Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanan Bala Nayak

Tragedy

5.0  

Kanan Bala Nayak

Tragedy

ଅକୁହା କଥା

ଅକୁହା କଥା

6 mins
540


ଡକ୍ଟରଙ୍କ ପରାମର୍ଶ ଅନୁସାରେ ଦୀର୍ଘ ପନ୍ଦର ବର୍ଷ ପରେ ଗାଁ କୁ ଫେରିଛନ୍ତି ଅଜୟ। ଗାଁରେ କିନ୍ତୁ ବିଶେଷ କିଛି ପରିବର୍ତ୍ତନ ହୋଇ ନାହିଁ। ଯାହା ଯେମିତି ଥିଲା ପ୍ରାୟ ସେମିତି ଅଛି। ତାଙ୍କ ପ୍ରିୟ ଗୋଲାପ ଗଛଟି ମଧ୍ୟ ସେମିତି ଛିଡା ହୋଇଛି। ଯତ୍ନ ଅଭାବରୁ ଖାଲି ଟିକେ ଝାଉଁଳି ପଡିଛି ଯାହା। ସେଇ ଝାଉଁଳା ଗଛରେ ସୁନ୍ଦର ଫୁଲ ଟେ ମଧ୍ୟ ଫୁଟିଛି। ଆଉ ସତେ ଯେମିତି ଫୁଲଟି ହସି ହସି ତାଙ୍କୁ କହୁଛି, ତୁ ଯଦି ଠିକ୍ ସମୟରେ ସାହସ କରି ଥାଆନ୍ତୁ, ତେବେ ଆଜି ମୁଁ ମଧ୍ଯ ଅନ୍ୟ ଫୁଲ ମାନଙ୍କ ଭଳି ଅଲିଭାଙ୍କ କେଶରେ ଶୋଭା ପାଇ ଥାଆନ୍ତି। ହରିପୁର ହାଇସ୍କୁଲର ହେଡ୍ ମାଷ୍ଟର ପ୍ରତାପ ଦାସଙ୍କର ଏକ ମାତ୍ର ପୁତ୍ର ହେଉଛନ୍ତି ଅଜୟ। ନବମ ଶ୍ରେଣୀରେ ପାଠ ପଢନ୍ତି। ଶିକ୍ଷକ ଘରର ପିଲା ବୋଲି ଭାରି ଶାନ୍ତ ଶିଷ୍ଟ ଓ ଶୃଙ୍ଖଳିତ। ଗୁରୁଜନ ମାନଙ୍କୁ ଭାରୀ ଭକ୍ତି କରନ୍ତି। ଭଲ ପାଠ ମଧ୍ୟ ପଢନ୍ତି । ତେଣୁ ଘରେ ବାହାରେ ସବୁଠି ତାଙ୍କର ଭାରି ଆଦର। ଅଜୟ ଭାରୀ ପ୍ରକୃତି ପ୍ରେମୀ। ପ୍ରତ୍ଯେକ ଦିନ ସ୍କୁଲରୁ ଫେରିବା ପରେ, ତାଙ୍କ ବୟସର ପିଲା ମାନେ ଯେତେବେଳେ ଖେଳ କୁଦରେ ମାତନ୍ତି, ଅଜୟ ସେତେବେଳେ ତାଙ୍କ ବଗିଚାରେ ଲଗାଇ ଥିବା ବିଭିନ୍ନ ଗଛ ଗୁଡିକର ଯତ୍ନ ନେବାରେ ଲାଗି ଯାଆନ୍ତି। ତାଙ୍କ ବଗିଚାରେ ଥିବା ନାଲୀ ଗୋଲାପ ଗଛଟି ତାଙ୍କର ଭାରି ପ୍ରିୟ। ତାଙ୍କ ପ୍ରିୟ ଗୋଲାପ ଗଛରେ ଯେଉଁ ଦିନ ପ୍ରଥମ ଫୁଲଟିଏ ଆସିଲା, ଅଜୟ ଫୁଲ ଟିକୁ ନେଇ ଦୌଡି ଦୌଡ଼ି ଯାଇ ଅଲିଭାଙ୍କ ହାତକୁ ବଢାଇ ଦେଇ କହିଥିଲେ, ଫୁଲଟି ତୁମ କେଶକୁ ଭାରି ଭଲ ମାନିବ। ତାକୁ ମୁଣ୍ଡରେ ମାରି ସ୍କୁଲକୁ ଆସିବ। ଅଲିଭା, ଅଜୟଙ୍କର ଜଣେ ଦୂର ସମ୍ପର୍କୀୟ ମଉସୀଙ୍କର ଝିଆରୀ। ଚତୁର୍ଥ ଶ୍ରେଣୀରେ ପଢନ୍ତି। ତା ପର ଠାରୁ ଅଜୟଙ୍କ ଗୋଲାପ ଗଛରେ ଯେବେ ବି ଫୁଲଟେ ଆସେ, ସେ ତାକୁ ଅଲିଭାଙ୍କ ହାତକୁ ବଢାଇ ଦିଅନ୍ତି। ଅଲିଭା ମଧ୍ୟ ହସି ହସି ତାକୁ ମୁଣ୍ଡରେ ମାରି ସ୍କୁଲକୁ ବାହାରି ଯାଆନ୍ତି। ସମୟର ଗତି ସହିତ ସବୁ କିଛି ପରିବର୍ତ୍ତନ ହେଲା। ଉଭୟ ମଧ୍ୟ ବଡ଼ ହେଲେ। ଅଜୟ କଲେଜ ଗଲେ, ଆଉ ଅଲିଭା ହାଇସ୍କୁଲ। କିନ୍ତୁ ଅଜୟଙ୍କର ଗୋଟିଏ ଅଭ୍ଯାସ ସେମିତି ଥାଏ। ଏବେ ବି ତାଙ୍କ ବଗିଚାର ପ୍ରଥମ ନାଲୀ ଗୋଲାପ ଫୁଲଟିକୁ ସେ ଅଲିଭା କୁ ଦିଅନ୍ତି। ଆଉ ଅଲିଭା ତାକୁ ମୁଣ୍ଡରେ ମାରି ସ୍କୁଲ ଯାଆନ୍ତି। ତେଣୁ ତାଙ୍କ ସାଙ୍ଗ ମାନେ ତାଙ୍କୁ ଚିଡାଇ କହନ୍ତି, ଅଜୟ ବୋଧେ ଚତୁର୍ଥ ଶ୍ରେଣୀରୁ ତୋ ପ୍ରେମରେ ପଡି ଯାଇଛି। ନ ହେଲେ ତା ବଗିଚାର ପ୍ରଥମ ଫୁଲଟି ଚତୁର୍ଥ ଶ୍ରେଣୀରୁ ଆଜି ପର୍ଯ୍ୟନ୍ତ ତୋତେ କାହିଁକି ଦିଅନ୍ତା?ଅଲିଭା ତାଙ୍କ କଥା ଶୁଣି ହସି ଦେଇ କହନ୍ତି, କାହିଁ ମୁଁ ତ ସେମିତି କିଛି ଅନୁଭବ କରି ନାହିଁ। ଅଜୟ କିନ୍ତୁ ସତରେ ଏ ଫୁଲ ଦେବା ଭିତରେ କେତେ ବେଳେ ଅଲିଭା କୁ ନେଇ ସ୍ବପ୍ନ ଦେଖିବା ଆରମ୍ଭ କରି ଦେଇଥିଲେ, ସେ କଥା ଅଲିଭା ଜାଣି ପାରି ନ ଥିଲେ। ଅଜୟ ମନେ ମନେ ସ୍ଥିର କରିଥିଲେ, ପ୍ରଥମେ ସେ ନିଜକୁ ଅଲିଭାଙ୍କ ଯୋଗ୍ଯ କରିବେ। ତା ପରେ ମାଉସୀଙ୍କୁ କହି ତାଙ୍କ ଘରକୁ ପ୍ରସ୍ତାବ ନେଇ ଯିବେ। ସେଥିପାଇଁ ସେ ଉଚ୍ଚ ଶିକ୍ଷା ପାଇଁ ଦିଲ୍ଲୀ ଚାଲିଗଲେ। ପାଠ ପଢା ସାରି ଭଲ ଚାକିରିଟିଏ ମଧ୍ୟ କଲେ। ତା ପରେ କିଛି ଦିନ ପରେ ଗାଁ କୁ ଫେରି ନିଜର ମନ କଥା ଯେତେବେଳେ ତାଙ୍କ ମାଉସୀଙ୍କୁ କହିଲେ, ମାଉସୀ କହିଲେ ଆରେ ପାଗଳା, ତୁ ତ ମନର କଥା ପ୍ରକାଶ କରିବାରେ ଟିକିଏ ବିଳମ୍ବ କରିଦେଲୁ। ଅଲିଭାର ବିବାହ ଜଣେ ହାଇସ୍କୁଲ ଶିକ୍ଷକଙ୍କ ସହ ସ୍ଥିର ହୋଇ ଯାଇଛି। ମାଉସୀଙ୍କ ସେଇ କଥା ପଦରେ ଅଜୟଙ୍କ ସବୁ ସ୍ବପ୍ନ ନିମିଷକରେ ଭାଙ୍ଗି ଚୁରମାର ହୋଇ ଯାଇଥିଲା। ଅଲିଭାଙ୍କ ପ୍ରତି ଥିବା ନିଜର ସମସ୍ତ ଭାବନା କୁ ସେ ନିଜ ହୃଦୟ ଭିତରେ କବର ଦେଇ ଦେଇଥିଲେ। ଆଉ ତା ପର ଦିନ ଦିଲ୍ଲୀ ଫେରି ଯାଇଥିଲେ। ଅଲିଭା କିନ୍ତୁ ଏ ବିଷୟରେ ସୂରାଗ ଟିଏ ମଧ୍ୟ ପାଇ ନ ଥିଲେ। ଆଉ ବିଜୟଙ୍କ ସହିତ ନିଜ ସଂସାରକୁ ଆଗକୁ ଆଗେଇ ନେଇଥିଲେ। ଅଜୟ ମଧ୍ୟ ପରିବାରର ଚାପରେ ପଡି ଦିଲ୍ଲୀର ଜଣେ ପ୍ରଖ୍ୟାତ ବ୍ଯବସାୟୀଙ୍କର ଏକ ମାତ୍ର ଝିଅ ଅନନ୍ଯାକୁ ବିବାହ କଲେ। ଆଉ ଅଲିଭାଙ୍କୁ ଭୁଲି ବାକୁ ଚେଷ୍ଟା କଲେ। ଅନନ୍ଯା ବଡ଼ ଘରର ଝିଅ ଥିଲେ। ରାଜଧାନୀର ଅତ୍ଯାଧୁନିକ ସଂସ୍କୃତିରେ ଛୋଟ ରୁ ବଡ଼ ହୋଇଥିଲେ। ବିବାହ ପରେ ମଧ୍ୟ ସେ ନିଜର ଆଧୁନିକ ଜୀବନ ଶୈଳୀକୁ ତ୍ଯାଗ କରି ପାରିନଥିଲେ କି ଅଜୟଙ୍କର ମଧ୍ୟବିତ୍ତ ପରିବାରର ଚଳଣି ସହିତ ନିଜକୁ ଆଡଜଷ୍ଟ କରି ନଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ବାହାରେ ବୁଲିବା, ସବୁ ବେଳେ ବିଭିନ୍ନ ପାର୍ଟି, ଫଙ୍କସନ ଆଟେଣ୍ଡ କରିବାରେ ତାଙ୍କର ସମସ୍ତ ସମୟ ବିନିଯୋଗ ହେଉଥିଲା। ଘରର କୌଣସି କଥା ସେ କେବେ ବୁଝନ୍ତି ନାହିଁ। ଏପରି କି ଅଜୟଙ୍କ କଥା ମଧ୍ୟ କିଛି ବୁଝନ୍ତି ନାହିଁ। ଅଜୟ କଣ ଖାଇଲେ, ଅଫିସ ଗଲେ କି ନାହିଁ, କେତେ ବେଳେ ଫେରିଲେ କିଛି ବୁଝନ୍ତି ନାହିଁ। କହିଲେ କହନ୍ତି ଘରେ ଏତେ ଚାକର ଚାକରାଣୀ ଭର୍ତ୍ତି ହୋଇଛନ୍ତି ମୁଁ ପୁଣି କାମ କରିବି। ଆଉ ଅଜୟଙ୍କ ମନ କଥା ବୁଝିବା ତ ଦୂରର କଥା। ଅଜୟ ମଧ୍ୟ ନିଜ ମଧ୍ୟବିତ୍ତ ପରିବାରର ସଂସ୍କାର କୁ ଛାଡ଼ି ଆଧୁନିକ ଜୀବନ ଶୈଳୀକୁ ନିଜର କରି ପାରୁନଥିଲେ। ତେଣୁ ଛୋଟ ଛୋଟ କଥାକୁ ନେଇ ସବୁ ବେଳେ ଉଭୟଙ୍କ ମଧ୍ୟରେ ପାଟି ତୁଣ୍ଡ ଲାଗିରହୁଥିଲା। ବେଳେ ବେଳେ ଏଇ ଝଗଡ଼ା ଭୟଙ୍କର ରୂପ ମଧ୍ୟ ନେଉଥିଲା। ଏଣେ ଅଜୟଙ୍କ ବାପା ମାଆ ତାଙ୍କ ଭବିଷ୍ୟତ ପିଢୀକୁ ଦେଖିବା ପାଇଁ ବ୍ଯସ୍ତ ହେଉ ଥାଆନ୍ତି। ଅଜୟ ଯେବେ ବି ଏ ବିଷୟରେ ଅନନ୍ଯାକୁ କିଛି କହନ୍ତି ସେ କହନ୍ତି ମୁଁ ଏତେ ଶୀଘ୍ର ମାଆ ହେବା ପାଇଁ ଚାହେଁନି। ମୁଁ ମୋ ଜୀବନକୁ ଭରପୁର ଉପଭୋଗ କରିବାକୁ ଚାହେଁ। ମାଆ ହେଲେ ମୋର ସମସ୍ତ ସୌନ୍ଦର୍ଯ୍ୟ ନଷ୍ଟ ହୋଇଯିବ। ତୁମ ବାପା ମାଆଙ୍କର ଯଦି ଏତେ ଶୀଘ୍ର ନାତି କି ନାତୁଣୀ ଦେଖିବାର ଇଚ୍ଛା ଥିଲା, ସେ କୋଉ ଗାଉଁଲି ଝିଅ ସହିତ ତୁମ ବିବାହ କଲେନି କାହିଁକି?

