Bichitra Biswal

Thriller


3  

Bichitra Biswal

Thriller


ଧର୍ମସଙ୍କଟ

ଧର୍ମସଙ୍କଟ

12 mins 14.9K 12 mins 14.9K

ଧର୍ମସଂକଟ

 ବିଚିତ୍ର ବିଶ୍ୱାଳ

ପ୍ରତାପଗଡ଼ର ରାଜା ବୁଦ୍ଧାଦିତ୍ୟଙ୍କର ନାଁ କହିଲେ ଖଣ୍ଡ ମଣ୍ଡଳର ଲୋକମାନେ ଭକ୍ତି ଓ ଶ୍ରଦ୍ଧାରେ ମୁଣ୍ଡ ନୁଆଁନ୍ତି । ଯେମିତି ପ୍ରଜା ବତ୍ସଳ ଓ

ପରୋପକାରୀ, ସେମିତି ସାହାସୀ ଓ ବୀର । ତାଙ୍କ ଦରବାରରୁ କିଏ କେବେ ଖାଲି ହାତରେ ଫେରିଥିବାର କେହି ଶୁଣିନାହାନ୍ତି । ଏପରିକି

ପଡ଼ୋଶୀ ରାଜାମାନଙ୍କ ମୁଖରେ ବି ତାଙ୍କର ଅହେତୁକ ପ୍ରଶଂସା ଶୁଣିବାକୁ ମିଳେ ।

ଗୋଟିଏ ପଟେ ତାଙ୍କର ବୀରତ୍ୱ ଓ ଅନ୍ୟପଟେ ମହାନ ବ୍ୟକ୍ତିତ୍ୱ । ତେଣୁ ଏପରି ଜଣେ ମଣିଷରୁପୀ ଭଗବାନଙ୍କ ସହିତ କିଏ ବା କାହିଁକି

ଶତ୍ରୁତା ଆଚରଣ କରିବ! କେବଳ ପଡ଼ୋଶୀ ରାଜାମାନେ ନୁହଁନ୍ତି, ପଡ଼ୋଶୀ ଦେଶର ପ୍ରଜାମାନଙ୍କ ମୁହଁରେ ବି ରାଜା ବୁଦ୍ଧାଦିତ୍ୟଙ୍କର ସୁନାମ

ଶୁଣିବାକୁ ମିଳେ । ମୋଟାମୋଟି ଭାବେ କହିବାକୁ ଗଲେ, ଆଖପାଖ ଅଞ୍ଚଳରେ ରାଜା ବୁଦ୍ଧାଦିତ୍ୟଙ୍କର କେହି ଶତ୍ରୁ ନଥିଲେ । ଯଦି କେହି ବି

ଅଜାଣତରେ ରାଜା ବୁଦ୍ଧାଦିତ୍ୟଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତି, ତାହେଲେ କେବଳ ସୈନ୍ୟ ବାହିନୀ ନୁହେଁ, ପ୍ରତାପଗଡ଼ର ପ୍ରଜାମାନେ

ମଧ୍ୟ ଯୁଦ୍ଧରେ ଛାତି ପାତି ଛିଡ଼ା ହୁଅନ୍ତି । ପରିଣାମ ସ୍ୱରୁପ ରାଜା ବୁଦ୍ଧାଦିତ୍ୟଙ୍କର ବିଜୟ ସ୍ୱଭାବିକ । ନିଜ ସୁଗୁଣ, ପ୍ରଜାବତ୍ସଳ ନୀତି ଓ ବୀରତ୍ୱ

ପାଇଁ ରାଜା ବୁଦ୍ଧାଦିତ୍ୟଙ୍କର ସାମ୍ରାଜ୍ୟ ପୂର୍ବରେ ବଙ୍ଗୋପସାଗର ଉପକୂଳ ଠାରୁ ପଶ୍ଚିମରେ ଛୋଟନାଗପୁର ମାଳଭୂମି ପର୍ଯ୍ୟନ୍ତ ଓ ଉତ୍ତରରେ

ସୀମନ୍ତିନି ନଦୀ ଠାରୁ ଦକ୍ଷିଣରେ ସୂରଜଗଡ଼ ପର୍ଯ୍ୟନ୍ତ ବ୍ୟାପ୍ତଥିଲା । ପ୍ରତାପଗଡ଼ର ପ୍ରଜାମାନେ ରାଜା ବୁଦ୍ଧାଦିତ୍ୟଙ୍କୁ ନ୍ୟାୟର ସାକ୍ଷାତ ଅବତାର

ଭାବେ ପୁଜା କରନ୍ତି । ନିଜ ଦେଶର ପ୍ରଜା ହୁଅନ୍ତୁ ବା କେହି ବିଦେଶୀ, ରାଜା ବୁଦ୍ଧାଦିତ୍ୟଙ୍କ ଦରବାରରେ କେହି କେବେ ଅନ୍ୟାୟର ଶିକାର

ହୋଇନାହାନ୍ତି । ଏଡ଼େ ବିଶାଳ ସାମ୍ରାଜ୍ୟ ହୋଇଥିଲେ ମଧ୍ୟ କେବେ କେଉଁଠି ବିଦ୍ରୋହର ସ୍ୱର ଶୁଣା ଯାଇନାହିଁ ବୁଦ୍ଧାଦିତ୍ୟଙ୍କର ରାଜତ୍ୱ

କାଳରେ । ଦୀର୍ଘ ପନ୍ଦର ବର୍ଷ ହେଲା ସୁରୁଖୁରୁରେ ଶାସନ ଚଳାଇ ଆସୁଛନ୍ତି ରାଜା ବୁଦ୍ଧାଦିତ୍ୟ । ରାଜ କର୍ମଚାରୀମାନଙ୍କର ଉତ୍ସର୍ଗୀକୃତ ଭାବନା

ଓ ପ୍ରଜାମାନଙ୍କର ରାଜ ଭକ୍ତି ହିଁ ରାଜା ବୁଦ୍ଧାଦିତ୍ୟଙ୍କର କାମକୁ ଆହୁରି ସହଜ କରିଦେଇଥିଲା । ସୈନ୍ୟ ବାହନୀର ଜଣେ ଛୋଟିଆ ସୈନ୍ୟ ଠାରୁ

ମହାମନ୍ତ୍ରୀଙ୍କ ପର୍ଯ୍ୟନ୍ତ ରାଜାଙ୍କ ପାଇଁ ଜୀବନ ଦେବାକୁ ସମସ୍ତେ ଥିଲେ ସଦା ପ୍ରସ୍ତୁତ । ରାଜା ପ୍ରତ୍ୟେକ ଅଧସ୍ତନ କର୍ମଚାରୀଙ୍କୁ ଯେପରି ପୁତ୍ରବତ୍

ସ୍ନେହ କରୁଥିଲେ, କର୍ମଚାରୀମାନେ ବି ସେହିପରି ରାଜାଙ୍କୁ ପିତା ସମାନ୍ ଭକ୍ତି କରୁଥିଲେ । ଏପରି ସାତ୍ତ୍ୱିକ ପରିବେଶରେ ରାଜାଙ୍କ ବିରୋଧରେ

ବିଦ୍ରୋହର ସ୍ୱର ଉଠିବ ବା କିପରି?

