Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rama Chandra Padhi

Inspirational Romance

3  

Rama Chandra Padhi

Inspirational Romance

କୃଷ୍ଣା-ଏକ ଅନ୍ତହୀନ ପ୍ରେମ କାହାଣୀ

କୃଷ୍ଣା-ଏକ ଅନ୍ତହୀନ ପ୍ରେମ କାହାଣୀ

6 mins
662


ସେ ଅସୁନ୍ଦର ନ ହେଲେ ବି ଦେଖିବାକୁ ଟିକିଏ କଳା ବୋଲି ବାପା ମା ନାଁ ରଖିଥିଲେ କୃଷ୍ଣା। ଏ କଥା ଯାହା ମୁହଁରୁ ଶୁଣେ କୃଷ୍ଣାର ଦେହରେ ନିଆଁ ଲାଗିଯାଏ। ଛୋଟ ଝିଅଟି ରାଗ ତମତମ ହୋଇ ମୁହଁ ଫୁଲେଇ ଆସି ବସିପଡ଼େ ଘରେ। ବୋଉ ହସିଦେଇ ବୁଝାଏ।

"ଆଲୋ ହୁଣ୍ଡି ରାଗୁଛୁ କାହିଁକି ତୁ କଳା ବୋଲି ନୁହେଁ ଦ୍ରୌପଦୀ ଭଳି ସୁନ୍ଦର ବୋଲି ତୋ ନାଁ ଆମେ କୃଷ୍ଣା ଦେଇଛୁ"। କୃଷ୍ଣା ହସି ଦିଏ ଦର୍ପଣ ଧରି ମୁହଁକୁ ଦେଖେ, ଚାଲିଯାଏ ଜେଜେ ମା, ଆଇ ପାଖକୁ ଜିଦ କରେ ମହାଭାରତର ସେହି ମହାନାୟିକା ଦ୍ରୌପଦୀଙ୍କ କାହାଣୀ ଶୁଣିବାକୁ।

"ତୋ କପାଳରେ ପାଞ୍ଚଟି ବରକୁ ବିବାହ ହେବାକୁ ଲେଖା ଅଛି ଲୋ କୃଷ୍ଣା"। କାହାଣୀ ସରିବା ପରେ ମା, ଆଇ ଟାହି କରି କୁହନ୍ତି। କୃଷ୍ଣା ଲାଜେଇ ଯାଏ ଜୀବନରେ କେବେ କାହାକୁ ବିବାହ କରିବନି କହି ଫେରିଆସେ ସେଠାରୁ।

ସମୟର କ୍ରମେ କୃଷ୍ଣା ବାଲ୍ୟାବସ୍ଥା ରୁ ଯୁବା ଅବସ୍ଥାରେ ପହଁଛି। କଲେଜ ର ଅନ୍ୟ ଝିଅଙ୍କ ପରି ସେ ବି ସ୍ବପ୍ନ ଦେଖିଛି ଜଣେ ଅର୍ଜୁନର। ଯାହାର ତୀକ୍ଷ୍ଣ ଅଚୁକ ଲକ୍ଷ୍ୟ ର ତୀର ରେ ତା ହୃଦୟର ପକ୍ଷୀ ଘାଇଲା ହୋଇଯିବ। ସାଥି ରେ ନେଇଯିବ ଦୂର ସ୍ବପ୍ନର ରାଇଜକୁ। ଯଦି ସେଠାରେ ତା'ର ଆଉ ଚାରି ଭାଇ ଥିବେ, ସେ କଣ ଆଉ ଗୋଟେ ଦ୍ରୌପଦୀ ହୋଇ ସେ ସମସ୍ତଙ୍କୁ ବିବାହ କରିବ? ମନେ ପଡ଼ିଯାଏ ପିଲାଦିନେ ଶୁଣି ଥିବା ଆଇ, ମା କାହାଣୀ।

"ନା ମୁଁ କେବେ ବି ବିବାହ କରିବନି"। ମନରେ ଭାବେ କୃଷ୍ଣା। ସ୍ବପ୍ନ ଦେଖିବା ଛାଡିଦେଇ ପଢା ପ୍ରତି ଅଧିକ ଧ୍ୟାନ ବଢ଼ାଇ ଦିଏ।

