Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rakesh Mishra

Others

4.3  

Rakesh Mishra

Others

ସେକ୍ସବୟ

ସେକ୍ସବୟ

12 mins
25.1K


ମୂଳ ରଚନା - ତସଲିମା ନସରିନ

[ ଅରୁଣିମା ଅପେକ୍ଷା କରି ବସିଛି ସେକ୍ସବୟ ପାଇଁ, ସଞ୍ଜ ଆସିବ ଆଉ ସେକ୍ସବୟ ଆସିବ। ଅନ୍ଧାର ଆଡେଇ ଦକ୍ଷିଣ କୋଲକାତାର ଏଇ ଗଳିରେ ପଶିବ ଏୟାରପୋର୍ଟ ରୁ ଆସିଥିବା ସେକ୍ସବୟର ଟାକ୍ସି । ମୁମ୍ବାଇରୁ ଆସୁଛି ସେ। ଅରୁଣିମାର ଫ୍ଲାଟରେ ହିଁ ରହିବ। ଦୁଇ ଜଣଙ୍କ ମଧ୍ୟରେ ଗତ ଛ'ମାସ ଧରି ସବୁ କିଛି ହୋଇଛି କେବଳ ଦେଖା ହୋଇନି। ଫେସବୁକରେ ପ୍ରଥମେ କଥା ଆରମ୍ଭ ହୁଏ, ସାଧାରଣତଃ ସେକ୍ସର କଥା । ଅରୁଣିମାକୁ ଆକୃଷ୍ଟ କରିଥିଲା ସେକ୍ସବୟ ନାଁ ଟି। ପ୍ରୋଫାଇଲ ରେ ଥିଲା ଏକ ଉଲଗ୍ନ ପୁରୁଷର ଛବି। ଏମିତି ଜଣେ ବ୍ୟକ୍ତି ସହ ଆଉ କି କଥା କୁହାଯାଇପାରେ। ଇନବକ୍ସରେ ଅରୁଣିମା ସେକ୍ସ ନେଇ କଥା ହେବା ମାତ୍ରେ ହିଁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠେଇଥିଲା ସେକ୍ସବୟ। ନିଜର ଯୌନସମ୍ପର୍କହୀନ ଜୀବନ ବଡ ଦୁଃସହ ହୋଇଯାଇଥିଲା ଅରୁଣିମାର ।]

ସହରରେ ଏତେ ଯୁବକଙ୍କ ଭିଡ଼, କିନ୍ତୁ ଅରୁଣିମା ଭଳି ଜଣେ ସୁନ୍ଦରୀ, ଶିକ୍ଷିତା, ସ୍ୱାବଲମ୍ବୀ ମହିଳା ଭାଗ୍ୟରେ ଜଣେ ହେଲେ ସୁପୁରୁଷ ମିଳେନା ଯାହାକୁ ସେ ନିଜର ପ୍ରେମିକ ବୋଲି କହି ପାରିବ। ସତରେ ମିଳେନା। ଏମିତିକି ଯାହା ସହ ବିବାହ ହୋଇଥିଲା ତାକୁବି ଘର ଲୋକେ ଖୋଜି ଆଣିଥିଲେ । ସୁବ୍ରତ ଆଉ ଅରୁଣିମାର ଡିଭୋର୍ସ ଅନେକ ଦିନ ଆଗରୁ ହୋଇସାରିଛି । ୟା ଭିତରେ ଯେ ନୂଆ କିଛି ସଂପର୍କ ତିଆରି ହୋଇନି ତା ବି ନୁହେ । ଦଶବର୍ଷ ସାନ ସହକର୍ମୀ ଅଶୋକ ସହ ପ୍ରାୟ ମାସେ ଭଳି ସମ୍ପର୍କ ଥିଲା ଅରୁଣିମାର କିନ୍ତୁ ଅଶୋକର ବାହାଘର ପରେ ସେ ସମ୍ପର୍କ ଆଉ ଆଗକୁ ବଢେଇବା ପାଇଁ ଚାହିଁନି ଅରୁଣିମା। ଅରୁଣିମା ଚାହିଁନି ଘରେ ତରୁଣୀ ସ୍ତ୍ରୀ କୁ ଛାଡି ଅଶୋକ ତା ସହ ତା ବିଛଣାରେ ଶୋଉ ।

ଏକ ଇଂରାଜୀ ଦୈନିକ ଖବରକାଗଜ ସଂସ୍ଥାରେ ଚାକିରୀ କରେ ଅରୁଣିମା । ଜଣେ ପୁରୁଣା କର୍ମୀ ହିସାବରେ ଅନେକ ଦାୟିତ୍ୱ ବି ତୁଲେଇବାକୁ ପଡେ ତାକୁ। କିନ୍ତୁ ଅଫିସର କୌଣସି ବୋଝ ସେ ଘରକୁ ବୋହି ଆଣେନି । ନିଜ ଘରେ ସେ ରହିବାକୁ ଚାହେଁ ବିଲକୁଲ ଚିନ୍ତାଶୂନ୍ୟ ଭାବେ। କାର୍ଯ୍ୟ ଵ୍ୟସ୍ତତା ଭିତରୁ ତା ନିଜ ପାଇଁ ଟିକେ ସମୟ ବାହାର କରିବାକୁ ତ ପଡିବ । ସେପଟେ ଝିଅ ଦିଲ୍ଲୀରେ ପଢୁଛି। ତା ଭଲ ମନ୍ଦ ବୁଝିବାକୁ, ବେଳେ ବେଳେ ତା ସହ ଟିକେ କଥା ହୁଏ, ଯଦିଓ ମୋବାଇଲ ଫୋନର ଯୁଗରେ ଆଜି କାଲି ସବୁ କେତେ ସହଜରେ ହୋଇଯାଏ। ଅଫିସ ତ ଅଛି, ତା ଅନୁପସ୍ଥିତିରେ ବି ଅଫିସ ରହିବ। ଝିଅର ଜୀବନ ବି ତଦ୍ରୁପ। ଆଜି ଯଦି ସେ ମରି ଯାଏ, ଝିଅ ଠିକ ଚଳେଇ ନେବ । ଅରୁଣିମାର ବାବା ମା ବି ଅନେକଦିନ ଆଗରୁ ଦୁନିଆ ଛାଡି ଚାଲି ଯାଇଛନ୍ତି । ଅରୁଣିମା, ବାବା ମା'ଙ୍କର ଏକମାତ୍ର ସନ୍ତାନ। ଏବେ ମା ବାବାଙ୍କ କଥା ବେଶି ମନେପଡେନି ତା'ର।

