Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binaya Bhusan Panigrahi

Inspirational Others Romance

3  

Binaya Bhusan Panigrahi

Inspirational Others Romance

ଅଙ୍କୁରୋଦ୍ଗମ

ଅଙ୍କୁରୋଦ୍ଗମ

11 mins
505


ହେତୁ ହେବାର ଅନେକ ଆଗରୁ ବାପା ଚାଲିଯାଇଥିଲେ। ଦୁଇବର୍ଷ ତଳେ ମା ଗଲାପରେ ଗାଁ'ରେ ତା'ର ନିଜର ବୋଲି କହିଲେ କେବଳ ସେ ପାଳିଥିବା ଛଡାଟିଏ, ଯାହାକୁ ସେ ସ୍ନେହରେ କଇଁ ବୋଲି ଡାକେ। ବର୍ଷେ ଦୁଇବର୍ଷ ପରେ ଗାଈ ପଣିଆ ହେଇ ଯାଇଥା'ନ୍ତା। ହେଲେ, ତାକୁ ଭରସା କରି ଆସନ୍ତା କାଲିର ସ୍ୱପ୍ନ ଦେଖିବା ଯଦିଓ ସମ୍ଭବ ପେଟ ଆଉ ପିଠିର ଆଜିର ଆବଶ୍ୟକତାକୁ ବହଲେଇ ଦେବା ଆଦୌ ସେତିକି ସହଜ ନୁହେଁ। ଗୁଂଠେ କି ବିଶୁଏ ଚାଷଜମି ଥିଲେ,କିଛି ନହେଲେ ନିଜର ଭିଟାମାଟି ଖଣ୍ଡେ ଥିଲେ ହୁଏତ ଗାଁଆର ମୋହ ଛାଡିବା କଷ୍ଟକର ହେଇଥାନ୍ତା ତା'ପାଇଁ। ସେଥିପାଇଁ, ସହରକୁ ଯିବାପାଇଁ ବଟଭାଇର ପ୍ରସ୍ତାବରେ ଅଗତ୍ୟା ରାଜି ହେଇଗଲା କାମିନୀ।

କଟକରେ ପହଞ୍ଚିବା ପରେ କେନାଲବନ୍ଧ ରାସ୍ତାରେ ଅଟୋରିକ୍ସା ରେ ବସି ବଟଭାଇ ଘରକୁ ଗଲାବେଳେ ବଟଭାଇ କହିଲେ," କାମିନୀ, ଭାଗ୍ୟରେ ଥିଲେ ଏମିତି ଲୋକ ମିଳନ୍ତି। ମଉସାମାଉସୀ ଙ୍କୁ ଛାଡିଦେଲେ ଘରେ ଆଉ କେହି ନାହାଁନ୍ତି ତାଙ୍କର। ଅଚଳାଚଳ ସମ୍ପତ୍ତି। ରାଜ ଉଆସ ଭଳିଆ ଘର। କାମ ସେମିତି ବେଶିକିଛି ନାହିଁ। ଖାଲି ରୋଷେଇବାସ ଟିକେ କରିଦେବୁ,ବୁଢ଼ାବୁଢ଼ୀ ଙ୍କର ଦେଖାଶୁଣା ଟିକେ କରିବୁ। ତାଙ୍କର ବିଶ୍ୱାସୀ ପିଲାଟିଏ ଦରକାର ଯିଏ ଘରଲୋକ ଭଳି ତାଙ୍କ ସାଙ୍ଗରେ ଚଳି ପାରିବ।ଖାଇବା-ପିଇବା,ପିନ୍ଧିବା-ନାଇବା କୋଉଥିରେ ଅଭାବ ରହିବନି। ମଉସା ଜମିଦାରିଆ ଘରର ଲୋକ,ଭାରି ଦିଲଖୁଲା ଆଉ ନିଷ୍କପଟ ସ୍ୱଭାବର। ଆଉ ମାଉସୀ, ଯେମିତି ସରଳ ସେମିତି ସ୍ନେହୀ, ପୁରା ମା ପରିକା। ଏ ଦୁନିଆ ବି କେମିତି ବିଚିତ୍ର ସତରେ, ସେଇ ମଉସା ମାଉସୀ ଙ୍କ ଭାଗ୍ୟ ଦେଖୁନୁ, ବାହାରୁ ଦେଖିଲେ ଯେ'କେହି ବି ହେଉ ଭାବିବ ସାରା କଟକ ସହରରେ ତାଙ୍କଠାରୁ ସୁଖୀ ଦମ୍ପତି ଆଉ କେହି ନାହିଁ।ହେଲେ, ଭଗବାନ କାହାରିକୁ ନିରୋଳା ସୁଖ ଦିଅନ୍ତି ନାହିଁ ଲୋ । ଏତେ ସବୁ ସୁଖ ଭିତରେ ତାଙ୍କର ଗୋଟିଏ ବୋଲି ଦୁଃଖ ; ଈଶ୍ୱର ତାଙ୍କୁ ପିଲାଟିଏ ଦେଇ ନାହାଁନ୍ତି। ଦେଉଦେଉ ଫେରାଇ ନେଇଛନ୍ତି କହିଲେ ଚଳେ। କଥାରେ ଅଛି,'କାନ ଥିଲେ ସୁନା ନାହିଁ, ସୁନା ଥିଲେ କାନ ନାହିଁ',ସୁନା ଥିଲେ କାନ ନାହିଁ '। ସେ ଯାହାହେଉ ନା କାହିଁକି,ତୁ ସେ ଘରର କାମବାଲୀ ନୁହେଁ ଲୋ କାମିନୀ, ମାଳିକାଣୀ ହେଇ ରହିବୁ -ରାଜ କରିବୁ।"

ବଟଭାଇ ଘରେ ପହଞ୍ଚିଲା ପରେ ମାନୀ ଭାଉଜ କାମିନୀ କୁ କୁଣ୍ଢେଇ ପକେଇ କହିଲେ," ମୁଁ ପରା ତମ ଆସିବା ବାଟକୁ ଚାହିଁ ବସିଥିଲି।" କଥା ପଦକ ଶୁଣିଦେଲା ମାତ୍ରେ କାମିନୀ ର ଆଖି ଛଳଛଳ ହେଇଗଲା। କାହିଁକି କେଜାଣି , କଇଁ ର ଚେହେରା ନାଚି ଉଠିଲା ତା ଆଖିରେ। ମା ଗଲାପରେ ଗାଁ'ରେ କେବଳ କଇଁ ଏମିତି ତା ଆସିବା ବାଟକୁ ଚାହିଁ ରହେ।

