Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aravinda Das

Others

3  

Aravinda Das

Others

ସର୍ତ୍ତ

ସର୍ତ୍ତ

4 mins
927


ବାହାଘର ପୂର୍ବରୁ ଭାଵୀ ବୋହୂର ସର୍ତ୍ତ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ ଶକୁନ୍ତଳା।

"ଇୟେ କି ଅଭିଲା କଥା ?ପାଠଶାଠ ଟିକେ ପଢି କଣ ଗୋଟେ ଚାକିରୀ କରିଛ ବୋଲି ,ତମର ଯାହା ଇଛା ତାହା ଡିମାଣ୍ଡ କରିବ ?ତା ପୁଣି ବାହାଘର ପୂର୍ବରୁ ?"

ପାଖରେ ଠିଆହୋଇଥିବା ସାନ'ଜା ବିନି କହିଲା,"ସେଇଥିପାଇଁ ତୁମକୁ ଆଗରୁ କହୁଥିଲି ନା ଅପା, ଲଭ ମ୍ୟାରେଜ ରେ ବହୁତ ପେଞ୍ଚ ;ଆଜିକାଲି ଏଇ ସଫ୍ଟୱେର କମ୍ପାନୀ ରେ କାମ କରୁଥିବା ଝିଅଙ୍କ ନଖରା ଯାହା, ତାଙ୍କ ଘରବଲାଙ୍କର ନଖରା ତା'ଠାରୁ ଆହୁରି ଅଧିକ।ମୋ ପୁତୁରା ପାଇଁ ଯେଉଁ ପ୍ରସ୍ତାବ ଆସିଥିଲା,ସେଥିରେ ପରା ଝିଅ ଘର ବାଲା ଙ୍କର ଆଗୁଆ ଡିମାଣ୍ଡ ;ଝିଅ ରୋଷେଇ ଜାଣିନି ;ସର୍ଭିସ ଛାଡ଼ିବନି,ତେଣୁ ରୋଷେଇଆ ରଖ।ଫ୍ଲାଟ,ଗାଡ଼ି ଝିଅ ନାଁରେ ବୁକ୍ କରିବ ପୁଅ।ଇତ୍ୟାଦି ଇତ୍ୟାଦି।ଆମେ ବାହାଘର ଭାଙ୍ଗିଦେଲୁ।ମୋ ମାମୁଙ୍କ ଝିଅ ପ୍ରସ୍ତାବ ତ ତମେ ବିକ୍ରମଙ୍କ ପାଇଁ ମନା କଲ।ବଢିଆ ଦବା ନବା କରିଥାନ୍ତେ।ବିଏ ପାଶ କରିଛି ଓ କମ୍ପ୍ୟୁଟର କୋର୍ସ ବି କରିଥିଲା।"

ଗଳାଖଙ୍କାରି ଶକୁନ୍ତଳା କହିଲେ ,"ସେ ପରା ମେଟ୍ରିକରେ ଦୁଇଥର ଫେଲ ହୋଇ ଆନ୍ଧ୍ର ମାଟ୍ରିକ ରେ ପାସ ଓ ଆଇଏ, ବିଏ କାଳେ କରେସପଣ୍ଡେନ୍ସ ରେ ପାସ କରିଥିଲା ?ଘର ପାଖରେ କମ୍ପ୍ୟୁଟର ଟିକେ ଶିଖିଥିଲା। ସେଥିରେ ପୁଣି ଟେରୀ।ବିକ୍ରମ କଣ ରାଜି ହୋଇଥାନ୍ତା ?"

- ଟେରି ହେଲେ ପରା ଲଷ୍ମୀମନ୍ତ।ମାଇଁ ଟେରୀ ,ହେଲେ ମାମୁଁ ଟଙ୍କାରେ ଭାସୁଛନ୍ତି।୧୨ ଟା ବସ୍ ଚାଲୁଛି,୩ ଟା ଭଲବୋ ବସ।ସବୁ ଦେଇଥାନ୍ତେ।ତେବେ ଆମ ସରଳିଆ ବିକ୍ରମକୁ ପ୍ରେମରେ ଫସାଇ ସେ ଟୋକି ଏବେ ଖେଳ ଖେଳିବା ଆରମ୍ଭ କଲାଣି।ହୁସିଆରି ଅପା,ତା ସର୍ତ୍ତ କୁ ଯଦି ତମେ ମାନିବ, ତେବେ ବାହାଘର ପରେ ତୁମକୁ ତମ ବୋହୂ ଆଙ୍ଗୁଠି ଅଗରେ ନଚାଇବ।"

ଶକୁନ୍ତଳାଙ୍କ ହୃତସ୍ପନ୍ଦନ ହାଠାତ୍ ବଢିଗଲା।ସତକଥା ; ସେ କେମିତି ଏଭଳି ସର୍ତ୍ତ ମାନିବେ ?କେଉଁ ରୀତି ନୀତି ରେ ବା ଶାସ୍ତ୍ର ପୁରାଣରେ ଏକଥା ଲେଖାହୋଇଛି ?ବିକ୍ରମ ଯାହା ଭାବିଲେ ଭାବୁ, ଏ ବାହାଘର ସେଇଠି ଜମାରୁ ହେବାକୁ ଦେବେନି ସେ।

ସ୍ୱାମୀ ତଥାଗତ ଟିଭି ଦେଖୁଥିଲେ।ଶକୁନ୍ତଳା ପାଖକୁ ଆସି କହିଲେ,"ଆମେ ସେଠାରେ ବାହାଘର କରିବାନି।"

-ଟିଭି'ର ଭଲ୍ୟୁମ କମ କରି ତଥାଗତ ବୋକାଙ୍କ ଭଳି ପଚାରିଲେ ,"କିନ୍ତୁ କାହିଁକି "?

ତାଙ୍କ କାନରେ ଧୀର ସ୍ୱରରେ କିଛି କହିଲେ ଶକୁନ୍ତଳା।

- ତମେ ତାଙ୍କ ଘର ଲୋକଙ୍କ ସହ କଥା ହୋଇଯାଅ।ପିଲାମାନେ ଭାବପ୍ରବଣ ହୋଇ ବେଳେବେଳେ ଏମିତି ଜିଦି କରିଥାନ୍ତି।ଝିଅ ର ଦାଦା,ବଡ଼ ବାପା କିମ୍ବା ମାମୁ କିଏ ବି କନ୍ୟାଦାନ କରିପାରିବ।

- ସେକଥା ମୁଁ ବିକ୍ରମ କୁ ବି କହିଛି।ତମ ପୁଅକୁ ପଚାରୁନ ?

ମୁଣ୍ଡ ପୋତି ପାଖରେ ଆସି ଠିଆହେଲା ବିକ୍ରମ।

- ଗୀତା'ର ସେଇ ଗୋଟେ ଅନୁରୋଧ ବାପା।

ପୁଅ କଥା ଶୁଣି ବିରକ୍ତ ହୋଇ ଶକୁନ୍ତଳା କହିଲେ,"ଅନୁରୋଧ ନୁହେଁ ;ଜିଦି।ଘରକୁ ଆସିବା ପୂର୍ବରୁ ତା ମନମାନି ଚଳାଇବାର ଏହା ହେଉଛି ଆଗୁଆ ସୂଚନା, ଫିଲ୍ମ'ର ଟ୍ରେଲର।ଆଗକୁ କଣ ହେବ କିଏ ଜାଣେ ? ତୋ ପାଇଁ ହଜାରେ ପ୍ରସ୍ତାବ ଆସିବ।"

