Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜାତିସ୍ମର
ଜାତିସ୍ମର
★★★★★

© Lopamudra Mishra

Fantasy Others

10 Minutes   7.4K    30


Content Ranking

ଅଞ୍ଜଳି ନିଜ ସମବୟସୀ ସଙ୍ଗିନୀମାନଙ୍କ ସହ ସାନ୍ଧ୍ୟ ଭ୍ରମଣ ସାରି ସ୍ଵଗୃହ ପ୍ରତ୍ୟାବର୍ତ୍ତନ କଲା ଠିକ ସଞ୍ଜ ଛଅଟା ତିରିଶ ମିନିଟ ସମୟରେ । ଏବେ ସେ ଗୋଡ ହାତ ଧୁଆଧୋଇ କରି ଠାକୁର ଘର ଆଗେ ମୁଣ୍ଡିଆ ମାରେ ଓ ନିଜ ବହିପତ୍ର ସଜଡା ସଜଡ଼ି କରି ପଢିବସେ । ପ୍ରୀତିପୁରର ରଞ୍ଜନ ପରିଡାଙ୍କ ଏକମାତ୍ର ଅଲିଅଳି ଝିଅ ଅଞ୍ଜଳି ଗାଁ ପାଖ କଲେଜରେ ଯୁକ୍ତ ଦୁଇ କଳା ଦ୍ଵିତୀୟ ବର୍ଷର ଛାତ୍ରୀ ।

ପ୍ରୀତି ପୁର ଗାଁ । ଗାଁ ତ ନୁହେଁ ଛୋଟ ଗୋଟିଏ ସହର । ଆଧୁନିକତା ଭରା ଗ୍ରାମଟିରେ ସହରୀ ସଭ୍ୟତାର ସମସ୍ତ ସୁବିଧା ସୁଯୋଗ ଅଞ୍ଚଳବାସୀ ଉପଭୋଗ କରିପାରନ୍ତି । ଗାଁ ଠୁ ଅଳ୍ପ ଦୂର ବଜ଼ାର ମଧ୍ୟ ଦେଇ ଯାଇଥିବା ଲମ୍ବା ପିଚୁ ସଡକରେ ଚାଲି ଚାଲି ବଜାର ଅତିକ୍ରମ କରି ସ୍କୁଲ ପରିସର ଚତୁଃର୍ପାଶ୍ୱରେ ଘେରାଏ ବୁଲି ନାନାଦି ଗପ ଯୋଡି ଅଞ୍ଜଳି ଓ ତା ସାଙ୍ଗ ଝିଅମାନେ ଘରକୁ ଫେରନ୍ତି । ଅଞ୍ଜଳି ସମେତ ଅନ୍ୟ ଝିଅମାନେ ମଧ୍ୟ ପାଖ ପ୍ରୀତିପୁର ଓମେନ୍ସ କଲେଜର ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରୀ ।

ଆଜି ସନ୍ଧ୍ୟା ଭ୍ରମଣରୁ ଫେରିଲା ପରେ ଅଞ୍ଜଳି ଅନ୍ୟମନସ୍କ ରହୁଛି । ଭିନ୍ନ ପ୍ରକାର ବ୍ୟବହାର ପ୍ରଦର୍ଶନ କରୁଛି । ପୁର୍ବ ଦିନଗୁଡ଼ିକ ପରି ଆଜି ହାତ ମୁହଁ ଧୋଇବାକୁ ଗଲାନାହିଁ କି ପାଠ ବହି ମଧ୍ୟ ଖୋଲା ଗଲାନାହିଁ । ମାଆ ଆଉ ଜେଜେମା ଅଞ୍ଜଳିର ଏପରି ବ୍ୟତିକ୍ରମରେ ବ୍ୟତିବ୍ୟସ୍ତ ହୋଇ ତାକୁ ଜୋରକରି ଗୋଡହାତ ଧୋଇହୋଇ ଆସିବାକୁ କଳ ପାଖକୁ ପଠାଇଲେ । ସେ ଯନ୍ତ୍ରବତ ଉଠି ବାଡ଼ିପଟ କଳ ପାଖକୁ ଚାଲିଲା । ପନ୍ଦର ମିନିଟ ବିତିଗଲା । ଅଞ୍ଜଳି ଫେରିଲାନାହିଁ । ମାଆ ବ୍ୟସ୍ତ ହୋଇ ଯାଇଦେଖନ୍ତି ଅଞ୍ଜଳି ଲମ୍ବ ହୋଇ ପାଣିକଳ ତଳେ ପକ୍କା ଚାନ୍ଦିନୀ ଉପରେ ପଡିଛି । ମାଆଙ୍କ ଚିତ୍କାରରେ ଘରର ଅନ୍ୟ ସଦସ୍ୟମାନେ ଧାଇଁ ଆସିଲେ । ଅଞ୍ଜଳିକୁ ସଙ୍ଗେ ସଙ୍ଗେ ଘର ଭିତରକୁ ଟେକି ନେଇଗଲେ ।

