Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Satyabati Swain

Tragedy

3  

Satyabati Swain

Tragedy

ବେବିର ଚିଠି

ବେବିର ଚିଠି

3 mins
774


ପ୍ରିୟ ସୁରଜ;

 

         ଆତ୍ମାର କାଗଜ,ମନ କଲମ ଓ ମୋ ପ୍ରେମର ସ୍ୟାହିରେ କୋହ ମୋହ ଲୁହ ଏପାରିରୁ ତୁମ ପାଇଁ ଲେଖୁଛି ଏ ଚିଠି । ସବୁଆଡେ ଗହଳ ଚହଳ ପ୍ରବଳ ଭିଡ । ମୁଁ କିନ୍ତୁ ମୋ ଭିତରେ ଆଲେକଜାଣ୍ଡାର ସେଲକାର୍କ ପରି ନିଃସଙ୍ଗ ଜୀବନ ଜୀଉଁଛି । ସାରାସଂସାର ହାଲୋଲମୟ ଜହ୍ନ ଓ ବିଜୁଳି ଆଲୁଅରେ ହେଲେ ମୋ ଦୁନିଆଁରେ କେବଳ ଅମାବାସ୍ୟା କବ୍ଜା କରିଛି ।


         ମୁଁ ଜାଣିଛି ଅସମ୍ଭବ ତେବେ ବି ଦାଣ୍ଡ ଦୁଆରେ ମୋ ଆଖି ବୋଧେ ତୁମକୁ ଅପେକ୍ଷା କରିଛି । ଦିଶି ଯାଉଛି ହସି ହସି ଆସିବା ମୁହଁ ତୁମର । ତୁମେ ଆର ବର୍ଷ ଠିକ୍ ସାବିତ୍ରୀ ବ୍ରତ ଦିନ ଆସି ମୋତେ ଚମକେଇ ଦେଇଥିଲା ନା ! ମାତ୍ର ଦୁଇ ଦିନ ଛୁଟି ନେଇ ।  ଏଥର ସେମିତି ଆସି ମୋ ଆଖି ପଛରୁ ବୁଜି ଧରନ୍ତ ନାହିଁ ବିସ୍ମୟ ରେ ପୋତି ! ମୋତେ ମୋ ଠୁ ଛଡେଇ ନେଇ ଜାକି ଦିଅନ୍ତ ନି ତୁମ ହାତ ଭିତରେ ଦେହରେ ମିଶାଇ ! ଦୁଇ ଥର ତ ଏ ବ୍ରତ କରିବାର ସୌଭାଗ୍ୟ ପାଇଛି ମୁଁ । ଏ ବର୍ଷ ଅସମ୍ଭବ ଜାଣି ବି କେଜାଣି ପ୍ରତୀକ୍ଷା ମୋର ଶେଷ ହେଉନି । ମୋ ଆତ୍ମାରେ ତିନି ଚାରି ମାସର ଯେଉଁ ଘା ଟିକେ ବି ମଉଳନ ପଡିନି ସୁରଜ । ଶୁଖିବା ନାଁ ନ ନେଇ ମେଲି ଯାଉଛି ଦିନୁ ଦିନ । ତୁମ ନାଁ ସହ ମାତ୍ର ତିନି ବର୍ଷ ଯୋଡ଼ା ସମ୍ପର୍କ । କିନ୍ତୁ ତିନି ଯୁଗ ପାଇଁ ଚାଲିଯିବ ବୋଲି ଦେଇ ଯାଇଛ ତିନି ଅୟୁତ ଯୁଗର ପ୍ରେମ ! କଣ କରିବି କୁହ ତୁମ ପ୍ରେମମୟ ଏଇ ବିଦଗ୍ଧ ଶରୀରଟାକୁ ନେଇ !

      

  ପ୍ରିୟ ସୁରଜ; ମୋ ଆଖିରେ ସବୁ ଫୋଟୋ ଡିଲିଟ ହୋଇ ଯାଇଛି ତୁମ ଛଡା । ଛାତି ତୁମରି ଛାତି ଖୋଜୁଛି ରାତି ସାରା କର ଲେଉଟାଇ । ଓଠ ଚାହୁଁଛି ତୁମରି ହସରୁ ଉଧାର ଟିପେ ହସ । ଗାଲ ଲାଲ ହୁଅନ୍ତା ତୁମ ସ୍ପର୍ଶରେ । ଠିକ୍ ଯେମିତି ଆର ବର୍ଷ ହଠାତ୍ ପହଞ୍ଚି ମୋତେ ଅବାକ୍ କରିଦେଇଥିଲ । ଏମିତି ତୁମେ ସତରେ କେବେ ଆସିବନି ମୁଁ ଜାଣେ । କିନ୍ତୁ ବୁଝୁନି ଏ ହୃଦ,ମନ, ଆତ୍ମା ।  ଖୁବ୍ କମକୁଟ ସିନ୍ଦୂର ଫରୁଆଟିଏ ଆଣିଥିଲ ମୋ ପାଇଁ ମନେ ପଡୁଥିବ କଣ ତୁମର । ସେ ଭାଓଲେଟ୍ କଲର୍ ଚୁଡ଼ିଯାହା ସାଙ୍ଗରେ ଆଣିଥିଲ ! ଅତି ସୁନ୍ଦର ଲାଗୁଥିଲା ବୋଲି ଦି ପଟ ପିନ୍ଧି ସାଇତି ଥିଲି । ମୁଁ କଣ ଜାଣିଥିଲି ସେ ସିନ୍ଦୂର କି ଚୁଡ଼ି ଆଉ ମୋ ଦରକାରରେ ଆସିବ ନାହିଁ ! ଏବେ ଭାବୁଛି ସବୁଯାକ ସିନ୍ଦୂର ମଥାରେ ଢାଳି ଦେଲିନି କାହିଁକି ସେଦିନ । ସବୁତକ ଚୁଡ଼ି ପିନ୍ଧାଇ ଶୁଣାଇଲି ନାହିଁ କାହିଁକି ରୁଣୁଝୁଣୁ ସଙ୍ଗୀତ ତୁମକୁ । । ଆଜି ଭାରି ଇଚ୍ଛା ହେଉଛି ସିନ୍ଦୂରରେ ଗାଧୋଇବାକୁ,ଚୁଡିର ସଙ୍ଗୀତ ଶୁଣାଇ ତୁମକୁ ମତୁଆଲା କରିବାକୁ । କିନ୍ତୁ ନା ତୁମେ ଅଛ ଶୁଣିବାକୁ ନା ସ୍ୱୀକୃତି ଅଛି ପିନ୍ଧିବାକୁ ନାଇବାକୁ ତୁମନାଁ ରେ ।