ଅଜୟଙ୍କ ବାପା ମାଆ ନାତି କି ନାତୁଣୀ ଦେଖିବା ଆଶାରେ ଆଖି ବୁଜି ଦେଲେ ପଛେ, ଅନନ୍ଯା ମାଆ ହେବା ପାଇଁ ଇଚ୍ଛା କଲେନି । ଶାଶୁ ଶ୍ବଶୁର ଯିବା ପରେ ଅନନ୍ଯାକୁ ଆକଟ କରିବା କୁ ଆଉ କେହିରହିଲେ ନାହିଁ। ତେଣୁ ସେ ଦିନକୁ ଦିନ ଅଧିକ ଉଦ୍ଧତ ହେବାରେ ଲାଗିଲେ। ଆଗରୁ ନିଜେ ବାହାରକୁ ଯାଉଥିଲେ ଏବେ ଘରେ ପାର୍ଟି କରିବା ଆରମ୍ଭ କରି ଦେଲେ। ଆଉ ଅଜୟ ଯଦି ଏ ସବୁ କରିବା ପାଇଁ ତାଙ୍କୁ ବାରଣ କରନ୍ତି, ଅନନ୍ଯା ତାକୁ ଯୌତୁକ ନିର୍ଯାତନା ଅଭିଯୋଗରେ ଜେଲରେ ପୁରାଇ ଦେବାର ଧମକ ଦିଅନ୍ତି। ଅନନ୍ଯାଙ୍କ ସବୁ ଅତ୍ଯାଚାର ସେଇ ଦିନ ସୀମା ଅତିକ୍ରମ କରି ଗଲା, ଯେଉଁ ଦିନ ସେ ଅତ୍ଯଧିକ ମଦ୍ୟପାନ କରି ନିଜ ପୁରୁଷ ବନ୍ଧୁର କାନ୍ଧରେ ଭରାଦେଇ ଘରକୁ ଫେରିଲେ। ଏ ସବୁ ଅଜୟ ଆଉ ସହ୍ଯ କରି ପାରିଲେ ନାହିଁ। ଗୋଟିଏ ସଂସ୍କାରୀ ମଧ୍ୟବିତ୍ତ ପରିବାରର ପୁରୁଷ କେତେ ଦିନ ଆଉ ଏସବୁ ସହ୍ଯ କରି ଥାଆନ୍ତା? ଯାହାର ଫଳ ସ୍ବରୂପ ଉଭୟ ଉଭୟଙ୍କ ଠାରୁ ଅଲଗା ହୋଇ ଗଲେ। ଅନନ୍ଯାଙ୍କ ଠାରୁ ଅଲଗା ହେଲା ପରେ ଅଜୟ ମାନସିକ ସ୍ତରରେ ପୁରା ପୁରି ଭାଙ୍ଗି ପଡିଲେ। ତାଙ୍କର ଜଣେ ଡକ୍ଟର ବନ୍ଧୁ, ତାଙ୍କର ଏ ଅବସ୍ଥା ଦେଖି ତାଙ୍କୁ ସ୍ଥାନ ପରିବର୍ତ୍ତନ ପାଇଁ ପରାମର୍ଶ ଦେଲେ। ତେଣୁ ଦୀର୍ଘ ପନ୍ଦର ବର୍ଷ ପରେ ଗାଁ କୁ ଫେରିଛନ୍ତି ଅଜୟ। ଗାଁ କୁ ଫେରିବା ପରେ ତାଙ୍କର ଅଲିଭାଙ୍କ କଥା ଭାରି ମନେ ପଡିଲା। ସବୁ ବେଳେ ଭାବିଲେ ସେ ଯଦି ଅଲିଭାଙ୍କୁ ନିଜର ମନର କଥା