Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଏକାକୀ
ଏକାକୀ
★★★★★

© Soumya Shubhadarshinee

Tragedy

8 Minutes   335    6


Content Ranking

ଅତୀତ ସହ ଭେଟ ହେବା ଗୋଟେ ଚିରାଚରିତ ପ୍ରସଙ୍ଗ । କିନ୍ତୁ ଅତୀତ ନିଜର ନିବୁଜ ସିନ୍ଧୁକରେ ଯେଉଁ ସମ୍ବାଦ ଲୁଚେଇ ରଖେ ତା' ସହ ଭେଟ କରିବା ଭାରି କଷ୍ଟ , ନୁହେଁ ?........

★★★★★★★★

ଫେଲ ହେଇଗଲା ସେ ଟ୍ରେନ୍ ,ଓଃ ! ଦୌଡ଼ିଲାବି ଯେତେ ସମ୍ଭବ ତା' ଦେଇ ସେତେ , କିନ୍ତୁ ନା' ସେଇଟା ଯନ୍ତ୍ର । ଚାଲେ ତା' ହିସାବରେ , ମଣିଷ ହେଇଛିକି ଅଟକି ଯିବ ସୁନ୍ଦରୀ ସୁଗନ୍ଧା ପାଇଁ !......

ମମି କହୁଥିଲା ଦେଖ ଶୀଘ୍ର ବାହାରିପଡ଼ ଆଜି ଡ୍ରାଇଭର ନାହିଁ ,ତୋତେ ଟ୍ରେନ୍ ଧରିକି ଯିବାକୁ ହେବ । ହେଲେ ସୁଗନ୍ଧାକି ଜାଣେ ଟ୍ରେନ୍ ଟା ଏମିତି ଧୋକା ଦେବ । ଅବଶ୍ୟ ଶୀତ ସକାଳୁ ନିଦ ଭାଙ୍ଗିବା ଭାରି କଷ୍ଟ । ଶୋଇଗଲା ସିଏ ଏବେ ନାମ ନେବନି ତ' ଆଉ କ'ଣ । ଛାଡ଼ ଏବେ ଖୋଜିବାକୁ ହେବ ବିକଳ୍ପ । ଓଲା ବୁକ୍ କରିବାକୁ ପଡିବ । ବେକାରରେ ଯିବ ଏବେ ହଜାରେ ଖଣ୍ଡେ ଟଙ୍କା । ଟ୍ରେନ୍ ରେ ପାସ ଥିଲା ଛାଡ଼ ସବୁ ଅଳସୁଅମିର ଦଣ୍ଡ !

ହେଲେ ଓଲା ଧରି ଆସୁ ଆସୁ ଲେଟ୍ ହେଇଗଲା ତା'ର । କାନ ଭିତରେ ଗୁଣୁ ଗୁଣୁ ଶୁଭିଲା ଷ୍ଟାଫ ମାନଙ୍କର କଥା ,

'' ନୂଆ ବସ୍ ଟାଇମ୍ କୁ ନେଇ ଭାରି କଡା । ରାଢ଼ଟେ ପୂରା , ଭୟଙ୍କର ଗାଳି ବକେ ଲେଟ୍ କମର୍ ମାନଙ୍କୁ ।''

ଆଜି ତା'ର ଆଉ ତ୍ରାହି ନାହିଁ , ଫସିଲା ସେ ବିଲକୁଲ । ସେ ଛୁଟିରେ ଥିଲା ସପ୍ତାହେ ପାଇଁ , ତେଣୁ ନୂଆ ବସ୍ ସହ ଭେଟ ହେଇନି । ଆଉ ଆଜି ପ୍ରଥମ ଦିନରେ ସେ ଲେଟ୍ ଧେତ୍ !

ଅଫିସରେ ପହଞ୍ଚି ସେ କାବା ଆରେ ବାପରେ ସବୁ ପହଞ୍ଚି ନିଜ ନିଜ ସିଷ୍ଟମ୍ ସହ କାମରେ ବ୍ୟସ୍ତ । ପାଟି ତୁଣ୍ଡ ଶୁଭୁନି , ପୁରା ପୁରି ସାଇଲେନ୍ସ । ଏମିତିକି ପିଅନ ରଥ ବୁଲାବୁଲି ଛାଡି ତା' ଚଉକିରେ ବସିଛି ଆଜ୍ଞାବହ ହେଇ । ଚାକିରୀ କଲା ଦିନୁ ସେ କେବେ ବସିନଥିବ , ପାନ ଖିଲେ ଖାଇ ଘିରି ଘିରି ବୁଲେ ଏଠି ସେଠି । ଲୋକାଲ ବୋଲି ଭାରି ଭାଉ ତା'ର । ହେଲେ ଏବେ ଦିଶୁଛି ମୂଷା ଭଳିଆ । ନୂଆ ବସ୍ ତେବେ କାରିଗର ଅଛି ପକ୍କା , ମାନିବାକୁ ପଡିବ । ହେଲେ ସେଇ କାରିଗର ଏବେ ତା' ଉପରେ କି କାରିଗରୀ କରିବ ଭାବିଲା ବେଳକୁ ମୁଣ୍ଡ ଝାଇଁ ଝାଇଁ ମାରିଗଲା ।

ସେ ନିଜ ସିଟ୍ ରେ ବସିଛି କି ନାହିଁ ମିଳିଗଲା ପ୍ରେମ ପତ୍ର । ରଥ ଆସି କହିଦେଇଗଲା , " ମ୍ୟାମ୍ , ଆପଣଙ୍କୁ ସାର୍ ଡାକୁଛନ୍ତି ।''

ସରିଗଲା ପାଠ , ସୁଗନ୍ଧାର ଗୋଟେ ଖରାପ ଗୁଣ ସେ କାହାରି କଡା କଥା ପଦେ ଶୁଣିପାରେନି । ସେଇଥିପାଇଁ ଦୁଇଟା ଜବ୍ ଛାଡି ସାରିଲାଣି ସିଏ । କହିବା ସେ ଟିକେ ବେଶି ସେଂସିଟିଭ୍ । କେହି ପଦେ ଜୋରରେ କହିଲେ କାନ୍ଦି ପକାଏ ଆଉ ବାସ କଥା ଶେଷ।

ଭୟ ଆଉ ଚିନ୍ତା ଉଭୟର ଛାପ ନେଇ ସେ ଗଲା ରାଢ଼ ବୁଢା ପାଖକୁ । କିନ୍ତୁ ସାମ୍ନାକୁ ଯାଇ ଦେଖିଲା ଗୋଟେ ପ୍ରେଟି ହ୍ୟାଣ୍ଡସମ୍ ହଙ୍କ୍ କୁ ,

'' ଇସ୍ ଏ ତ ଦେଖିବାକୁ ବିଲକୁଲ 'ରୋଗର୍ ମୁରେ' (ଜେମ୍ସ ବଣ୍ଡ) ଫେମ୍ , ସୁଗନ୍ଧାର ଫାଭ୍ । ଏଇ ଲୋକଟାକୁ ବୁଢା କହିବା ବିଲକୁଲ ଭୁଲ । ଲୋକଟାକୁ ହଙ୍କ୍ କହିବା ବେଶି ଭଲ ଲାଗିବ । ''

ଆଖିକୁ ନିଜ ଲ୍ୟାପଟ୍ପ୍ ଉପରେ ନିବଦ୍ଧ କରି କହିଲେ ବସ୍

-- " ଡୁ ୟୁ ହାଭ୍ ସେନ୍ସ ମିସ୍ ?''

