ଅବୋଲକରା କାହାଣୀ - ୮
ଅବୋଲକରା କାହାଣୀ - ୮
ଅଦ୍ଭୁତ ମଣିଚୁଳ କଥା - ୧
ଏହା ମଧ୍ୟରେ ବହୁ ପଥ ଗମନ କରିବା ମଧ୍ୟରେ କିଛି ଦିନ ବିତି ଯାଇଛି । ଗଙ୍ଗା କୂଳ ଯାଏଁ ଅନେକ ଗୁଡିଏ ପଥ ଅତିକ୍ରମ କରିବା ପରେ ଚତୁର ବ୍ୟଙ୍ଗକାର ଓ ବୋଲକରା ଯାଇ ସିନ୍ଧୁ ନାମକ ଏକ ରାଜ୍ୟରେ ପହଁଚି ଗଲେ । ସେମାନେ ଯାଇ ଯେଉଁ ସ୍ଥାନରେ ପହଁଚିଲେ ସେହି ସ୍ଥାନରେ ଗୋଟିଏ ପ୍ରାଚୀନ ମନ୍ଦିର ଥିଲା । ସେହି ମନ୍ଦିରକୁ ଲାଗି ଅନ୍ୟ ଏକ ପଥର ଗୃହରେ ନିର୍ମିତ ହୋଇ ଥିଲା ସମାଧି ଗୋଟିଏ, ପୁଣି ସେହି ସମାଧିକୁ ଲାଗି ଶଂଙ୍ଖ ମଲମଲ ପଥରରେ ନିର୍ମିତ ହୋଇ ଥିବା ଗୋଟିଏ ଉଲଗ୍ନା କନ୍ୟାର ମୂର୍ତ୍ତିକୁ ସେଠାରେ ଥିବା ପୂଜକ ମାନେ ପୂଜା କରୁଥିବା ଦେଖି ବୋଲକରା ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲା । ପୁନଶ୍ଚ ସେହି କୁମାରୀ ମୂର୍ତ୍ତିକୁ ବହୁ ପରିମାଣର କନ୍ୟା ମାନଙ୍କର ପୂଜା କରୁ ଥିବା ଦେଖି ବୋଲକରାର ଦୋକାନକୁ ଯାଉଥିବା ପାଦ ଦୁଇଟା ସେହି ଠାରେ ଅଟକି ଗଲା ।
ଏହା ପରେ ସେଠାକାର ବାସିନ୍ଦା, ପଥଚଲା ଲୋକ ଓ ମନ୍ଦିରରୁ ଫେରୁ ଥିବା କେତେକ ଭକ୍ତଙ୍କୁ ବୋଲକରା ଏହି ବିଷୟରେ ପଚାରିବାରୁ ସେମାନଙ୍କ ଠାରୁ ସେ କୌଣସି ସନ୍ତୋଷ ଜନକ ଉତ୍ତର ପାଇ ପାରିଲା ନାହିଁ । ଏହା ବ୍ୟତୀତ ସେଠାରେ ଅନେକ ଲୋକ ବଙ୍ଗଳା ଭାଷାରେ କଥା କହୁ ଥିବାରୁ ବୋଲକରା ତାଙ୍କର ସେହି ବଙ୍ଗଳା ଭାଷାକୁ ବୁଝି ନପାରି ତରବରିଆ ହୋଇ ଫେରି ଆସିଲା ଉପଦେଷ୍ଟାଙ୍କ ପାଖକୁ ।
ବୋଲକରା କଚାଡିବା ପରି ଦୋକାନ ସଉଦାକୁ ଥୋଇ ଦେଇ ଚାହିଁଲା । ସେ ଦେଖିଲା ଚତୁର ବ୍ୟଙ୍ଗକାର ଏବେ ନିଜର ସ୍ନାନାଦି ଶୌଚ କାର୍ଯ୍ୟ ସମାପନ କରି କୋଥଳି ସେବାରେ ବ୍ୟସ୍ତ ଅଛନ୍ତି । ବୋଲକରା ଦେଖି ଥିବା ନାରୀ ମୂର୍ତ୍ତି ସମ୍ପର୍କରେ ବୁଝିବା ଲାଗି ଯାଇ ଉପଦେଷ୍ଟାଙ୍କୁ ସେହି କଥା ପଚାରନ୍ତେ ଚତୁର ବ୍ୟଙ୍ଗକାର କହିଲେ –
ରହି ଯାଅ ପୁଅ ଅସ୍ଥିର ନହୁଅ
ପଚାରିବା ପ୍ରଶ୍ନ ଜଟିଳ ନୁହଁ
ଜଣା ସବୁ କଥା ରଖ ବ୍ୟାକୁଳତା
ନିତ୍ୟ କର୍ମ ସାରେ କରିଦେବା କଥା ।
ଚତୁର ବ୍ୟଙ୍ଗକାର ଏପରି କଥା କହନ୍ତେ ବୋଲକରା ଆଉ କାଳ ବିଳମ୍ବ ନକରି ପାଖରେ ଥିବା ମୃତିକା ମାଠିଆରେ ପାଣି ମାଠିଆଟିଏ ଆଣି ଥୋଇ ଦେଇ ଉପଦେଷ୍ଟାଙ୍କ ସମ୍ମୁଖରେ ବସି ପରିବା କାଟିବା ଆରମ୍ଭ କରି ଦେଲା ।
ଉପଦେଷ୍ଟାଙ୍କର ଅଳ୍ପ କ୍ଷଣ ପରେ ନିତ୍ୟ କର୍ମ କାର୍ଯ୍ୟ ସରି ଯାଆନ୍ତେ ଧ୍ୟାନ ସମାପ୍ତରେ ମୁଖ ଖୋଲିଲେ –
ଆରେ ବୋଲକରା କଥାତ ନଖରା
ଆସ ବସ ଏଠି ଶୁଣ
ଶଙ୍ଖ ମଲ ମଲ ପଥର କୁମାରୀ
କହିବା ତାହାର ଗୁଣ ।
ପ୍ରାଚୀନ କାଳରେ ଏହି ରାଜ୍ୟର ନାମ ଥିଲା ଚିତ୍ର ନଗରୀ । ଏହି ନଗରୀରେ ରାଜୁତି କରୁ ଥିଲେ ଯେଉଁ ରାଜା ତାଙ୍କ ନାମ ଥିଲା ଚିତ୍ର ସେନ । ଚିତ୍ର ସେନ ରାଜାଙ୍କର ପୁଅ ଅନିଲ ଓ ସେହି ରାଜ୍ୟର ମନ୍ତ୍ରୀଙ୍କର ଏକମାତ୍ର ପୁଅ ସୁତରଶଙ୍କ ସହିତ ଏକ ପ୍ରକାର ନିବିଡ ବନ୍ଧୁତ୍ୱ ଥିଲା । ଦୁହେଁ ସାଥୀ ହୋଇ ସମସ୍ତ କାର୍ଯ୍ୟ କରୁ ଥିଲେ । ଯଥା – ପାଠ ଶାଳାରେ ପାଠ ପଢିବା, ଆଶ୍ରମକୁ ଯାଇ ଅସ୍ତ୍ର ଶିକ୍ଷା କରିବା, ଆଖଡାକୁ ଯାଇ ଘୋଡା ଚଢା ଅଭ୍ୟାସ କରିବା ସହିତ ସମସ୍ତ ବିଦ୍ୟାରେ ସାଥି ହୋଇ ପାରଙ୍ଗମତା ଅର୍ଜନ କରି ଥିଲେ ସେମାନେ ।
ଦିନକର କଥା – ଦୁଇ ସାଙ୍ଗଙ୍କର ମନ ହେଲା ଭ୍ରମଣ କରିବାକୁ । ଭ୍ରମଣ କରିବା ନିମନ୍ତେ ଧଳା କଳା ରଙ୍ଗର ଦୁଇଟି ଘୋଡାରେ ଦୁଇ ମିତ୍ର ଚଢି ଭ୍ରମଣ କରିବାକୁ ବାହାରି ଗଲେ । ଏମିତି ଗମନ କାଳରେ ରାସ୍ତାରେ ନଦୀ ନାଳ, ପାହାଡ ପର୍ବତ, ଘଂଚ ଅରଣ୍ୟାଦି ପଡିଲା । ସେସବୁକୁ ପାର୍ ହୋଇ ସେମାନେ ଆଗକୁ ଆଗକୁ ଚାଲିଲେ । କିଛି ପଥ ଅତିକ୍ରାନ୍ତ ହୋଇ ଯିବା ପରେ ଝରଶାଟିଏ ସେମାନେ ଦେଖିଲେ । ଝରଣା ନିକଟକୁ ଲାଗି ସେମାନେ ଏକ ପ୍ରକାଣ୍ଡ ଗଣ୍ଡ ଦେଖିଲେ । ଗଣ୍ଡ ମଧ୍ୟରେ ପ୍ରବେଶ କରିବା ଲାଗି ଗୋଟିଏ ସୁନ୍ଦର ପାବଚ୍ଛ ମଧ୍ୟ ସେମାନେ ଦେଖିଲେ ।