ପରଦିନ ସକାଳୁ ସକାଳୁ, ମାନୀ ଭାଉଜ ସାଙ୍ଗରେ ଯାଇ ମହାନଦୀ ରୁ ଗାଧୋଇ ସାରି ଘରକୁ ଆସି ସଜବାଜ ହେଇ ସାରି ଚା ସାଥିରେ ଚକୁଳି ପିଠା ଖାଇଲା ବେଳେ ମାନୀ ଭାଉଜ କହିଲେ," ବୁଝିଲ କାମିନୀ, ଏ କଟକ ସହର ଭିତରେ ଦେବ ମଉସା ଙ୍କ ପରିକା ଲୋକ ଏଯାଏ ଆଉ ଜଣକୁ ବି ଦେଖିନାହିଁ। ଯେମିତି ସ୍ନେହି କୁ ସେମିତି ଖୋଲା ହୃଦୟର ଲୋକ ଖଣ୍ଡେ। ବୁଢ଼ାବୁଢ଼ୀ ଙ୍କର ବୟସ ସେମିତି ବହୁତ ବେଶି ନୁହେଁ। ମଉସାଙ୍କୁ ପଞ୍ଚାବନ କି ଛପନ ଖଣ୍ଡେ ହେବ। ଆଉ ମାଉସୀଙ୍କୁ ଅତିବେଶିରେ ପଚାଶ। ଦେଖିଲେ ଆହୁରି କମ ଲାଗନ୍ତି ଦୁହେଁଯାକ। ମଉସା ନିଜେ ଗାଡି ଚଳେଇ ବଜାର କରିବାକୁ ଯା'ନ୍ତି । ମାଉସୀଙ୍କୁ କେବେକେବେ ସାଥିରେ ନେଇ ଫିଲ୍ମ ଦେଖିବାକୁ ବି ଯାଆନ୍ତି,ପୂଜାଅର୍ଚ୍ଚନା କରିବାପାଇଁ ମନ୍ଦିର ଯାଆନ୍ତି।ସହର ଭିତରେ ଆଉ ବାହାରେ କେତେଟା ଅନାଥାଶ୍ରମ ର ଅନାଥ ପିଲାମାନଙ୍କର ଖାଇବା,ପିଇବା ଓ ପାଠପଢ଼ା ଖର୍ଚ୍ଚ ପୁରାକୁ ପୁରା ବୁଝନ୍ତି।

ତମ ବିଷୟରେ ଇଏ ଯୋଉଦିନ ତାଙ୍କ ସହ କଥା ହେଲେ,ବୁଢ଼ାବୁଢ଼ୀ ଦୁଇଜଣ ଯାକ ଭାରି ଖୁସି ହେଇଗଲେ। ମାଉସୀ କହିଲେ 'କାମବାଲୀ ଖୋଜୁଖୋଜୁ ଝିଅଟିଏ ପାଇଯିବି ବୋଲି କଳ୍ପନା କରି ନଥିଲି ବଟ। ପୋଡା କପାଳରେ କେବେ ସୁଖ ଲେଖାଥାଏ ବୋଲି ବିଶ୍ୱାସ କରିବାକୁ ମନ ମାନେନାହିଁ। ଯାହାହେଉ,ସବୁ ସେଇ ବିଧାତାର ଖେଳ। କାହାକୁ କେତେବେଳେ କଣ ଦିଅନ୍ତି ସେକଥା କେବଳ ସେଇ ହିଁ ଜାଣନ୍ତି।" ମୁଁ ହଲପ କରି କହିବି,ସେ ଘର ତମକୁ କେତେବେଳେ ହେଲେ ପରଘର ପରି ଲାଗିବ ନାହିଁ।

ୟା'ଭିତରେ ଦେବ ବାବୁଙ୍କ ଘରେ ଦୁଇବର୍ଷ ବିତିଯାଇଛି ଦୁଇଦିନ ପରି। ଅଭାବ କଷ୍ଟର ନାଲି ଆଖିକୁ ଡ଼ରକୁଳା ଆଖିରେ ଚାହିଚାହିଁ ଛୋଟ ରୁ ବଡହେଇ ଯୌବନରେ ପଦାର୍ପଣ କରିଥିବା କାମିନୀ ଏ ଘରକୁ ଆସିବା ପରେ ଅଭାବକୁ ଆଡ଼ ଆଖିରେ ଚାହିଁବାର ଅବକାଶ ପାଇନାହିଁ। ଘରର ସବୁ ଚାବି ତା'ରି ହାତରେ। ତାକୁ ଲାଗିଛି ଯେମିତି ସେ ଏହି ଘରର ପ୍ରକୃତ ମାଲିକାଣୀ। ଗାଁ କୁ ପଛ କଲାବେଳେ ଯେତେବେଶୀ ଦେହକୁ ଲାଗି ନଥିଲା ଏବେ ଏ ଘରକୁ କେବେ ଛାଡିବାର କଳ୍ପନା ତା'ଠୁଁ ଅଧିକ ଲାଗେ ତାକୁ, ସିଧା ଛାତି ଭିତରେ।

ଦେବବାବୁ ଓ ରାଜଶ୍ରୀ ଦେବୀ ଦୁହେଁ କେତେଥର କାମିନୀ ର ବାହାଘର ବିଷୟରେ କଥା ହେଉଥିବାର କାମିନୀ ନିଜ କାନରେ ଶୁଣିସାରିଛି। ଗଲାମାସ ଶେଷ ରବିବାର ଦିନ ବଟଭାଇ ଆଉ ମାନୀ ଭାଉଜ ବୁଲି ଆସିଥିଲେ । ଗପସପ ହେଇ ଭଲମନ୍ଦ ପଚାରୁ ପଚାରୁ ମାନୀ ଭାଉଜ କହିଲେ,"ଜାଣିଛ କାମିନୀ, ତମପାଇଁ ଭଲ ପାତ୍ରଟିଏ ଦେଖିବା ପାଇଁ ମାଉସୀ ୟାଙ୍କୁ ସେଦିନ କହୁଥିଲେ। ତମେ ଚାଲିଗଲା ପରେ ଘର ଯେଉଁ ଭୁତକୋଠୀ କୁ ସେଇ ଭୁତକୋଠୀ ହେଇ ରହିଯିବ କହି କେତେ ମନ ଖରାପ କରୁଥିଲେ। " କାମିନୀ କିଛି କହିଲାନାହିଁ, ଖାଲି ଯାହାଟିକେ ଲାଜେଇ ଗଲା ସେକଥା ଶୁଣି।

କାମିନୀ ତୋଫା ଗୋରା ନହେଲେ ବି ସୁନ୍ଦରୀ । ଯୌବନ ଛଳ ଛଳ ଶ୍ୟାମଳ ରଙ୍ଗର ଅଙ୍ଗ ଅବୟବ ତା'ର ଯେକୌଣସି ପୁରୁଷ ମନରେ କାମକ୍ଷୁଧା ଜାଗ୍ରତ କରିଦେବା ପାଇଁ ପର୍ଯ୍ୟାପ୍ତ ଠୁଁ ଢେର ଅଧିକ। ବିଶେଷ କରି ଯୌବନର ଗୋଟେ ନିଆରା ରଙ୍ଗ ଥାଏ ଯାହା ଦେହ ଓ ମନ ସବୁକିଛି କୁ ରଙ୍ଗେଇ ଦିଏ ଏଇ ବୟସରେ। ମାନୀ ଭାଉଜଙ୍କ ମୁହଁରୁ ବାହାଘର କଥା ଶୁଣି ସାରିବା ପରେ କାହିଁକି କେଜାଣି କାମିନୀ ର ମାନସପଟରେ ଅଜଣା-ଅଚିହ୍ନା କେତେକେତେ ସୁଠାମ ସୁନ୍ଦର ଓ ବଳିଷ୍ଠ ପୁରୁଷଙ୍କ ଚିତ୍ର ମୁହୂର୍ମୁହୂ ଭାସି ଉଠି ସ୍ୱତଃ ଲିଭି ଯାଉଥିଲେ। ନିଜକୁ ନିଜ ଆୟତ୍ତରେ ରଖି ପାରିବା ସବୁବେଳେ ସମାନ ଭାବେ ସହଜ ନୁହେଁ, ବିଶେଷ କରି ସେଇ ସମୟରେ ଯେତେବେଳେ ମନ ଅନ୍ୟ କାହାର ହେବାକୁ ଏକାନ୍ତ ଭାବରେ ଚାହିଁବାକୁ ଆରମ୍ଭ କରିଦିଏ।

ରାଜଶ୍ରୀ ଦେବୀଙ୍କ ପୁତୁରା ର ବାହାଘର ମାଘ ତେଇଶି ରେ। ତାଙ୍କ ଭାଇ ଆସି ଗତକାଲି ଉପର ଓଳି ତାଙ୍କ ଗାଁଆ କୁ ନେଇଗଲା ବେଳେ କହିଲେ," ବୁଝିଲ ଭାଇ, ବାହାଘର ପର ଠାରୁ ଏତେବର୍ଷ ଭିତରେ ନାନୀ ଦିନକ ପାଈଁ ବି ଗାଁ'କୁ ଯାଇନାହିଁ ,ସବୁବେଳେ ତମରି ସେବାରେ ଲାଗିଛି। ଏଥର ପକ୍ଷେ-ଦି'ପକ୍ଷ ରହିକରି ଆସିବ।"

ଦେବବାବୁ ମଜା କରି କହିଲେ," ଆରେ,ସିଏ ତ କେବଳ ତମର ନାନୀ ନୁହେଁ, ମୋ'ର ଜୀବନ। ତଥାପି, ବାପଘରର ଝିଅକୁ ବାପଘରକୁ ଯିବାକୁ ନଦେଇ ହାଣ କୁରାଢ଼ୀ ବେକରେ ବସେଇବି କି ଆଉ? ଯାଉ,ଯେତେଦିନ ଯାକେ ମନ ନ ଭରିଛି ସେପର୍ଯ୍ୟନ୍ତ ଗାଁରେ ବୁଲାବୁଲି କର ସାରି ଆସିବ।କାମିନୀ ତ ଅଛି,ବ୍ୟସ୍ତ ହେବାର କିଛି ନାହିଁ। ଗଲାବେଳେ ରାଜଶ୍ରୀ ଦେବୀ କାମିନୀ କୁ କହିଲେ," କେତେବର୍ଷ ହେଲା ଗାଁଆର ମାଟି ମାଡି ନଥିଲା ପାଦ। ତୁ ଅଛୁ ବୋଲି ଟିକେ ନିଦକରେ ଯାଉଛି କାମିନୀ। ମଉସାଙ୍କ ଦେଖାଶୁଣା କରୁଥିବୁ ,ମୁଁ ଅଷ୍ଟ ମଙ୍ଗଳା ପରଦିନ ସକାଳୁ ସକାଳୁ ବାହାରି ଆସିବି।"

ସେଦିନ ସନ୍ଧ୍ୟାରେ ଦେବବାବୁ ବୈଠକ ଘରର ଆରାମ ଚେୟାର ରେ ବସିଥିଲା ବେଳେ କାମିନୀ ତାଙ୍କ ପାଇଁ ଚାହା ନେଇ ପହଁଚିଲା। ଦେବବାବୁ କାହିଁକି କେଜାଣି ଅତି ମାତ୍ରାରେ ଉଦାସ ଜଣାପଡୁଥିଲେ। ବହୁତ ଅନ୍ୟମନସ୍କ ଥିଲେ ମଧ୍ୟ।

"ବାବୁ, ଚା।"- କହିସାରି ଟେବୁଲ ଉପରେ ଚାହା କପ

ଥୋଇ ଫେରିଲା ବେଳକୁ ଦେବବାବୁ ସହସା ପଚାରିଲେ ," ବ୍ୟସ୍ତ ଅଛୁ କି କାମିନୀ ?"

"ନାଇଁ ବାବୁ, ରୋଟି କରିବା ପାଇଁ ଅଟା ଚକଟିବି ,ଆଉ କିଛି କାମ ଏବେ ନାହିଁ।"

ଦେବବାବୁ ଚା'କପ ଆଣିବା ପାଇଁ ଟେବୁଲ ପାଖକୁ ଯାଉଯାଉ କହିଲେ," ଭାରି ଏକୁଟିଆ ଏକୁଟିଆ ଲାଗୁଥିଲା ତ ଭାବିଲି ତୋ'ସାଙ୍ଗରେ ଦି'ପଦ କଥା ହେଇଗଲେ ମନଟା ଟିକେ ହାଲକା ଲାଗିବ କାଳେ।"

କାମିନୀ ଜାଣେ ଦେବବାବୁ ତାକୁ କେତେବେଶି ସ୍ନେହ କରନ୍ତି , ନିଜର ମଣନ୍ତି। ତେଣୁ, ତାଙ୍କ ସାଙ୍ଗରେ କଥା ହେଲାବେଳେ ସେ ଟିକେବୋଲି ସଂକୋଚ କରେନାହିଁ।

"ନାହିଁମ ବାବୁ, ବାବୁଆଣୀ ନାହାଁନ୍ତି ତ ସେଇଥିପାଇଁ ସେମିତି ଲାଗୁଛି, ମୋତେ ପରା ଘରଟା ଖାଲିଖାଲି ଲାଗୁଛି ତାଙ୍କ ଯିବା ପରଠୁଁ।",କାମିନୀ କହିଲା।

ଦେବବାବୁ କାମିନୀ ମୁହଁକୁ ଚାହିଁଲେ,ଆଖିରେ ଆଖି ରଖି କହିଲେ," ଏ ଯେଉଁ ଏକଲାପଣ କେବଳ ରାଜଶ୍ରୀ ଯିବା ପରର ଶୁନ୍ୟତାର ଅନୁଭବ ନୁହେଁ କାମିନୀ, ବର୍ଷବର୍ଷର ପୁରୁଣା। ଏ ଏକଲାପଣ କେବଳ ମୋର ନୁହେଁ, ରାଜଶ୍ରୀ ର ମଧ୍ୟ,ଇଏ ଆମ ଦୁହିଁଙ୍କର ବନ୍ଧାଛନ୍ଦା ଏକେଲାପଣ।"

ମୁହଁ ପାଖକୁ ନେଇଥିବା ଚା କପକୁ ଓଠ ଛୁଇଁବା ପୂର୍ବରୁ ଦୁରେଇ ଆଣି ଟେବୁଲ ଉପରେ ରଖିଦେଇ ସେ କିଛି

ଦୁଃଖକୁ ଢ଼ୋକି ଦେବାର ପ୍ରୟାସ କରୁଥିଲେ ସମ୍ଭବତଃ। ସେତେବେଳକୁ ତାଙ୍କର ଆଖି କାମିନୀ ଆଖିରୁ ଖସିଯାଇ ଝରକା ସେପାଖର ଅନ୍ଧାର ଭିତରେ ନିଜକୁ ଲୁଚେଇବା ପ୍ରଚେଷ୍ଟାରେ ଥିଲା। ବାବୁଙ୍କୁ ଟିକେ ସହଜ କରେଇବା ପାଈଁ କାମିନୀ କହିଲା,"ହଁ ବାବୁ, କଣ ଗୋଟେ କହିବେ ବୋଲି କହୁଥିଲେ ପରା!"

ସାମାନ୍ୟ ପ୍ରକୃତିସ୍ଥ ହେଇ ବିନା ଉପକ୍ରମ ରେ ଦେବବାବୁ କହିଲେ , " ତେବେ ଶୁଣ।

ମାଡ୍ରାସରେ ଫାୟାର ଇଂଜିନିଅର ଚାକିରୀ କରିବା ପରେ ପ୍ରତିବର୍ଷ ଦଶରାର ଦଶ ପନ୍ଦର ଦିନ ପୂର୍ବରୁ ଘରକୁ ଆସି ଭଷାଣି ପରେ ଫେରିଯାଏ। ସେ ବର୍ଷ ମା'ଦେହ ଭଲ ନଥିଲା ବୋଲି ଦୁଇମାସ ଛୁଟି ନେଇ ଘରକୁ ଆସିଥାଏ। ଘରକୁ ଆସିବାର ଚାରିପାଞ୍ଚ ଦିନପରେ ଦିନେ ବାଦାମବାଡି ବସଷ୍ଟାଣ୍ଡ ଭିତରେ ଜଣେ କଲେଜ ଜୀବନର ସାଙ୍ଗ ସହ ଗପସପରେ ବ୍ୟସ୍ତ ଥିଲାବେଳେ ମୋତେ ଲାଗିଲା ଯେମିତି ମୁଁ କାହାର ଦୁଇଆଖି ଭିତରେ ଆବଦ୍ଧହେଇ ଧୀରେଧୀରେ ବସଷ୍ଟାଣ୍ଡ ବାହାରକୁ ଟାଣି ହେଇଯାଉଛି। ଅଚାନକ ସେମିତି ଏକ ଅନୁଭବର କୌଣସି ଅର୍ଥ ବୁଝି ନପାରି ଏକ ଅବ୍ୟକ୍ତ ବ୍ୟସ୍ତତାଭରା ଦୃଷ୍ଟିରେ ଇତସ୍ତତଃ ଚାହିଁଲି, ବସଷ୍ଟାଣ୍ଡ ଭିତରୁ ଧୀରେ ଧୀରେ ଗଡିଗଡି ବାହାର ଗେଟ ଆଡକୁ ଚାଲି ଯାଉଥିବା ଗୋଟେ ବସ ର ଝରକା ପାଖ ସିଟରେ ବସି ଅପଲକ ଦୃଷ୍ଟିରେ ମୋତେ ଚାହିଁଥିବା ସୁନ୍ଦର ମୁହଁଟିଏ ଉପରେ ଦୃଷ୍ଟି ସ୍ଥିର ହେଇଗଲା। ଲାଗିଲା ଯେମିତି ସେଇ ବସ ରେ ମୋର ଆସନ୍ତାକାଲି ର ଜୀବନ ସବୁଦିନ ପାଇଁ ଦୁରେଇ ଯିବ ମୋ ଠାରୁ ଯଦି ମୁଁ ଆଉ କିଛି ମୁହୂର୍ତ୍ତ ସେଇଠି ସେମିତି ଠିଆ ହେଇ ରହିଯିବି। ମନ୍ତ୍ରମୁଗ୍ଧ ହେଲାଭଳି ବସ ପଛରେ ଦୌଡି ଦୌଡି ଯାଇ କୁଦା ମାରି ବସ ଉପରକୁ ଉଠିଯାଇ ଗେଟ ପାଖରେ ଠିଆ ହେଇଗଲି। କିଛି ବୁଝି ପାରୁନଥିଲି,କିଛି ଭାବି ପାରୁନଥିଲି। କଣ୍ଡକ୍ଟର ପିଠିରେ ହାତମାରି ପଚାରିଲା," କଉଁଠିକୁ ଯିବେ?"

"ଏ ବସ କୋଉଯାକେ ଯିବ?",କଣ୍ଡକ୍ଟର ମୁହଁକୁ ନଚାହିଁ କେମିତି ଗୋଟେ ପଚାରିଦେଲି ଏମିତି।

-"ଅନୁଗୁଳ, ଆପଣ କୋଉଠି ଓହ୍ଲେଇବେ?"

- "ଅନୁଗୁଳରେ"

-" ସାମ୍ନା ସିଟରେ ଯାଇ ବସନ୍ତୁ,ସେଇ ଝିଅ ଯଉଁ ଦି'ଜଣିଆ ସିଟରେ ବସିଛି।"

ସିଟ ପାଖରେ ଯାଇ ଠିଆହେଲି,ସତେ ଯେମିତି ବସିବା ପାଇଁ ସେ ଝିଅର ଅନୁମତି ଲୋଡୁଥିଲି। ତା'ମୁହଁରେ ଅଳ୍ପ ଟିକେ ଲାଜୁଆ ହସ ସେଥିପାଇଁ ଯଥେଷ୍ଟ ଥିଲା,ମିଳିଗଲା ଅନୁମତି। କିଛି କ୍ଷଣର ନୀରବତା ଭଙ୍ଗକରି ମୁଁ ହିଁ ତୁଣ୍ଡ ଖୋଲିଲି ପ୍ରଥମେ।

-" ନାଁ କଣ?

-" ରାଜଶ୍ରୀ ଶତପଥୀ।"

-"କଟକରେ କଣ କର?"

-" ରେଭେନ୍ସା କଲିଜିଏଟ ସ୍କୁଲରେ ଶିକ୍ଷୟତ୍ରୀ ଅଛି। ଆପଣ ?"

ଏମିତି କଥାବାର୍ତ୍ତା ଆଗେଇ ଚାଲିଲା ।

ବାସ, ଗାଡି ଆଗକୁ ଗଡ଼ିବା ସଙ୍ଗେସଙ୍ଗେ ସେଇ ମୁହୂର୍ତ୍ତରେ ଗଢି ଉଠିଥିବା ପ୍ରେମ ବଢିବଢି ପ୍ରାପ୍ତ ବୟସ୍କ ହେଇଗଲା ଅନୁଗୁଳରେ ବସ ପହଞ୍ଚିବାର ବହୁତ ପୂର୍ବରୁ।

ତା'ପରଠୁଁ ତା'ସହ ଦେଖା ହେବା ଏକ ଦୈନନ୍ଦିନ କାର୍ଯ୍ୟ ପାଲଟି ଯିବା ସହ ଏକ ଅପରିହାର୍ଯ୍ୟ ଅଭ୍ୟାସରେ ପରିଣତ ହେଇଗଲା। ପ୍ରକୃତରେ, ଜୀବନର ସେଇ ଦିନସବୁ ସ୍ୱପ୍ନ ଗୋଟେଇ ଗୋଟେଇ ଜୀବନକୁ ସଜାଇବାର ଦିନ ଥିଲେ।

ବାପା କଟକ ସହରର ଜଣେ ଖ୍ୟାତନାମା ବ୍ୟବସାୟୀ ଥିଲେ। ନିଜ ଶ୍ରମ ଅର୍ଜିତ ଅର୍ଥରେ ଅପର୍ଯ୍ୟାପ୍ତ ସମ୍ପତ୍ତିର ଅଧିକାରୀ ହେଇଥିଲେ ମଧ୍ୟ ସ୍ୱଭାବରେ ଖୁବ ନିରହଙ୍କାର , ଅମାୟିକ , ମେଳାପି ଓ ଗହଳଚହଳ ପ୍ରିୟ ଥିଲେ। ମୁଁ ଥିଲି ତାଙ୍କର ସର୍ବୋତ୍ତମ ସାଥି। ମାଆ ମଧ୍ୟ ଠିକ ବାପାଙ୍କ ପରି। ସେ'ତ ଦୁଃଖ କଣ ଜାଣି ନଥିଲା ବୋଧେ, ସବୁବେଳେ ହସହସ ମୁହଁ । ମୋ ଜାଣିବାରେ ,ସେ ବଞ୍ଚୁଥିଲା କେବଳ ବାପାଙ୍କ ପାଇଁ ଆଉ ମୋ'ପାଇଁ। ଗୋଟିଏ ପିଲା ବୋଲି ମୁଁ ଥିଲି ବାପା'ମା ଉଭୟଙ୍କର ସବୁ ସୁଖଦୁଃଖ ର ଏକମାତ୍ର ଉତ୍ସ। ତେଣୁ,ମୋର ଛୋଟବଡ କୌଣସି ଗୋଟିଏ ଇଚ୍ଛାକୁ ଅପୂର୍ତ୍ତ ରହିବାକୁ ଦେଉ ନଥିଲେ ସେମାନେ।

ଆନିମିଆ ଯୋଗୁଁ ମା'ର ଦେହ ବହୁତ ସମୟରେ ଖରାପ ରହୁଥିଲା। ତା'ର ଇଛା ଥିଲା ,ତା'ର କିଛି ଭଲମନ୍ଦ ହେବା ପୂର୍ବରୁ ମୋ'ର ବାହାଘର ଶୀଘ୍ର କରେଇ ,ନାତି-ନାତୁଣୀ ସୁଖ ଭୋଗକରିବ।

ସେଦିନ ସନ୍ଧ୍ୟାରେ ଘରକୁ ଫେରିବା ବେଳକୁ ବାପା ଓ ମା ଦୁଇଜଣ ଏଇଠି ଏଇ ବୈଠକ ଘରେ ବସିଥା'ନ୍ତି। ପରିବେଶ ରେ ବାରି ହେଇ ପଡୁଥିବା କିଛି ଗାମ୍ଭିର୍ଯ୍ୟ ରାଜୁତି କରୁଥିଲା। ମୁଁ ଘର ଭିତରକୁ ପଶୁପଶୁ ବାପା ହଠାତ ଚଢା ଗଳାରେ ପଚାରିଲେ,"ରହ, ପ୍ରଥମେ କହ ସେ ଝିଅ କିଏ? ତୋ'ର ତା ପାଖରେ କଣ କାମ ପଡୁଛି ?"

ଜୀବନରେ ପ୍ରଥମ ଥର ପାଇଁ ବାପାଙ୍କ ସାମ୍ନାରେ ଅପ୍ରସ୍ତୁତ ହେଇଯିବାର ଅନୁଭବ ଥିଲା। କାହିଁକି କେଜାଣି, ସାହସ ଜୁଟାଇ ପାଇଲିନି ବାପାଙ୍କ ମୁହଁକୁ ସିଧା ଚାହିଁବ ପାଇଁ। ମା'ଆଡକୁ ଚାହିଁଲି, ସେ ବି ତଳକୁ ମୁହଁକରି ବସିଥିଲା। ଛେପ ଢ଼ୋକି, ସାମ୍ନା କାନ୍ଥ ଆଡକୁ ଚାହିଁ କହିଲି,"କେଉଁ ଝିଅ ! କାହିଁ?"

ଖୁବ ଜୋରରେ ହସି ଉଠିଲେ ବାପା, କହିଲେ,"ଦେଖୁଛ ଚନ୍ଦ୍ରିକା,ବେଟା ଆମର କେମିତି ଛୁପା ରୁସ୍ତମ ହେଇଗଲାଣି। ଆରେ ତୁ ବେଟା ହେଲେ ମୁଁ ପରା ତୋ ବୋପା, ମୋତେ ତୁ ନକହିଲେ ତୁ କଣ ଭାବୁଛୁ ମୁଁ କିଛି ଜାଣି ପାରିବିନି ! " କହିସାରି ମୋ କାନ୍ଧ ଉପରେ ହାତ ଥାପୁଡ଼େଇ ପୁଣିଥରେ ଖୁବ ଜୋରରେ ହସି ଉଠିଲେ ବାପା, ମାଆ ମୁହଁରେ ବି ହସ ଲହଡି ଭାଙ୍ଗୁଥିଲା। ଡରଭୟ ସବୁ ଛାଡ଼ିଗଲା ମୁହୂର୍ତ୍ତକ ଭିତରେ। ଆଉ ଲୁଚେଇବାର ଉପାୟ କିମ୍ବା ଆବଶ୍ୟକତା ନଥିଲା। ମୋ ମୁହଁରୁ ସବୁକଥା ଶୁଣି ସାରିବା ପରେ ମାଆ ଏତେ ଖୁସି ହେଇଯିବ ବୋଲି ସ୍ୱପ୍ନରେ ମଧ୍ୟ କଳ୍ପନା କରି ନଥିଲି। ମା'କହିଲା," ପ୍ରଭୁ ଏତେ ଦିନକେ ମୋ ଡାକ ଶୁଣିଲେ ଶେଷରେ।

ତା'ପରେ ବିବାହ ପ୍ରସ୍ତାବ,ଆଲୋଚନା ଓ ବିବାହ ସବୁକିଛି ସମ୍ପନ୍ନ ହେଇଗଲା ପରବର୍ତ୍ତୀ ମାସକ ଭିତରେ। ରାଜଶ୍ରୀ ବୋହୁ ହେଇ ଆସିଲେ ଏ ଘରକୁ, ଖୁସିରେ ଉଛୁଳି ଉଠିଲା ଘରର କୋଣ ଅନୁକୋଣ।", ଏକାନିଶ୍ୱାସରେ ଏତକ କହିସାରି ଲମ୍ବା ନିଶ୍ୱାସଟିଏ ଛାଡି , ଗ୍ଲାସର ଢ଼ାଙ୍କୁଣୀ ବାହାର କରି ଢୋକେ ପାଣି ପିଇ ପୁଣି କହିବା ଆରମ୍ଭ କଲେ ଦେବବାବୁ " ବାପା ଓ ମାଆ ଉଭୟଙ୍କ କହିବା ମାନି ଚାକିରୀ ରୁ ଇସ୍ତଫା ଦେଇ ବାପାଙ୍କ ବ୍ୟବସାୟ ରେ ମନୋନିବେଶ କଲି। ଏମିତି କହିବାକୁ ଗଲେ, ମୁଁ କେବଳ ଖୁସିରେ ଚାକିରୀ କରୁଥିଲି, ଆବଶ୍ୟକତା ପୂରଣ କରିବା ପାଇଁ ନୁହେଁ। ବାପାଙ୍କର ଯେତିକି ସମ୍ପତ୍ତି ଥିଲା ସେତକ ପରବର୍ତ୍ତୀ ତିନିପାଞ୍ଚ ପିଢ଼ିପାଇଁ ଆବଶ୍ୟକତା ଠାରୁ ଅଧିକ ଥିଲା। ଯେଉଁଦିନ ମା ଜାଣିଲା ଯେ ସେ ଜେଜେମା ହେବାକୁ ଯାଉଛି ସେଦିନଟି ବୋଧେ ତା ଜୀବନର ସବୁଠାରୁ ଖୁସିର ଦିନ ଥିଲା। ରାଜଶ୍ରୀ ହାତରୁ ସବୁ କାମ ଛଡେଇ ନେଲା ସେ ଏକାବେଳକେ। ଦାନଧର୍ମ, ପୂଜାପାଠ ଭିତରେ ଘର ଗୋଟେ ମନ୍ଦିର ପାଲଟି ଗଲା ଭଳି ଲାଗିଲା। ବାପା ବ୍ୟବସାୟରୁ ଧ୍ୟାନ ହଟାଇ ଉତ୍ତରାଧିକାରୀ ର ସ୍ୱାଗତ ପାଇଁ ଏକ ଦୀର୍ଘ କାଳୀନ ପ୍ରସ୍ତୁତି ରେ ଲାଗି ପଡିଲେ।

ବେଳେବେଳେ ଏମିତି ବି ହୁଏ ଯେ ଏତେବେଶି ସୁଖ ମିଳେ ଯାହା ଭୋଗ କରିବାକୁ କପାଳ ମିଳେନି। ଚାହୁଚାହୁଁ ବହୁ ପ୍ରତୀକ୍ଷିତ ଅତିଥି ଆଗମନର ଦିନ ଉପସ୍ଥିତ ହେଲା। କଟକ ସହରର ସବୁଠାରୁ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ପ୍ରାଇଭେଟ ନର୍ସିଂହୋମ ' ଦ ମେଡି-ହେଭେନ' ର ମ୍ୟାଟରନିଟି କ୍ଲିନିକ ର ଲେବର ରୁମ ଭିତରକୁ ରାଜଶ୍ରୀ ଯିବାପରେ ଆମେ ସମସ୍ତେ ବର୍ଣ୍ଣନାତୀତ ଉତ୍କଣ୍ଠାର ସହ ଅପେକ୍ଷା କରୁଥିବା ସୁଖକର ଖବରଟି ଏତେବେଶି ଯନ୍ତ୍ରଣାଦାୟକ ହେଇପାରେ ବୋଲି କେହିବି ମାନି ନେଇ ପାରି ନଥିଲୁ।"

ପୁଣିଥରେ ପାଣିଗ୍ଲାସ ଆଡକୁ ହାତ ବଢଉ ବଢଉ ବାଁ କାନ୍ଧ ସହାୟତାରେ ଗାଲ ଉପରକୁ ଗଡ଼ି ଆସୁଥିବା ଲୁହକୁ ପୋଛିନେଇ , ବସି ଆସୁଥିବା ଗଳା ଝାଡ଼ି ପାଣି ଗ୍ଲାସଟିକୁ ଖାଲି କରିସାରି ଅଧାରେ ଛାଡିଥିବା କଥାକୁ ଆଗକୁ ବଢ଼େଇବାକୁ ଚେଷ୍ଟା କଲାବେଳକୁ ପଥର ପାଲଟି ଯାଇଥିବା କାମିନୀ ପଚାରିବ ନା ପଚାରିବନି ଭାବୁଭାବୁ ଅତର୍କିତ ଭାବେ ବ୍ୟସ୍ତତାଭରା କଣ୍ଠରେ ପଚାରିଦେଲା," ତା'ପରେ କଣ ହେଲା ବାବୁ? "

