Quotes New

Audio

Forum

Read

Contests


Write

Sign in
Wohoo!,
Dear user,
କଂସା ..କଂସା।
କଂସା ..କଂସା।
★★★★★

© Balaram Barik

Tragedy

4 Minutes   5.3K    18


Content Ranking

ସାବି ମା ମୁଣ୍ଡରେ ହାତ ଦେଇ ନିଦା ପଥର ପରି ବସିଛି।ଆର ହାତଟି ପେଶା ଉପରେ ।ଧକେଇ ଧକେଇ କାନ୍ଦୁଛି।ନିଜ କରମ କୁ ନିନ୍ଦୁଛି।ବର ବର ହେଇ କହୁଛି....ଅନ୍ତ ଫାଡ଼ି କାହିଁକି କେଜାଣି ତୁମ ଦୁଇଟାକୁ ଜନମ ଦେଇ ଥିଲି।ତୁମେ ଦି ଟା ଏମିତି ହେବ ଜାଣିଥିଲେ ତୁମକୁ ଜନମ ଦେଇ ନଥାନ୍ତି।

ସେ ବଡୁ ଟା ତ ଘର ର ସବୁ ବିକି ଭାଙ୍ଗି ଖାଇଲା।କାମ ଧନ୍ଦା କୁ ଗଲା ନାହିଁ।ଚାରି ଚାରି ଟା ଛୁଆ କଣ ଖାଇବେ ?

ସାନୁ ଟା ତହୁଁ ବଳି।ଦିନ ସାରା ଦେଖା ନାହିଁ ,କୁଆଡେ ବୁଲୁଛି ସଞ୍ଜ ହେଲେ କୋଉଠୁ ପେଟେ ମଦ ପି ଚାଲି ଆସୁଛି।ମାଇପ ପୋଖତା ତା ପ୍ରତି ନିଘା ନାହିଁ।

ଦୁଇ ଭାଇ ଓଲଟା ରାତିଦିନ ମାଡ଼ଗୋଳ ହେଉଛନ୍ତି ,ଆମକୁ ଭିନେ କରିଦିଅ ।ଆମେ ଅଲଗା ରାନ୍ଧି ଖାଇବୁ।

ଆରେ ଖାଇବ କଣ ??? ରାନ୍ଧିବା ପାଇଁ ଦାନା କାହିଁ ତୁମ ପାଖରେ ??କେବେ ଚିନ୍ତା କରିଛ।ବଡ଼ ବହୁ କବାଟ କଣ ରୁ ନୁଖୁରା କଣ୍ଠରେ...

-କାହିଁକି ତୁଚ୍ଛା ଟାରେ ଗର ଗର ହେଉଛ।

କଣ ଏମିତି ସେ କରିଦେଲେ ଯେ...

ବାପର ସମ୍ପତି ଉପରରେ କଣ ପୁଅର ଅଧିକାର ନାହିଁ।

ତୁମେ ଏମିତି କଣଟା ସମ୍ପତି ରଖିଛ ଯେ ଆମ ପାଇଁ।

-ଆଲୋ ତୋର ତ ଭାରି ସାହସ।ନିଜ ଗେରସ୍ତ କୁ ବୁଝାଉନୁ କିଛି କାମ ଧନ୍ଦା କରିବ।ଏମିତି କେତେଦିନ ଚଳିବ ।

-ସେ ଖାଲି ମୋର ଗେରସ୍ତ ନୁହଁ।ତୁମ ପୁଅ ।ତାକୁ ତୁମେ କହୁନ ମୁଁ କେତେ କହିବି।

-କିଛି କହିବୁନି ଖାଲି ଶୁଖୁଆ ପୋଡା ଆଉ କଂସେ ପଖାଳ ଗେଫିବୁ ସକାଳୁ।

-କଣ କହୁଛୁ ବୋଉ?କାହିଁକି ତା ଉପରେ ଏମିତି ଗର ଗର ହେଉଛୁ??କଣ ତୋର କ୍ଷତି କଲା ସେ।

-ଓଃ ଆସିଗଲୁ ମୋ ରୋଜଗାରିଆ ପୁଅ।

ଏ ବୁଢ଼ା ବୟସ ରେ କେତେଦିନ ତୋ ବାପ ମାଟି କାଦୁଅ ରେ ବିଲ ରେ ଖଟିବ।ତୁମ ଦି ଜଣଙ୍କୁ ପାଳିପୋଷି ବଡ଼ କଲୁ।ଏ ବୟସ ରେ ତୁମେ ଆମ ସାହାରା ହେବା କଥା।ଓଲଟା ତୁମେ ଦି ଭାଇ ବୋଝ ଉପରେ ନଳିତା ବିଡା ସାଯିଛ।

-ବୋଉ ସେମିତି କହନା କହିଦେଉଛି।ମୁଁ ସେ ବିଲ ଫିଲ କୁ ଯାଇପାରିବି ନାହିଁ କାମ କରିବାକୁ।ତୋତେ ପରା କହିଥିଲି ,ବାପା କୁ କହି ମୋ ଭାଗ ର ଜମିତକ ମୋ ନାଁ ରେ କବଲା କରେଇ ଦେ।ମୁଁ ତାକୁ ବିକି ଦୋକାନ କରିବି।କୋଉ ଚାଷ ଗୁଡା ମାଡି ଯାଉଛି ଯେ ଜମି ଗୁଡା ପକେଇ ରଖିଛ।

-ହଁ ଭାଗ ନେବୁ।ଅନେଇ ଥା ।

-ମୋ ସାବି ର ବି ହକ୍ ଅଛି ।ଏକା ତୁମେ ଦି ଜଣ କାହିଁକି?

ସେ ବି ଆସିବ ତା ଭାଗ ନେବ।

-ବୋଉ।ସେ ରାସ୍ତା ପାଖ ଜମିଟା ମୋତେ ମିଳିବା ଦରକାର ।ମୁଁ ସେଠି କୁକୁଡ଼ା ଫାର୍ମ ଖୋଲିବି।

-ତୁ ମଦ ପି ବାରୁ ନିସ୍ତାର ପାଇଲେ ସିନା ଯାହା କରିବୁ।ସବୁ ତ ..ପି ପି ସାରି ସାରିଲୁଣି।ଶେଷରେ ନିଜ ମାଇପ ର କାଚ ଶଙ୍ଖା ବିକିବୁ।ତୋ ଭଳି ମଦୁଆ ପୁଅ ଜନମ କରି ମୁଁ ଆଜି ଦଇବ କୁ ନିନ୍ଦୁଛି।

-କାହା ଉପରେ ବରସୁଛୁ ଲୋ ସାବି ମା ???

ଏଗୁଡା ତ ମୁଣ୍ଡା ଅଳସୁଆ ।

ମୁଁ ଆଉ କିଛି କହୁନି ୟାଙ୍କୁ।

ସହି ହେଉନି ଆଉ ।ମୁଁ ରାସ୍ତରେ ଆଉ ମୁଣ୍ଡ ଟେକି ବାଟ ଚାଲି ପାରୁନି ।ଗାଁ ର ଅଧାଦୋକାନ ରେ ବାକି ଖାତା ଏ ଦୁହିଁଙ୍କ ର ।ଆଉ ୟାଙ୍କ ବାକି ଖାତା ମୁଁ ସୁଝିବି।

"ସନା "କାଲି ଝଗଡାଝାଣ୍ଟି କରିଛି ମଦ ପି।ଲୋକ ଛି ଛାକର କରୁଛନ୍ତି।

ଭାବୁଛି ଭଦର ଲୋକ ଡାକି ବଣ୍ଟା କୁଣ୍ଟା କରିଦେବି।

କମସେ କମ ମଲା ବେଳେ ମୋ ଆତ୍ମା କୁ ତ ଟିକେ ଶାନ୍ତି ମିଳିବ।

ହଁ ହଁ ଅଡୁଆ ତୁଟେଇ ମରିବି।

-କାହିଁକି ଯେ ସେ ଅଲକ୍ଷଣା କଥା ଗୁଡାକ ତୁଣ୍ଡରେ ଧର!!!!!

ଯାହା ତୁମ ଇଚ୍ଛା କର।ଆମକୁ ଦୁଇ ଓଳି ଖାଇବାକୁ ଏମାନେ ଦେଇ ପାରିବେ କି ନାହିଁ ଭାବି ମୋର ମୁଣ୍ଡ କିଛି କାମ କରୁନି।

-ଆଲୋ ସାବି ମା... ଯେତେଦିନ ଯାଏ ମୁଁ ଅଛି ତୋର କିଛି ଅସୁବିଧା ହେବନି।

ତା ପରେ.........

-ପୁଣି ସେଇକଥ।..!!!!!!

ତହିଁ ଆର ଦିନ

ଦାଣ୍ଡ କମ୍ପୁଛି ।ସନା ଆଉ ଦୀନା ପରସ୍ପର କୁ ଗାଳି ଗୁଳଜ କରୁଛନ୍ତି।ଆଶ୍ରାବ୍ୟ ଭାଷା ରେ ।ମୁଖୀ ମରାମରି।ଚୁଟି ଝିଙ୍କା ଝିଙ୍କି।ଦୁଇ " ଜା " ବି ରଣଚଣ୍ଡୀ ସାଜିଛନ୍ତି।ନିଜ ଲୁଗା ର କାନି କୁ ଅଣ୍ଟାରେ ଗୁଡେଇ ଉଭୟଙ୍କ ଗେରସ୍ତ କୁ ପରସ୍ପର ବିରୁଦ୍ଧରେ ଲଢେ଼ଇ କରିବାକୁ ମାନସିକ ସାହାଯ୍ୟ ଯୋଗାଉଛନ୍ତି।ଜଣେ ଅନ୍ୟଜଣଙ୍କ ଗୋହି ପୁରାଣ ତାଡିବାକୁ ମଧ୍ୟ ପ୍ରଚେଷ୍ଟା ରେ ଲାଗି ପଡିଛି।