ସ୍ନାତକୋତ୍ତର ସାରିଯାଇଥାଏ, ଘରକୁ ବିବାହ ପ୍ରସ୍ତାବର ସୁଅ ଛୁଟୁ ଥାଏ। କିନ୍ତୁ କୃଷ୍ଣା ଚାହୁଁଥିଲା ଚାକିରୀ ଟିଏ କରି ନିଜେ ସ୍ୱାବଲମ୍ବୀ ହେବ। ସମାଜରେ ସ୍ୱାଭିମାନ ର ସହ ବଞ୍ଚିବ। ବାପାଙ୍କର ଗୋଟେ ଜିଦ ବିବାହ କର। ମରିବା ପୂର୍ବରୁ ତୋତେ ବଧୂ ବେଶରେ ଦେଖିବି। ମୋ ଶେଷ ଇଛା ପୂରଣ କରି ଦେ। ବାପା ଛ ମାସରୁ ଖଟିଆରେ ପଡିଛନ୍ତି। ଡାକ୍ତର ବି ଆଶା ଛାଡି ଦେଲେଣି। ଏକମାତ୍ର ସନ୍ତାନ ସେ, ଏତେବଡ଼ ସ୍ୱର୍ଥୀ ନୁହେଁ ଯେ ବାପାଙ୍କ ଶେଷ କଥାକୁ ଅମାନ୍ୟ କରିବ। ବାଧ୍ୟ ହୋଇ ବିବାହ କରୁଛି କୃଷ୍ଣା।

ବିବାହର ଦୁଇ ମାସରେ ବାପା ଚାଲିଗଲେ ଆରପାରିକୁ, ତାଙ୍କ ପଛେ ପଛେ ଏକ ଦୁର୍ଘଟଣାରେ ସ୍ୱାମୀ ବି। ଶାଶୁ, ଶଶୁର, ନଣନ୍ଦ, ଦିଅର ର ଅକଥନୀୟ ଅତ୍ୟାଚାର ସହି କୃଷ୍ଣା ପଡି ରହିଥିଲା ଶାଶୂଘରେ। କେବଳ ଲୋକ ଲଜ୍ୟା, ସାଇଭାଇ ଙ୍କ ଟାହି ଟାପର ନ ଶୁଣିବା ପାଇଁ। ତା'ର ସହିବା ସୀମା ଟପିଗଲା ଯୋଉଦିନ ତା ଚୁଟି ଧରି ଘୋଷାଡି ଆଣି ଶାଶୂଘର ଲୋକେ ଫିଙ୍ଗି ଦେଇଥିଲେ ଘର ବାହାରେ। ଆଶୁଭ, ଅଲକ୍ଷଣି ଆମ ପୁଅକୁ ଖାଇଗଲୁ କହି ଗାଳି, ମାଡ଼ ଦେଇଥିଲେ ମଝି ରାସ୍ତାରେ। ଲୋକ ଗୁଡାକ ମଧ୍ୟ ଠିଆ ହୋଇ ତମାଶା ଦେଖିବା ଭଳି ମୁହଁ ଚାପି ହସୁଥିଲେ।

କୃଷ୍ଣା ସିଧା କାନ୍ଦି କାନ୍ଦି ଘରକୁ ଏକ ମୁହା ହୋଇ ଛୁଟିଲା । ଆସି ଦେଖେ ତ ଘରେ ତାଲା ପଡିଛି । କ’ଣ କରିବ ଭାବି ଘର ବାରଣ୍ଡାରେ ବସି ପଡିଲା । ମୁଣ୍ଡଟାକୁ କାନ୍ଥରେ ଆଉଜି ଦେଇ କ’ଣ ଭାବୁଥିଲା କେଜାଣି । “