ଯେତେ ଚେଷ୍ଟା କଲେ ମଧ୍ୟ ଅଞ୍ଜଳି ଆଖି ଖୋଲୁନି । ଅଞ୍ଜଳିର ହୋସ ପଳେଇବା ଖବରଟା ବିଦ୍ୟୁତ ବେଗରେ ପ୍ରଚାରିତ ହେଇଗଲା । ସାହିଭାଇରୁ ଖୁଡୀ, ବଡ଼ମା, ନାନୀ, ଆଇ, ଗୋସମା କେତେ ଆସି ଏକଜୁଟ ହୋଇଗଲେ । ଫୁସି ଖୁଡୀ କହିଲେ, "ଝିଅଟାକୁ ନଜର ଲାଗିଯାଇଛି । ସିଏ ଘରକୁ ଫେରୁଥିଲା ବେଳେ ମୁଁ ଦେଖିଛି, ଆଖି ଦୁଇଟା କେମିତି ନାଲି ପଡିଯାଇଥିଲା । ଏହିଟା ନଜର ଲାଗିବା ଲକ୍ଷଣ ।"

ଡଲି ବଡ଼ମା କହିଲେ, "ଇଏ ଯାହି ତାହି ନଜର ନୁହେଁ । ସେ ସ୍କୁଲ ପାଖ ବରଗଛରେ ଯୋଉ କଞ୍ଚାଡାହାଣୀ ଅଛି, ତାରି ନଜର । ସୁନ୍ଦୁରିଆ ଯୁଆନ ଝିଅ ଦେଖି ଡାହାଣୀ ନଜର ପକେଇଛି । ଏଡ଼େ ଏଡ଼େ ଝିଅଟାମାନ,ସାଡେ ଯିବା କି ଦରକାର ? କହିଲେ କଣ କଥା ମାନିବେ?"

ଅନ୍ୟମାନେ ବି ଅଞ୍ଜଳି ବେହୋସ ର କାରଣ ସଂବନ୍ଧରେ ନିଜ ନିଜ ମତ ଉପସ୍ଥାପନ କଲେ । ଏଣେ ଅଞ୍ଜଳିର ମାଆ ଓ ବଡବାପା ଝିଅ ରୀନା ତା ମୁଁହ ରେ ପାଣିଛିଞ୍ଚି, ହାତ ଗୋଡ ଘଷି ତାକୁ ହୋସକୁ ଆଣିବାକୁ ଚେଷ୍ଟା କରୁଥାନ୍ତି । ପରିଶେଷରେ ସମସ୍ତ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଅଞ୍ଜଳି ଆଖି ଖୋଲିଲା ।

ଅଞ୍ଜଳି ଆଖି ଖୋଲୁ ଖୋଲୁ କହିଲା , " ଓହଃ କି କଷ୍ଟ... କି କଷ୍ଟ.... ମୋ ତଣ୍ଟି.. ଛାଡ ମତେ.... "।

ମାଆ ତା'ର ମୁଣ୍ଡ ଆଉଁଷି ଦେଇ ପଚାରିଲା-

-କଣ ହେଲା ଲୋ ମା? ମୋ ଅଞ୍ଜୁକୁ କିଏ ମାଇଲା?

ଅଞ୍ଜଳି ପୁଣି କହିଲା, "ମୁଁ କୋଉ ଅଞ୍ଜୁ ନୁହେଁ, ମୁଁ ଗୌରୀ । ମୁଁ ଏଠିକୁ କେମିତି ଆସିଲି? ମତେ ମୋ ଘରକୁ ନେଇଚାଲ । ମୋ ପିଲାମାନେ ଚାହିଁ ରହିଥିବେ "।

କେହି ଜଣେ କହିଲେ-

-ଦେଖିଲ? ମୁଁ କହୁନଥିଲି, ଇଏ କୋଉ ଆତ୍ମା ସବାର ହେଇଛି । ଭଲ କଡା ଗୁଣିଆଟେ ଡାକ ଅଞ୍ଜୁମାଆ ।

ଅଞ୍ଜୁ କହିଲା, "ନାଁ ନାଁ ମୁଁ କୋଉ ଅତୃପ୍ତ ଆତ୍ମା ନୁହେଁ । ବିଶ୍ୱାସ କର ମୁଁ ଗୌରୀ । ଗୌରୀ ବିଶ୍ୱାଳ । ମୋ ବାପାଘର ନରେନ୍ଦ୍ରପୁର । ଶାଶୁଘର ମୁକୁନ୍ଦପୁର । ଅଠର ବର୍ଷ ତଳେ ମତେ ମୋ ଦିଅର, ନଣଦ ଆଉ ଶାଶୁ ମିଶିକି ମତେ ତଣ୍ଟିଚିପି ମାରିଦେଇଥିଲେ । ମୁଁ ପୁଣି ଅଞ୍ଜଳି ହେଇ ଜନ୍ମ ନେଇଛି । ମୋର ଏବେ ସବୁ ମନେପଡିଯାଉଛି । ମୋ ପୁର୍ବ ଜନ୍ମ ମୋ ଆଖି ଆଗରେ ନାଚି ଉଠୁଛି । ମତେ ମୋ ଦୁଇ ପୁଅଙ୍କ ପାଖକୁ ନେଇଚାଲ । କେତେ ବଡ ବଡ ହେଇଯିବେଣି ମୋ କୁନି କୁନି ପୁଅ ଦି’ଟା । ପୁର୍ବ ଜନ୍ମରେ ମୋ ମୃତ୍ୟୁ ବେଳକୁ ବାପୁ ଦଶ ବର୍ଷର ଆଉ ପୁପୁ ଆଠ ବର୍ଷର ହେଇଥିଲା ।"

