Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arati Sahoo

Inspirational

3  

Arati Sahoo

Inspirational

ମୋ ମାଆ

ମୋ ମାଆ

6 mins
14.5K


ମା’ ଶବ୍ଦଟା ହିଁ କୁହୁକ ମୟ । ମା’ ଉଚ୍ଚାରଣ ମାତ୍ରକେ ଶାରୀରିକ ମାନସିକ ପୀଡାର ଉପଶମ ହୋଇ ଥାଏ । ସେଇଥି ପାଇଁ ତ ଝୁଣ୍ଟି ପଡ଼ିଲେ ବି ଆମେ ମା’କୁ ଡାକୁ, ଆଉ କିଏ ମନରେ ଦୁଃଖ ଦେଲେ ବି ଆମେ ମା’କୁ ହିଁ ମନେ ପକାଇ ଥାଉ।

ଏମିତି ତ ସମସ୍ତଙ୍କୁ ନିଜ ମା’ ସର୍ବଶ୍ରେଷ୍ଠ ଲାଗି ଥାଏ । କିନ୍ତୁ ମୋ ମାଆ କେବଳ ଜଣେ ମାଆ ଥିଲା । ନା ତାଠାରେ ଥିଲା ସାଂସାରିକ ବୁଦ୍ଧି ନା ଥିଲା କୌଣସି ଅସାଧାରଣ ପ୍ରତିଭା । ଅତ୍ୟନ୍ତ ନିଷ୍କପଟ, ଅତ୍ୟନ୍ତ ସରଳ,ଅତୀଵ ବାତ୍ସଲ୍ୟମୟୀ କେବଳ ମାଆଟିଏ, କେବଳ ତା ଛୁଆଙ୍କର । ଆଜି ମୋ ମାଆ କାଳ ଗର୍ଭରେ । କିନ୍ତୁ ଦଶ ବର୍ଷ ହେଲାଣି ତଥାପି ଆମ ଭାଇ ଭଉଣୀଙ୍କ ଶରୀର ଅସୁସ୍ଥ ହେଲେ, ଆମେ ତାର ଉପସ୍ଥିତି ଅନୁଭବ କରୁ । ଅବିଶ୍ୱସନୀୟ ହେଲେ ସୁଦ୍ଧା ତାର କରୁଣ ବାତ୍ସଲ୍ୟମୟ ସୱର ଶୁଣି ପାରୁ।

କିଛିଟା ଗାଳ୍ପିକ ଘଟଣାବଳୀକୁ ବାଦ ଦେଲେ ଏହା ମୋର ଅଙ୍ଗେ ଲିଭା କଥା।

କା କା କା,ନିରନ୍ତର ରଡି଼ ଛାଡି଼ ଚାଲିଛି କାଉଟା । କଣ ଗୋଟିଏ ସ୍ୱପ୍ନ ଦେଖୁଥିଲି କେଜାଣି, ନିଦଟା ହଠାତ ଭାଙ୍ଗିଗଲା । ଶରତ ଋତୁର ମଧୁର ସ୍ନିଗ୍ଧ ସକାଳ । ଫର୍ଚା ପଡ଼ିବାକୁ କିଛି ସମୟ ବାକି ଅଛି ଅଳ୍ପ ଅଳ୍ପ ଥଣ୍ଡା ପଡ଼ିଛି । କନ୍ଥାଟାକୁ ଟାଣି ଆଣି ଆଉ କିଛି ସମୟ ଶୋଇବାକୁ ଇଚ୍ଛା ଥିଲା । ହେଲେ ଗରମ ମୂଢି଼ର ବାସ୍ନା ଯେମିତି ନାକରେ ବାଜିଲା ମୁଁ ଧାଇଁ ଗଲି ରୋଷେଇ ଶାଳକୁ । ଅଗଣା ପାରି ହୋଇ ଗଲା ବେଳେ ତୋଫା ଆକାଶକୁ ଅନେଇଲି । ସାତ ଭାୟା ତାରା ସବୁ ଆମ୍ବଡା ଗଛ ଉପରକୁ ଆସିଲେଣି । କୁଆଁ ତାରାଟି ଦପ ଦପ୍ ଜଳୁଛି।

ମାଆ ମୂଢି଼ ଭାଜି ସାରିଥିଲା । ବର୍ତ୍ତମାନ ତାକୁ କୁଲାରେ ପାଛୁଡି଼ ଚଲାରେ ଚଲେଇ ଟିଣାରେ ପୁରେଇବ । ଟିଣାକୁ ହଲେଇ ହଲେଇ ଆଙ୍ଗୁଳି ପୁରେଇ ପୂରାପୂରି ପ୍ୟାକ କରିବ।

ସେଠାରେ ପହଞ୍ଚି ମୋର କାନ୍ଦ ଆରମ୍ଭ ହୋଇ ଗଲା । "ମୋତେ କାହିଁକି ଉଠେଇଲୁନି ମୂଢି଼ ଭାଜିବା ଆଗରୁ'।ମାଆ ଯେତେ ବୁଝେଇଲେ ମଧ୍ୟ ସେହି ଗୋଟିଏ ବାକ୍ୟ ଦୋହରାଇ ମୁଁ କାନ୍ଦି ଲାଗି ଥାଏ।

କଥା ହେଲା, ମାଆ ଯେତେ ଭୋରରୁ ଉଠେ,ତା ସହିତ ମୁଁ ମଧ୍ୟ ଉଠେ । ଧାନ ଉଁସେଇବାକୁ ହେଉ କିମ୍ବା ଅନ୍ୟାନ୍ୟ କାମ କରିବାକୁ ହେଉ ,ତା ସହିତ ମୁଁ ମଧ୍ୟ ନିଶ୍ଚିତ ଉଠେ । ତା ଆଗରେ ବସି ଥାଏ । ମୂଢି଼ ଭଜା ଦେଖିବା ମୋର ଏକ ସାପ୍ତାହିକ ମନୋରଞ୍ଜନ।

ମାଆ ବିରାଟ ଏକ ମାଟି ପଲମରେ, (ହନ୍ନା)ରାତିରେ ଧୋଇ ରଖି ଥିବା ଚାଉଳକୁ ପକାଇବ ଓ ଗୋଟିଏ କାଠ ଚଟୁରେ ଏପାଖ ସେପାଖ ଚଲାଉଥିବ ଯେ ସେଥିରୁ ଛା ଛା ଭଳି ଏକ ମଧୁର ଧ୍ୱନି ବାହାରୁଥିବ । ଲୁଣ ମିଶା ଚାଉଳ ଭଜାର ଲୋଭନୀୟ ବାସ୍ନାରେ ମହକୁ ଥିବ ଚାରିଆଡ ମଝିରେ ମଝିରେ ମାଆ ଚାଉଳକୁ ପରଖୁଥିବ ହେଲା କି ନାହିଁ । ତାପରେ ଗୋଟିଏ ହାଣ୍ଡି ଯାହାର ଗୋଟିଏ ପଟ ଦ୍ୱାର ପରି ଭଙ୍ଗା ହୋଇ ଥିବ(ଖପୁରି),ତାକୁ କାଠ ଚୁଲିରେ ବସାଇଵ।ତା ଭିତର ତତଲା ବାଲିରେ ମୁଠେ ଲେଖା ଗରମ ଚାଉଳ ପକାଇ ଗୋଛେ ବାଉଁଶ ଖଡି଼କାରେ,ଶୀଘ୍ର ଶୀଘ୍ର ଚଲାଇ ମୂଢି ଭାଜିବ,ତାହା ଏକ ବିଶେଷ କଳା । ଏହା ପ୍ରାୟ ନିପୁଣା ସ୍ତ୍ରୀ ଲୋକ ମାନେ ହିଁ କରି ପାରୁଥିଲେ । ମଲ୍ଲି କଢ଼ ଭଳି ଧଳା ଧଳା ମୂଢି ଉପରକୁ ଡେଇଁ ପଡୁଥିବେ । ତାକୁ ପୁଣି କୁଲାରେ କାଢ଼ି ପକାଇବ । ତାହା ମୋ ପାଇଁ ଏକ ଅତ୍ୟନ୍ତ ମନୋରମ ଦୃଶ୍ୟ ଥିଲା । ମୋତେ ଲାଗୁଥିଲା ଅଣପାଠୋଇ ମାଆ ମୋର ଗୋଟିଏ ମ୍ୟାଜିସିଆନ୍ । ମେଜିକ ଦ୍ଵାରା ମୂଢି ତିଆରି କରୁଛି ,ତା ଉପରେ ଭାଇମାନେ କିଏ ମଟର ମୁଠେ ତ କିଏ ବୁଟ ମୁଠେ ହଳଦୀ ଲୁଣ ଗୋଳାଇ ଭାଜିବା ପାଇଁ ବରାଦ କରିଥିବେ । କାଠ ଚୁଲିରେ ବାଇଗଣ ଟିଏ କିମ୍ବା ଆଳୁ ଦିଟା ପୋଡ଼ିବା ପାଇଁ ପକାହୋଇ ଥିବ । କେତେ କାମ ନକରୁଥିଲା ମୋ ମାଆ । ସେତେବେଳେ ମୋର ବାଲ୍ୟ ମସ୍ତିଷ୍କରେ ସୁପର୍ ୱମେନର ଭ୍ରମ ସୃଷ୍ଟି ହୋଇଥିଲା।

