ଅବାଞ୍ଛିତ
ଅବାଞ୍ଛିତ
ପୁରୁଷଟେ ସ୍ଥାୟୀଭାବେ ସ୍ଥିର କରିନିଏ ଯେ' 'ନାରୀ' ର ଆକ୍ଷରିକ ଅର୍ଥ ହେଲା ଦାୟିତ୍ୱ ! ସମସ୍ତିଙ୍କ ସହ ନିଜ ଦାୟିତ୍ୱ ନେବା ବି ତା' କର୍ତ୍ତବ୍ୟର ଦାୟରେ ।
ପାଖାପାଖି ପାଞ୍ଚଥର ଅଫିସ୍ ରୁ ଥାଇ 'ଅତନୁ' ଫୋନ୍ କରିସାରିଲାଣି । ସେଇ ଗୋଟାଏ ସନ୍ଦେହ , ଗୋଟାଏ ପ୍ରଶ୍ନ
- ଖାଇଛ ତ ????
ଆଶ୍ଚର୍ଯ୍ୟ ହେଉଥିଲା ଆଜି 'ଶ୍ରେଷ୍ଠା' । ଘରୁ ଥରେ ପଦାକୁ ଗୋଡ କାଢିଦେଲା ପରେ , ଯେ' ଏକୁଟିଆ ଘରଟାରେ ଥୋଇଦେଇ ଆସିଥିବା ସ୍ତ୍ରୀଟିକୁ ସମ୍ପୂର୍ଣ୍ଣ ଭୁଲିଯାଏ , ସେ କିପରି ଏତେ ବ୍ୟସ୍ତ ହୋଇପଡୁଛି ? କୁଆଡୁ ଆସୁଛି ସମୟ ଆଜି , ସବୁବେଳେ ବିଜି ରହୁଥିବା ମଣିଷଟି ପାଖରେ ??
କେବେ ଏଥିପାଇଁ ଅଭିମାନ କଲେ ଅତନୁ ଚିଡିଯାଇ କୁହେ -
- ଘରେ ବସି ଖାଉଥିବା ସ୍ତ୍ରୀ ମାନଙ୍କୁ କୁଆଡୁ ବୁଝାପଡିବ ,ବାହାରେ ଠୋକର୍ ଖାଉଥିବା ସ୍ୱାମୀ ମାନଙ୍କର ବ୍ୟସ୍ତତା ? ମୁଣ୍ଡପିଠିରେ ବେଜାଏ ବୋଝ ବୋହୁଥିବା ମଣିଷଟେ , ଫୋନ କରିବ ନା ଗେଲ୍ହ୍ ???
ଏତକରେ ଚୁପ୍ ହୋଇଯାଏ ଶ୍ରେଷ୍ଠାର ଅଭିମାନ ଅଭିଯୋଗ।
★★★
ଛ'ଶହ ସ୍କୋୟାର୍ ଫୁଟ୍ ଭିତରେ ବନ୍ଦୀପରି ରହିଥାଏ ଜୀବନ। ଘରଠାରୁ ସୁଦୂର ସହରକୁ ସଂସାର ସଜ ବୋହିନେଇ , ବସା ବାନ୍ଧିବାକୁ ଧାଇଁ ଆସିଥିଲା ଶ୍ରେଷ୍ଠା ।ଏଠି କିନ୍ତୁ ଯନ୍ତ୍ର ଠାରୁ କ୍ଷିପ୍ର ବ୍ୟସ୍ତ ଅତନୁ' । ନା ନିଜପାଇଁ ସମୟ ଅଛି , ନା ସଂସାର ବଢାଇବାକୁ । ଯେମିତି ଗୋଟେ ଅଟକି ଲଟକି ଯାଇଛି ଜୀବନ।
- ତୁମେ ଏତେ ବ୍ୟସ୍ତ , ତୁମ କାମ ଅଫିସ୍ କୁ ନେଇ । ମୁଁ ଏକୁଟିଆ ଏଇ କାନ୍ଥ ପଲଙ୍କ ସହ କେତେ ଯେ' ଗପିବି ? ପିଲାଟିଏ ଦେଇଦିଅ ମୋତେ ।