" ଡାକ୍ତର ଆଶୁତୋଷ ମିଶ୍ର ଲେବର ରୁମର ପରଦା ଆଡେଇ ବାହାରିବା ପରେ ହାତରୁ ଗ୍ଲୋଭସ ଖୋଲୁଖୋଲୁ ଅନୁକମ୍ପା ଭରା କଣ୍ଠରେ କହିଲେ ଯେ ଶିଶୁପୁତ୍ର ଟି ପ୍ରାୟ ସପ୍ତାହେ ପୂର୍ବରୁ ଏକ୍ସପାୟର କରି ସାରିଥିଲା। ତୁରନ୍ତ ଅପରେସନ ନ କରିଥିଲେ ପ୍ରସୂତୀ ର ପ୍ରାଣ ଚାଲିଯିବାର ଆଶଙ୍କାକୁ ଏଡାଇ ଦିଆଯାଇ ପାରି ନ'ଥାନ୍ତା। ତୁରନ୍ତ ରାଜଶ୍ରୀଙ୍କୁ ଲେବର ରୁମରୁ ଓଟି କୁ ସ୍ଥାନାନ୍ତରିତ କରାଗଲା। ଡାକ୍ତରଙ୍କର ବହୁ ପ୍ରଚେଷ୍ଟା ଦ୍ୱାରା ରାଜଶ୍ରୀଙ୍କ ଜୀବନ ବଂଚିଗଲା ହେଲେ,ଡାକ୍ତରଙ୍କ ଘୋଷଣା ଓ କଡା ଚେତାବନୀ କେବଳ ରାଜଶ୍ରୀଙ୍କୁ ନୁହେଁ ମୋ'ସମେତ ମୋ ପରିବାର ର ଜଣଜଣ କରି ସମସ୍ତଙ୍କୁ ଏକ ପ୍ରକାର ଜୀବନ୍ତ-ନିର୍ଜୀବ କରିଦେଲା । 'ରାଜଶ୍ରୀ ଆଉ କେବେ ମା ହେଇ ପାରିବେନି ଏବଂ ଭୁଲରେ ମଧ୍ୟ ଯଦି ସେଥିପାଇଁ ପ୍ରଚେଷ୍ଟା କରାଯାଏ ତେବେ ତାଙ୍କୁ ଜୀବିତ ରଖିବା ଅସମ୍ଭବ।'

ସ୍ଵ-ଅର୍ଜ୍ଜିତ ଅଗାଧ ସମ୍ପତ୍ତି ସବୁକୁ ମୋ'ଅନ୍ତେ ଭୋଗ-ଦଖଲ କରିବା ପାଇଁ କେହି ଉତ୍ତରାଧିକାରୀ ନ ରହିବା ତଥା ଆମ ଦୁହିଁଙ୍କ ଦୁର୍ଭାଗ୍ୟର ବେଦନା ସହିବା ବାପାଙ୍କ ସହ୍ୟ ଶକ୍ତି ବହିର୍ଭୁତ ଥିଲା, ମା'ପାଇଁ ତତୋଧିକ।

ପନ୍ଦର ଦିନ ପରେ ରାଜଶ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ହେଇ ଘରକୁ ଫେରିବା ଦିନ ହାର୍ଟ ଆଟାକ ରେ ବାପା ଦୁନିଆ ଛାଡିଲେ। ବାପା ଆଉ ମାଆ ଙ୍କ ଭିତରେ ଭଲ ପାଇବା କଳ୍ପନାତୀତ ଥିଲା, ଜଣଙ୍କ ବିନା ଆଉଜଣେ ମୁହୂର୍ତ୍ତେ ବଞ୍ଚିବା ଅସମ୍ଭବ ଥିଲା। ବାପାଙ୍କ ଯିବାପରେ ମାଆ କାନ୍ଦି ନଥିଲା କିମ୍ବା ବିଧବା ମଧ୍ୟ ହେଇ ନଥିଲା।ସେଥିପାଇଁ ତା ପାଖରେ ଅବକାଶ ନଥିଲା। ଉଭୟଙ୍କୁ ଗୋଟିଏ ଜୁଇରେ ଶୁଆଇ ମୁଖାଗ୍ନି ଦେବା ସମୟରେ ମୋ'ଆଖିରେ ଲୁହ ନ ଥିଲା, ଛାତିରେ କୋହ ନଥିଲା। ସେଇଦିନ ମୁଁ ବୁଝିଲି ଯେ ସୁଖ ହେଉ ବା ଦୁଃଖ ହେଉ,ଏକ ନିର୍ଦ୍ଧିଷ୍ଟ ମାତ୍ରା ପାରି ହେଇଗଲେ ଏକ ଭିନ୍ନ ଅବସ୍ଥା କୁ ପରିବର୍ତ୍ତିତ ହେଇଯା'ନ୍ତି ଯାହା ଅନୁଭବ ରହିତ କରିଦିଏ ଭୋଗୁଥିବା ମଣିଷକୁ।

ସମୟ ମଣିଷ ମାନଙ୍କୁ ଧୀରେ ଧୀରେ ନିଜନିଜର ଦୁଃଖ ମାନଙ୍କ ସହ ସାଲିସ କରେଇ ଦେଇ ଆଗକୁ ବଞ୍ଚିବା ଶିଖାଇ ଦିଏ।

