ଏମିତି ବି ପ୍ରେମ ହୁଏ
ଏମିତି ବି ପ୍ରେମ ହୁଏ
ରାଜ କିଶୋର ଡାକୁଆ
ଭଲ ପାଇଥିଲି ତୁମକୁ ତୁମେ ବୁଝିଲନି ମନକୁ, ପ୍ରେମ ମାଗିଥିଲି ଦେଲ ପ୍ରତାରଣା, ତୁମ ପାଇଁ ଆଜି ହେଲି ମୁଁ ବାଟ ବଣା ।
ବଗିଚାରେ ଫୁଲ ଓ ଭଅଁର ଦୁହେଁ ଦୁହିଁଙ୍କ ପ୍ରତି ଆକର୍ଷିତ ଥିଲୋ କିଛି ଦିନ ପରେ ଫୁଲ ଲୁଚେଇ ଲୁଚେଇ ଗୁଞ୍ଜରକୁ ଭଲ ପାଇବସିଲା । ପ୍ରେମିକ ଭଅଁର ଦିନେ ଦେଖିଲା ଗୁଞ୍ଜର ଫୁଲଠାରୁ ରସ ଶୋଷୁଚି । ଭଅଁର ଏହା ଦେଖି ସହ୍ୟ କରି ପାରିଲାନି । ଫୁଲ ହଡ଼ବଡ଼େଇ ଗଲା । ଫୁଲ କଥା ଭାବି ଭାବି ପ୍ରେମିକ ଭଅଁରଟା ପାଗଳ ହୋଇଗଲା । ପାଗଳ ଭଅଁରର ଏହି ଅବସ୍ଥା ଦିନେ ପ୍ରଜାପତି ଦେଖିଲା । ସୁନ୍ଦରୀ ପ୍ରଜାପତି ପାଗଳ ଭଅଁରକୁ ନିଜ ପାଖକୁ ନେଇ ତା’ର ସେବା ଶୁଶ୍ରୁଷା କରିଲା । ଧୀରେ ଧୀରେ ପାଗଳ ଭଅଁର ଭଲ ଅବସ୍ଥାକୁ ଫେରି ଆସୁଥାଏ । ସେତେବେଳେ ସୁନ୍ଦରୀ ପ୍ରଜାପତି ଭଅଁରକୁ ମନ ଦେଇ ସାରିଥିଲା । ପାଗଳ ଭଅଁରଟି ସମ୍ପୂର୍ଣ୍ଣ ଭଲ ହୋଇଗଲା । ଭଅଁର ଓ ପ୍ରଜାପତି ଦିନେ ବଗିଚାରେ ବୁଲୁଥିଲେ । ହଠାତ୍ ଭଅଁର ଓ ଫୁଲ ଦେଖାଦେଖି ହୋଇଗଲେ । ଫୁଲ ଦୌଡି ଆସି ଭଅଁରକୁ ଆଲିଙ୍ଗନ କରିନେଲା । ପୂର୍ବ କଥା ଭୁଲିଯାଇ ଭଅଁର ମଧ୍ୟ ତା’ ବାହୁ ବନ୍ଧନରେ ଫୁଲକୁ ବାନ୍ଧି ଦେଇଥାଏ । ଏହି ଘଟଣା ସୁନ୍ଦରୀ ପ୍ରଜାପତି ଦୂରରୁ ସବୁ ଦେଖୁଥିଲା । ଭଅଁର ଫୁଲ ପାଖକୁ ଗଲା ଯେ, ଆଉ ଫେରିଲାନି । ପ୍ରଜାପତିର ସାହାଯ୍ୟ କଥା ବି ଭୁଲିଗଲା । ସେପଟେ ପ୍ରଜାପତି ଭଅଁରକୁ ଝୁରିଝୁରି ପାଗଳୀ ହୋଇଗଲା । ଯେଉଁ ସ୍ଥାନରେ ଭଅଁରକୁ ପାଗଳ ଅବସ୍ଥାରେ ଦେଖିଥିଲା, ସେହି ସ୍ଥାନରେ ସୁନ୍ଦରୀ ପ୍ରଜାପତି ଆଜି ପାଗଳୀ ଅବସ୍ଥାରେ ବସି ରହିଛି । ଫୁଲ ପାଇଁ ଦିନେ ଭଅଁର ପାଗଳ ଥିଲା । ହେଲେ ଆଜି ଭଅଁର ପାଇଁ ପ୍ରଜାପତି ପାଗେଳୀ ।
