Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସେବତୀକୁ ଶୀତ
ସେବତୀକୁ ଶୀତ
★★★★★

© Saumya Panda

Others

2 Minutes   268    9


Content Ranking

ଏ, ମାମା, ଜଲଦି ଆସେ, ବାହାରକୁ। ଆସିଲୁ ନା ନାହିଁ ଯେ! ଆସେ ଦେଖିବୁ, ମୋ ସେବତୀ ଗଛରେ ଦୁଇଟା କଢ଼ ଧରିଛି।

କ'ଣ ହେଲା ସେଇଠୁ, ଶୀତ ଦିନେ ସେବତୀ ଫୁଲ ଫୁଟେ। କଢ଼ଟେ ତ ହେଇଛି, ପାଟି କରି ଘର ପକଉଛୁ, ଉଠଉଛୁ କାହିଁକି? ସକାଳୁ କିଛି କାମ ନାହିଁ ନା କ'ଣ?

ପୁଅ ରିଷି ମାମାର ପାଟି ଶୁଣି ସାଙ୍କୁଡ଼ି ଯାଇଥିଲା ବୋଧେ ନିଜ ଭିତରେ। ଆଉ ପାଟି ଶୁଣାଯାଉନଥିଲା ତା'ର।

ମାମା ଡାକୁଥାଏ, ଧନ ଖାଇଦେ ଆସି। ପରୀକ୍ଷା ପାଖେଇଲାଣି। ଖାଇ ସାରିଲେ ପଢିବୁ, ଉତ୍ତର ବି କିଛି ନାହିଁ। ମା' ମନ ସମ୍ଭାଳି ହେଉଛି କେଉଁଠି? ଛୁଆଟା ଗଛମାନଙ୍କୁ ଭାରି ଭଲପାଏ। ଯେତେବେଳେ ଦେଖ ସେମାନଙ୍କ ସାଙ୍ଗରେ ଲାଗିଥିବ। ସେବତୀ କଢ଼ ଦେଖି କେତେ ଖୁସି ହେଉଥିଲା। ଡାକୁଥିଲା ମାମାକୁ, ସାଙ୍ଗ ହୋଇ ଦେଖିବାକୁ। ଚା' ବସିଥିଲା। ଛାଡ଼ିକି ଆସିଥାନ୍ତେ କେମିତି ସିଏ! ଅଭିମାନ କରିଛି ବୋଧେ ପିଲାଟା। ଯେତେ ଡାକିଲେ ଶୁଣୁନି। ଏମିତି ଭାବି ଭାବି ସୌମ୍ୟା ଦେବୀ ଯାଇ ଦାଣ୍ଡ ବାରଣ୍ଡାରେ ପହଞ୍ଚିଲେ।

ବାହାରର ଦୃଶ୍ୟଟା କିନ୍ତୁ ଥିଲା ସମ୍ପୂର୍ଣ୍ଣ ଓଲଟା। କୁହୁଡ଼ିର ଚାଦରରେ ଘୋଡ଼େଇ ହୋଇଛନ୍ତି ସୂର୍ଯ୍ୟ। ଧାରେ କିରଣ ବି ଆସି ପଡ଼ିନି ଦାଣ୍ଡ ଦୁଆରେ। ଗଛରୁ ଟପ୍ ଟପ୍ ଝରିପଡୁଛି କାକର ବୁନ୍ଦା ସବୁ। ସୌମ୍ୟା ଦେବୀଙ୍କ ପୁଅ ରିଷି କିନ୍ତୁ ସେବତୀ ଗଛକୁ କୁହୁଡ଼ି ଦାଉରୁ ରକ୍ଷା କରିବା ପାଇଁ ଯେମିତି ପଣ କରିଛି। ଟୋପାଏ କାକର ବୁନ୍ଦା ତା' ଉପରେ ଯେମିତି ନ ପଡ଼େ, ସେଥିପାଇଁ ସାନଭାଇ ରିକୁଲକୁ ଧରି ସେବତୀ ଗଛ ଉପରେ ଛୋଟ ଛାମୁଣ୍ଡିଆ ତିଆରି କରିବାରେ ବ୍ୟସ୍ତ- ଫୁଲଗଛଟିକୁ ସୁରକ୍ଷିତ ଆଶ୍ରୟ ଦେବାକୁ। ଜେଜେମା' ତା'ର କୁହନ୍ତି, ଶୀତ ପଡ଼ିଲେ ଫୁଲ କମ୍ ଫୁଟେ। କୁହୁଡ଼ି ଆଉ କାକର- ଦୁହେଁ କୁଆଡ଼େ ଫୁଲର ଶତ୍ରୁ। ସେଇଥି ପାଇଁ ସବୁ ଫୁଲ କୁଣ୍ଡକୁ ଶୀତ ଆସୁ ଆସୁ ନେଇ ରିଷି ବାଲକୋନୀରେ ରଖେ। ସେବତୀ ଗଛଟା ବଡ଼ କୁଣ୍ଡରେ ଲାଗିଛି। ନେଇ ପାରିବନି ଉଠେଇକି। ଏଇଠି ରହିବ ଗଛ।