ଅଞ୍ଜଳିର କଥା ଶୁଣି ସବୁ ତଟସ୍ଥ । ଖବରଟା ଖୁବ ଜଲଦି ବ୍ୟାପିଗଲା । ଅବଶ୍ୟ ପ୍ରଚାରର ବେଗକୁ ତ୍ୱରାନ୍ୱିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଡଲି ବଡ଼ମା । ତାଙ୍କ ଅବଦାନକୁ ଅବହେଳା କରିହେବନି । ତହିଁ ଆରଦିନ ସକାଳୁ ସକାଳୁ ଅଞ୍ଜଳିର ଘର ଆଗେ ଲୋକଙ୍କ ଭିଡ ଜମିଲା । ଅଞ୍ଜଳି କାଳେ ବାଉଳାରେ ସେସବୁ ଗପି ଦେଇଥିବ, ସେଥିପାଇଁ ଆଉଥରେ ତାକୁ ସବୁ ପ୍ରଶ୍ନ ପଚରାଗଲା । ସେ କିନ୍ତୁ ତା ମୂଳ କଥାରୁ ଓହରିଲା ନାହିଁ । ସମାନ କଥା ଦୋହରେଇଲା । ଅଞ୍ଜଳି କଥାର ସତ୍ୟତା ଜାଣିବା ପାଇଁ କିଛି ଲୋକ ପ୍ରୀତିପୁରରୁ ବାର କିଲୋମିଟର ଦୂର ମୁକୁନ୍ଦପୁର ମଟରସାଇକେଲ ଯୋଗେ ଯାଇ ବୁଝିଆସିଲେ, ଅଞ୍ଜୁ ମିଛ କହୁନି । ଗୌରୀ ବିଶ୍ୱାଳ ଠିକ ଅଠର ବର୍ଷ ତଳେ ମୃତ୍ୟୁବରଣ କରିଥିଲା । ମୃତ୍ୟୁର ସଠିକ କାରଣ କଣ ତାହା ଏଯାଏଁ କାହାକୁ ଜଣାନାହିଁ । ଗାଁ ଲୋକେ ଶବସତ୍କାର କରିଦେଲା ପରେ ତହିଁ ଆର ଦିନ ବାପଘର ଲୋକ ଖବର ପାଇ ଆସି ବହେ କାନ୍ଦିଥିଲେ । ଗୌରୀର ପରଜନ୍ମ ଅଞ୍ଜଳି କହିବା ଅନୁସାରେ ତାକୁ ହତ୍ୟା କରାଯାଇଥିବା କଥା କେହି କେହି ଜାଣନ୍ତିନି ବା କୌଣସି ପ୍ରମାଣ ନାହିଁ କହିଲେ ଓ କିଛି ଲୋକ ମଧ୍ୟ କଥାରେ ସତ୍ୟତା ଥିବା ସ୍ୱୀକାର କଲେ ।

ସମସ୍ତଙ୍କ ବିଶ୍ୱାସ ଦୃଢ ହେଲା ଅଞ୍ଜଳି ହିଁ ଗୌରୀ । ଅଞ୍ଜଳିକୁ ଏବେ ଅନେକ ପ୍ରଶ୍ନର ସାମ୍ନା କରିବାକୁ ପଡିଲା । ସବୁ ପ୍ରଶ୍ନର ଠିକ ଠିକ ଉତ୍ତର ଦେଉଥାଏ ଝିଅଟି । ଏବେ ସେ ଟିକେ ବୟସ୍କ ସ୍ତ୍ରୀଲୋକ ପରି କଥା କହିବା ଆରମ୍ଭ କରିଦେଇଥାଏ ।

ଏହି ସବୁ ଅଦ୍ଭୁତ, ଆଚମ୍ବିତ ଘଟଣା ଡେଇଁ ଦୌଡି ଦୂରକୁ ଯିବାକୁ ବେଶୀ ବିଳମ୍ବ ହୁଏନାହିଁ । କ୍ରମେ ଖବର କାଗଜ, ଟିଭି ଆଦି ସମସ୍ତ ଗଣମାଧ୍ୟମରେ 'ଆଉ ଏକ ଜାତିସ୍ମର' ର ଚାଞ୍ଚଲ୍ୟକର କାହାଣୀ ମୁଖ୍ୟ ଖବର ଭାବେ ଲୋକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଲା । ସବୁ ଗଣମାଧ୍ୟମ ଵାଲା ଆସି ଭିଡ ଲଗେଇଲେ । ଅଞ୍ଜଳିର ଫୋଟୋ ଉଠେଇଲେ । ଜାତିସ୍ମର ଅଞ୍ଜଳି ସାରା ଓଡିଶାବାସୀଙ୍କ ମନୋରଞ୍ଜନ ପାଇଁ ନୂଆ ଖୋରାକ ଯୋଗାଇଲା ।