- ପ୍ଲିଜ ମମି।ଥାଉ ମୁଁ ବାହା ହେବିନି।ତମେ ମାନେ ସବୁ ମଡ଼ର୍ଣ୍ଣ ଚିନ୍ତାଧାରା ରଖିଥିବା ମଣିଷ ଓ ଗୀତା ର ନିଷ୍ପତ୍ତିକୁ ସ୍ବାଗତ କରିବ ବୋଲି ଭାବିଥିଲି।"ରୁମ ରୁ ଚାଲିଗଲା ବିକ୍ରମ।

- କୋର୍ଟରେ ବାହା ହୋଇ ତୁ ସେଠାରେ ତା ସହ ରହ।ଆମେ କିଏ କି ?

ତଥାଗତ ଧୀର ସ୍ୱରରେ କହିଲେ,"ଦେଖ ବାହାଘର ଆମେ ବାଙ୍ଗଲୋର ରେ କଲେ ଏସବୁ କିଏ ଦେଖିବ ?ଆମର ଏଠାରେ ଆଉଥରେ ବାହା କରାଇବା।ତମ ଭାଇ କନ୍ୟାଦାନ .......

ବାଡ଼ି ଠକ ଠକ କରି ବୋଉକୁ ଆସୁଥିବାର ଦେଖି, କଥାକୁ ଅଧାରେ ରଖି ଚୁପ ହୋଇଗଲେ ତଥାଗତ।

- କିରେ ,କଣ ହୋଇଛି ?ମୁଦି ପିନ୍ଧା ସମୟ କେବେ ଠିକ୍ ହେଲା ?ନାତୁଣୀ ବୋହୂ ପରା ବାଙ୍ଗାଲୋର ପୁଣି ଚାଲିଯିବ।"

ତଥାଗତ ଇସାରାରେ ସ୍ତ୍ରୀଙ୍କୁ ଚୁପ୍ ରହିବାକୁ କହୁଥିଲେ ବି ଶକୁନ୍ତଳା ଚିଡି ଯାଇ କହିଲେ,"ସେ ଝିଅ ଜିଦି ଧରିଛି ,ତା ମା ବାହାଘର କରାଇବ।ବାପା ମରିଯାଇଛି ବୋଲି, ଦାଦା,ବଡବାପା,ମାମୁ କିମ୍ବା କେହି ପୁରୁଷ ମଣିଷ ସିନା ବାପା ଜାଗାରେ କନ୍ୟାଦାନ କରିବେ।ବିଧବା ମା କେଉଁଠି କନ୍ୟାଦାନ କରେ ?ଶୁଭ କାମରେ ପରା ସେ ହାତ ଦେଇପାରିବେନି।"

- ତୁ କଣ କହୁଛୁ ତଥାଗତ ?

- ସେ କଣ କହିବେ ?ଧର୍ମ,କର୍ମ ତାଙ୍କୁ କଣ ଜଣା ? ଆପଣ ନିଜେ କୁହନ୍ତୁ ବୋଉ ;

ସାନବୋହୂ ବିନି ସ୍ବର ମିଳାଇ କହିଲା,"ଏସବୁ ଅଧର୍ମ କୁ କଣ ମଡର୍ଣ୍ଣ କହନ୍ତି ?ବର ଓ ବର ପିତାକୁ ବିପଦ ପଡିପାରେ।ନିଜ ପୁଅ,ନାତି ଉପରେ ଆପଦ ଆସୁ ବୋଲି ଆପଣ ଚାହିଁବେ କି ? ଆପଣ ନିଜେ ବିଚାର କରି ବିକ୍ରମ କୁ ବୁଝାଇ ସେ ବାହାଘର ଭାଙ୍ଗନ୍ତୁ।"

ତଥାଗତ କହିଲେ,"ଝିଅ ର ମାଙ୍କୁ ଟିକେ ବୁଝାଇଦେଲେ ସେ ନିଶ୍ଚେ ବୁଝିଯିବେ।ବୋଉ ତୁ ଟିକେ କଥା ହୋଇଯା।"

