Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଚୁଡ଼ି
ଚୁଡ଼ି
★★★★★

© Aravinda Das

Tragedy

3 Minutes   7.0K    19


Content Ranking

ଚୁଡ଼ି

****

ସେଦିନ ସ୍ତ୍ରୀଙ୍କ ଡିମାଣ୍ଡ ଶୁଣି ଚମକି ପଡିଲେ ପ୍ରକାଶ।

ସୁନାଚୁଡ଼ି ପ୍ରତି ଦୀପା'ର ପ୍ରବଳ ଆସକ୍ତି।ସୁନା ଦୋକାନରେ ପହଁଚିଲା ମାତ୍ରେ, ସେ ଆଗେ ଚାଲିଯାଏ ଚୁଡ଼ି,କଙ୍କଣ ଥିବା ଜାଗାକୁ।

ଛୋଟ ପିଲାଙ୍କ ଭଳି ଅଳି କରେ ପ୍ରକାଶ ସହିତ।ନବବିବାହିତ ପତ୍ନୀଙ୍କ ଇଚ୍ଛାକୁ ମନା କରିପାରେନା ପ୍ରକାଶ।

ହେଲେ ଆଜି ନିଜ ବଦଳରେ ,ଶାଶୁଙ୍କ ପାଇଁ ଚୁଡ଼ି ନେବାକୁ କହୁଥିଲା ଦୀପା।

କାରଣ, ଦିନେ ଶାଶୁଙ୍କ ଆଲମାରୀରୁ ବେଡ଼ସିଟ କାଢୁ କାଢୁ ,ଦୀପା'ର ଆଖି ପଡିଗଲା ଦୁଇଟା ଚୁଡ଼ି ଡବା ଉପରେ।ନିଜ ଲୋଭ ସମ୍ଭାଳି ନପାରି ଡବା ଖୋଲି ଦେଖିବାକୁ ଚାହୁଁଥିଲା ଦୀପା ,କେଉଁ ଡିଜାଇନ ର ଚୁଡ଼ି ଅଛି ବୋଲି।ହାଠାତ୍ ପଛପଟେ ଗାୟତ୍ରୀଙ୍କ ସ୍ୱର ଶୁଣି ନିଜକୁ ସମ୍ଭାଳି ନେଇ ବୁଲିପଡ଼ି କହିଲା, 

"ମମି, ଆପଣ ଆଲମାରୀରେ ସୁନା ଚୁଡ଼ି ରଖିଛନ୍ତି ; କିନ୍ତୁ କାହିଁକି ପିନ୍ଧୁ ନାହାନ୍ତି ? ପୁରୁଣା ଡିଜାଇନ ଯଦି ପସନ୍ଦ ନୁହେଁ, ତେବେ ଚାଲନ୍ତୁ ବଦଳାଇ ଦେଇ ନୂଆ ଡିଜାଇନ ଚୁଡ଼ି ନେଇ ଆସିବା।"

" ବୁଢ଼ୀ ଦିନରେ ଆଉ ସଉକ କଣ ? ଆଜିକାଲି ଚୋରଗୋଳ ଯାହା ସେଥିରେ ପିନ୍ଧିବାକୁ ଡର ବି ମାଡୁଛି।ତୁ ବି ହୁସିଆର ଥିବୁ।"ଆଲମାରୀ ବନ୍ଦ କରୁକରୁ କହିଲେ ଗାୟତ୍ରୀ।

ମମି, ଡିଜାଇନ ଟିକେ ଦେଖିବି ?ନିଶ୍ଚୟ ଆଣ୍ଟିକ ଡିଜାଇନ ହୋଇଥିବ।"

ମୁରୁକି ହସିଦେଇ ଗାୟତ୍ରୀ କହିଲେ, "ତୋର ପରା ଏତେ ଚୁଡ଼ି ଅଛି।"

ଲଜ୍ଜିତ ହେଲା ଦୀପା।ସେ ଦେଖିଲା ବାଲକୋନି ରେ ଗୁମସୁମ୍ ହୋଇ ବସିଥିଲେ ଶାଶୁ।

ଛିଃ, କାହିଁକି କହୁଥିଲା ସେ ? ଶାଶୁ ତାକୁ ନିଶ୍ଚୟ ଲୋଭୀ ବୋଲି ଭାବୁଥିବେ।ମନେମନେ ଭାବିଲା,ଦୋକାନରୁ ନୂଆ ଚୁଡ଼ି ଆଣି ଶାଶୁଙ୍କୁ ଉପହାର ଦେବ।

"ଜାଣିଛ !ମମି ତାଙ୍କ ଚୁଡ଼ି ମୋତେ ଦେଖାଇଲେ ନାହିଁ।ଡବାରେ ରଖିଛନ୍ତି, ଅଥଚ ଖାଲି ହାତ ହୋଇ ବୁଲୁଛନ୍ତି।ତମେ ବି ଆଛା ପୁଅ ହୋଇଛ ।ନିଜ ବୋଉ ଖାଲି ହାତରେ ବୁଲିବା ତମକୁ ଭଲ ଲାଗୁଛି ?

