Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଅନୁଭୂତିରେ ଶ୍ରୀଗୀତଗୋବିନ୍ଦ

ଅନୁଭୂତିରେ ଶ୍ରୀଗୀତଗୋବିନ୍ଦ

6 mins
7.1K


ଅନୁଭୂତିରେ ଶ୍ରୀଗୀତଗୋବିନ୍ଦ

ଡ.ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ

ଗତବର୍ଷର କଥା । ସେଦିନ ଥିଲା ଫଗୁଣ ମାସର ଶୁକ୍ଳ ଦ୍ୱାଦଶୀ ତିଥି । କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ନିଜ ପିଉସୀଙ୍କୁ ଦେଖି ଗ୍ରାମକୁ ଫେରୁଥିଲେ ଯୁବ ଦମ୍ପତି ରମାକାନ୍ତ ଓ ରେବତୀ । କଟକରୁ ବାହାରିବା ବେଳକୁ ସେମାନଙ୍କୁ ସେହି ରୁଟ୍‌ରେ ଯାଉଥିବା ଶେଷ ବସ୍‌କୁ ଅପେକ୍ଷା କରିବାକୁ ପଡ଼ିଥିଲା । ବସ୍‌ ଆସି ପହଞ୍ଚିଲାବେଳକୁ ବେଳଟିକେ ଅଧିକା ଗଡ଼ିଗଲା । ପୁଣି ବସ୍‌ ଚାଲିଲା ବେଳକୁ କାହୁଁ କୁଆଡୁ ଆକାଶରେ ଘୋଟି ଆସିଲା ଅଦିନିଆ ମେଘ । ଫଗୁଣ ମାସର ଅଦିନିଆ ମେଘକୁ ପବନ ବି ଯୋରରେ ବହି ଚାଲୁଥିଲା । ବସ୍‌ରେ ବସିଥିବା ଯାତ୍ରୀମାନେ ଏଥିରେ ଆତଙ୍କିତ ହୋଇଉଠିଲେ । ତେବେ ବର୍ଷା ଓ ପବନର ବେଗ ଧୀରେ ଧୀରେ କମିଗଲେ ବି ରଣିଫୁଲ ଭଳି ବିଛେଇ ହୋଇ ପଡ଼ିଥିବା ଚନ୍ଦ୍ରକିରଣ ଆଉ ଦେଖାଗଲା ନାହିଁ । ବର୍ଷା କମିଥିଲେ ବି ଆକାଶରେ ଭାସୁଥିବା ବାଦଲଗୁଡ଼ାକ ଛାଇ ହୋଇ ରହିଥିଲା । ନିର୍ଦ୍ଦିଷ୍ଟ ସ୍ଥାନମାନଙ୍କରେ ଯାତ୍ରୀମାନେ ଓହ୍ଲାଇବା ପାଇଁ ବସ ରହୁଥିଲା ଓ ସେଥିରୁ ଓହ୍ଲାଇ ଯିଏ ଯାହାର ଗନ୍ତବ୍ୟ ସ୍ଥଳକୁ ଚାଲିଯାଉଥିଲେ । ଯୁବ ଦମ୍ପତିଙ୍କ ଓହ୍ଲାଇବାର ବଜାର ବି ଆସିଗଲା । ହେଲପର ଡାକରେ ଅଧା ଘୁମାଉଥିବା ଦୁହେଁ ଉଠି ଓହ୍ଲାଇଗଲେ ଓ ବସ୍‌ ପୁଣି ତାହା ବାଟରେ ଚାଲିଲା । ଓହ୍ଲାଇବା ସ୍ଥାନଟା ବଜାର ନ ହେଲେ ବି ସେଠାରେ ଥିଲା ଯୋଡ଼ାଏ ଟିଣ ବାଡ଼ିଆ କ୍ୟାବିନ ସହ ଗୋଟାଏ ମାଟି କାନ୍ଥ ଥିବା ଚାଳଘର । ବର୍ଷା ଓ ପବନସହ ରାତି