Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Panda

Inspirational

1.8  

Sisir Panda

Inspirational

ଦୁହିତା

ଦୁହିତା

5 mins
2.5K


ମଦନପୁର ଗାଁ ଏକ ଛୋଟ ଗାଁ,ଗାଁର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଗାଁ ମୁଣ୍ଡରେ ବରଜୁ ସାସମଲଙ୍କ ଏକ ନଡା ଛପର ଘର ।  ତାଙ୍କର ବଡ଼ ଝିଅ ଝାମିକୁ ପନ୍ଦର ବର୍ଷ ଚାଲୁଥାଏ,ସେ ମାଟ୍ରିକରେ ପଢ଼ୁଥାଏ । ସେତେବେଳେ ତାଙ୍କ ପରିବାରରେ ଆଉ ଏକ ଝିଅ ଜନ୍ମ ହୁଏ,ବରଜୁ ଏବଂ ତାଙ୍କ ସ୍ତ୍ରୀ ମାରିଆ ଚିନ୍ତାଗ୍ରସ୍ତ ହୋଇ ପଡ଼ିଲେ । ପ୍ରଭୁ ଜଗନ୍ନାଥଙ୍କୁ କ୍ଷୋଭଭରା କଣ୍ଠରେ ଦୁଃଖ ଜଣାଇ କହୁଥାନ୍ତି-"ହେ କଳାଠାକୁର ପ୍ରଥମ ସନ୍ତାନର ଏତେ ବର୍ଷ ପରେ ପିଲାଟିଏ ଦେଲ ଯେ ସେ ବି କନ୍ୟା । ଆମେ ତ ଗରିବ ଲୋକ କିପରି ବାହା କରିବୁ ,ଆମ ସମାଜରେ ଝିଅଙ୍କ ପ୍ରତି ଯେଉଁ ଭଳି ଅବହେଳା ଓ ମନଭାବ ଏବଂ ତା ବାଦ୍ ଯୌତୁକ ରାକ୍ଷସର କବଳରୁ ମୁକୁଳିବା ଅସମ୍ଭବ । ପୁଅଟିଏ ଦେଇଥିଲେ ଆମ ବୁଢ଼ା ବେଳକୁ ସାହା ହୋଇଥାନ୍ତା । "ଏଭଳି ପ୍ରଭୁଙ୍କ ଉଦ୍ଦେଶ୍ୟରେ କଥା ହେଉଥାନ୍ତି ସେତେବେଳେ ବରଜୁର ବନ୍ଧୁ ସଦା ଆସି ପହଞ୍ଚି ଗଲା ଏବଂ ସେମାନଙ୍କୁ ବଥାଇ ଜଣାଇଲା । ବରଜୁ ଓ ମାରିଆର ଦୁଃଖ ଦେଖି ସେମାନଙ୍କୁ ସାନ୍ତ୍ୱନା ଦେଇ କହିଲା,-"କିଛି ଚିନ୍ତା କରନି ଆଉ ଗୋଟିଏ ଝିଅ ହେଲା ବୋଲି । ଆରେ ଝିଅ ହେଲା ପରା ଦୁହିତା ଅର୍ଥାତ ଦୁଇ କୁଳକୁ ହିତା । ଦେଖିବ ଏହି ଦୁଇ ଝିଅ କେମିତି ପୁଅଠାରୁ ବଳିକି କାମ ଦେଖେଇବେ । "ଏଭଳି ସାନ୍ତ୍ୱନା ଶୁଣି ଉଭୟ ଆସ୍ବସ୍ଥି ଅନୁଭବ କଲେ ଏବଂ ସେହି କାଳିଆର ଇଚ୍ଛା ଯାହା ହେବ କହି ମନକୁ ବୁଝାଇଲେ ।