"ଆଲୋ କାଳି ଏଠି ବସି କ'ଣ ଭାବୁଛୁ? ମାଉସୀ କାର୍ତ୍ତିକ ହବିଷ କରି ପୁରୀ ଯାଇଛନ୍ତି"। ଯୁବକର କଣ୍ଠସ୍ୱର ଟି ଶୁଣିଲା ଶୁଣିଲା ଭଳି ଲାଗୁଥାଏ କୃଷ୍ଣା କୁ ସେ ମୁଣ୍ଡ ଟେକି ଚାହିଁଲା। ଅଚାନକ ତା ଆଖିର ଲୁହ ଶୁଖିଗଲା, ଠିକ ଯେମିତି ଉତ୍ତପ୍ତ ପାତ୍ର ଉପରେ ଜଳର ବିନ୍ଦୁ ପଡି ବାଷ୍ପ ହୋଇଯାଏ। ଉଦାସ ଚେହେରା ରେ ଆନନ୍ଦ ର ଢେଉ ଉଙ୍କିମାରିଲା। ସେ ବାରଣ୍ଡାରୁ ଓଲ୍ହାଇ ପଡି ଦୌଡ଼ି ଗଲା ଯୁବକ ପାଖକୁ।"ଆରେ ପେଚା ତୁ ଇଆଡ଼େ କୁଆଡେ? ରାସ୍ତା ଭୁଲିଗଲୁ ନା କ'ଣ"? କୃଷ୍ଣା ହସି ଦେଇ ପଚାରିଲା। ଯୁବକ ଟି ପାଖ ଗାଁ ର ପ୍ରଶାନ୍ତ ଦୁହେଁ ଏକା ସଙ୍ଗେ ପଢୁଥିଲେ। ଥଟ୍ଟା ମଜାରେ ପିଲାଟି ବେଳୁ ଦୁହେଁ ଦୁହିଁଙ୍କୁ ଏମିତି ନାଁରେ ଚିଡାନ୍ତି।

"ଧୀରେ କହ କେହି ଶୁଣିନେବେ, ତମ ଗାଁରେ ମୋର ବି କିଛି ସମ୍ନାନ ଅଛି"।

"ସମ୍ନାନ ନା ଚୋପା ଅଛି ତୋର, ଆରେ ତୁ ସେହି ପିଲା ଟି ଯାହାର ପ୍ୟାଣ୍ଟ ପଛରେ ସବୁବେଳେ ଦୁଇଟି କଣା ଥାଏ"। କୃଷ୍ଣା ଛୋଟ ପିଲା ଭଳି ମନ ଖୋଲି ହସି କହିଲା। ଯୋଉ ହସକୁ ସେ ବିବାହ ପରେ ଭୁଲି ଯାଇଥିଲା।

"ତମ ଗାଁରେ ନୁଆଁ କି ହେଇଥିବା ସ୍କୁଲର ମୁଁ ହେଉଛି ହେଡ ମାଷ୍ଟର"। ମୁଣ୍ଡ ତଳକୁ କରି ପ୍ରଶାନ୍ତ ଧୀରେ କହିଲା।

କୃଷ୍ଣାର ହସ ବନ୍ଦ ହେଇଗଲା। ସେ ଅତୀତର ଭାବନାରେ ହଜିଗଲା। ଶ୍ରେଣୀରେ ଦୁହେଁ ଭଲ ପଢୁଥିଲେ ସେ ଯଦି ଚେଷ୍ଟା କରିଥାନ୍ତା ପ୍ରଶାନ୍ତ ଭଳି କୌଣସି ଶିକ୍ଷାନୁଷ୍ଠାନରେ ଶିକ୍ଷୟତ୍ରୀ ହୋଇପାରିଥାନ୍ତା। ନିଜେ ନିଜର ଭରଣ ପୋଷଣ କରି ପାରିଥାନ୍ତା। ଆଜି ପରିସ୍ଥିତିର ଶିକାର ହୋଇ ସେ ଅନ୍ୟର ସହାରା ଖୋଜୁ ନଥାନ୍ତା।

"ପୁଣି ଭାବନାରେ ହଜିଗଲୁ! ଅନ୍ଧାର ହେଲାଣି ଚାଲେ ତାଲା ଟା ଭାଙ୍ଗି ଦେବା ନ ହେଲେ ରାତି ଯାକ ଅନ୍ଧାରରେ ବାହାରେ ବସିଥିବୁ"। ପ୍ରଶାନ୍ତ ପଥର ଖଣ୍ଡେ ହାତରେ ଧରି କହିଲା।

