Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଅଲୋଡ଼ା ଜୀବନ
ଅଲୋଡ଼ା ଜୀବନ
★★★★★

© Manasi Tripathy

Tragedy

4 Minutes   14.7K    19


Content Ranking

ମୋର କଣ ଗରଜ ପଡ଼ିଛି, ସବୁବେଳେ ବୁଢ଼ା ବୁଢ଼ିଙ୍କୁ ସେବା କରିବି, ନା ମୋ ପାଇଁ କେତେ ସମ୍ପତ୍ତି ରଖି ଦେଇଛନ୍ତି? ଯାଉ ନାହାନ୍ତି ତାଙ୍କ ସାନ ବୋହୂ ପାଖକୁ, ସେବା କରିବା ପାଇଁ ତାକୁ କହିବେ। ଘର ଲେଖିଲା ବେଳକୁ ତା ନାଁ ରେ ଲେଖିଦେଲେ, ଏବେ ମୁଁ କାହିଁକି ସବୁବେଳେ ହନ୍ତସନ୍ତ ହେବି ତାଙ୍କ ପଛରେ l

ସକାଳୁ ସକାଳୁ ବଡ଼ ବୋହୂ ବଡ଼ ପୁଅକୁ ଏଭଳି କହୁଥିବା ଶୁଣି ସାଧୁ ବୋଉ ଜଳକା ପାଲଟି ଯାଇଥିଲେ। ଚିନ୍ତା କରୁଥିଲେ ସେ ସିନା ଯେମିତି ସେମିତି ଚଳିଯିବେ ହେଲେ ସାଥିରେ ବୁଢ଼ାଟା ଯେ ହନ୍ତସନ୍ତ ହବ। ବୁଢ଼ା କଥା କେମିତି ବୁଝିବେ, କଣ କରିବେ? କିଛି ବୁଦ୍ଧି ବାଟ ଦିଶୁନି ତାଙ୍କୁ।

ଘଡିଏ ବିତି ଯିବା ପରେ ପୁଅ ସାଧୁ ଆସି ରୋକଠୋକ କହିଦେଲା, ବୋଉ ତୁ ଏଥର ତୋର ନିଜେ ରାନ୍ଧି ଖା, ତୋ ବୋହୂର ଦେହ ଭଲ ରହୁନି, ସେ କାମଦାମ ବେଶୀ କରିପାରୁନି, ତେଣୁ ତମ କଥା ତମେ ଦେଖ।

ପାଟିରୁ କଥା ସ୍ଫୁରୁ ନଥିଲା ସାଧୁ ବୋଉର। ହା! ଦୈବ ଏଇ ଦିନ ପୁଣି ଦେଖିବାକୁ ତୁ ଆମକୁ ବଞ୍ଚେଇ ରଖିଛୁ, ସାନପୁଅ ମଲା ବେଳେ ହେଲେ ଆମ ବୁଢ଼ା ବୁଢ଼ି ଦୁଇଟାଙ୍କୁ ମାରିଦେଇ ଥାନ୍ତୁ ବୋଲି ବୁଢି ମନେ ମନେ ସ୍ବଗୋକ୍ତି କଲେ।

ତାପରେ ସ୍ୱାମୀଙ୍କୁ ନେଇ ନିଜ ଘରକୁ ଚାଲିଗଲେ, ସେଇ ଘର, ଯୋଉ ଘରକୁ ସାନପୁଅ ନାଁ ରେ ଲେଖି ଦେଇଛନ୍ତି ବୋଲି ବଡ଼ ବୋହୂ ଖାଇବାକୁ ଦେବାକୁ ମନା କଲା, ସେଇ ଘର ଯୋଉଠି ବୁଢ଼ା ବୁଢ଼ି ସାନ ବୋହୂର ଦୟାରୁ ମୁଣ୍ଡ ଗୁଞ୍ଜି ରହି ପାରୁଛନ୍ତି। ହାତରେ ଗୋଡ଼ରେ କିଛି ପଡୁନଥିଲା ସାଧୁ ବୋଉର, ଚାରିଆଡ଼େ ଅନ୍ଧାର ଦେଖା ଯାଉଥିଲା। ଅନବରତ ଝରି ପଡ଼ୁଥିବା ଲୁହକୁ ଲୁଗା କାନିରେ ପୋଛି ପୋଛି ଝୁରି ହେଉଥିଲେ ହଜିଯାଇଥିବା ଦିନ ଗୁଡିକୁ।