ସମୟ ଗଡ଼ି ଚାଲିଲା ସାନ ଝିଅ ରୁମିକୁ ପାଞ୍ଚ ବର୍ଷ ପୁରିଗଲା ଓ ଝାମିର ବି.ଏ ସମ୍ପୂର୍ଣ୍ଣ ହେଲା କିନ୍ତୁ ଭଲ ମାର୍କ ରହିଲାନି । ଘରର ଆୟପନ୍ଥା କହିଲେ କେବଳ ଚାଷରୁ ଯାହା ମିଳେ ସେତକ,ସେଥିରେ ଦୁଃଖ କଷ୍ଟରେ ଯେନତେନ ପ୍ରକାରେଣ ଚଳିଯାଆନ୍ତି । ସେ ବର୍ଷ ଯୋଗକୁ ଝାମି ପାଇଁ ଭଲ ପ୍ରସ୍ତାବଟିଏ ଆସିଲା, ମଦନପୁରଠାରୁ ପାଞ୍ଚ ସାତ କିଲୋମିଟର ଦୂରରେ ସାଁପୁର ଗାଁର ଫାଲଗୁ ସାମନ୍ତରାୟଙ୍କ ପୁଅ ଯିଏ କି ବି.ଏ ପାସ କରି ଏକ ପ୍ରାଇଭେଟ କମ୍ପାନୀରେ ମାସିକ ଆଠ ହଜାର ଟଙ୍କାରେ କାମ କରେ । ତା ତଳେ ଆଉ ଦୁଇ ଭଉଣୀ ଏବଂ ମା ବାପାଙ୍କୁ ନେଇ ତାଙ୍କ ପରିବାର । ବାପା ଚାଷ କାମ ବୁଝନ୍ତି । ଝାମିର ଶିକ୍ଷା ଓ ସ୍ବଭାବରେ ପ୍ରୀତ ହୋଇ ସାମନ୍ତରାୟ ଦମ୍ପତି ବୋହୂ କରି ଘରକୁ ଆଣିଲେ ।

ଝାମି ବାହା ହୋଇ ଆସିବା ଦିନଠାରୁ ତାର ଧର୍ମପରାୟଣତା,ପରୋପକାର ମାନସିକତା ସର୍ବୋପରି ଶାଶୁ ଶଶୁର,ନଣନ୍ଦଙ୍କ ସେବା ଆଦି ଦେଖି ସମସ୍ତ ଗ୍ରାମବାସୀ ବହୁତ ପସନ୍ଦ କରନ୍ତି । ତା'ର ସ୍ବାମୀ ହରିଚନ୍ଦନ ମଧ୍ୟ ବହୁତ ଖୁସି ଥାଏ ଏଭଳି ଲକ୍ଷ୍ମୀ ପ୍ରତିମାକୁ ସ୍ତ୍ରୀ ରୂପରେ ପାଇ । ଦେଖୁ ଦେଖୁ ଝାମିର ପୁଅଟି ପ୍ରାରମ୍ଭ ଶ୍ରେଣୀରେ ପଢ଼ିବାକୁ ଲାଗିଲାଣି । କିନ୍ତୁ ସମୟ ସବୁବେଳେ ସମାନ ଯାଏନି,ବିପଦ କାହାକୁ କହିକରି ଆସେନା । ଦୁର୍ଭାଗ୍ୟ ବଶତଃ ବରଜୁକୁ ଆଂଶିକ ପକ୍ଷାଘାତ ହୋଇଗଲା, ସମସ୍ତ ଚେଷ୍ଟା ସତ୍ତ୍ୱେ ସମ୍ପୂର୍ଣ୍ଣ ଭଲ ହେଲା ନାହିଁ । ସେ ଆଉ ଆଗପରି କାମ କରି ପାରିଲା ନାହିଁ । ବରଜୁ ଧୀରେ ଧୀରେ ଭିତରେ ଭାଙ୍ଗି ପଡ଼ିଲା, କଣ କରିବ ରୁମିର ପଢା ଏବଂ ତିନି ପ୍ରାଣୀଙ୍କ ଭରଣପୋଷଣ କିପରି କରିବ । ଏଭଳି ଚିନ୍ତା ତାକୁ ଖାଇଯାଉଥାଏ ।