"ମୁଁ ଅଭ୍ୟସ୍ତ ହେଇ ଗଲିଣି ଅନ୍ଧାରରେ ରହିବାରେ। ଏବେ ତ ଆଲୁଅ ଦେଖିଲେ ଡର ଲାଗୁଛି ପ୍ରଶାନ୍ତ"।

"ଡର ନୁହେଁ ତୁ ଲଜ୍ୟା ଅନୁଭବ କରୁଛୁ। କାରଣ ତୁ ହିଁ ତୋ ହାତରେ ନିଜ ଜୀବନର ଆଲୋକ କୁ ଲିଭେଇ ଦେଇ ବାଛିଥିଲୁ ଏ ଅନ୍ଧାରକୁ। କୋଉ ମୁହଁରେ ସାମ୍ନା କରିବୁ ଆଲୋକକୁ"।

"ତୁ ବୁଝିପାରିବୁନି ପ୍ରଶାନ୍ତ ମୋ ମନର ଭାବନା କୁ"।

"ତତେ ପିଲାଟି ବେଳୁ ବୁଝିଛି ଆଉ ତୋ ମନର ଭାବନା କୁ ବି। ତୋ ଜୀବନରେ ଘଟିଯାଇଥିବା ପ୍ରତିଟି ଘଟଣା ର ଖବର ମୁଁ ରଖିଛି। କିନ୍ତୁ ତୁ ମୋତେ ଚିନ୍ହି ପାରିଲୁନି କୃଷ୍ଣା। ନା ଆଜି ନା ଆଗରୁ"। ତାଲା ଉପରେ ପଥରରେ ଜୋରଦାର ଦୁଇ, ଚାରି ଟି ପ୍ରହାର କରି ପ୍ରଶାନ୍ତ କହିଲା।

"ମାନେ"?

"ମାନେ କାଲି ଜାଣିବୁ"। ତାଲା ଟି ଭାଙ୍ଗି ଯାଇଥିଲା, ସନ୍ଧ୍ୟାର ଅନ୍ଧକାର କୁ ହରାଇ ଚନ୍ଦ୍ର ନିର୍ମଳ ଆକାଶ ରୁ ତା କୋମଳ ସୁନେଲି ଆଲୋକ ର ବର୍ଷା ରେ ଆଲୋକିତ କରିଦେଇଥିଲା ଧରା ପୃଷ୍ଠକୁ। ଜହ୍ନକୁ ସାଥି କରି ପ୍ରଶାନ୍ତ ହସିଦେଇ ଚାଲିଗଲା। ମନର ଅନେକ ପ୍ରଶ୍ନ ନେଇ କୃଷ୍ଣା ଚୁପଚାପ ଚାହିଁ ରହିଥିଲା ତା ଚଲା ପଥକୁ।

ସେ ଦିନ ରାତିରେ କୃଷ୍ଣା କୁ ଠିକ ରେ ନିଦ ହେଲାନି। ବାରମ୍ବାର ପ୍ରଶାନ୍ତ ର କଥା ତା ହୃଦୟ ରେ ଘାଣ୍ଟି ହେଉଥାଏ। ସକାଳ ପାହୁପାହୁ ପ୍ରଶାନ୍ତ ପହଞ୍ଚି ଗଲା। କୃଷ୍ଣା ହାତରେ କିଛି କାଗଜ ଧରେଇ ଦେଇ କହିଲା ଦସ୍ତଖତ କରିବାକୁ। ସେ ପ୍ରଶାନ୍ତ କୁ ଆଶ୍ଚର୍ଯ୍ୟ ହୋଇ ଅନେଇ ଥାଏ।

"ଆରେ ଏମିତି କ'ଣ ଅନେଇଛୁ? ଏହା ତମ ଜମିବାଡ଼ି ମୋ ନାଁ ରେ କରିବା କାଗଜ ନୁହେଁ। ସ୍କୁଲ ରେ ଗୋଟେ ଶିକ୍ଷୟତ୍ରୀ ଆବଶ୍ୟକ ତୋ ଠୁ ଭଲ ଶିକ୍ଷୟତ୍ରୀ ଆଉ କିଏ ବା ହେବ। ଜଲ୍ଦି ଦସ୍ତଖତ କରିଦେ"।

