Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଜହ୍ନମାମୁଁ -୧୩୨
ଜହ୍ନମାମୁଁ -୧୩୨
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୧

Children

3 Minutes   7.2K    19


Content Ranking

ତିନି ତାନ୍ତ୍ରିକ - ୩


ପିଙ୍ଗଳ ପିଠିରେ ବର୍ଚ୍ଛାମୂନ ଖେଂଚିଦେଇ ଆଉ ଜଣେ ପଚାରିଲା, “ସତ କହ । ତୋ ନେତା ଭୈରବନାଥ ବର୍ତ୍ତମାନ କେଉଁଠି?”

ସେମାନଙ୍କ କଥାବାର୍ତ୍ତାରୁ ପିଙ୍ଗଳ ଖାଲି ଏତିକି ବୁଝିଲା ଯେ ଭୈରବନାଥ କୌଣସି ଦସ୍ୟୁ ଦଳର ନେତା । କିନ୍ତୁ ଏମାନେ କିଏ?

ପିଙ୍ଗଳ କହିଲା, “ମୁଁ କାହାରି ଅନୁଚର ନୁହେଁ । ସମୁଦ୍ରରେ ଆମ ଜାହାଜ ଝଡବର୍ଷାରେ ପଡି ଡୁବିଗଲା । ଦୈବକୁ ପ୍ରାଣଧରି ମୁଁ ଆସି ଏଠି ପହଁଚିଲି । ଏ ଲୋକ ଦେହରେ ଏବେବି ଜୀବନ ଥାଇପାରେ ଭାବି ମୁଁ ଢେଲା ଫୋପାଡି ଶାଗୁଣାମାନଙ୍କୁ ଏଠୁ ତଡିଲି । ଏ ମରୁଭୂମିର ନାମ କ’ଣ, ଏଠି କିଏସବୁ ରହନ୍ତି, ଏସବୁ ବିଷୟରେ ମୁଁ କିଛି ମଧ୍ୟ ଜାଣେ ନାହିଁ ।”

ସର୍ଦ୍ଦାର ଥରେ ପିଙ୍ଗଳକୁ ଆପାଦମସ୍ତକ ଦେଖିଦେଇ କହିଲା, “ଦେଖ ଟୋକା, ତୁ ଯଦି ସତ କହୁଥିବୁ, ତେବେ ତ ତୋର ଭୟ କରିବାର କୌଣସି କାରଣ ନାହିଁ । ଆଉ ଯଦି ମିଛ କହୁଥିବୁ, ତେବେ ଖିନ୍ଭିନ୍ କରିଦେବା । ଶୁଣ, ଏହା ଆଫ୍ରିକା ମହାଦେଶର ଆରବ ଅଂଚଳ । ମୁଁ ଏଠାକାର ନବାବ୍ଙ୍କର ଓଟଦଳର ସର୍ଦ୍ଦାର । ବର୍ତ୍ତମାନ ସତ କହ, ତୁ କାହା ଜାହାଜରେ ଥିଲୁ? ଜାହାଜ କେମିତି ଡୁବିଲା? ଆଉ ତୁ ଏଠାକୁ କେମିତି ଆସିଲୁ?”

