Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subal Mohapatra

Others

5.0  

Subal Mohapatra

Others

ହାପି ରଜ

ହାପି ରଜ

5 mins
7.6K


ସକାଳୁ ସକାଳୁ ନାନୁଆଁ ଡାକିଲା,"ବବୁଲୁ, ଶୀଘ୍ର ଆ....ସିଆଡେ ଦଳ ସବୁ ଆସି ସାରିଲେଣି"। ଗାଁ ରେ ସମସ୍ତଙ୍କ ନାଁ ପଛରେ ଆ ଲାଗିବା ଥୟ। କୁନିଆ, ପିଣ୍ଟୁଆ, ମଣ୍ଟୁଆ, ସନିଆଁ, ମାନିଆଁ, ନାନୁଆଁ ଏମିତି ସବୁ। ମୋ ନାଁଟା ବବୁଲୁ ବୋଲି ଟିକେ ଅଲଗା। ଯାହା ହଉ, ବୁଝିବାକୁ ଆଉ ବାକି ନଥିଲା ଯେ ପାଖ ଗାଁର ଝିଅ ଦଳ ଆମ ଗାଁକୁ ଆସିଲେଣି ଦୋଳି ଖେଳି। ଗାଁରେ ଦୋଳି ଖେଳଟା ନିଆରା। ଗୋଟେ ଗାଁର ଝିଅ, ଆର ଗାଁର ଦୋଳି କେମିତି ହେଇଛି ନ ଦେଖିଲେ ତାଙ୍କ ପୋଡପିଠା ହଜମ ହୁଏନି। ପୋଡପିଠା ହଜମ ହୁଏନି କି ଖାସିଟା ପେଟ ଭିତରେ ମେ ମେ କରେ ମା’ ଗଙ୍ଗାଙ୍କୁ ଜଣା। ତାଙ୍କ ମନ ଭିତରେ ବି କଣ ସେମିତି କିଛି ଥାଏ କି? ଯାହା ଏ ଗାଁର ଟୋକାଙ୍କ ମନରେ ଥାଏ? କେଜାଣି?

ମୋର ପୁରା ବାଲ୍ୟକାଳଟି ସହରରେ କଟିଛି, ସେଥିପାଇଁ ମୁଁ ଏ ସବୁ ବିଷୟରେ ଟିକେ ଅନଭିଜ୍ଞ। କିନ୍ତୁ ନାନୁଆଁକୁ ସବୁ ଜଣା । ଯାହା ହେଲେ ଗାଁ ଟୋକା ନା ।ମାମୁଁ ଘର ଗାଁରେ ରଜରେ କବାଡି ଖେଳଟା ଭଲ ଜମେ। ବୁଢା ହଡା ଯେତେ ସବୁ ଟ୍ୱେଣ୍ଟି ନାଇଁନ ଖେଳିବାରେ ବସି ଯାଆନ୍ତି। କଥା କଥାରୁ ହାତାହାତି ଯାଏଁ କଥା ଯାଇ ତାସ ଚିରିବାରେ କଥା ସରେ। ପୁଣି ଆଉ ହଳେ ଆସେ। ଟୋକା ଦଳ କିନ୍ତୁ ଲାଗନ୍ତି କବାଡି ଖେଳ ରେ। କବାଡି ଯେଉଁଠି ଖେଳ ହୁଏ, କିଛି ଦୂର ଛାଡି ଆମ୍ବ ତୋଟାରେ ଭିଡା ଯାଇଥାଏ ଦୋଳି। କବାଡି ଖେଳର ଆକର୍ଷଣ ସେତେବେଳେ ଜମେ, ଯେତେବେଳେ ପାଖ ଗାଁରୁ ଝିଅ ଦଳ ଆସନ୍ତି ଦୋଳି ଖେଳିବା ପାଇଁ। ନିଜ ଗାଁ ଝିଅ ତ ସିଙ୍ଘାଣିନାକୀ, ଯେତେ ଭଲ ହେଲେ ବି କେଉଁ ମନକୁ ଆସେ? ଯାହା ହେଲେ ପାଖ ଗାଁ ଝିଅ ନା...ସୁନ୍ଦରୀ ଗୁଡା ତ....ଆଉ । ପୁରୁଷ ପଣିଆ ଦେଖେଇବାର ଏଇଟା ପ୍ରକୃଷ୍ଟ ସମୟ। ଆଃ....କାହାର ନା କାହାର ହୃଦୟଟି ଆମ୍ବ ଗଛରେ ଲଟକି ଥାଏ ଆଉ ସେଇ ଝିଅଟିକୁ ଛାଡି ବାକି ସମସ୍ତେ ଜାଣିଥାନ୍ତି ଏ ବିଷୟରେ। "ନନା, ଭାଉଜ ...ଭାଉଜ..." ଡାକରେ ଠରା ଠରି ହୋଇ ଯାଆନ୍ତି ସାଙ୍ଗମାନେ। ଥରେ ମୁହଁ ଉଠେଇ ଦେଖିଦେଲେ ତ ମନ କୁଣ୍ଢେମୋଟ।