ସାଧୁ ବୋଉ ବାହା ହେଇ ଆସିଲା ବେଳକୁ ତାଙ୍କୁ ମାତ୍ର ପନ୍ଦର ବର୍ଷ ହୋଇଥିଲା। ଦୁଇଟି ପୁଅ ଦୁଇଟି ଝିଅକୁ ନେଇ ସଂସାର ତାଙ୍କର ଆଗେଇ ଚାଲିଥିଲା। ବାହା ହେଲା ଦିନଠାରୁ ଯେମିତି ସବୁ ସୁଖ ସେ ଭୁଲି ଯାଇଛନ୍ତି। ସ୍ଵାମୀର ଗଞ୍ଜଣା ସହି ସହି ପିଲାମାନଙ୍କ ମୁହଁକୁ ଚାହିଁ ପଥର ପାଲଟି ଯାଇ ଥିଲେ।

ଦୁଇ ଝିଅ ସୀତା, ଗୀତା ଦୁଇ ପୁଅ ସାଧୁ ଚରଣ, ପଦ୍ମ ଚରଣ, ଏଇ ମାନଙ୍କୁ ଚାହିଁ ସେ ସବୁ ଦୁଃଖ ପାଶୋରି ଆସିଥିଲେ। ବହୁ ପୂର୍ବରୁ ପୁଅ ଝିଅ ମାନଙ୍କର ବିବାହ ସରିଲାଣି। ବଡ଼ ଝିଅ ଓ ପୁଅକୁ ବାପାମାଆ ବିବାହ କରାଇ ଦେଇଥିଲେ କିନ୍ତୁ ସାନ ଝିଅ ବେଳକୁ ବୁଢ଼ା ବୁଢ଼ିଙ୍କର ସାହାସ ନଥିଲା। ଏପଟେ ବଡ଼ ପୁଅ ତା ସ୍ତ୍ରୀ କୁ ଧରି ଘରୁ ଅଲଗା ହେଇଯାଇଥିଲା, ତେଣୁ ସବୁ ଭରସା ସାନପୁଅ ଉପରେ, ଯାହା ସେ କରିବ।

ସାନପୁଅ ବି କିଛି କମ୍ ନଥିଲା, ସେ ବି ନିଜ ସ୍ଵାର୍ଥ ଖୋଜିଥିଲା। ସେ ଚାହିଁଥିଲା ଏ ସବୁ ବିନିମୟରେ ଘର ଖଣ୍ଡିକ ତାରି ନାଁ ରେ କରି ଦିଆଯାଉ। ଅନନ୍ୟୋପାୟ ହୋଇ ବୁଢ଼ା ବୁଢ଼ି ବାଧ୍ୟ ରେ ଘର ଖଣ୍ଡିକ ସାନପୁଅ ନା ରେ ଲେଖିଦେଲେ ଖାଲି ଝିଅକୁ ଶାଶୁ ଘର ପଠେଇବା ପାଇଁ।

ଅବଶ୍ୟ ଉଇଲ୍ ରେ ଏହା ବି ସର୍ତ୍ତ ଥିଲା ଯେ ବୁଢ଼ା ବୁଢ଼ି ଙ୍କ ଅନ୍ତେ ସେ ଘର ସାନପୁଅ ନିଜର କରିପାରିବ ଏବଂ ଶେଷ ପର୍ଯ୍ୟନ୍ତ ବୁଢ଼ା ବୁଢ଼ି ର ସବୁ ଦାୟିତ୍ଵ ବୁଝିବ।

ହାୟ! ଦୈବ କିନ୍ତୁ ତାହା ସହିଲାନାହିଁ, ଜୀବନରେ ତାଙ୍କର କଳା ମେଘ ଛାଇଗଲା, ଅକାଳ ବଜ୍ର ପଡ଼ିଗଲା ମୁଣ୍ଡ ଉପରେ। ବିବାହର ମାତ୍ର ଦୁଇ ବର୍ଷରେ ସାନପୁଅ ର ଅକାଳ ବିୟୋଗ ତାଙ୍କର ମେରୁଦଣ୍ଡ ଭାଙ୍ଗି ପକେଇଥିଲା, ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ ଜୀବନ୍ତ ଶବ ପାଲଟି ଯାଇଥିଲେ ସ୍ଵାମୀ ସ୍ତ୍ରୀ ଦୁଇ ପ୍ରାଣୀ। ବଞ୍ଚିବାର ସମସ୍ତ ଆଶା ଭରସା ସବୁ ଶେଷ ହୋଇଯାଇଥିଲା। ଘନ କୁହୁଡି ରେ ବଉଳ ପୋଡିଗଲା ପରି ପୋଡ଼ି ଜଳି ପାଉଁଶ ହୋଇଯାଇଥିଲା ତାଙ୍କର ସବୁ ଆଶା।

