Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ମହୁରାଳି ମାଛ ଓ ବ୍ୟାଙ୍କ ଅଫିସର୍
ମହୁରାଳି ମାଛ ଓ ବ୍ୟାଙ୍କ ଅଫିସର୍
★★★★★

© Manoj Kumar Panda

Inspirational Tragedy

9 Minutes   325    12


Content Ranking

ସହରରେ କୋଡ଼ି ବର୍ଷ କଟେଇବା ପରେ ରଞ୍ଜିତ ଏବେ ଏଇ ବଜାରରେ ଥିବା ବ୍ୟାଙ୍କକୁ ଆସିଛି ଫିଲ୍ଡ ଅଫିସର ହୋଇ । କଲେଜ ପଢ଼ା ଶେଷରେ ଚାକିରି ପାଇ ସହରୀ ଝିଅଟିଏ ବାହା ହେଲାପରେ କେତୋଟି ବର୍ଷ ଅତି କଷ୍ଟରେ ସହରରେ ବିତିଗଲା । ଗାଁରେ ଖାଇ ଗାଁ ପାଖ କଲେଜରେ ପାଠ ପଢୁଥିଲା । ମୂଳଦୁଆ ଗଢ଼ିବାର ସମୟ ଗାଁରେ କଟିଗଲା । ଗାଁର ଜହ୍ନପରି ସହରର ଜହ୍ନ ତା’ ଉପରେ ରେଖାପାତ କରେନା । ଚଇତର ଉଦ୍ଧତ ଚଇତାଳି ବଇଶାଖର ଶିରିଶିରି ସଞ୍ଜ ବାଆ ନିଖୋଜ । ଏଠି ଯେମିତି ପଉଷ ମାସରେ ହେଁସ ଘୋଡ଼ି ହୋଇ ଶୋଇବାରେ ଭାରି ମଜା । ଗାଁ ଶେଷ ମୁଣ୍ଡରେ ଫଗୁଭାଇଙ୍କ ଡିହରେ ଛନ୍‌ଛନ୍ ନୀଳ ଦୂବଘାସ ବୋଝେଇ ହୋଇଥାଏ । ଚାରିଟାବେଳେ ସ୍କୁଲ୍ରୁ ଆସି ବାଗୁଡ଼ିଖେଳ ହୁଏ । ସେସବୁ ସ୍ମୃତି ହୋଇ ତା’ ଭିତରେ ଗୋଟା ପଣେ ଫେଣ୍ଟି ହୋଇଯାଇଛି ।

ତା’ ଭାବନା ସହ ଶିଖାର ଭାବନା ମିଶିଲା ନାହିଁ । ଶିଖା ସହରୀ ଝିଅ । ଗାଁ କଥା ପଡ଼ିଲେ ନାକଟେକେ । ଶିଖାର ମାମୁଁଘର ବି ଗାଁରେ । ହେଲେ ତା’ ଜୀବନରେ ମାମୁଁ ଗାଁକୁ ଥରେ ଆସିଛି କି ନା ସନ୍ଦେହ । ଅସରାଏ ବର୍ଷା ହେଲେ ଗାଁ ଦାଣ୍ଡରେ କାଦୁଅ । ରୋଗ ହେଲେ ପାନେ ଔଷଧ ମିଳେନା । ସହର ପରି ସିନେମା ହଲ୍ ପାର୍କଟିଏ ବି ନାହିଁ । ଝାଡ଼ା ଯିବାକୁ ପାଇଖାନା ଦୁଃସ୍ୱପ୍ନ । ଏମିତି ଜାକିଜୁକି ହୋଇ ଗାଁରେ ସମୟ କଟେଇବାକୁ ପଡ଼େ ।

ରଞ୍ଜିତ୍‌ର ଇଚ୍ଛା ଚାକିରୀ ପରେ ଗାଁକୁ ଫେରିଯିବ । ସହର ପରି ଗାଁ ନୁହେଁ । ସହରରେ ଜାଗା କିଣିବାକୁ ଶିଖା କେତେଥର କହିଛି । ସେ ବି ତାକୁ କେତେବାର ବୁଝେଇଛି । ବୁଝିଗଲେ ଭଲ । ଗାଁରେ ସାତ ପୁରୁଷର ଭିଟାମାଟି ଅଛି । ସେ ମରିଗଲେ ଯେଉଁ ମାଟିରେ ତା’ ପିତୃପୁରୁଷଙ୍କ ଅସ୍ଥି ଅଛି ତା’ର ରକ୍ତମାଂସ ହାଡ଼ର ସମ୍ପର୍କ ଅବିଚ୍ଛିନ୍ନ ।