- ଚୁପ୍ ! କ୍ୟାରିୟରର ଏଇ ଚରମ ସମୟରେ ଜଞ୍ଜାଳଭୁକ୍ତ କରାଅନା କହିଦେଉଛି।
- ପିଲା ହେଲେ ତ ସବୁ ଜଞ୍ଜାଳ ମୋର ।
- ନାଃ ! ପିଲାଟିଏ ହେବା ଅସହଜ ନୁହେଁ। ତାକୁ ସମୟ ଦେଇ ଠିକ୍ ରେ ପାଳିବା ହେଲା ବଡକଥା । ଅପେକ୍ଷା କର ଆଉ ଦୁଇବର୍ଷ। ସେତେବେଳେ ଆମେ ଆଉଟିକେ ସ୍ୱଚ୍ଛଳ ବି ହୋଇସାରିଥିବା ।
- ପ୍ଲିଜ୍
- ନୋଓଓ ! ବାସ୍ ।
ଶ୍ରେଷ୍ଠା ଚୁପ୍ ହୋଇଯାଏ । ବାହାଘରର ପହିଲି ପାଞ୍ଚବର୍ଷ ଯାଏଁ ଛୁଆପିଲା ଧନ୍ଦାରେ ନଘାଣ୍ଟି ହେବାର ଟ୍ରେଣ୍ଡ୍ ଚାଲିଛି ଏବେ । ଝିଅବିଦା ବେଳେ ତ , କାନତଳେ ମା ମାନେ ଏସବୁରୁ ନିବୃତ ରହିବାର ଗୁରୁମନ୍ତ୍ର ଫୁଙ୍କି ଉପାୟ ମାନ ବତାଇ ଦେଉଛନ୍ତି ଆଜିକାଲି !!!!
ଯୁଗ ବଦଳିଛି। ସୁଖପାଇଁ ଏତେ କ୍ରିୟାକର୍ମ ।କିନ୍ତୁ ସୁଖ କାଇଁ ????
★★★
ଥରେ ଜ୍ୱରରେ କମ୍ପୁଥିଲା ବେଳେ, ଏକୁଟିଆ ଅସହାୟ ହୋଇପଡିଲା ଶ୍ରେଷ୍ଠା । ଆକ୍ୱଆଗାର୍ଡରୁ ପାଣି ଠୋପେ କାଢି ପିଇବାକୁ ଜୁ' ନଥିଲା।
- ଆସିଯାଅ ! ମୋ ଦେହରେ ପ୍ରବଳ ତାତି ।
- ମିଟିଂରେ ।ଜରୁରୀ ଭାରି । ସେ ଫାଷ୍ଟଏଡ୍ ବକ୍ସରୁ ସେଟ୍ରିଜିନ୍ ଗୋଟାଏ ଖାଇଦେଇଥାଅ ।
ନିଜ ମଣିଷ ନୁହଁ , କିଛି ରାସାୟନିକ ଗୋଲି ହିଁ ସାହା ହୁଅନ୍ତି ଜୀବନରେ । ଏଇଟା କଣ ସତରେ ସଂସାରର ସୁଖ ? ସତକୁସତ ସେଟ୍ରିଜିନ୍ ଗୋଲି ହିଁ ଠିକ୍ କରିଦେଲା ତା' ଦେହକୁ । ଆଉ ମନକୁ ?
ଫେରିଆସି ଅତନୁ ଥରେ ତା' ଦେହମୁଣ୍ଡରେ ହାତ ବୁଲାଇଆଣି ପଚାରିଲାନି କେମିତି ଅଛ ? ନିଜ ଆଡୁ ଶ୍ରେଷ୍ଠା କହିଲା - କମିଯାଇଛି । ଏଇଟା ତ ପୁରୁଷତ୍ୱ !!!