ଏହି ପ୍ରସିଦ୍ଧି ଅଞ୍ଜଳିର ପୁର୍ବ ଜନ୍ମ ସେହି ଗୌରୀ ନାମ୍ନୀ ମହିଳାକୁ କିପରି ଅନୁଭବ ଆଣିଦେଉଥିଲା ଜଣା ନାହିଁ କିନ୍ତୁ ପରଜନ୍ମର ଅଠର ବର୍ଷ ବୟସ୍କ। ଅନୂଢ଼ା କିଶୋରୀ ଅଞ୍ଜଳିକୁ ଖୁବ ଉତ୍ସ।ହିତ ଓ ଉତ୍ଫୁଲିତ କରିଥିବା ମନେହେଉଥିଲା । ଅଞ୍ଜଳିର ସାଙ୍ଗମାନେ କିନ୍ତୁ ତାର ଏପରି ଅଚାନକ ବହୁଳ ଲୋକପ୍ରିୟତାକୁ ନାପସନ୍ଦ କରୁଥିଲେ ।

ଟିଭିର ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ଏହି ନୂଆ ଜାତିସ୍ମରକୁ ନେଇ ତର୍କ ବିତର୍କ କାର୍ଯ୍ୟକ୍ରମ ପ୍ରସାରିତ ହେଲା । ସେହି ସବୁ ତର୍କ ବିତର୍କ ପ୍ରୋଗ୍ରାମ ରେ ଗୋଟେ ପଟେ ବଡ ବଡ ଗୁଣିଆ, ଆଧ୍ୟାତ୍ମିକ ଗୁରୁ ଓ ସେମାନଙ୍କ ସହ ଜାତିସ୍ମର ଅଞ୍ଜଳି ତ ଅନ୍ୟପଟେ ମନସ୍ତତ୍ୱ ବିଜ୍ଞାନର ବିଶିଷ୍ଟ ମନସ୍ତତ୍ୱବିତ ଏବଂ ସୁଦକ୍ଷ ମାନସିକରୋଗ ଚିକିତ୍ସକମାନେ ରହିଲେ ।

ଆଧ୍ୟାତ୍ମିକ ଗୁରମାନେ ଆହୁରି ବିଭିନ୍ନ ଉଦାହରଣ ଦେଖାଇ କହିଲେ , " ଯୁଗେ ଯୁଗେ ବିଭିନ୍ନ ସମୟରେ ପୃଥିବୀ ପୃଷ୍ଠରେ ଏମିତି ଜାତିସ୍ମରମାନେ ଜନ୍ମନେଇ ପ୍ରମାଣ କରିଦେଖାଇଛନ୍ତି ଆତ୍ମା ଅମର । ପୂର୍ବଜନ୍ମ ପରଜନ୍ମରେ ସତ୍ୟତା ରହିଛି ।" ସେମାନେ ଅଞ୍ଜଳିର କାହାଣୀକୁ ସତ୍ୟ ପ୍ରମାଣିତ କରି ଆନନ୍ଦିତ ହେଉଥିଲେ ।

ସେହିସମୟରେ ଡ଼କ୍ଟର ମାନେ କହୁଥିଲେ ଅଞ୍ଜଳି ଏକ ପ୍ରକାର ମାନସିକ ଅବସ୍ଥା ମଧ୍ୟ ଦେଇ ଗତି କରୁଛି । ତାକୁ ଡାକ୍ତରୀ ଚିକିତ୍ସ। ଓ କାଉଁସେଲିଙ୍ଗର ଆବଶ୍ୟକତା ରହିଛି । ଅଞ୍ଜଳିର ଏପରି ମାନସିକ ଅବସ୍ଥାକୁ ସେମାନେ ଡାକ୍ତରୀ ଭାଷାରେ ଏକପ୍ରକାର 'De।usiona। psychosis 'କହୁଥିଲେ । ସେମାନେ ଆହୁରି ମଧ୍ୟ କହିଲେ ଅଞ୍ଜଳି ହୁଏତ ଏହି ଅଠର ବର୍ଷ ତଳ ଘଟଣାଟିକୁ ଅନ୍ୟ କାହାଠାରୁ ଶୁଣିଛି ଏବଂ ନିଜ subconsious mindରେ ସେ ନିଜକୁ ସେହି ଘଟଣା ସହ ସମ୍ପୃକ୍ତ କରିଦେଇଛି ।

ଡ଼କ୍ଟର ମାନଙ୍କର ଏପରି ଉକ୍ତିକୁ ପଣ୍ଡିତ ମାନେ ଖଣ୍ଡନ କରିଦେଲେ । ଅଞ୍ଜଳିକୁ ମନସ୍ତତ୍ୱବିତଙ୍କ ପ୍ରଶ୍ନ-

-ତୁମର ପୂର୍ବଜନ୍ମରେ କେତେ ବୟସରେ ବିଭାଘର ହୋଇଥିଲା?

-ତୁମ ବଡ ପୁଅ କେଉଁ ହସ୍ପିଟାଲରେ ଜନ୍ମ ହୋଇଥିଲା?

- ପୂର୍ବଜନ୍ମରେ ତୁମ ବଡ ଭଉଣୀଙ୍କ ପୁରାନାମ କଣ ଥିଲା?

ଏସବୁର ଉତ୍ତର ଅଞ୍ଜଳି ଦେବା ପୂର୍ବରୁ ପଣ୍ଡିତ ମହାଶୟ ମାନେ ଏଗୁଡାକ ଅବାନ୍ତର ଅସଙ୍ଗତ ପ୍ରଶ୍ନ କହି ଏଡାଇ ଦେଲେ।

ପୁନର୍ଜନ୍ମ ଉପରେ ଗବେଷଣା କରୁଥିବା ଜଣେ ମହାନ ପଣ୍ଡିତ ଯିଏ ନିଜ ପୁରା ଜୀବନକାଳ ଭିତରେ ଥରଟିଏ ମଧ୍ୟ କୌଣସି ଏକ କଲେଜର କୋଉ ବି ଶ୍ରେଣୀ ଗୃହ ଦର୍ଶନ କରିନାହାନ୍ତି , ସିଏ ଜଣେ ବିଶିଷ୍ଟ psychiatrist ଙ୍କୁ କହିଲେ -

-ଆପଣମାନେ କେହି ଖଣ୍ଡ ଡାକ୍ତରୀ ବହି ପଢ଼ିଦେଇ ନିଜକୁ ମହାଜ୍ଞାନୀ ମନେ କରୁଛନ୍ତି । ସେସବୁ ବହିପାଠ ଏଠି ଚଳିବନି । ପୁନର୍ଜନ୍ମ ବିଷୟରେ ଆପଣଙ୍କର କୌଣସି ଜ୍ଞାନ ନାହିଁ ।

ଆଉ ଜଣେ ଅଜବ ପୋଷାକ ପରିହିତ ବାବା ନିର୍ଦ୍ଧିଷ୍ଟ ଏକ ଡାକ୍ତରଙ୍କୁ ଲକ୍ଷ କରିକହିଲେ -

- ଭାରତରେ ଅନେକ ପୁର୍ବରୁ ଜନ୍ମ ନେଇଥିବା ଜାତିସ୍ମର ମାନଙ୍କର ନିଛକ ସତ କାହାଣୀସବୁକୁ ବିଭିନ୍ନ ଅଲୌକିକ ପୁସ୍ତକରୁ ଆପଣ ଯଦି ପଢ଼ିଥାନ୍ତେ ଆଜି ଏହି ଜାତିସ୍ମର ଜଣଙ୍କୁ ମାନସିକ ରୋଗୀ କହି କଥାଟାର ଗୁରୁତ୍ୱ ନଷ୍ଟ କରୁନଥାନ୍ତେ ।

ସେହି ସମସ୍ତ ବିଜ୍ଞ ପଣ୍ଡିତ ମାନଙ୍କୁ ହୁଏତ ଜଣାନଥାଇ ପାରେ psycho।ogist ଓ psychiatrist ମାନେ କେତେ କଠିନ ପରିଶ୍ରମ କରି, କେତେ ରାତ୍ରୀ ଅନିଦ୍ରା ରହି, କେତେ କେତେ ବୃହତ ପୁସ୍ତକ ପଢ଼ି, ବୁଝି, ପରୀକ୍ଷା କରି ନିଜ ଜ୍ଞାନର ପରିସୀମା ବୃଦ୍ଧି କରିଛନ୍ତି । ମହାନ ବାବା ମାନେ ମଧ୍ୟ କିପରି ବୁଝିବେ କେହିଖଣ୍ଡ ଡାକ୍ତରୀ ବହି ପଢ଼ି ବୁଝି ମନେରଖିବା କେତେ ସହଜ ବା କେତେ କଠିନ । ସେହି କେହିଖଣ୍ଡ ଡାକ୍ତରୀ ପୁସ୍ତକ ପଠନ ଉତ୍ତାରେ ଅନ୍ୟ କିଛି ଅନାଵଶ୍ୟକ ଅଲୌକିକ ବହି ପଢିବା ପାଇଁ ସେମାନଙ୍କ ପାଖେ ଅଯଥା ସମୟ ନଥିବା କଥା ମଧ୍ୟ ବାବାମାନଙ୍କୁ ବୁଝେଇବା ନିରର୍ଥକ ।

ଅଞ୍ଜଳି-ଗୌରୀ ତର୍କ ବିତର୍କ ଏହିପରି ଚାଲୁରହିଲା ।

ଗଣମାଧ୍ୟମର ବିଶିଷ୍ଟ ଲୋକ ମାନଙ୍କ ମଧ୍ୟରେ ବି ସାଧାରଣ ଲୋକଙ୍କ ଭିତରେ ବି । ଏହି ସମ୍ବନ୍ଧରେ ପ୍ରୀତିପୁର ଗାଁର କିଛି ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମତ ଥିଲା ଏହିପରି -

"ଜାତିସ୍ମର କଥାଟା ଆଦୌ ମିଥ୍ୟା ହୋଇନପାରେ । ପ୍ରଚଣ୍ଡ ଧୀଶକ୍ତି ସମ୍ପନ୍ନ ବ୍ୟକ୍ତିମାନେ ନିଜ ପୂର୍ବଜନ୍ମ କଥା ମଧ୍ୟ ମନେରଖିପାରନ୍ତି । "