କିନ୍ତୁ ଏସବୁ ଭିତରେ, ସମସ୍ତଙ୍କ ଅଜାଣତରେ ଜଣେ ରାଜ କର୍ମଚାରୀ ମାନସିକ ଅଶାନ୍ତି ଭିତରେ ଜଳୁଥିଲା ଅହରହ । ମନ ଭିତରେ

ତାର ଅନେକ ଦ୍ୱନ୍ଦ୍ୱ ଓ ଭୀଷଣ ଅଶାନ୍ତି । ଗାତ ଭିତରୁ ମୂଷା ବାହାରକୁ ମୁହଁ ଦେଖାଇ ପୁଣି ଚଟ୍ କରି ଭିତରକୁ ପଶିଯିବା ପରି ମନେମନେ ସେ

ପ୍ରସ୍ତୁତ ହେଉଥିଲା ଓ ସଙ୍କୋଚରେ ପୁଣି ପଛକୁ ଫେରିଯାଉଥିଲା । ସେ ଥିଲା କଟୁଆଳ ଉପମନ୍ୟୁ । ରାଣୀ ହଂସପୁରର ଦକ୍ଷିଣ ଦ୍ୱାରରେ ଦ୍ୱାରପାଳ

ଭାବେ କର୍ତ୍ତବ୍ୟରତ କଟୁଆଳ ଉପମନ୍ୟୁ । ତା ମନ ଭିତରେ ସବୁବେଳେ ଜଳୁଥିଲା ଅଶାନ୍ତିର ନିଆଁ । ସେହି ନିଆଁ ହୁତୁହୁତୁ ହୋଇ ଜଳିବା

ପରିବର୍ତ୍ତେ ଧୂଆଁ ହୋଇ ଉଠି ତା ମୁଣ୍ଡ ଭିତରେ ଖେଳି ବୁଲୁଥିଲା ଅହରହ । ଅଶାନ୍ତି ଓ ଦ୍ୱନ୍ଦ ଭିତରେ ପ୍ରତ୍ୟେହ ଛଟପଟ୍ ହେଉଥିଲା କଟୁଆଳ

ଉପମନ୍ୟୁ । କ’ଣ କରିବ କିଛି ଠିକ୍ କରି ପାରୁନଥିଲା ସେ । ଉପମନ୍ୟୁର ଅଶାନ୍ତି ଓ ଦ୍ୱନ୍ଦ୍ୱର କାରଣ ରାଜଦ୍ରୋହ ନଥିଲା ବରଂ ଥିଲା ଅତିଶୟ

ରାଜଭକ୍ତି ।

ରାଜାଙ୍କର ଜଣେ ସଚ୍ଚା ସେବକ ଭାବେ କର୍ତ୍ତବ୍ୟରେ କେବେ ବି ଅବହେଳା କରିନି ଉପମନ୍ୟୁ । କିନ୍ତୁ ଏଇ କିଛି ଦିନ ହେବ ନିଜ

ଭିତରେ ଏକ ଭୟଙ୍କର ଅଶାନ୍ତି ବାଣରେ ଜର୍ଜରିତ ହୋଇ ଅଣନିଶ୍ୱାସୀ ହୋଇ ଉଠୁଥିଲା ଉପମନ୍ୟୁ । ଏହି ଅଶାନ୍ତି ଓ ଅସ୍ୱସ୍ତି ପଣର କାରଣ ଥିଲା

ସେ ନିଜେ । କଟୁଆଳ ଭାବେ ଚୁପଚାପ୍ ନିଜର କର୍ତ୍ତବ୍ୟ ପାଳନ କରିବା କିମ୍ବା ମୁହଁ ଖୋଲି ସତ୍ୟର ଅନୁସରଣ କରିବାର ଦ୍ୱନ୍ଦ୍ୱର ଦୋଛକିରେ

ଠିଆ ହୋଇ, କ’ଣ କରିବ ନକରିବ ନିଷ୍ପତ୍ତି ନେଇ ପାରୁନଥିଲା ଉପମନ୍ୟୁ । ଏହି ନିଷ୍ପତ୍ତି ନେଇ ନପାରିବାଟା ହିଁ ଉପମନ୍ୟୂକୁ ନେଇ ଛାଡ଼ି

ଦେଉଥିଲା ଆହୁରି ଅଧିକ ଅଶାନ୍ତିର ଗହ୍ୱରରେ । ଚୁପଚାପ୍ କର୍ତ୍ତବ୍ୟ ପାଳନ ଓ ସତ୍ୟର ପାଳନକୁ ନେଇ ନିଜ ଭିତରେ ଅହରହ ଏକ

ପାନିପଥକୁ ସାମ୍ନା କରୁଥିଲା ସେ ।

ପ୍ରାୟ ଚାରିମାସ ହେବ ରାଣୀ ପଦ୍ମିନୀ ରାଜା ବୁଦ୍ଧାଦିତ୍ୟଙ୍କର ଆଖି ପଛପଟେ ଲୁଚି ଲୁଚି ମିଶୁଛନ୍ତି ଆଉ ଜଣେ ପୁରୁଷ ସହ । ପ୍ରତିଦିନ

ଚାଲୁଛି ଏହି କାଣ୍ଡ ରାଜାଙ୍କ ଅଗୋଚରରେ । ରାଣୀହଂସପୁରର ଦ୍ୱାରପାଳ ଭାବେ କଟୁଆଳ ଉପମନ୍ୟୁକୁ ଏକଥା ଅଛପା ନାହିଁ । ଏହା ହିଁ

ଉପମନ୍ୟୁର ଅଶାନ୍ତିର କାରଣ । ରାଜାଙ୍କର ଜଣେ ସଚ୍ଚା ସେବକ ଭାବେ ଅନେକ ଥର ଭାବିଛି ସେ ଏକଥା ରାଜାଙ୍କ କାନକୁ ନେବ । କିନ୍ତୁ ପର

ମୂହୁର୍ତ୍ତରେ ପୁଣି ଭାବିଛି, ରଜା-ଗୋଜା । କେତେବେଳେ କ’ଣ ହେବ, କିଏ କହିବ! ଯଦି ତା କଥାକୁ ରାଜା ପରତେ ନଯାଆନ୍ତି! ତାଙ୍କ ପ୍ରିୟ

ରାଣୀଙ୍କ କଥାରେ ଭଳି ନଯାଇ ରାଜା କ’ଣ ଛାର କଟୁଆଳଟାର କଥା ଶୁଣିବେ! ତାଛଡ଼ା ଏତେ ବଡ଼ ମହାନ୍ ରାଜାଙ୍କୁ ସେ ଏତେ ଘୃଣ୍ୟ କଥା

କହିବ କିପରି? ତାର ପରିଣାମ କ’ଣ ହେବ? ଏସବୁ କଥା ଭାବି ଦେବା ବେଳକୁ ଉପମନ୍ୟୁର ମୁଣ୍ଡଟା ଘୁରାଇ ଦିଏ । ରାଜାଙ୍କ କାନକୁ ଏକଥା