ସମ୍ବିତ୍ ଓ ଲୋରିଆ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ । ନିବିଡ଼ ପ୍ରେମ କରୁଥିଲେ । ଦୁହେଁ ମଧ୍ୟ ଏକା ସାଙ୍ଗରେ ପାଠ ପଢ଼ୁଥିଲେ । ରାସ୍ତା କଡ଼ର ସେଇ ଆମ୍ବ ଗଛ ସାକ୍ଷୀ ଅଛି । ତା’ରି ମୂଳରେ ବସି କେତେବେଳେ ସନ୍ଧ୍ୟା ହୋଇଯାଉଥାଏ ଜାଣିପାରନ୍ତି ନାହିଁ । କଲେଜ ଲନ୍ର ଘାସ ଉପରେ ଉଦୁଉଦିଆ ଖରା ବେଳଟାରେ ପରସ୍ପର ମୁହଁକୁ ଚାହାଁଚାହିଁ ହୋଇ ବସିଥାନ୍ତି । ବିଜୁ ପଟ୍ଟନାୟକ ପାର୍କରେ ସେହି ଚାକୁଣ୍ଡା ଗଛ ଓ ତା’ ପାଖରେ ପଡ଼ିଥିବା ବେଞ୍ଚକୁ ଆକ୍ତିଆର କରିନେଇଥିଲେ । ଏ ପ୍ରେମ କିଛି ଦିନ ପରେ ସ୍ୱାମୀ-ସ୍ତ୍ରୀର ପରିଚୟ ମିଳି ନ ଥିଲେ ମଧ୍ୟ ସେମାନେ ଗୋଟିଏ ଘରେ ରହୁଥିଲେ । ସମ୍ବିତ୍ର ଜଣେ ସାଙ୍ଗ ହେମନ୍ତ ଏ ଦୁହିଁଙ୍କ ପ୍ରେମର ମଧ୍ୟସ୍ତି । ତେଣୁ ସେ ମଧ୍ୟ ବେଳେବେଳେ ସମ୍ବିତ୍ର ଘରକୁ ଆସେ । କିଛି ଦିନ ପରେ ସମ୍ବିତ୍ର ଚାକିରି ହୋଇଗଲା । ଡାକବାଲା ଚିଠିଟି ଆଣି ଘରେ ପହଂଚାଇଦେଲା । ଚିଠି ପଢ଼ି ସମ୍ବିତ୍ ଯେତିକି ଖୁସି ହେଲା ଦୁଃଖ କଲା ମଧ୍ୟ । କାରଣ ଲୋରିଆକୁ ଛାଡ଼ି ଦେଢ଼ ବର୍ଷ ଗୁଜରାଟରେ ରହିବାକୁ ପଡ଼ିବ । ସେଠାରେ ଟ୍ରେନିଂ ଚାଲିବ । ଲୋରିଆକୁ ଗୁଜୁରାଟ ନେଇ ଏକ ଭଡ଼ା ଘରେ ରଖିପାରିଥାନ୍ତା । କିନ୍ତୁ ଟ୍ରେନିଂ ସେଣ୍ଟରରେ ସମସ୍ତେ ରହିବାକୁ ବାଧ୍ୟ । ଯାହାକି ଲୋରିଆ ସେହିଠାରେ ରହିପାରିବ ନାହିଁ । ତେଣୁ ଲୋରିଆ ଭୁବନେଶ୍ୱରରେ ରହିଲା । ସମ୍ବିତ୍ ଗୁଜରାଟ ଚାଲିଗଲା । ଟ୍ରେନିଂ ସାରି ଆସିଲେ ବାହାଘର ହେବ ବୋଲି ଠିକ୍ ହେଲା । ଦୈନିକ ଫୋନ୍ରେ କଥାବାର୍ତ୍ତ ହୁଅନ୍ତି । ହେଲେ ବେଶି ସମୟ କଥାବାର୍ତ୍ତା ହୋଇପାରନ୍ତି ନାହିଁ । କାରଣ ଫୋନ୍ ପାଇଁ କଟକଣା ଥିଲା । ଦୁହେଁ ମନକୁ ବୁଝେଇ ରହୁଥିଲେ । ପ୍ରତି ୪ ମାସରେ ୮ ଦିନ ଛୁଟି ମିଳିବ ବୋଲି ଟ୍ରେନିଂ ସେଣ୍ଟରରୁ କୁହାଗଲା । ସେହି ୮ ଦିନ ଭିତରେ ଲୋରିଆକୁ ଦେଖାକରିବ ବୋଲି ସମ୍ବିତ୍ ସ୍ଥିର କରିନେଲା । ଏମିତି କିଛି ଦିନ ଚାଲିଲା । ହେମନ୍ତ ମଧ୍ୟ ସମ୍ବିତ୍ର ଘରକୁ ଯିବା ଆସିବା କରେ । ଦୁହିଁଙ୍କର ସାଙ୍ଗ ନା ସିଏ । ଯିବା ଆସିବାରେ କୌଣସି ବାଧା ନ ଥାଏ । ୟା’ରି ଭିତରେ ଲୋରିଆ ଉପରେ ହେମନ୍ତର ତୀକ୍ଷ୍ଣ ଦୃଷ୍ଟି ପଡ଼ିସାରିଥାଏ । ମନେମନେ ତାକୁ ଭଲ ପାଇ ବସିଥାଏ । ତାକୁ ନେଇ ହେମନ୍ତ ଅନେକ ସ୍ୱପ୍ନ ଦେଖୁଥାଏ । ସମ୍ବିତ୍ ଥିଲାବେଳେ ବେଳେବେଳେ ଯାଉଥିଲା । କିନ୍ତୁ ଏବେ ଦୈନିକ ଯାଉଛି । ଘଣ୍ଟା ଘଣ୍ଟା ଧରି ଲୋରିଆ ସହିତ ଗପ ଜମୁଛି । ଦିନେ ଏମିତି ଏକ ଘଟଣା ଘଟିଲା ଯାହାକି ତା’ ପରଠାରୁ ଲୋରିଆ ମଧ୍ୟ ହେମନ୍ତ ପ୍ରତି ଆକର୍ଷିତ ହୋଇଗଲା ।
ଘରେ ଲୋରିଆ ଏକା ରହେ । ଯାହା କଲେ କେହି ଦେଖିବାର ନାହିଁ କି କେହି କିଛି କହିବାର ନାହିଁ । ମନ ମୁତାବକ କାମ କରେ । ଦିନେ ଗାଧୋଇ ସାରି ବାଥ୍ରୁମ୍ରୁ ସମ୍ପୁର୍ଣ୍ଣ ଉଲଗ୍ନ ଅବସ୍ଥାରେ ବେଡ୍ରୁମ୍କୁ ଯାଉଥିଲା । ହଠାତ୍ ହେମନ୍ତ କବାଟ ଖୋଲି ଘର ଭିତରକୁ ପଶି ଆସିଲା । ହେମନ୍ତ ଦେଖିଦେଇ କବାଟ ବନ୍ଦ କରି ବାହାରକୁ ଚାଲିଗଲା । ଲୋରିଆ ହଡ଼ବଡ଼େଇ ଯାଇ ବେଡ୍ ଉପରେ ପଡ଼ିଥିବା ଶାଢ଼ୀରେ ନିଜକୁ ଲୁଚେଇ ଦେଲା । ଲୋରିଆର ରୂପ ଯୌବନ ହେମନ୍ତର ଆଖି ଆଗରୁ ସିନା ଲୁଚିଗଲା । ହେଲେ ମନ ଭିତରୁ ଲୁଚି ପାରିଲା ନାହିଁ । ଲୋରିଆ ପ୍ରତି ହେମନ୍ତର ଆକର୍ଷଣ ଆହୁରି ବଢ଼ିଗଲା । ହେଲେ ଏପଟେ ଲୋରିଆ ମଧ୍ୟ ହେମନ୍ତ ପାଖକୁ ଧୀରେ ଧୀରେ ଆକର୍ଷିତ ହେବାରେ ଲାଗିଲା । ସେହି ଘଟଣାକୁ ମନେ ପକାଇ ଲୋରିଆ ବେଡ୍ ଉପରେ ଶୋଇ ମୁହଁକୁ ଲୁଚେଇ ହସୁଥାଏ । ହେମନ୍ତର ପ୍ରତିଛବିଟି ତା’ ମୁହଁ ଆଗରେ ନାଚି ଉଠୁଥାଏ । ମୋବାଇଲ୍ଟା ଆଣି ହେମନ୍ତକୁ ଫୋନ୍ କଲା । ସେହି ଘଟଣା ହେମନ୍ତକୁ କହି ଖୁବ୍ ଜୋର୍ରେ ହସିଲା, ଆଉ ହେମନ୍ତକୁ ଘରକୁ ଆସିବାକୁ କହିଲା । ତତ୍କ୍ଷଣାତ୍ ହେମନ୍ତ ଲୋରିଆ ପାଖରେ ଆସି ହାଜର ହୋଇଗଲା । କିଛି ସମୟ ବାର୍ତ୍ତାଳାପ ପରେ ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରିନେଲେ । ଲୋରିଆର ଲିପ୍ଷ୍ଟିକ୍ ବୋଳା ଓଠରେ ହେମନ୍ତ ଏକ ଚୁମ୍ବନ ଆଙ୍କି ଦେଲା । ଠିକ୍ ସେତିକିବେଳେ ସମ୍ବିତ୍ର ଫୋନ୍ କଲ୍ ଆସିଗଲା । ଫୋନ୍ ଉଠାଇ ସମ୍ବିତ୍ ସହ କଥା ହେଲା ଲୋରିଆ । କାଲି ସମ୍ବିତ୍ ଆସି ପହଞ୍ଚିବ ଓ ୭ ଦିନ ପରେ ପୁଣି ଫେରିଯିବ । ତା’ପର ଦିନ ସମ୍ବିତ୍ ଆସି ପହଞ୍ଚିଗଲା । ଚାରିଆଡ଼େ ବୁଲାବୁଲି କରି ୭ ଦିନ ପରେ ଗୁଜରାଟ ଚାଲିଗଲା ସମ୍ବିତ୍ । ପୁଣି ୪ ମାସ ପରେ ଆସିଲା । ବୁଲାବୁଲି କରି ଗୁଜରାଟ ଯିବା ପାଇଁ ସବୁ ପ୍ରସ୍ତୁତ ହୋଇଗଲା । ରାତି ୧୦ଟା ବେଳେ ଟ୍ରେନ୍ ଅଛି । ଷ୍ଟେସନକୁ ଯିବା ପାଇଁ ସମ୍ବିତ୍ ବାହାରିଗଲା । ଟ୍ରେନ୍ ଟାଇମ୍ ହେଇଗଲାଣି । ଏପଟେ ଲୋରିଆକୁ ଛାଡ଼ିଯିବା ପାଇଁ ଇଚ୍ଛା ହେଉ ନ ଥାଏ । ତଥାପି ତରତର ହୋଇ ବାହାରିଗଲା । ଟ୍ୟାକ୍ସି ଭଡ଼ା କରି ଷ୍ଟେସନକୁ ଗଲା । ଟ୍ୟାକ୍ସିରୁ ଓହ୍ଲାଇ ଭଡ଼ା ଟଙ୍କା ଦେବା ପାଇଁ ପକେଟରୁ ମନିପର୍ସ ବାହାର କରିବା ବେଳକୁ ମନିପର୍ସ ପକେଟରେ ନ ଥିଲା । ରୁମ୍ରେ ଛାଡ଼ିଦେଇକି ଆସିଥିଲା । ଆଉ ସେଥିରେ ମଧ୍ୟ ଟ୍ରେନ୍ ଟିକେଟ୍ ଥିଲା । ତେଣୁ ଆଉ ଟ୍ରେନ୍ରେ ଯାଇ ନ ପାରି ସେହି ଟ୍ୟାକ୍ସିରେ ରୁମ୍କୁ ଫେରି ଆସିଲା । ରୁମ୍ର କବାଟ ଖୋଲି ଭିତରକୁ ପଶିବା ବେଳକୁ ଯାହା ଦେଖିଲା ନିଜକୁ ସମ୍ଭାଳି ପାରିଲାନି । ତା’ ପାଦତଳର ମାଟି ଖସି ପଡ଼ିଲା । ହାତରୁ ବ୍ୟାଗ୍ଟା ତଳେ ପଡ଼ିଗଲା । ବେଡ୍ ଉପରେ ହେମନ୍ତ ଓ ଲୋରିଆ ବାହୁବନ୍ଧନରେ ବାନ୍ଧି ହୋଇରହିଥିଲେ । ସମ୍ବିତ୍ ଷ୍ଟେସନକୁ ଯିବା ପରେ ଲୋରିଆ ହେମନ୍ତକୁ ଡାକି ଦେଇଥିଲା । ହେମନ୍ତ ଓ ଲୋରିଆ ଉଭୟେ ସମ୍ବିତ୍କୁ ଦେଖି ତଟସ୍ଥ ହୋଇଯାଇ ଥିଲେ । କ ’ଣ କରିବେ କିଛି ଭାବିପାରୁ ନ ଥିଲେ ।
ଲୋରିଆର ଚିକ୍କଣ ଗାଲରେ ସମ୍ବିତ୍ ଏକ ଶକ୍ତ ଚାପୁଡ଼ା କଷିଦେଇ ଘରୁ ବାହରକୁ ଚାଲି ଆସିଲା । ମଦ ପିଇ ପିଇ ଶେଷରେ ପାଗଳ ହୋଇଗଲା । ଯେଉଁ ପାର୍କରେ ସମ୍ବିତ୍ ଓ ଲୋରିଆ ଏକାଠି ବସୁଥିଲେ । ସେହି ଚାକୁଣ୍ଡା ଗଛ ମୂଳ ସମ୍ବିତର ବାସ ସ୍ଥାନ ହୋଇଗଲା । ସେହି ସ୍ଥାନରେ ବସି ସମ୍ବିତ୍ ହସୁଥାଏ, କାନ୍ଦୁଥାଏ, ଗୁଣୁଗୁଣଉ ଥାଏ, ନାଚ କରୁଥାଏ । ହେଲେ କାହାର କିଛି କ୍ଷତି କରେ ନାହିଁ । ପାର୍କରେ ପ୍ରେମୀଯୁଗଳଙ୍କୁ ଦେଖିଲେ ଏକ ଲୟରେ ଚାହିଁ ରହେ ।
ପ୍ରତିଦିନ ଏହି ପାର୍କକୁ ବହୁ ସଂଖ୍ୟାରେ ଲୋକ ମର୍ଣ୍ଣିଂ ୱାକ୍ କରିବାକୁ ଆସନ୍ତି । ସମ୍ବିତ୍ ସେହି ଗଛ ମୂଳରେ ବସି ବାଲି ଖେଳୁଥାଏ । ପତର , କାଠିକୁଟା ନେଇ ଖେଳୁଥାଏ । ସମସ୍ତଙ୍କୁ ଦେଖୁଥାଏ, ହସୁଥାଏ । ତାକୁ ସମସ୍ତେ ଦେଖୁଥାନ୍ତି । ଇସିତା ସେହି ପାର୍କକୁ ଦୁଇ ଚାରି ଦିନ ହେଲା ମର୍ଣ୍ଣିଂ ୱାକ୍ କରିବାକୁ ଆସୁଛି । ସେ ମଧ୍ୟ ସମ୍ବିତ୍କୁ ଦେଖେ । ୫-୬ ଦିନ ଯିବା ପରେ ପାର୍କର ମାଳିକୁ ସମ୍ବିତ୍ ବିଷୟରେ ପଚାରିଲା । ମାଳି କହିଲା ହଁ ସିଏ ଦୀର୍ଘ ୪-୫ ମାସ ହେଲାଣି ଏଠାରେ ବସି ରହୁଛି । ସେଠୁ ଇସିତା ମନରେ ଦୟାଭାବ ଜାଗ୍ରତ ହେଲା । ସେ ସମ୍ବିତ୍ ପାଖକୁ ଆସି ତା’ ସହ ହାତ ମେଳାଇଲା । ସମ୍ବିତ୍କୁ ତା’ ସାଙ୍ଗରେ ତା’ ଘରକୁ ନେଇଗଲା । ଇସିତା ମଧ୍ୟ ଏକ ଭଡ଼ା ଘରେ ଏକା ରହୁଥିଲା । ସମ୍ବିତ୍କୁ ଡାକ୍ତରଙ୍କ ସହ ପରାମର୍ଶ କରି ତା’ର ସେବା କଲା । ଧୀରେ ଧୀରେ ସମ୍ବିତ୍ ଭଲ ହେବାକୁ ଲାଗିଲା । ୟାରି ଭିତରେ ଇସିତା ସମ୍ବିତ୍କୁ ମନ ଦେଇସାରିଥାଏ । ମନେମନେ ତାକୁ ଭଲ ପାଇ ବସିଥାଏ । ଡାକ୍ତରଙ୍କ କହିବା ମୁତାବକ ଇସିତା ସମ୍ବିତ୍କୁ ଦୈନିକ ବାହାରକୁ ବୁଲେଇବାକୁ ନିଏ । ତା’ ସହ ହସ ଖୁସି ହୁଏ । ତାକୁ ମଜା ମଜା କଥା କୁହେ । ନୂଆ ନୂଆ ଡ୍ରେସ୍ ପିନ୍ଧିବାକୁ ଦିଏ । ଏମିତି କିଛି ଦିନ ବତିଗିଲା । ସମ୍ବିତ୍ ସମ୍ପୁର୍ଣ୍ଣ ସୁସ୍ଥ ହୋଇଗଲା । ସେ ଇସିତା ଭିତରେ ଲୋରିଆକୁ ଦେଖି ପାରୁଥାଏ । ଦିନେ ଇସିତା ଓ ସମ୍ବିତ୍ ମାର୍କେଟକୁ ବୁଲିବାକୁ ଯାଇଥିଲେ । ମାର୍କେଟରେ ସମ୍ବିତ୍ ସହ ଲୋରିଆର ଦେଖାହେଲା । କିଛି ଭାବିବା ପୂର୍ବରୁ ଲୋରିଆ ସମ୍ବିତ୍କୁ କୁଣ୍ଢେଇ ପକାଇଲା । ସମ୍ବିତ୍ ପୂର୍ବର କଥା ଭୁଲିଯାଇ, ଇସିତା କଥା ମଧ୍ୟ ଭୁଲିଯାଇ ଲୋରିଆକୁ ଆଲିଙ୍ଗନ କରିନେଲା । ପରସ୍ପରର ବାହୁ ବନ୍ଧନରେ ସମ୍ବିତ୍ ଓ ଲୋରିଆ । ଦୂରରେ ଥାଇ ଇସିତା ସବୁ ଦେଖୁଥିଲା । ସମ୍ବିତ୍ ଗଲା ଯେ, ଆଉ ଇସିତା ପାଖକୁ ଫେରିଲାନି । ଇସିତା ଠିଆ ହୋଇ ମନକୁ ମନ କହି ହେଲା- ଯାହାକୁ ପାଇଲି ଜୀବନରେ ଭଲ ବେଦନା ଦେଲା ସେ ଖାଲି, ଯାହାକୁ ଝୁରିଲି ଜୀବନ ଯାକ ମୁଁ ସିଏତ ଗଲାଣି ଭୁଲି । କିଛି ଦିନ ପରେ ଇସିତା ମଧ୍ୟ ସମ୍ବିତ୍କୁ ଝୁରି ଝୁରି ପାଗେଳୀ ହୋଇଗଲା । ଯେଉଁ ସ୍ଥାନରୁ ସମ୍ବିତ୍କୁ ନିଜ ଘରକୁ ନେଇ ଆସିଥିଲା, ସେହି ସ୍ଥାନରେ ଇସିତା ପାଗେଳୀ ହୋଇ ବସି ହସୁଛି, ବାଲି ଖେଳୁଚି, ନାଚ କରୁଚି, କାନ୍ଦୁଚି ।