ଲୁହ ଛଳ ଛଳ ଆଖିରେ କୃଷ୍ଣା ଦସ୍ତଖତ କରୁଛି। ଆଗରୁ ତ ସେ ଅନେକ ସମୟ ଲୁହ ଗଡାଇଛି। ସେହି ଲୁହରେ ସେ ଯନ୍ତ୍ରଣା ଅନୁଭବ କରୁଥିଲା ଆଉ ଏ ଲୁହ ରେ ଥିଲା ଅପାର ଆନନ୍ଦ।

"ହେ କାଳି, ତୁ ତ କହୁଥିଲୁ ତୋ ମନ କୁ ମୁଁ ବୁଝିପାରିବିନି ବୋଲି। ବୁଝିଲା ବେଳକୁ ଆଜି କାନ୍ଦୁଛୁ"।

କୃଷ୍ଣା ପାଖରେ କିଛି କହିବାକୁ ଶବ୍ଦ ନ ଥିଲା। ହାତ ଯୋଡି ଦେଇ ଆଣ୍ଠେଇ ବସିଲା ପ୍ରଶାନ୍ତ ଆଗରେ। ଆଖିରୁ ଦୁଇ ଧାର ଲୁହ ବୁହାଇ।

"ଆଜିଠୁ ତୋ ଆଖିରେ ମୁଁ ଲୁହ ଦେଖିବା ଚାହୁଁନି"।

"କିନ୍ତୁ ମୁଁ ଜିବନ ସାରା ଏମିତି ଖୁସିର ଲୁହ ଚାହୁଁଛି ପ୍ରଶାନ୍ତ"। କୃଷ୍ଣା ଆଖିର ଲୁହ ଧାର କୁ ପୋଛି ହସି ଦେଇ କହିଲା।

"ମୁଁ କିନ୍ତୁ ଚାହୁଁଛି ଆଜି ପରଠୁ କେବେବି ତୋ ଆଖିରେ ଲୁହ ନ ଦେଖିବା ପାଇଁ"। ପ୍ରଶାନ୍ତ ର ସ୍ୱରରେ ଗମ୍ଭୀରତା ଥିଲା। କୃଷ୍ଣା ଅନାଇ ରହିଥାଏ ତା ମୁହଁକୁ। ବୁଝିପାରୁନଥିଲା କାହିଁକି କେଜାଣି ପିଲାଟି ବେଳୁ ଦେଖି ଆସିଥିବା ପ୍ରଶାନ୍ତ ର ଚେହେରା ଉପରୁ ସେଦିନ ତା ଆଖି ହଟୁନଥିଲା।

"ବହୁ ଦିନରୁ ମୋ ମନ ବି ତୋ ଠାରୁ କିଛି ପାଇବାକୁ ଆଶା ରଖିଛି। ଯଦି ଖରାପ ନ ଭାବିବୁ କହିବି"।

"ଆଜି ଯଦି ତୁ ମୋତେ ମୋ ଜୀବନ କୁ ମାଗିବୁ ମୁଁ ହସି ହସି ଦେଇଦେବି"0।

"ତୋ ଜୀବନ ନୁହେଁ... ତୋତେ ମୁଁ ମୋ ଜୀବନ ସାଥି ରୂପେ ପାଇବାକୁ ଚାହୁଁଛି। ଯଦି ତୋର କିଛି ଆପତ୍ତି ନଥାଏ ମୁଁ ତୋତେ ବାହା ହେବାକୁ ଚାହୁଁଛି କୃଷ୍ଣା"।

"ନା ମୁଁ ଅଲକ୍ଷଣି ଟା ତୁ ମୋତେ ବାହାହେଲେ ମରିଯିବୁ। ଯଦି ବଞ୍ଚିଗଲୁ ବିଧବାକୁ ବାହା ହେବା ଦଣ୍ଡ ସ୍ୱରୂପ ସମାଜର କଟୁକ୍ତି ଶୁଣି ମରିଯିବୁ"।