ନେବା ବିଷୟଟା ତା ମନରୁ ସଂପୁର୍ଣ୍ଣ ଭାବେ ଓହ୍ଲାଇ ଯାଏ । ପର ମୂହୁର୍ତ୍ତରେ ପୁଣି ସେ ଭାବେ, ଯେଉଁ ରାଜାଙ୍କର ସେ ଲୁଣ ଖାଉଛି, ସେହି ଦେବ

ପ୍ରତିମ ରାଜାଙ୍କର ପଛ ପଟେ ଏତେ ବଡ଼ କାଣ୍ଡ କାରଖାନା ଚାଲୁଛି, ଜଣେ ସଚ୍ଚୋଟ ସିପାହୀ ଭାବେ ଏକଥା ସେ ରାଜାଙ୍କୁ ନକହିଲେ ତାର

କର୍ତ୍ତବ୍ୟ ପାଳନରେ ଆଞ୍ଚ ଆସିବ ନାହିଁ? ତାର ରାଜ ଭକ୍ତି ଓ କର୍ତ୍ତବ୍ୟ ପାଳନରେ ଅବହେଳା ହେବ ନାହିଁ କି? ହେଲେ ଶେଷ ପର୍ଯ୍ୟନ୍ତ

ଉପମନ୍ୟୁ ନିର୍ଣ୍ଣୟରେ ପହଞ୍ଚି ପାରେ ନାହିଁ । ରାଣୀଙ୍କ ଗୁପ୍ତ ପ୍ରଣୟ ରାଜାଙ୍କୁ ଜଣାଇବା ଉଚିତ୍ କି ଅନୁଚିତ୍ ସେ ନିଷ୍ପତ୍ତି ନେବାଟା ଉପମନ୍ୟୁକୁ ତା

ଜୀବନର ସବୁଠାରୁ କଠିନ ନିଷ୍ପତ୍ତି ଭାବେ ଜଣାଯାଏ । ସେଇଥି ପାଇଁ ସେ ଛଟପଟ୍ ହୁଏ ଅହରହ । ଏପଟେ ରାଣୀଙ୍କ ଗୁପ୍ତ ପ୍ରଣୟ କମିବା

ପରିବର୍ତ୍ତେ ବଢ଼ି ବଢ଼ି ଚାଲେ । ସମ ତାଳରେ ଉପମନ୍ୟୁ ଭିତରେ ବି ବଢ଼ି ବଢ଼ି ଚାଲେ ଦ୍ୱନ୍ଦ୍ୱ, ସଂଘାତ ଓ ଅଶାନ୍ତି । ଉପମନ୍ୟୁ ଏକଥା କାହାକୁ

ପଚାରି ପାରେନା କି ନିଜେ କିଛି ନିଷ୍ପତ୍ତିରେ ପହଞ୍ଚି ପାରେନା ।

ବେଳେବେଳେ ଉପମନ୍ୟୁର ଦୟା ଆସେ ରାଜାଙ୍କ ଉପରେ । ବିଚରା ନିଜକୁ ସର୍ବ ଶକ୍ତିମାନ ଭାବୁଥିବା ମଣିଷଟା ବି କେତେ ସହଜରେ

ଧୋକା ଖାଇଯାଏ । ମନେମନେ ଖୁବ୍ ହସେ ଉପମନ୍ୟୁ । ମହାମହିମ ରାଜା ବୁଦ୍ଧାଦିତ୍ୟ... । ହେଃ.. ... ମହାମହିମ ନାଁ ଛେନା ଗୁଡ଼! ମନକୁ ମନ

କୁହେ ଉପମନ୍ୟୁ । ଶତ୍ରୁମାନଙ୍କ ଶତ୍ରୁତାକୁ ସିନା ଅନାୟାସରେ ପଦାନତ କରିଦେଉଛନ୍ତି ରାଜା ବୁଦ୍ଧାଦିତ୍ୟ, ହେଲେ ମିତ୍ର ତଥା ଆତ୍ମୀୟମାନଙ୍କର

ବିଶ୍ୱାସଘାତକୁ ପଦାନତ କରିବା ଏତେ ସହଜସାଧ୍ୟ ନୁହେଁ । ଏକଥା ଖୁବ୍ ପାଖରୁ ଅନୁଭବ କରୁଥିଲା ଉପମନ୍ୟୁ । ଯେତେବେଳେ ରାଜା

ବୁଦ୍ଧାଦିତ୍ୟ ରାଣୀହଂସପୁରକୁ ଆଗମନ କରନ୍ତି ଓ ତାଙ୍କ ପଛରୁ ତାଙ୍କର ରକ୍ଷୀମାନେ ଡାକ ଛାଡ଼ନ୍ତି- ମହାମହିମ ମହାରାଜା ବୁଦ୍ଧାଦିତ୍ୟ ଆସୁଛନ୍ତି

ହୁସିଆର..ହୁସିଆର... । ସେତେବେଳେ ବିଚରା ଉପମନ୍ୟୁ ବଡ଼ କଷ୍ଟରେ ହସକୁ ଚାପି ରଖିବାକୁ ଚେଷ୍ଟା କରେ । ରାଜାଙ୍କ ଆଖି ପଛପଟେ

ରାଣୀଙ୍କ ଗୁପ୍ତ ପ୍ରଣୟ ଯୋଗୁ ରାଜାଙ୍କ ସବୁ ପାରିବା ପଣିଆ ଉପମନ୍ୟୁକୁ ଶୁନ ଭଳି ଜଣାଯାଏ । ପୁଣି ଯେତେବେଳେ ରାଣୀ ପଦ୍ମିନୀ ରାଜା

ବୁଦ୍ଧାଦିତ୍ୟଙ୍କୁ ସୁଗନ୍ଧିତ ଅତର ସିଞ୍ଚନ କରି ନିଜ ଶୟନ କକ୍ଷକୁ ପାଛୋଟି ନିଅନ୍ତି, ସେତେବେଳେ ଉପମନ୍ୟୁକୁ ରାଣୀ ପଦ୍ମିନୀ ଠିକ୍ ଏକ ଡାହାଣୀ

ଭଳି ଲାଗନ୍ତି । କେତେ ମାୟା ରଚନା କରିପାରନ୍ତି ରାଣୀ ପଦ୍ମିନୀ! ଦୁନିଆର ସବୁ ନାରୀଙ୍କ ପ୍ରତି ଘୃଣା ଭାବ ସଞ୍ଚରି ଯାଏ କଟୁଆଳ ଉପମନ୍ୟୁ

ମନରେ । ହେଲେ ତା ମନରେ ଘୃଣା ଭାବ ସଞ୍ଚରିଗଲେ ବା ଭଲପାଇବା ସଞ୍ଚରିଗଲେ କାହାର କ’ଣ ଯାଉଛି! ଯାହାବି ହେବ ତାର ନିଜର ହିଁ

ହେବ । ମନ ଭିତରେ ଉଠୁଥିବା ସବୁ ଝଡ଼ ବାହାରେ କ୍ଷୟକ୍ଷତି କରିବା ପୂର୍ବରୁ ପ୍ରଥମେ ନିଜ ଭିତରେ ହିଁ କରିଥାଏ । ସେହି ଝଡ଼ ବା ଦ୍ୱନ୍ଦର

ଅହରହ ଶିକାର ହେଉଛି ଉପମନ୍ୟୁ । ରାଜାଙ୍କୁ ସବୁ ସତ୍ୟ ଘଟଣା ଜଣାଇ ଦେବା ପାଇଁ ବେଳେବେଳେ ଉହୁଁକି ଆସୁଥିବା ନିଜ ମନକୁ ବଡ଼

କଷ୍ଟରେ ଚାପି ରଖେ ସେ । ହେଲେ କର୍ତ୍ତବ୍ୟ ପାଳନ, ସତ୍ୟର ଅନୁସରଣ ଓ ନିଜ ବ୍ୟକ୍ତିଗତ ସୁରକ୍ଷା ଆଦିକୁ ନେଇ ଅନ୍ତଃକରଣରେ ଏକ

ଭୟଙ୍କର ସଂଘର୍ଷ ଭିତରେ ସବୁବେଳେ ସନ୍ତୁଳି ହେଉଥାଏ ଉପମନ୍ୟୁ ।

ସେଦିନ ରାଜ ଦରବାରରେ କୌଣସି ଏକ ବିଚାର ଚାଲୁଥିବା ବେଳେ, ବିଚରା ଅଭିଯୋଗକାରୀ ଜଣକ କହି ପକାଇଲା, ମହାରାଜ

ଆପଣ ତ ନ୍ୟାୟର ପୁଜାରୀ । ଆପଣ ତ ସକ୍ଷାତ ଭଗବାନ୍ । ଆପଣ ତ ସବୁ କିଛି ଦେଖୁଛନ୍ତି, ଦୟାକରି ମୋତେ ନ୍ୟାୟ ପ୍ରଦାନ କରି ମୋ ପ୍ରତି

ହେଉଥିବା ଅନ୍ୟାୟର ଅନ୍ତ କରନ୍ତୁ । ମୁହଁକୁ ପଛପଟକୁ କରି ଫେଁ କରି ହସି ପକାଇଲା ଉପମନ୍ୟୁ । ସବୁ ଦେଖୁଛନ୍ତି ନାଁ ଛତୁ! ଯଦି ସବୁ

ଦେଖୁଛନ୍ତି, ତାହେଲେ ମହାରାଣୀଙ୍କ ଗୋପନ ପୀରତିକୁ ଦେଖି ପାରୁନାହାନ୍ତି କିପରି? ଯାହା ଆଖି ପଛପଟେ ପ୍ରତିଦିନ ଅନ୍ୟାୟ ଚାଲୁଛି, ସେ

ଅନ୍ୟକୁ କ’ଣ ନ୍ୟାୟ ଦେଇ ପାରିବେ! ... ସଁ କରି ଏକ ଦୀର୍ଘ ଶ୍ୱାସ ବାହାରି ଗଲା ଉପମନ୍ୟୁର ହାଡ଼ୁଆ ଦେହରୁ । ରାଜାଙ୍କ ଅବସ୍ଥାକୁ ଭାବି

ବହୁତ ଦୁଃଖିତ ହେଲା ଉପମନ୍ୟୁ । ସେ ହିଁ ଏକମାତ୍ର ଲୋକ, ଯିଏ ଜାଣେ ରାଣୀଙ୍କ ଗୋପନ ପ୍ରଣୟ ବିଷୟରେ । ହେଲେ ପରିସ୍ଥିତି ଏପରି ଯେ,

ସେ କହି ପାରୁନି କି ସହି ପାରୁନି ।

ଅନ୍ୟ କୌଣସି କଥା ହୋଇଥିଲେ ସେ ତାଙ୍କ ଗାଁ ପୁରୋହିତ ଠାରୁ ଉପଦେଶ ମାଗିଥାନ୍ତା । ଯେକୌଣସି ସମସ୍ୟା ପଡ଼ିଲେ ତାଙ୍କ ସହିତ

ପରାମର୍ଶ କରେ ଉପମନ୍ୟୁ । ହେଲେ ଏ ଯେଉଁ ସମସ୍ୟାରେ ସେ ପଡ଼ିଛି, ସେଥିରେ ଚୁପ୍ ରହିଲେ, ରହି ହେଉନି କିମ୍ବା ସତ କହିବାକୁ ବାହାରିଲେ

ବି କହି ହେଉନି । କଟୁଆଳ ଉପମନ୍ୟୁ ପାଇଁ ଏହା ହିଁ ଥିଲା ବର୍ତ୍ତମାନର ସବୁଠାରୁ ବଡ଼ ସମସ୍ୟା । ଯେତେ ଚେଷ୍ଟା କଲେ ମଧ୍ୟ ସେହି କୁତ୍ସିତ

ଘଟଣାକୁ ମନ ଭିତରୁ ଦୂରକୁ ଠେଲି ପାରୁନଥିଲା ଉପମନ୍ୟୁ । କାରଣ ପ୍ରାୟତଃ ପ୍ରତ୍ୟେକ ଦିନ ମହାରାଣୀ ଡକାଇ ପଠାଉଥିଲେ ସେହି ଯୁବକକୁ

ଓ ନେଇ ଯାଉଥିଲେ ତାକୁ ତାଙ୍କ ଶୟନ କକ୍ଷକୁ । ଦୁଇ ଚାରି ଘଣ୍ଟା ପରେ ରତି କ୍ଳାନ୍ତ ଥକ୍କା ଚେହେରା ନେଇ ଫେରୁଥିଲା ସେହି ଯୁବକ । ରାଜ

ଭକ୍ତ, ସଚ୍ଚା ସେବକ କଟୁଆଳ ଉପମନ୍ୟୁ ପାଇଁ ଏ ଦୃଶ୍ୟ ଥିଲା ସହିବା ସୀମାର ବାହାରେ । କିନ୍ତୁ ସେ ଥିଲା ଅସହାୟ । ଏକ ଭୟଙ୍କର ଧୂମାଳ

ଆଗରେ ଛୋଟ ଦୀପ ଶିଖାଟିଏ ଭଳି ।

ପାଞ୍ଚ ବର୍ଷ ତଳେ ରାଜା ବୁଦ୍ଧାଦିତ୍ୟ ପିତା ଜ୍ଞାନେଦ୍ର ପ୍ରତାପଙ୍କ ଶତ ବାରଣ ସତ୍ତ୍ୱେ ଶତ୍ରୁ ଦେଶର ରାଜାଙ୍କ କବଳରୁ ରାଣୀ ପଦ୍ମିନୀଙ୍କ

ପିତା ସାରଙ୍ଗଧରଙ୍କୁ ମୁକ୍ତ କରି ପଦ୍ମିନୀଙ୍କୁ ପ୍ରେମ ବିବାହ କରିଥିଲେ । ସେତେବେଳେ ଏହି ବିବାହରେ ଆଦୌ ସମ୍ମତି ଦେଇନଥିଲେ ବୁଦ୍ଧାଦିତ୍ୟଙ୍କ