ସେତକ ଶୁଣି ତନ୍ଦ୍ରା ଭାଙ୍ଗିଗଲା

ସୁଗନ୍ଧାର । ଚମକି ପଡିଲା ସେ । ବାପରେ କି ସ୍ୱର ଗୁରୁ ଗମ୍ଭୀର । ସୁଗନ୍ଧାର ପାଟି ଖନି ମାରିଗଲା । ସେ ଥ' ଥ' ମ' ମ' ହେଇ କିଛି କହିପରିଲା ନାହିଁ । କିନ୍ତୁ ବସ୍ ସେମିତି ଆଖି ଲ୍ୟାପଟପ୍ ଉପରେ ରଖି ଶୁଣେଇଲେ ପୂରା ଭାଷଣ 'ଲେଟ୍ ଆସିବାର କୁ ପରିଣାମ' ଉପରେ । ବିଚାରୀ ସତରେ କାନ୍ଦିପକେଇଲା । ଆଉ ବୁଝିଗଲା ଏଇଟା ବୁଢା ହଁ ରାଢ଼ବୁଢା , ଆଉ କିଛିବି ନୁହେଁ । ସାଧାରଣ ଭଦ୍ରତା ନାହିଁ ଲୋକଟାର । ଏମିତି ବେଖାତିର କରିବ ନା' , ଲ୍ୟାପଟପ୍ ଉପରେ ନଜର ରଖି ଗାଳି ଦେବ । ମୁଣ୍ଡ ଉଠେଇ ଦେଖିବନି ଥରେ । ବାଜେ ଲୋକଟା , ପୂରା ପୂରି ।

*****************

ବାସ ସେଇଦିନୁ ସୁଗନ୍ଧା କେବେ ଆଉ ଲେଟ୍ ହେଇନି । ଜବ୍ ଚେଞ୍ଜ କରିନି କାରଣ ରୋଗର୍ ମୁରେ ତା'ର ଫାଭ୍ । ହଉ ପଛେ ରାଢ଼ ବସ୍ ଟା ଭଲ ଲୋକ । ୱାର୍କୋହଲିକ୍ ମଣିଷଟା , କାମ କରୁଥିବା ଏମ୍ପ୍ଲୟୀଙ୍କ ପାଇଁ ବେଶ ଭଲ । ଟିକେ ଶଙ୍କି ଅବଶ୍ୟ , ରାଗ ସବୁବେଳେ ନାକ ଆଗରେ ଆଉ ଟିକେ ବେଶି ଟିଙ୍ଗା । ତଥାପି ସୁଗନ୍ଧାର ଆବିଲିଟି ଦେଖି ଏବେ ସେ ବଡ଼ ଖୁସି ସୁଗନ୍ଧା

ଉପରେ । ଆଜିକାଲି ସୁଗନ୍ଧା ବସ୍ ର କ୍ଲୋଜ କମ୍ପାନିୟନ୍ । ସବୁ ମିଟିଂ ସମୟରେ ସୁଗନ୍ଧାର କଥା ବା ପ୍ରସ୍ତାବ ଶୁଣନ୍ତି ବସ୍ । ସୁଗନ୍ଧାକୁ ଲାଗେ ପ୍ରଥମ ଦିନର ବିରକ୍ତି ପରେ ବୋଧେ ସାର୍ ଟିକେ ଗିଲ୍ଟି ଫିଲ୍ କରୁଛନ୍ତି । କାରଣ ସେ ବେଶ ଆକ୍ଟିଭ ଏମ୍ପ୍ଲୟୀ ଆଉ ସମୟାନୁବର୍ତ୍ତି

