Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Minakshi Samal

Others

3  

Minakshi Samal

Others

ରକ୍ତ ସମ୍ପର୍କ

ରକ୍ତ ସମ୍ପର୍କ

9 mins
774


"ସବୁବେଳେ ମନେ ରଖିଥା ଯେ ମା' ପେଟର ସମ୍ପର୍କ ଦୁନିଆଁ ର ସବୁ ସମ୍ପର୍କ ଠୁ ଉର୍ଦ୍ଧ୍ବରେ।ବାପା ମା'ଙ୍କ ମୃତ୍ୟୁ ପରେ ଭାଇ ଭଉଣୀ ମାନେ ସମୟ ଅସମୟରେ ପାଖରେ ଆସି ଠିଆହୁଅନ୍ତି।ଗୋଟିଏ ସନ୍ତାନ ଗୋଟିଏ ଆଖି ସଦୃଶ।ଗୋଟିଏ ଝିଅକୁ ନେଇ କାକବାଞ୍ଝି ହୋଇ ରହିବା ଠିକ୍ କଥା ନୁହେଁ।ମୋ କଥା ମାନି ଦ୍ଵିତୀୟ ସନ୍ତାନର ମା' ହେବାକୁ ଚେଷ୍ଟା କର।ମୁଁ ତ ଅଛି ।ମୁଁ ଥାଉଥାଉ ତୋର କିଛି ଅସୁବିଧା ହେବନି।ଏଇ ଦେଖୁନୁ ତୁମେମାନେ ଚାରି ଭାଇ ଭଉଣୀ । ଦରକାର ବେଳେ ପରଷ୍ପରକୁ ସାହାଯ୍ୟ କରିବାକୁ ଦୌଡି ଯାଉଛ।ଜଣକର କିଛି ହେଲେ ଅନ୍ୟ ତିନିଜଣ ଛାଇ ପରି ଜଗି ରହୁଛ।ସେହିପରି ତୁମମାନଙ୍କ ପିଲାଙ୍କର ଭାଇଭଉଣୀ ଥିଲେ ସିନା ସୁବିଧା ଅସୁବିଧାରେ ଜଣେ ଅନ୍ୟ ଜଣକର ସାହା ଭରସା ହେବ।ଆଗତ ଭବିଷ୍ୟତ ବିଷୟରେ ଚିନ୍ତାକର,ନିଜ କଥା ବି ଭାବେ।"

ଗୁରୁ ମନ୍ତ୍ର ଦେଲାପରି ଏତେ ଗୁଡିଏ କଥା କହି ବୋଉ ବାରିପଟକୁ ଚାଲିଗଲା ଆଉ ମତେ ଚିନ୍ତାର ବୁଢିଆଣୀ ଜାଲରେ ଛନ୍ଦି ଦେଇ ଗଲା।ଭାବିଲି ହୁଏତ ବୋଉ ଯାହା କହୁଛି ସତ ହିଁ କହୁଛି।

ମୋ ଝିଅ ମୋ ଦୁନିଆଁର କେନ୍ଦ୍ରବିନ୍ଦୁ।କଲମ୍ବସ ଙ୍କ ପରି ମୋର ବିଶ୍ବ ପରିକ୍ରମା ମୋ ଝିଅ ଠାରୁ ଆରମ୍ଭ ହୋଇ ତା'ରି ପାଖରେ ହିଁ ଶେଷ ହୋଇଥାଏ।ଫୁଲ ର ଚାରିପଟେ ମହୁମାଛି ଗୁଣୁଗୁଣୁ ଗୁଞ୍ଜନ କଲାପରି ମୁଁ ମୋ ଝିଅ ର ଚାରିପଟେ ମୋ'ର କକ୍ଷପଥରେ ରକ୍ଷା ବଳୟ ପରି ଅନବରତ ପରିକ୍ରମଣ କରୁଥାଏ। ଜାଣିନି ଏଇଟା ମୋର ପାଗଳାମୀ ବା ଅନ୍ୟ କିଛି।ଏ ଭିତରେ ଅନେକ ବର୍ଷ ବିତିଗଲାଣି।ବୋଉ କଥା ମାନି ଦ୍ବିତୀୟ ସନ୍ତାନର ମା' ବି ହୋଇସାରିଲିଣି।

ଏଥର ଦଶହରା ଛୁଟିରେ ବାପାଙ୍କର ଦେହ ବହୁତ ଖରାପ ହୋଇ ଯାଇଥିଲା।ମତେ ସେଥିପାଇଁ ପୁରୀ ଯିବାକୁ ପଡିଲା ତାଙ୍କୁ ଦେଖିବା ପାଇଁ।ବାପାଙ୍କ ଦେହ ଟିକେ ଠିକ୍ ହେବାପରେ ମତେ ଆସିବାକୁ ପଡିଲା କଲିକତାରେ ଥିବା ମୋ ବାସଭବନକୁ।ଦୁହିତା ର କର୍ମ .....ଦୁଇ ପରିବାର ର ହିତରେ ନିହିତ।ଦୁଇପଟେ ଭାରସାମ୍ୟ ରକ୍ଷା କରିବାକୁ ପଡିବ ଯେ।ସୌଭାଗ୍ଯକୁ ବାପାଙ୍କ ପାଖରେ ସାନ ଭାଇ ଓ ତା'ର ପରିବାର ରହନ୍ତି।ଦୁଇ ଭଉଣୀ ମଧ୍ୟ ତାଙ୍କର ପରିବାର ସହିତ ପୁରୀରେ ରୁହନ୍ତି।ସେଥିପାଇଁ ଓଡିଶା ବାହାରେ ରହିଲେ ବି ମୁଁ ଟିକିଏ ନିଶ୍ଚିନ୍ତ ହୋଇ ଥାଏ।