ଦାଣ୍ଡ କବାଟ ମେଲା ଥାଏ।କେହି ବି ସହଜରେ ଦେଖିପାରିବ ପାରିବାରିକ ଅନ୍ତରଦ୍ବନ୍ଦ ର ଅଭାବନୀୟ ଦୃଶ୍ୟ ଗୁଡ଼ିକୁ।ସାବି ମା ଦୁଇ ପୁଅକୁ ନ ଲଢ଼ିବାକୁ ତାଗିଦା କରୁଛି।କିନ୍ତୁ କିଏ ମାନିବ ???ଦୀନା ନା ସନା !!!! ମା'କଥା କୁ କେହି ଶୁଣୁ ନାହାନ୍ତି।ଓଲଟା ବୁଢୀ କୁ ଠେଲି ଦେଉଥାନ୍ତି।

ସାବି ବାପା ,ପୁଅ -ବୋହୁଙ୍କୁ କିଛି କହି ପାରୁନାଥାଏ ।କଣ ଵା କହିବ!!କିଏ ଶୁଣିବା ଅବସ୍ଥା ରେ ଥିଲେ ସିନା।ବାଧ୍ୟ ହୋଇ ଭଦ୍ରଲୋକ ଡାକିଲା।

ଭଦ୍ରଲୋକ ଆସି ପହଁଚିଲେ।ସାବି ମା ମସିଣା ଗୋଟେ ପକାଇ ଦେଲା।ଗାଁ ମୁଖିଆ ଦିବାକର ମଉସା ନିଷ୍ପତି ନେଲେ।ସମ୍ପତି ବଣ୍ଟା ହେବ।ଘର ଆଉ ଘର ର ସବୁ ଜିନିଷ ଦୁଇ ଭାଇଙ୍କ ମଧ୍ୟରେ ସମାନ ଦୁଇ ଭାଗ ହେବ।ପଞ୍ଚ ରେ ଥିବା ସାଧୁ ମଉସା ଶୁଣାଇଲେ ଜମି କୁ ତିନି ଭାଗ କରାଯିବ।ସାବି ଗୋଟେ ଭାଗ ଜମି ନେବ।

ଦୀନା କହିଲା।ଜମିରୁ ଭାଗ ତାକୁ କାହିଁକି ଦିଆ ଯିବ??ବାପା ବୋଉ ତ ଆମ ପାଖରେ ଖାଇବେ।ସିଏ ତ ବାହା ହୋଇ ଶାଶୁ ଘରକୁ ଚାଲି ଗଲାଣି।ଓଲଟା ପୁନେଇ ପରବ ରେ ତା ଘରକୁ ଆମକୁ ଯିବାକୁ ପଡିବ।

ପଞ୍ଚ ମୁଖ୍ୟ ଦିବାକର ମଉସା ମଧ୍ୟ ସାଧୁ ମଉସା ଙ୍କ କଥାକୁ ଉଚିତ୍ ମନେ କଲେ।ଦୁଇ ଭାଇଙ୍କ କଥା କଟିଲା।

ବୁଢୀ କହିଲା ....ଆଉ ଆମ ବୁଢ଼ା-ବୁଢୀ ଙ୍କ ଭାଗ ରେ କଣ ??

ଆମେ କେମିତି ଚଳିବୁ!!!

ନିଷ୍ପତି ହେଲା ପନ୍ଦର ଦିନ ର ଖୋରାକ ଆଉ ଲୁଗା "ସନା "ଦେବ ଆଉ ଆର ପନ୍ଦର ଦିନ "ଦୀନା "ଦେବ।

ବୁଢ଼ା -ବୁଢୀ ମୁହଁକୁ ଚାଁହୁଥିଲା ।ବୁଢୀ -ବୁଢ଼ା ମୁହଁ କୁ ଚାଁହୁଥିଲା।ଅଜାଣତରେ ଦୁହିଁଙ୍କ ଆଖି କୋଣ ରୁ ଲୁହ ଧାର ବହି ଚାଲି ଥାଏ।

ମୋତେ ଲାଗିଲା ବୋଧହୁଏ ଦୁଇଜଣ ପରସ୍ପର କୁ ଇସାରା ରେ ପଚରା ପଚରି ହେଉଥିବେ ,ଏଇଥିପାଇଁ କଣ ଆମେ ଲକ୍ଷେ ଶିବ ପୂଜି ପୁଅ ପାଇବାକୁ ମନାଶି ଥିଲେ।