ଅଧିକ ହୋଇଯିବାରୁ ସେ ସବୁକୁ ବନ୍ଦ କରି ଲୋକେ ସେତେବେଳକୁ ଚାଲିଯାଇଥିଲେ । କେବଳ ଏହି ଦୁଇଜଣଙ୍କ ବ୍ୟତୀତ ତୃତୀୟ ବ୍ୟକ୍ତି ସେଠାରେ ଆଉ କେହି ନଥିଲେ । ଏପରି ଦେଖି କ’ଣ କରିବେ ଚିନ୍ତା ବି ସେମାନଙ୍କର ମୁଣ୍ଡକୁ ଜୁଟୁ ନଥିଲା । ସେଠାରୁ ତାଙ୍କ ଗ୍ରାମର ଦୂରତା ଥିଲା ପ୍ରାୟ ୪ କିଲୋମିଟର ଜଙ୍ଗଲିଆ ରାସ୍ତା । ରାସ୍ତାରେ କେହି ବଦମାସ ବା ହିଂସ୍ର ଜନ୍ତୁଙ୍କ ହାବୁଡ଼ରେ ପଡ଼ିଗଲେ କଥା ସରିଲା । ରାତ୍ରୀସାରା ଉଜାଗର ରହି ସେମାନେ କେଉଁଠି ବା ବସିବେ ? ପବନ ମାଡ଼ରେ ସେଠାରେ ଥିବା ଛଣ ଛପର ଚାଳଟା ବି ସେତେବେଳକୁ ଉଡ଼ି ଯାଇଥିଲା । ରମାକାନ୍ତ ଓ ରେବତୀ ଦୁହିଁଙ୍କର ହୋଇଥିଲା ପ୍ରେମ ବିବାହ । ଉଭୟେ ଭୁବନେଶ୍ୱର ସଙ୍ଗୀତ ମହାବିଦ୍ୟାଳୟରେ ସଙ୍ଗୀତ ଓ ନୃତ୍ୟ ଶିକ୍ଷା କରି ଭଲ ଡିଭିଜନରେ ପାଶ୍‌ ବି କରିଥିଲେ । ଯୁବକଟି ଓଡ଼ିଶୀ ସଙ୍ଗୀତ ଗାନରେ ନିପୂଣ ଥିବାବେଳେ ଯୁବତୀଟି ଥିଲେ ନୃତ୍ୟ ପ୍ରବୀଣା । ମହାବିଦ୍ୟାଳୟରୁ କୃତୀତ୍ୱର ସହିତ ପାସ କଲାପରେ ପ୍ରଥମେ କୌଣସିଠାରେ ନିଯୁକ୍ତି ନପାଇ ନିଜ ଗାଁରେ ଆସି ସେମାନେ ରହିଥିଲେ । ତେବେ ଉଭୟେ ପରିବାରର ଠାକୁର ଘରେ କେଉଁ କାଳରୁ ପୂଜା ପାଇ ଆସୁଥିବା ଶ୍ରୀଜଗନ୍ନାଥଙ୍କ ବିଗ୍ରହ ସେବାରେ ଆଦୌ ଉଣା କରୁ ନଥିଲେ । ଆଗରୁ ପରିବାରର ମୁରବୀମାନେ ଯେପରି ପୂଜା କରିଆସୁଥିଲେ ଏ ଦୁହିଁଙ୍କ ଆସିବାରେ ତାହା ବହୁତ ବଢ଼ି ଯାଇଥିଲା । ସ୍ୱାମୀ ରମାକାନ୍ତ ପ୍ରତ୍ୟହ ସନ୍ଧ୍ୟାରେ ଶ୍ରୀଗୀତଗୋବିନ୍ଦ ବୋଲୁଥିବା ବେଳେ ରେବତୀ ମଧ୍ୟ ଗୀତ ସହିତ ତାଳ ଦେଇ ନାଚି ଉଠୁଥିଲେ । ଏପରି ପୂଜାର ଆସର ବି ଛୋଟ ଗାଁଟିରେ ବେଶ୍‌ ଜମି ଉଠିଥିଲା । ପାଖ ପଡ଼ୋଶୀ ଓ ଗାଁର କେତେକ ବୟସ୍କ ସନ୍ଧ୍ୟାବେଳର ଆରତୀ ଦେଖିବା ପାଇଁ ସେଠାରେ ଆସି ପହଞ୍ଚି ଯାଉଥିଲେ । ଛୋଟ ବୟସର ପିଲାମାନେ ବି