ମଧ୍ୟ ।

ଧୀରେ ଧୀରେ ବସ୍ ସୁଗନ୍ଧାକୁ ନେଇ ମିଟିଂ ପାଇଁ ବାହାରକୁ ଯିବାର ମଧ୍ୟ ଦେଖାଗଲା । ସୁଗନ୍ଧାର ପ୍ରେସେଣ୍ଟେସନ୍ ଗୁଡିକ ବହୁତ ଭଲ ବୋଲି ମିଟିଂ ସମୟରେ ସେ ଜରୁରୀ ହେଇଯାଏ । ତେଣୁ ତାକୁ ସାଥିରେ ଧରି ବୁଲନ୍ତି ବସ୍ । ଅବଶ୍ୟ ଅଫିସରେ ଏସବୁ ନେଇ ଟିକେ ଟୁପୁରୁ ଟାପୁରୁ ଶୁଭେ । କିନ୍ତୁ ବସ୍ ଙ୍କର ଭୟରେ ସଭିଏଁ ଚୁପ ରୁହନ୍ତି ଗାତ ଭିତରର ମୂଷା ଭଳି । ସୁଗନ୍ଧା ଶୁଣେ କିନ୍ତୁ ସେ ଜାଣିଛି ସଭିଏଁ ପ୍ରତିଦ୍ବନ୍ଦି ଅଫିସରେ । ତେଣୁ ତା'ର ସଫଳତା ଅସହ୍ୟ ହେବ ଲୋକଙ୍କୁ ଆଉ ଏମିତିହିଁ ମନ୍ତବ୍ୟ ମିଳିବ ତାକୁ । ପ୍ରକୃତ ସତ ସେ ଜାଣେ ତେଣୁ ଏସକୁ କାନ କୁହା ଶୁଣିବାର ନୁହେଁ । ହାତୀ ଚାଲିଲେ ଦଳେ କୁକୁର ଭୁକନ୍ତି ଜୋରରେ !.....

*************

ରବିବାର ଦିନ ନ' ଟା ଯାଏ ଶୋଉଥିବା ସୁଗନ୍ଧା ଆଜି ସକାଳୁ ବାଥରୁମ୍ ରେ । ବଡ଼ ଆଶ୍ଚର୍ଯ୍ୟ କଥା ଏତକ । ଆଉ ଖାଲି ସେତିକି ନୁହେଁ ବାଥରୁମରୁ ଗୀତର ଲହରୀ ମଧ୍ୟ ଶୁଭୁଛି ବେଶ ବଢିଆ । ଝିଅଟା ଆଜି ଭାରି ଖୁସି ଅଛି ନିଶ୍ଚିତ। ହେଲେ ଖୁସିର କାରଣ ବୁଝା ପଡୁନି ମମିକୁ । ସବୁ କଥା ସେୟାର କରୁଥିବା ଝିଅ ଆଜି କାହିଁକି କିଛି ଗୋଟେ ଲୁଚେଇଛି ବୁଝିବାକୁ ମମି ତରତର ।

--'' ଗୁଡ଼ ମୋର୍ଣ୍ଣି ବେଟା ।''

--'' ମୋର୍ଣ୍ଣି ମମି ।''

--'' ଆଜି କ'ଣ କିଛି ପ୍ରୋଗ୍ରାମ ଅଛିକି ?''

--'' ହଁ ମମି କହିବାକୁ ଭୁଲି ଯାଇଛି ଆଜି ବସ୍ ଡାକିଛନ୍ତି ତାଙ୍କ ମିସେସଙ୍କ ବାର୍ଥଡେ ପାର୍ଟିକୁ । ''

--'' ଆଛା ସେଥିପାଇଁ ଏତେ ଖୁସି !''

--'' ହଁ ମମି , ସେ କାହାକୁ କେବେ ଡାକନ୍ତି ନାହିଁ । ମୁଁ ପ୍ରଥମ ଏମ୍ପ୍ଲୟୀ , ତେଣୁ ଟିକେ ଖୁସି ।

--'' ହେଲେ ତୁ ତ କହୁ ରାଢ଼ ବୁଢା ଟେ !"

--'' ହଁ ଯେ ମମି , ହେଲେ ଏବେ ବଦଳି ଗଲେଣି । ମୋ କାମରେ ସେ ପୂରା ଇମ୍ପ୍ରେସ।''

ମମି ହସିଲା ଆଉ ବ୍ରେକଫାଷ୍ଟ ପାଇଁ ଚାଲିଗଲା । ସୁଗନ୍ଧା ଲାଗିଗଲା ନିଜକୁ ସଜେଇବାରେ । କ'ଣ ପିନ୍ଧିବ ଡ୍ରେସ୍ ନା' ଶାଢ଼ୀ । ମମି କୁହେ ବ୍ଲାକ ଶାଢ଼ୀରେ ବେଶ ସୁନ୍ଦର ଲାଗେ ସେ । ଏବେ ସେଇଟା ପିନ୍ଧିଲେ ନିଶ୍ଚିତ ପାର୍ଟିରେ ସଭିଙ୍କ ଦୃଷ୍ଟି ଆକର୍ଷଣ କରିବ। ହାଲ୍କା ମେକପ୍ , ବ୍ଲାକ ଷ୍ଟୋନ୍ ନେକଲେସ୍ ଆଉ ଇୟର୍ ରିଙ୍ଗ୍ ପିନ୍ଧି ସତରେ ଭାରି ସୁନ୍ଦରୀ ଲାଗିଲା ସେ।