ଦୁଇ ଭାଇ ମିଶି ପତ୍ରକାଠି ଗୋଟେଇ ଆଣୁଥାନ୍ତି। ଅତି ଯତ୍ନରେ କୁନି କୁନି ହାତରେ ଫୁଲଗଛ ଉପରେ ଛାମୁଣ୍ଡିଆ ତିଆରି କରୁଥାନ୍ତି। ଏତେ ଶୀତରେ, ଦୁହିଁଙ୍କ ଦେହରେ ସ୍ବେଟର ନାହିଁ। ରେଜେଇ ତଳୁ ବାହାରୁ ନଥିବା ଦୁଇଟି କୋମଳ ଦେହକୁ ଏବେ କିନ୍ତୁ ଶୀତ ହେଉ ନଥିଲା। ସେମାନେ ନିଜ ହାତରେ ଲଗେଇ ଥିବା ସେବତୀ ଗଛର କଢ଼ ଫୁଟିବାକୁ ଅପେକ୍ଷା କରୁଥିଲେ, ଏଇ ହାଡ଼ ଭଙ୍ଗା ଶୀତରେ। ନିଜ ସୃଷ୍ଟିକୁ କିଏ ଭଲ ନପାଏ ଯେ! ସୌମ୍ୟା ଦେବୀ ଦେହରୁ ଶାଲଟା କାଢ଼ିଦେଇ ଏବେ ଯାଇ ଦୁଇ ଭାଇଙ୍କ ସାଙ୍ଗରେ ଛାମୁଣ୍ଡିଆ ତିଆରି କରୁଥିଲେ। ପୁଅ ଦୁହେଁ ମାଟି ଲେସା ହାତରେ ଜାବୁଡ଼ି ଧରିଥିଲେ ତାଙ୍କୁ। ଜଣେ କହୁଥିଲା, ମାମା ଦେଖିଲୁ, ସେବତୀ ଗଛରେ ଆଉ କିଛି କଢ଼ ହବ ନା କ'ଣ? ସାନ(ପୁତୁରା) ଡାକୁଥିଲା ବାବୁମା', ଆଉ ଟିକେ ପରେ ଫୁଲ ଫୁଟିବ ବୋଧେ। ହଳଦିଆ ଫୁଲ ହେଲେ ମୋର, ଧଳା ହେଲେ ନନାର। ପୂର୍ବ ଦିଗରୁ ସୂର୍ଯ୍ୟର ଚେନାଏ କିରଣ କୁହୁଡ଼ି ଫାଙ୍କ ଦେଇ ବାହାରି ଆସୁଥିଲା। ଶୀତ ତା'ର କୁହୁଡ଼ିଆ ଚାଦରକୁ ଧରି ପଛୁଆ ଫେରି ଯାଉଥିଲା।

ସୈାମ୍ୟା ପଣ୍ଡା,

ମହାବୀର ବିହାର, ପଟିଆ ଷ୍ଟେସନ

ଫୋ ନ- ୭୦୦୮୩୨୦୧୭୧

ରିଷି ଫୁଲଗଛ ଶୀତ

Rate the content


Originality
Flow
Language
Cover design

Comments

Post

Some text some message..