ଗୀତ ସହିତ ତାଳ ଦେଇ ମୁଖସ୍ତ କରିଥିବା ଶ୍ରୀଗୀତଗୋବିନ୍ଦର ପଦଗୁଡ଼ିକୁ ସେମାନଙ୍କ ସହ ବୋଲୁଥିଲେ । ଶ୍ରୀଗୀତଗୋବିନ୍ଦର ଶ୍ରୀତକମଳା କୁଚମଣ୍ଡଳ ବୋଲୁଥିବା ବେଳେ ସେହି ସ୍ୱର ଝଙ୍କାରରେ ସେଠାରେ ଉପସ୍ଥିତ ଥିବା ଲୋକେ ଭାବବିହ୍ୱଳ ହୋଇ ଉଠୁଥିଲେ । କେତେକଙ୍କ ଆଖିରୁ ବି ଝରି ଆସୁଥିଲା ଲୁହ । ଏପରି ବୋଲିଲା ବେଳେ ସନ୍ଧ୍ୟା ଆରତୀର ଆଲୋକରେ ଚକାନୟନଙ୍କ ବିଗ୍ରହଟା ବେଶ୍‌ ଝଲସି ଉଠୁଥିଲା । ଆଉ ମନେ ହେଉଥିଲା ସତେବା ପ୍ରଭୁ ଭକ୍ତମାନଙ୍କ ଗହଣରେ ରହି ହସି ଉଠୁଥିଲେ । ଏହିଭଳି ସେମାନଙ୍କର କଟିଯାଉଥିଲା ପ୍ରତିଦିନର ସନ୍ଧ୍ୟା । ତେବେ ସେ ଦୁହେଁ ସେଦିନ କଟକ ଆସିଯାଇଥିବାରୁ ପୂଜା ଘରେ ହେଉଥିବା ଶ୍ରୀଗୀତଗୋବିନ୍ଦର ସଙ୍ଗୀତ ଓ ନୃତ୍ୟର ଆସର ଜମି ନଥିଲା । ପ୍ରତ୍ୟେକ ସନ୍ଧ୍ୟାରେ ଆସୁଥିବା ଭକ୍ତମାନେ ସେଦିନ ନିରାଶ ହୋଇ ଫେରିଯିବା ସହ ଚାହିଁ ରହିଥିଲେ ସେମାନଙ୍କର ଆସିବାକୁ । ଗ୍ରାମରେ ଏପରି ପରିବେଶ ସୃଷ୍ଟି ହୋଇଯାଇଥିଲା ଯେ, ଶ୍ରୀଗୀତଗୋବିନ୍ଦ ନ ଶୁଣିଲେ ରାତ୍ରୀରେ କେହି ଅନ୍ନଜଳ ଗ୍ରହଣ ବି କରୁ ନଥିଲେ ।

ଏଣେ ରାସ୍ତାକଡ଼ର ଅନ୍ଧାର ଭିତରେ ଦମ୍ପତି ଦୁଇଜଣ ଗୋଟାଏ ଟିଣ କ୍ୟାବିନ ପଛରେ ଠିଆ ହୋଇ ରହିଥିଲେ । ମେଘୁଆ ପାଗର ଶୀତରେ ଦେହ ବି ସେମାନଙ୍କର ଥରି ଉଠୁଥିଲା । ଅପେକ୍ଷା ଥିଲା କେହି ଯଦି ଗ୍ରାମର ଜଣାଶୁଣା ଲୋକଙ୍କ ସହିତ ଭେଟ ହୋଇଗଲା ତେବେ ସେମାନଙ୍କ ସାଥିରେ ସହଜରେ ଗ୍ରାମକୁ ଚାଲିଯାଇପାରିବେ । ରାତ୍ରୀ କ୍ରମଶଃ ବଢ଼ିଲେ ମଧ୍ୟ ସେପରି କେହି ଆସିବାର ଦେଖାଗଲା ନାହିଁ । ପୁଣି ରାତ୍ରୀ ଯେତିକି ବଢୁଥାଏ ସେମାନଙ୍କର ମନରେ ଭୟ ବି ସେତିକି ଜମି ଆସୁଥିଲା । ତେବେ ପାହାନ୍ତାକୁ ଅପେକ୍ଷା କରିବା ବ୍ୟତୀତ ସେମାନଙ୍କ ପାଇଁ ଆଉ କୌଣସି ଉପାୟ ନଥିଲା । ଆକାଶରେ ଢାଙ୍କି ଯାଇଥିବା ମେଘ କ୍ରମଶଃ ଚାଲିଯାଇ ପୁଣି ଚନ୍ଦ୍ରକିରଣ ଖେଳିଗଲା । ବସନ୍ତର ମନ ମତାଣିଆ ପବନରେ ବି ଦେହ ଶିତେଇ ଉଠୁଥିଲା । ସେତେବେଳକୁ ହୋଇଯାଇଥିଲା ରାତ୍ରି ପ୍ରାୟ ବାରଟା ଉପରେ । ସେପରି ସମୟରେ ଦେଖାଗଲା ଶ୍ୟାମଳ ବର୍ଣ୍ଣର ଲଉଡ଼ି ଖେଳି ଆସୁଥିବା ବାଳକ ଦଳଙ୍କୁ । ସେମାନଙ୍କର ବୟସ ଅତି ବେଶିରେ ଥିଲା ୧୫ ଓ ସଂଖ୍ୟା ୯ । ସମସ୍ତେ ଏକପ୍ରକାରର ଚିତ୍ରିତ ପୋଷାକରେ ସୁସଜ୍ଜିତ ହୋଇଥିବାରୁ ବେଶ୍‌ ସୁନ୍ଦର ଦେଖାଯାଉଥିଲେ । ସେମାନଙ୍କର ମଧ୍ୟରୁ ମୁଣ୍ଡରେ ମୟୂର ଚନ୍ଦ୍ରିକା ଖୋସି ନାଚୁଥିବା ପିଲାଟି କୃଷ୍ଣ ରୂପରେ ନିଜକୁ ସଜେଇ ଦେଇଥିଲା । ସେ ଥିଲା ସମସ୍ତଙ୍କଠାରୁ ବହୁ ସୁନ୍ଦର । ବସନ୍ତ ପବନ ପରଶରେ ତାହାର ମୁଣ୍ଡଖୋସା ବାଙ୍କ ମୟୂର ଚୂଳଟା ବେଳେବେଳେ ହଲି ତାକୁ ବେଶ୍‌ ମାନୁଥିଲା । ଏପରି ସୁନ୍ଦର ଗଢ଼ଣର ଛୋଟପିଲା ସେମାନେ ଆଗରୁ କେବେ ଦେଖିଥିବା ମନେ ହେଉନଥିଲା । ପୁଣି ଗଳାରୁ ଆଣ୍ଠୁ ପର୍ଯ୍ୟନ୍ତ ତାହାର ଲମ୍ବି ଯାଇଥିଲା ବହୁ ଜାତିର ଫୁଲମାଳ । ବାଳକ ଦଳ ସେହି ଦୁଇଜଣ ଠିଆ ହୋଇଥିବା କ୍ୟାବିନ ପାଖରେ ପହଞ୍ଚି ସେମାନଙ୍କର ଅବସ୍ଥା ସମ୍ପର୍କରେ ପଚାରି ବୁଝିଲେ । କୃଷ୍ଣ ରୂପରେ ସଜେଇ ହୋଇଥିବା ପିଲାଟି କହିଲା ଆମେ ତୁମ ଗ୍ରାମକୁ ଲାଗି ରହିଥିବା ଗୋପାଳ ବସ୍ତିକୁ ଲଉଡ଼ି ଖେଳିବାକୁ ଯାଉଛୁ । ଆଉ ସେଠାରେ ଦୋଳପୂର୍ଣ୍ଣମୀ ପର୍ଯ୍ୟନ୍ତ ବି ରହିବୁ । ତୁମେ ଦୁହେଁ ଆମ ସହିତ ଚାଲ । ବାଟଯାକ ଏକାଠି ଗୀତ ନାଚ କରି ଚାଲିଲେ ପଥଶ୍ରମ ଜଣାପଡ଼ିବ ନାହିଁ । ତୁମେ ଦୁହେଁ ଭଲଭାବରେ କୁଆଡ଼େ ଶ୍ରୀଗୀତଗୋବିନ୍ଦ ବୋଲିବା ସହ ନାଚ ବି ଜାଣିଛ ପରା ? ଲଉଡ଼ି ଖେଳ ଗୀତ ନ ବୋଲି ତୁମେ ଶ୍ରୀଗୀତଗୋବିନ୍ଦ ବୋଲିବାସହ ଉଭଣୀଟା ବି ତାଳ ଦେଇ ଆମ ସହ ଭଲ ନାଚ କରିପାରିବ । ରମାକାନ୍ତ କହିଲେ ଯେ, ଶ୍ରୀଗୀତଗୋବିନ୍ଦ ବୋଲିଲେ ତ ବାଦ୍ୟ ଯନ୍ତ୍ରର ଆବଶ୍ୟକତା ଥାଏ । ଏଠାରେ କାହୁଁ ବା ତାହା ମିଳିବ ? ତେଣୁ ବିନା ବାଦ୍ୟ ନାଦରେ କିପରି ଗୀତ ଓ ନାଚ ହୋଇପାରିବ ବୋଲି ପଚାରିବାରୁ ଉତ୍ତର ମିଳିଲା ଯେ ଲଉଡ଼ି ଖେଳର ଦୁଇ କାଠିରେ ବି ବେଶ୍‌ ଗୀତ ଓ ନାଚର ଆସର ଜମିଉଠିବ । ଆମେ ବି ତୁମ ଗୀତସହ ଠିକ୍‌ ତାଳ ଦେଇ ନାଚିପାରିବୁ । ଆମମାନଙ୍କ ଭଳି ଶ୍ରୀଗୀତଗୋବିନ୍ଦ ବୋଲିବା ସହ ତାଳରେ କେହି ବି ନାଚିପାରିବେ ନାହିଁ । କଥାଟା ଦୁହିଁଙ୍କ ମନକୁ ବେଶ୍‌ ପାଇଗଲା । ପୁଣି ଏତେଗୁଡ଼ିଏ ଅଳ୍ପ ବୟସର ପିଲା ଏକାଠି ହୋଇ ଗାଁ ଆଡ଼କୁ ଯାଉଥିବାରୁ ସେ ଦୁହିଁଙ୍କ ମନରୁ ଭୟ ବି ଚାଲିଗଲା । ସେତେବେଳକୁ ଚାରିଆଡ଼େ ପୁରା ଜହ୍ନର ଆଲୁଅ ବିଛାଡ଼ି ହୋଇ ପଡ଼ି ସାରିଥିଲା । ଶୀତୁଆ ପବନସହ ସେମାନଙ୍କର ନାଚ ଓ ଗୀତର ଆସର ଯିବା ରାସ୍ତାରେ ବେଶ୍‌ ଜମିଉଠିଲା । ବେଳେବେଳେ ସେମାନଙ୍କ ମଧ୍ୟରୁ କେହି ଶିଙ୍ଗା ବଜାଇ ଦେଉଥିଲା । ଶ୍ରୀକୃଷ୍ଣ ବେଶରେ ସଜେଇ ହୋଇଥିବା ପିଲାଟି ତାହାର ଅଣ୍ଟାରେ ବଂଶୀଟାଏ ଖୋସିଥିଲେ ବି ସ୍ୱରଟା କେଉଁଠାରୁ ଭାସି ଆସୁଥିଲା ତାହା ଜାଣି ହେଉନଥିଲା । ପିଲାଦଳଙ୍କ କାଠିରେ କାଠିର ମାଡ଼ ସହ ଅଣ୍ଟାରେ ବନ୍ଧାଥିବା ଘାଘୁଡ଼ିର ଶବ୍ଦ ଓ ନାଚିବାର ପାଦ ଚାଳନା ଥିଲା ବେଶ୍‌ ମନମୁଗ୍ଧକର । ରମାକାନ୍ତ ଓ ରେବତୀଙ୍କ ସଙ୍ଗୀତ ଓ ନୃତ୍ୟ ସାଧନାଠାରୁ ତାହା ଥିଲା ବହୁ ଉଚ୍ଚରେ । ଏପରି ନୃତ୍ୟ କେବେହେଲେ ସେମାନେ ଆଗରୁ ଦେଖି ନଥିଲେ । ଏପରିକି ଶ୍ରୀଗୀତଗୋବିନ୍ଦର ଅପୂର୍ବ ସ୍ୱର ପ୍ରତ୍ୟେକଙ୍କ କଣ୍ଠରୁ ବି ବେଶ୍‌ ଚମତ୍କାର ସ୍ୱରରେ ବାହାରି ଆସୁଥିଲା । ସେମାନଙ୍କ ଯାଉଥିବା ବାଟରେ କାହୁଁ ଭାସି ଆସୁଥିଲା ମୃଗମଦ କସ୍ତୁରୀର ସୁବାସିତ ଗନ୍ଧ ସହିତ ରାଶି ରାଶି ଫୁଲର ଅପୂର୍ବ ମହକ । ବଣରୁ କୋଇଲିର କୁହୁନାଦ ବି ପରିବେଶକୁ ବେଶ୍‌ ଗମ୍ଭୀର କରିଦେଉଥିଲା ।