★★★
ଆଜି କିନ୍ତୁ ପାଞ୍ଚଥର ଫୋନ୍ କଲେଣି । ସ୍ତ୍ରୀର ସାମାନ୍ୟ ସାମାନ୍ୟ ଭୁଲ୍ କୁ ଧରି ପ୍ରାଣ ବାହାର କରିଦେଉଥିବା ଲୋକଟା , ଯେମିତି କିଛି ଗୋଟେ ଅକ୍ଷମଣୀୟ ଭୁଲ୍ ଟେ କରିପକାଇବା ପରି ବ୍ୟସ୍ତ ହେଉଛି ।
ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରିଥିଲା ଅତନୁ । ଅଫିସ୍ ର ଆନୁଆଲ୍ ପାର୍ଟି ସାରି । ଆଲକହଲ୍ ର ବାସ୍ନା ମହକୁ ଥିଲା ଦେହଯାକ।
ତଥାପି କାଲିର ରାତି ହିଁ ଶ୍ରେଷ୍ଠା ପାଇଁ ଥିଲା ଶ୍ରେଷ୍ଠ ରାତି । କେମିତି ଗୋଟେ ଅତନୁକୁ ଅତି ନିବିଡ ଭାବେ ନିକଟରୁ ପାଇଗଲା ଯେମିତି। କ୍ଳାନ୍ତ ହୋଇ କଡେଇ ଯାଇଥିବା ସ୍ୱାମୀର ମୁହଁରେ ବି ଥିଲା ପରିତୃପ୍ତିର ଛିଟା ସବୁ । ଖୁସିର ଲୁହଧାର ଖସିପଡିଲା ଶ୍ରେଷ୍ଠାର ଆଖିରୁ। ସେ ରାତିର ମଉଳା ଅନ୍ଧାରରେ ବି ଦେଖିପାରୁଥିଲା ନିଜ ସ୍ପଷ୍ଟ ଭବିଷ୍ୟତକୁ ।
ନିଜ ଦେହ ଭିତରେ ଯେମିତି ଧାରଣ କରିନେଇଥିଲା ଅତନୁଙ୍କ ସତ୍ତାକୁ । ନା ଥିଲା ପ୍ରାୟୋଜିତ , ନା ବିଧିବଦ୍ଧ । କିନ୍ତୁ ସୃଷ୍ଟି ଆଗରେ ସ୍ରଷ୍ଟାର ବା କି ନିୟନ୍ତ୍ରଣ ???
ଏକ ପୂର୍ଣ୍ଣତା ପ୍ରାପ୍ତିର ସୁନେଲୀ ସ୍ୱପ୍ନରେ, ମୁଣ୍ଡଥାପି ଶୋଇଗଲା ଶ୍ରେଷ୍ଠା , ଅତନୁର ଚଉଡା ଛାତିରେ । ନିଦ ଭାଙ୍ଗିଲା ଯାଇ ସକାଳେ ,ଅତନୁର ଚିତ୍କାରରେ !!
- ମିଷ୍ଟେକ୍ ମିଷ୍ଟେକ୍ ।
- କଣ ? ମିଷ୍ଟେକ୍ ?
- ଭୁଲ୍ ହୋଇଯାଇଛି । ଏ ଅବାଞ୍ଛିତ !! ୟା'ପାଇଁ ବ୍ୟବସ୍ଥା କରିବାକୁ ହେବ !
- ଶୁଣ ! କାଲି ରାତିରୁ ଏଯାଏଁ , ମୁଁ ଗୋଟେ ଆଠଘଣ୍ଟାର ମା' !
- ଷ୍ଟପ୍ ! ଷ୍ଟୁପିଡ୍ ତୁମେ ଏବେ ସେଭେନ୍ଟି ଟୁ ଆୱାର୍ ଯାଏଁ ସୁରକ୍ଷିତ ।
- ପ୍ଲିଜ୍ ।
- ନୋଓଓଓ ! ୱଟ୍ ମୋର୍ ଟୁ ଇୟର୍ ।
★★★
- ଖାଇଛ ତ ???
- କେତେଥର କହିବି ହଁ ହଁ ହଁ ?
ନାରୀଟିଏ କେବେ ନିଜ ଗର୍ଭକୁ ଅବାଞ୍ଛିତ ମନେକରେନି । ଏସବୁ ପୁରୁଷର କାପୁରୁଷତା । ମା' ଟିଏ ନିଜ ସନ୍ତାନ ପାଇଁ ସବୁପ୍ରକାରର ବିରୋଧକୁ ସାମ୍ନାକରିବାର କ୍ଷମତା ବି ରଖିଥାଏ ।
ଅତନୁ ଦେଇଯାଇଥିବା ସେଇ "ଅନ୍ ୱଣ୍ଟେଡ୍ ସେଭେନ୍ଟି ଟୁ" ଗୋଲି ଟିକୁ , ଶ୍ରେଷ୍ଠା ନେଇ , ନିଜ ଶକ୍ତି ଅନୁଯାୟୀ ଆକାଶ ଆଡକୁ ନିକ୍ଷେପ କରି ଦେଲା ।
କେଯାଣି କାହିଁକି ମାଧ୍ୟାକର୍ଷଣର ବଳ ପାଉନଥିଲା ଗୋଲିଟିକୁ ଭୁମିଷ୍ଠ କରାଇବାକୁ ।
କେବଳ ଅତନୁର ଦେଖିବାପାଇଁ , ଶ୍ରେଷ୍ଠା ରଖିଦେଲା ଏକ ମିଛ ବିଶ୍ୱାସର , ଗୋଲି ବିହୀନ ଖାଲି ପାଉଚ୍ !!!!
■ ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ■