Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amiya Bej

Others

4  

Amiya Bej

Others

✿ ଏକତରଫା ✿

✿ ଏକତରଫା ✿

3 mins
14.4K


✿  ଏକତରଫା  ✿

{୧}

ତର୍କହୀନ କଥା ଇୟେଯେ , ପ୍ରତ୍ୟେକ କଲେଜ୍ ମଡ଼ା କିଶୋରୀ ମନରେ ପ୍ରେମ ବସାଟିଏ ବାନ୍ଧେ ! ଆଉ କା'କୁ ନେଇ ନୁହଁ , ନିଜ ଅତି ପ୍ରିୟ ଶିକ୍ଷକଙ୍କୁ ନେଇ । ତାଙ୍କରିଠାରେ ସେ ଆବିଷ୍କାର କରେ , ଜଣେ ସତ୍ ପୁରୁଷଙ୍କୁ , ଜଣେ ଈଶ୍ୱରଙ୍କୁ ।
ଅଦୃଶ୍ୟ ନିଃସର୍ତ୍ତ ଭଲପାଇବାରେ ସେ ମଜ୍ଜିରହେ । ସେ ହିଁ ତା'ର ଆଦର୍ଶ ଓ ମନପୁରୁଷ । 
ବିଡମ୍ବନା ଯେ', ଗୁରୁଶିଷ୍ୟା ସମ୍ପର୍କର ଗାରିମା ନିମନ୍ତେ ପ୍ରତ୍ୟହ ଏଇପରି ହଜାରେ ପ୍ରେମଗଳ୍ପକୁ ସମାଧି ଦିଆହୋଇଯାଏ !

{୨}

ମୁଁ ଥରେ ତାଙ୍କୁ ବାଧ୍ୟ କଲି -
- ଆମ ସମ୍ପର୍କକୁ କିଛିବି ଗୋଟେ ନାଁ ଦିଅନ୍ତୁ ସାର୍ !
- ତୁମକୁ ଖରାପ ପାଏନିର ଅର୍ଥ କ'ଣ ଭଲପାଇବା ?
ସେ ହସି ଦେଇ ଏତକ କହିଲେ । ମୁଁ ଏକଥାର ରହସ୍ୟ ଭେଦ କରିପାରିନଥିଲି । କେବଳ ମନେକଲି , ସେ' ଅହଂକାରୀ ବୋଲି ସ୍ୱୀକାରି ପାରୁନାହାନ୍ତି । ନଚେତ୍ ସେ ଜଣେ ଖୁବ୍ ପ୍ରେମିକ ।
ଏ ଘଟଣାକୁ କୋଡ଼ିଏ ବର୍ଷ ହୋଇସାରିଥିଲା । ଆମ ଭିତରେ ପନ୍ଦର ବର୍ଷର ବ୍ୟବଧାନ ଥିଲା । ସେଇଦିନୁ ନିଜକୁ ସଜାଡି ନେଇ ମୁଁ ଆଜି ସମ୍ପୂର୍ଣ୍ଣା । 
ତଥାପି ହୃଦୟର କ୍ଷତ ସାମାନ୍ୟ ହେଲେବି , ବେଳଅବେଳରେ ରୁନ୍ଧି ପକାଏ । ଅନୂଢା ବୟସରେ ପ୍ରତ୍ୟାଖ୍ୟାତ ହେବାର ଯନ୍ତ୍ରଣା ଖୁବ୍ ବେଶି ।