କହି ଦେଇ ଥାଆନ୍ତେ, ତେବେ ତାଙ୍କୁ ହୁଏତ ଆଜି ଏ ଦିନ ଦେଖିବାକୁ ପଡି ନ ଥାଆନ୍ତା। ଅଲିଭାଙ୍କୁ ଟିକେ ଆଖିରେ ଦେଖିବା ପାଇଁ ପ୍ରବଳ ଇଚ୍ଛା ହେଲା। ତେଣୁ ସେ ତାଙ୍କ ମାଉସୀଙ୍କ ଠାରୁ ଅଲିଭାଙ୍କ ଫୋନ୍ ନମ୍ବର ଟା ନେଇ ଅଲିଭାଙ୍କୁ ଫୋନ୍ କଲେ। ଏତେ ବର୍ଷ ପରେ ହଠାତ୍ ଅଜୟଙ୍କ କଣ୍ଠ ସ୍ବର ଶୁଣି ଅଲିଭା ନିଜ କାନକୁ ବିଶ୍ବାସ କରିପାରି ନଥିଲେ। କହିଲେ ଏତେ ଦିନ ପରେ ମୋ କଥା ମନେ ପଡିଲା?ଗାଁ କୁ ଆସିଛ ଅଥଚ ମୋତେ ଟିକେ ଦେଖା କରିବାକୁ ଆସୁନ। ଅଜୟ କହିଲେ ତୁମକୁ ଦେଖା କରିବି ବୋଲି ତ ଫୋନ କରିଛି। ଆଉ ତା ପର ଦିନ ଅଜୟ ଯାଇ ଅଲିଭାଙ୍କ ଘରେ ପହଞ୍ଚି ଥିଲେ। ଅଜୟଙ୍କୁ ଦେଖି ଅଲିଭା ଅତ୍ଯନ୍ତ ଖୁସି ହୋଇ ଯାଇଥିଲେ। ସ୍ବାମୀ ବିଜୟ ଓ ପିଲାମାନଙ୍କୁ ଅଜୟଙ୍କ ସହିତ ପରିଚୟ କରାଇ ଦେଇଥିଲେ। ତାଙ୍କ ପିଲାମାନେ ଅଜୟଙ୍କୁ ପ୍ରଣାମ କରି ଥିଲେ। ଆଉ ବିଜୟ କହି ଥିଲେ ଇଏ ତୁମର ସେଇ ଅଜୁ ଭାଇ ତ? ଯିଏ ଦେଇଥିବା ନାଲୀ ଗୋଲାପ କୁ ତୁମେ ଆଜି ପର୍ଯ୍ୟନ୍ତ ସାଇତିରଖିଛ। ଆଉ ଅଳ୍ପ ସମୟ ଭିତରେ ଅଲିଭାଙ୍କ ପରିବାରର ସବୁ ସଦସ୍ୟ ଅଜୟଙ୍କୁ ନିଜର କରି ନେଇଥିଲେ। ତାଙ୍କ ଗହଣରେ ସମୟରେ କେତେ ବେଳେ କଟିଗଲା ଜଣା ପଡିଲା ନି। ଅଜୟଙ୍କର ଫେରିବା ବେଳ ହେଲା। ଅଜୟ, ଅଲିଭାଙ୍କୁ କହିଲେ ଦୀର୍ଘ ପନ୍ଦର ବର୍ଷ ହେଲା, ଗୋଟିଏ କଥା କୁ ହୃଦୟରେ ଚାପିରଖିଛି। ତୁମକୁ କହି ପାରିନି, ଜାଣେନି, ତୁମକୁ ଆଉ ଦେଖିବାର ସୁଯୋଗ ମିଳିବ କି ନାହିଁ? ତେଣୁ ଆଜି ସେ ଅକୁହା କଥା କୁ ତୁମ ନିକଟରେ ପ୍ରକାଶ କରି ଦେବାକୁ ଚାହେଁ। ନ ହେଲେ ମୁଁ ଶାନ୍ତିରେରହି ପାରିବି ନାହିଁ। ସତରେ ତୁମେ କଣ ମୋ ଠୁ ନାଲୀ ଗୋଲାପ ନେଲା ବେଳେ, ମୋ ମନର ଭାବନା କୁ ବୁଝି ପାରି ନଥିଲ? ନାଁ ବୁଝି ବି ଅବୁଝା ଥିଲ?ମୁଁ ଭାବିଥିଲି ଫୁଲ ପାଇ ତୁମେ ସବୁ ବୁଝି ଯାଉଛ ବୋଲି ତେଣୁ ନିଜକୁ ତୁମର ଯୋଗ୍ଯ କରିବା ପାଇଁ ଲାଗି ପଡିଥିଲି। ଆଉ ଯେତେବେଳେ ଯୋଗ୍ଯ ହୋଇ ଫେରିଲି,ଜାଣିବା ପାଇଁ ପାଇଲି ତୁମର ବିବାହ ବିଜୟଙ୍କ ସହ ସ୍ଥିର ହୋଇ ଯାଇଛି। ତେଣୁ ତୁମ ପ୍ରତି ଥିବା ସବୁ ଭାବନାକୁ ସେଇ ଦିନ କବର ଦେଇ ଦେଲି। ଆଉ ଦିଲ୍ଲୀ ଫେରିଗଲି। ନିଜର ସଂସାରଟିଏ ମଧ୍ୟ କଲି କିନ୍ତୁ ସେଥିରେ ସଫଳ ହେଲି ନାହିଁ। ଗାଁ କୁ ଆସିବା ପରେ ତୁମ କଥା ବହୁତ ମନେ ପଡିଲା ତେଣୁ ଦେଖିବାକୁ ଚାଲି ଆସିଲି। ଯିବା ପୂର୍ବରୁ ତୁମକୁ ଗୋଟିଏ ଜିନିଷ ମାଗିବି ଦେବ? ବିଜୟଙ୍କୁ ଦେଖି ମୁଁ ଭଲ ଭାବରେ ଜାଣି ସାରିଛି ତୁମେ କେବଳ ଏ ଜନ୍ମରେ ନୁହଁ ସାତ ଜନ୍ମ ପାଇଁ ତାଙ୍କର ହୋଇ ସାରିଛ। ତେଣୁ ତୁମକୁ ସ୍ତ୍ରୀ ରୂପେ ପାଇବାର ଇଚ୍ଛା ଆଉ ମୋର ନାହିଁ ଖାଲି ମୋର ଗୋଟିଏ ଅନୁରୋଧରଖିବ, ଆସନ୍ତା ଜନ୍ମରେ ମୋତେ ତୁମେ, ତୁମ ପୁଅ ରୂପରେ ଜନ୍ମ ଦେବ। ଏତିକି କହି ଅଜୟ ଆଗକୁ ଆଗେଇ ଯାଇଥିଲେ, ଆଉ ଅଜୟ ଯାଉଥିବା ରାସ୍ତା କୁ ଅଲିଭା ଆଶ୍ଚର୍ଯ୍ୟ ହୋଇ ଅନାଇରହିଥିଲେ। .


Rate this content
Log in

Similar oriya story from Tragedy