ଏପରି ମନୋରମ ସୁନ୍ଦର ବୃକ୍ଷଲତା ଦେଖି ଦୁଇ ସାଙ୍ଗ ସେହି ଠାରେ ଅଶ୍ୱରୁ ଅବତରଣ କରି ଅଶ୍ୱ ଦୁଇଟିକୁ ଚରିବା ନିମନ୍ତେ ଛାଡି ଦେଲେ । ତା’ପରେ ଝରଣାର କୂଳେ କୂଳେ ବୁଲି ସମସ୍ତ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ଫଳ ମୂଳ ମଧ୍ୟ ଖାଇଲେ । ଝରଣା ମଧ୍ୟରେ ପଶି ଜଳପାନ କରି ଚିନ୍ତା କଲେ ଯେ ଏହି ସ୍ଥାନଟି ଖୁବ୍ ଉତ୍ତମ ହୋଇ ଥିବାରୁ ଏଠାରେ ଆମେ ବିଶ୍ରାମ ନେବା ।
ତା’ପରେ ସେମାନେ ସେଠାରେ ବିଶ୍ରାମ କଲେ । ଘୋଡାମାନେ ସହଜେତ ପଶୁ ଜାତି । ହଠାତ୍ କୌଣସି ଉଚ୍ଚ ଶବ୍ଦ ସେମାନଙ୍କ କାନରେ ପଡିଲେ ସେମାନେ ସଙ୍ଗେ ସଙ୍ଗେ ତରକି ଉଠନ୍ତି । ସେହି ପରି କୌଣସି ଏକ ଶବ୍ଦ ଶୁଣିବାରୁ ଘୋଡା ମାନେ ଖୁବ୍ ଜୋର୍ରେ ରାଜା ପୁଅ ଓ ମନ୍ତ୍ରୀ ପୁଅଙ୍କ ବିଶ୍ରାମ ସ୍ଥାନକୁ ପଳାଇ ଆସିଲେ ।
ଏପରି ଅତର୍କିତ ଘୋଡାର ଟାପୁ ଶବ୍ଦ ଶୁଣି ଆଗ ମନ୍ତ୍ରୀ ପୁଅର ନିଦ ଭାଙ୍ଗି ଗଲା । କ’ଣ ହେଲା, କ’ଣ ହେଲା ଭାବି ତରବାରି ଧରି ଠିଆ ହୋଇ ପଡି ଦେଖିଲା ସେଠାରେ ଏକ ଅସ୍ୱାଭାବିକ ଘଟଣା ଘଟୁଛି । ସେମାନଙ୍କର ବିଶ୍ରାମ ନେଇ ଥିବା ସ୍ଥାନର ଅନତି ଦୂରରେ ବିରାଟ ଏକ ମଣି ଥୁଆ ହୋଇଛି । ତାର ଆଲୋକରେ ଚତୁର୍ଦିଗ ଆଲୋକିତ ମଧ୍ୟ ହେଉଛି । ଆଉ ମଧ୍ୟ ତା ନିକଟବର୍ତୀ ସ୍ଥାନରେ ଗୋଟିଏ ବିରାଟକାୟ ନାଗ ସେମାନଙ୍କର ଦୁଇ ଗୋଟି ଘୋଡା ମଧ୍ୟରୁ ଗୋଟିଏ ଘୋଡାକୁ ଅର୍ଦ୍ଧ ଯାଏଁ ଗ୍ରାସ କରି ସାରିଲାଣି । ଏ କଥା ଦେଖି ମନ୍ତ୍ରୀ ପୁଅର ହଲକ ଶୁଖି ଗଲା । ଭୟରେ ଦେହଟା ତା’ର ଥରିବାକୁ ଲାଗିଲା । ଆଗକୁ ଯେ ସେମାନଙ୍କ ଉପରକୁ ବିପଦ ନ ଆସିବ ସେ କଥା କିଏ କହିବ । ତେଣୁ ତରବର ହୋଇ ରାଜା ପୁଅକୁ ନିଦ୍ରାରୁ ଉଠାଇ ଦେଇ ପ୍ରାଣ ବିକଳରେ ଦୁହେଁ ନିକଟରେ ଥିବା ଏକ ବୃକ୍ଷ ଉପରକୁ ଚଢି ଗଲେ ।
ବୃକ୍ଷ ଉପରେ ରାଜା ପୁଅ ଓ ମନ୍ତ୍ରୀ ପୁଅ ଭୟରେ ବସି ଏସବୁ ଘଟଣା ଦେଖୁ ଥାଆନ୍ତି । ସେତେ ବେଳେ ସେମାନଙ୍କ ମୁଣ୍ଡରେ କିଛି ବି ବୁଦ୍ଧି ପଶିଲା ନାହିଁ । କିଛି ସମୟ ମଧ୍ୟରେ ନାଗଟି ଦୁଇ ଗୋଟି ଘୋଡାକୁ ଉଦରସ୍ଥ କରି ତା’ର ମଣିକୁ ମଥାପରେ ସ୍ଥାପନ କରି ସେହି ହ୍ରଦ ମଧ୍ୟକୁ ଚାଲି ଗଲା ।