ମମିର ବ୍ରେଡ଼ ଅମଲେଟ ଖାଇ ବାହାରିଗଲା ନିଜ ସ୍କୁଟି ପେପ୍ ଧରି । ବସ୍ ରୁହନ୍ତି ପାଖରେ ଅଫିସ ସିନା ଦୂର, ତେଣୁ ଆଜି ସେ ନିଜ ବାସନ୍ତି ସହ । କାର୍ ଡ୍ରାଇଭରର ଆଜି ଛୁଟି , ତାକୁ ଆଉ ହଇରାଣ କରିବାକୁ ଇଚ୍ଛା ହେଲାନି।

ବେଶ ଆରାମରେ ଯାଇ ପହଞ୍ଚିଗଲା ସେ ହଙ୍କ୍ ଙ୍କ ଘରେ । ବାପରେ ଘର ନୁହେଁ ପୂରା ବଙ୍ଗଲୋ । ସୁନ୍ଦର ଡୁପ୍ଲେକ୍ସ ସମ୍ନାରେ ଗାର୍ଡେନ। ସେଠି ପୁଣି ରଙ୍ଗୀନ ପାଣି ଫୁଆରା । ଗାର୍ଡେନ ଭିତରେ ରଙ୍ଗୀନ ଚାନ୍ଦୁଆ ଛତା ତଳେ କଫି ସହ ଅପେକ୍ଷାରତ ହଙ୍କ୍ । ସୁନ୍ଦର ପରିବେଶ ଆଉ ତାଠୁ ସୁନ୍ଦର ଅଭ୍ୟର୍ଥନା ।

ସୁଗନ୍ଧାକୁ ଦେଖି ଖୁବ୍ ଚମତ୍କାର ସ୍ମାଇଲ୍ ଦେଲେ ସାର୍ । ଅରେ ସତରେ କେତେ ବଢିଆ ହସ । ତାଙ୍କୁ ହସୁଥିବାର ଦେଖିନଥିଲା ସୁଗନ୍ଧା । ଭାରି ଭଲ ଲାଗିଲା ଆଉ ସେ ବି ହସିଦେଲା ତାଙ୍କୁ ଦେଖି । ସାର୍ ହାତ ଠାରି ଡାକିଲେ ସେଇ ଚାନ୍ଦୁଆ ଛତା ତଳକୁ କଫିର ମଜା ନେବା ପାଇଁ । ସୁଗନ୍ଧା ବସିଲା ତାଙ୍କ ପାଖରେ ଆଉ ଯୋଡ଼ିଲା ଗପ।

ଅବଶ୍ୟ ଗୋଟେ କଥା ତାକୁ ଟିକେ ବ୍ୟସ୍ତ କରୁଥିଲା । ଜନ୍ମ ଦିନ ଯାହାର ସେ ଦିଶୁ ନଥିଲେ ଆଉ ପୁଣି ବାର୍ଥଡେ ପାର୍ଟିର କୌଣସି ଅତିଥି ମଧ୍ୟ ନଥିଲେ ? ପାର୍ଟି କ'ଣ ରାତିରେ ଅଛିକି ନା ' ସେ ଭୁଲ ଶୁଣିଥିଲା !.......

ଏଇ ସସପେନ୍ସ ଆଉ ବେଶି ସହି ହେଲାନି । ସେ ପଚାରି ନେଲା ,'' ସାର୍ ମ୍ୟାମ୍ ଆଉ ଅନ୍ୟ ଗେଷ୍ଟ ସବୁ କାହାନ୍ତି ?''