ଆସିଲା ବେଳେ ବାପା ମୋର ମନା କରିବା ସତ୍ତ୍ବେ ମଧ୍ୟ ମୋ ମନ ପସନ୍ଦର ଜିନିଷ ଗୁଡିକ ଗୋଟି ଗୋଟି କରି ନିଜ ତଦାରଖରେ ବ୍ୟାଗ୍ ରେ ଭରି ଦେଇଥିଲେ।ସମସ୍ତଙ୍କ ପାଇଁ ମା' ମାନେ ଯେପରି ମୋ ପାଇଁ ମୋ ବାପା।ମୋ ମନକଥା ବାପା ହିଁ ବେଶୀ ବୁଝିପାରନ୍ତି ।ପୁରୁଷକୈନ୍ଦ୍ରିକ ସମାଜରେ ବାପା ମତେ ଗୋଟିଏ ପୁଅପରି ସମସ୍ତ ସ୍ବାଧୀନତା ଦେଇଥିଲେ।୧୯୮୩ ମସିହାରେ ଯେତେବେଳେ ମୁଁ ପ୍ରଥମ ଶ୍ରେଣୀରେ ମ୍ୟାଟ୍ରିକ୍ ପାଶ୍ କଲି ସେତେବେଳେ ଆମ ବ୍ୟାଚ୍ ରେ ତିନିଜଣ ଝିଅ ପୁରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ।ଆଜିକାଲି ଯେମିତି ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଲେ ଅନେକ କିଛି ଉପଢୌକନରେ ପିଲାଟିକୁ ପ୍ରସନ୍ନ କରାଯାଉଛି ବା ପାର୍ଟି ର ଆୟୋଜନ କରାଯାଉଛି ସେତେବେଳେ ସେମିତି କିଛି ନଥିଲା।ସାଧାରଣ ଘଟଣା ଟିଏ ଥିଲା ମୋ ପାଇଁ।ହଁ .....ଖୁବ୍ ଖୁସି ହୋଇଥିଲି ମୁଁ.....ବାପାଙ୍କୁ ଖୁସି ହେବାର ଦେଖି।ସେତେବେଳେ ମୁଁ ଲଣ୍ଠନ ଆଲୁଅରେ ରାତିରେ ପାଠ ପଢିବା ସମୟରେ ବାପା ମୋ ପାଖରେ ବସି କେବେ କେବେ କୁହନ୍ତି " ମା' ରେ ତତେ ମୁଁ ବେଶୀ କିଛି ଦେଇ ପାରିବିନି କିନ୍ତୁ ତତେ ତୋ ନିଜ ଗୋଡରେ ଠିଆ କରାଇବା ଭଳି ଯୋଗ୍ୟ ମୁଁ କରାଇବି।କାହା ପାଖରେ ତତେ କେବେ ହାତ ପାତି ଠିଆ ହେବାକୁ ପଡିବନି।ତୁ ଖାଲି ମନ ଦେଇକି ପାଠ ପଢ।" କି କୁହୁକ ବାପାଙ୍କ କଥାରେ ଥିଲା କେଜାଣି ମୁଁ ଜାଣିନି..... ମନ ଦେଇ ପାଠ ପଢିବା ମୋର ଗୁରୁମନ୍ତ୍ର ହୋଇଯାଇଥିଲା।

ହଁ କଥାଟା ଅଧା ରହିଗଲା।ମ୍ୟାଟ୍ରିକ୍ ପାଶ୍ କରିବା ପରେ କଲେଜ ଯିବା କଥା।ଏଥିରେ ଅନ୍ତରାୟ ସୃଷ୍ଟି କଲେ ମୋ ଜେଜେମା ଓ ବୋଉ।ଯେହେତୁ ପିଉସୀ ମାନେ ମ୍ୟାଟ୍ରିକ୍ ପରେ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହୋଇଥିଲେ ସେଇ ନ୍ୟାୟରେ ମୋ ପାଇଁ ମଧ୍ୟ ପୋଥିରେ ଡୋରି ବାନ୍ଧିବାର ସମୟ ଆସି ଯାଇଥିଲା।ସେ ସମୟରେ ମୁହଁ ଖୋଲି କିଛି କହିବାର ଅଧିକାର ମୋ'ର ନଥିଲା।ଜେଜେମା ବାପାଙ୍କୁ କହିଲେ " ଅଭି ,ପଇସା ଖର୍ଚ୍ଚ କରି ତୁ ଝିଅକୁ ପାଠ ପଢେଇବୁ ଆଉ ସିଏ ପାଠପଢି ଚାକିରୀ କରି ଶାଶୁ ଘରକୁ ପୋଷିବ।କିଛି ଦରକାର ନାହିଁ।ତା' ପାଇଁ ବର ଖୋଜିବା ଆରମ୍ଭ କର।" ବୋଉ ବି ଗାୟକ ସାଙ୍ଗରେ ପାଳିଆ ର କାମ କରୁଥିଲା।

ବାପା ଥିଲେ ନିର୍ବିକାର।ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ରୁ ଫର୍ମ ଆଣି ମୋର ଆଡ୍ ମିଶନ୍ କରାଇ ଦେଲେ।ତା' ପରଠାରୁ ମୋ ପଢା ରାସ୍ତାରେ କେହି ବାଧା ଦେଲେନି କାରଣ ମୁଁ ମୋ ବାପାଙ୍କୁ ଖୁସି କରି ଚାଲିଥିଲି ଭଲ ପରୀକ୍ଷା ଫଳ ଦେଇ।

ସ୍ନାତକୋତ୍ତର ଦର୍ଶନରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇ ମୁଁ ନଳିନୀ ଦେବୀ ମହାବିଦ୍ୟାଳୟ ଭୂବନେଶ୍ବରରେ ବି.ଏଡ୍.କରି ପ୍ରଥମେ ଗୋଟିଏ ଘରୋଇ ମହାବିଦ୍ୟାଳୟ ଏବଂ ପରେ କେନ୍ଦ୍ରୀୟ ବିଦ୍ୟାଳୟ ରେ ଅଧ୍ୟାପନା ଆରମ୍ଭ କଲି।ଯେହେତୁ ମୋ କାର୍ଯ୍ୟସ୍ଥଳୀ କଲିକତାର ସଲ୍ଟଲେକ୍ ରେ ଥିଲା ସେଥିପାଇଁ ମତେ କଲିକତା ଫେରି ଆସିବାକୁ ପଡିଥିଲା ।