ସେତେବେଳକୁ ସେଠାରେ ତମ୍ବୁ ପକା ହୋଇଯାଇଥାଏ । ସର୍ଦ୍ଦାର ପିଙ୍ଗଳକୁ ସେହି ତମ୍ବୁ ଭିତରକୁ ନେଇଗଲେ । ପିଙ୍ଗଳ ଯେତେବେଳେ ବୁଝିଲା ଯେ ସେ ନବାବ୍ଙ୍କର ଜଣେ ବଡ କର୍ମଚାରୀଙ୍କ ସମ୍ପର୍କରେ ଆସିଛି, ସେତେବେଳେ ତା’ ମନରେ ଆଉ କିଛି ଦ୍ୱିଧା ରହିଲା ନାହିଁ । ସେ ଖାଲି ତା’ ପରିବାର କଥା ଛାଡି କିପରି ବନ୍ଦୀ ହୋଇ ଦସ୍ୟୁ କପ୍ତାନ୍ ପାଖରେ ଗୁଲାମ ବନିଲା, ସେ କିପରି ସେଠାରୁ ମୁକ୍ତି ପାଇଲା, ଦୁଇ ଜାହାଜ ଭିତରେ ସଂଘର୍ଷ ପୂର୍ବରୁ ସେ କିପରି ଅନ୍ୟ ଗୁଲାମମାନଙ୍କର ନେତୃତ୍ୱ ନେଇ ଦସ୍ୟୁ କପ୍ତାନ୍ ବିରୁଦ୍ଧରେ ବିଦ୍ରୋହ କଲା, ସେସମସ୍ତ କଥା ସେ ଆମୂଳଚୁଳ ଗପିଗଲା ।

ସର୍ଦ୍ଦାର ପଚାରିଲା “ଯେଉଁ ଜାହାଜ ସହ ସଂଘର୍ଷ ହେଲା, କ’ଣ ସେଥିରେ ବି ଗୁଲାମ ଥିଲେ?”

ପିଙ୍ଗଳ ଉତ୍ତର ଦେଲା “ସେମାନଙ୍କ କଥାବାର୍ତ୍ତାରୁ ତ ମୋର ସେଇଆ ମନେ ହେଲା ।”

“ବେଶ୍, ବେଶ୍ । ଶୁଣ । ତମେ ଦଳେ ଲୋକଙ୍କର ନେତୃତ୍ୱ ଦେଇ ଲଢେଇ କରିଛ । ତେଣୁ ତମର ଦକ୍ଷତା ଅଛି । ଆମେ ତମକୁ ମିତ୍ର ହିସାବରେ ଗ୍ରହଣ କଲୁ । ମୋ ନାମ ହସନ୍ । ମୁଁ ଭୈରବନାଥ ନାମକ ଗୋଟାଏ ଭୀଷଣ ଦସ୍ୟୁ ସର୍ଦ୍ଦାରର ମୁକାବିଲା କରିବା ସକାଶେ ବାହାରିଛି । ଅଳ୍ପ ଦୂରରେ ଆମର ଗୋଟାଏ କିଲ୍ଲା ଅଛି । ଯେଉଁ ଲୋକଟିକୁ ଏଠାରେ ବାନ୍ଧି ମାରିଦିଆ ଯାଇଛି, ସେ ଲୋକଟି ସେହି ଦୁର୍ଗର ପ୍ରହରୀମାନଙ୍କ ଭିତରୁ ଜଣେ । ଦୁର୍ଗକୁ ଭୈରବନାଥ ଅଧିକାର କରି ନେଇଥିବା କିଛିବି ଅସମ୍ଭବ କଥା ନୁହେଁ । ତାକୁ କିପରି କାବୁ କରାଯିବ, ଏବେ ତାହାହିଁ ମୋର ସବୁଠୁ ବଡ ଚିନ୍ତା ।”

ଏହା କହି ସର୍ଦ୍ଦାର ଜଣେ ସୈନିକକୁ ଡାକି ପିଙ୍ଗଳକୁ ଦେଖାଇ କହିଲା, “ଏ ଯୁବକ ବର୍ତ୍ତମାନଠାରୁ ଆମ ଦଳର ଅନ୍ତର୍ଭୁକ୍ତ ହେଲେ । ଏହାଙ୍କୁ ନେଇ ଯାଇ ଶୀଘ୍ର ଖାଇବାକୁ ପିଇବାକୁ ଦିଅ । ଗୋଟାଏ ଓଟ ବି ତାଙ୍କୁ ଦିଅ ।”