କିନ୍ତୁ ଆଜିଯାଏ ଯେତିକି ଜାତିସ୍ମର ମାନେ ସାମ୍ନା କୁ ଆସିଛନ୍ତି ସମସ୍ତେ ଏହି ଅଞ୍ଜଳି ପରି । ଆଉ ଯଦି ଅଞ୍ଜଳିକୁ, ଯିଏ ବହୁ ପରିଶ୍ରମ କଲାପରେ ତୃତୀୟ ଶ୍ରେଣୀ ରେ ମାଟ୍ରିକ ପାସ କରିବାକୁ ସକ୍ଷମ ହୋଇଛି ଏବଂ ରାତି ରାତି ଅନିଦ୍ରା ହୋଇ ଇତିହାସ ବହି ର ପ୍ରଥମ ବିଷୟଟି ମୁଖସ୍ତ କଲା ପରେ ମଧ୍ୟ ଯିଏ ତହିଁରୁ ଗୋଟିଏ କି ଦୁଇଟି ଘଟଣାବଳିର ଖ୍ରୀଷ୍ଟାବ୍ଦ ବି ମନେରଖିପାରେ ନାହିଁ , ତାହାକୁ ଯଦି ଭୀଷଣ ସ୍ମୃତିଶକ୍ତି ସମ୍ପନ। କୁହାଯାଏ, ତେବେ ହୁଏତ ସେ ଜଣେ ଜାତିସ୍ମର ।

ଅଞ୍ଜଳିକୁ ପ୍ରଥମ ଥର ପାଇଁ ମୁକୁନ୍ଦପୁର ନିଆଗଲା । ଆଶ୍ଚର୍ଯ୍ୟ ! ଅଞ୍ଜଳି ଭିତରର ଗୌରୀ ସେଠି ପହଞ୍ଚି ହଠାତ ଅଧିକ ଚଳ ଚଞ୍ଚଳ ହୋଇଉଠିଲା । ସବୁ ରାସ୍ତାଘାଟ, ନଇନାଳ, ଗାଡ଼ିଆପୋଖରୀର ସଠିକ ସଠିକ ଅବସ୍ଥିତି ସେ ବତାଉଥାଏ । ଜାତିସ୍ମର ଗୌରୀ (ଏ ଜନ୍ମର ଅଞ୍ଜଳି ) ନିଜ ଘର ମଧ୍ୟ ସହଜରେ ଚିହିଁପାରିଲା ।

ଗୌରୀ ଫେରିଆସିବା ଖବର ଗାଁ ଲୋକଙ୍କୁ ଅଛପା ନଥିଲା । ସମସ୍ତେ ଆସି ମେଳି ହୋଇଥିଲେ ଗୌରୀର ଘରେ । ଅଞ୍ଜଳି ଭିତରର ଗୌରୀ ନିଜ ଘରକୁ ଖୁବ ଆନନ୍ଦରେ ପ୍ରବେଶ କଲା । ଘରେ ଦୁଇ ପୁଅ ଓ ଦୁଇ ବୋହୂ ଉପସ୍ଥିତ ଥିଲେ । ସେ ନିଜ ପୁଅ ମାନଙ୍କୁ ଲୋତକ ଭରା ଆଖିରେ ଅନେଇ ବାପୁ ପୁପୁ ଡାକି କାନ୍ଦି ଉଠିଲା । ଦୁଇ ପୁଅଯାକ ବି ମାଆ ମାଆ ଡାକି ଏକ ସଙ୍ଗେ ଅଠର ବର୍ଷିଆ ମାଆଟିକୁ ଆଲିଙ୍ଗନ କରିବାକୁ ଦୌଡ଼ିଗଲେ । ଏହି ମାତୃମିଳନର ଅପୂର୍ବ ଦୃଶ୍ୟଟି କିନ୍ତୁ ବୋହୂ ମାନଙ୍କୁ ଟିକେ ଖଟକା ଲାଗିଲା । ବୋଧେ ନିଜ ଠୁ ସାନ ଯୁବତୀ ଶାଶୁଙ୍କ ପ୍ରତି ଇର୍ଷା କାରଣରୁ ସେମାନଙ୍କୁ ସେହି ମିଳନ ପର୍ବଟା ଭଲ ଲାଗିଲାନି ।

ଗୌରୀ ଏବେ ନିଜ ବୋହୂମାନଙ୍କୁ କୁଣ୍ଢେଇ କାନ୍ଦି ନିଜ ଖୁସି ଜାହିର କଲା । ଘର କାନ୍ଥରେ ଝୁଲୁଥିବା ଶାଶୁଙ୍କର ପୂର୍ବ ଜନ୍ମର ଫୋଟୋକୁ ଦେଖି ଓ ଏ ଜନ୍ମରେ ଅଞ୍ଜଳିର ଜହ୍ନ ପରି ଗୋଲ ମୁଁହଟିକୁ ଦେଖି ଦୁଇ ବୋହୂ ଯାକ ସାମଞ୍ଜସ୍ୟ ଖୋଜିବାରେ ଲାଗିପଡ଼ିଲେ । ଉହୁଁ.. କିଛି ବି ମେଳଖାଉନି । ବଡ ବୋହୂ ଶାଶୁ ଅଞ୍ଜଳିକୁ କହିଲା -