କିଛି ଦିନ ପରେ ଆରମ୍ଭ ହେଲା ଡିସେମ୍ବର ମାସର ଖ୍ରୀଷ୍ଟମାସ ଛୁଟି ।ଏଥର ଆମ କଲିକତା ରିଜିୟନ୍ ରେ ଆମେ ୨୦ ଦିନ ଛୁଟି ପାଇଥିଲୁ।ମୋର ପତି ଭଦ୍ରକ ର ଗୋଟିଏ ମହାବିଦ୍ୟାଳୟର ଆଇନ ବିଭାଗର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରନ୍ତି।ମାସରେ ଥରେ ନହେଲେ ଦୁଇଥର ସେ କଲିକତା ଆସନ୍ତି।ଛୁଟି ହେଲେ ମନରେ ଅନେକ ଆଶା ଓ ଉନ୍ମାଦନା ବଢିଯାଏ।ପ୍ରତ୍ୟେକ ଛୁଟି ରେ ବିଭିନ୍ନ ସ୍ଥାନ ବୁଲି ଦେଖିବାର ଯୋଜନା ବହୁତ ଆଗରୁ ବନାଇ ଥା'ନ୍ତି ମୋ'ର ପତିଦେବ।କେମିତି ଛୁଟି କଟିଯାଏ ଜଣା ପଡେନି।

ଏଥର ଥିଲା ଏକ ବ୍ୟତିକ୍ରମ।ଛୁଟି ହେଲା।ଯୋଜନା ବନାହେଲା ଅଥଚ କାର୍ଯ୍ୟକାରୀ ହୋଇ ପାରିଲାନି।

ଛୁଟି ର ଦ୍ଵିତୀୟ ଦିନ।ନିଉ ମାର୍କେଟ ରୁ ବୁଲାବୁଲି କରି ଏବଂ କିଣାକିଣି ସାରି ଘରେ ପହଞ୍ଚିଲା ବେଳକୁ ରାତି ଆଠଟା ହେଲାଣି ।ଥଣ୍ଡା ସମୟ।ଚା' ଟିକେ ବନେଇ ପିଇବା ପାଇଁ ଭାରି ଇଛା ହେଲା। ଗ୍ୟାସ୍ ଉପରେ ସସ୍ ପ୍ୟାନ୍ ରେ ପାଣି ବସେଇଛି କି ନାହିଁ ପତି ଙ୍କର ପାଟି ଶୁଣି ଦୌଡିକି ଶୋଇବା ଘରକୁ ଯାଇ ଦେଖିଲି ସେ ଚିତ୍ ହୋଇ ଖଟରେ ଶୋଇଛନ୍ତି ଆଉ ଏତେ ଥଣ୍ଡାରେ ବି ଫ୍ୟାନ୍ ଚଲାଇବାକୁ କହୁଛନ୍ତି।କ'ଣ ହେଇଛି ପଚାରିବାରୁ କହିଲେ "ମୋ ବାଁ ପଟ ଛାତିରେ ବହୁତ କଷ୍ଟ ହେଉଛି।ଭା'ରି ଗରମ ଲାଗୁଛି।ସେତେବେଳକୁ ସେ ଝାଳରେ ଓଦା ହୋଇ ସାରିଥିଲେ।ଛାତି ଘଷିଦେବାରୁ ସେ ମନାକଲେ ଓ ଶାନ୍ତିରେ ଟିକେ ପାଞ୍ଚ ମିନିଟ୍ ଶୋଇବାକୁ ଦେବାକୁ କହିଲେ।ମୁଁ କିନ୍ତୁ ମାପିନେଇଥିଲି ପରିସ୍ଥିତିର ଗଭୀରତାକୁ।ଔଷଧ ଦୋକାନରୁ ସର୍ବିଟ୍ରେଟ୍ ମଗାଇ ତାଙ୍କ ଜିଭତଳେ ଦେଇ ଗୋଲ୍ଡେନ୍ ଆଉଆର୍ ଭିତରେ ତାଙ୍କୁ ଡାକ୍ତର ଙ୍କ ପାଖରେ ପହଞ୍ଚାଇବା ଥିଲା ମୋର ଲକ୍ଷ୍ୟ।