ଏ ନିର୍ଦେଶ ଶୁଣି ପିଙ୍ଗଳ ଦେହରେ ଟିକେ ପ୍ରାଣ ପଶିଲା । ସୈନିକ ସଙ୍ଗେ ସଙ୍ଗେ ତାକୁ ନେଇ ଯାଇ ଖାଇବାକୁ ପିଇବାକୁ ଦେଲା । ପିଙ୍ଗଳର ଆନନ୍ଦ କହିଲେ ନସରେ ।

ସେ ଖାଇପିଇ ସାରି ଟିକିଏ ବିଶ୍ରାମ ପରେ ତାଜା ହୋଇ ଉଠିଲା । କଥା ହେଲା, ଅନେକ ଦିନ ପରେ ତା’ ମନରେ ପୁଣି ଦମ୍ଭର ସଂଚାର ହୋଇଥାଏ । ଜଳଦସ୍ୟୁ କପ୍ତାନ ହାତରେ ପ୍ରାଣ ଯାଇଥାନ୍ତା । କିନ୍ତୁ ସେଥିରୁ ସେ ବର୍ତ୍ତୀ ଗଲା । ପୁଣି ସମୁଦ୍ରରେ ଡୁବି ମଧ୍ୟ ମୃତ୍ୟୁ ଘଟିପାରିଥାନ୍ତା । ସେଥିରୁ ବି ବିଧାତା ତାକୁ ରକ୍ଷା କଲା । ଏ ଲୋକମାନେ ସନ୍ଦେହୀ ବା ନିଷ୍ଠୁର ହୋଇଥିଲେ ତାକୁ ତ ମାରି ପକାଇଥାନ୍ତେ । କିନ୍ତୁ ତାହା ନକରି ଏମାନେ ତାକୁ ଅଭୟ ଦେଲେ! ଏହା କ’ଣ କିଛି କମ୍ ସୌଭାଗ୍ୟର କଥା? ସେ ତା’ ମନେ ମନେ ଈଶ୍ୱରଙ୍କୁ ପ୍ରଣାମ ଜଣାଇଲା । ତା’ ଆଖି ଛଳ ଛଳ ହେଲା ।

ଏହାପରେ ସର୍ଦ୍ଦାର ସେ ମୃତ ଦେହଟିକୁ ଗୋଟାଏ ଓଟ ପିଠିରେ ବାନ୍ଧି ସାଥିରେ ନେଇଯିବାର ବ୍ୟବସ୍ଥା କଲା । ତାକୁ କିଲା ପାଖରେ ସମାଧି ଦେବା ଉଚିତ୍ ହେବ ବୋଲି ସର୍ଦ୍ଦାର ବିଚାର କଲା ।

କିଛି ସମୟ ପରେ ତମ୍ବୁ ଉଠିଲା । ସୂର୍ଯ୍ୟାସ୍ତ ସୁଦ୍ଧା ସେମାନେ ଯାଇ କିଲା ପାଖରେ ପହଁଚିଲେ । ସାଧାରଣତଃ କିଲା ଆଗରେ ସର୍ବଦା ଲୋକ ଚଳପ୍ରଚଳ ହେଉଥାନ୍ତି । କିନ୍ତୁ ସବୁ ଶୂନ୍ଶାନ୍ ଦିଶୁଥିଲା ।

ସର୍ଦ୍ଦାର ଆଶ୍ଚର୍ଯ୍ୟ ହୋଇ ଥରେ କିଲା ଆଡେ ଓଇ ଥରେ ପିଙ୍ଗଳ ଆଡେ ଅନାଇଲା । କିଲାର ଏ ପରିସ୍ଥିତିରେ ସ୍ୱାଭାବିକ ନୁହେଁ, ପିଙ୍ଗଳ ଆଡେ ଅନାଇ ସେ ସେଇଆ ବୁଝାଇ ଦେଉଥିଲା ।

ସତ ଦୈବ ଭୈରବନାଥ

Rate the content


Originality
Flow
Language
Cover design

Comments

Post

Some text some message..