ସୁମି
ସୁମି
-ଏଏଏ.....
-ଉଁଉଁ..
-କିଛି କହିବି...
-କ
-ମୁଁ ତୁମ କଥାରେ ରାଜି ନୁହଁ ।
-ସବୁ ବୁଝେଇ କହିଲି ।ତା ପରେ ତୋ ଇଛା ।
-କଣ ବୁଝେଇଲ??ଛେନା ଗୁଡ ।ତୁମେ ବାପ ନା କଂସେଇ?
-ହଁ,ମୁଁ କଂସେଇ ...
-କଣ?
-ହଁ,ପିଲା ଦୁଇଟାଙ୍କୁ ବଂଚାଇବାକୁ ହେବ।
ଭରତ ସୁମିଠୁ ମୁହଁ ବୁଲେଇ ଶୋଇଲା ।ହଁ ସେ ଗୋଟିଏ କଂସେଇ ।ଏମିତି ଏକ କଂସେଇ ଯିଏ ପିଲା ଦୁଇଟାଙ୍କୁ ବଂଚାଇବାକୁ ଯାଇ ସବୁ କରି ପାରେ ।ଅକାଳରେ ଘର ପୋଡି ଗଲା,ତା ସହ ରିକ୍ସାଟା ବି ।ରୋଜଗାର ନାହିଁ ।କଣ କରିବ ସେ?ବାପର ହୃଦୟଟା ମୁଣ୍ଡରେ ଥାଏ,ଛାତିରେ ନୁହେଁ ।ଆଖି ଝାପସା ହୋଇ ଉଠେ ଭରତର ।
ସୁମି ସୁଁ ସୁଁ ହୋଇ କାନ୍ଦୁଥିଲା ପିଲା ଦୁଇଟାଙ୍କୁ ଚାହିଁ ।ଅଭି ଓ ଆଶୁ ।ଅଭି ସୁସ୍ଥ ସବଳ ଆଉ ଆଶୁ ରୋଗିଣା ।ଶ୍ୱାସ ରୋଗରେ ଜୀବନ ଯାଏ ଆସେ ତାର ଘନା ଘନ। ।ପଇସା କାହିଁ ତାର ରୋଗ ଭଲ କରିବାକୁ?ପେଟ ତ ଅପୋଷା ରହୁଛି ଆଉ ଔଷଧ କଥା ଦୂରେ ଥାଉ ....
ସକାଳୁ ପଣ୍ଡା ଦମ୍ପତ୍ତି ଆସିବେ ...ଭାବିଲା ବେଳକୁ ସୁମିର ଛାତି କୋରି ହୋଇ ଯାଉଥାଏ ।
***************************
ପଣ୍ଡା ଦମ୍ପତ୍ତି ସାମ୍ନାରେ ଖଟିଆ ଉପରେ ।ଚୁପ୍ ଚାପ୍ ବସିଛନ୍ତି କିଛି କହିବା ଆଶାରେ ।ଇଆଡେ ସେଆଡେ ଅନାଉଛନ୍ତି ।ସୁମି ତଳେ ବସି ଆଙ୍ଗୁଳିରେ ଗାର ଟାଣୁଛି ।ପଣ୍ଡାବାବୁ ଗଳା ଖିଁଖାରୀ କହିଲେ...
-ଭରତ ଦେଖା ଯାଉନି ଯେ?
-ନା,ସେ ନାହାଁନ୍ତି ।ସୁମି ଉତ୍ତର ଦେଲା ।
-ତା ହେଲେ??
-ତା ହେଲେ ଆଉ କଣ ?ମୁଁ ତଅଛି ।
-ତୁମେ କଣ ରାଜି?
-ହଁ,ଗୋଟିଏ ସର୍ତ୍ତରେ ...
-ସର୍ତ୍ତ??ହେଉ ହେଉ ହେଲା ହେଲା ।କେତେ ଦରକାର? ଲକ୍ଷେ,ଦୁଇଲକ୍ଷ,ତିନି......
-ନା,ଅଭି ମୋ ପାଖେ ରହିବ ।ଆଶୁକୁ ନେଇ ଯାଅ ।
-କଣ?ମୁଁ କିନ୍ତୁ ଭରତ ସହ ଅଭି ବିଷୟରେ କଥା ହେଇଥିଲି ।ଆଶୁ ବାବଦରେ ନୁହେଁ ।ସେ ରୋଗିଣାଟା ।
ଏମିତି କଥା ଏପଟ ସେପଟ ହେଲେ ମୁଁ ଚାଲିଲି ...
ପଣ୍ଡା ବାବୁ ଉଠି ଛିଡା ହେଲେ ଫେରି ପଳାଇବାକୁ ।ତାଙ୍କ ସ୍ତ୍ରୀ ମୁହଁରେ କାକୁତି ମିନତିର ଚିହ୍ନ ।ବିକଳ ହୋଇ କହୁଥାଆନ୍ତି ...ମୋ କୋଳକୁ ଟିକେ ଦେଖ ।ଯିଏ ହେଲେ ବି ଚଳିବ ।ଦେଖ ମୋତେ ନିରାଶ କରନି ।ପଣ୍ଡା ବାବୁ ତରଳି ଗଲେ ।ସୁମିକୁ ଦେଖି କହିଲେ ହଉ,ଯାହା ତୋର ଇଛା ।
ଯାହା କରିବୁ ଜଲଦି କର ସୁମି ।
--ହଁ,ବାବୁ ସବୁ ଜଲଦି ହେବ ।ଆଶୁର ଜାମା ପଟା ବେଗ୍ ରେ ରଖି ଦେଇଛି ।କଳା,ତେଲ ଲଗାଇ ସଜ କରି ଦେଇଛି ।ଆର ଘରେ ସେ ଖେଳୁଛି ।ମୁଁ ଗଡିଆକୁ ଯାଉଛି ବାସନ ଧୋଇବାକୁ ।ମୁଁ ଫେରିଲା ବେଳକୁ ତାକୁ ନେଇ ଯାଇଥିବ।
-ହଉ,ହେଲେ ତୋ ପାଉଣା ଟା କେତେ କହ...