ସେଦିନ ଥିଲା ମୋ ଜୀବନର ବହୁତ ବଡ ପରୀକ୍ଷା।କାଗଜ କଲମର ପରୀକ୍ଷାରେ ମୋର ନିଜର ଅଧ୍ୟବସାୟ ଓ ପ୍ରଚେଷ୍ଟା କାମ କରୁଥିଲା।କିନ୍ତୁ ଜୀବନ ଯୁଦ୍ଧରେ ଅନେକ କିଛି ର ଆବଶ୍ୟକତା ପଡିଥାଏ।ସାଧାରଣ ଜ୍ଞାନ, ପରିବାରର ସଦସ୍ୟ ମାନଙ୍କର ସାହାଯ୍ୟ, ସାଙ୍ଗ ସାଥୀ ଙ୍କ ସହାୟତା, ଅର୍ଥ ଓ ସର୍ବୋପରି ଠିକ୍ ସମୟରେ ଉଚିତ ପଦକ୍ଷେପ .....ଭଗବାନଙ୍କର ଆଶୀର୍ବାଦ ବିନା ତ ପତ୍ର ଟିଏ ବି ହଲିବା ଅସମ୍ଭବ।କ୍ଷଣିକ ମଧ୍ୟରେ ତଡିତ୍ ବେଗରେ ସିଦ୍ଧାନ୍ତ ନେବା ଏବଂ ଆଗର କାର୍ଯ୍ୟପନ୍ଥା ଗ୍ରହଣ କରିବା ସବୁକିଛି ମୋ ହାତରେ।ନିଜର ବୋଲିକି କେହି ନାହିଁ।ସମସ୍ତେ ଖ୍ରୀଷ୍ଟମାସ ର ପୂର୍ବ ପ୍ରସ୍ତୁତିରେ ବ୍ୟସ୍ତ।କାହାକୁ କହିବି କାହାକୁ ଜଣାଇବି ଭାବିଭାବି ଶେଷରେ ଦୁଇଜଣ ଓଡ଼ିଆ ପଡୋଶୀଙ୍କୁ ଫୋନ୍ କଲି।ଦୁର୍ଭାଗ୍ୟକୁ ମହାପାତ୍ର ବାବୁ ବରହମ୍ ପୁର୍ ଯାଇଥିଲେ ଅଫିସ୍ କାମରେ ଏବଂ ଦାସ ବାବୁ ସେତେପର୍ଯ୍ୟନ୍ତ ଅଫିସ୍ ରୁ ଫେରି ନଥିଲେ।ଏଇଥିରୁ ବୁଝିଗଲି ଯେ ଏଇ ପରୀକ୍ଷାର ସାମନା ମତେ ଏକୁଟିଆ କରିବାକୁ ପଡିବ।ଭଗବାନଙ୍କୁ ଡାକି ମୋର ଜଣେ ସହକର୍ମୀ ପ୍ରସାଦ ସାର୍ ଙ୍କୁ ଫୋନ କଲି।ସେ ତାଙ୍କର ଚିନ୍ହା ଡାକ୍ତରଙ୍କୁ ଫୋନ କରି ଏକଥା ଜଣାଇ ଦେଲେ ଓ ତା ସହିତ ମତେ କହିଲେ ପତିଙ୍କୁ ସାଙ୍ଗରେ ନେଇ ସଙ୍ଗେ ସଙ୍ଗେ ଡାକ୍ତରଙ୍କ କ୍ଲିନିକ୍ ରେ ପହଞ୍ଚି ବାକୁ।

ସମୟ ପ୍ରାୟ ରାତି ନ'ଟା ପାଖାପାଖି।ସଂଘର୍ଷର ଶେଷ ନଥାଏ।ପତିଙ୍କୁ ଯେତେ ଉଠାଇବାର ଚେଷ୍ଟା କରୁ ଥାଏ ,ସେ ସେତେ ଶୋଇବାକୁ ଚାହୁଁଥାନ୍ତି।ମୁଁ ଉପାୟଶୂନ୍ୟ ହୋଇ ଠିଆ ହୋଇ ରହିଥାଏ।ଝିଅ ଓ ପୁଅଙ୍କ ସାହାଯ୍ୟ ନେଇ ତାଙ୍କୁ ଉଠାଇ ଓଲା କ୍ୟାବ୍ ବୁକ୍ କଲି।ପ୍ରଥମେ ପାଞ୍ଚ ମିନିଟ୍,ପରେ ଦଶ ମିନିଟ୍ ଏମିତି ଟାଇମ୍ ଦେଖାଇ ଦେଖାଇ ଶେଷରେ କ୍ୟାବ୍ ଟି ବୁକିଂ କ୍ୟାନ୍ସେଲ୍ କରିଦେଲା।ବୋଝ ଉପରେ ନଳିତା ବିଡା ପରି ମୋ' ଅବସ୍ଥା ଅସମ୍ଭାଳ ହୋଇ ଯାଉଥିଲା।ବାଧ୍ୟହୋଇ ରିକ୍ସାରେ ବସାଇ ଡାକ୍ତର ପାଲ୍ ଙ୍କ କ୍ଲିନିକ୍ କୁ ନେଲି।ସେତେ ବେଳକୁ ଡକ୍ଟର୍ ପାଲ୍ ଆମକୁ ଅପେକ୍ଷା କରି କରି କ୍ଲିନିକ୍ ବନ୍ଦ କରି ସାରିଥିଲେ।ଫୋନ କରି ତାଙ୍କ ଘରକୁ ଯିବାକୁ ପଡିଲା।ମୋ ସହିତ ପ୍ରସାଦ ସାର୍ ଓ ତାଙ୍କର ପତ୍ନୀ ମଧ୍ୟ ଥା'ନ୍ତି।ରାତି ଦଶଟା ବାଜିବାକୁ ଯାଉଥାଏ।ଆଖପାଖର ସମସ୍ତ ନିଦାନ ବିଭାଗ(diagnostic centre) ଗୁଡିକ ବନ୍ଦ ହୋଇସାରିଥାଏ।ଦୁଇଟି ଟେଷ୍ଟର ଆବଶ୍ୟକତା ଥାଏ।ସେହିଦିନ କରିବାର ଥାଏ।ଡକ୍ଟରଙ୍କ ଠାରୁ ବିଦାୟ ନେଇ ଗୋଟିଏ ଘରୋଇ ହାସପାତାଳର ଇମରଜେନ୍ସି ବିଭାଗରେ ଟେଷ୍ଟ ଦୁଇଟି କରାହେଲା।ରିପୋର୍ଟ ନେଇ ଫେରୁ ଫେରୁ ରାତି ସାଢେ ଏଗାର।ପିଲା ଦିଜଣ ଘରେ ସେମିତି ଭୋକରେ ବସିଥାନ୍ତି।କେମିତି କ'ଣ ଟିକେ ବନେଇ ସମସ୍ତଙ୍କୁ ଖାଇବାକୁ ଦେଇ ରାତି ପାହିବାର ଅପେକ୍ଷାରେ ରହିଲି।

ପରଦିନ ଡିସେମ୍ବର ୨୫ ତାରିଖ।ସମସ୍ତଙ୍କର ଛୁଟି।ସେଦିନ ଆଉ କୌଣସି କାମ ହୋଇ ପାରିଲା ନାହିଁ।ସତେଇଶ ତାରିଖରେ ଜଣେ କାର୍ଡିଓଲୋଜିଷ୍ଟ ଙ୍କୁ ଦେଖା କରିବାକୁ ଗଲୁ।ସେତେବେଳକୁ ଖବର ପାଇ ପତିଙ୍କର କଲିକତାରେ ଥିବା ଛାତ୍ରମାନେ ଘରକୁ ଆସିବା ଆରମ୍ଭ କରିଦେଇଥାନ୍ତି।ପ୍ରତ୍ୟେକ ମୁହୁର୍ତ୍ତରେ କେହିନା କେହି ଆମ ସାଙ୍ଗରେ ରହୁଥିଲେ।ଆମଘରେ ବା ଶାଶୁଘରେ କାହାକୁ କହିବିନି ବୋଲି ଭାବିଥିଲି।କହିଲେ ସମସ୍ତେ ବ୍ୟସ୍ତ ହେବେ।କେହି ତ ଏଠାରେ ଆସି କିଛି କରି ପାରିବେନି ଖାଲି ବ୍ୟସ୍ତ ଯାହା ହେବେ।କାର୍ଡିଓଲୋଜିଷ୍ଟ ରିପୋର୍ଟ ଦେଖି ସାଙ୍ଗେ ସାଙ୍ଗେ କହିଲେ ଆନ୍ଜିଓଗ୍ରାଫି କରିବାକୁ ।ଯଦି ଏଥିରୁ ଜଣାପଡିବ ହାର୍ଟ ରେ କିଛି ବ୍ଲକେଜ ଅଛି ତେବେ ସର୍ଜରୀ କରିବାକୁ ହେବ ବା ଷ୍ଟେଣ୍ଟ୍ ଲଗାଯିବ।ଯଦି ରିପୋର୍ଟ ଠିକ୍ ଆସିବ ତେବେ ଏସବୁ କରିବାର ଦରକାର ହେବନାହିଁ।ହାତରେ ସେଦିନ ବାରହଜାର ଟଙ୍କା ନେଇକରି ଯାଇ ନଥିବାରୁ ଆନ୍ଜିଓଗ୍ରାଫି ହୋଇ ପାରିଲାନି।ତାପରଦିନ ମନକୁ ବୁଝାଇବାକୁ ଆଉଜଣେ ଭଲ ନାମକରା ଆଉ ଦାମୀ ହୃଦ୍ ରୋଗ ବିଶେଷଜ୍ଞଙ୍କ ପାଖକୁ ଗଲୁ।ଆଶାଥିଲା ସେ ଆନ୍ଜିଓଗ୍ରାଫି ଇତ୍ୟାଦି କରିବାକୁ କହିବେନି।ଆଶା ଟି ଆଶାରେ ରହିଗଲା।ସେ ମଧ୍ୟ ସେଇ ଏକାକଥା କହିଲେ।ମନେ ମନେ ଭାବୁଥିଲି ହୃଦ୍ ରୋଗ ହେଲେ ଲୋକମାନଙ୍କୁ ଭୂତେଇ ଷ୍ଟେଣ୍ଟ୍ ବିକା କିଣାରେ ରୋଗୀମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନିଆ ହୁଏ। ନିଜ ଉପରେ ଏଥର ସେଇ ଦୁର୍ଦ୍ଦଶା ପଡିଛି।ନିରୁପାୟ ମଣିଷ ନିଜର ପ୍ରିୟଜନର ଜୀବନ ବଞ୍ଚାଇବାକୁ ବନ୍ଧା ବି ପକେଇଥାଏ ନିଜକୁ।

ଟଙ୍କା ଯୋଗାଡ କରି ଏବଂ ଗୋଟିଏ ବେସରକାରୀ ମଲ୍ଟିସ୍ପେସିଆଲିଟି ହାସପାତାଳରେ ଡାକ୍ତରଙ୍କ ସହ ଯୋଗାଯୋଗ କରି ଆନ୍ଜିଓଗ୍ରାଫିର ଦିନ ସ୍ଥିର କରାଗଲା। ଡିସେମ୍ବର ୩୧ ତାରିଖ ସକାଳ ୧୦ ଟାରେ ସେଠାରେ ପହଞ୍ଚିବାର ଥିଲା।ଠିକ ସମୟରେ ପତିଙ୍କୁ ନେଇ ପହଞ୍ଚିଗଲି।ରିସେପ୍ସନ୍ ରେ କିଛି ସମୟ ବସିବା ପରେ ସେହି ହାସପାତାଳରେ ଆକାଉଣ୍ଟ ବିଭାଗରେ କାମ କରୁଥିବା ଜଣେ ଛାତ୍ର(ଯେ କି ପତିଙ୍କ କଲେଜରୁ ଏଲ୍. ଏଲ୍. ବି. କରିଥିଲେ)ହଠାତ୍ ଆମକୁ ଦେଖି ସାଙ୍ଗରେ ଆମକୁ ନେଇ ରେଜିଷ୍ଟ୍ରେସନ୍ ର ସବୁ କାଗଜପତ୍ର କାମ ସାରିବାରେ ସାହାଯ୍ୟ କଲେ।ସେତେବେଳେ ରାକେଶ ବୋଲି ଆଉଜଣେ ଛାତ୍ର ଆମ ସାଙ୍ଗରେ ମଧ୍ୟ ଥିଲେ।

