କଥାରେ ରାଜା ଝିଅ ଅନ୍ଧାରୁଆ ଦେଖି ଠାକୁରାଣୀ ମନ୍ଦିରର ଗୋଟିଏ କୋଣରେ ଲୁଚି ବସିଲା । ଏହା ପରେ ଚୋର ମାନେ କଥା ହେଲେ – ଆରେ ଏ ଯାଏଁ କ’ଣ ସେ ରାଜା ଝିଅକୁ ବଳି ଦେଇ ସାରି ନାହିଁ । ଏତେ ବିଳମ୍ବ କାହିଁକି କରୁଛି ସେଥି ମଧ୍ୟରୁ ଜଣେ ଚୋର କହିଲା ଗୋଟେ କାମ କର ତୁମେ ଦୁଇ ଜଣ ଏ ଧନକୁ ଜଗି ବସ । ମୁଁ ଏକା ଯାଇ ଦେଖି ଆସେ ।ସେ ଏତେ ବେଳ ଯାଏଁ କ’ଣ କରୁଛି ।

ଏତକ କହି ତୃତୀୟ ଚୋରଟି ମନ୍ଦିର ଭିତରକୁ ଗଲା, ଯେମିତି ସେ ଭିତରକୁ ଯାଇଛି, ପଛରୁ ଥାଇ ଜଗୁଆଳି ପୁଅ ତରବାରୀରେ ଗୋଟିଏ ଶକ୍ତ ଚୋଟ ଲଗାଇ ଦେଲା ଯେ ତୃତୀୟ ଚୋରଟି ପ୍ରାଣ ଛାଡି ତଳେ ପଡି ଗଲା ।

ଏହା ପରେ ବାକି ଥିବା ଚୋର ଦୁଇ ଜଣ ଏମାନଙ୍କୁ ଦେଖିବା ଲାଗି ଜଣଙ୍କ ପରେ ଜଣେ ଆସିଲେ । ଜଗୁଆଳି ପୁଅ ବି ଠିକ୍ ଆଗ ପରି ଜଣଙ୍କ ପରେ ଜଣଙ୍କୁ ନିଜର ତରବାରୀ ଦ୍ୱାରା ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ଦେଲା ।

ଏହାପରେ ଜଗୁଆଳି ପୁଅ ନିଶ୍ଚିନ୍ତ ହୋଇଯାଇ ରାଜା ଝିଅକୁ କହିଲା ଏବେ ଚାଲ ମୁଁ ତୁମକୁ ତୁମ ଉଆସରେ ଛାଡି ଦେଇ ଆସିବି । ତୁମକୁ ତୁମର ଉଆସ ପାଖରେ ଛାଡି ଦେଇ ଆସିଲେ ତେଣିକି ତୁମେ ତୁମର ଉଆସକୁ ଚାଲି ଯିବ । ବର୍ତ୍ତମାନ ମୁଁ ତୁମ ସାଥିରେ ତୁମ ଉଆସକୁ ଗଲେ କଟୁଆଳ ମାନଙ୍କ ହସ୍ତରେ ଧରା ପଡିବି । ତେଣିକି ମୋର ଯେ କି ଅବସ୍ଥା ହେବ ତାହା ତୁମେ ଜାଣି ପାରୁଥିବ ।

ରାଜା ଝିଅ କହିଲା – ହଁ ସେ କଥା ସତ, ମୋର ପିତା ମର୍କତ ସିଂହଙ୍କୁ ଆଖ ପାଖ ଦଶ ଦଶଟା ରାଜ୍ୟର ରାଜା ଡରନ୍ତି । ପିତା ମୋର ବି ହାଣ କାଟ ମୁଣ୍ଡ, ପ୍ରଥମେ ଯାହା ମୁଣ୍ଡରେ ପଶିଲା ସେହି କଥାକୁ ସେ ନିଶ୍ଚୟ ପାଳନ କରିବେ ।