ପୌଷ ମାସର ଦାନ୍ତକୁ ଦାନ୍ତ ବାଜୁଥିବା କାଲୁଆ ଶୀତରେ ସେ ରାତ୍ରି ମଧ୍ୟ ପ୍ରହର ପର୍ଯ୍ୟନ୍ତ କାମ କରୁଥିଲା । ପୁଣି ବଡି଼ ଭୋରରୁ ଉଠି ପଡୁଥିଲା । ସାତଭାୟା ତାରାଙ୍କୁ ଦେଖି ସେ ସମୟ ନିରୂପଣ କରୁଥିଲା । କୂଅ ମୂଳରେ ଥିବା ଆମ୍ବଡ଼। ଗଛ ଉପରେ ସାତ ଭାୟା ତାରାଙ୍କୁ ଦେଖିଲେ ସେ ତାର ଉଠିବା ବେଳ ହେଲା ବୋଲି ଜାଣୁଥିଲା।

ଗୌଣି ଗୌଣି ଧାନ ଭିଜେଇବ,ତାକୁ ଉଁଷେଇବ,ମୂଢି ଚାଉଳ ,ଭାତ ଚାଉଳ ସବୁ ଅଲଗା ଅଲଗା । ଢିଙ୍କିରେ ଧାନ କୁଟିବ । କୁମ୍ଭାଟୁଆ ଡାକ ଦେଲେ ଉଠିପଡ଼ି ଛଡ଼ା ପାଣି ଦାଣ୍ଡରେ ବାଡ଼ିରେ ପକାଇ ଘର ଅଗଣା ସବୁ ଓଳାଇବ । ଚାଷୀ ଘର,ରୋଷେଇ, ବାସନ ମଜା,ନଈରୁ ପାଣି ଅଣା,ତା ବାଦ ଘରେ କୁଣିଆ ମଇତ୍ର,ଚାକର ମୂଲିଆ ସଦାବେଳେ ଲାଗି ରହିଥାନ୍ତି । ଚାରି ପୁଅ ଦୁଇ ଝିଅର ଫରମାଇସ୍ ପୁଣି ଅଲଗା ଅଲଗା।

ଆଜି ସେସବୁ ଭାବିଲେ ସ୍ୱପ୍ନ ପରି ଲାଗେ । ଲୋଟଣୀପାରା ପରି ଅହରହ କାମରେ ଲାଗିଥାଏ । କେତେବେଳେ ହେଲେ ବିରକ୍ତ ହେବାର ବା ଆମ ଭାଇ ଭଉଣୀଙ୍କୁ ରାଗିବାର ମୋର କାହିଁ ମନେ ପଡୁନାହିଁ । ତାର ଛୁଆ ମାନେ ହିଁ ଥିଲେ ତାର ଦୁନିଆ । ସେ ଯୁଗ ନେଇ ସାତବର୍ଷ କାଳରୁ ଶାଶୁ ଘରକୁ ଆସି ସେ ଘର ସମ୍ଭାଳି ଥିଲା । ମୋର ଅଜା କୁଆଡ଼େ ଦୁଃଖରେ ଗୀତ ଲେଖିଥିଲେ ଯେ,