ପତି ଡାଇବେଟିସ ରୋଗୀ।ସକାଳୁ କିଛି ଖାଇନଥା'ନ୍ତି।ଭୋକରେ ଛଟପଟ ହୋଇଯାଉଥା'ନ୍ତି।ବାରଟା ବେଳକୁ ଆଉ ଭୋକ ସମ୍ଭାଳି ନପାରି ହସ୍ପିଟାଲ ଭିତରେ ଥିବା ସ୍ନାକ୍ସ କାଉଣ୍ଟର୍ ରୁ ଗୋଟିଏ ଭେଜିଟେବଲ୍ ପେଟିସ୍ କିଣି ଖାଇଲେ।ଅଧଘଣ୍ଟା ପରେ କ୍ୟାଥ୍ ଲ୍ୟାବ୍ କୁ ଯିବାର ଡାକରା ଆସିଲା।ତେର ହଜାର ଟଙ୍କା ଜମା କରିବା ପରେ ପତିଙ୍କୁ ସେଠାରେ ଗୋଟିଏ ବେଡ୍ ରେ ଆଡ୍ ମିଟ୍ କରାଗଲା। ଆଉ ଆମମାନଙ୍କୁ ଲବିରେ ଅପେକ୍ଷା କରିବାକୁ କୁହାଗଲା।ଦିନ ପ୍ରାୟ ଚାରିଟା ତିରିଶ ହେବ।ପତିଙ୍କ ରୁମ୍ ରୁ ଡକରା ଆସିଲା।ମୁଁ ଓ ରାକେଶ ଦୁଇଜଣ ମିଶି ସେଠାକୁ ଗଲୁ।ମତେ କେବଳ ଭିତରକୁ ଛଡାଗଲା।ତା ପୂର୍ବରୁ ମତେ ଜୋତା ହଳକ ବାହାରେ ରଖିବାକୁ କୁହାଗଲା,ହାତକୁ ସାନିଟାଇଜର୍ ରେ ପରିଷ୍କାର କରିବା ପରେ ଏକ ମେଡିକେଟେଡ୍ ଗାଉନ୍ ପିନ୍ଧାଇ ଦିଆଗଲା। ଏକ ବଡ ହଲ୍।ତା ପାଖକୁ ଲାଗି ପତିଙ୍କର କ୍ୟାଥ ଲ୍ୟାବ୍।ହଲ୍ ଭିତରେ ହୃଦ୍ ରୋଗ ବିଶେଷଜ୍ଞ ତାଙ୍କ ଟିମ୍ ସହିତ ଉପସ୍ଥିତ ଥିଲେ।ସାମନା କାନ୍ଥରେ ବଡ ଏଲ୍.ଇ.ଡି ଟିଭି ଲଗାହୋଇଥାଏ।

ମତେ ଦେଖି ଡକ୍ଟର୍ କହିଲେ "ଆପଣଙ୍କ ପତିଙ୍କର ଲେଫ୍ଟ ମେନ୍ କରୋନାରୀ ଆର୍ଟେରୀ ରେ ୯୦ ପ୍ରତିଶତ ବ୍ଲକେଜ ହୋଇଯାଇଛି।କହିବା ସଙ୍ଗେ ସଙ୍ଗେ ସେ ଭିଡିଓ ଟି ଚଲେଇ ଦେଖେଇ ବାକୁ ଲାଗିଲେ ,ଯେକୌଣସି ମୁହୁର୍ତ୍ତରେ କିଛିବି ଅଘଟଣ ଘଟିଯିବାର ଭୟ ଦେଖାଇଲେ ଓ ମତେ ଯେତେ ଶୀଘ୍ର ହେଉ ସିଦ୍ଧାନ୍ତ ନେବାକୁ କହିଲେ।ସିଦ୍ଧାନ୍ତ ନେବାର ଅର୍ଥ ହେଲା ବାଇପାସ୍ ସର୍ଜରୀ କରିବ ନା ଷ୍ଟେଣ୍ଟ୍ ଲଗାଇବ।ଏ ବିଷୟରେ ମୋର କୌଣସି ଧାରଣା ନଥିଲା।ଗୋଡହାତ ଥରୁଥାଏ।ମୁହଁରୁ କଥା ବାହାରୁ ନଥାଏ।ଏକରକମ ଭାବେ ମୁଁ ସ୍ଥାଣୁ ପାଲଟି ଯାଇଥାଏ।ଘରେ ଯେହେତୁ କାହାକୁ କହିନଥିଲି ଏ ସମୟରେ ସେମାନଙ୍କୁ ପଚାରି ଅଯଥା ଚିନ୍ତାରେ ପକାଇବାକୁ ଚାହୁଁ ନଥିଲି।ଏକୁଟିଆ କିନ୍ତୁ ମୋ ପାଇଁ ଏସବୁ ପରିସ୍ଥିତିର ସାମନା କରିବା କଷ୍ଟକର ହୋଇପଡୁଥିଲା।

ଅଧଘଣ୍ଟା ସମୟ ଦେଇଥିଲେ ଡକ୍ଟର।ହଲ୍ ବାହାରକୁ ଆସି ରାକେଶ ସାଙ୍ଗେ ଏ ବିଷୟରେ ଆଲୋଚନା କରୁ କରୁ ଡକ୍ଟର୍ ଦାଶଗୁପ୍ତାଙ୍କ କଥା ମନେପଡିଲା।ସେ ମଧ୍ୟ ମୋ ପତିଙ୍କର କଲେଜରେ ଆଇନର ଛାତ୍ର ଥିଲେ।ତାଙ୍କୁ ଫୋନ କଲାରୁ ସେ ଷ୍ଟେଣ୍ଟ୍ ଲଗାଇବା ପାଇଁ ପରାମର୍ଶ ଦେଲେ।ତାଙ୍କର ପରାମର୍ଶକୁ ବେଦର ଗାର ଭାବି ମାନିନେଲି ଓ ଡକ୍ଟର୍ ଙ୍କୁ ନିଜର ମତାମତ ଜଣାଇଲି।ତତ୍ କ୍ଷଣାତ୍ ବଣ୍ଡ୍ ସାଇନ କରିବାକୁ ମୋତେ କୁହାଗଲା ଓ ଷ୍ଟେଣ୍ଟ୍ ଲଗେଇବା ବାବଦରେ ଲକ୍ଷେ ଅସି ହଜାର ଟଙ୍କା ଯୋଗାଡ କରିବାକୁ କୁହାଗଲା।ଯୁଦ୍ଧଭୂମିରେ ଏକୁଟିଆ ଠିଆହୋଇ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରୁଥିଲି ମୁଁ।