ପିତା । କାରଣ ପଦ୍ମିନୀଙ୍କ ପିତାଙ୍କ ରାଜ୍ୟ ବୋଲି କିଛି ନଥିଲା । ଚେନାଏ ମାତ୍ର ଭୂଖଣ୍ଡ । ସେଥିରୁ ପୁଣି ଅଧିକାଂଶ ବିଦ୍ରୋହୀଙ୍କ କବଳରେ ଥିଲା ।

ତେଣୁ ପିତା ଜ୍ଞାନେନ୍ଦ୍ର ପ୍ରତାପ ବୁଦ୍ଧାଦିତ୍ୟଙ୍କ ଭଳି ଜଣେ ବୀର, ଜ୍ଞାନୀ ତଥା ସୁପୁରୁଷ ପାଇଁ ଜଣେ ଅଧିକ ଯୋଗ୍ୟା ରାଜକନ୍ୟା ସନ୍ଧାନରେ ଥିଲେ ।

କିନ୍ତୁ ରାଣୀ ପଦ୍ମିନୀଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ ବୁଦ୍ଧାଦିତ୍ୟ । ଯେଉଁ ବୁଦ୍ଧାଦିତ୍ୟ ପିତାଙ୍କ ସାମ୍ନାରେ ମଥା ଟେକି ଠିଆ ହୋଇ କେବେ

ନିଜ ଇଛା ଜାହିର୍ କରିନଥିଲେ, ସେଦିନ ନିଜ ପିତାଙ୍କ ପାଦ ତଳେ ପଡ଼ି ପଦ୍ମିନୀଙ୍କୁ ତାଙ୍କ ପାଇଁ କନ୍ୟା ଭାବେ ଠିକ୍ କରିବାକୁ ଅନୁରୋଧ

କରିଥିଲେ । ପୁତ୍ରର ଅନୁରୋଧକୁ ଏଡ଼ି ପାରିନଥିଲେ ଜ୍ଞାନେନ୍ଦ୍ର ପ୍ରତାପ । ଶେଷରେ ମାନିବାକୁ ବାଧ୍ୟ ହୋଇଥିଲେ ।

ରାଣୀ ପଦ୍ମିନୀଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲେ ବୁଦ୍ଧାଦିତ୍ୟ । ହେଲେ ସେହି ରାଣୀ ପଦ୍ମିନୀ ମହାରାଜଙ୍କ ଭଳି ଜଣେସୁପୁରୁଷକୁ ଛାଡ଼ି, ଆଉ ଜଣେ ପର ପୁରୁଷର ଶଯ୍ୟା ସଙ୍ଗିନୀ ହୋଇ ପାରିଲେ କିପରି? ରାଣୀଙ୍କ ପ୍ରତି ଘୃଣାରେ ମୁହଁ ବିକୃତ ହୋଇଯାଏ ଉପମନ୍ୟୁର । ହେଲେ ପର ମୂହୁର୍ତ୍ତରେ ପୁଣି ସେ ଭାବେ, ଆମେ ତ ଚାକର ଲୋକ, ମାଲିକମାନଙ୍କ କାମରେ କେବଳ ସମ୍ମତି ଜଣାଇବା ଆମର କାମ । ତାଙ୍କ ଭୁଲ ଠିକ୍ କୁ ମୂଲ୍ୟାଙ୍କନ କରିବାକୁ ଆମ ଠାରେ ବା ଜୋର୍ କେତେ? ଦୀର୍ଘ ଶ୍ୱାସକୁ ପବନ ସହିତ ମିଶାଏ ଓ ପୁଣି ଚୁପ୍ ହୋଇ ଯାଇ ଚିନ୍ତାରେ ଘାରି ହୁଏ ଉପମନ୍ୟୁ ।

ସମୟ ଗଡ଼ିଚାଲେ ଆପଣା ଛନ୍ଦରେ । ସାଗରରେ ଜୁଆର ଆସେ, ପୁଣି ଭଟ୍ଟା । ହେଲେ ରାଣୀଙ୍କ ଗୋପନ ପ୍ରଣୟରେ ଭଟ୍ଟା ପଡ଼େନି କି କଟୁଆଳ ଉପମନ୍ୟୁ ମନରେ ଅଶାନ୍ତି ଭାବନାର ଅନ୍ତ ହୁଏନି । ଦିନେ ହଠାତ୍ ଘଟିଲା ଏକ ଆକସ୍ମିକ ଘଟଣା । କଟୁଆଳ ଉପମନ୍ୟୁ ଆଖି ସାମ୍ନାରେ ପଡ଼ିଗଲେ ସହବାସରେ ଲିପ୍ତ ଥିବା ରାଣୀ ଓ ଉପରୋକ୍ତ ଯୁବକ । ସବୁଦିନ ପରି ସେଦିନ ନିଜ ଶୟନ କକ୍ଷ ପରିବର୍ତ୍ତେ ରାଣୀହଂସପୁରର ଅତିଥି ଭବନରେ ରାଣୀ ଓ ସେ ଯୁବକ ମଗ୍ନ ଥିଲେ ରତି କ୍ରୀଡ଼ାରେ । କୌଣସି ଏକ କାମରେ ଯାଇଥିବା ବେଳେ ଅକସ୍ମାତ ଆଖିରେ ପଡିଗଲା ଉପମନ୍ୟୁର । ସଂପୁର୍ଣ୍ଣ ବିବସ୍ତ୍ରା ରାଣୀ ଓ ସେ ପୁରୁଷ, ଚୋରା ପ୍ରୀତିର ନାୟକ । ଓଃ ସମଗ୍ର ଶରୀରରେ ନିଆଁ ଲାଗିଗଲା ଉପମନ୍ୟୁର । ମୁହଁ ବୁଲାଇ ଝଡ଼ ଭଳି ଫେରିଆସିଲା ସେ । ସତେ ଯେମିତି ରାଣୀ ପଦ୍ମିନୀ ନୁହଁନ୍ତି, ତା ନିଜ ସ୍ତ୍ରୀ ସେଠି ସହବାସରେ ଲିପ୍ତ ଥିଲା

ସେହି ପୁରୁଷ ସହିତ । ପ୍ରବଳ ରାଜଭକ୍ତି ସେହିପରି ଭାବନା ଆଣି ଦେଉଥିଲା ତା ମନରେ । ଆଉ ଏ ଅନ୍ୟାୟକୁ ଚୁପଚାପ୍ ବରଦାସ୍ତ କରିହେବ ନାହିଁ । ରାଜା ବିଶ୍ୱାସ କରନ୍ତୁ ବା ନକରନ୍ତୁ, ଏକଥା ନିଶ୍ଚୟ ରାଜାଙ୍କ କାନକୁ ନେବାକୁ ହେବ, ମନେମନେ ପ୍ରସ୍ତୁତ ହେଲା ଉପମନ୍ୟୁ । ହେଲେ ସଂପୂର୍ଣ୍ଣ ରାଜ ଦରବାରରେ ଏତେ ବଡ଼ କଥା କହିବ କିପରି? ରାଜାଙ୍କ ମୁଣ୍ଡ ତଳକୁ ହୋଇଯିବନି? ପୁଣି ଭାବିଲା, ମୋ ପରି ଏକ କଟୁଆଳକୁ ଏକାନ୍ତରେ ସାକ୍ଷାତ କରିବା ପାଇଁ ରାଜା ରାଜି ବା ହେବେ କାହିଁକି? ଏହିପରି ଭାବନାର ବୁଢ଼ିଆଣୀ ସୁତା ଖୋଲୁ ଖୋଲୁ, ଜଣେ ସଖୀ ଖବର ଆଣି ଆସିଲା ରାଣୀହଂସପୁରରୁ ।