ବୁଢୀ ରାଗ ତମ ତମ ହୋଇ ଘର ଭିତରକୁ ଯାଉଥାଏ ସବୁ ଜିନିଷ ଆଣି ପ୍ରତିଥର ଖଞ୍ଜା ଦୁଆରେ ଫୋପାଡ଼ି ଦେଉଥାଏ ଆଉ କହୁଥାଏ। ନିଅ ୟାକୁ ଦୁଇ ଭାଗ ରେ ବାଣ୍ଟ କର।

ସନା ଆଉ ଦୀନା ଅଲାଜୁକ ପରି ଅଧେ ଅଧେ ବାଣ୍ଟୁଥିଲେ ସବୁ ଜିନିଷ।ଧାନବସା ହାଣ୍ଡି ,ବାଉଁଶ କୁଲା, ନାଳିଆ,ଗାଇ ବଳଦ ଙ୍କ ପଘା,ଓଳି ତଳେ ଥିବା ଗୋବର ଘଷି ,ଗାଇ,ବଳଦ,କୁକୁଡ଼ା ସବୁ ବାଣ୍ଟ ହେଇଗଲା।

ଶେଷରେ ବୁଢୀ କଂସା ତିଆରି କଂସା ଗୋଟେ ଖଞ୍ଜା ରେ ଫିଙ୍ଗି ଦେଲା କହିଲା ନିଅ ୟାକୁ ଦି ଭାଗ କର।ପଟେ କଂସା ଥିଲା।ଦୀନା କହିଲା।ମୁଁ ନେବି ।କାରଣ ମୁଁ ଏଥିରେ ପଖାଳ ଖାଇବି।ସନା କହିଲା ମୁଁ ନେବି ଦେଖୁନ ମୋତେ ମିଳିଥିବା କଂସା ଗୁଡିକ ରସ ରେ ତିଆରି ଚେପା-ମେପା ବି ହେଇଯାଇଛି।ମୋତେ ସେ କଂସା ପଟକ ଦିଆ ଯାଉ।

ଦୁଇ ଭାଇ କେଇ କାହାକୁ ଫୁଟେ ଛାଡିବାକୁ ନାରାଜ।ଜିଦି କମ୍ ନୁହେଁ।ଭଦ୍ର ଲୋକ ବସିଛନ୍ତି ଘରେ ....ପଟେ କଂସା ପାଇଁ ବାଡ଼ିଆ ପିଟା ଦୁଇଭାଇ।

ବୁଢୀ ବାପ ଘରୁ ଯୌତୁକ ରେ ଆଣିଥିଲା କଂସା ପଟକ।ସାବି ବାପା କୁ ବୁଢୀ ଅତି ସରାଗ ରେ ସେଇ କଂସା ର କଂସା ରେ ପଖାଳ ବାଢିଦିଏ।ବୁଢ଼ା ସେଇ କଂସା ରେ ପଖାଳ ଉପରେ କାକୁଡି ଦୁଇ ସୋରା ପକେଇ ଦିଏ।ଲେମ୍ବୁ ଫାଳେ ଚିପୁଡ଼ି ଦିଏ।ନାଲି କଞ୍ଚା ଲଙ୍କା ଦିଟା ଦଳି ଦେଇ ,ସଡ୍ ସଡ୍ ଗୁଣ୍ଡା କରି ଗେଫି ଦିଏ।

ବୁଢ଼ା କଂସା ଟିକୁ ଅନେଇ ଭାବୁଥାଏ ...ସତରେ କଣ ମୁଁ ଆଉ ଏ କଂସା ରେ ପଖାଳ ଖାଇ ପାରିବି!!!!!!

ଦୁଇ ଭାଇ ଧସ୍ତା ଧସ୍ତି ହେବା ଭିତରେ କଂସା ଟି ଛିଟିକି ଯାଇ ବୁଢ଼ୀ ମୁଣ୍ଡରେ ଜୋର ରେ ବାଜିଲା।ବୁଢୀ , ମାଲୋ ମରିଗଲି କହି ଲଦ୍ କିନା ତଳେ ଗଡି ଗଲା।

ବୁଢ଼ା ଦୋୖଡି ଯାଇ....

ଆଲୋ କଣ ହେଲା ତୋର ଉଠ୍...

ସାବି ମା....ଏ ସାବି ମା ....

ଆଲୋ ଉଠ୍ !!!!!!

✍ବଳରାମ ବାରିକ ©

ଯାଜପୁର /ଝାରସୁଗୁଡା।

କଂସା ଧନ୍ଦା ରୋଜଗାରିଆ

Rate the content


Originality
Flow
Language
Cover design

Comments

Post

Some text some message..