ଆଗଭଳି ଗାଁ ସବୁ ଏତେ ମଫସଲ ହୋଇ ରହିନି । ଗାଁରେ ଶିକ୍ଷିତ ବଢ଼ିଲେଣି । ଚାକିରି ତ ନାହିଁ । ଅଧିକାଂଶ ଶିକ୍ଷିତ ଲୋକେ ଗାଁରେ ରହୁଛନ୍ତି । ପୂର୍ବଭଳି ଗାଁ ରାସ୍ତାଘାଟର ଅସୁବିଧା ନାହିଁ । ସବୁଆଡ଼େ ଗାଡ଼ିମଟର ଚାଲିଲାଣି । କିଛି ଲୋକ ଆଧୁନିକ ଜିନିଷ କିଣି ଜୀବନକୁ ଉପଭୋଗ କଲେଣି । ସହର ଭଳି ପ୍ରାୟ ଗାଁରେ ବିଜୁଳିବତୀ ଜଳିଲାଣି । ଗାଁଲୋକେ ସହରୀ ଜୀବନକୁ ଅନୁକରଣ କଲେଣି । ଗାଁରେ ରହିଲେ ଅସୁବିଧା କ’ଣ ?

ତା’ ଗାଁ ତାକୁ କେତେ ଭଲ ଲାଗୁଥିଲା । ତା’ ଫୁଲଫଳ, ନଈନାଳ, ଗଛଲତା, ଅଙ୍କାବଙ୍କା କ୍ଷେତ, ଗୋରୁଗୋଠ ତା’ ଉପରେ ଅସଂଖ୍ୟ ତାରା, ଖୋଲା ପବନ, ନିରଳସ ମଣିଷ, ପଶୁପକ୍ଷୀ ଧାଡ଼ି ଧାଡ଼ି ନଡ଼ା ଛପର ଘର । ବହଳ ଦୂବଘାସ ତା’ର ମନଛୁଆଁ । କଇଁଫୁଲିଆ ଦଣ୍ଡାନାଳ ଗାଁ ମୁଣ୍ଡରେ, ଯେଉଁଠି ପୁଳାଏ କାଶତଣ୍ଡି ଛାଇ ହୋଇଯାଏ । ନଈ ସେ ପାଖରେ ଜହ୍ନ- କାଶତଣ୍ଡିର ସେ ଦୃଶ୍ୟ ତା’ ହୃଦୟର ସଫେଦ ପୃଷ୍ଠାରେ ଜୀବନ୍ତ ହୋଇ ରହିଛି ।

ମଝିରେ ମଝିରେ ଗାଁକୁ ଗଲେ ଲକ୍ଷ୍ୟ କରେ ତା’ ଗାଁର ଆଗ ରୂପ ବଦଳି ଯାଇଛି । ଶଙ୍ଖଚିଲ ଆଉ ଆସୁନି ଗାଁ ଚାକୁଣ୍ଡାଗଛ ଉପର ଦେଇ । ଅଗଣିତ ବାଇଚଢ଼େଇ ଆଉ ନାଚୁ ନାହାନ୍ତି ଗାଁ ଦାଣ୍ଡରେ । ଗହିରିଆ ପାଟରେ ଲକ୍ଷଲକ୍ଷ ଗେଣ୍ଡାଳିଆ ମାନଙ୍କର ଭିଡ଼ କମି ଯାଇଛି । ଗାଁ କିଆବଣରେ କେତକୀର ଗନ୍ଧ ନାହିଁ । ସମସ୍ତଙ୍କ ଢଙ୍ଗ ବଦଳିଛି । ରଙ୍ଗ ବି ବଦଳିଛି । ତଥାପି ଗାଁ ତାକୁ ଭଲ ଲାଗେ । ଗାଁରେ କେତେ କଥା ଲିଭି ଆସୁଛି ତଥାପି ତା’ର ସ୍ମୃତିର ବେଳାରେ ସେମାନେ ମୃତ ଶାମୁକା ହୋଇ ପଡ଼ି ରହିଛନ୍ତି ।

