Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sasmita Behera

Others

3  

Sasmita Behera

Others

ପଙ୍ଗୁ ଲଙ୍ଘିପାରେ ଦୁର୍ଗମ ଗିରି

ପଙ୍ଗୁ ଲଙ୍ଘିପାରେ ଦୁର୍ଗମ ଗିରି

3 mins
601


ଦିନେ ଜଣେ ଭଦ୍ରଲୋକ ଗୁରୁ ୟୁ.ଜି.କୃଷ୍ଣମୂର୍ତ୍ତିଙ୍କ ନିକଟରେ ପହଁଚି କହିଲେ, “ମହାଶୟ! ମୋର ଏକମାତ୍ର ଝିଅଟି ହେଉଛି ଭିନ୍ନକ୍ଷମ । ତା’ର ଦୁଇଟି ଯାକ ଗୋଡ ପୁରାପୁରି ଅଚଳ । ସେଥିଲାଗି ସେ ଏକ ତିନିଚକିଆ ହ୍ୱିଲ୍ ଚେୟାରରେ ବସି ଚଲାବୁଲା କରେ । ମାତ୍ର ସେ ବଡ ସାହସୀ । ହେଲେ ତା’ର ଏକ ସମସ୍ୟା ରହିଛି । ସେ ଭିନ୍ନକ୍ଷମ ହୋଇଥିବାରୁ ଅନ୍ୟ ଲୋକମାନେ ତା’ପ୍ରତି ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି । କିନ୍ତୁ ସେ ସାହାଯ୍ୟ ଗ୍ରହଣ କରିବା ପାଇଁ ରୋକ୍ଠୋକ୍ ମନା କରିଦେଉଛି । କାହିଁକିନା ଏହାଦ୍ୱାରା ସେ ଖୁବ୍ ଅସ୍ୱସ୍ତିକର ବୋଧ କରେ । ସୁତରାଂ ତା’ ମନରୁ ଏ ଭାବନା ଦୂର କରିବାର ଉପାୟ ମୋତେ ବତାଇ ଦିଅନ୍ତୁ ।”

ଏ କଥା ଶୁଣି କୃଷ୍ଣମୂର୍ତ୍ତି କହିଲେ, “ଆସନ୍ତାକାଲି ଆପଣ ଝିଅକୁ ନେଇ ମୋ’ ପାଖକୁ ଆସନ୍ତୁ । ମୁଁ ତାକୁ ଠିକ୍ ବାଟଟା ବତାଇଦେବି ।”

ପରଦିନ ସକାଳେ ଚଉଦ ପନ୍ଦର ବର୍ଷର ସେହି ଭିନ୍ନକ୍ଷମ ଝିଅଟି କୃଷ୍ଣମୂର୍ତ୍ତିଙ୍କ ନିକଟରେ ଆସି ପହଁଚିଗଲା । ସେ ଦେଖିଲେ ଖୁବ୍ ସୁନ୍ଦର ଝିଅଟିଏ, ବଳିଷ୍ଠ ଚେହେରା । ତା’ର କଥାବାର୍ତ୍ତା ବି ଭାରି ବଢିଆ ।

କିଛି ସମୟ ପରେ କୃଷ୍ଣମୂର୍ତ୍ତି ପଚାରିଲେ, “ମୋ ସାଙ୍ଗରେ ତୁମକୁ ଏଇ ନିକଟରେ ଥିବା ମାର୍କେଟ୍କୁ ଯିବାକୁ ହେବ । ମୋର ସେଠାରେ କିଛି ଜିନିଷ କିଣିବାର ଅଛି । ସେଠାରେ ମୋତେ ଜିନିଷ କିଣାରେ ସାହାଯ୍ୟ କରିବ ।” ଝିଅଟି ଏହି କଥାରେ ଖୁସିରେ ରାଜି ହେଲା ।

ଏବେ କୃଷ୍ଣମୂର୍ତ୍ତିଙ୍କ ସାଥିରେ ସେ ଝିଅଟି ଗଲା । ଦୁହେଁ ସୁପର ମାର୍କେଟ୍ରେ ବୁଲୁଥାନ୍ତି । ସେଠାରେ ଗ୍ରହାକଙ୍କ ଚାହିଦା ମୁତାବକ ଜିନିଷ ରଖାଯାଇଥିବା ଥାକରୁ ନେଇ ଶେଷମୁଣ୍ଡରେ ବିଲ୍ କରାଯାଇ ଟଙ୍କା ପଇଠ କରାଯିବା ବ୍ୟବସ୍ଥା ଥିଲା । ହଠାତ୍ କୃଷ୍ଣମୂର୍ତ୍ତିଙ୍କର ଏକ ଆଚାର ବୋତଲ ଉପରେ ନଜର ପଡିଗଲା । ସେ ତାକୁ ନେବା ପାଇଁ ଚାହିଁଲେ । ମାତ୍ର ଥାକରୁ ଉଠାଇ ଆଣିବା ପାଇଁ କୃଷ୍ଣମୂର୍ତ୍ତିଙ୍କର ହାତ ଆଦୌ ପାଇଲା ନାହିଁ । ଏହା ଦେଖି ପାଖରେ ଥିବା ଏକ ଡେଙ୍ଗାଲୋକ ଆଚାର ବୋତଲଟି ଆଣି କୃଷ୍ଣମୂର୍ତ୍ତିଙ୍କ ହାତରେ ଧରାଇ ଦେଲେ । ଏଣୁ କୃଷ୍ଣମୂର୍ତ୍ତି ଟିକିଏ ହସିଦେଇ ତାଙ୍କୁ ଧନ୍ୟବାଦ ଦେଲେ ।

ଏହା ପରେ କୃଷ୍ଣମୂର୍ତ୍ତି ସେଇ ଝିଅଟିକୁ କହିଲେ, “ମୁଁ ବାଙ୍ଗରା ହୋଇଥିବାରୁ ସେଇ ଡେଙ୍ଗା ଭଦ୍ରବ୍ୟକ୍ତିଙ୍କର ସାହାଯ୍ୟ ମୋ’ ପାଇଁ ଏକାନ୍ତ ଲୋଡା ଥିଲା । ମୁଁ ବାଙ୍ଗରା ଲୋକଟି ସେଇ ଡେଙ୍ଗା ଲୋକଠାରୁ କେବଳ ସେତିକିରେ ହିଁ ଊଣା, ହେଲେ ଅନ୍ୟ କେଉଁଥିରେ ନୁହେଁ । ତେଣୁ ମୁଁ ସେହିଭଳି ଲୋକଠାରୁ ସାହାଯ୍ୟ ପାଇଲେ ମନରେ ଭାବେ ମୋର ଊଣାପଣକୁ ପୂରଣ କରିବା ପାଇଁ ଈଶ୍ୱର ସେମାନଙ୍କୁ ପଠାଇଛନ୍ତି, ମୋତେ ସାହାଯ୍ୟ କରିବା ପାଇଁ ।”

କୃଷ୍ଣମୂର୍ତ୍ତିଙ୍କର ଏଭଳି କଥା ଭିନ୍ନକ୍ଷମ ଝିଅଟିର ମନକୁ ବେଶ୍ ଛୁଇଁଲା । ସେ ଭାବିନେଲା ଯେ, କୌଣସି କାର୍ଯ୍ୟ ସଂପାଦନ ପାଇଁ ଆବଶ୍ୟକ ହେଲେ ଅନ୍ୟର ସାହାଯ୍ୟ ନେବା ନିହାତି ଦରକାର ।

ଏହିଭଳି କେତେକଥା ସେହି ଝିଅଟି ତା’ ମନରେ ଚିନ୍ତା କରୁଥିଲାବେଳେ କୃଷ୍ଣମୂର୍ତ୍ତି ପୁଣି କହିଲେ, “ତୁମେ ବି ସବୁଥିରେ ପାରଙ୍ଗମ । କେବଳ ତୁମେ ଯାହା ଚାଲିପାରୁ ନାହଁ । ସେଥିପାଇଁ ତୁମକୁ ସାହାଯ୍ୟ କରିବା ପାଇଁ କିଛି ଭଲ ଲୋକ ନିଶ୍ଚୟ ଆଗେଇ ଆସିବେ । ତୁମେ ସେଭଳି ଲୋକଙ୍କଠାରୁ ସାହାଯ୍ୟ ଗ୍ରହଣ କଲେ ଅସମ୍ଭବ କାର୍ଯ୍ୟକୁ ବି ସମ୍ଭବ କରିଦେଇପାରିବ । ସେମିତି ଦେଖିଲେ ପ୍ରତ୍ୟେକ ବ୍ୟକ୍ତି କୌଣସି ନା କୌଣସି ବାଟରେ ଭିନ୍ନକ୍ଷମ । ଏକଥା ଜାଣି ରଖିବାକୁ ହେବ ଯେ, ତୁମେ ମଧ୍ୟ କିଛି ନା କିଛି ବାଟରେ ଅନ୍ୟକୁ ନିଶ୍ଚୟ ସାହାଯ୍ୟ କରିପାରିବ ।”

କୃଷ୍ଣମୂର୍ତ୍ତିଙ୍କର ଏଭଳି କଥାରେ ସେ ଭିନ୍ନକ୍ଷମ ଝିଅଟିର ମନୋଭାବ ସଂପୂର୍ଣ୍ଣ ବଦଳିଗଲା । ସେ ମନେ ମନେ ଭାବିଲା ଅନ୍ୟଠାରୁ ଟିକିଏ ସାହାଯ୍ୟ ପାଇଲେ ପଙ୍ଗୁ ମଧ୍ୟ ଦୁର୍ଗମ ଗିରି ଲଙ୍ଘିଯାଇପାରେ ।

ତେଣୁ କଥାରେ ପରା ଅଛି –

“ସାନ ବୋଲି ହୀନ ମଣନା ନିଜକୁ ନ ଥାଉ ପଛକେ ମହତ ଗୁଣ

ଦରକାର ବେଳେ କିଂଚିତ୍ ଗୁଣ ହିଁ ବଡ ବଡ କାର୍ଯ୍ୟ କରେ ସାଧନ ।

ସେଥିପାଇଁ ଜଣେ ଭିନ୍ନକ୍ଷମ ବୋଲି ଭାବିବା ମନରେ ନୁହେଁ ଉଚିତ

ଅପର ସାହାଯ୍ୟ ପାଇଲେ ଯେଭଳି ପଙ୍ଗୁ ଲଙ୍ଘିପାରେ ଉଚ୍ଚ ପର୍ବତ ।”


Rate this content
Log in