Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakas Tripathy

Others

3  

Prakas Tripathy

Others

ମି ଠୁ

ମି ଠୁ

3 mins
7.3K


ପ୍ରକାଶ ତ୍ରିପାଠୀ

ଜେଜେମା ସାନ ନାତୁଣୀ ମିତାଲିକୁ ପଚାରିଲେ- ହଇଲୋ ମିତୁ, ଏ " ମି ଠୁ " କ’ଣ ଵା ? କିଛି ଦିନ ହେଲାଣି ଟିଭି ତାଆରି ଉପରେ ବେଶି ଖବର କହୁଛି ।ସବୁ ବଡ଼ ବଡ଼ ଲୋକଙ୍କ ନାଁରେ କେତେ ଅଭିଯୋଗ ବାହାରୁଛି। ମିତାଲି ମନେ ମନେ ଭାବିଲା, ଶଳା ବୁଢ଼ୀକୁ ଅଶି ବର୍ଷ ହେଲାଣି, ଇଏ "ମି ଠୁ " କ’ଣ ବୁଝିବ ।ସେ କିଛି ନକହି ଚୁପ୍ ରହିଲା। ଆଲୋ ତତେ ପରା ମୁଁ କ'ଣ ପଚାରୁଛି । ବୁଢ଼ୀ ଛାଡିବାର ଲୋକ ନଥିଲା। ପ୍ରଥମରୁ ସେ ସେମିତି। ତା ଆଗରେ କେହି କିଛି ଲୁଚାଇ ପାରିବେନି । ସେଇଥି ପାଇଁ ଜେଜେ ବାପା ଓ ତା ଭିତରେ ସଦାବେଳେ ଝଗଡା ହୁଏ । ଜେଜେ ବାପାଙ୍କ ଦେହାନ୍ତ ପରେ ଆମ ନାତିନାତୁଣୀ ପଛରେ ପଡିଛି।

ଜେଜେମାଙ୍କୁ ନ ବୁଝାଇବାର ବାଟ ନଥିଲା । ଜେଜେ ମା’ ଓଏବ୍ସାଇଟ କି ଇଣ୍ଟରନେଟ କଥା କଣ ଜାଣିଛି ଯେ ତାକୁ ବୁଝାଇହେବ। ତଥାପି ମିତାଲି ତା ଜେଜେମାକୁ ବୁଝାଇବାକୁ ଚେଷ୍ଟାକଲା। ମି ଠୁ ଗୋଟେ ଏମିତି ମାଧ୍ୟମ ଯେଉଁଥିରେ କି ନିର୍ଯାତିତା ମହିଳା ମାନେ ସେମାନଙ୍କ ନିର୍ଯ୍ୟାତନାର କାହାଣୀ ଲେଖୁଛନ୍ତି। ଲାଜରେ ହେଉ,ଭୟରେ ହେଉ ବା ପରିସ୍ଥିତିର ଚାପରେ ହେଉ ଅତୀତରେ ଅନେକ ମହିଳା ନିଜ ଘରେ,ବାହାରେ ବା କର୍ମକ୍ଷେତ୍ରରେ ଅନେକ ପୁରୁଷଙ୍କ ଦ୍ୱାରା ଅଶ୍ଳୀଳ ଇଙ୍ଗିତ , ଦୁଃବ୍ୟବହାର କିମ୍ୱା ଯୌନ ନିର୍ଯ୍ୟାତନା ପାଇଥିଲେ ବି ପ୍ରକାଶ କରିପାରିନଥିଲେ। ଏବେ ସେମାନେ ନିଜର ସେହି ଅତୀତର ବେଦନାକୁ ପ୍ରକାଶ କରୁଛନ୍ତି । ସେମାନଙ୍କ ମନ ହାଲୁକା ହେବା ସହ କେତେକ କ୍ଷେତ୍ରରେ ନିର୍ଯ୍ୟାତନା ଦେଇଥିବା ଲୋକ ବି ନିଜ ଦୋଷ ସ୍ବୀକାର କରି କ୍ଷମା ମାଗୁଛନ୍ତି। କେତେକ ଦଣ୍ଡ ବି ପାଉଛନ୍ତି। ମିତାଲି ଠୁ ସବୁ ଶୁଣି ଜେଜେମା କିଛି ସମୟ ଚୁପ୍ ରହିଲେ। ତାଙ୍କ ହାବଭାଵରୁ ଜଣା ପଡୁଥିଲା ସତେ ଯେମିତି ସେ ନିଜ ଅତୀତକୁ ଦରାଣ୍ଡୁଥିଲେ କିଛି ପାଇବାକୁ।