"ତୁଳସୀ ଚଉଁରା ମାଟି,

ମୋ ଝିଅ ଯାଇଛି ବେଉସା ଖଟି,

ଅନ୍ତର ଯାଉଛି ଫାଟି।"

ଆମ ଭାଇ ଭଉଣୀଙ୍କ ଭିତରେ ସେ ଖୋଜୁଥିଲା ତାର ଅସ୍ତିତ୍ୱ । ଆମରି ଚତୁଃପାର୍ଶ୍ୱରେ ହିଁ ସେ ଦେଖୁଥିଲା ସମଗ୍ର ବିଶ୍ୱ ।ବହୁତ ବିରକ୍ତ ହେଲେ କିମ୍ବା ଆମେ ବହୁତ ଦହଗଞ୍ଜ କଲେ,କେବଳ 'ନିଆଁଛୁଆ ' ଶବ୍ଦଟି ତା ମୁହଁରୁ ବାହାରୁଥିଲା । ଏତେ ବଡ଼ ଘରର ଦାୟିତ୍ୱ ସେ ଏକୁଟିଆ ତୁଲାଉଥିଲା।

ବାପା ଆମର ଥିଲେ ସମୟାନୁବର୍ତ୍ତୀ,ବଦ୍ ରାଗି,ଓ ରୋକ ଠୋକ କହିବା ବାଲା ।ସବୁ ବିଷୟରେ ଅଶେଷ ଜ୍ଞାନ ପାଇଁ ଆମ ଗାଁ ଲୋକେ ତାଙ୍କୁ ଜଣେ ମାନ୍ୟଗଣ୍ୟ ଓ ପ୍ରଭାବଶାଳୀ ବ୍ୟକ୍ତି ରୂପରେ ସମ୍ମାନ ଦେବା ସଙ୍ଗେ ସଙ୍ଗେ ଭୟ ମଧ୍ୟ କରୁଥିଲେ । ତାଙ୍କ ନାଁ କହିଲେ ଗର୍ଭିଣୀ ଗାଈ ବାଟ ଛାଡୁଥିଲା । ସିଂହ ରାଶି ବିଶିଷ୍ଟ ତାଙ୍କର ସବୁ ଆଦେଶ ସବୁ ନିର୍ଦ୍ଦେଶକୁ ନୀରବରେ ପାଳୁଥିଲା ମୋ ମାଆ । ବାପା ବେଳେବେଳେ ତାକୁ ବହୁତ କଟୁକଥା ମଧ୍ୟ କହୁଥିଲେ । ସେ କିନ୍ତୁ ଓଢ଼ଣା ଆଢୁଆଳରେ ଲୁହ ଗଡାଉଥିଲା ସିନା ହେଲେ କେବେ ପ୍ରତିବାଦ କରିବାର ମୋର କାହିଁ ମନେ ନାହିଁ । ଅବୋଧ୍ୟ ମନ ମୋର କିନ୍ତୁ ବିଦ୍ରୋହୀ ହୋଇ ସେସବୁର ପ୍ରତିରୋଧ କରୁଥିଲା । ତାର କାରଣ ଆଉ କିଛି ନୁହେଁ, ମୋ ମାଆର ନିରୀହ ଆଖି ଦୁଇଟାରେ ଲୁହ ମୁଁ ଆଦୌ ସହି ପାରୁନଥିଲି।

କିନ୍ତୁ ସ୍ୱଳ୍ପ ବିଦ୍ୟା ଅଧ୍ୟୟନ ସତ୍ୱେ, ସେ ଥିଲେ ଖୁବ ଦୂରଦର୍ଶୀ । ଆଗତ ଭବିଷ୍ୟତ କଥାକୁ ଏତେ ସମ୍ୟକ ଭାବରେ ବିବେଚନା କରୁଥିଲେ ଯେ ସେକଥା ଭାବିଲେ ଭାରି ଆଶ୍ଚର୍ଯ୍ୟ ଲାଗେ । ଅନେକ ବିଡ଼ମ୍ବନାର ଉତ୍ତର ପାଇବାକୁ,ସମସ୍ୟା ମାନଙ୍କର ସମାଧାନ ଜାଣିବା ପାଇଁ ଆଜି ମୁଁ ମୋର ସ୍ୱର୍ଗତ ବାପାଙ୍କୁ ଖୋଜି ହୁଏ।