-ରାଣୀ ପଦ୍ମିନୀ ଜରୁରୀ ଭାବେ ଡକାଇ ପଠାଇଛନ୍ତି, ଶୀଘ୍ର ଆସନ୍ତୁ କଟୁଆଳ ଉପମନ୍ୟୁ । ଧଡ଼ପଡ଼୍ ହୋଇ ଉଠିଲା, ଉପମନ୍ୟୁ । କ’ଣ ପାଇଁ ଡକାଇଛନ୍ତି ରାଣୀ ପଦ୍ମିନୀ? ଗଲା ତ, ଆଜି ଚାକିରି ଟା ଗଲା! ମୁଁ ଯେ ଚାଣ୍ଡାଳ କାହିଁକି ସେ ଅତିଥି ଭବନ ଆଡ଼େ ଗଲି, ସେ ଦୁରୁଶ ଦେଖିଲି! ନିଜ ଭାଗ୍ୟକୁ ନିନ୍ଦି ରାଣୀହଂସପୁରକୁ ଚାଲିଲା ଉପମନ୍ୟୁ । ଦୀର୍ଘ ଏକ ଘଣ୍ଟା ଅପେକ୍ଷା ପରେ ବି ରାଣୀଙ୍କର ଦେଖା ନାହିଁ କି ଖବର ନାହିଁ । ଆଉ ଅଧିକ ସମୟ ଅପେକ୍ଷା ନକରି ଫେରି ଆସିଲା ଉପମନ୍ୟୁ ।

ପରଦିନ ସାରା ରାଜ ଉଆସରେ ହାଲ୍ଲା ହୋଇଗଲା, ରାଣୀହଂସପୁରରୁ ରାଣୀଙ୍କର ପ୍ରିୟ ସୁନା କଙ୍କଣ ଚୋରି ହୋଇ ଯାଇଛି ଓ ରାଣୀ ସନ୍ଦେହ କରୁଛନ୍ତି କଟୁଆଳ ଉପମନ୍ୟୁ ହିଁ ଏପରି କାମ କରିଛି । ଉପମନ୍ୟୁ ମୁଣ୍ଡରେ ବଜ୍ର ଛିଣ୍ଡିଲା । ସେ ମନେମନେ ରାଣୀ ପଦ୍ମିନୀଙ୍କର ଚଉଦ ପୁରୁଷ ଉଦ୍ଧାର କଲା । ସେ ସାଂଘାତିକ ମାଇକିନାକୁ ପାନେ ଦେବ ଏବଂ ରାଜାଙ୍କୁ ସବୁ ସତକଥା କହିଦେବ ବୋଲି ମନେମେନ ପ୍ରସ୍ତୁତ ହେଲା ଉପମନ୍ୟୁ । ଦୀର୍ଘ ଆଠ ମାସ କାଳ ଯେଉଁ ଦ୍ୱନ୍ଦ୍ୱ ଓ ଅଶାନ୍ତି ତା ମନ ଭିତରେ ବିରାଜମାନ କରୁଥିଲା, ଆଜି ସେ ତାହାର ସମାଧାନ ପାଇଯାଇଛି ।

ସେ ରାଜାଙ୍କୁ ସବୁ ସତକଥା କହିଦେବ । ରାଣୀଙ୍କ ଗୋପନ ପ୍ରୀତି କଥା ସେ ରାଜାଙ୍କୁ କହି ତା ନିଜ କଟୁଆଳର କର୍ତ୍ତବ୍ୟ ଓ ସତ୍ୟର ପାଳନ କରିବ । ଆସନ୍ତାକାଲି ରାଜଦରବାରରେ ବିଚାର ସମୟରେ ନିଜ କଥାକୁ ଠିକ୍ ଭାବେ କହିବା ପାଇଁ ଧିରେ ଧିରେ ଶକ୍ତ ହେବାକୁ ଚେଷ୍ଟା କଲା ଉପମନ୍ୟୁ । ଅନେକ ଦିନ ଧରି ତା ଭିତରେ ଘୁରି ବୁଲୁଥିବା ଧର୍ମସଙ୍କଟର ସମାଧାନ ପାଇଯାଇଛି ବୋଲି ଏତେ ବିପଦ ଭିତରେ ବି ଟିକିଏ ହାଲୁକା ଅନୁଭବ ହେଉଥିଲା ଉପମନ୍ୟୁକୁ । ସେ ମନେମନେ ପ୍ରସ୍ତୁତ ହେଲା ରାଜାଙ୍କୁ ସବୁ ସତକଥା କହିଦେବା ପାଇଁ । ରାଜ ଦରବାର ବସିଲା । ଖୋଦ୍ ରାଜା ବୁଦ୍ଧାଦିତ୍ୟ ବିରାଜମାନ ବିଚାରପତି ଆସନରେ । ତାଙ୍କୁ ଘେରିକରି ବସିଥାନ୍ତି ଆହୁରି କେତେ ପାତ୍ର ମନ୍ତ୍ରୀଗଣ । ଅଭିଯୋଗକାରିଣୀ ତାଙ୍କର ପ୍ରିୟ ରାଣୀ ପଦ୍ମିନୀ । ପ୍ରଥମେ ରାଣୀ ଅଭିଯୋଗ କଲେ, କଟୁଆଳ ଉପମନ୍ୟୁ ଗତ କାଲି ସେ ନଥିବା ବେଳେ ରାଣୀହଂସପୁରକୁ ଯାଇଥିଲା ଓ ତାଙ୍କ ପ୍ରିୟ କଙ୍କଣକୁ ଚୋରି କରିଛି । ତେଣୁ ତାକୁ ମୃତ୍ୟୁ ଦଣ୍ଡ ଦିଆଯାଉ । ମୁଣ୍ଡ ଗରମ ହୋଇଗଲା ଉପମନ୍ୟୁର । ଆଖି ଆଗରେ ତାର ଭରପୁର୍ ରାଜ ଦରବାର । ରାଜାଙ୍କ ଆଦେଶ ନହେବା ଯାଏ ସେ ପାଟି ଖୋଲି ପାରିବ ନାହିଁ । ଅପେକ୍ଷା କଲା ସେ ରାଜାଙ୍କ ଆଦେଶକୁ ।

ରାଜା ପଚାରିଲେ- କଟୁଆଳ ଉପମନ୍ୟୁ, ଗତକାଲି ତୁମେ ରାଣୀହଂସପୁରକୁ ଯାଇଥିଲ? ମଥାନତ କରି ‘ହଁ’ କହିଲା ଉପମନ୍ୟୁ ।