ଜଗୁଆଳି ପୁଅ କହିଲା – ତମେ ତ ସବୁ ବୁଝି ପାରୁଛ । ତୁମର ପିତାଙ୍କର ଗୁଣ ତ କହୁଛ । ଏଭଳି ଅବସ୍ଥାରେ ତୁମ ରାଜ ଉଆସ ଯାଏଁ ଯିବାଟା ମୋର ଆଦୌ ଉଚିତ୍ ହେବ ନାହିଁ । ସେଥି ଲାଗି ମୁଁ ତୁମକୁ ଅଧା ରାସ୍ତାରେ ଛାଡି ଦେଇ ଆସିଲେ ତେଣିକି ତୁମେ ତ ଚାଲି ଯିବ ।

ରାଜା ଝିଅ କହିଲା, ଜନମ କାଳରୁ ତ ମୁଁ ରାଜ ଉଆସରେ, ବାହାରର ସୂର୍ଯ୍ୟ ତ ମୁଁ ଦେଖିଲି ନାହିଁ । ପୁଣି ଅନ୍ଧାର ରାତି, ଏତେ ରାତିରେ ଏକା ଏକା ମୁଁ ଝିଅ ପିଲାଟି ଯିବି କିପରି କହୁନା । ଏତେ ବଡ ବିପଦରୁ ତମେ ମୋତେ ବଂଚାଇ ଲାଭ କ’ଣ? ଏକା ଗଲେ ଯଦି ମୁଁ ଆଉ ଥରେ ବିପଦରେ ପଡିବି । ତାହା ହେଲେ ସେଠାରେ ପୁଣି ମୋତେ ବଂଚାଇବ କିଏ? ସେଥିପାଇଁ କହୁଛି ତୁମେ ମୋତେ ନଅରରେ ନେଇ ଛାଡି ଦେଇ ଆସ ।

ରାଜା ଝିଅର କଥାରେ ଜଗୁଆଳି ପୁଅ ରାଜି ହେଲା । ରାଜା ଝିଅକୁ ନେଇ ନଅର ପାଖରେ ପହଁଚାଇ ଦେଇ କହିଲା, ଏବେ ଯାଅ ।

ରାଜା ଝିଅ କହିଲା – ତମେ ତ ମୋତେ ନଅର ପଛରେ ଛାଡୁଛ ନିଶୁଣି ଦେଇ ମୋତେ ମୋ ଉଆସକୁ ଯିବାକୁ ହେବ । ହେଲେ ମୋତେ ତ ନିଶୁଣି ଚଢି ଆସିବ ନାହିଁ । ନିଶୁଣି ପରେ ନିଶୁଣି ଚଢୁ ଚଢୁ ଯଦି ମୋ ଦେହ ଥରିଲା । ମୁଁ ହାତ ଛାଡି ଦେଇ ତଳେ ପଡି ମରିଯିବି, ଏତେ ବାଟ ଆସିଲ । ହେଲେ ମୋତେ ଉଆସରେ କିପରି ପହଁଚିବି ତା’ର ବ୍ୟବସ୍ଥା କରିଦିଅ ।

ଏଥର ରାଜା ଝିଅ କଥା ଶୁଣି ଜଗୁଆଳି ପୁଅ ନାଚାର ହୋଇପଡିଲା ତାକୁ ପୁଣି ଉଆସରେ ଛାଡିବାକୁ ହେବ । ହଣା ମୁହଁରୁ ଉଦ୍ଧାର କଲି । ତେବେ ଶେଷ କଥାତକ ଦେଖିବା କରିଦେବା ।

ଏହା ପରେ ରାଜା ଝିଅକୁ ଜଗୁଆଳି ପୁଅ କହିଲା, ତୁମେ ମୋ କାନ୍ଧରେ ବସ । ମୁଁ ନିଶୁଣି ଚଢି ତୁମକୁ ତୁମ ଉଆସରେ ଛାଡି ଦେବି ।