ଗାଁ ରେ ପ୍ରେମ ମାନେ ଆଉ କଣ କି? ନା ପାର୍କ ଅଛି ନା ହୋଟେଲ। ମନ ଦିଆନିଆ ହୁଏ ଏଇ କବାଡି ଆଉ ଦୋଳି ଖେଳ ଭିତରେ। ପ୍ରେମ ଉଚ୍ଛୁଳେ କବାଟ ଫାଙ୍କରୁ ଅବା ନଈକୁ ପାଣି ଆଣି ଗଲାବେଳେ। ସାଇକେଲ ଧରି ପ୍ରେମିକାର ଗାଁ ଆଡେ ଘେରେ ମାରି ଆସିଲେ ମନ ଶାନ୍ତି। ସାଇକେଲର ଘଣ୍ଟିଟା କେମିତି କେଜାଣି ଆପେ ଆପେ ବାଜି ଉଠେ ପ୍ରେମିକା ଘର ପାଖାପାଖି। କବାଟ ଫାଙ୍କରୁ ସତେ ଅବା କିଏ ଚାହିଁଥାଏ...ଦିଶିଯାଏ ଆଖିରୁ ଗୋଟେ କିମ୍ବା ମୁହଁରୁ ଫାଳେ। ବାସ...ଦିନ ଯାକର କଷ୍ଟ ଦୂର ହୋଇଯାଏ। ପ୍ରେମିକାର ରଙ୍ଗ କେଉଁ କମ କି?? ନଈକୁ ପାଣି ଆଣି ଗଲାବେଳେ ଆଖି ଦି ଥର ବୁଲି ଯାଏ ସବୁ ଆଡେ, କାଳେ ଆସିଲେ କି? ଦେଖା ହେଲେ ବି ମଝିରେ ଷଣ୍ଢ ପୁରାନ୍ତି ଗାଁର ବୟସ୍କ ଲୋକ କେହିଜଣେ। ଫେରୁଥିବେ ନଈ ଆଡୁ ନହେଲେ ଯାଉଥିବେ ବିଲ ଦେଖି। ଭାରି ଚିଡି ଲାଗେ। ଆଖି ନଚେଇ ଆଖି ଆଖିରେ ଗୁଳି ମାରେ ପ୍ରେମିକାଟି ଆଉ ପ୍ରେମିକ ବି ସେତିକିରେ ବେହାଲ.....

ବ..ବୁ..ଲୁ..ଉ..ଉ..ଉ.. ଏଇ ଡାକଟି ଯଥେଷ୍ଟ ଥିଲା ଦାଣ୍ଡ ପଟୁ ବାଡ଼ି ଯାଏଁ । ଟିଶାର୍ଟ ଟି ଗଳେଇ ଦେଇ ବାହାରି ପଡ଼ିଲି। ସିକ୍ସ ପକେଟ ବାଲା ହାଫ ପ୍ୟାଣ୍ଟକୁ ଫୁଲ ହାତ ଵାଲା ଟିଶାର୍ଟ। ନାନୁଆଁ କିନ୍ତୁ ହାତ କଟା ଗଞ୍ଜି ଖଣ୍ଡେକୁ ଲୁଙ୍ଗି ଖଣ୍ଡେ ପିନ୍ଧି ଥାଏ। ତାକୁ ପୁଣି ଆଣ୍ଠୁ ପାଖରୁ ଭାଙ୍ଗି ଗଣ୍ଠି ମାରି ପିନ୍ଧିଥାଏ। ତା ବେଶ ଦେଖି ମୁଁ କଣ କହିବି ଭାବୁ ଭାବୁ, ସେ ସାଇକେଲର ରଡ଼ରେ ବସି ସାରି ମୋତେ ଇଙ୍ଗିତ କରୁଥିଲା ସିଟରେ ବସି ସାଇକେଲ ଚଳେଇବାକୁ। "ନା ବେ, ତୁ ଚଲା" କହି ମୁଁ ଟିକେ କୁନ୍ଥୁ କୁନ୍ଥୁ ହେଲି।