ସମସ୍ତେ ସନ୍ଦେହ ଦୃଷ୍ଟିରେ ଚାହିଁଲେ ଉପମନ୍ୟୁକୁ । ରାଣୀଙ୍କ ମୁହଁରେ ସ୍ମିତ ହସ ।

-କିନ୍ତୁ କାହିଁକି? ରାଜାଙ୍କ ପୁନର୍ବାର ପ୍ରଶ୍ନ ।

ସେମିତି ମଥାନତ କରି ଠିଆ ହୋଇଥିଲା ଉପମନ୍ୟୁ । ଏତେ ବଡ଼ ରାଜ ସଭାରେ ତା ପାଟି ଖନି ମାରିଯିବାଟା ସ୍ୱଭାବିକ ଥିଲା । ସେ ସମସ୍ତ ବଳ ପ୍ରୟୋଗ କରି ପାଟି ଖୋଲିବାକୁ ଚେଷ୍ଟା କରି ବି ଖୋଲି ପାରୁନଥିଲା । ତାର ସବୁ ବଳ ଯେପରି ହରଣ ହୋଇ ଯାଇଥିବା ପରି ଲାଗୁଥିଲା । ପୁଣି ସେହି ଦ୍ୱନ୍ଦ ଓ ଧର୍ମସଂକଟ ତାକୁ ବାଟ ଓଗାଳୁଥିଲା । ସତ କହିବ କି ଚୁପ୍ ରହି ତାର ପ୍ରିୟ ରାଜାଙ୍କୁ ଲୋକ ଲଜ୍ଜ୍ୟାରୁ ମୁକ୍ତ କରିବ, ସେ ଭାବି ପାରୁନଥିଲା । ରାଣୀ ଚିତ୍କାର କରି ଉଠିଲେ, କଟୁଆଳ ଉପମନ୍ୟୁର ନୀରବତାରୁ କ’ଣ ମହାରାଜ କିଛି ବୁଝି ପାରୁନାହାନ୍ତି! ସେ ଚୋରି କରିବାକୁ ହିଁ ରାଣୀହଂସପୁରକୁ ପ୍ରବେଶ କରିଥିଲା । ତେଣୁ ଆଉ ସମୟ ନଷ୍ଟ ନକରି ଏଭଳି ଏକ ଚୋରକୁ ତୁରନ୍ତ ମୃତ୍ୟୁ ଦଣ୍ଡର ଆଦେଶ ଶୁଣାଯାଉ ।

ସାମାନ୍ୟ ବିରକ୍ତିର ସହ ରାଜା ବୁଦ୍ଧାଦିତ୍ୟ କହିଲେ, ଯଦି କଟୁଆଳ ଉପମନ୍ୟୁ ଚୋରି କରିଛି, ତାହେଲେ ତାକୁ ଦଣ୍ଡ ଅବଶ୍ୟ ମିଳିବ । କିନ୍ତୁ ଏହି ସାମାନ୍ୟ ଚୋରି ପାଇଁ ମୃତ୍ୟୁ ଦଣ୍ଡ କାହିଁକି? କଟୁଆଳ ଉପମନ୍ୟୁକୁ ଦଶ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇପାରେ । କିନ୍ତୁ ରାଣୀ ଜିଦ୍ ଧରିଲେ- ନାଁ ତାକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଉ । ଏଭଳି ଏକ ଜଘନ୍ୟ ଚୋରକୁ ମୃତ୍ୟୁ ଦଣ୍ଡ ହିଁ ଏକମାତ୍ର ଶାସ୍ତି ।

ଧୈର୍ଯ୍ୟର ବନ୍ଧ ଭାଙ୍ଗିଗଲା ଉପମନ୍ୟୁର । ଆଉ ଚୁପ୍ ହୋଇ ରହି ପାରିଲାନି ସେ । ଛିଣ୍ଡାଇ ଦେଲା ସେ ସବୁ ଧର୍ମସଂକଟର ବେଡ଼ିକୁ । ମୁଣ୍ଡଉପରକୁ ଟେକି କହିଲା, ଏ ଅଧମର ଦୋଷକୁ ମାର୍ଜ୍ଜନା କରିବେ ମହାରାଜ । ଅସଲ କଥା ହେଉଛି, ରାଣୀ ପଦ୍ମିନୀ ପ୍ରତ୍ୟେକ ରାତ୍ରୀରେ ଆପଣଙ୍କ ଅଗୋଚରରେ ମିଳିତ ହେଉଛନ୍ତି ଜଣେ ପର ପୁରୁଷ ସହ । ଦୀର୍ଘ ଆଠମାସ ହେବ ଏହି ଘଟଣାକୁ ଛାତି ତଳେ ଚାପି ରଖିଛି ମୁଁ । ଆପଣଙ୍କୁ କହିବା ପାଇଁ ଅନେକ ଚେଷ୍ଟା କରି ବି ନିର୍ଣ୍ଣୟରେ ପହଞ୍ଚି ପାରୁନଥିଲି । କିନ୍ତୁ ଗତକାଲି ମୋ ସ୍ୱଚକ୍ଷୁରେ ଦେଖିଲି ରାଣୀ ଓ ସେହି ପୁରୁଷକୁ ଅସଞ୍ଜତ ଅବସ୍ଥାରେ । ତେଣୁ ରାଣୀ ନିଜକୁ ବଞ୍ଚାଇବାକୁ ମୋ ନାମରେ ମିଥ୍ୟା ଅଭିଯୋଗ କରୁଛନ୍ତି ମହାରାଜ । ମୁଁ ଆପଣଙ୍କ ସେବକ । ମୁଁ କେବେ ବି ରାଣୀଙ୍କ କଙ୍କଣ ଚୋରି କରିନାହିଁ କି କରିପାରିବି ବି ନାହିଁ । ଏଥର ବିଚାର ଆପଣଙ୍କ ହାତରେ ମହାରାଜ ।

ସ୍ତବ୍ଧ ହୋଇଗଲା ସମଗ୍ର ରାଜସଭା । ମୁଣ୍ଡ ତଳକୁ ପୋତି ଦେଲେ ରାଣୀ ପଦ୍ମିନୀ । ଉପସ୍ଥିତ ପାତ୍ର ମନ୍ତ୍ରୀଗଣ ପରସ୍ପରଙ୍କ ମଧ୍ୟରେ ଫୁସୁରୁଫାସୁରୁ ହେବାକୁ ଲାଗିଲେ । ନୀରବତା ଭଙ୍ଗକରି ଗମ୍ଭୀର କଣ୍ଠରେ ରାୟ ଶୁଣାଇଲେ ରାଜା ବୁଦ୍ଧାଦିତ୍ୟ । କଟୁଆଳ ଉପମନ୍ୟୁ ମିଛ କହୁଛି ଓ ସେ ହିଁ ରାଣୀଙ୍କ ସୁନା କଙ୍କଣ ଚୋରି କରିଛି । ତେଣୁ କଟୁଆଳ ଉପମନ୍ୟୁକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଗଲା । ଭୋ କରି କାନ୍ଦି ଉଠିଲା ଉପମନ୍ୟୁ ।