-ପାଉଣା?ବାବୁ..ମନେ ରଖିଥିବ ମୁଁ ଛୁଆ ବିକିନି...
***********
(କୋଡିଏ ବର୍ଷ ପରେ ପଣ୍ଡା ଦମ୍ପତ୍ତି ବିଦେଶରୁ ଫେରୁଛନ୍ତି)
ଅଭି ଚିଲ୍ଲେଇ ଚିଲ୍ଲେଇ କହୁଛି ,ବାପା,ବୋଉ ଶୁଣୁଛ ...ଆମ ଆଶୁ ଆସୁଛି ।ହଁ...ମୋ ଭାଇ ଆଶୁ ।ଏତେ ଦିନ ପରେ ??ଖୁବ୍ ଖୁସି ମୁଁ ,ଖୁବ୍ ଖୁସି ।ଏଇ ଦେଖିଲ ତା ଲାଗି ଜାମାଟେ ଆଣିଛି ।ପୁରା ବ୍ରାଣ୍ଡେଡ୍ ।ପାଂଚସହ ଟଂକା ପଡିଛି ।ମୋ ଆଶୁକୁ ଖୁବ୍ ମନେଇବ ।
ସମସ୍ତେ ଅପେକ୍ଷା କରିଛନ୍ତି ଆଶୁର ବାଟକୁ ।
କଳା ମଚ ମଚ ଗାଡିଟିଏ ରହଲା ଦାଣ୍ଡ ଆଗରେ ।ଲମ୍ବା ଗୋରା ଯୁବକଟିଏ ବାହାରି ଆସିଲା ।ଆଖିରେ ଚଷମା,କାନରେ ସୁନା ବାଲି,ହାତରେ ସୁନା ଘଣ୍ଟା,ଦାମୀ ପୋଷାକ ଜୋତା ।ଗାଁ ସାରା ଲୋକ ଠିଆ ହୋଇଛନ୍ତି ତାକୁ ଦେଖିବାକୁ ।ବାପା ବୋଉକୁ ପ୍ରଣାମ କଲା ,ଭାଇକୁ କୋଳାଇ ପକାଇଲା ।ଦାମୀ ଦାମୀ ଉପହାର ସବୁ ଆଣିଛି ।ତା ଉପହାର ଦେଖି ଅଭି ଆଶୁଲାଗି ଆଣିଥିବା ଜାମାଟି ଆଉ ଦେଇ ପାରିଲା ନାହିଁ ।ଆଶୁ ଫେରିଲା ବେଳେ ବାପା ହାତେ ମୋଟା ମୋଟା ଦୁଇବିଡା ଟଙ୍କା ଧରାଇ ଦେଲା ଆଉ ଅଭି ହାତରେ ସୁନା ଘଣ୍ଟାଟେ ପିନ୍ଧାଇ ଦେଇ ଗଲା ।ଆଶୁ ଖୁସିରେ ଖୁସିରେ ବିଦାୟ ନେଲା ।ଲୋକେ ଧନ୍ୟ ଧନ୍ୟ କହିଲେ ।
ଅନେକ ରାତି ହେଲାଣି ଅଭି କୁଆଡେ ଯାଇଛି ଫେରିନି ।ଅନେକ ଖୋଜା ଖୋଜି ପରେ ତାକୁ ପାଇଲେ ଗଡିଆ କୂଳରେ ।ଗଛରେ ମଥା ପିଟି ପିଟି ପ୍ରଳାପ କରୁଛି ,ହେ ଭଗବାନ ମୋତେ କାହିଁକି ରୋଗିଣା କରି ଜନ୍ମ କଲନି ?ଅନେକ ବୁଝାଇ ଘରକୁ ଆଣିଲେ ।ଯାହିତାହି ରାତିଟି ପାହିଗଲା ।
ସକାଳେ ଅଭି ତା ସୁଟକେଶ ନେଇ କୁଆଡେ ବାହାରିଲା ।ଭରତ ଓ ସୁମି ତାକୁ ଅଟକାଇବାକୁ ଡହଳ ବିକଳ ହେଲେ,ନେହୁରା ହେଲେ,ଟଣା ଘୋସରା କଲେ ।ଅଭି କ୍ରୋଧରେ ଫାଟି ପଡୁଥିଲା ।ଚିତ୍କାର କରି କହିଲା, ତୁମକୁ କିଏ ଅଧିକାର ଦେଲା ମୋ ଭାଗ୍ୟକୁ ପରିବର୍ତ୍ତନ କରିବା ଲାଗି?କଂସେଇ..ଅଯୋଗ୍ୟ ବାପ ମା.....ଛିଇଇଇଇ..ଥୁଉଉ..
ଭରତ କଚାଡି ହୋଇ ପଡିଥିଲା ମାଟିରେ,ଅଭିର କଥା ଠାରୁ ତା ଶକ୍ତ ଗୋଇଠାର ଯନ୍ତ୍ରଣା ଭରତର ଦୁର୍ବଳ ଅଣ୍ଟା ସହି ପାରୁ ନ ଥିଲା ।ସୁମି ନିର୍ବାକ ହୋଇ ଯାଇଥିଲା ଅଭିର ଛିଇଇ ଶବ୍ଦର ମାଛି ଭଣ ଭଣ ଭିତରେ .....।