ଆଗେ ଅଫିସରୁ ଫେରି ଅରୁଣିମା ବହି ଥାକରୁ କୌଣସି ବହି ନେଇ ତା ସହ ସମୟ ବିତାଉଥିଲା, ଏବେ ଫେସବୁକ ସହ ବିତାଏ । ଫେସବୁକ ଏକ ଭୟଙ୍କର ନିଶା ପାଲଟିଯାଇଛି । ପ୍ରକୃତରେ କେବଳ ଫେସବୁକର ମୋହ ନୁହେଁ, ସେକ୍ସବୟ ପ୍ରତିଦିନ ପଠେଇଥିବା ମେସେଜ, ଯଥା, ସେ ଅରୁଣିମା ସହ ଗୋଟିଏ ବେଡ଼ରେ ଶୋଇଥିଲା ବେଳେ ତା ସହ କଣ କଣ କରିବ, କେମିତି ତା ଦେହର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗକୁ ନିଜ ଓଠ ରେ ଚୁମି ତାକୁ ଅସ୍ଥିର କରିଦେବ, ସେସବୁ ପଢ଼ିବା ବି ତା ପାଇଁ ଏକ ପ୍ରକାର ନିଶା ପାଲଟି ଯାଇଛି । ଏଇ ନିଶା ତାକୁ ଅନ୍ୟ ଗୁଡ଼ାଏ ଅସ୍ଥିରତାରୁ ମୁକ୍ତି ଦେଇଛି । ଆଜି କାଲି ରାସ୍ତା ଘାଟରେ ଚାଲୁଥିବା ବେଳେ କେଉଁ ପୁରୁଷକୁ ସେ ଲୋଭିଲା ଆଖିରେ ଦେଖିନି । ସେକ୍ସବୟ, ଅରୁଣିମାର ଦୈନନ୍ଦିନ ଜୀବନକୁ ଅନେକ ତୃପ୍ତ ଏବଂ ପୂର୍ଣ୍ଣ କରିଛି । ସେଥିପାଇଁ ସେ ସେକ୍ସବୟ ନିକଟରେ କୃତଜ୍ଞ ।

ଏବେ ସେମାନଙ୍କ ସମ୍ପର୍କ କେବଳ ଫେସବୁକ ରେ ହିଁ ସୀମିତ ନାହିଁ । ଦୁଇ ମାସ ଧରି ପ୍ରାୟ ପ୍ରତି ଦିନ ଫୋନରେ କଥା ହେଉଛନ୍ତି ଦୁହେଁ । ଏଇ କେତେ ଦିନ ହେଲା ସ୍କାଇପିରେ ଭିଡିଓ ଚାଟିଙ୍ଗ କରି କିଛିଟା ହେଲେ ବି ମନ ଆଉ ଦେହର ଭୋକ ମେଣ୍ଟାଉଛନ୍ତି । ସେକ୍ସବୟ ର ଅସଲ ନାଁ ବିଜୟ, ମରାଠୀ । ଆର୍କିଟେକ୍ଟ । ବୟସ ୩୫ । ୟା'ଠାରୁ ଭଲ ଯୋଡି ଆଶା କରିବା ଉଚିତ ନୁହେଁ । ମୁମ୍ବାଇ ରୁ ଆସି କୋଲକାତାରେ ରହି ସତ ସତିକା ସେକ୍ସ କରିବାକୁ ଅରୁଣିମା ହିଁ ପ୍ରସ୍ତାବ ଦେଇଥିଲା ବିଜୟ କୁ । ଖାଲି ସେତିକି ନୁହେଁ ଯିବା ଆସିବା ପ୍ଲେନ ଟିକେଟବି ବୁକ କରି ଇମେଲ କରି ଦେଇଥିଲା ଅରୁଣିମା ନିଜେ । ଆନନ୍ଦରେ ଉଛୁଳି ଉଠିଥିଲା ବିଜୟ । ବିଜୟକୁ ଛୁଇଁ ଦେଖିବାକୁ ଚାହେଁ ଅରୁଣିମା । ଆଜି ଯାଏ ଫେସବୁକ, ଫୋନେ ଓ ସ୍କାଇପି ରେ ଯାହା ଯାହା କରିଛନ୍ତି ସେ ସବୁ ସତ ହେବ । ଗୋଟେ ସପ୍ତାହର ଛୁଟି ପାଇଁ ଆବେଦନ କରିଛି ଅରୁଣିମା। ଏଇ ପୁରା ସପ୍ତାହଟା ସେ ବିଜୟ ସହ ବିତେଇବାକୁ ଚାହେଁ । ଏକାକାର କରି ଦେବାକୁ ଚାହେଁ ନିଜ ଦେହର ସ୍ବେଦ ରକ୍ତ ଆଉ ଉତ୍ତାପକୁ ବିଜୟର ଦେହ ସହ ।

ସପ୍ତାହେ ଛୁଟି କଥା ଶୁଣି ଆଜି ସକାଳେ ଅଶୋକ ପଚାରୁଥିଲା, କଣ କୁଆଡେ ଯିବାର ଅଛି କି ??

-କ୍ଲାଉଡ଼ ନାଇନକୁ ଯିବାପାଇଁ ଫ୍ଲାଇଟ ବୁକ କରିଛି। ଯିବୁ କି ?? ଯଦି ତୋ ବାହାଘର ନ ହୋଇ ଥାନ୍ତା ଠିକ ନେଇ ଯାଇଥାନ୍ତି ତୋତେ । ମଜା କରି କହିଲା ଅରୁଣିମା । ଅଶୋକ ପାଇଁ ତା ମନରେ ସେ ପୁରୁଣା ଆକର୍ଷଣ ଆଉ ନାହିଁ । ଅରୁଣିମାର ଅଜାଣତରେ ବିଜୟ ଅନେକ ଦିନ ତଳୁ ଅଶୋକର ସ୍ଥାନ ପୂରଣ କରିସାରିଛି । ଅଶୋକର ବାହାଘର ପରେ ବିଜୟ ଭଳି ଜଣେ ସୁପୁରୁଷର ବହୁତ ଦରକାର ଥିଲା ଜୀବନରେ । ଯିଏ ଆସି ତା’ ଜୀବନର ସବୁ ଦୁଃଖ କଷ୍ଟ ଆଉ ପୁରୁଣା ସ୍ମୃତି କୁ ଭସେଇ ଦେଉ କେଉଁ ଗଭୀର ନଦୀର ପ୍ରଖର ସ୍ରୋତରେ। ବିଛୁଡି ଦେଉ ତା ଜୀବନରେ ସ୍ନିଗ୍ଧ ଶୀତଳ ଆଲୋକ। ସେ ଆଲୋକ ରେ ଆହୁରି ଉଜ୍ଜଳ ହୋଇ ଉଠୁ ସେ। ନୂଆ ଭାବେ। ସତେ ଯେମିତି ଏଇ ମାତ୍ର ଜନ୍ମ ନେଇଛି। ସତେ ଅବା ଅତୀତ ବୋଲି କିଛି ହିଁ କେବେ ନଥିଲା ତାର।

ତା ଆଡକୁ ଅନେକ ସମୟ ଧରି ଏକ ଲୟରେ ଚାହିଁ ରହି ଅଶୋକ ପଚାରୁଥିଲା। ପୁଣି କାହା ପ୍ରେମରେ ପଡ଼ିଛ। ଆଖି ଆଉ ମୁହଁ ବେଶ ଉଜ୍ଜଳ ଦିଶୁଚି।ମିଠା ହସ ଧରେ ହସି ଅରୁଣିମା କହିଲା, ଘରେ ସବୁ ଠିକ ଠାକ ଚାଲିଛି ତ ??

ଅଶୋକର ଉତ୍ତର ପାଇଁ ଅପେକ୍ଷା ନକରି ଅରୁଣିମା ଅଫିସରୁ ବାହାରି ପଡିଲା। ପ୍ରତିଦିନ ଅପେକ୍ଷା ଆଜି ଟିକେ ବେଳାବେଳି ବାହାରିଛି ଅଫିସରୁ। ଏବେ ତା ସମ୍ପୂର୍ଣ ଶରୀରରେ ବିଜୟ। ସାରା ଦେହରେ କାମନାର ଢେଉ।

ଅଫିସରୁ ଫେରି ଗୁଣୁ ଗୁଣୁ ଗୀତ ଗାଉ ଗାଉ ବାଥରୁମ ରେ ସାୱାର ଖୋଲି ଅନେକ ସମୟ ଧରି ଗାଧେଇଛି। ତା ପରେ ଆଇନା ସାମ୍ନାରେ ଅନେକ ସମୟ ଧରି ନିଜକୁ ସଜେଇ ନେଇଛି। ଶୋଇବା ଘରଟା ସୁନ୍ଦର ଭାବେ ସଜେଇଛି। ବିଛାଣରେ ନୂଆ ଚାଦର ବିଛେଇ ଆଉ ଦୁଇଟା ତକିଆ ଆଣି ରଖିଛି, ଆଗରୁ ଦୁଇଟା ତକିଆ ହିଁ ଥିଲା। ଥ୍ରୀ ବେଡ଼ରୁମ ଫ୍ଲାଟ ଅରୁଣିମାର। ଗୋଟେ ତା ନିଜ ଶୋଇବା ପାଇଁ। ଗୋଟିଏ ଅତିଥିଙ୍କ ପାଇଁ। ଅନ୍ୟଟିରେ ଶକୁନ୍ତଳା ରୁହେ। ଶକୁନ୍ତଳା ପୁରୁଣା ଭୃତ୍ୟ । ଘରର ଯାବତୀୟ କାମ ସେ ହିଁ କରେ। ବୟସରେ ଢେର ବଡ ତା'ଠୁ, ନିଜ ବଡ ଭଉଣୀ ପରି ଦେଖେ ସେ ଶକୁନ୍ତଳାକୁ।

ଏଇ ସଜବାଜ ଦେଖି ଶକୁନ୍ତଳା ପଚାରୁଥିଲା। ଆଜି ଅଶୋକ ବାବୁ ଆସିବେ ବୋଧେ, ଅରୁ ??

- ହଁ ଅଶୋକ ବାବୁ ତା ନବ ବିବାହିତା ସ୍ତ୍ରୀ କୁ ଛାଡି ମୋ ପାଖକୁ ଆସିବ ରାତି ବିତେଇବାକୁ। କଣ ଯେ କୁହ ଅପା।

- ତାହେଲେ ନୂଆ ଭାଗ୍ୟବାନ ପୁରୁଷଟି କିଏ ??

- ଆସିଲେ ଦେଖି ପାରିବ, ହସି ହସି ଉତ୍ତର ଦେଲା ଅରୁଣିମା

ଅରୁଣିମା ଆଉ ବିଜୟଙ୍କ କ୍ୟାଣ୍ଡେଲ ଲାଇଟ ଡିନର ପାଇଁ ତା କହିବା ମୁତାବକ ଅନେକ ରୋଷେଇ କରିଛି ଆଜି ଶକୁନ୍ତଳା। ଡିନର ସାରି ବିଜୟକୁ ନେଇ ଶୋଇବା ଘରକୁ ଚାଲିଯିବ ଅରୁଣିମା। ଭିତରୁ କବାଟ ବନ୍ଦ କରିଦେଇ ଝର୍କାର ପରଦା ଟା ଆଡେଇ ଦେବ। ବାହାରେ ପୂର୍ଣ୍ଣିମାର ସବୁତକ ଜ୍ୟୋସ୍ନା ବିଛୁଡି ହୋଇ ପଡିବ ତା ଶୋଇବା ଘରେ। ଆଉ ସେଇ ଜ୍ୟୋସ୍ନା ରେ ସାରା ରାତି ଦେହ ଭିଜେଇ ସ୍ନାନ କରିବେ ଦୁହେଁ ମନ ଭରି।

ଶୋଇବା ଘରେ ଜୁଇ ଫୁଲର ରୁମ ଫ୍ରେଶନର ସ୍ପ୍ରେ କରିଛି। ନିଜ ଦେହରେ ବି ପରଫିଉମ ମାଖିଚି। ଡିଭିଡି ପ୍ଲେୟାରରୁ ଅନୁଚ୍ଚ ସ୍ଵରେ ବାଜି ଚାଲିଛି ରୋମାଣ୍ଟିକ ଗଜଲ। ଗୀତ ସହ ତାଳ ମିଳେଇ ଗୁଣୁ ଗୁଣୁ କରି ନିଜେ ଗୀତ ଗାଉଛି ଅରୁଣିମା। ଆଜି ବାଛି ବାଛି ନୀଳ ରଙ୍ଗର ଶାଢ଼ୀ ପିନ୍ଧିଚି ତା ସହ ଲୋ-କଟ ବ୍ଲାଉଜ ବି ଜାଣି ଶୁଣି ପିନ୍ଧିଚି। ଛାତିର ଅନେକଟା ଅଂଶ ଦିଶୁଚି, ଦିଶୁ । ଲରିଏଲର ଡାଇ ଲଗେଇ ମୁଣ୍ଡରେ କେଇଟା ଶ୍ବେତ କେଶ ରାଶି କୁ ଢାଙ୍କିବାକୁ ଚେଷ୍ଟା କରି ସଫଳ ହୋଇଛି ସେ। ଚାଳିଶି ବର୍ଷରେ ବି ତା ଆକର୍ଷଣୀୟ ଦେହ ସାଙ୍ଗକୁ ମୁଣ୍ଡରେ କେତୋଟି ଧଳା ଚୁଟି ମାନେନା। ସେକ୍ସବୟ ସହ ସାତ ଦିନ କଟେଇବାକୁ ଚାହେଁ। ଏଇ ସାତଦିନ,ବୟସର ଚିହ୍ନ ସବୁ ମଝିରେ ଆସି ତାକୁ ବିବ୍ରତ କରୁ ସେତକ ସେ ଚାହେଁନି।

ବିଜୟର ଫୋନ ଆସିଥିଲା। ତା ପ୍ଲେନ ଏବେ ଲ୍ୟାଣ୍ଡ କଲା କୋଲକାତାରେ। ଏୟାରପୋର୍ଟରୁ ଆସିବାକୁ ଯାହା ସମୟ ଟିକକ ଲାଗିବ। ରେଡ ଲେବେଲର ଗୋଟେ ବୋତଲ ଆଣି ଶୋଇବାଘର ସାଇଡ ଟେବୁଲ ଉପରେ ରଖିଛି ଅରୁଣିମା। ଏମିତିକା ଆଡଭେଞ୍ଚର ଆଗରୁ କେବେ କରିନି ସେ। ଜଣେ ଅଜଣା ବ୍ୟକ୍ତି ଫେସବୁକରେ ପରିଚୟ। ତା ସହ ଯୌନ ସମ୍ପର୍କ ରଖିବା ପାଇଁ ଦୁହିଁଙ୍କର ଏତେ ସବୁ ଆୟୋଜନ କିନ୍ତୁ ଦୁହିଁଙ୍କ ମଧ୍ୟରେ ପ୍ରେମ ହେଲା କେବେ ?? "ମୁଁ ତୁମକୁ ଭଲପାଏ" ଏଇ କଥା ପଦକ କେହି ହେଲେ ଉଚ୍ଚାରଣ କରି ନାହାନ୍ତି। ଯୌନତା ଛଡା ଅନ୍ୟ କିଛି ନେଇ ଆଲୋଚନା ହିଁ ହୋଇନି। ଅର୍ଥାତ ସେମାନେ ଦୁହେଁ ଯାହା କରିବାକୁ ଯାଉଛନ୍ତି ତାହା ଯେ ଅତ୍ୟନ୍ତ କୁତ୍ସିତ ସେତକ ବି ଦୁହେଁ କେହି ଭାବୁ ନାହାନ୍ତି। ଦୁହେଁ ପ୍ରାପ୍ତ ବୟସ୍କ, ଦୁହେଁ ଏକା ଏକା ରୁହନ୍ତି। ସେମାନେ ତ ନିଜ ନିଜ ଜୀବନ ସଙ୍ଗୀକୁ ଧୋକା ଦେଉ ନାହାନ୍ତି। କେବଳ ମାତ୍ର ଶରୀରର ଆକର୍ଷଣକୁ କେନ୍ଦ୍ର କରି ଗଢି ଉଠିଛି ଗୋଟିଏ ସମ୍ପର୍କ। ଅରୁଣିମା ଭାବେ, ପ୍ରଥମେ ମନ ତା ପରେ ଶରୀର। ତାର କିଛି ମାନେ ଅଛି କି ? ପ୍ରଥମେ ଶରୀର ତା ପରେ ମନ ହେଲେ ବା କ୍ଷତି କଣ ?

ଦରଜାର ଘଣ୍ଟି ଶୁଣି ସେ ଯେବେ ଦରଜା ଖୋଲିବ, ସାମ୍ନାରେ ଛିଡା ହୋଇଥିବା ବିଜୟ। ଘରକୁ ପଶୁ ପଶୁ ତାକୁ ଜାବୁଡି ଧରି ଆଙ୍କି ଦେବା ତା ଗଣ୍ଡ ଦେଶରେ କେତୋଟି ଚୁମ୍ବନ। ମନେ ମନେ କଳ୍ପନା କରିବା ମାତ୍ରେ ଏକ ଅଦ୍ଭୁତ ଆବେଗ ରେ ଆନ୍ଦୋଳିତ ହେଉଥିଲା ତା ଦେହ ମନ।

ଶକୁନ୍ତଳାକୁ କହିରଖିଛି ନିଜ ଘରେ ଦରଜା ବନ୍ଦ ରଖି ଶୋଇରହିବାକୁ। ଦରକାର ପଡିଲେ ସେ ନିଜେ ଡାକି ନେବା. କେବଳ ଡିନର କରିବେ ବେଳେ ଦରକାର ପଡେ ଶକୁନ୍ତଳାକୁ। ଶକୁନ୍ତଳା ଯଦିଓ ଏ ସବୁ ନିୟମ ଆଗରୁ ଜାଣେ। ଅଶୋକ ଯେବେ ଆସୁଥିଲା ଏମିତି ହିଁ ହେଉଥିଲା ସବୁକିଛି। ଡିଭୋର୍ସ ପରେ ଆଉ ଗୋଟିଏ ବିଭା ହେବାକୁ ଶକୁନ୍ତଳା ଅନେକ ଥର କହିଛି। କିନ୍ତୁ କରିବନି କରିବନି କହି ଅନେକ ବର୍ଷ ବିତେଇ ଦେଇଛି ଅରୁଣିମା। ଯେବେ ଅଶୋକ ସହ ସମ୍ପର୍କ ହୁଏ, ଶକୁନ୍ତଳା ଅନେକ ଥର କହିଛି ଅଶୋକକୁ ହିଁ ପରମାନେଣ୍ଟ କରିନେବାକୁ। ନିଜ ଇଛା ଅନୁସାରେ କାହାକୁ ଯେ ନିଜର କରି ହୁଏନି ଏତକ କଥା ଶକୁନ୍ତଳାକୁ ଅନେକ ଥର ବୁଝେଇ ବି ବୁଝେଇ ପାରିନି ଅରୁଣିମା। ଶକୁନ୍ତଳା, ଅରୁଣିମାର ଜନ୍ମଠାରୁ ରହିଛି ତା ସହ। ସେଥିପାଇଁ ବୋଧେ ଦୁହେଁ ଦୁହିଁଙ୍କୁ ଭୃତ୍ୟ-ମୁନିବ ଅପେକ୍ଷା ଅତି ଆପଣାର କେହି ଭାବି ନେଇଛନ୍ତି। ଆଉ ସେଥିପାଇଁ ଅରୁଣିମାର ପୁର୍ନବିବାହ ପାଇଁ ଅରୁଣିମା ଅପେକ୍ଷା ଶକୁନ୍ତଳାର ଦୁଶ୍ଚିନ୍ତା ବେଶି।

