Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
କାମନାଗ୍ନିରେ ମାତୃତ୍ୱ
କାମନାଗ୍ନିରେ ମାତୃତ୍ୱ
★★★★★

© Chinmayee Barik

Tragedy

3 Minutes   7.3K    18


Content Ranking

          ତିନି ପଦ କଥାରେ ବାସ୍ କାମ୍ ତମାମ୍ ।ସ୍ୱାମୀ ସ୍ତ୍ରୀର ଦଶ ବର୍ଷର ସଂପର୍କରେ ପ୍ରାଚୀର ।ମଦ ପିଇ ସେଇ ନିଷିଦ୍ଧ ତିନୋଟି ପଦ ନଗମାକୁ କହି ସାରିଛି ଅସଲମ୍ ।ଏବେ ପଛକୁ ଫେରିବାକୁ ରାସ୍ତା ବନ୍ଦ ।

ଛାଡ ପତ୍ର ଏବେ ନଗମା ଆଉ ଅସଲମ୍ ଭିତରେ ।ଅସଲମ ଆଖିରେ ଗୋଟିଏ ଯୁଗର ଯନ୍ତ୍ରଣା ।ନିଶାରେ ସେ କଣ କରି ପକାଇଛି? ମୌଲାଙ୍କ ଆଗରେ ଭୁଲ୍ ମାଗିଛି...ପ୍ରାୟଶ୍ଚିତ ଲାଗି ନିଆଁକୁ ଡେଇଁବାକୁ ବି ରାଜି ।ହେଲେ ନଗମା ଆଉ ବର୍ଷକର ଝିଅ ରେଜିଆକୁ ସେ ମୋଟେ ଛାଡି ପାରିବନି ।

ହେଲେ ଧର୍ମ କଣ ବୁଝେ ମଣିଷର ମାନସିକତାକୁ?ଧର୍ମ ଏକ ଜଡ ।ଚେତନର ଭାବକୁ ଜଡ କେବେ ବୁଝିଲାଣି ନା ବୁଝିବ? ଚେତନାର ମଣିଷ ମାନେ ନିଜକୁ ବିକ୍ରି କରି ଦିଅନ୍ତି ଏକ ଜଡ ଅସ୍ତିତ୍ୱ ଆଗରେ ନିଜକୁ । କି ବିକଳ ଅସହାୟତା ?ଜଡର କେବେ ପରିବର୍ତ୍ତନ ହୁଏନି ।କାନ୍ଦି ରଡି ମୁଣ୍ଡ ବାଡେଇ ଦେଲେ ବି ଧର୍ମ ଅପରିବର୍ତ୍ତିତ ସବୁବେଳେ । ଧର୍ମଟା ଖୁବ୍ ନିଷ୍ଠୁର ।

ସେଇ ନିଷ୍ଠୁରତା ଭିତରେ ଭାଙ୍ଗି ଯାଇଛି ଏକ ହସ ଖୁସିର ସଂସାର ।ସ୍ୱପ୍ନ ସବୁ ଭାଙ୍ଗି ଚୁରମାର ହୋଇ ଗଡୁ ଛନ୍ତି ଫୁଟପାଥ୍ ରେ ।

ହଁ,ଫୁଟପାଥରେ ପୋଲିଥିନ୍ ପକାଇ ନଗମା ରୁହେ ରେଜିଆକୁ ନେଇ । ପାଖରେ ଗୋଟେ ଘରକାମ ହେଉଛି ।ସେଠି କାମ କରେ ନଗମା ।ଅସଲମ୍ ବି ସେଠିକୁ ଆସେ କାମ କରିବାକୁ ।ନଗମାକୁ ଦେଖିଲେ ଅସଲମର ଲୋମ ଟାଙ୍କୁରି ଉଠେ ।ହାତ ଗୋଡ ଶକ୍ତ ହୋଇଯାଏ ।ହୃଦୟ ତରଳି ବୋହିଯାଏ ।ନଗମା ଅନାଏ ବିକଳରେ ।ପୁଣି ନିଜକୁ ଘୋଡାଇ ଘାଡେଇ ପଛ କରି ଚାଲି ଆସେ ଅସଲମ୍ କୁ ।

ଦେହର ନିଆଁକୁ କୌଣସି ଧର୍ମ କେବେ ଠିକ୍ ଭାବରେ ବୁଝି ନାହିଁ ।

ଖୁବ୍ ଜାଡ ।ଶୀତ ଦାନ୍ତ ଲଗାଇ ଝୁଣି ପକାଉଛି କଲିଜାକୁ ।ଅଳ୍ପ ଲୁଗା ପଟାରେ ନଗମାର ଦେହ ସଂଭାଳି ହୋଇ ଯାଏ ।କିନ୍ତୁ ରେଜିଆ ?ଆଖି ମୁଟୁ ମୁଟୁ କରି ତା ମାକୁ ଜଣାଏ ଯେ ତା ଦେହରେ ଶୀତ ସଂଭଳା ହେଉନି ବୋଲି ।ରେଜିଆ ନିରୁପାୟ ।ସବୁ ଜାଗାରେ ଭଲ ଲୋକ ମିଳନ୍ତିନି ଯେ କମ୍ବଳ ଦାନରେ ମିଳି ଯିବ?ଶୀତକୁ ଘୋଡାଇ ବଂଚିବାକୁ ହୁଏ ବେଳେ ବେଳେ ।