-ମାଆ ଅରଜନ୍ମ ରେ ଆପଣଙ୍କୁ ମିଳିଥିବା ଗେଣ୍ଡା ନାକ କୁ ଯାହା ହେଉ ଏଥର ଭଗବାନ ବଦଳେଇଦେଇଛନ୍ତି । ଦେଖୁନାହାନ୍ତି ଫୋଟୋ ରେ କେଡେ ଅବାଗିଆ ଲାଗୁଛି ନାକଟା ।

ଅଞ୍ଜଳି ବି ଟିକେ ତା ପୂର୍ବଜନ୍ମ ର ଫୋଟୋ କୁ ଦେଖିଲା ଆଉ ମୁଁହଟା ଆମ୍ବିଳା କରିଦେଲା ।

ଏହି ସମୟରେ କେହି ଜଣେ ବୃଦ୍ଧବ୍ୟକ୍ତି 'ଗୌରୀ ଲୋ' 'ଗୌରୀ ଲୋ' ଡାକି ଡାକି ଘର ଭିତରକୁ ପଶିଆସିଲେ ।

ଲୋକଟାକୁ ଦେଖି ଗୌରୀ ତା ସାନବୋହୁକୁ ପଚାରିଲା -

-ଏ ଅପରିଛନିଆ ବୁଢ଼ାଟା କିଏ କି ଲୋ ମା?

ବୋହୂ କହିଲା-ମାଆ ଆପଣ ବାପା ଙ୍କୁ ଚିହିଁ ପାରୁନାହାନ୍ତି କେମିତି? ଏଇ ପା ଆପଣଙ୍କ ଇହ କାଳ ପର କାଳର ଦେବତା ।

ବୃଦ୍ଧ ହାଡିବନ୍ଧୁ ବିଶ୍ୱାଳ ଅଠର ବର୍ଷ ପରେ ନିଜ ମୃତ ସ୍ତ୍ରୀକୁ ଯୁଆନ ଝିଅ ରୂପରେ ପାଇ ଆତ୍ମୋବିଭୋର ହୋଇଉଠିଲେ ।

ଭାବାବେଗରେ କହିପକେଇଲେ, "ଗଉରୀ ଲୋ ! ଏତେ ଦିନ ହେଲା କୋଉଠି ଥିଲୁ? ତୋ ବାଟ ଚାହିଁ ଚାହିଁ ମୋ ଆଖି ଲାଖିଗଲାଣି । ମତେ କିନ୍ତୁ ଲାଗୁଥିଲା ତୁ ଦିନେ ନା ଦିନେ ନିଶ୍ଚେ ମୋ ପାଖକୁ ଫେରିଆସିବୁ । ମୁଁ ପରା ଜାଣେ ତୋତେ ମୋ ବିନା ସରଗରେ ବି ଭଲ ଲାଗିବନି ।"

ଅଞ୍ଜଳି ତା ପୂର୍ବଜନ୍ମର ବୃଦ୍ଧ ସ୍ୱାମୀଙ୍କ କଥା ଶୁଣି ବାକଶୂନ୍ୟ ହେଇଗଲା । ସେ ଆଜି ପ୍ରଥମ ଥର ପାଇଁ ଜାତିସ୍ମର ହେବାରେ ଗର୍ବିତ ନହୋଇ ଦୁଃଖିତ ହେଲା ।

ସମସ୍ତେ ଅଞ୍ଜଳିକୁ ଗୌରୀ ମାନିନେଇଥିବା ବେଳେ, ହାଡ଼ିବନ୍ଧୁର ସାନଭାଇ ଗୋପବନ୍ଧୁ ଗର୍ଜନ କରି କରି ଭିତରକୁ ପଶିଆସିଲେ । ସାଙ୍ଗରେ ସ୍ତ୍ରୀ ଜାନକୀ । ଜାନକୀ ଗୌରୀର ନୂଆ ରୁପକୁ ଦେଖି ରାଗରେ ମୁହଁ ବୁଲେଇଦେଲେ । ଏ ରାଗ ଆଜିର ନୁହେଁ । ଏ ଜନ୍ମଜନ୍ମାନ୍ତରର ଯାଆ ପ୍ରତି ଯାଆର ଈର୍ଷାନ୍ୱିତ ରାଗ ।