ବିଜୟ ଆସି ପହଞ୍ଚିଲା ଏବେ। ଫୋଟୋ ବା ସ୍କାଇପିରେ ଦେଖି ଯେତକ ଅନୁମାନ କରିଥିଲା ତା ଠୁ ଟିକେ ଅନ୍ୟରକମ। ତା ଅନୁମାନଠୁ ହାଇଟ ଟିକେ ବେଶି। ଯେତେଟା ମୋଟା ଭାବି ଥିଲା ତାଠୁ ଟିକେ ସ୍ଲିମ ଚେହେରା। ଯେତେଟା ସୁଦର୍ଶନ ଭାବିଥିଲା ତାଠୁ ଅନେକ ବେଶି ସୌମ୍ୟଦର୍ଶନ। ଦୁହେଁ, ହାଇ ବିଜୟ - ହାଇ ଅରୁଣିମା କହି ହାତ ମିଳେଇଲେ। ଶୋଇବା ଘର ବଦଳରେ ଡ୍ରଇଂ ରୁମରେ ବସିଲା ବିଜୟ। ଦୁହେଁ ବସିଛନ୍ତି ସୋଫାରେ ମୁହାଁ ମୁହିଁ। ଦୁହିଁଙ୍କ ମଧ୍ୟରେ ସାମାନ୍ୟ ଦୃଷ୍ଟି ବିନିମୟ। ସମ୍ୟକ ସ୍ମିତ ହସ। ଦୁଇ ଯୌନ କାତର ସ୍ତ୍ରୀ ପୁରୁଷ ବସିଛନ୍ତି ସାମ୍ନା ସାମ୍ନି। ଦୁଇଟି ଶରୀରର ଯୌନ କାମନା ପୂର୍ଣ୍ଣ ହେବାକୁ ଯାଉଛି। ଅଥଚ ଦୁହିଁଙ୍କ କଥୋପକଥନରେ ଯୌନତାର ତିଳେମାତ୍ର ଚିହ୍ନ ନାହିଁ

- ଗୋଟେ ଗ୍ଲାସ ପାଣି ଦବ।

- ଆଇ ଏମ ସରି। ମୋର ପ୍ରଥମେ ପଚାରିବା ଉଚିତ ଥିଲା। ଚାହା ବା କଫି କିଛି ??

- ମୁଁ ଖାଏନି ସେ ସବୁ କିଛି

- ତା ହେଲେ କଣ ହୁଇସ୍କି ?

- ନା ନା, ମଦ ତ ମୁଁ ଛୁଁଏନି।

- ଓ

ଡିନର କେତେ ବେଳେ କର ?

- ଠିକ ନାହିଁ।

ବହୁତ ସୁନ୍ଦର ଫ୍ଲାଟ। ବହୁତ ଭଲ ସଜେଇ ରଖିଛ। ଏତେ ସବୁ ବହି କାହାର ? ସବୁ ତୁମର

- ହଁ ମୋର ।

ବିଜୟ ଉଠି ବହି ଥାକ ଆଡେ ଯାଏ। ମଗ୍ନ ହୋଇ ବହି ଗୁଡିକୁ ଦେଖିବାକୁ ଲାଗେ। ଅରୁଣିମା ଦେଇଥିବା ପାଣି ଗ୍ଲାସଟା ବି ବହି ଆଡେ ଚାହିଁ ଚାହିଁ ପିଏ।

-ଇଫ ଇଉ ଡୋଣ୍ଟ ମାଇଣ୍ଡ, ମୁଁ କିଛି ବହି ବାହାର କରିବି ?

- ହଁ ନିଶ୍ଚୟ। ଗୋ ଆହେଡ।

ବିଜୟ ତିନୋଟି ବହି ବାହାର କରି ଓଲଟ ପାଲଟି କରି ଦେଖିବାକୁ ଲାଗିଲା। ଟା ପରେ ସୋଫା ଉପରେ ବସି କହିଲା

- ତୁମେ ରଡି ଡଏଲଙ୍କ ଲେଖା ପସନ୍ଦ କର। ଦ ଡେଡ ରିପବ୍ଲିକ ପଢିଛ ?

- ନା ମୁଁ ତାଙ୍କର କେବଳ ତିନୋଟି ବହି ପଢିଛି। "ପ୍ୟାଡି କ୍ଲାର୍କ ହା ହା ହା" , "ଏ ଷ୍ଟାର କଲଡ ହେନେରୀ" ଓ "ଦ ଗଟ୍ସ"।

- ଖୁବ ସୁନ୍ଦର କଲେକ୍ସନ ତୁମର

- କ୍ଲାସିକସ ବି କିଛି ଅଛି

- କ୍ଲାସିକସ କଥା ଛାଡ, ସେ ସବୁ ପିଲା ବେଳେ ପଢିଛି। ଏବେ ବିଲ ବ୍ରାଇସନ ଥିଲେ ମୋର ଆଉ କିଛି ଦରକାର ପଡ଼େନା

- ଅଛି ବିଲ ବ୍ରାଇସନଙ୍କ କିଛି ଲେଖା

ବିଜୟର ମୁହଁ ବେଶ ପ୍ରଫୁଲ୍ଲ ଲାଗେ

-ତୁମେ ବିଲ ବ୍ରାଇସନଙ୍କ ଲେଖା ପସନ୍ଦ କର ?? କଣ କଣ ଅଛି ? ଶେଷଟା ମୋର ପଢା ହୋଇନି

- ମୋର ସବୁଠୁ ବେଶି ପସନ୍ଦ "ଏ ସର୍ଟ ଅଫ ନିୟରଲି ଏଭରିଥିଙ୍ଗ"

- ଏଇ ଲେଖାଟା ସତରେ ଅତୁଳନୀୟ

- ମୋ ପାଖରେ ଅଛି କିଛି ଲେଖା, I am a stranger here myself, At Home, Neither here nor there ।

- One summer ଲେଖାଟା ଏବେ ଆସିନି ବୋଧ ହୁଏ

- ଏଇ ଅକ୍ଟୋବର ରେ ଆସିବ

ବିଜୟ ଭିତରେ ଏବେ ବି ଗୋଟେ କିଶୋର ବଂଚିଛି ଦେଖି ବେଶ ଭଲ ଲାଗେ ଅରୁଣିମାର।ଠିକ ଅରୁଣିମା ପରି ସେ ବେଳେ ବେଳେ ଉଛୁଳି ଉଠେ। ବହିକୁ ନେଇ କଥୋପକଥନ ଆରମ୍ଭ କରନ୍ତି ଦୁହେଁ। ସତେ ଯେମିତି ଦୁହେଁ କୌଣସି ବୁକ ଲାଇବ୍ରେରୀର ମେମ୍ବର. ବହି ବିଷୟରେ ଦୁହିଁଙ୍କ ମଧ୍ୟରେ ସମାନତା ଅଛି।

କଥାରେ କଥାରେ ଭ୍ରମଣ ବିଷୟ ଉଠି ଆସେ। ଭାରତରେ କେଉଁ କେଉଁ ସ୍ଥାନ କିଏ ବୁଲି ଦେଖିଛନ୍ତି, ସେ ବିଷୟରେ ବି ଅଦ୍ଭୁତ ସମାନତା ଦୁହିଁଙ୍କ ମଧ୍ୟରେ। ଦୁଇଜଣ ବର୍ଣ୍ଣନା କରୁଥାନ୍ତି ନିଜ ନିଜର ପସନ୍ଦର ଭ୍ରମଣ ସ୍ଥାନ ଏବଂ ସେଠାରେ ଘଟିଥିବା ସ୍ମରଣୀୟ ଘଟଣା ସବୁ। ପୁଣି କଥାରେ କଥାରେ ଖାଦ୍ୟ ପାନୀୟ ର ପ୍ରସଙ୍ଗ ଉଠି ଆସେ। ସେଥିରେ ବି ସମାନତା। ଏମିତି କଥା ହେଉ ହେଉ ରାତି ୧୦ଟା ବାଜି ଯାଏ।. ସୁଧୁ ପାଣି ଛଡା ଦୁହେଁ ଆଉ କିଛି ବି ପାନ କରି ନାହାନ୍ତି। ଅବଶ୍ୟ ମଝିରେ ଅରୁଣିମା ଫଳରସ ଅଫର କରିଥିଲା କିନ୍ତୁ ବିଜୟ ମନା କରିଥିଲା। ଶକୁନ୍ତଳା ଡାଇନିଂ ଟେବୁଲ ଉପରେ ଖାଦ୍ୟ ସଜେଇ ରଖିଛି। କ୍ୟାଣ୍ଡେଲ ଜଳେଇବାର ପ୍ରୟୋଜନୀୟତା ଅନୁଭବ କରିନାହିଁ ଅରୁଣିମା। ଖାଉ ଖାଉ ବିଜୟ ଶକୁନ୍ତଳାର ହାତରନ୍ଧାର ବେଶ ପ୍ରଶଂସା କରି କୁହେ କମ ତେଲ ମସଲାରେ ଖୁବ ସୁନ୍ଦର ରୋଷେଇ। ଠିକ ମୋ ମା ହାତରନ୍ଧା ପରି। ଖାଇବା ଟେବୁଲରେ ବସି ନିଜେ ବାଢ଼ିଦେଲା ଅରୁଣିମା ପ୍ଲେଟ ରେ ଖାଦ୍ୟ। ଖାଇବା ଶେଷରେ ନିଜ ପ୍ଲେଟ ନିଜେ ନେଇ କିଚେନରେ ରଖି ଆସିଲା। ପରିପୂର୍ଣ୍ଣ ଭଦ୍ରଲୋକ। ଅରୁଣିମାର ବେଶ ଭଲ ଲାଗୁଥିଲା ବିଜୟକୁ ଦେଖି। କୋଲକାତାରେ ଆଜି ଯାଏ ଏମିତି ଭଦ୍ରଲୋକ ଖୁବ କମ ଦେଖିଛି।

ଖାଇସାରି ଉଠିବା ପରେ, ବିଜୟ ଅରୁଣିମାକୁ ପରଦିନ ଡିନର କରାଇବାକୁ କୋଲକାତାର ସବୁଠୁ ଭଲ ବଙ୍ଗାଳି ରେସ୍ତୋରାଁକୁ ନେଇ ଯିବାର ପ୍ରସ୍ତାବ ଦେଲା। ଶକୁନ୍ତଳା ବିଜୟକୁ ପଚାରିଲା ତାଙ୍କ ମା' କଣ ଭଲ ରାନ୍ଧି ପାରନ୍ତି, ମରାଠୀ ନା ବଙ୍ଗାଳି ଖାଦ୍ୟ। କଥାଟା ଶୁଣି ହଠାତ ବିଜୟ ଚୁପଚାପ ନିର୍ବାକ ଦୃଷ୍ଟିରେ ଚାହିଁ ରହିଥିଲା ଝର୍କା ଆଡକୁ। କିଛି ସମୟ ପରେ କହିଲା

- ମା' ବର୍ଷେ ହେଲା ଆଉ ୟେ ଦୁନିଆରେ ନାହାନ୍ତି।

ବିଜୟ ମାଙ୍କ ସାଙ୍ଗରେ ହିଁ ରହୁ ଥିଲା। ବିବାହ ପରେ ବଡଭାଇ ଅନ୍ୟତ୍ର ନିଜ ପରିବାର ସହ ରହୁଥିଲେ। ବଡଭାଇଙ୍କ ଘରୁ ଡିନର ସାରି ବାନ୍ଦ୍ରାର ନିଜ ଘରକୁ ଫେରୁଥିଲେ ଦୁହେଁ। ଗାଡି ବିଜୟ ନିଜେ ଡ୍ରାଇଭ କରୁଥିଲା। ବିଜୟ ସେଦିନ ଡ୍ରିଙ୍କ କରି ଡ୍ରାଇଭ କରୁଥିଲା। ହଠାତ ଗୋଟେ ଟ୍ରକ ବିପରୀତ ଦିଗରୁ କେତେବେଳେ ଯେ ତା ଆଡକୁ ପ୍ରବଳ ବେଗରେ ମାଡି ଆସୁଛି ସେ ବୁଝି ପାରିନି। ଶେଷ ମୁହୁର୍ତରେ ଅନେକ ଚେଷ୍ଟା କରି ମଧ୍ୟ ଆୟତ୍ତ କରି ପରି ନଥିଲା କାରକୁ, ଭାରସାମ୍ୟ ହରାଇ କାର ଓଲଟି ପଡେ ରାସ୍ତା କଡ଼କୁ। ଘଟଣା ସ୍ଥଳରେ ମା'ଙ୍କର ମୃତ୍ୟୁ ହୁଏ।

ବିଜୟ ଆହତ ହୋଇ ହସ୍ପିଟାଲରେ ଦୁଇ ଦିନ ରୁହେ। ତା' ପରଠୁ ଆଉ କେବେ ମଦ ଛୁଁଏନି। ଅରୁଣିମାର ଅନେକ ଦିନ ହେଲା ନିଜ ମା' କଥା ମାନେ ପଡୁନଥିଲା। ହଠାତ ଆଜି କାହିଁକି କେ'ଜାଣେ ମା କଥା ଖୁବ ମନେ ପଡୁଛି ତାର।. ନିଜ ନିଜ ମା'କୁ ନେଇ ହେଉଥିବା ବେଳେ ଶକୁନ୍ତଳାବି ଆସି ଯୋଗଦିଏ ସେମାନଙ୍କ ସାଥେ। ସଭିଙ୍କ ମନ ଭାରାକ୍ରାନ୍ତ। ସଭିଙ୍କ ଆଖି ଭିଜା।ଏମିତି କଥା ହେଉ ହେଉ ରାତି ୧୨ଟା ବାଜି ଯାଏ।

ବିଜୟ ପ୍ରଶ୍ନ କରେ " ଆଛା ମୁଁ କେଉଁଠି ଶୋଇବି"

ଅରୁଣିମା କିଛି ସମୟ ଭାବେ। ତା ପରେ ଶକୁନ୍ତଳାକୁ କୁହେ - ଅପା ତୁମେ ଗେଷ୍ଟରୁମର ବିଛଣା ଟିକେ ସଜାଡି ଦିଅ । ମୋ ରୁମରୁ ଦୁଇଟା ତକିଆ ନେଇ ନେବ. ଆଉ ହଁ ଚାଦରଟା ବଦଳେଇଦେବ। ବିଜୟ ପୂର୍ବରୁ କେବେ କୋଲକାତା ଆସିନି। ଅରୁଣିମା କୁହେ - କାଲି ତୁମକୁ ନେଇ ଇଣ୍ଡିଆନ ମିଉଜିଆମ ବୁଲେଇ ଆଣିବି ଆଉ ମାର୍ବଲ ପ୍ୟାଲେସ ବି। ଦେଖିବ ତୁମର ନିଶ୍ଚେ ଭଲ ଲାଗିବ।

ବିଜୟ "ଆଟ ହୋମ" ବହିଟା ହାତରେ ନେଇ ସ୍ମିତ ହସି ପଚାରିଲା- ଏଇ ବହିଟା ନେଇ ପାରେ, ରାତିରେ ପଢିବା ପାଇଁ । ଏଇଟା ପଢା ହୋଇନି।

ବିଜୟ ଯେତେଦିନ କୋଲକାତାରେ ରହିଥିଲା, ବିଜୟ ଏବଂ ଅରୁଣିମା ଦୁହେଁ ପାଲଟି ଯାଇଥିଲେ ଦୁଇଟି ଚପଳ ଚଂଚଳ କିଶୋର କିଶୋରୀ. ରାସ୍ତା ଧାରର ତେଲ ଭଜା ଠାରୁ ଆରମ୍ଭ କରି ଭଜହରି ମାନ୍ନାର ପ୍ରସିଦ୍ଧ ରୋଷେଇ ସବୁ ଖାଇଛନ୍ତି।ପୁରୁଣା କୋଲକାତାର ହାତଟଣା ରିକ୍ସା ଚଢି ବୁଲିଛନ୍ତି। ଗଙ୍ଗା ବୁକୁରେ ନୌକାରେ ଚଢି ଅସ୍ତଗାମୀ ସୂର୍ଯ୍ୟକୁ ଦେଖି ଆତ୍ମହରା ହୋଇଛନ୍ତି। ଅରୁଣିମା ଭୁଲି ଯାଇଛି ତାର ଚାକିରୀ, ସଂସାର, ସୁଦୂର ଦିଲ୍ଲୀରେ ପଢ଼ୁଥିବା ଏକମାତ୍ର ଝିଅ । ନିଜର ଅତୀତ ଭବିଷ୍ୟତ ସବୁ କିଛି।ସତେ ଯେମିତି ସେ ଉଡି ବୁଲୁଚି କେଉଁ ଅଜଣା ଆକାଶରେ। ହୁଏତ ଏହାରି ନାଁ "କ୍ଲାଉଡ଼ ନାଇନ" । ଶକୁନ୍ତଳା ପାଇଁ ବିଜୟ କିଣି ଆଣିଛି ଦୁଇଟି ସୁନ୍ଦର ଶାଢ଼ୀ। ଆଉ ଅରୁଣିମା ପାଇଁ ଗଣେଶ ପାଇନଙ୍କର ଗୋଟେ ଚମତ୍କାର ପେଣ୍ଟିଙ୍ଗ।

ଜୀବନରେ ପ୍ରଥମ ଥର ପାଇଁ ଏମିତି ଜଣେ ମଣିଷ ସହ ଦେଖା ହେଲା ଯାହା ସହ ପ୍ରତ୍ୟେକଟି କଥାରେ ଅଭୂତପୂର୍ବ ସମାନତା।ଜୀବନର ଅନେକ କଥା ସେ କହିଛି ବିଜୟକୁ। ନିଜ ଡିଭୋର୍ସ କଥା, ଝିଅ କଥା, ଅଶୋକ କଥା, କିଛି ଦୁଃଖ କିଛି ସୁଖ, ସବୁ କିଛି। ଆଉ ବିଜୟ ଶୁଣିଛି ସବୁ କିଛି ଖୁବ ମନଯୋଗ ସହକାରେ। ବିଜୟ ବି କହିଛି କିଛି କଥା କିନ୍ତୁ କହିବା ଅପେକ୍ଷା ବିଜୟ ଶୁଣିବାକୁ ବେଶୀ ପସନ୍ଦ କରିଛି। ମାତ୍ର କେଇଦିନରେ ଅସମ୍ଭବ ଆପଣାର ହୋଇ ଉଠିଛି ବିଜୟ। ସତେ ଯେମିତି ବିଜୟ ତାର ପିଲାବେଳର ସାଙ୍ଗ।

ସତେ ଅବା ବିଜୟ ସହ ଶୈଶବ କୈଶୋର ରେ ମିଶି ସେ ବାଲିଘର ଗଢ଼ିଛି। ବୋହୁ ଚୋରି ଲୁଚକାଳି ଖେଳିଛି। ନଈକୂଳେ ବୁଲି ବୁଲି ପ୍ରଜାପତି ଧରିଛି।