"ମୁଁ ଜାଣିନି କେବେ ମରିବି ହୁଏତ ଏ କିଛି ମୁହୂର୍ତ୍ତରେ ବି। କିନ୍ତୁ ତୋତେ ପାଇ ତୋ ସହ କିଛ କ୍ଷଣ ବି ଯଦି ମୁଁ ବଞ୍ଚିଗଲି ନିଜକୁ ଭାଗ୍ୟବାନ ଭାବିବି"।

କୃଷ୍ଣା ହସିଦେଲା। ମାନେପଡିଗଲା ପୁରୁଣା ଦିନର କଥା ସେତେବେଳେ ପ୍ରଶାନ୍ତ ତାକୁ ଲୁଚି ଲୁଚି ଦେଖେ। ସାହସ କରି ପାଖକୁ ଆସେ କିଛି କହିବାକୁ ହେଲେ କହିପାରେନି, କଥା ବଦଳେଇ ଚାଲିଯାଏ ଦୁରକୁ। ସେ ହିଁ ମୂର୍ଖ ଥିଲା ଯେ ପ୍ରଶାନ୍ତର ହୃଦୟର କଥା କୁ ବୁଝି ପାରିଲାନି।

"ଜେଜେ ମା, ଜେଜେ ମା ଆସ ଦେଖିବ ବାବା ନୁଆଁ ସାଇକଲ ମୋ ପାଇଁ ଆଣିଛନ୍ତି"। ନାତୁଣୀ ରିଆ ର ସ୍ୱର ରେ ନିଦ ଭାଙ୍ଗିଗଲା ବୃଦ୍ଧା କୃଷ୍ଣାର। କେତେ ସୁନ୍ଦର ସ୍ୱପ୍ନ ଟି ଦେଖୁଥିଲା। ସେ ମନେ ମନେ ଭାବିଲା। ନାତୁଣୀ ମୁଣ୍ଡକୁ ହାତରେ ସାଉଁଳେଇ ଦେଇ ଦେଖିଲେ ପ୍ରଶାନ୍ତ ଆଡକୁ। ଦୁଇ ଦିନରୁ ପ୍ରଶାନ୍ତ ନ ଖାଇ ପିଇ ଜଗି ବସିଚି ତାଙ୍କୁ।

"ରିଆ କହିଲି ପରା ମାଆ ଙ୍କ ଦେହ ଖରାପ ତାଙ୍କୁ ହଇରାଣ କରନି"। ବୋହୁ ଭିଡ଼ିନେଲା ଝିଅ କୁ।

"କେତେଦିନ ଏମିତି ମୋ ପାଖେ ବସିରହିବୁ"?

"ଯୋଉ ପର୍ଯ୍ୟନ୍ତ ତୁ ଭଲ ନ ହେଇଛୁ"। ପ୍ରଶାନ୍ତ ଚଷମା ତଳୁ ଆଖିରୁ ବୋହି ପଡୁଥିବା ହୃଦୟର ବେଦନାକୁ ପୋଛି କହିଲା।

"ମୁଁ ଭଲ ନ ହୋଇ ଯଦି ମରିଯିବି"।

"ତୁ ମରିବା ଆଗରୁ ମୁଁ ମରିଯିବି"।

"ତୁ ବା କଥା ଦେଇଥିଲୁ....ମୁଁ ମରିବା ଆଗରୁ ତୁ ମରିବୁନି ବୋଲି"।

"ମୋତେ କ୍ଷମା କରିଦେ କୃଷ୍ଣା, ମୁଁ ତୋ ବିନା ବଞ୍ଚି ପାରିବିନି"। ପ୍ରଶାନ୍ତ ଭୋ ଭୋ ହୋଇ କାନ୍ଦିଲା।

"ହୋଉ ହେଲା ଆମେ ସାଙ୍ଗ ହୋଇ ମରିବା"। କୃଷ୍ଣା ହସି ଦେଇ ଓଲ୍ହାଇ ପଡିଲା ନିଜ ଶେଜ ଉପରୁ। ଜାଣିଥିଲା ସେ ଏ ସଂସାର ପାଇଁ କିଛି ଦିନର ଅତିଥି। ତଥାପି ପ୍ରତିଦିନ ହରେଇ ଚାଲିଛି ମୃତ୍ୟୁକୁ କେବଳ ପ୍ରଶାନ୍ତ ପାଇଁ। ବଞ୍ଚିବାକୁ ଚାହିଁଛି ପ୍ରଶାନ୍ତ ସହ ପ୍ରତ୍ୟେକ ଦିନକୁ ଗୋଟେ ଯୁଗ ଭଳି।

କୃଷ୍ଣା ପ୍ରଶାନ୍ତ ର ହାତ ଧରି ନେଇଗଲା ଝରକା ପାଖକୁ। ପକ୍ଷୀ ଦୁଇଟି ସାଥି ହୋଇ ଉଡି ହଜିଯାଉଥିଲେ ସୁନେଲି ଆକାଶର ବୁକୁରେ। ଭଗବାନ ଙ୍କ ଆଶ୍ରିବାଦ ରୁ ମିଳିଥିବ ଆଉ ଗୋଟିଏ ଦିନର ଜୀବନ କୁ ଉପଭୋଗ କରିବାକୁ। ସେ ପ୍ରଶାନ୍ତ ର ଛାତିର ମୁଣ୍ଡ ଥୋଇ ଦେଖୁ ଦେଖୁ ଭୁଲି ଯାଇଥିଲେ ନିଜ ଶରୀର ଯନ୍ତ୍ରଣା କୁ। ଆଶା ବାନ୍ଧିଥିଲା ଦିନଟି କୁ ପୁରା ଆନନ୍ଦ ଉଲ୍ଲାସର ରେ ଉପଭୋଗ କରିବ। ଧନ୍ୟବାଦ ଜଣାଇଲା ଭଗବାନଙ୍କୁ।

"କାଲି ତତେ ତୋ କାହାଣୀ "କୃଷ୍ଣା-ଏକ ଅନ୍ତହୀନ ପ୍ରେମ କାହାଣୀ" ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିବ ଯିବୁନି ଆଣିବାକୁ"? ପ୍ରଶାନ୍ତ କୃଷ୍ଣା ର ପ୍ରେମରେ ନିଜକୁ ହଜାଇ ଦେଇ ପଚାରିଲା।

"ମୋ ଜୀବନର ଶ୍ରେଷ୍ଠ ପୁରସ୍କାର ତୁ। ଜଦି ମୋ ଜୀବନକୁ ତୁ ନ ଆସିଥାନ୍ତୁ ଏ ସୁଖ, ସମ୍ନାନ ମୋତେ କେବେ ବି ମିଳି ନ ଥାନ୍ତା। ମୋତେ କୌଣସି ପୁରସ୍କାର ର ଆବଶ୍ୟକତା ନାହିଁ, ଯଦି ପାରିବୁ ତୁ ଯାଇ ନେଇ ଆସେ"। ଝରକା ଦ୍ୱାର ଦେଇ ପ୍ରବେଶ କରୁଥିବା ସୂର୍ଯ୍ୟ ଙ୍କ କିରଣ ରେ ଘର ଭିତରଟା ଚମକୁ ଥାଏ। ଦୁହିଁଙ୍କ ଶରୀରର ଛାଇ ଏକ ହୋଇ ଲମ୍ବି ଯାଇଥାଏ ଘର କୋଣ ଯାଏ।

"ବୋଉ, ବାପା ତୁମେ ଦୁହେଁ ଏମିତି ଠିଆ ହୋଇରୁହ ମୁଁ ଗୋଟେ ଫୋଟୋ ଉଠଉଛି"। କୃଷ୍ଣା ବୁଲି ଚାହିଁବା ଆଗରୁ ଝିଅ ତା ସ୍ମାର୍ଟ ଫୋନ ରେ କିଛି ଫୋଟୋ ନେଇ ସାରିଥାଏ। ଦୁହେଁ ହସି ଦେଇ ପୁଣି ହଜିଗଲେ ଶାଶ୍ୱତ ପ୍ରେମରେ ଚାହିଁ ରହି ଦୂର ଆକାଶରେ ଉଡୁଥିବା ପ୍ରେମରେ ମତୁଆଲା ପକ୍ଷୀ ଯୋଡିକୁ।


Rate this content
Log in

Similar oriya story from Inspirational