ଗୋପ କହିଲେ," କାହିଁ? କାହିଁ ସେ ମିଥ୍ୟାବାଦିନୀ? ତାକୁ ଆଜି ସତ ସତିକା ତଣ୍ଟି ଚିପି ମାରିଦେବି । ସେ ମୋ ଭାଉଜ କେବେ ବି ନୁହେଁ । ମୋ ଭାଉଜ ହେଇଥିଲେ ସତ କଥାଟା କଣ ନିଶ୍ଚେ କହିଥାନ୍ତା । ମୋ ଭାଉଜ ଯେତେବେଳେ ଅଣନିଶ୍ୱାସୀ ହେଇ ଆମ ପୁରୁଣା ଘର ଅଗଣା ରେ ପଡି ଛଟ ପଟ ହୋଉଥିଲା, ମୁଁ.. ମୁଁ ତାକୁ ପ୍ରଥମେ ଟେକି ନେଇ ଖଟ ଉପରେ ଶୁଆଇ ଦେଇ, ପାଣି ପିଆଇ ସାଷ୍ଟାମ କରିବାକୁ ଚେଷ୍ଟା କରିଥିଲି । ଘରେ କେହି ନଥିଲେ । ବୋଉକୁ ଆଉ ନାନୀକୁ ମୁଁ ଡାକିକି ଆଣିଥିଲି । ବିଚାରୀ କିନ୍ତୁ ବଞ୍ଚିଲାନାହିଁ । ଇଏ କହୁଛି ମୁଁ ତା ତଣ୍ଟି ଚିପିଥିଲି । ୟାକୁ ମୁଁ ଛାଡିବିନି । "

ଗୋପ ସତକୁ ସତ ମାରିବାପାଇଁ ଅଞ୍ଜଳି ଆଡକୁ ଧାଇଁଗଲା ତ ଲୋକେ ଗୋପକୁ କାବୁକରିନେଲେ ।

ଏହି ସମୟରେ ହାଡିବନ୍ଧୁ ତାଙ୍କ ସାନଭାଇକୁ ବୁଝେଇବାକୁ ଯାଇ କହିଲେ -

-ଦେଖ ଗୋପ । ଯାହା ତ ହେବାର ଥିଲା ତାହା ଅଠର ବର୍ଷ ତଳେ ହେଇଯାଇଛି । ପୁରୁଣା କଥାକୁ ଆଉ ଖୋଳନା । ତୋ ଭାଉଜ ତ ଫେରିଆସିଛି । ଏତେ ଦିନ ପରେ ମୁଁ ମୋ ଗୌରୀକୁ ଫେରିପାଇଛି । ତୁ ତା ଉପରେ ଏତେ ଏମିତି ରାଗେନା । ମୁଁ ଆଉ କିଛି ଚାଁହୁନି । ବାସ ମୋ ଗୌରୀ ସହ ମୋର ବାକି ଜୀବନ ମୁଁ ଶାନ୍ତିରେ କଟେଇ ଦେବାକୁ ଚାହେଁ । ଦରକାର ପଡିଲେ ମୁଁ ଗୌରୀର ଏ ପୁନର୍ଜନ୍ମରେ ତାସହ ପୁନର୍ବିବାହ ମଧ୍ୟ କରିବି । ସାହି ଭାଇଙ୍କୁ ଭୋଜି ଦେବାକୁ ବି ରାଜି ଅଛି । ତୁ ତୋ ଭାଉଜ ଦେହରେ ଟିପ ଲଗାନା ଗୋପ । ଠିକ ହେବନି ।

ଗୋପ କିନ୍ତୁ ନଛୋଡ ବନ୍ଧା । ସେ ଏ ଝିଅ କୁ ଭାଉଜ ମାନିବାକୁ ନାରାଜ । ଦୁଇ ଭାଇ ଯୁକ୍ତି ତର୍କ ଲାଗିଗଲେ ।

ଅଞ୍ଜଳିର ସେତିକି ବେଳେ କଣ ହେଲା କେଜାଣି ସେ ଲଥ କରି ତଳେ କଚାଡି ପଡିଲା । ଏଇତ ସଙ୍ଗେ ସଙ୍ଗେ କଥା କହୁଥିଲା । ଏବେ ଚେତା ନାହିଁ । ତାକୁ ନିକଟସ୍ଥ ହସ୍ପିଟାଲକୁ ନିଆଗଲା । ଅଞ୍ଜଳି ସୁସ୍ଥ ଅନୁଭବ କଲା । ଅନେକ ଦିନ ହେଲା ଠିକରେ ଖାଉନଥିଲା । ବହୁତ ଦୁର୍ବଳ ହୋଇଯାଇଥିଲା । ଖାଇ ପିଇ ସତେଜ ହେଲା ପରେ ତାକୁ ଏବେ କେହି ତା ପୂର୍ବ ଜନ୍ମ ବିଷୟରେ ପଚାରିଲେ, ତା ମାଆ କହେ, "ତାର କିଛି ମନେ ନାହିଁ । ତାକୁ କିଛି ପଚାରନ୍ତୁନାହିଁ "

ଘଟଣାଟିକୁ ଅନେକ ଦିନ ବିତିଗଲାଣି । ଅଞ୍ଜଳି ବାହା ହୋଇ ସୁଖରେ ଅଛି । ସେ କିନ୍ତୁ ଆଉ କେବେ ବି କହିନାହିଁ, "ମୁଁ ହିଁ ମୁକୁନ୍ଦପୁରର ଗୌରୀ । ମୁଁ ଆଉ ଏକ ଜାତିସ୍ମର " ।

ଲୋପାମୁଦ୍ରା ମିଶ୍ର

ଠାକୁର ଅଞ୍ଜଳି ଜାତିସ୍ମର

Rate the content


Originality
Flow
Language
Cover design

Comments

Post

Some text some message..