ପ୍ରଶ୍ନଟା ହୁଏତ ପଚାରିବାର ନଥିଲା କାରଣ ହଠାତ୍ ସାର୍ ଉଦାସ ହେଇଗଲେ । ହସନ୍ତ ଚେହେରା ଦିଶିଲା ଗମ୍ଭୀର ଠିକ ଅଫିସ ଲୁକ୍ ପରି । କିଛି ମୁହୂର୍ତ୍ତ ଚୁପ ରହିଲେ ସେ ଆଉ ଟିକେ ଦୁଃଖି ସ୍ୱରରେ କହିଲେ ,

" କେବଳ ତୁମକୁ ହିଁ ଡାକିଛି ସୁଗନ୍ଧା । ସୁହାନି ଚାଲିଗଲାଣି ଆଜିକୁ ଦଶ ବର୍ଷ ହେଲା । କିନ୍ତୁ ତା' ଉପସ୍ଥିତି ସବୁଠି ଆଜିବି । ଏଇ ଦିନ ସେ ଆସିଥିଲା ମୋ ଜୀବନକୁ । ତେଣୁ ଆଜି ଆମର ବିବାହ ବର୍ଷିକୀ ଆଉ ତା'ର ଜନ୍ମଦିନ । ତୁମେ କାହିଁକି କେଜାଣି ଠିକ ତା' ପରି ଲାଗ ଜାଣିନି । ତେଣୁ ତା' ସ୍ମୃତି ତୁମ ସହ ବସି ଘଡ଼ିଏ ସତେଜ କରିବାର ଇଚ୍ଛା ହେଲା ସେଥିପାଇଁ ଡାକିଦେଲି ।''

ବଡ଼ ଖରାପ ଲାଗିଲା ସୁଗନ୍ଧାକୁ ଏତକ ଶୁଣି । ହେ ପ୍ରଭୁ କେଡେ ବଡ଼ ଦୁଃଖ ଦେଇଛନ୍ତି ଏମିତି ଏକାକୀ କରିଦେଇ ସଂସାରରେ ଆହାଃ !...

ସାର୍ କିନ୍ତୁ ନିଜକୁ ସମ୍ଭାଳି ନେଲେ ଆଉ ଗପ ଯୋଡିଲେ । ସୁନ୍ଦର ଭାବରେ ତାଙ୍କ କାହାଣୀ ବଖାଣିଲେ । ସୁହାନି କିପରି ପ୍ରେମ ପାଇଁ ପରିବାରକୁ ତ୍ୟାଗ କରି ଆସିଥିଲା , କେମିତି ନାଟକୀୟ ଭାବେ ମନ୍ଦିରରେ ବାହାଘର ହେଇଥିଲା , କେତେ ଶ୍ରଦ୍ଧା କରୁଥିଲା ସେ ତାଙ୍କୁ । ସବୁକିଛି ଗପିଲେ ସେ ପ୍ରଗଳ୍ଭ ହେଇ । ସୁଗନ୍ଧା ଶୁଣୁଥିଲା ଗୋଟେ ଏକାକୀ ମଣିଷର ହୃଦୟର ବ୍ୟଥା । ଯାହା ଜମାଟ ବାନ୍ଧିଥିଲା କାହିଁ କେତେ କାଳୁ । ତାଙ୍କ ଆଖିର ତାରା ଚମକୁ ଥିଲା ସୁହାନି କଥା କହିଲା ବେଳେ ।

ମଣିଷ ସବୁବେଳେ ନିଜ ଇପ୍ସିତ ଜୀବନ ସାଥି ପାଇବା କେତେ କଷ୍ଟ । ଆଉ ଯଦି ସେଇ ମଣିଷ ମିଳିଗଲା ପରେ ଏମିତି ଦୁରେଇ ଯାଏ । କେତେ ଯନ୍ତ୍ରଣା ହେଉଥିବ ସତେ । ଭାରି କଷ୍ଟ ହେଲା ସୁଗନ୍ଧାକୁ ନିଜ ଏକାକୀ ବସ୍ ପାଇଁ । ତାଙ୍କ ଦୁଃଖର କଳା ବାଦଲ ଛାଇଗଲା ସୁଗନ୍ଧା ମନରେ । ତା' ଭିତରେ ଭରିଗଲା ସମବେଦନା ସେଇ ମଣିଷ ପାଇଁ।

କଥା ପ୍ରସଙ୍ଗରେ ସେ ନିଜ ବିବାହର ଆଲବମ୍ ଦେଖେଇଲେ । ଯେଉଁଠି ସାଇତା ହେଇ ରହିଥିଲେ ସୁହାନି ଆଉ ତାଙ୍କ ସୁଖଦ ଅତୀତ । ବେଶ ଆତ୍ମୀୟତା ସହକାରେ ସେ ଦେଖେଇଲେ ଫୋଟୋ ଗୁଡିକୁ ସୁଗନ୍ଧାକୁ।

ଫୋଟୋ ଗୁଡିକ ଦେଖି ବଦଳି ଗଲା ସୁଗନ୍ଧାର ମୁହଁର ରଙ୍ଗ । ସେ ଭୟଙ୍କର ଭାବେ କ୍ରୋଧରେ ଥରିବାକୁ ଲାଗିଲା । ଏକଦମ ଆକସ୍ମିକ ଭାବେ ସେ ଫୋପାଡ଼ି ଦେଲା ସେ ଆଲବମ୍ । ଯେତେ ଶକ୍ତି ଥିଲା ସବୁ ପ୍ରୟୋଗ କରି ଧକ୍କା ଦେଲା ସେ କଫି ଟେବଲ୍ କୁ । ବିଛାଡି ହେଇଗଲା କପ , ପ୍ଲେଟ , କଫି ,ଚିନି , କ୍ଷୀର ସବୁକିଛି । ମୁହୂର୍ତ୍ତକ ଭିତରେ ଇତସ୍ତତ ହେଇଗଲା ପୂରା ପରିବେଶ । ଆଉ ସୁଗନ୍ଧା ସେଠୁ ଉଠି ଦୌଡ଼ିଲା ଅଣନିଃଶ୍ୱାସୀ ହେଇ । ସେମିତି ଦୌଡ଼ି ଦୌଡ଼ି ସେ ଆସିଗଲା ଘରକୁ । ନିଜ ସ୍କୁଟି ମଧ୍ୟ ଆଣିଲା ନାହିଁ । କୌଣସି ଦିଗକୁ ଧ୍ୟାନ ନଥିଲା ତା'ର । ଚୁପଚାପ ନିଜ ରୁମ୍ ଭିତରେ ପଶିଗଲା ଆଉ ବନ୍ଦ କରିନେଲା ଦରଜା । କାନ୍ଦିଲା ଭୟଙ୍କର ଭାବରେ କୁହୁଳି କୁହୁଳି ଯେମିତି ନିଃଶେଷ କରିଦେବାକୁ ଚାହେଁ ସେ ନିଜକୁ । ବା ଆଉ କିଛି ଭୟଙ୍କର କରିଦେଇପାରେ ଏଇ ମୁହୂର୍ତ୍ତରେ । କୋହ ଉଠା କାନ୍ଦ ବନ୍ଦ ହେଲାନି ଆଉ ଟିକିଏବି ।