     ପ୍ରିୟ ସୁରଜ! ଆଜି ସାବିତ୍ରୀ । ଏଇ ଦିନ ଯେତେ ଥର ମୋ ଜୀବନରେ ଆସିବ,ମୁଁ କଣ କରିବି!ପାଗେଳି ହୋଇଯିବି । ଓଃ !କି ଯନ୍ତ୍ରଣା ସୁରଜ!ଛାତି ଫାଟି ଯାଉଛି,ଆତ୍ମା ଡହଳ ବିକଳ ହେଉଛି । ଶରୀର ଟାକୁ ମୁଁ ଶାସନ କରି ନେଇଛି । ପାରୁ ନାହିଁ ଆୟତ୍ତକରି ମନ,ହୃଦୟ ଓ ଆତ୍ମାକୁ । ସେମାନେ ମୋ ବୋଲ ମାନିବାକୁ ନାରାଜ । ସେମାନଙ୍କୁ ତୁମ ସିନ୍ଦୂର ଫରୁଆ ଓ ଭାଓଲେଟ୍ ଚୁଡ଼ି ଡାକୁଛନ୍ତି । ଭୋ ଭୋ ହେଉଛନ୍ତି । କୁହ କଣ କରିବି !


     ପ୍ରିୟ ସୁରଜ ! ଫୁଲୱାମା ବୀର ସହିଦ ତୁମେ । ମୁଁ ସହିଦ ସୁରଜର ବିଧବା ପତ୍ନୀ । ତୁମର ସ୍ଥୂଳ ଶରୀର ମୋ ପାଖେ ନାହଁ ।  କିନ୍ତୁ ସୁକ୍ଷ୍ମ ଶରୀରରେ ତୁମେ ଅଛ ମୋ ପ୍ରତିଟି ନିଃଶ୍ୱାସରେ । ସବୁ କ୍ଷଣ ମୁଁ ତୁମେ ମଗ୍ନ । ତୁମ ଦେଢ଼ ବର୍ଷ ଝିଅକୁ ଛୁଇଁଲେ ଛୁଇଁ ହୋଇଯାଏ ତୁମକୁ । ସେ ଯେବେ ବା ବା ହୁଏ ଟ୍ରକ ସତେକି ମାଡି ଯାଏ ମୋ ଦେହ ଉପରେ ମୋତେ ଷ୍ଟିକର କରି । ବଡ଼ ହୋଇ ସେ ଯେବେ ଖୋଜିବ,କଣ କହିଲେ ସେ ବୁଝିବ ! ଆଃ ମୋ ଜଳନ ଅସହ୍ୟ ପୀଡା ଅକଥ୍ୟ ସୁରଜ । ଏମିତି କରନ୍ତ ନି ମୋତେ ତୁମ ପାଖକୁ ନେଇ ଯାଅନ୍ତ....

 

    ଶେଷରେ ପ୍ରିୟ ମୋର, ଜାଣିନି ତୁମ ପାଖେ ଏ ଠିକଣା ବିହୀନ ଚିଠିର ବିଳାପ ପହଂଚିବ କି ନାହିଁ । କିନ୍ତୁ ଦୂର ଗଗନର ତାରା ହୋଇ ମୋତେ ଆଶୀର୍ବାଦ କର ସବୁ ଜ୍ବଳନ,ବିରହ,ନିଃସଙ୍ଗତାକୁ ମହାଦେବଙ୍କ ପରି ପିଇଯାଏ ଯେପରି । ରହୁଛି ସୁରଜ ଲହୁ ଲୁହାଣ ହୋଇ,ନିଜେ ମରି ନିଜ ଶବକୁ କାନ୍ଧରେ ବୋହି ଚାଲିବାକୁ ତୁମ ଝିଅ ପାଇଁ ।

      

    ଇତି

         ସବୁବେଳେ ତୁମର ବେବି ।

 


Rate this content
Log in

Similar oriya story from Tragedy