ଶକୁନ୍ତଳା କହିଲେ,"ବୋଉ , ବିକ୍ରମ ଆପଣ'ଙ୍କ କଥା ଅମାନ୍ୟ କରିପାରିବନି।ଆପଣ ବରଂ ସର୍ତ୍ତ ରଖନ୍ତୁ ଯେ ଝିଅ ର କନ୍ୟାଦାନ ତା ବିଧବା ମା ଛଡ଼ା ଆଉ କିଏ ହେଲେ କରୁ।ତା ଛଡ଼ା ଏହା କଣ ଆମ ସଂସ୍କାର ?

କିଛିସମୟ ଚିନ୍ତା କଲେ ବୃନ୍ଦାବତୀ।ଗମ୍ଭୀର ସ୍ବରରେ କହିଲେ ,"ସତ କହିଛୁ ବୋହୂ, ସଂସ୍କାର କଥା ଆଗେ ଚିନ୍ତା କରିବା କଥା। ଆଜିକାଲିକା ଝିଅ ଆମକୁ ମଡର୍ଣ୍ଣ ପାଠ ଶିଖାଇବ ?ତେବେ ମୋତେ ଗୋଟେ କଥା ବୁଝାଇଦେ ;ସାରାଜୀବନ ଏତେ ଧର୍ମ କର୍ମ ମୁଁ କରିଛି : ସବୁ ରୀତିନୀତି ସଂସ୍କାର ମାନିଛି। ହେଲେ ତମ ଶଶୁର କାହିଁକି ଚାଲିଗଲେ?ମୁଁ ବିଧବା କାହିଁକି ହେଲି ?ଶୁଭ କାମରେ ମୁଁ ବିଧବା ବୋଲି ହାତ ମାରିପାରେନା ବୋଲି ଘର ଭିତରେ ଲୁଚାଇ ଲୁଚାଇ ସବୁବେଳେ କାନ୍ଦେ।ମା ହିସାବରେ ପିଲା ଉପରେ ,ବାପା ଭଳି ସମାନ ଅଧିକାର ଅଛି।ଆଜିକାଲି ପରା ଝୁଅ ମାନେ ବାପା,ମାଙ୍କୁ ମୁଖାଗ୍ନି ଦେଲେଣି।ସେ ଝିଅକୁ ଆମେ ଧନ୍ୟବାଦ ଦେବା କଥା। "

ଟିକିଏ ନିଶ୍ବାସ ନେଇ ପୁଣି କହିଲେ," ଯେଉଁ ଝିଅ ନିଜ ମା କୁ ଏତେ ସମ୍ମାନ ଦେଉଛି,ସେ କେତେ ସଂସ୍କାରୀ ନହୋଇଥିବ ?ତା ଭଳି ବୋହୂ ପାଇବା ଗର୍ବର କଥା।ଯଦି ତଥାଗତ ବର ପିତା ହେବାକୁ ତମେ ଚାହୁଁନ ,ତେବେ ମୁଁ ମୋ ନାତି ର ବାହାଘର କରିବି।ଦୁଇ ବିଧବା ସ୍ତ୍ରୀ ଲୋକ ବେଦିରେ ଶୁଭକର୍ମ କଲେ କାହାର ବୋଧେ ଅମଙ୍ଗଳ ହେବନି ?ବାହାଘର ପାଇଁ ମୋର ଏଇ ସର୍ତ୍ତ ନାତୁଣୀ ବୋହୂକୁ ଜଣାଇ ଦେ।"

କବାଟ କୋଣରେ ଠିଆ ହୋଇଥିବା ବିକ୍ରମ ଦୌଡ଼ିଆସି କୁଣ୍ଢାଇ ପକାଇଲା ଜେଜେମା'କୁ।

(@ଅରବିନ୍ଦ ଦାସ)


Rate this content
Log in