ମହାରାଜ.. ମହାରାଜ... ଅନୂନୟ ବିନୟ ହେଲା ସେ । ହେଲେ ସେତେ ବେଳକୁ ରାଜ ସଭା ଭାଙ୍ଗି ସାରିଥିଲା । ଦୁମଦାମ୍ ପାଦ କଚାଡ଼ି ରାଣୀ ପଦ୍ମିନୀ ପ୍ରସ୍ଥାନ କଲେ । ଧାର୍ ଧାର୍ ଲୁହ ବୋହି ଚାଲୁଥିଲା ଉପମନ୍ୟୁର ଆଖିରୁ ।

ଫାଶୀ ଖୁଣ୍ଟ ପ୍ରସ୍ତୁତି ଚାଲିଥିଲା ଉପମନ୍ୟୁର । ଚୁପଚାପ୍ ଓ ଗମ୍ଭୀର ହୋଇ ଯାଇଥିଲା ଉପମନ୍ୟୁ । ଆଉ ମାତ୍ର କେତେ ସମୟ ପରେ ତାର ମୃତ୍ୟୁ କ୍ଷଣ ହେବ ଉପନୀତ । କିନ୍ତୁ ଅନେକ ଦିନର ଧର୍ମସଙ୍କଟରୁ ମୁକ୍ତି ପାଇଯାଇଥିଲା ସେ ।

ଫାଶୀଖୁଣ୍ଟକୁ ଯିବା ପୂର୍ବରୁ ଉପମନ୍ୟୁ ପାଖକୁ ଆସି ମହାରାଜ ଧୀର ଗଳାରେ କହିଲେ, ମୁଁ ଜାଣେ ଉପମନ୍ୟୁ, ତୁମେ ଯାହା କହିଲ ସତ କହିଲ । ରାଣୀ ପଦ୍ମିନୀ ମିଛ କହୁଛନ୍ତି । କିନ୍ତୁ ଏହା ବ୍ୟତୀତ ମୋ ପାଖରେ କୌଣସି ଉପାୟ ନଥିଲା । ମୁଁ ବି ଏକ ଧର୍ମସଙ୍କଟରେ ପଡିଛି । ତୁମ କଥାକୁ ବିଶ୍ୱାସ କରି ଯଦି ମୁଁ ତୁମ ସପକ୍ଷରେ ରାୟ ଶୁଣାଇଥାନ୍ତି, ତାହେଲେ ପ୍ରଜା ଓ ପାରିଷଦବର୍ଗମାନଙ୍କ ପାଖରେ ମୁଁ ଏକ ନିର୍ଲ୍ଲଜ ପୁରୁଷ ତଥା ଏକ ଅସହାୟ ରାଜାର କଳଙ୍କ ବହନ କରିଥାନ୍ତି । ସବୁ ଜାଣି ବି ମୁଁ ନାଚାର । କାରଣ କୌଣସି ରାଜାର ରାଣୀ ଯଦି କୌଣସି ପର ପୁରୁଷ ସହ ଗୋପନ ପ୍ରଣୟରେ ଲିପ୍ତ ଥାଏ, ଏବଂ ଏହା ପ୍ରଜାମାନେ ଜାଣି ଯାଆନ୍ତି, ତାହେଲେ ଏହା ସବୁଠୁ ଲଜ୍ଜ୍ୟାର ବିଷୟ ରାଜା ପାଇଁ । ଏହା ତାର ରାଜପଦ ପ୍ରତି ଏକ ଭୀଷଣ ଅପମାନ । ଏଥିରେ ନାଁ ରାଜାର ମଙ୍ଗଳ ନାଁ ରାଜ୍ୟର ମଙ୍ଗଳ । ତେଣୁ ଏହି ଘଟଣା ଯେତେ ଗୁପ୍ତ ରହିବ ସେତେ ଭଲ ।

ତୁମେ ଏହି ଘଟଣାକୁ ଲୋକ ଲୋଚନକୁ ଆଣି ତୁମ ଜୀବନର ସବୁଠାରୁ ବଡ଼ ଭୁଲ କରିଦେଲ । ଚୋରିର ଆରୋପ ସ୍ୱୀକାର କରିନେଇଥିଲେ, ଅତି ବେଶୀରେ ତୁମକୁ ଦଶ ବର୍ଷ କାରାଦଣ୍ଡ ହୋଇଥାନ୍ତା । କିନ୍ତୁ ତୁମେ ଯାହା କଲ, ସେଥିପାଇଁ ତୁମକୁ ମୃତ୍ୟୁ ବରଣ କରିବାକୁ ହିଁ ହେବ । କାରଣ ତୁମର ମୃତ୍ୟୁ ଉପରେ ହିଁ ନିର୍ଭର କରୁଛି, ଗୋଟିଏ ରାଜାର ଇଜ୍ଜତ ଓ ସମଗ୍ର ପ୍ରଜାମାନଙ୍କର ରାଜାଙ୍କ ପ୍ରତି ଥିବା ରାଜଭକ୍ତିର ସ୍ଥାୟିତ୍ୱ । ଅବଶ୍ୟ ତୁମ ମୃତ୍ୟୁର ପ୍ରତିଶୋଧ ମୁଁ ନିଶ୍ଚୟ ନେବି ଓ ଦୁଶ୍ଚରିତ୍ରା ରାଣୀକୁ ନିଶ୍ଚୟ ଶାସ୍ତି ଦେବି । କିନ୍ତୁ ଅପେକ୍ଷା କରିବି ପୁଣି ଏକ ସୁଯୋଗକୁ ।ଯେତେବେଳେ ପ୍ରଜାଙ୍କ ଠାରୁ ପାରିଷଦବର୍ଗଙ୍କ ଯାଏ କେହି ବି ସନ୍ଦେହ କରିବେ ନାହିଁ, ରାଣୀଙ୍କ ଏ ଅକାଳ ମୃତ୍ୟୁ ପାଇଁ ରାଜା ବୁଦ୍ଧାଦିତ୍ୟ ଦାୟୀ ।

ସେହି ସମୟକୁ ଅପେକ୍ଷା କରି ରାଣୀଙ୍କୁ ମୃତ୍ୟୁ ଶଯ୍ୟାରେ ନଶୁଆଇବା ଯାଏ ମୁଁ ଶାନ୍ତିରେ ନିଶ୍ୱାସ ନେଇପାରିବି ନାହିଁ ଉପମନ୍ୟୁ । ଧୀର ପଦ ପାତରେ ବିଦାୟ ନେଲେ ରାଜା ବୁଦ୍ଧାଦିତ୍ୟ ।ସ୍ତବ୍ଧ ହୋଇଯାଇଥିଲା ଉପମନ୍ୟୁ । କିଛି କ୍ଷଣ ପାଇଁ ଭୁଲି ଯାଇଥିଲା ସେ ନିଜର ଆସନ୍ନ ମୃତ୍ୟୁର ଭୟାବହତାକୁ ।

ଭିରଙ୍ଗ, ତୀରଣ, ଜଗତ୍ସିଂହପୁର-୭୫୪୧୩୮

ମୋ-୯୪୩୮୪୬୮୪୭୪


Rate this content
Originality
Flow
Language
Cover Design