କେବେ କେବେ ଅତୀତର କିଛି କଥା କହିବାକୁ ଯାଇ ଅରୁଣିମାର ଆଖିରୁ ଲୁହ ଝରିପଡିଛି। ବିଜୟ ଗାଲ ଉପରୁ ଲୁହ ପୋଛି ନେଇ ଟାଣି ନେଇଛି କୋଳକୁ, ମୁଣ୍ଡରେ ହାତ ବୁଲେଇ ବୁଝେଇଛି। ଶାନ୍ତ କରିଛି। ସାତଦିନରେ କେବଳ ସେତକ ସ୍ପର୍ଶ ପାଇଛି ସେ ବିଜୟ ଠାରୁ। ବେଳେ ବେଳେ ଅରୁଣିମାର ଇଚ୍ଛା ହୋଇଛି ବିଜୟକୁ ଜାବୁଡି ଧରି ତା ଓଠରେ ଓଠ ରଖି ଚୁମିବାକୁ, କିନ୍ତୁ ପର ମୁହୂର୍ତ୍ତ ରେ ନିଜକୁ ସଂଯତ କରି ନେଇଛି କାରଣ ସେ ଜାଣେ ଏଇ ସମ୍ପର୍କ ବିଜୟ ପାଇଁ କେବଳ ବନ୍ଧୁତ୍ୱର। ଆଉ କିଛି ନୁହେଁ।

ବିଜୟ ଫେରିଯାଉଛି ମୁମ୍ବାଇ, ଆଉ ଉପହାର ସ୍ୱରୂପ ଦେଇ ଯାଇଛି ତାକୁ ତା ଜୀବନର ଶ୍ରେଷ୍ଠ ସମୟ। ଅରୁଣିମା ପଚାରି ପାରିନି, ଫେସବୁକ ରେ ସେକ୍ସବୟ ନାଁ ଆଢୁଆଳରେ ବିଜୟର ଚରିତ୍ର ଆଉ ଫେସବୁକ ବାହାରର ଚରିତ୍ର ମଧ୍ୟରେ ଏତେ ଆକାଶ ପାତାଳ ର ଫରକ କଣ ପାଇଁ। କାହିଁକି ଦୁଇଟି ଚରିତ୍ର ସମ୍ପୂର୍ଣ ବିପରୀତଧର୍ମୀ। ହୁଏତ ମାଙ୍କ ମୃତ୍ୟୁ ପାଇଁ ନିଜକୁ ଦାୟୀ କରି ଭୀଷଣ ଦୁଃଖ ଆଉ ଗ୍ଳାନିରୁ ମୁକ୍ତି ପାଇବାକୁ ବିଜୟ ଆଶ୍ରୟ ନେଇଛି ଫେସବୁକର ଏଇ ଭିନ୍ନ ଚରିତ୍ର ମଧ୍ୟରେ। କିନ୍ତୁ ଅରୁଣିମାର ତ କିଛି ଗ୍ଳାନି ନାହିଁ ନା ଅଛି ଶୋକ। କିମ୍ବା ହୁଏତ ଅରୁଣିମାର ଅଛି ଯାହା ସେ ନିଜେ ହିଁ ଜାଣେନା। ବିଜୟ ଜାଣେ କି ?? ପଚାରି ବୁଝିନି।

ଏଇ କେତୋଟି ଦିନ ତା ଦେହରେ ଢେଉ ତୋଳିନି କୌଣସି କାମନା କେବଳ ମନରେ ଝଡ଼ ଉଠିଛି। ତେବେ କଣ ଫେସବୁକରେ ଅରୁଣିମାର ଚରିତ୍ରଟେ ବି ଅରୁଣିମାର ନୁହେଁ ତାର ପ୍ରକୃତ ଚରିତ୍ର। ଅରୁଣିମା ଭାବେ। କେଉଁ ବିଜୟ ପ୍ରକୃତ ବିଜୟ, ଯାହା ସହ ଇଣ୍ଟରନେଟରେ ଦେଖା ହୁଏ ନା ଯାହା ସହ କୋଲକାତାରେ ଦେଖା ହେଲା। କିଏ ସତ ? ଫେସବୁକର ସେକ୍ସବୟ ଯାହା ସହ ସେ ଖେଳେ ଦେହର ଆଦିମ ଖେଳ ନା ରକ୍ତମାଂସର ବିଜୟ ଯାହା ସେ ବିତାଇଛି ତା ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ । ଜାଣେ ମଣିଷ ମଧ୍ୟରେ ଏତେ ରହସ୍ୟ କେମିତି ? ସମ୍ଭବତଃ କେତେଜଣ ମଣିଷ ସାଙ୍ଗ ହୋଇ ରୁହନ୍ତି ଜାଣେ ମଣିଷ ଭିତରେ। ଜଣେ ଅନ୍ୟ ଜଣକ ଠାରୁ ସମ୍ପୂର୍ଣ ଅଲଗା। ବିଜୟକୁ ଏୟାରପୋର୍ଟରେ ସିଅଫ କରି ଫେରିବା ରାସ୍ତାରେ କାରରେ ବସି ଝରକା ଆଡକୁ ଆନମନା ହୋଇ ଚାହିଁ ରହିଥିଲା ଅରୁଣିମା ଆଉ ମନ ଭିତରେ ଅସୁମାରୀ ପ୍ରଶ୍ନର ଝଡ଼।

ହଠାତ ମୋବାଇଲରେ ଏସ ଏମ ଏସ ର ରିଂଟୋନ। ମେସେଜ ଖୋଲି ଦେଖେ ବିଜୟର ଏସ ଏମ ଏସ।

- ଆଇ ଲଭ ଇଉ।

ଛାତି ଭିତରେ ତୀବ୍ର ହୃଦସ୍ପନ୍ଦନ ଅନୁଭବ କରି ପାରୁଛି ଅରୁଣିମା। ତୀବ୍ର ବିଦ୍ୟୁତ ତରଙ୍ଗ ସାରା ଶରୀରରେ ବହି ଯାଏ।

କମ୍ପିତ ହାତରେ ମୋବାଇଲ ନେଇ ଟାଇପ କରେ..

- ମି ଟୁ

ଦୂରରେ କେଉଁଠି ଟ୍ରାଫିକ ସିଗନାଲରେ ରବୀନ୍ଦ୍ର ସଂଗୀତ ବାଜୁଛି।

ଗୀତ ସହ ତାଳ ମିଳେଇ ଅରୁଣିମା ଗାଇଉଠେ "ଚିର ସଖା ହେ, ଛେଡ଼ୋ ନା ମୋରେ"


Rate this content
Log in