ଅସମ୍ପୂର୍ଣ୍ଣା
ଅସମ୍ପୂର୍ଣ୍ଣା
- ' ମତେ ବଧୂବେଶରେ ଦେଖିବାକୁ ଇଚ୍ଛା ତ ?ତେବେ ସଜେଇଦିଅ। ' ସେ କହିଲା।
- ' ମୋତେ ସବୁ ଜିନିଷ କିଣିବାକୁ ଅଛି।ତା' ଛଡା ସଂଜଟା ଟିକେ ନଇଁଯାଉ। ' ମୁଁ କହିଲି।
- ' ତେବେ ଯାଅ,ସଂଜ ନଇଁବା ଆଗରୁ ଯାହା କିଣିବା କଥା କିଣି ଆଣ। ' ସେ କହିଲା।
ଦିନ ଦିନ ଧରି ମିଶିଥିଲି।ରାତି ବିତାଇଥିଲି।ଏବେ ବଧୂ କରି ନେବାକୁ ଚାହୁଁଥିଲି।ଖୁସି ଥିଲି।
ସେ ମୋ ଶୋଇବା ଘର ଖଟ ଉପରେ ବସି ରହିଲା।ଜିନିଷ ଆଣିବା ପାଇଁ ମୁଁ ବଜାରକୁ ଧାଇଁଲି।
କିଛି ସମୟ ପରେ ସବୁ ଜିନିଷ ଧରି ଫେରିଲି।ତାକୁ ବେଶ୍ ଖୁସି ଥିବା ଦେଖିଲି।
ଆଖି ଆଗରେ ଥିଲା ତା'ର ସୁନ୍ଦର ଚେହେରା।ଉତ୍କଣ୍ଠା, ଉତ୍ତେଜନା ବଢୁଥିଲା ମୋ ଭିତରେ।କେଉଁଠୁ ସଜ ଆରମ୍ଭ କରିବି ଭାବିଲି।
ସେ ତା'ର ବେଣୀ ଖୋଲି ସାରିଥିଲା।ସ୍ଥିର କଲି ସେଇଠୁ ସଜ କାମ ଆରମ୍ଭ କରିବି।ତା' ପାଖକୁ ଆସିଲି।
ନିଜକୁ ଜଣେ ଦକ୍ଷ ଶିଳ୍ପୀ ମନେ କରୁଥିଲି।ସତେ ଯେମିତି ଜୀବନ୍ୟାସ ଦେବାକୁ ଯାଉଥିଲି ଗୋଟିଏ ମୃଣ୍ମୟୀ ମୂର୍ତ୍ତିକୁ - ଏପରି ଭାବୁଥିଲି।କାହାକୁ ଦେବୀରେ ପରିଣତ କରିବା କ'ଣ କମ୍ କଥା ! ଖୁସି ଥିଲି।ସଜ କାମରେ ଲାଗିଥିଲି।
ଚୁପଚାପ ବସି ରହିଥିଲା ସେ। ମୁର୍କି ମୁର୍କି ହସୁଥିଲା।ମୋତେ ସହଯୋଗ ଦେଉଥିଲା ଖୁବ୍।ଉତ୍ସାହିତ ହୋଇ କାମରେ ଲାଗିଥିଲି।
ଧୀରେ ଧୀରେ ଅଧିକରୁ ଅଧିକ ସୁନ୍ଦର ଦିଶୁଥିଲା ସେ।ହଜି ଯାଉଥିଲି ତା' ସୌନ୍ଦର୍ଯ୍ୟରେ।ଆନମନା ହୋଇ ଉଠୁଥିଲି।
ପ୍ରାୟ ସବୁ କାମ ଗୋଟିଏ ପରେ ଗୋଟିଏ ସାରିଦେଲି।
- ' ଶାଢ଼ୀଟା ମୋତେ ଦିଅ।ତୁମେ ପିନ୍ଧାଇ ପାରିବନି। ' ଏତିକି କହି ଶାଢ଼ୀଟା ମୋ ହାତରୁ ନେଇ ପିନ୍ଧିଲା ସେ।ମୁଁ ଚାହିଁ ରହିଲି।
ଏବେ ଶେଷ ସ୍ପର୍ଶ।
- ' ଆସ ଶଙ୍ଖା ପିନ୍ଧାଇ ଦେବି। ' ମୁଁ କହିଲି।
ସେ ମୁଣ୍ଡ ହଲେଇ ମନା କଲା।
- ' ତେବେ ଆସ ଆଗ ସିନ୍ଦୂର ପିନ୍ଧାଇ ଦିଏ। ' ପୁଣି କହିଲି।
ସେ ପୁଣି ମୁଣ୍ଡ ହଲେଇ ମନା କଲା।ହସିଦେଇ ଚାଲି ଆସି ପାଖରେ ବସିଲା।କହିଲା - ' ଆଉ ଟିକେ ପରେ ଭୋର୍ ହୋଇଯିବ।ରାତି ପାହିବା ଆଗରୁ ମୋତେ ଫେରିବାକୁ ହେବ।ମୁକ୍ତ ଆକାଶର ବିହଙ୍ଗ ମୁଁ।ବଧୂ ବେଶ ଲୋଡା ନାହିଁ।ମତେ ମୁକ୍ତ କର। '
ଆଶ୍ଚର୍ଯ୍ୟ ହୋଇ ତା' ମଥା ଆଡେ ଚାହିଁଲି।କହିଲି - ' ତୁମେ ଅସମ୍ପୂର୍ଣ୍ଣା ଲାଗୁଛ।ମୁଁ ତୁମକୁ ଦେବୀ ରୂପରେ ଦେଖିବାକୁ ଚାହେଁ।ଶିଳ୍ପୀକୁ ଶେଷ ସ୍ପର୍ଶ ପାଇଁ ସୁଯୋଗ ଦେବନି କ'ଣ ତୁମେ ? '
ମୋ କଥା ଶେଷରେ ସେ ହସିଲା।ହସି ହସି ବେଦମ୍ ହେଲା।
ତଥାପି କିଛି ବୁଝି ପାରିଲିନି ମୁଁ।କ୍ଳାନ୍ତି ଅନୁଭବ କଲି।ହାଇ ମାରିଲି।ଭୋର୍ ବେଳକୁ ଆଖିରେ ନିଦ ଲାଗିଗଲା।ଉଠି ଦେଖିଲା ବେଳକୁ ସେ କୁଆଡେ ଅନ୍ତର୍ଦ୍ଧାନ ହୋଇ ଯାଇଥିଲା।
- ' କାହିଁକି ଏମିତି ଅସମ୍ପୂର୍ଣ୍ଣା ରହିବାକୁ ପସନ୍ଦ କଲ ତୁମେ !ଦେବୀ ହେବା ଭଲ ନୁହେଁ କ'ଣ ! ' ମୁଁ ଚିତ୍କାର କରି କହିବାକୁ ଲାଗିଲି।
ରାତି ପାହି ସାରିଥିଲା।
ଗୋଟେ ବିମର୍ଷ ଚେହେରା ଧରି ଭାବୁଥିଲି - କାହିଁକି ଏମିତି ହୁଏ ! କାହିଁକି ସମ୍ପୂର୍ଣ୍ଣା ହୋଇ ପାରନ୍ତିନି ଏମାନେ !! କାହିଁକି !!!