କିଛି ଗାଁ ଟାଉଟର କୁୁଜି ନେତା ଗାଁକୁ ଗୋଳମାଳ କରି ଦେଇଛନ୍ତି । ସହରପରି ଗାଁଲୋକଙ୍କର ଏକତା ନାହିଁ । ଗାଁ ଲୋକେ ଗାଁକୁ ଗଢୁଥିଲେ । ଭୋଜିଭାତ, ଜନ୍ତାଳ, ବାହାଘରରେ ଏକାଠି ଅଣ୍ଟା ଭିଡୁଥିଲେ । ଏକାଠି ଗାଁ ରାସ୍ତାରେ ମାଟି ପକାଉଥିଲେ । ସ୍କୁଲ ଘର ଠାକୁରାଣୀ ଘର ଛାଉଁଥିଲେ । ରୋଗ ବଇରାଗରେ ଭାର କରି ଲୋକଙ୍କୁ ନେଇ ଡାକ୍ତରଖାନା ଯାଉଥିଲେ । ଏବେ ଗାଁ ରାସ୍ତାରେ ଘାଇ ହେଲେ, ଦଳ ପୋଖରୀ ସଫା କରିବାକୁ ପଡ଼ିଲେ ସରକାର ପଇସା ଦେଲେ ଘାଇ ବନ୍ଧା ଯାଉଛି, ପୋଖରୀର ଦଳ କଢ଼ା ଯାଉଛି । ଯେଉଁ ଜାତି ଘାଇବନ୍ଧା, ଦଳକଢ଼ା ଓ ସ୍କୁଲ ମରାମତି ପାଇଁ ସରକାରଙ୍କ ଉପରେ ନିର୍ଭର କରେ, ସେ ଜାତିର ଉନ୍ନତି କିପରି ହେବ । ସେ ଗାଁରେ ରହିଲେ ଲୋକଙ୍କୁ ନେଇ ସବୁ କରେଇବ । ସେମାନଙ୍କ ଭିତରେ ସ୍ନେହ ସହାନୁଭୂତି ଫେରେଇବ । ସେ ପଛେ ଜାଉପେଜ ଶାଗମୁଗ ଖାଇ ଗାମୁଛାଟିଏ ପାରି ପିଣ୍ଡା ଉପରେ ପଡ଼ିଯିବ ।

ସେ ତ ଗାଁ ମଣିଷ । କୋଡ଼ିଏ ବର୍ଷ ସହରରେ ବ୍ୟାଙ୍କ ଚାକିରୀରେ ସେ ଶାନ୍ତି ପାଇପାରିଲା ନାହିଁ । ସେ ଧରାଧରି କରି ମଫସଲର ଏଇ ବ୍ୟାଙ୍କକୁ ଆସିଲା । ଜୀବନରେ ଆଉ କିଛି ଦିନ ଅନ୍ତତଃ ହୃଦୟ ଖୋଲି ନିଃଶ୍ୱାସ ପକେଇବ । ଗତ ଦିନଗୁଡ଼ିକ ଆଉ ଫେରିବନି । ସେ ଗତାୟୁ ଦିନଗୁଡ଼ିକୁ ଭାବି ବସିଲେ ଭାରି ଯନ୍ତ୍ରଣା ଲାଗେ ।

ସେତେବେଳେ ବୋଉ ସକାଳୁ ଉଠିଶିଳରେ କଂସାଏ ଲେଖା ଅରୁଆ ଚାଉଳ ବାଟି ପିଠା କରୁଥିଲା । ଢିଙ୍କିକୁଟା ଚାଉଳ ଭାତ ରାନ୍ଧେ । ଯାହା ଦେହ ପାଇଁ ଭାରି ଭଲ । ବେଳେବେଳେ ବୋଉ ସକାଳୁ ସକାଳୁ ପୋଖରୀ ଚାରି ପାଖରେ ବୁଲି ଆସେ । କଳମ, ସୁନ୍ସୁନିଆ ଶାଗ ପୁଳାଇ କାନିରେ ଆଣିଥାଏ । ସଙ୍ଗେ ସଙ୍ଗେ ଖରଡ଼ି ଦିଏ । ପଖାଳ ଭାତ ଗରମ ଗରମ ଶାଗ କଞ୍ଚାଲଙ୍କା, ଓଃ ଏକାଥରକେ ଭାତ ସବୁ ଉଠିଯାଏ । ବୋଉ, ନଡ଼ା କାଣ୍ଡିରୁ ଗୋଛାଏ ନଡ଼ା ଆଣି ଚୁଲିମୁଣ୍ଡରେ ପକେଇଦିଏ । ସାରୁ ପୋଇ, ଟିକିଟିକି ମହୁରାଳି ମାଛ ବାଛି ଧୋଇଧାଇ ପାଛିଆରେ ରଖେ । ଶିଳରେ ଲଙ୍କା ହଳଦି ବାଟି, ନଡ଼ା ଜାଳି ଟିକେ ତେଲ ପକେଇ ଫୁଟଣ ଫୁଟେଇ ରାନ୍ଧେ । ଆମେ ଭାଇ ଭଉଣୀ ଚୁଲି ମୁଣ୍ଡରେ ବସୁ । ବୋଉ ରାନ୍ଧି ସାରିଲେ ଆମକୁ ଖାଇବାକୁ ଦିଏ । ଆମେ ଏକାଠି ଖାଉ । ବୋଉ ଆଗରେ ପଛରେ ପରଶି ଦିଏ । ଏବେ ସ୍ତ୍ରୀ ଗ୍ୟାସ୍ରେ ରୋଷେଇ କରୁଛନ୍ତି । ଆଉ କେତେ କ’ଣ ମସଲା କିଣା ହୋଇ ସେଥିରେ ପଡୁଛି । ତେଲରେ ମାଛ ଛଣା ଯାଉଛି । ଆହୁରି କେତେ କ’ଣ ସ୍ତ୍ରୀ ପାଖରେ ବସି ପରଶି ଦେଉଛନ୍ତି । ବୋଉର ପରଶି ଦେବାରେ ଆଦର ଥିଲା । ତା’ ହୃଦୟର ସ୍ନେହ ଯେମିତି ସେଇ ପରଶାରେ ଅମୃତ ହୋଇ ଝରି ପଡୁଥିଲା । ବଳେଇ ବଳେଇ ଖାଉଥିଲୁ । କି ସୁଆଦ ସେ ତରକାରୀ । କି ମିଠା ସେ ପରଶି ଦେବାରେ, ସେତିକି କରିବାକୁ ଶିଖାକୁ ପୁଣି ଜନ୍ମ ଜନ୍ମ ତପସ୍ୟା କରି ବାକୁ ପଡ଼ିବ ।