ମନେ ମନେ ରାଜା ଝିଅ ଭାବିଲା, ଏଥର ଏ ଜଗୁଆଳି ପୁଅ ମୋର ବୋଲ ମାନିଲା, ଏହା ଭାବି ସେ ଜଗୁଆଳି ପୁଅର କାନ୍ଧରେ ବସିଲା । ଜଗୁଆଳି ପୁଅ ଖୁବ୍ ସାହାସର ସହିତ ରାଜା ଝିଅକୁ ନେଇ ଉଆସରେ ପହଁଚାଇ ଦେଲା ।

ରାଜା ଝିଅର ଶୋଇବା ଲାଗି ରତ୍ନ ପଲଙ୍କ ପଡିଛି । ଶଂଖ ମଲ ମଲ କପଡାର ଗଦି । ରାଜା ଝିଅ କହିଲା ଏତେ ଶୀଘ୍ର ତମେ ଚାଲି ଯିବ, ତମେ ପରା ଏତେ କଷ୍ଟ କରି ମୋର ଜୀବନ ବଂଚାଇଲ । ତମର ଏଠାରେ ଡରିବାର କିଛି ନାହିଁ । ମୋ ଉଆସ ଭିତରକୁ ଆସିବାକୁ ହେଲେ ଚାରି ଚାରିଟା ଦ୍ୱାର ରହିଛି । ପ୍ରତି ଦ୍ୱାରରେ ଜଗୁଆଳି ମାନେ ଜଗିଛନ୍ତି । ରାଜା ଆସିଲେ ବି ମୋର ଆଦେଶ ଆଗ ମାଗିବେ । ତା’ପରେ ଯାଇ ମୋ ଉଆସକୁ ଆସିବେ । ତମେ ନିର୍ଭୟର ସହିତ ମୋର ଏହି ପଲଙ୍କରେ ବସ । ମୁଁ ତୁମ ଲାଗି କ୍ଷୀର ଗ୍ଲାସ୍ଟିଏ ଆଣି ଦେଉଛି ତମେ ତାହା ପିଇ ସାରିଲେ ଆରାମରେ ଏଠାରୁ ଚାଲିଯିବ ।

ରାଜା ଝିଅର ଏ କଥା ଶୁଣି ଜଗୁଆଳି ପୁଅ କହିଲା, ରାତିଟାରେ । ମୁଁ ଭଲ ହେଲା ମୁଁ ତୁମକୁ ପହଁଚାଇ ଦେଲି । ସେ ସବୁ ଚର୍ଚ୍ଚା ପଛକୁ ଥାଉ, ତମେ ମୋତେ ଏଥରକ ବିଦାୟ ଦିଅ ।

ଜଗୁଆଳି ପୁଅଠାରୁ ଏକଥା ଶୁଣି ରାଜା ଝିଅ ମୁରୁକି ମୁରୁକି ହସିଲା । ମନେ ମନେ ଭାବିଲା ୟେ ରାଜା ଘର କଥା ତ କାଳେ ବିପଦଟା ଆସି ଯିବ ।

ନାଇଁ ସେମିତି କିଛି ହେବ ନାହିଁ । ୟାଙ୍କ ପରି ଗୋଟିଏ ଭେଣ୍ଡିଆ ଟୋକାକୁ ମୁଁ ଯେତେ ବେଳେ ଏକଲା ପାଇଛି ଏତେ ସହଜରେ ଛାଡି ଦେବି । ଏହା ଭାବି ଭାବି ସେ ଆସି ଜଗୁଆଳି ପୁଅର ଦୁଇ ହାତକୁ ଛନ୍ଦି ଦେଇ ଝୁଙ୍କି ପଡିଲା ।

ଜଗୁଆଳି ପୁଅ କହିଲା – ଦେଖ ରାଜ କୁମାରୀ ଏସବୁ ଅନ୍ୟାୟ କଥା । ମୋ ଦ୍ୱାରା ଏହା ଅସମ୍ଭବ ।

କ୍ରମଶଃ...

ଠାକୁରାଣୀଙ୍କ ଧନରତ୍ନ ଗଳା

Rate the content


Originality
Flow
Language
Cover design

Comments

Post

Some text some message..