ସେଦିନ ପତିଙ୍କୁ ନର୍ସିଂହୋମ୍ ରେ ରହିବାକୁ ପଡିଲା।ସକାଳ ହେଲେ ନୂଆବର୍ଷ ୨୦୧୯ ର ଶୁଭାରମ୍ଭ।ସେହିଦିନ ହିଁ ତାଙ୍କର ବାମପଟ ଧମନୀରେ ଷ୍ଟେଣ୍ଟ୍ ଲଗାଯିବାର ଥିଲା।ସନ୍ଧ୍ୟା ସାଢେ ଛ'ଟା ବେଳକୁ ଘରକୁ ଫେରିଲି।ପିଲା ଦୁଇଜଣଙ୍କୁ ରାତ୍ରି ଖାଇବା ଦେବାପରେ ନିଜେ କିଛି ଖାଇ ନେଇ ଘର ଭିତରେ ଏପଟ ସେପଟ ହୋଇ ଅସ୍ଥିର ଭାବେ ପଦଚାରଣା କରୁଥାଏ।ବାହାରେ ଚାରିଆଡେ ଖୁସିର ମାହୋଲ।ନୂଆବର୍ଷକୁ ସ୍ବାଗତ କରିବାକୁ ସମସ୍ତେ ଉଦଗ୍ରୀବ ହୋଇ ଅପେକ୍ଷା କରିଥା'ନ୍ତି।ସମସ୍ତଙ୍କ ଘରୁ ଟି.ଭି. ର ନୂଆବର୍ଷର ପ୍ରୋଗ୍ରାମ ଫୁଲ୍ ଭଲ୍ୟୁମ୍ ରେ ଶୁଣାଯାଉଥାଏ।କାହାକୁ ନକହି ମୋ ମନର ଅକୁହା ବେଦନା ମୋପାଇଁ ଅସହ୍ୟ ହୋଇ ଉଠୁଥାଏ।ରାତି ପ୍ରାୟ ଏଗାରଟା ବେଳେ ବାପାଙ୍କୁ ପ୍ରଥମେ ଫୋନ୍ କରି ଜଣାଇଲି ।ସେ ତ ବିଶ୍ବାସ କରିପାରୁ ନଥିଲେ ମୋକଥା ଶୁଣି।ମୁଁ ତାଙ୍କୁ ବ୍ୟସ୍ତ ନହେବା ପାଇଁ କହିଲି ଓ ସକାଳ ହେଲେ ଜଗନ୍ନାଥଙ୍କ ମନ୍ଦିରକୁ ଯାଇ ଠାକୁରଙ୍କ ପାଖରେ ଗୋଟିଏ ଦୀପ ଜାଳିଦେବା ପାଇଁ କହିଲି।ଦୁଇ ଭଉଣୀଙ୍କୁ ମଧ୍ୟ ଫୋନ୍ କରି ମୋ ପତିଙ୍କ ପାଇଁ ଠାକୁରଙ୍କୁ ପ୍ରାର୍ଥନା କରିବାକୁ କହିଲି।ବାରଟା ରାତିରେ ନୂଆବର୍ଷର ସ୍ବାଗତ କରିବାକୁ ବାହାରେ ବାଣ ଫୁଟା ଆରମ୍ଭ ହୋଇଗଲା।ଏହାସହିତ ମୋର ମାନସିକ ଉତ୍ତେଜନା ବଢିବାକୁ ଲାଗିଲା।ରାତି ସାରା ଶୋଇପାରୁ ନଥାଏ।

ଭୋର ବେଳକୁ ଟିକିଏ ଆଖି ଲାଗିଆସିଥାଏ।ଫୋନ୍ ର ରିଙ୍ଗ୍ ରେ ନିଦ ଭାଙ୍ଗିଗଲା।ଶାଶୁଘରୁ ଦାଦା ଶ୍ବଶୁରଙ୍କ ଝିଅର ଫୋନ୍ ଥିଲା।ସେ 'ହାପି ନ୍ୟୁ ଇଅର ଭାଉଜ'କହୁଥିଲା ବେଳେ ମୁଁ ଆଉ ନିଜକୁ ରୋକି ନପାରି ସତ କଥାଟି କହିଦେଲି।ତାଙ୍କୁ ରାଣଦେଇ କହିଲି କାହାକୁ ନକହିବା ପାଇଁ।ଠାକୁରଙ୍କ ପାଖରେ ଦୀପ ଜାଳି ପ୍ରାର୍ଥନା କରିବାକୁ ଅନୁରୋଧ କଲି।

ସକାଳୁ ସକାଳୁ କାମ ସାରି ଦଶଟା ସୁଦ୍ଧା ମତେ ନର୍ସିଂହୋମରେ ପହଞ୍ଚିବାର ଥିଲା।ସାଙ୍ଗରେ ଟଙ୍କା ନେଇକରି ଯିବାର ଥିଲା।ଏକାଥରେ ଲକ୍ଷେ ଅଶୀ ହଜାର ନଦେଇ ଦୁଇଟି ଇନଷ୍ଟଲମେଣ୍ଟ ରେ ଦେବାପାଇଁ ମୁଁ ନର୍ସିଂହୋମ ର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲି।କଲିକତାରେ ନିଜର ରକ୍ତ ସଂପର୍କୀୟ କେହି ନଥିଲେ ମଧ୍ୟ ନିଜର ସହକର୍ମୀ ଓ ଚିନ୍ହା ଲୋକମାନେ ଯେଉଁମାନଙ୍କ ପାଖରେ ଏଇ ଖବରଟି ପହଞ୍ଚି ସାରିଥିଲା ସେମାନେ ଟଙ୍କାଯୋଗାଡ କରି ଦେଇଥିଲେ।ସକାଳ ଆଠଟା ବେଳକୁ ଜଣକ ପରେ ଜଣେ ଆସି ଯୋଗାଡ କରିଥିବା ଟଙ୍କା ଆଣି ମତେ ଦେଇଥିଲେ।ମୁଁ ଅବଶ୍ୟ ପରେ ତାଙ୍କୁ ମୋ ଚେକ୍ ସାଇନ୍ କରି ଦେଇଥିଲି।