{୩}

ଏବର ପରି ସେବେ ଝିଅମାନଙ୍କର ସେତେ ସାହସ ନଥିଲା । ମୋର କିନ୍ତୁ କେବଳ ତାଙ୍କୁ ହିଁ ଭଲପାଇବାର ଥିଲା । ଆଉ ମୁଁ ସାହସ ଜୁଟାଇନେଲି ।
- ମୁଁ ଆପଣଙ୍କୁ ଭଲପାଏ ।
- ମୁଁ ଜାଣେ !
ବାସ୍ , ଏତକ କହି ସେ କଥାର ମୋଡ ବଦଳାଇ ଦେଲେ । ଅନ୍ତତଃ ମୋ ମନକଥା ସେ ଜାଣନ୍ତି । ଏଇ ସୁଖରେ ଢେର୍ ଦିନ ବଞ୍ଚିଗଲି । ପୁଣି ଦ୍ୱନ୍ଦ୍ୱ ଉପୁଜିବାରୁ , ଅଧୈର୍ଯ୍ୟ ହୋଇ ଯାଇ ଦିନେ କହିପକାଇଲି -
- ମୁଁ ଆଉ ଆପଣଙ୍କୁ ସାର୍ ଡାକିବିନି ।
ସେ ଏକବେଗ୍ ଚିଡିଯାଇ କହିଲେ -
- ଏସବୁ ପାଇଁ ସମୟ କେଉଁଠୁ ପାଉଛୁ ? ତୋ' ପରି ମେଧାବୀ ପାଖରେ ଏ' ଭାବପ୍ରବଣତା ଶୋଭା ପାଏନା । ଯା' ଆନୁଆଲ୍ ପାଇଁ ଦିନରାତି ଏକ କରିଦେ । ତାହାହିଁ ହେବ ମୋ' ପାଇଁ ସର୍ବ ଶ୍ରେଷ୍ଠ ଭଲପାଇବା ।
ସେ  ତାଙ୍କ ଆଦର୍ଶତା ବଜାୟ ରଖିଥିଲେ । ଏଣେ ମୋ ହୃଦୟ ଚୁରମାର୍ ହେଉଥିଲା । ଜାଣିଲି ଈଶ୍ୱର ବି ଦୋଷୀ ହେଇପାରନ୍ତି । ଗୋଟେ ଭରସାକୁ ଭାଙ୍ଗିବାର ପାପ ମୁଣ୍ଡାଇ ପାରନ୍ତି !

ମୁଁ ଫେରୁଥିଲି ସେଇ ରାସ୍ତାରେ । କିଶୋରୀରୁ ବୟସ୍କା ହେବାର କଣ୍ଟକିତ ପଥରେ ।

{୪}

ପିଲାଦୁହେଁ ସ୍କୁଲ ଆଉ ପତି ଦେବ ଅଫିସ୍ ବାହାରିଗଲା ପରେ , ଅଣ୍ଟା ସଳଖାଇ ଯେବେ ଝାଡିଝୁଡି ହୁଏ , ଆପଣାଛାଏଁ ବାହାରିପଡେ ଏକ ଦୀର୍ଘଶ୍ୱାସ । ତାକୁ ଧରିନିଏ ମୁଁ ମୋ ବଳକା ପ୍ରେମର ଉଚ୍ଛ୍ୱାସ ! ଆଉ ନଥାଏ ସେ କିଶୋରୀ ବେଳର ବିହ୍ୱଳପଣ । ଏବେ ଖାଲି ସଂସାରକୁ ନେଇ ମଜ୍ଜିଯିବାର ବେଳ ।
ଦୁନିଆଯାକର ପତି ନିର୍ବୋଧ । ଦେହଜୟ କରି ମନେକରନ୍ତି , ସଂସାର ସେମାନଙ୍କ ଅକ୍ତିଆରରେ । ଖୁବ୍ କ୍ୱଚିତ୍ ଯା'ଙ୍କୁ ମନଜୟ କରିବାର ଭାଗ୍ୟଟେ ମିଳିଥାଏ ।
ମୁଁ ବେଳେବେଳେ ବିଭୋର ହୋଇ ମୋର ଏକତରଫା ପ୍ରେମ କାହାଣୀ ଅବିନାଶଙ୍କ ଆଗରେ ଗପିବାକୁ ଇଚ୍ଛାକରେ । ଖୁବ୍ ଚାହେଁ ସେ ମୋର ସ୍ୱପ୍ନର ରାଜକୁଅଁର ବନି ମୋତେ ମୁକ୍ତି ଦିଅନ୍ତୁ । ମୋ' ହୃଦୟର ସେଇ ସାମାନ୍ୟ କ୍ଷତକୁ ଭରିଦିଅନ୍ତୁ । ତାଙ୍କ ପାଖରେ ସମୟ ନଥାଏ । ଏ ଘରକିଣା , ବ୍ୟାଙ୍କଜମା , ଇନସୁରାନ୍ସ୍ , ଗାଁ ଜମିଜମା କଥା ଛାଡ଼ି , ମନହୃଦୟ କଥା ଶୁଣିବାକୁ ।
ଏଇତକ ତ ଫରକ୍ ପ୍ରିୟପୁରୁଷ ଓ ମନପୁରୁଷ ଭିତରେ ।

{୫}

ଫୋନ୍ ଆସିଥିଲା । ଗୋଟେ ଯୁଗାନ୍ତ ପରେ । କେମିତି ବୋଧେ ଖୋଜିନେଇଥିଲେ ମୋତେ ।
- ମୁଁ ସାର୍ କହୁଛି ।
- ଓଃ ! ସାର୍ ! ପ୍ରଣାମ ।
- କେମିତି ? ସୁଖରେ ଥିବ ନିଶ୍ଚୟ ।
- ହଁ । ଖୁବ୍ ଭଲ । ଆପଣ ?
ସେ ଗାଇଥିଲେ ଅନେକ କଥା । ଅନେକ ବ୍ୟଥା । ରୋଗରେ ପଡି ପତ୍ନୀ ଚାଲିଯିବାର କଥା । ବିପତ୍ନୀକ ହେବାର ଯନ୍ତ୍ରଣା କଥା । ନିଃସଙ୍ଗତା , ଅଭାବପଣ ର କଥା । ଶେଷକୁ ଏୟାବି କହିଥିଲେ ଯେ -
- ମୁଁ ତୁମକୁ ସେବେ ଅସ୍ଵୀକାର କରିନଥିଲି । ତେବେ ସ୍ୱୀକାର କରିଥିଲେ ଏବେ ଆଉରି କଷ୍ଟ ପାଇଥାନ୍ତି । ମୋର ବିପତ୍ନୀକ ଯୋଗ ତ ଥିଲା । ଅନ୍ତତଃ ତୁମେ ଏବେ ଅଛ ଭଲପାଇବାକୁ !!!
- ଭଲପାଇବାକୁ ? ସାର୍ ! ଖରାପ ପାଏନିର ଅର୍ଥ କଣ ଭଲପାଇବା ???
ସେ ହୁଏତ ନିର୍ବାକ୍ ହୋଇଗଲେ କି କ'ଣ ! ମୁଁ ଫୋନ୍ ରଖିଦେଇଥିଲି । କୋଡ଼ିଏ ବର୍ଷ ତଳର ଛଳଛଳପଣ କୁ ସମାଧି ଦେଇ , ବୁଝାମଣା ର ଅଦ୍ଭୁତ ସଂସାର ଟିଏ , କେତେ ବାଧାବିଘ୍ନ ଡେଇଁ ଗଢିଛି ମୁଁ । 
ଏ ମଧ୍ୟବୟସରେ ପ୍ରେମ ବାସ୍ତବତା ଖୋଜେ , ବିହ୍ୱୋଳତା ନଥାଏ । ମୁଁ ମୋ ଇଶ୍ୱରଙ୍କୁ ପ୍ରତ୍ୟାଖ୍ୟାତ କରିଦେଲି । ଜୀଅନ୍ତୁ ସେ ଏବେ  ଏକତରଫା ହୋଇ !!!

✿ ଅମିୟ ବେଜ୍ , ଘଟଗାଁ , କେନ୍ଦୁଝର ✿


Rate this content
Log in