ରେଜିଆର ଆବଶ୍ୟକତାକୁ ନେଇ ନଗମାକୁ ଆଜିକାଲି ଅର୍ଦ୍ଧନଗ୍ନ ଅବସ୍ଥାରେ ଶୋଇବାକୁ ପଡେ ।ଶାୟାକୁ ବେକ ପାଖରେ ଫାଶ ପକାଇ ପିନ୍ଧେ ।ଶାଢୀ ଆଉ ବ୍ଲାଉଜ୍ କୁ ଅନ୍ୟ ଲୁଗା ସହ ମିଶାଇ ରେଜିଆକୁ ଘୋଡାଇ ଦିଏ ।ରେଜିଆ କେବଳ ତାର ନୁହେଁ,ଅସଲମ୍ ର ବି ଜୀବନ ଦୀପ ।ତାକୁ କୌଣସି ମତେ ବି ଲିଭାଇ ଦିଆ ଯାଇ ନ ପାରେ ।

ଉଫ୍ ....କାଲି ରାତିରେ ଖୁବ୍ ଶୀତ ।ନଗମା ଦେଖୁଛି ରେଜିଆ ଆଉ ସଂଭାଳି ପାରୁନି ।କୁଁ,କୁଁ ବି ହେଉଛି ।କ୍ଷୀର ବି ପିଉନି ।ଶୀତର ଦାଉରୁ ସେ ପେଟର ଭୋକ ବି ଭୁଲି ଯାଉଛି ।ହାତ ଗୋଡ ପୁରା ହେମାଳ ।ଜାଳ କୁଟା ବି ନାହିଁ ଯେ ତାକୁ ଜାଳି ଛୁଆଟାକୁ ଟିକେ ସେକି ପାରିବ ।

ନଗମା ଦେଖେ କୁଆଡେ କିଛି ନାହିଁ ।ତା ହେଲେପିଲାଟା ତାର ମରିଯିବ?ଇସ୍ କଣ ଭାବୁଛି ସେ? ଡାହାଣୀଟା କି ସେ? ମାତୃତ୍ୱ କିଛି ବୁଝେନା ।ପିଲାକୁ ବଂଚାଇବାକୁ ଯାଇ ଶତୃ ବି ଦାନ୍ତରେ ଛିଣ୍ଡାଇ ପାରେ ,ଯମକୁ କାଠ ଫାଳିଆରେ ପିଟି ପାରେ ...ପୁଣି ପିଠିରେ ପିଲାକୁ ବାନ୍ଧି ଯୁଦ୍ଧ କ୍ଷେତ୍ରକୁ ବି ଯାଇ ପାରେ ।

ନଗମା ଭାବୁଥିଲା କେଉଁଠୁ ଟିକେ ଉଷୁମ ଯୋଗାଡ କରିବ ରେଜିଆ ଲାଗି ।ରେଜିଆର ଦେହ ଥଣ୍ଡା ହେଇ ଆସୁଛି ।ହାତ ଗୋଡ ମାଲିସ୍ ରେ ବି କିଛି ହେଉନି ।

ନିଆଁ ଦରକାର ..ନିଆଁ....ତା ଦେହରେ ଉଷୁମ ଟିକେ ପୁରାଇବାକୁ ।କେଉଁଠୁ ଆଣିବ ?

ହଁ...ମା କେବେ କେବେ ପାରେନି କିନ୍ତୁ ହାରେନି ।ରାତିଟା ବିତିଗଲେ କେଉଁଠୁ କିଛି ବ୍ୟବସ୍ଥା କରିବ ।କିଛି ନ ହେଲେ ଅସଲମକୁ ଲୋକ ଲୋଚନରୁ ଦୂରରେ ରଖି ଠାରି କହିବ କନ୍ଥାଟେ ଦରକାର ରେଜିଆ ଲାଗି ବୋଲି ।କିନ୍ତୁ ଆଜି ରାତିଟା?????

ମାତୃତ୍ୱ ହାରେନି କେବେ ।ଅସଲମ୍ କଥା ଭାବିଲେ ନଗମା ଦେହରେ ନିଆଁ ଲାଗେ ।ଛାତି ପାଖରୁ ଶାୟା ଫିତା ଖସାଇ ଦିଏ ନଗମା ।କଳ୍ପରେ ରମଣ କରେ ଅସଲମ୍ ସହ ।ଅସଲମ୍ ର ହାତ ନଗମାର ଦେହ ସାରା ଘୁରି ବୁଲେ ।ନଗମା ଦେହର ପାଉଁଶ ତଳର ନିଆଁ ହୁତ୍ ହୁତ୍ ହୋଇ ଜଳି ଉଠେ ।

ନଗମାର ଦେହ ଏବେ ନିଜେ ଗୋଟିଏ ନିଆଁ ଖଣ୍ଡ ।ସାରା ରାତି ସେଇ ଅନୁଭବରେ ରହି ରେଜିଆକୁ ତା ଖୋଲା ଦେହ ପାଖକୁ ଟାଣି ଆଣେ ।

ରେଜିଆ ଏବେ ନିଆଁର ପରଶରେ ।ଉଷୁମତା ଭରିଯାଏ ତା ଦେହରେ ।ଆରାମରେ ଜାକି ଜୁକି ନଗମାର ପେଟ ତଳେ ସେକି ହେଉଥାଏ ଗୋଟିଏ ନିରିହ ଜୀବ ।

ସାରା ରାତି ନଗମା ଜଳୁଥାଏ ନିଆଁର ଧାସରେ ଅସଲମ୍ ର ପରଶରେ .....ଭୋର ହେବା ଯାଏ ।

ଅସଲମ୍ ନଗମା ନିଆଁ

Rate the content


Originality
Flow
Language
Cover design

Comments

Post

Some text some message..