ମିତାଲି ଜେଜେମାକୁ ହଲାଇ ଦେଇ ପଚାରିଲା, ହେ ବୁଢ଼ୀ, ତୋର ସେମିତି କିଛି ଘଟଣା ଘଟିଛି କି ? କଣ ଏତେ ଭାବୁଛୁ? ଜେଜେମା କିଛି ସମୟ ନିଜ ଅତୀତକୁ ଖୋଜାଖୋଜି କରି କିଛି ପାଇଗଲେ ବୋଧେ। ମିତାଲିକୁ କହିଲେ, ଆଲୋ ମିତୁ, ମୁଁ ତ ଲେଖା ପଢା ଜାଣିନି, ମୋ ପାଇଁ ତୁ ଟିକେ ସେଇ ମି ଠୁ ରେ ଲେଖି ଦେଉନୁ। ମିତାଲି ଜେଜେମା କଥା ଶୁଣି ଚମକି ପଡିଲା। ଅଶି ବର୍ଷରେ ତ ବୁଢ଼ୀ ଏଡ଼େ ସୁନ୍ଦର ଦେଖାଯାଉଛି । କୋଡିଏ ବର୍ଷରେ ତ ଦାଉ ଦାଉ ହେଉଥିବା। ତା ଜେଜେ ମା’ ବି ନିର୍ଯ୍ୟାତନାର ଶିକାର ହୋଇଛି। ମିତାଲିର ଉସ୍ତୁକତା ବଢ଼ିଲା। ଜେଜେ ମା’ ପାଖକୁ ଲାଗି ଯାଇ କହିଲା, କହ କହ, ଶିଘ୍ର କହ, ଘରେ କେହି ନାହାନ୍ତି। ଯିଏ ତୋତେ ହଇରାଣ କରିଛି, ତାକୁ ଏଇ "ମି ଠୁ" ମାଧ୍ୟମରେ ପାନେ ଦେବି।

ଜେଜେ ମା’ ଆରମ୍ଭ କଲେ ତାଙ୍କ ନିର୍ଯ୍ୟାତନାର କାହାଣୀ । ତାଙ୍କ ବିବାହ ପରର ସେଇ କେତେଟା ଦିନର ଦୁଃଖ କାହାଣୀ। ବିଭା ହୋଇ ମୁଁ ଏଇ ଘରକୁ ଆସିଥିଲି । ସେତେବେଳେ ଏତେ ଘର ନଥିଲା । ଦୁଇ ବଖରା ଶୋଇବା ଘର ଓ ଗୋଟିଏ ବାଟ ଘର । ପଛପଟେ ବାଡିଦୁଆରକୁ ଲାଗି ପାଚେରୀ । ମଝିରେ ବଡ଼ ଦୁଆର । ବିଭାହୋଇ ଆସିଲାବେଳେ ମୋତେ ସମସ୍ତେ କହିଥିଲେ ଚତୁର୍ଥୀ ପୂର୍ବରୁ କୌଣସି ପରିସ୍ଥିତିରେ ବି ଯେମିତି ମୁଁ ତୋ ଜେଜେବାପାଙ୍କୁ ନ ଛୁଏଁ। ସେଥିପାଇଁ ମୁଁ ଗୋଟିଏ ଘରର କୋଣରେ ଚୁପ୍ ଚାପ ବସିରୁହେ। ସେଇ ଘର ଟିରେ ଘରର ସବୁ ଜିନିଷ ପତ୍ର ରଖା ଯାଇଥାଏ। ମୁଁ ଲକ୍ଷ କରୁଥିଲି ଜଣେ ଲୋକ ସେ ଘରକୁ ଜିନିଷ ପତ୍ର ଆଣିବାକୁ ଗଲାବେଳେ ମୋତେ ଅଶ୍ଳୀଳ ଇଙ୍ଗିତ କରୁଥିଲା। କେତେବେଳେ ବାଜେ ଲଫଙ୍ଗା ଗୀତ ବୋଲୁ ଥିଲା ତ କେତେବେଳେ ସିଟି ମାରୁଥିଲା । ମୋର ଭଲ କରି ମନେ ଅଛି ଥରେ ଖରାବେଳେ ମୋତେ ନିଦ ଲାଗିଯାଇଛି। ସେଇ ଲୋକଟି ମୋ ଗାଲରେ ଚୁମାଟାଏ ବି ଦେଇଦେଲା । ମୋ ନିଦ ଚଉଁ କିନା ଭାଙ୍ଗିଗଲା । ମୋ ନିଦ ଭାଙ୍ଗିବା ଜାଣି ସେ ଦୌଡ଼ି ଚାଲିଗଲା । ମୁଁ ଗୋଟାପଣେ ଥରୁଥାଏ। ମୋ ମନକୁ ପାପ ଛୁଇଁଲା। ଏତେ ବାଜେ ଲୋକଗୁଡା ପୁଣି ଏଠି ଅଛନ୍ତି। ମୁଁ ତ କାହାକୁ ଚିହ୍ନିନି। ଏମିତି କି ତୋ ଜେଜେବାପାଙ୍କୁ ବି ମୁଁ ଦେଖିନଥିଲି। ତାଙ୍କୁ ଜାଣିଥିଲେ ତାଙ୍କୁ ସବୁ କହିଦେଇଥାନ୍ତି । ସେଇ ତିନି ଦିନ ମୁଁ ଯେଉଁ ନିର୍ଯ୍ୟାତନା ପାଇଛି ତାକୁ ମୁଁ ଏ ଯାଏଁ ବି ଭୁଲିନି।

ତୁ ଏସବୁ ସେଇ " ମି ଠୁ" ରେ ଲେଖିଦେବୁ। ଯା ହେଉ, ମୋ ମନଟା ବି ଆଜି ହାଲୁକା ହେଇଗଲା। ଏକଥା ମୁଁ ଆଜି ପର୍ଯ୍ୟନ୍ତ କାହାକୁ କହିନଥିଲି। ଜେଜେ ମା’ର କଥା ଶୁଣି ମିତାଲିର ରାଗ କହିଲେ ନସରେ। ଜେଜେ ମା’କୁ ତାଗିଦ କରିବା ଢଙ୍ଗରେ କହିଲା, ତୁ ଏସବୁ ଚତୁର୍ଥୀ ରାତିରେ ଜେଜେ ବାପାକୁ କହିଲୁନି । ସେ ବଦମାସ ଲୋକଟାକୁ ଜେଜେବାପା ପାନେ ଦେଇଥାନ୍ତେ। ମିତାଲି କଥା ଶୁଣି ଜେଜେ ମା’ ଟିକେ ହସି କହିଲେ, ତୁ ଭାବୁଛୁ ମୁଁ କଣ କହିନି ବୋଲି। ସବୁ ମୂଳରୁ ଶେଷ ପର୍ଯ୍ୟନ୍ତ କହିଲି।

ଜେଜେ ବାପା ଶୁଣି କଣ କହିଲେ, ମିତାଲି ଆତୁର ହୋଇ ପଚାରିଲା।

ତୋ ଜେଜେ ବାପା ଆଉ କଣ କହିବେ, ସେ ପରା କହିଲେ ସବୁ ବଦମାସ କାମ ସେ ନିଜେ କରିଛନ୍ତି ବୋଲି। ଜେଜେ ମା’ର ଉତ୍ତରରେ ମିତାଲି ଓ ଜେଜେମା ଠୋ ଠୋ ହୋଇ ହସୁଥିଲେ।

କମ୍ପୁଟର ମନିଟରରେ me too ଜେଜେମାର ନିର୍ଯ୍ୟାତନା କାହାଣୀକୁ ଅପେକ୍ଷା କରି ରହିଥିଲା।


Rate this content
Log in