ତେଣେ ଝାମି ମଧ୍ୟ ଶାନ୍ତିରେ ରହି ପାରୁ ନଥାଏ ମା,ବାପାଙ୍କ ଏପରି ଅବସ୍ଥା ଦେଖି । ସବୁବେଳେ ଭାବୁଥାଏ ସ୍ବାମୀ ଓ ଶଶୁରଙ୍କ ରୋଜଗାର ଯାହା ସେତକ ଆମ ପରିବାର ଚଳିବା ପାଇଁ ଯାହା ବି ହେଉ ହୋଇଯାଉଛି କିନ୍ତୁ ମୋ ମା,ବାପା, ଭଉଣୀ ସେମାନେ କଣ କରିବେ । ନା ମୋତେ କିଛି କରିବାକୁ ହେବ । ସେଦିନ ରାତିରେ ତା'ର ସ୍ବାମୀ ହରିଚନ୍ଦନ ସହ ଆଲୋଚନା କରି କହିଲା,-"ଦେଖ,ଆମ ଘରର ପରିସ୍ଥିତି ଯାହା ହେଲାଣି ମୋ ମା,ବାପା ଭିକ୍ଷା ବୃତ୍ତି ଆପଣେଇବା ଛଡ଼ା କିଛି ବାଟ ନାହିଁ । ତୁମେ ଯଦି ମୋତେ ସାଥ ଦେବ ତେବେ ମୁଁ ବହୁତ କିଛି କରିପାରିବି । "ହରିଚନ୍ଦନ ଆଗ୍ରହରେ ପଚାରିଲା,-"କୁହ,ମୁଁ କିପରି ସାହାଯ୍ୟ କରିପାରିବି । ତୁମେ ତ ଜାଣ ମୋର ଆୟ ଓ ବାପାଙ୍କ ଯାହା ସେଥିରେ ଆମେ ତିନି,ମା,ବାପା ପୁଣି ଦୁଇ ଭଉଣୀ ଚଳିବା କେତେ କଷ୍ଟ । ସେଥିରୁ କଣ ବଞ୍ଚୁଛି ଯେ ମୁଁ ସାହାଯ୍ୟ କରିପାରିବି । "

ଝାମି ସ୍ବାମୀକୁ ସାହସ ଦେଇ କହିଲା,-"ତୁମେ ମୋତେ ଗୋଟିଏ ଲୁହା କଡ଼ାଇ,ଛଣା ଆଉ କିଛି ବେସନ,ବିରି ଆଦି ଆଣି ଦିଅ ,ଦେଖିବ ମୁଁ କଣ କରିବି । "ପ୍ରଥମେ ହରିଚନ୍ଦନ ରାଜି ହେଉ ନଥିଲା,ତାପରେ ଝାମି ବାରମ୍ବାର ବୁଝାଇ କହିବାରୁ ରାଜି ହେଲା । ତାପର ଦିନ ସକାଳୁ ହରିଚନ୍ଦନ ନିଜ ମା,ବାପାଙ୍କୁ ବୁଝାଇ ରାଜି କରାଇଲା । ଆସ୍ତେ ଆସ୍ତେ ଝାମିର ବେପାର ଜମିବାକୁ ଲାଗିଲା । ପ୍ରଥମେ ପ୍ରଥମେ ଚକୁଳି, ପକୁଡି କରୁଥିଲା ତାପରେ ଚାହିଦା ଵଢିବାରୁ ବରା,ଦହିବରା,ପିଆଜି,ମୁଢି ଆଦି କରି ବିକି ଭଲ ଦି ପଇସା ରୋଜଗାର ହେଲା । ଏହି କାମରେ ନଣନ୍ଦ ଦି ଜଣ ଝାମିକୁ ସାହାଯ୍ୟ କରନ୍ତି, କରିବେନି ବା କେମିତି ଝାମି ସେମାନଙ୍କୁ ନିଜ ଝିଅ ପରି ସ୍ନେହ ଦିଏ । ସେମାନଙ୍କ ପାଠପଢା ସହ ଅନ୍ୟାନ୍ୟ ଦାୟିତ୍ୱ ସୁଚାରୁ ରୂପେ ତୁଲାଏ । ଶାଶୁ ଶଶୁର ମଧ୍ୟ ବହୁତ ଖୁସି,ଏତେ କାମକରି ମଧ୍ୟ ଝାମି କେବେ ହେଲେ ତାର କର୍ତ୍ତବ୍ୟରେ ହେଳା କରେନା ବରଂ ଘରର ଅର୍ଥାଭାବକୁ ଦୂରେଇଛି ।

ନିଜ ସାନ ଭଉଣୀର ପାଠ ଖର୍ଚ୍ଚ ସହିତ ସେମାନଙ୍କ ସମସ୍ତ ଖର୍ଚ୍ଚ ନିଜେ ବହନ କଲା । ରୁମିକୁ ସବୁବେଳେ ପ୍ରେରଣା ଦିଏ କି ମନଦେଇ ପାଠ ପଢ଼,ଭଲ ଚାକିରୀଟିଏ ପାଇଲେ ତୁ ମା,ବାପାଙ୍କ କଥା ବୁଝିବା ସହ ତୋ ନିଜ ବ୍ୟବସ୍ଥା ତୁ ନିଜେ କରି ପାରିବୁ । ଏମିତି ବର୍ଷ ପରେ ବର୍ଷ ବିତିବାକୁ ଲାଗିଲା । ରୁମି ମାଟ୍ରିକରେ ଅଣାନବେ ପ୍ରତିଶତ ଓ ଇଣ୍ଟରମିଡିଏଟରେ ଏକାନବେ ପ୍ରତିଶତ ନମ୍ବର ରଖି ସିଟି ଟ୍ରେନିଂରେ ସମସ୍ତଙ୍କ ଠାରୁ ଅଧିକ ନମ୍ବର ରଖି ପାସ କଲା । ନିଜ ଗାଁ ସ୍କୁଲରେ ଶିକ୍ଷୟିତ୍ରୀ ଚାକିରୀ ପାଇଗଲା । ନିଜ ମା,ବାପାଙ୍କ ସେବା ସହ ଗାଁର ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରିବା ସହିତ ଗାଁର ଅସହାୟ ମହିଳାମାନଙ୍କ ପାଇଁ ସିଲାଇ ଶିକ୍ଷା କେନ୍ଦ୍ର ସ୍ଥାପନା କରି ସେମାନଙ୍କ ଶିକ୍ଷା ବ୍ୟବସ୍ଥା କରାଇଲା ନିଜ ତରଫରୁ ।