"ମୋ ଭାଇଟା ପରା। ଲୁଙ୍ଗିଟା ପିନ୍ଧିଛି, ନହଲେ ଚଳେଇଥାନ୍ତି । ଏଇଟାରେ ପରା ସବୁଆଡୁ ଦିଶିବ । ମୁଁ ପଛେ ଡବଲ ମାରିବି" କହି ସେ ଅନୁନୟ ହେଲା। ଲୁଙ୍ଗି ଖଣ୍ଡେ ପିନ୍ଧି କେହି ଯେ ଝିଅଙ୍କୁ ଲାଇନ ମାରିବା ପାଇଁ ଯାଇପାରେ ଏହା ମୋ ଚିନ୍ତାର ପରିସୀମା ବାହାରେ ଥିଲା। ଛାଡ଼, କହି ସାଇକେଲ ସିଟରେ ବସି ପେଡଲ ମାରିଲି ଆଗକୁ।

ନଈ ପାଖ ଆମ୍ବ ତୋଟାରେ କବାଡି ଖେଳଟା ଜମି ଆସିଥାଏ, ତା'ସହ ଦୋଳି ଖେଳ ବି। "ସର" ସହ ଆଉ ଗୋଟେ ଝିଅକୁ ଦେଖି ଆଖିଟା ବାରମ୍ବାର କାହିଁକି ସେପଟକୁ ଚାଲି ଯାଉଥାଏ। ସର, ମୋ ମାମୁଙ୍କ ଛାତ୍ରୀ। ମନଟା ଟିକେ ଖୁଜୁବୁଜୁ ହେଉଥାଏ କଣ ଗୋଟେ ପଚାରି ଦେବାକୁ। କିନ୍ତୁ ଆରପଟେ ଅଳ୍ପ ଟିକେ ଡର ବି ଲାଗୁଥାଏ। ହଠାତ ନାନୁଆଁର ଡାକରେ ଚମକି ପଡିଲି,"ଆମ ପଟୁ ବବୁଲୁ ଖେଳିବ, ତମେ ଶଳେ ସବୁ ଗଜା ଟୋକା ନବ ଆଉ ଆମକୁ ସେନ୍ତେରା ସବୁ ଦବ? ଚଳିବନି ନନା, ସେ ସବୁ ଥାଉ ଆର କାଳକୁ। ତେମେ ଆମକୁ କଣ ବୋଲି ଭାବିଛ କି? ଆଜି ପାଣି ପିଏଇବୁ ରୁହ। ଜଣ ଜଣ କରି ଯଦି ଟେକି ନ ଆଣିଛୁ.... ଆରେ ବବୁଲୁ, ଏଇ ପଟକୁ ଆ...."

କିଛି ସମୟ ଭିତରେ ଆରମ୍ଭ ହୋଇଗଲା କବାଡି, ଆମ ଦଳରୁ ଜଣେ ଜଣେ କରି ସବୁ ମରି (out ହୋଇ) ସାରିଥାନ୍ତି । ଏକା ମୁଁ, କଣ କରିବି? ଏପଟେ କବାଡିର ଦାୟ ନା ସେପଟେ ଚାହାଣିର ଦାୟ? ଦୋଳି ପାଖରୁ ଆଖି ଦୁଇଟି ମୋତେ ଚାହିଁଥାନ୍ତି। ଏପଟେ ଗାଁର କିଛି ପିଲା ମୋତେ ସାହସ ଦଉଥାନ୍ତି ତ ଆଉ କିଛି, "ଇଏ ଭାଇ ଆମ ପଖାଳ ବଡି ନୁହେଁ, ପାରିବନି" ବୋଲି ମନ୍ତବ୍ୟ ଦେଉଥାନ୍ତି ।ଆର ଦଳର ପିଲା ବି ମୋତେ ହତୋସ୍ଛାହ କରିବାକୁ ଚେଷ୍ଟା କରୁଥାନ୍ତି। "ଯାହା ହବ ଦେଖାଯିବ" କହି ନାନୁଆଁ ମୋତେ ଆର ପଟକୁ ଯାଇ ଦି’ ଚାରିଟାକୁ ମାରି ଆସିବାକୁ ଇସାରା ଦେଲା। ଖେଳ ଖେଳରେ ହାର ଜିତ ଥାଏ। କିନ୍ତୁ ସେ ଝିଅଟି ଆଗରେ ହାରିବାକୁ ଜମାରୁ ଇଚ୍ଛା ନଥାଏ ମୋର। କବାଡି...କବାଡି...କବାଡି...କହି ଆଗକୁ ମାଡ଼ିଗଲି। ଦୁଇ ତିନି ଥର ଏପଟ ସେପଟ ହେଲା ପରେ ଭିତର ଗାର ଛୁଇଁ ଆସିଲା ବେଳକୁ ହାତ ଦୁଇଟି କୁଆଡୁ ଆସି ମୋତେ ଧରି ସାରିଥିଲେ। ଜଣେ ପରେ ଜଣେ ଛଅ ଜଣ ଟାଣି ଧରି ଭିଡି ନେବାକୁ ଚେଷ୍ଟା କରୁଥାନ୍ତି। ମୁଁ ବି ସବୁ ବଳ ଖଟେଇ ଖସି ଆସିବାକୁ ଚେଷ୍ଟା କରୁଥାଏ। ହଠାତ ଜଣଙ୍କ ହାତ ଖସି ଯିବାରୁ ମୋ ବଳର ପ୍ରଭାବରେ ଆଗକୁ ଭିଡି ହୋଇଗଲି ଆଉ.... ମୁହଁ ମାଡି ତଳେ।