ଚୁଡ଼ି ନକିଣି ଦୋକାନରୁ ସିଧା ଘରକୁ ଫେରି ଆସିଲା ପ୍ରକାଶ।ବାଟ ସାରା କିଛି କଥାବାର୍ତ୍ତା କରିନଥିଲା ସେ।ଆଶ୍ଚର୍ଯ୍ୟ ହୋଇଗଲା ଦୀପା।

ସେଦିନ ରାତିଅଧରେ ପ୍ରକାଶ ଗାୟତ୍ରୀଙ୍କ ଫଟ ଧରି କାନ୍ଦୁଥିବାର ଦେଖି ଡରିଗଲା ଦୀପା।ସ୍ବାମୀର କାନ୍ଧରେ ହାତରଖି ସାନ୍ତ୍ବନା ଦେଲା ସେ।ଲୁହ ପୋଛି ପ୍ରକାଶ କୋହଭରା ସ୍ୱରରେ କହିଲା,

"ତମେ ପଚାରୁଥିଲ ନା, ମମି ଚୁଡ଼ି ରଖି କାହିଁକି ପିନ୍ଧୁନାହାନ୍ତି ବୋଲି ? ମମି'ର ସେ ଡବା ପୁରା ଖାଲି।"

" ଖାଲି ! କୁଆଡେ ଗଲା ଚୁଡ଼ି ! ତମେ କିଣି ଦେଉନ ? ତମ ପଢା ପାଇଁ ବିକି ଦେଇଛନ୍ତି ବୋଧେ।"

ଦୀର୍ଘନିଶ୍ବାସ ଛାଡି ପ୍ରକାଶ କହିଲା, "ବାପାଙ୍କ ବିଜିନେସ ଓ ମୋ ପଢା ପାଇଁ ମମି ତାଙ୍କର ଜଣେ ସାଙ୍ଗଙ୍କ ଠାରୁ ଟଙ୍କା ଧାର କରିଥିଲେ।ସୁଧମୂଳ ବଢିଚାଲିଥିଲା।ବାପାଙ୍କ ବିଜିନେସ ରେ ବହୁତ ଲସ୍ ହୋଇଗଲା।

ମମିଙ୍କ ସାଙ୍ଗ ସବୁବେଳେ ଟଙ୍କା ମାଗି ଅପମାନିତ କରୁଥିଲେ ଓ ଘର ଆଗରେ ବଡ଼ ପାଟିବି କରୁଥିଲେ।ମମି ତାଙ୍କୁ ବୁଝାନ୍ତି,ସୁଝି ଦେବାକୁ ଭରସା ଦିଅନ୍ତି।

"ଟଙ୍କା ସୁଝା ହେଉନି, ଅଥଚ ସୁନା ଚୁଡ଼ି ପିନ୍ଧି ମହାରାଣୀ ଫୁଟାଣି ମାରୁଛନ୍ତି।'

ସେଦିନ ସନ୍ଧ୍ୟାରେ ମମି ନିଜ ହାତରୁ ସବୁତକ ସୁନା ଚୁଡ଼ି ଓ ମୋର ଏକୋଇଶିଆ ଚେନ ଦେଇଦେଲେ ପମି ଆଣ୍ଟିଙ୍କ ହାତକୁ।ମୁଁ ଯାଇଥିଲି ଆଣ୍ଟିଙ୍କ ସହ ଦୋକାନକୁ ସୁନା ଓଜନ କରିବା ପାଇଁ।ବାରମ୍ବାର ମମିର ଶୁଖିଲା ମୁହଁଟା ମନେପଡି ଛାତିଟା ଫାଟିଗଲା ପରି ଲାଗୁଥିଲା।ଲୋକମାନେ ଏମିତି ହୃଦୟହୀନ କେମିତି ହୁଅନ୍ତି ?ସେଦିନ ଲାଗୁଥିଲା ଚୁଡ଼ି ବଦଳରେ ମମିର ଲୁହକୁ ଓଜନ କରାଯାଉଥିଲା।ଓଃ,ସେଦିନ ପମି ଆଣ୍ଟି ନିଜ ପଇସା କାଟି ଛଶହ ଟଙ୍କା ମୋ ହାତକୁ ବଢ଼ାଇ ଦେଇଥିଲେ।