ଏତଦ୍ ବ୍ୟତୀତ ଗାଁର ମହିଳାମାନଙ୍କୁ ନେଇ ବଡି,ପାମ୍ପଡ଼, ମସଲା ଗୁଣ୍ଡ ପାକେଟ ଆଦି କରି ସ୍ଥାନୀୟ ବଜାରସବୁରେ ବିକିବାର ବ୍ୟବସ୍ଥା କରି ସେମାନଙ୍କୁ ସ୍ବାବଲମ୍ବୀ କରାଇଲା । ଚାହୁଁ ଚାହୁଁ ତାର ଖ୍ୟାତି ଆଖପାଖ ଗାଁରେ ବ୍ୟାପିବାକୁ ଲାଗିଲା । ଏହା ଦେଖି ଗାଁର କମିଟି ତଥା ବ୍ଲକର ଅଧିକାରୀ ବୃନ୍ଦ ରୁମିକୁ ସମ୍ମାନିତ କରିବେ ବୋଲି ସ୍ଥିର କଲେ । ମିଟିଂର ଦିନ ଧାର୍ଯ୍ୟ ହେଲା, ରୁମିକୁ ଜଣାଇଦିଆ ଯାଇଥାଏ । ଧାର୍ଯ୍ୟ ଦିନ ରୁମି ନିଜ ଭଉଣୀ,ଭେଣେଇଙ୍କୁ ଡାକିଥାଏ । ସେଦିନ ଗାଁର ଦୋଳପର୍ବ ଥାଏ,ତେଣୁ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ଥାଏ । ଆଖପାଖ ଗାଁର ବହୁତ ଲୋକ ଦେଖିବାକୁ ଆସନ୍ତି । ମିଟିଂରେ ବି.ଡି.ଓ ଏବଂ ବ୍ଲକର ଅନ୍ୟ ଅଧିକାରୀମାନେ,ଏମ.ଏଲ.ଏ,ଗାଁ ବିଦ୍ୟାଳୟର ଶିକ୍ଷକମାନେ ଆଦିଙ୍କ ମେଳରେ ପରିବେଶ ବହୁତ ଆକର୍ଷଣୀୟ ଲାଗୁଥାଏ । ପ୍ରଧାନ ଶିକ୍ଷକ ରୁମି ପାଇଁ ଲିଖିତ ମାନପତ୍ର ପଢ଼ି ଶୁଣାଇଲେ ଏବଂ ତାପରେ ବିଧାୟକଙ୍କୁ ଅନୁରୋଧ କଲେ ରୁମିକୁ ସମ୍ମାନିତ କରିବା ପାଇଁ ।

ସେତେବେଳକୁ ରୁମି ମଞ୍ଚାସୀନ ହୋଇ ସାରିଥାଏ କିନ୍ତୁ ତାର ମାନପତ୍ର ଓ ପୁରସ୍କାର ଗ୍ରହଣ କଲାବେଳେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଅନୁରୋଧ କଲା ତା'ର ଭଉଣୀ ଝାମିକୁ ମଞ୍ଚ ଉପରକୁ ଡାକିବା ପାଇଁ । ଝାମି ମଞ୍ଚ ଉପରକୁ ଆସି ଆସନ ଗ୍ରହଣ କଲା । ତାପରେ ରୁମି ତାର ବକ୍ତବ୍ୟ ଆରମ୍ଭ କଲା,-"ସମସ୍ତଙ୍କୁ ପ୍ରଣାମ ଜଣାଇ କହିବାକୁ ଲାଗିଲା କି ଆଜି ମୁଁ ଯାହା ବି ହୋଇଛି ବା ଯାହାଟା ମୁଁ ଅନ୍ୟମାନଙ୍କ ନିମନ୍ତେ କରୁଛି ତାହା ସମ୍ଭବ ହୋଇପାରିଛି ମୋର ଏଇ ଦେବୀ ତୁଲ୍ୟା ବଡ଼ ଭଉଣୀ ସକାଶେ । ସେ ଯଦି ଆମ ମା,ବାପା ଓ ମୋତେ ସାହାଯ୍ୟ କରି ନଥାନ୍ତା କି ପ୍ରେରଣା ଦେଇ ନଥାନ୍ତା ତ ମୋର ଆଜି କି ଅବସ୍ଥା ହୋଇଥାନ୍ତା ତାହା କଳ୍ପନାତୀତ । ସବୁ କିଛି ସମ୍ଭବ ହୋଇଛି କେବଳ ମୋ ଝାମି ଦିଦି ପାଇଁ ନଚେତ୍ ମୁଁ ଆଜି ରାସ୍ତା କଡ଼ରେ ହୋଇଥାନ୍ତି । ସେ ନିଜେ କେତେ କଷ୍ଟକରି ତା ଶାଶୁଘର ଏବଂ ବାପଘର ଲୋକଙ୍କ ପ୍ରତି ଯେଉଁ କର୍ତ୍ତବ୍ୟ ପରାୟଣତାର ପରାକାଷ୍ଠା ଦେଖାଇଛି ତାହା ଅତୁଳନୀୟ । ତେଣୁ ମୋତେ ଯେଉଁ ମାନପତ୍ର, ରାଶି ମିଳିଛି ମୁଁ ତାହା ମୋ ଦିଦିକୁ ଅର୍ପଣ କରୁଛି । "