୨୦୧୯ ଜାନୁଆରୀ ୧ତାରିଖ।ଦିନ ବାରଟା ବେଳକୁ ପତିଙ୍କୁ ଅପରେସନ୍ ଥିଏଟର୍ ଭିତରକୁ ନିଆହେଲା। ସେତେବେଳକୁ ମୋ ପାଖରେ ରାକେଶ ସହିତ ପତିଙ୍କର ଅନ୍ୟ ଚିନ୍ହା ଜଣା ଲୋକ ତଥା ମୋର କେତେଜଣ ସହକର୍ମୀ ଉପସ୍ଥିତ ଥା'ନ୍ତି।ମୁଁ ଅନୁଭବ କରିପାରୁଥାଏ ଏଭଳି ବିଷମ ପରିସ୍ଥିତିରେ ଆତ୍ମୀୟସ୍ବଜନଙ୍କ ଉପସ୍ଥିତି କେତେ ଆବଶ୍ୟକ।ନାଚାର ଥିଲି ମୁଁ।ମନେମନେ ଖାଲି ଜଗତର ନାଥ ଜଗନ୍ନାଥଙ୍କୁ ସ୍ମରଣ କରୁଥାଏ।

ଦୁଇଘଣ୍ଟା ପରେ ଡକରା ଆସିଲା।ପତିଙ୍କୁ ଆଇ ସିୟୁ ର ୨୭ ନମ୍ବର ବେଡ୍ ରେ ସିଫ୍ଟ କରାଯାଇଥିଲା।ଭିଜିଟିଂ କାର୍ଡରେ ଦୁଇଜଣଙ୍କୁ ଭିତରକୁ ଛଡା ଗଲା।ଅନ୍ୟମାନେ ଗ୍ଲାସ ଡୋର ପାଖରେ ରହି ବାହାରୁ ପତିଙ୍କୁ ଦେଖିଲେ।ସ୍ବଃସ୍ତିରେ ଟିକେ ନିଃଶ୍ବାସ ନେଲି ମୁଁ।ଭଗବାନଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇଲି।ସେଦିନ ସନ୍ଧ୍ୟା ସାତଟାରେ ଘରକୁ ଫେରିଲି।ବାକି ଟଙ୍କାର ଯୋଗାଡ କରି ପରଦିନ ପୈଠ କରିବାର ଥିଲା।ସେଦିନ ପୁରା ଟଙ୍କା ଯୋଗାଡ ହେଇ ପାରି ନଥିଲା।ତେଣୁ ଦିନ ଦଶଟା ରେ ପହଞ୍ଚି ନର୍ସିଂହୋମର କୋ ଅର୍ଡିନେଟର୍ ଙ୍କୁ ଏକଥା କହିଥିଲି।ସେ ମୋ କଥା ଶୁଣିଲେ ଓ ପରଦିନ ଅର୍ଥାତ ଜାନୁଆରୀ ୩ ତାରିଖରେ ପୁରା ଟଙ୍କା ପୈଠ କରିବାକୁ କହିଲେ।ତାପରେ ପତିଙ୍କୁ ଦେଖାକରି ମୁଁ ଫେରିଆସିଲି।

ଜାନୁଆରୀ ୩ ତାରିଖ ।ସକାଳ ଦଶଟା ରେ ବାହାରି ପଡିଲି ମେଡିକା ନର୍ସିଂହୋମ।ପତିଙ୍କୁ ଡିସ୍ ଚାର୍ଜ କରି ଘରକୁ ନେଇ ଆସିବି ବୋଲି ମନଟା ଖୁସି ଲାଗୁଥିଲା।କାଗଜପତ୍ରରେ ସବୁ ଔପଚାରିକତା ଶେଷକରି ଓ ବକୈୟା ଟଙ୍କା ପୈଠ କରି ଦିନ ତିନିଟା ସମୟରେ ପତିଙ୍କୁ ନେଇ ଘରକୁ ଫେରିଲି।

ଏହା ମୋ ଜୀବନର ବହୁତ ବଡ ପରୀକ୍ଷା ଥିଲା ।ସେଦିନ ବୋଉ କହିଥିବା କଥା ମନେ ପକାଉଥିଲି।ରକ୍ତ ସମ୍ପର୍କ ଯେ ସବୁଠାରୁ ବଡ ସମ୍ପର୍କ ଏହା ମୋ ପାଇଁ ଭୂଲ ବୋଲି ପ୍ରମାଣିତ ହୋଇଥିଲା।ମୋର ବିପଦ ସମୟରେ ଯେଉଁମାନେ ମୋ ପାଖରେ ଠିଆହୋଇ ମତେ ସାହାଯ୍ୟ କରିଥିଲେ ଓ ମୋର ମନୋବଳ ବଢାଇଥିଲେ ସେମାନେ ମୋ ପାଇଁ ରକ୍ତ ସମ୍ପର୍କୀୟ ହୋଇ ଉଠିଥିଲେ। ଜଗତର ନାଥ ଜଗନ୍ନାଥଙ୍କ ପାଖରେ ସେମାନଙ୍କ ପାଇଁ ମୁଁ ଆଶୀଷ ଭିକ୍ଷା କରୁଥିଲି।

*** ମିନାକ୍ଷୀ ସାମଲ ***

minusamal1969@gmail.com

7980250037


Rate this content
Log in