ସେମିତି ଅବିଶ୍ରାନ୍ତ ଲୁହର ବନ୍ୟା ଭିତରେ ସେ ଖୋଲିଲା ନିଜ ଆଲମିରା । ସେଠି ଲୁଗା ମେଳରେ ଲୁଚି ଥିଲା ଗୋଟେ ଛୋଟ ଆଲବମ୍ । ଆଣିଲା ସେ ସେଇଟିକି ଆଉ ଦେଖିଲା ପୃଷ୍ଠା ଲେଉଟେଇ ପୁଣି ଥରେ ସୁହାନିକୁ । ନା' ସୁହାନି ନୁହେଁ ସୁକନ୍ୟା ଅପାକୁ । ହଁ ସୁଗନ୍ଧାର ବଡ଼ ଭଉଣୀ ସୁକନ୍ୟା , ଯେ ଥିଲା ଗୋଟେ ଭୟଙ୍କର ସ୍ୱାର୍ଥପର ଝିଅ । ନନା କେତେ ବିକଳ ହେଇଥିଲେ ମନେ ଅଛି ଆଜିବି ସୁଗନ୍ଧାର । ପୁରୀ ଶାସନୀ ବ୍ରାହ୍ମଣ ଘରେ ଏମିତି ଅନର୍ଥ କରିବାର ନୁହେଁ । କେତେ ବୁଝେଇଥିଲେ ନାନୀକୁ । ନିଜ ମନମୁତାବକ ପିଲାଟିଏ ଖୋଜି ବାହା ହେବା ଆଉ ଗୋଟେ ନୀଚ୍ଚ କୂଳରେ ବାହା ହେବା ଭିତରେ ଆକାଶ ପାତାଳ ଫରକ । ସୁକନ୍ୟା ଅପା ଏମିତି କଲେ ନିଆଁ ପାଣି ଅଟକ ହେଇଯିବ । ଗାଁ ଭୁଇଁରେ ଆଉ ମୁଣ୍ଡ ଟେକି ଚାଲି ହେବନି, ମଣିଷର ସାମାଜିକ ମୃତ୍ୟୁ ହେଇଯିବ । ନନାଙ୍କ କଥା କିନ୍ତୁ କିଛି ପ୍ରଭାବ ପକେଇଲା ନାହିଁ ନାନୀ ଉପରେ । କଲେଜରୁ ଫେରାର ହେଇ ମନ୍ଦିରରେ ବାହା ହେଇଗଲା ନାନୀ । ନନା ସହି ପାରିଲେ ନାହିଁ । ତାଙ୍କ ରକ୍ଷଣଶୀଳ ହୃଦୟ ହାରି ଗଲା ଆଉ ନନା ସବୁଦିନ ପାଇଁ ସେମାନଙ୍କୁ ଛାଡି ଚାଲିଗଲେ । ମମି ପଥର ହେଇଗଲା ଆଉ ସେ ନିଜେ ଅଥର୍ବ । ତା'ର ମ୍ୟାଟ୍ରିକ ପରୀକ୍ଷା ଚାଲିଥିଲା ସେତେବେଳେ । ଏସବୁ କାଣ୍ଡ କାରଖାନା ଭିତରେ କ୍ୟାରିୟର ତା'ର ବର୍ବାଦ ହେଇଗଲା । ପରୀକ୍ଷା ଦେଲାନି ସେ ,ଗୋଟାଏ ବର୍ଷ ନଷ୍ଟ କଲା ।

ଏସବୁ ବିପର୍ଯ୍ୟୟର କାରଣ ଥିଲା ନାନୀର ସେଇ ସ୍ୱାମୀ । ସୁଗନ୍ଧା ଶପଥ କରିଥିଲା ଯେବେ ଦେଖିବ ସେ ଲୋକଟକୁ ମର୍ଡର କରିଦେବ । ତାଙ୍କ ସୁନା ସଂସାରକୁ ଚୁନା କରିଥିବା ଭିଲିୟାନ ଟାକୁ ଶେଷ କରିଦେବ । କିନ୍ତୁ ଆଜି ସେଇ ଲୋକଟକୁ ନିଜ ସାମ୍ନାରେ ଦେଖି ମଧ୍ୟ ବିଶେଷ କିଛି କରିପାରିଲା ନାହିଁ ସେ । ସେଇତକ ଭୟଙ୍କର ଯନ୍ତ୍ରଣା ଦେଉଥିଲା ତାକୁ ଭିତରେ ଭିତରେ।

ହେଲେ ନିୟତି ବୋଧେ ଦେଇସାରିଥିଲା ଦଣ୍ଡ ଏକାକୀ ମଣିଷକୁ!.....

ସୌମ୍ୟା ଶୁଭଦର୍ଶିନୀ

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ

ଜଗତସିଂହପୁର

ଏକାକୀ ଡ୍ରାଇଭର ରାଢ଼

Rate the content


Originality
Flow
Language
Cover design

Comments

Post

Some text some message..