ଉପସ୍ଥିତ ଜନତା ନୀରବ,ନିଶ୍ଚଳ ହୋଇ ସବୁ ଦେଖୁଥାନ୍ତି । ଝାମି ଏତେ ବଡ଼ ଜନ ସମୁଦାୟ ଦେଖି ଟିକେ ନରଭସ୍ ଅନୁଭବ କରୁଥାଏ ତଥାପି ସାହାସ ରଖି ସମସ୍ତଙ୍କୁ ପ୍ରଣାମ ଜଣାଇ କହିଲା କି,-"ମୁଁ ମୋର କର୍ତ୍ତବ୍ୟ କର୍ମ କରିଛି, ଏଥିରେ ମୋ ସ୍ବାମୀ, ଶାଶୁ ଶଶୁର ଓ ନଣନ୍ଦଙ୍କ ମଧ୍ୟ ସାହାଯ୍ୟ ରହିଛି । ଆଜି ଯେଉଁ ଅର୍ଥ ପୁରସ୍କାର ରୂପେ ମିଳିଛି ମୁଁ ତାହା ଗାଁର ବିକାଶ ପାଇଁ ଅର୍ପଣ କରୁଛି । "ତାର ବକ୍ତବ୍ୟ ଶେଷ ହେବା ପୂର୍ବରୁ କରତାଳିରେ ସଭାସ୍ଥଳ କମ୍ପି ଉଠୁଥାଏ । ଗାଁର ସମସ୍ତ ବ୍ୟକ୍ତି କହୁଥାନ୍ତି- ପ୍ରକୃତରେ ଏ ହେଲେ ଦୁହିତା । ଦୁହିତା ଅର୍ଥର ସାର୍ଥକତା ଝାମି ଠାରେ ଦେଖିବାକୁ ମିଳିଛି । ତାଙ୍କ ମା,ବାପାଙ୍କୁ ମଧ୍ୟ ଲୋକେ ପ୍ରଶଂସା କରୁଥାନ୍ତି । ଝାମିର ଶାଶୁ, ଶଶୁର ମଧ୍ୟ ଦୋଳ ପର୍ବ ଦେଖିବାକୁ ଆସିଥାନ୍ତି ସମୁଦି ସମୁଦିଆଣୀ ସହ ସଭାରେ ଉପସ୍ଥିତ ଥାଇ ସବୁ ଶୁଣୁଥାନ୍ତି । ଝାମିର ବାପା, ମା ଶାଶୁ,ଶଶୁରଙ୍କ ଆନନ୍ଦାଶ୍ରୁ ବୋହି ପଡୁଥାଏ ।

ସମୟ କ୍ରମରେ ରୁମିକୁ ଏକ ଯୋଗ୍ୟ ବର ମିଳି ଯିବାରୁ ରୁମି, ତାର ସ୍ବାମୀ ଓ ରୁମିର ମା,ବାପା ସମସ୍ତେ ଭଲରେ କାଳାତିପାତ କଲେ । ସମସ୍ତ ମୁହଁରେ ଗୋଟିଏ କଥା ଶୁଣିବାକୁ ମିଳୁଥାଏ ଝିଅ ହେବ ତ ଝାମି, ରୁମି ପରି ।

 

ଶିଶିର କୁମାର ପଣ୍ଡା, କଟକ


Rate this content
Log in

Similar oriya story from Inspirational