ଯେଉଁ ବର୍ଷ ବର୍ଷା ହୁଏନି, ଶିରାବଣ ଶେଷ ସରିକି ବି ଚାଷୀପୁଅ ମାଟିରେ ଲଙ୍ଗଳ ଯୋଖେନି । ସମସ୍ତେ ଆକାଶକୁ ଚାହାଁନ୍ତି । ବୋଉ ଚିନ୍ତାରେ ଆକାଶକୁ ଅନେଇ ଥାଏ ।

ଯେଉଁ ବର୍ଷ ଧାରା ବର୍ଷାରେ ନୂଆ ପୋତା ହୋଇ ଥିବା ଛନ୍‌ଛନ୍ ତଳି ଉପରେ ଆଣ୍ଠୁଏ ପାଣି ମାଡ଼ି ରହେ କିମ୍ୱା ଧାନଫୁଲ ଉଡ଼େଇବା ବେଳେ ବଢ଼ି ମରୁଡ଼ି ଆସେ, ବୋଉ ମୁଣ୍ଡ ପୋତି ବସି ରହେ ।

ଯେଉଁ ବର୍ଷ ସମୁଦ୍ରର ଲୁଣାପାଣି ଧସେଇ ପଶେ ସେ ବର୍ଷ ବୋଉ ଆଖିରେ ଲୁହ ଛଳଛଳ । ଦିନେ ପଚାରିଲି, ବୋଉ । ତୁ କାହିଁକି ଏତେ ଚିନ୍ତା କରୁଛୁ ଆମର ତ କିଛି ହବନି ।

ବୋଉ କହିଲା, ଚାକିରୀଆ ପଇସାବାଲାଙ୍କର କିଛି ହେବନି । ଏଇ ଚାଷୀକୁଳଟା ଉଜୁଡ଼ି ଯିବରେ । ଏମାନଙ୍କର କିଛି ଭରସା ନାହିଁ ଏଇ ଧାନ ଗଣ୍ଡାକ ଛଡ଼ା । ଧାନ ହେଲେ ଜାଉପେଜ ଶାଗମୁଗରେ ସମୟ କାଟିବ । ତୁ ପାଠ ପଢ଼ି ସହରରେ ଚାକିରୀ କରିବୁନି ଗାଁରେ ରହିବୁ । ଏମାନଙ୍କ କଥା ବୁଝିବୁ, ଭାରି ହିନିମାନିଆ ଏମାନେ ।

ଖାଇବାକୁ ବସିଲେ ଡାଇନିଂ ଟେବୁଲ୍‌ଟିଏ ଲୋଡ଼ା ।

ପିଲାମାନେ ହାତରେ ଖାଉ ନାହାନ୍ତି । ଚାମଚ ଦରକାର । ଅଶିଣ ମାସରେ ନୁଆଁଣିଆ ପାଚେରୀ ଉପରେ ଜହ୍ନିଫୁଲ ବିଞ୍ଚି ହୋଇଥାଏ । ଆମେ ସବୁ ହେଁସ ପାରି ଅଗଣାରେ ବସୁ । ତା’ପରେ ବୋଉ ଡିବିରି ଲଗେଇ ଭାତ ତରକାରି ବାଢ଼ିଦିଏ । ଖାଇବା ବେଳେ ଏଣୁତେଣୁ ଗପିବା ଆରମ୍ଭ କରୁ । ମାଛ ଖଣ୍ଡେ ପାଇଁ କଳି । ବୋଉ କହେ କାହିଁକି ଏମିତି ଭଟ ଭଟ ହେଉଛୁ । ବାଣ୍ଟିକୁଣ୍ଟି ଖାଇଦିଅ କଳି କରନି । ମୋର ପଛେ ନ ହେଲା ନାହିଁ ତମେ ନିଅ, ଖାଇବା ବେଳେ କଳି କଲେ ତଣ୍ଟିରେ ଭାତ ଲାଗିବ ।

ଆମକୁ ଖାଇବାକୁ ଦେଇସାରି ବୋଉ ଭିତରଶାଳ ଲିପେ । କାମସାରି ଖାଏ । କେତେବେଳେ କ’ଣ ଖାଏ ତ କେତେବେଳେ ଲଙ୍କାଲୁଣ । ଆମ୍ଭମାନଙ୍କ ମୁହଁରେ ହସ ଫୁଟେଇବାକୁ ବୋଉ ସବୁଦିନେ ଉଦାସ । ସେଇଥି ପାଇଁ ବୋଉ ସହିତ ଆମେ ଚିରକାଳ ଏକାକାର ।

ମନେ ପଡୁଛି ସେତେବେଳେ ଗୋଟିଏ ସୁନ୍ଦର ସମୟ ଥିଲା । ବଡ଼ଭାଇ ଶତ୍ରୁଜିତ୍ କେଉଁ ଉପାନ୍ତ ଅଞ୍ଚଳରେ ପ୍ରାଇମେରୀ ସ୍କୁଲ ଶିକ୍ଷକ । ବେଳେବେଳେ ଗାଁକୁ ଆସିଲେ ମୁଣ୍ଡ ଭଉଁରିଆ ଜାଲ ଧରି ଭାଇ ସାଙ୍ଗରେ ବାହାରିଯାଏ । କିଛି ସମୟ ପରେ ଚିଙ୍ଗୁଡ଼ି, କଣ୍ଟିଆ, କର, ଫଳି, ଦଣ୍ଡିକିରି, ଫୁଲଫୁଟି ହରେକ ରକମର ମାଛ ଧରି ଘରକୁ ଫେରୁ । ବୋଉ ତେଲ ଦେଇ ମାଛ ଭାଜେ । ଭାରି ସୁଆଦ । ପଉଷ ମାସରେ ପାଚିଲା ଧାନ ସବୁ ସୁନାର ଢେଉ ହୋଇ ନାଚୁଥାଏ ଗାଁ ଚାରିପାଖର ବିଲରେ । କେଉଁଠି କେମିତି ଚୁବ୍‌ଚୁବ୍ ପାଣିଥାଏ । ସେଥିରେ ଛୋଟ ଛୋଟ ମହୁରାଳି ମାଛ । ଧାନ ଗଛ ଆଡ଼େଇ ଅତି କାଇଦାରେ ଧରିବାକୁ ପଡ଼େ ବୋଉ ବେସରବାଟି ତାକୁ ରାଇତା କରେ । ଓଃ କେଡ଼େ ସୁଆଦ ସେ ମହୁରାଳି ।

ଗରମ ଗରମ କଳମ ଶାଗ, ଛତୁଭଜା, ଦହି ପଖାଳ, ବଡ଼ିଚୁରା ଆସ୍ତେ ଆସ୍ତେ ଲିଭି ଆସୁଛି । ଖଇମୁଆଁ, ଉଖୁଡ଼ା, ପୋଡ଼ପିଠା ସେ ସବୁ ତ ସ୍ୱପ୍ନ ।

ସହରରେ ବହୁ ଦୁର୍ମୂଲ୍ୟ ଖାଦ୍ୟ ପାଇଛି । କେଡ଼େ ବଡ଼ ବଡ଼ ଭାକୁର ରୋହି ଇଲିଶ ମାଛ କିଣି ସେ ଶିଖା ପାଖରେ ଶୁଆଇ ଦେଇଛି । କେତେ ରକମର ମସଲାରେ ଶିଖା ତାକୁ ଗ୍ୟାସ୍ ଚୁଲିରେ ରୋଷେଇ କରିଛି । ହେଲେ ସେ ମାଛ ତା’ ବୋଉ ହାତରନ୍ଧା ପରି ଏତେ ସୁଆଦିଆ ହୋଇନି । ଏବେ ସେ କଥା ମନେ ପଡ଼ିଲେ ପାଟିରେ ଲାଳ ଜକେଇ ଆସେ । ମହୁରାଳି ମାଛ ତ ଏ ସହରକୁ ଆସିନି । ଥରେ କେଉଁଠୁ ଆଣି ଶିଖାକୁ ଦେଲି, ଶିଖା ରାନ୍ଧି ଥୋଇ ଦେଲା । ତାକୁ ପାଟିରେ ଯେମିତି ପୁରାଇ ଦେଲି ଛି. . . ଛି. . . ଶିଖା କେମିତି ଜାଣିବ ବୋଉ ପରି ରାନ୍ଧିବାର କାଇଦା ।

ଶିଖା ନିଜ ଜୀବନକୁ ଯେମିତି ଗଢ଼ିଲା, ପିଲାମାନଙ୍କୁ ସେହିପରି ଗଢ଼ିଲା । ତିନି ତିନୋଟି ପିଲା ଗାଁ କଥା ମୁହଁରେ ଧରୁ ନାହାନ୍ତି । ଚାକିରୀ ପରେ ସେ ଗାଁରେ ରହିବ । ସେ ତା’ ପିଲାଙ୍କୁ ନେଇ ସହରରେ ରହୁ । ଗାଁରେ ବାପାଙ୍କର ଯେଉଁ ଜମି ଅଛି ସେଇ ଜମିକୁ ଚାଷ କରି ମୁଣ୍ଡଝାଳ ତୁଣ୍ଡରେ ମାରି ପଡ଼ି ରହିବ ।

ବ୍ୟାଙ୍କରେ ରଞ୍ଜିତ୍ର କର୍ମମୟ ଜୀବନ ଆରମ୍ଭ ହେଲା । ପ୍ରଥମେ ବ୍ଲକ୍ର ଫିସାରି ଅଫିସରଙ୍କ ପାଖରୁ ଫରମ୍ ଆସିଲା । ଦଶ ଜଣ ଲୋକ ପୋଖରୀ ଲୋନ୍ ପାଇବେ । ବ୍ୟାଙ୍କ ତରଫ୍‌ରୁ ଫିଲ୍ଡ ଅଫିସର୍ ନିଜେ ଅନୁସନ୍ଧାନ କରିବେ । ତା’ପରେ ଲୋନ୍ ଦେବେ । ପୋଖରୀ ଖୋଳାଯିବ ମାଛ ଚାଷ ପାଇଁ ।

ସେଦିନ ରଞ୍ଜିତ୍ ପାଖ ଗାଁକୁ ଗଲା ଜଣେ ମାଛ ଚାଷୀର ଜମି ଦେଖିବାକୁ ।

ମୋଟା ବାରଗୁଣ୍ଠ ଜମିବାଡ଼ି । ଲୋକଟା ତାରି ଉପରେ ପୋଖରୀ କରି ମାଛ ଚାଷ କରିବ । ଭାରି ଗରିବ ହେଲେ ହେଁ ପରିଶ୍ରମୀ । ଗୋଟିଏ ଛୋଟିଆ ବଗିଚା କରିଛି ତା’ ଭିତରେ- ପାଞ୍ଚ ଛଅ ଗଛ ଅମୃତଭଣ୍ଡା, ଦୁଇ ଗଛ ପିଜୁଳି, ଗୋଟିଏ ଆମ୍ୱ ଗଛ ଲଗେଇଛି । ରଞ୍ଜିତ ତା’ ଘରେ ପହଞ୍ଚିବା ମାତ୍ରେ କେତୋଟି ପିଜୁଳି ଓ ଗୋଟେ ନାଲି ଟହଟହ ଅମୃତଭଣ୍ଡା କାଟି ଥୋଇ ଦେଲା ।

ବାବୁ, ଏ ମୋ ବାଡ଼ିରେ ହୋଇଥିଲା । ଜାଗା କମ୍ । ଏମିତି ବିକିବାକି ଖଟିଖାଟି ଚଳିଯାଏ । ଆପଣ ଯଦି ବ୍ୟାଙ୍କରୁ କିଛି ଲୋନ୍ ଦେବେ ପୋଖରୀଟା ଖୋଳେଇ ଦେଲେ ମୋ ଦୁଃଖ ଚାଲିଯିବ । ମାଛ ଛାଡ଼ିବି । ଯତ୍ନ କଲେ ଗୋଟିଏ ବର୍ଷରେ ଶହଶହ ଟଙ୍କା । ବ୍ୟାଙ୍କ ପଇସା ଆଣି ଖାଇ ଦେବିନି । ଆଣି କରି ପାରିଲେ ଲାଭ ଅଛି । ପୋଖରୀ ହୋଇଗଲେ ପାଞ୍ଚ ସାତ ବର୍ଷରେ କରଜ ଶୁଝି ଦେବି । ରଞ୍ଜିତ୍ ଗୋଟି ଗୋଟି ପଚାରି ଗଲା । ଲୋକଟା ସରଳ ଭାବରେ ସବୁ କହୁଥିଲା ।

ଆଗେ ବ୍ୟାଙ୍କରୁ ଜଣେ ଅଫିସର ଆସିଥିଲେ, ସେ ବାବୁଟା ଭଲ ଲୋକ ନୁହଁ । ପୋଖରୀ ଖୋଳ ବା ନଖୋଳ କିଛି ହାତ ଗୁଞ୍ଜା ଦବାକୁ ହେବ । ମୁଁ ଭାବିଲି ମୁଁ କାହିଁକି ହାତଗୁଞ୍ଜା ଦେବି, ମୁଁ ତ ପୋଖରୀ ଖୋଳିବି । ଗାଁରେ ପାଞ୍ଚ ଘର ହେଲା ମୋର ହେଲାନି, କୁହ ବାବୁ । ମୋର ଦୋଷ କ’ଣ ? ମୋତେ ଚଲେଇ ଚଲେଇ ଶେଷକୁ ମନା କରିଦେଲେ ।

ରଞ୍ଜିତ୍ କହିଲା, “ମୁଁ ତୁମ କାଗଜପତ୍ର ସବୁ ଦେଖିଛି । ୧୫ ତାରିଖରେ ଯିବ । ବଣ୍ଡ କରି ବ୍ୟାଙ୍କରୁ ପ୍ରଥମ କିସ୍ତି ଆଣିବ । ସାବଧାନ କାହାରିକୁ କିଳାପୋତି ଦେବ ନାହିଁ ।”

ଲୋକଟା ଚାରଥରକରେ ଚାରି କିସ୍ତି ନେଇ ଆସିଲା । ପୋଖରୀ ଖୋଳି ଭଲ ଜାଆଁଳ ଆଣି ଛାଡ଼ି ଦେଲା ।

ବରଷକରେ ଦିନେ ସେ ରଞ୍ଜିତ୍ର ବସାରେ ପହଞ୍ଚିଲା । ବାବୁ ପଚାରିଲେ, “କ’ଣ କିଛି ଅସୁବିଧା ହେଲା ?”

ଆଜ୍ଞା ! କିଛି ଅସୁବିଧା ନାହିଁ ।

ମାଛଚାଷ କଲ. . . ?

ହଁ ଆଜ୍ଞା ! ମାଛ ନଅଶ କିଲେ ଲେଖା ହୋଇଗଲେଣି, ଦି’ପଇସା ହବ ଆଜ୍ଞା ।

ଆଉ କ’ଣ କହୁଛ ?

ଆଉ ଆଜ୍ଞା କହିବି କ’ଣ ? ସବୁ ଭଲ । ହେଲେ ଆପଣ କିଛି ପାଇଲେନି ।

ରଞ୍ଜିତ୍ କହିଲା-

ବ୍ୟାଙ୍କ ଚାକିରୀ କରିବା ଦିନରୁ ମୋର ବ୍ୟକ୍ତିଗତ ଅନୁଭୂତି- ଯେଉଁ ଲୋନ୍ ସବୁ ଲୋକଙ୍କୁ ଦିଆଯାଇଛି ବିଭିନ୍ନ ମାଧ୍ୟମରେ ପୋଖରୀ, ମାଛଚାଷ, ମେଣ୍ଢାଛେଳି ଓ ଜର୍ସିଗାଈ ବିଭିନ୍ନ ଲାଭଜନକ କାମ ପାଇଁ, ଶହେରେ ଦୁଇଭାଗ ଲୋକେ ତାକୁ ସଠିକ୍ କାମରେ ଲଗେଇଛନ୍ତି । ସେଥିପାଇଁ ବ୍ୟାଙ୍କର ଅବସ୍ଥା ଦେଖ । ଲୋକଙ୍କ ଅବସ୍ଥା ଦେଖ । ବ୍ୟାଙ୍କକୁ ଠକିବା ଅର୍ଥ ଜାତିକୁ ଠକିବା । ସେଇ ସୁଯୋଗରେ କିଛି ବ୍ୟାଙ୍କ ବାଲା ନିଜର ଫାଇଦା ଉଠେଇଲେ । ଫଳରେ ଦେଶର ଅବସ୍ଥା ଆଜି କ’ଣ ? ତମେ ପଇସା ନେଇଛ କାମରେ ଲଗେଇଛ ମୁଁ ବହୁତ ଖୁସି ।

ଖୁସି ହେଲେ କ’ଣ ହେବ ଆପଣ କିଛି. . . !

ଆରେ ପୁଣି ସେଇ କଥା ମୁଁ କ’ଣ କିଳାପୋତି ନେବି ?

ଆପଣ ନେବେ କ’ଣ ମୁଁ ପରା ଖୁସିରେ ଦେବି । ଆଉ କେଉଁ ବାବୁ ଯଦି ଏତିକି କରିଥାନ୍ତା ଦୁଇତିନି ହଜାର ହାତଗୁଞ୍ଜା ନେଇଥାନ୍ତା । ନିଜ ଆଖିରେ ଲୋକଙ୍କର ଏ ଦୁଃଖ ଦେଖିଛି । ଆପଣଙ୍କୁ ଦୁଇପାଞ୍ଚଥର ଭାକୁର ମାଛ ଖୁଆଇବି ।

ତମେ ଗରିବ ଲୋକ । ବିକିଲେ ଦି’ପଇସା ପାଇବ । କିସ୍ତି ସୁଝିବ । ଦି’ଟା ପିଲାଙ୍କୁ ଖୁଆଇବ । ଆମେ ତ ଚାକିରିଆ ଲୋକ । ଯେତେବେଳେ ଯାହା ଇଚ୍ଛା ତାହା ଖାଉଛୁ।

ଲୋକଟା ମନ ଦୁଃଖ କରି ଛିଡ଼ା ହେଲା ।

ରଞ୍ଜିତ୍ କହିଲା ଗୋଟେ କାମ କର ଦି’ଟା ମହୁରାଳି ପାଇବ, ଯେତିକି ହେଉ ମୋତେ ଦେଇଯିବ, ମୁଁ ଭାରି ଖୁସିହେବି ।

ଲୋକଟା ନିରବ ହୋଇ ଚାଲିଗଲା । ମହୁରାଳି ମାଛ ବର୍ଷାଦିନେ ମିଳିବା କଷ୍ଟ । ଆଗପରି ମହୁରାଳି ମାଛ ଆଉ ମିଳୁନି । ଦଣ୍ଡାନାଳ ପୋଖରୀରୁ ସେ ମାଛ କେତେ ଧରାଯାଇଛି । ଜୀବନରେ ଆଉ ସେ ସବୁ ଜିନିଷ ମିଳିବ କି ନାହିଁ । ଯାହା ମଣିଷ ପାଖରୁ ଚାଲିଯାଉଛି । ତଥାପି ତା’ର ଚେଷ୍ଟା ଚାଲିଥାଏ । ମାଛ ତ ମିଳୁନି ଖାଲି ହାତରେ ଯିବ କେମିତି ! ମଗୁଶୁର ମାସରେ ଦଣ୍ଡାନାଳରେ ପାଣି କମିଗଲା । ସେ ନିଜେ ଘୂରି ବୁଲିଲା । ଯେମିତି ହେଲେ ତାକୁ ମାଛ ଦି’ଟା ଯୋଗାଡ଼ କରିବାକୁ ହେବ । ଏତେବଡ଼ ଉପକାରୀ ଲୋକ । ତାଙ୍କ ଋଣ ସୁଝି ହେବନି । ଭାଗ୍ୟରେ ଥିଲେ ଏଭଳି ଅଫିସର ମିଳନ୍ତି ।

ବହୁକଷ୍ଟରେ ମାଛ ଦି’ଟା ଧରି ସିଧା ଛୁଟିଲା ବାବୁଙ୍କ ବସାକୁ । ଦେଖିଲା ବସାରେ ବାବୁ ନାହାନ୍ତି, ଆଉ ଜଣେ ବାବୁ । ପାଖ କ୍ୱାର୍ଟରରେ ପଚାରିଲା । ସେମାନେ କହିଲେ । “ସେ ମାସେ ହେଲା ବଦଳି ହୋଇ ଗଲେଣି ।”

ଲୋକଟାର ଆଖି ଛଳଛଳ ହୋଇଗଲା । କେତୋଟି ମୁହୂର୍ତ୍ତ ପାଇଁ ସ୍ଥାଣୁ ପାଲଟିଗଲା ।

ମନୋଜ କୁମାର ପଣ୍ଡା

ଅଡା,ବାଲେଶ୍ବର

ମହୁରାଳି ମାଛ ବ୍ୟାଙ୍କ ଅଫିସ

Rate the content


Originality
Flow
Language
Cover design

Comments

Post

Some text some message..