ଆମ ଦୁହିଁଙ୍କ କ୍ଷେତ୍ରରେ ମଧ୍ୟ ଠିକ ସେୟା ହିଁ ହେଲା,ଆମେ ବଞ୍ଚିବା ଶିଖିଗଲୁ ଆମ ଭିତରେ ପ୍ରତି ମୁହୂର୍ତ୍ତରେ ଛଟପଟ ହେଉଥିବା ହତାଶ ପଣକୁ ବୁଝେଇ ବୁଝେଇ ଆପଣାର ପ୍ରାରବ୍ଧ କିମ୍ବା ଦୁର୍ଭାଗ୍ୟ ମାନିନେଇ। ଏମିତି ଦିନଟେ ମୁଁ ଦେଖିନି ଯେଉଁଦିନ ରାଜଶ୍ରୀ ନିଜର ମନକୁ ଯଥାସମ୍ଭବ ବୁଝେଇବାକୁ ଚେଷ୍ଟା କରି ଅସଫଳ ହେଇ ନାହାନ୍ତି ଆଉ ଲୁଚିଲୁଚି ନ କାନ୍ଦିଛନ୍ତି ପିଲାଟିଏ ପାଇଁ। ଏ ବଂଶକୁ ଉତ୍ତରାଧିକାରୀଟିଏ ଦେଇ ନ ପାରିବାର କ୍ଷୋଭ ତାଙ୍କ ଜୀବନର ସବୁଯାକ ସୁଖଶାନ୍ତି କୁ ପାଣ୍ଡୁର କରିଦେଇଛି। ଏମିତି ବି ନୁହେଁ ଯେ ଆମେ ଅନ୍ୟ କୌଣସି ଡାକ୍ତର ପରାମର୍ଶ କରିନାହୁଁ। ଭେଲୋର, ବାଙ୍ଗାଲୋର, ଦିଲ୍ଲୀ ଠାରୁ ଆରମ୍ଭ କରି ସିଙ୍ଗାପୁର,ଆମେରିକା ପର୍ଯ୍ୟନ୍ତ ବହୁ ଡାକ୍ତରଙ୍କ ସହ ପରାମର୍ଶ କରି ନିରାଶ ହେଇଛୁ।ମୁଁ ବି ଅନ୍ୟ ମାନଙ୍କ ଭଳି ଜଣେ ସାଧାରଣ ମଣିଷ, ସିଦ୍ଧ ଯୋଗୀ ନୁହେଁ କିମ୍ବା ଦେବତା ମଧ୍ୟ ନୁହେଁ। ମୋତେ ମଧ୍ୟ ସେଇ ଏକା ଅଭାବବୋଧ ପ୍ରତି ମୁହୂର୍ତ୍ତରେ କ୍ଷତାକ୍ତ କରି ଚାଲିଛି ବର୍ଷବର୍ଷ ଧରି। ଜଣେ ସକ୍ଷମ ପୁରୁଷକୁ ବାପା ନହେଇ ପାରିବାର ଦୁଃଖ, ଜଣେ ନାରୀକୁ ମା ନ ହେଇ ପାରିବାର ଦୁଃଖ ଠାରୁ ଅଧିକ ନ ହେଇପାରେ,କମ କଦାପି ନୁହେଁ।

କେବେକେବେ ଭାବିଛି , କୌଣସି ଅନାଥାଶ୍ରମରୁ ପିଲାଟିଏ ଆଣି ରାଜଶ୍ରୀଙ୍କ ରିକ୍ତ କୋଳ ଭରି ଦେବା ପାଇଁ। କିନ୍ତୁ ଦୃଢ଼ ସିଦ୍ଧାନ୍ତ ନେଇ ପାରିନାହିଁ କୌଣସି ଥର। କେମିତି ପାରନ୍ତି ଯେ ! ଜଣେ ସମର୍ଥ ପୁରୁଷ ହେଇ ନିଜର ସାମର୍ଥ୍ୟ ଉପରୁ ଆସ୍ଥା ତୁଟାଇ ଦେବା କଣ ଏତେ ସହଜ !! ଏ ପୃଥିବୀରେ କେବଳ ମଣିଷ ଏକ ଏମିତି ପ୍ରାଣୀ ଯିଏ ନିଜର ଇପ୍ସିତ ଅପୁରଣୀୟ ଜାଣି ସୁଦ୍ଧା ଭରପୁର ଭବିଷ୍ୟତର ସ୍ୱପ୍ନ ଦେଖିପାରେ।" ଶେଷ କେଇପଦ କଥା କହିଲା ବେଳେ ଦେବବାବୁଙ୍କ ଭିତରୁ ଜଣେ ଖୁବ ଶକ୍ତ,ସମର୍ଥ ଏବଂ ଦୃଢ଼ ସଂକଳ୍ପ ପୁରୁଷର ଆତ୍ମବିଶ୍ୱାସ ରେ ଭରପୁର ଦୃଷ୍ଟି କାମିନୀ ର ଦେହ ଓ ମନ ଉପରେ ଅନ୍ତରଙ୍ଗ ଆଧିପତ୍ୟ ବିସ୍ତାର କରି ଧୀରେ ଧୀରେ ତା'ର ଆତ୍ମସତ୍ତା କୁ କବଳିତ କରି ନେଉଥିଲା। ତା'ଭିତରର ସମ୍ବେଦନଶୀଳ ନାରୀଟି ତା ନିଜର ପବିତ୍ର ଗର୍ଭରେ ଦେବବାବୁଙ୍କ ବଂଶର ଉତ୍ତରାଧିକାରୀ ପାଇଁ କ୍ଷେତ୍ର ପ୍ରସ୍ତୁତି କରିବା ଆରମ୍ଭ କରିଦେଇ ସାରିଥିଲା। ବିଚାରୀ ରାଜଶ୍ରୀ ଦେବୀଙ୍କ ଙ୍କ ଶୁନ୍ୟ କୋଳକୁ ପୂର୍ଣ୍ଣ କରିଦେଇ ତାଙ୍କ ଆଖିର ଶେଷ ଲୁହ ଟିକକ ପିଇନବାର ଦୃଢ଼ ପ୍ରତିଜ୍ଞା ତାକୁ ଦେବବାବୁଙ୍କ ସମର୍ଥ ବାହୁବେଷ୍ଟନୀ ଭିତରକୁ ଟାଣି ନେଉଥିଲା ଧୀରେ ଧୀରେ। ଦେବବାବୁଙ୍କ ସକ୍ଷମ ପୁରୁଷତ୍ଵ ଅବିଳମ୍ବେ କାମିନୀ ର ସର୍ବାଙ୍ଗକୁ ଶିହରିତ କରି ସଂଚରି ଗଲା ତା'ର ଶିରା ଧମନୀ ରେ। ସମ୍ଭାବନା ଶୁନ୍ୟ ମରୁବାଲି ଉପରେ ସବୁଜ ଭବିଷ୍ୟତର ଦିଗନ୍ତ ବିସ୍ତାରି ସବୁଜିମା ଭରି ଦେବା ପାଇଁ ଏବେଏବେ ମାଟିକୁ ଛୁଇଁଥିବା କ୍ଷୁଦ୍ର ବୀଜଟି ତା'ର ସରୁ ଚେରଟିକୁ ମାଟିର ମୋହରେ ବାନ୍ଧି ଚାଲିଥିଲା।

ବିନୟ ଭୂଷଣ ପାଣିଗ୍ରାହୀ (ମିଟୁ)

ହରସିଂହ ପୁର,ପିରହାଟ ବଜାର,


Rate this content
Log in

Similar oriya story from Inspirational