ଏପରି ନାଚି ଗାଇ ସେହି ପିଲାଦଳଙ୍କ ସହ ଯୁବ ଦମ୍ପତି ନିଜ ଗ୍ରାମ ଭିତରେ ପହଞ୍ଚିଗଲେ । ଆଉ ସେହି ପିଲାଦଳ ବି ସେମାନଙ୍କ ଗାଁ ଦାଣ୍ଡରେ ନାଚି ନାଚି ପାଖ ପଡ଼ୋଶୀ ଗୋପାଳ ବସ୍ତିକୁ ଚାଲିଗଲେ । ନାଚ ଗୀତ ଶୁଣି ଗାଁ ଲୋକମାନେ ବି ଘର ଭିତରୁ ପଦାକୁ ଆସି ସେମାନଙ୍କୁ ଦେଖୁଥିଲେ । ପରଦିନ ପାଖ ଗାଁରେ ପହଞ୍ଚି ବୁଝାଗଲା ଯେ ସେପରି କୌଣସି ଗୋପାଳ ପିଲାଙ୍କ ଓଗାଳ ଦଳ ସେଠାକୁ ଯାଇନାହାନ୍ତି । ଅନ୍ୟ ପାଖର ଗାଁମାନଙ୍କରେ ବି ସନ୍ଧାନ ନିଆଗଲା । ମାତ୍ର କୌଣସିଠାରୁ ସେମାନଙ୍କୁ ଦେଖିଥିବାର ଖବର କେହି ଦେଇନଥିଲେ । ହତବାକ୍‌ ଯୁବଦମ୍ପତିଙ୍କ ସହ ଗ୍ରାମବାସୀମାନେ ଏଥିରେ ସ୍ତମ୍ଭୀଭୂତ ହୋଇପଡ଼ିଲେ । କେବଳ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ପାଖରେ ହାତ ଯୋଡ଼ି ଅଶ୍ରୁ ଗଡ଼ାଇବା ବ୍ୟତୀତ ସେମାନଙ୍କର ଆଉ କିଛି ଉପାୟ ନଥିଲା । ତେଣେ ଗାଁର ତ୍ରିନାଥ ଠାକୁରଙ୍କ ମଣ୍ଡପ ଉପରେ ଆୟୋଜିତ ସନ୍ଧ୍ୟା ମେଳାର ଖଞ୍ଜଣି ତାଳରେ ସମବେତ “ମନ ପାରାରେ, କାହାକୁ କେବେ ସେ ଦିଏ କି ଧରା ।”

(ଗ୍ରାମଟି ଥିଲା ଭୁବନେଶ୍ୱର ସହରର ନିକଟବର୍ତ୍ତୀ । ଦୁଇଜଣ ଗ୍ରାମବାସୀଙ୍କ ସହ ଯୁବ ଦମ୍ପତି ଏହି କଥା ଶୁଣାଇବା ବେଳେ ସେମାନଙ୍କ ଚକ୍ଷୁଦ୍ୱୟରୁ ଧାର ଧାର ଅଶ୍ରୁ ଗଡ଼ିଯାଉଥିଲା । ବାଷ୍ପରୁଦ୍ଧ କଣ୍ଠରେ ସେମାନେ ହାତ ଯୋଡ଼ି ସେହି ଅଦୃଶ୍ୟ ସ୍ରଷ୍ଟାଙ୍କ ପ୍ରତି କେବଳ ଭକ୍ତି ପ୍ରଣାମ ଜଣାଉଥିଲେ । ଶୁଣୁଥିବା ଲୋକଙ୍କ ଆଖିରେ ବି ଲୁହ ଜକେଇ ଆସୁଥିଲା । ନିଜ ନାମ ସହ ଠିକଣା ପ୍ରକାଶ ନ କରିବାକୁ ସେମାନେ ବାରମ୍ବାର ଅନୁରୋଧ କରିଥିଲେ । ଉପରେ ଦେଇଥିବା ନାମ ଦୁଇଟିକୁ କେବଳ ଛଦ୍ମରେ ସୂଚାଇ ଦିଆଯାଇଛି)ସ୍ୱର ଭାସି ଆସୁଥିଲା-


Rate this content
Log in

Similar oriya story from Classics