ପୁଅ ଚାଲିଯିବା ପରେ ବୋହୂ ମଧ୍ୟ ବାପ ଘରକୁ ଚାଲି ଯାଇଥିଲା। ଏମିତି କି ସ୍ଵାମୀର ଘର ବୋଲି ଦାବି କରି ଘର ଖଣ୍ଡିକ ମଧ୍ୟ ଛଡାଇ ନେବାକୁ ବସିଥିଲା। ବହୁ ନେହୁରା ହେବା ପରେ ଘର ଟିରେ ଆଜି ପର୍ଯ୍ୟନ୍ତ ମୁଣ୍ଡ ଗୁଞ୍ଜି ରହି ପାରିଛନ୍ତି। ଶେଷରେ ଏକ ମାତ୍ର ଆଶ୍ରା ଥିଲା ଘରୁ ବାହାରି ଯାଇଥିବା ବଡ ପୁଅ ସାଧୁ ଚରଣ।

ବାଧ୍ୟ ହୋଇ ବୁଢ଼ା ବୁଢ଼ି ଦୁଇ ଜଣ ବଡ଼ ପୁଅ ପାଖରେ ଆଶ୍ରା ନେଇଥିଲେ। ପ୍ରତ୍ୟେକ ମାସର ରାସନକାର୍ଡର ଚାଉଳ ତକ ତା ସହ ବୁଢ଼ାକୁ ମିଳୁ ଥିବା ସମସ୍ତ ଡାଲି ଚାଉଳ ଦେଇଦିଅନ୍ତି ବୋହୂକୁ ଖାଲି ବୋହୂ ଦୁଇ ବେଳା ଦୁଇ ମୁଠା ଖାଇବାକୁ ଦବ ବୋଲି, ଯେହେତୁ ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ନିସହାୟ, ନିସ୍ଵ, ନିରାଶ୍ରୟ ହୋଇ ପଡ଼ିଛନ୍ତି। ଏକ ମାତ୍ର ତ ସେ ସାହା ଭରସା।

ବର୍ତ୍ତମାନ କିନ୍ତୁ ସେଇ ଟିକକ ଶେଷ ଆଶା ମଧ୍ୟ ମନରୁ ପୋଛି ହୋଇଗଲା, ଯେତେବେଳେ ବୋହୂ ଆଜି ତାଙ୍କ କଥା ବୁଝି ପାରିବନି ବୋଲି ରୋକଠୋକ୍ ଶୁଣେଇ ଦେଇଥିଲା।

ସାଧୁ ବୋଉ ଆଉ ଅପେକ୍ଷା କରିନଥିଲେ, ସ୍ୱାମୀଙ୍କୁ ନେଇ ଚାଲିଆସିଥିଲେ, ଏଥର ତାଙ୍କୁ ନିଜ ବୋଝ ନିଜେ ଉଠାଇବାକୁ ପଡ଼ିବ, ନିଜ ପାଇଁ ନହଲେ ନାହିଁ ଅନ୍ତତଃ ସେଇ ଇହକାଳ ପରକାଳର ଦେବତା ସ୍ଵାମୀ ପାଇଁ ତାଙ୍କୁ ସାହାସ ବାନ୍ଧିବାକୁ ପଡ଼ିବ, ନପଚାରନ୍ତୁ ପୁଅ ବୋହୂ, ଝିଅ ଜ୍ୱାଇଁ କେହି, ନପଚାରୁ ଦୁନିଆ, ସମସ୍ତେ ଏକୁଟିଆ କରିଦିଅନ୍ତୁ, ଛାଡ଼ି ଦିଅନ୍ତୁ ଏପରି ଅସହାୟ, ଅନାଥ କରି।