ରାତିସାରା ମମି କାନ୍ଦୁଥିଲା।ଅନେକ ଦିନ ଯାଏ କାନ୍ଦୁଥିଲା।ନିଜେ ପରିଶ୍ରମ କରି ମମି ବିଜିନେସ କରି ଘର ସମ୍ଭାଳିଲା ଓ ଆମର ନୂଆ ଜନ୍ମହେଲା।ହେଲେ ମମି ଆଉ ଚୁଡ଼ି ପିନ୍ଧିଲାନି। ସେଇ ଖାଲି ଡବା କଥା ଭାବି ଆଜି ବି ମୁଁ କାନ୍ଦେ।ଭାବେ ,କେତେ ହାତଭାଗା ପୁଅ ମୁଁ !ସେଦିନ ମୋ ମା କୁ ଖାଲି ହାତ ହେବାରୁ ରକ୍ଷା କରିପାରିଲିନି।

"ସେ ପମି ବୁଢ଼ୀ ଏବେ କେଉଁଠି ?ମମିଙ୍କ ଚୁଡ଼ି ନେଇ ଆସିଲନି ?"

"ବହୁତ ପଇସାବାଲା ଥିଲେ ପମି ଆଣ୍ଟି।ତଥାପି କାହିଁକି କେଜାଣି ମମିଙ୍କୁ ଛୋଟ ଦେଖାଇବା ପାଇଁ, ଆମ ଅସହାୟତା ଉପରେ ହସିବା ପାଇଁ ବୋଧେ ଏମିତି କରୁଥିଲେ।

ହେଲେ ଆଜି କଥା ଏକଦମ ଓଲଟା। ଅଙ୍କଲ ଆଉ ଜଣେ ସ୍ତ୍ରୀ ଲୋକ ସହ ରହୁଛନ୍ତି।ଆଣ୍ଟିଙ୍କ ପୁଅ ଡ୍ରଗ୍ ଆଡିକ୍ଟ।ଆଣ୍ଟିଙ୍କୁ ଏବେ ଚିନ୍ହି ହେବନି।କିନ୍ତୁ ଆମେ ବେଶ ସୁଖରେ ଅଛୁ। ମମିର ଚୁଡ଼ି ସେ କାହାକୁ ବିକି ଦେଇଥିଲେ।ବାସ୍ ସେଇ ଦିନରୁ ମମି ଖାଲି ହାତରେ.....

ଦୀପା କହିଉଠିଲା, "ନିଶ୍ଚୟ ମମିଙ୍କ ନିଶ୍ବାସ ପଡିଥିବ "।

ଗୋଟେ ଦୀର୍ଘ ନିଶ୍ବାସ ଛାଡି ପ୍ରକାଶ କହିଲା, "ମମି ଏକଦମ ଭିନ୍ନ ଧାତୁରେ ଗଢ଼ା ମଣିଷ।ଆଣ୍ଟିଙ୍କୁ ସେ କେବେଠୁ କ୍ଷମା କରିଦେଇଥିଲା। ପରେ ତାଙ୍କ ଅସୁବିଧା ବେଳେ ସାହାଯ୍ୟ ବି କରିଛି। ମୁଁ ବିରକ୍ତ ହେଲେ କହେ, ସେ ଚୁଡ଼ି ସହିତ ଆମର ଖରାପ ବେଳ ଚାଲିଗଲା।ସୁନା,ଟଙ୍କା ଯଦି ମଣିଷକୁ ଖୁସି ଦେଇପାରନ୍ତା ତେବେ ପମି ପରି ମଣିଷମାନେ କେତେ ଖୁସି ରହନ୍ତେ।"

କିନ୍ତୁ ଦୀପା ,ମୁଁ ଭଲ ଭାବେ ଜାଣେ ମମି ଆଜି ବି ସେ ଚୁଡ଼ି କଥା ମନେପକାଇ କାନ୍ଦେ, ମୋ ଭଳି।"

ଗୁମ୍ ହୋଇ ବସିଗଲା ପ୍ରକାଶ।

ଗାୟତ୍ରୀଙ୍କ ଖାଲି ହାତ ମନେପଡି, ଦୀପା ଆଖିରେ ଲୁହ ଜକେଇ ଆସୁଥିଲା।

😢(ଅରବିନ୍ଦ ଦାସ)

ଚୁଡି ଆଣ୍ଟି ପୁଅ

Rate the content


Originality
Flow
Language
Cover design

Comments

Post

Some text some message..