ଶଳାଟାର ବଳ ଅଛି ବେ...ତମେ ସବୁଗୁଡା ମାଈ ଛୁଆ। ଛଅ ଜଣ ଭିଡି ଧରି ପାରୁନ...ଖେଳ ଖେଳୁଛ....ଏଭଳି ମନ୍ତବ୍ୟ ଗୁଡିକ କାନରେ ବାଜିବାକ୍ଷଣି ଦୋଳି ଆଡକୁ ଚାହିଁଲି। ଆଖି ଦୁଇଟି ଖୁସି ରେ କୁରୁଳି ଉଠୁଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ମୋ ସିକ୍ସ ପକେଟ ପେଣ୍ଟଟି ଚିରି ସାରିଥିଲା ଆଉ ମୁହଁ ତଳେ ମାଡ଼ ହୋଇ ରକ୍ତ ବାହାରି ସାରିଥିଲା। ଗୋଡ ହାତ କଥା ନକହିବା ଭଲ। ପଡୁ ପଡୁ କୁଆଡେ ମୁଁ ମଝି ଗାରଟି ଛୁଇଁ ଦେଇଥିଲି ଆଉ ଆର ଦଳର ଛଅ ଜଣ ଯାକ ମରି (out ହୋଇ) ସାରିଥିଲେ।

ଖେଳରେ ଖଣ୍ଡିଆ ଖାବରା ହୋଇ, ମୁଁ ଆଉ ଖେଳିବିନି ବୋଲି କହି ନଈ ଆଡେ ଧୋଇ ହେବାକୁ ଗଲି। ନାନୁଆଁ କିନ୍ତୁ ଖେଳିବାକୁ ରହିଲା। ନଈରେ ପଶି, ରକ୍ତ ବାହାରୁଥିବା ଜାଗା ଗୁଡାକୁ ଧୋଇଲା ବେଳେ ପାଖରୁ କିଛି ଶବ୍ଦ ଶୁଭିଲା, "ଜିତିବା କଣ ନିହାତି ଜରୁରୀ ଥିଲା"? ଚାହିଁ ଦେଖିଲି ସେଇ ଝିଅଟି। ଆଖିରେ ଆନନ୍ଦ ମିଶ୍ରିତ କଷ୍ଟର ସୂଚନା। ଆନନ୍ଦ, ମୁଁ ଜିତି ଯାଇଥିଲି। କଷ୍ଟ, ମୋ ଗୋଡ଼ ହାତ ଖଣ୍ଡିଆ ହୋଇଥିଲା। "ନା, ମାନେ ମୁଁ ତ ଖସି ଆସିବାକୁ ଚେଷ୍ଟା କରୁଥିଲି, କିନ୍ତୁ ...ହଁ, ହୁଏ ଏସବୁ ଖେଳରେ..." କଷ୍ଟ ସମ୍ଭାଳି ମୁହଁରେ ହସ ଫୁଟେଇ ଏକାଥରେ କହିଗଲି ଏତକ। ଖଣ୍ଡିଆ ଯୋଗୁଁ ଜାଗା ଗୁଡିକ ପୋଡି ଉଠୁଥିଲେ ବି, ଏ ସମୟରେ ମୁଁ ଆହୁରି ତିନୋଟି ମ୍ୟାଚ ଖେଳି ପାରିବି ବୋଲି ମୋ ମନ କହୁଥିଲା।

ମୁଁ ବୋଧେ ପ୍ରେମରେ ଥିଲି....ଆଉ ସେ???

--ସମାପ୍ତ-

ସୁଵଳ ମହାପାତ୍ର

ଖଲାରୀ, ଅନୁଗୁଳ, ଓଡିଶା

(0)9376012500

Subal.mohapatra@gmail.com


Rate this content
Log in