ବୁକୁ ଚିରି ଯୋଉ ପୁଅକୁ କ୍ଷୀର ଦେଇ ଅତି ଯତ୍ନରେ ପାଳି ଏଡ଼େ ଟିଏ ରୁ ଏଡୁଟିଏ କଲେ, ହାତକୁ ଦୁଇହାତ କଲେ, ସବୁବେଳେ ଦିଅଁଙ୍କ ଆଗରେ ଯାର ଶୁଭ ମନାସି ଆସିଛନ୍ତି, ସେ ଯଦି ଆଜି ଏ ପରିଣତ ବୟସରେ ବେସାହାରା କରିଦେଲା, ପର କରିଦେଲା, ଜୀବନର ଶେଷ ସମୟରେ ହାତ ଛାଡ଼ି ଦେଲା ଆଉ ବା କିଏ ପଚାରିବା ଆବଶ୍ୟକ କଣ ଅଛି।

ଏମିତି ବି ତ ସେ କୌଣସି ପୈତୃକ ସମ୍ପତ୍ତି ଗଚ୍ଛିତ ରଖି ନାହାଁନ୍ତି ପୁଅ ପାଇଁ ଯେ ସେ ତାରି ଲୋଭରେ ବା ସେବା କରିବ ବୃଦ୍ଧ ପିତା ମାତାଙ୍କର। ସାଧୁ ବୋଉ ବୁଝି ସାରିଥିଲେ ଏ ଦୁନିଆ ସ୍ୱାର୍ଥପର, କେହି ଏଠି ନିଜର ନୁହଁନ୍ତି, ଅନ୍ତ ଫାଡ଼ି ଜନ୍ମ କଲା ପୁଅ ବି ନୁହଁ। କେବଳ ଧନ ସମ୍ପତ୍ତି ର ହିଁ ମୂଲ୍ୟ ରହିଛି, ଅନ୍ୟଥା ସମ୍ପର୍କର ଡ଼ୋରି ସୀମିତ ହୋଇ ପଡ଼ିଲାଣି, ଅର୍ଥର ତୁଳ ଦଣ୍ଡ ରେ ଏଠି ସମ୍ପର୍କ ଓଜନ ହୁଏ।

ଜନ୍ମ କଲା ପୁଅ ଆଜି ଭାତ ମୁଠେ ଦବା ପାଇଁ କୁଣ୍ଠିତ, ଯା ରି ପାଇଁ ସେ କେତେ ଥର ବୋଧେହୁଏ ଓପାସ ରହିଥିବେ, ହାତ ଧରି ଯାର ବାଟ ଚଲାଇବା ଶିଖେଇଥିଲେ ସେଇ ପୁଅ ଆଜି ଅଧା ରାସ୍ତାରେ ହାତ ଛାଡ଼ି ଦେଲା।

କେବଳ ଆଜି ନୁହଁ ପ୍ରାୟ ସବୁବେଳେ ବଡ଼ ବୋହୂ ବିରକ୍ତି ପ୍ରକାଶ କରେ ବୁଢ଼ା ବୁଢ଼ି ଉପରେ, ସବୁ କଥାରେ ଅବହେଳା କରେ, ପୁଅ ବି ଦେଖି ନ ଦେଖିଲା ପରି ରହିଯାଏ। ଆଜି କିନ୍ତୁ ଯଥେଷ୍ଟ ଅଧିକ ହୋଇ ଯାଇଥିଲା। କାହାକୁ କହିବେ ନିଜ ଦୁଃଖ। ଘର କଥା, ବାହାରେ ପଡିଲେ ବାର ଲୋକ ବାର କଥା କହିବେ, କଣ ବା ସେଥିରୁ ମିଳିବ ବରଂ ଚୁପ୍ ରହିବା ଉଚିତ। ଆଜି ସେମାନେ ଅଲୋଡା, ଅଖୋଜା, କାହାର କିଛି ଯାଉନି ତାଙ୍କ ଦୁଃଖରେ।

ଏଥର ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସ୍ଵାମୀ ସ୍ତ୍ରୀ ଦୁଇ ଜଣ ନିଜେ ନିଜର ସାହା ଭରସା। ଖାଲି ଅପେକ୍ଷା କେଉଁ ଦିନ ଏ ସ୍ୱାର୍ଥପର ଦୁନିଆରୁ ବିଦାୟ ନେବେ, ଚିର ଦିନ ପାଇଁ ଶାନ୍ତିରେ ଶୋଇ ପଡିବେ ମହାନିଦ୍ରା ରେ।

ସାଧୁ ବୁଢ଼ା ବୁଢ଼ି ଅଲୋଡା

Rate the content


Originality
Flow
Language
Cover design

Comments

Post

Some text some message..