ବାଲ୍ୟକାଳରୁ ସେ ତାଙ୍କ ବାପାଙ୍କୁ ହରାଇ ନିଜ ମାଆ ତଥା ନିଜ ପରିବାରର ଭରଣ ପୋଷଣ ପାଇଁ ଅନେକ ଦୁଃଖ କଷ୍ଟ ସହିଥିଲେ । ସ୍ୱଳ୍ପ ମୂଲ୍ୟରେ କିଆ କେତକୀ ଭରା,ବନ୍ଧ ତଳିଆ,ସର୍ପ ବହୁଳ ଜମିଟିଏ ସେ କିଣିଥିଲେ । ତାକୁ ନିଜେ ସଫା କରି ଏମିତି ଉତ୍କୃଷ୍ଟ ଚାଷଜମିରେ ପରିଣତ କରି ପାରିଥିଲେ ଯେ,ଲୋକେ ତାକୁ ସୁନା ଥାଳିଆ ନାଁ ଦେଲେ । ତା ପରେ ପରେ ଘରକୁ ଧନ ଜନ ,ଗୋପ ଲକ୍ଷ୍ମୀ ମାଡ଼ି ଆସିଲେ । ଘର ସଦାବେଳେ ଆନନ୍ଦ ମୁଖର ହୋଇ ରହିଲା।

ବାପାଙ୍କର ମୃତ୍ୟୁ ପରେ ସେ ଜମି ବିକ୍ରି ହୋଇ ଗଲା । ଏବେ ସେ ଜମି କଥା ମନେ ପଡ଼ିଲେ ଛାତିରେ କୋହ ଉଠେ । କେତେ କେତେ ମଧୁର ସ୍ମୃତି ତା ସହିତ ଜଡିତ ହୋଇ ରହିଥିଲା । ଥୁରୁ ଥୁରୁ ଶୀତ ରାତିରେ କ୍ଷେତ ବଢ଼ାଇ ବା,ପାଚିଲା ଫସଲକୁ ନଜର ନଲାଗିବା ପାଇଁ କୁକୁଡ଼ା ବଳୀ,ଅକ୍ଷୟ ତୃତୀୟା ରେ ଅକ୍ଷିମୁଠି,ଇନ୍ଦ୍ରୋତ୍ସବରେ ବର୍ଷା ନ ହେବା ପାଇଁ କ୍ଷେତ ମଝିରେ ଇନ୍ଦ ଡାଙ୍ଗ ପୋତିବା ଇତ୍ୟାଦି ଇତ୍ୟାଦି । କୁଆଡ଼େ ହଜିଗଲା ସେ ସମୟ, କୁଆଡ଼େ ଉଭାନ୍ ହୋଇ ଗଲେ ସେ ଲୋକ ମାନେ।

ବାପା ମାଆ ଆମକୁ ଦୁନିଆ ଦାଣ୍ଡରେ ସକ୍ଷମ ହୋଇ ଠିଆ କରେଇବା ପାଇଁ ଅନେକ ଦୁଃଖ କଷ୍ଟ ସହିଥିଲେ।

ମୋ ବିବାହର ଅଳ୍ପ କେଇଟା ମାସ ପରେ ବାପା ମୋର ଇହଲୀଳା ସମ୍ବରଣ କଲେ।

ତାଙ୍କ ପରେ ପରେ ଆମ ପରିବାର ରେ ଉଇଁଥିଲା ହିଂସା ଦ୍ୱଷ ଓ ବିବାଦର ଧୂମକେତୁ । ଯାହା କି ପରିବାରର ସୁଖ ଶାନ୍ତିକୁ ଛାରଖାର କରି ଦେଇଥିଲା । କୋଇଲି କୁହୁ କୁହୁ କରୁଥିବା ଘରେ ଦେଖା ଗଲା ମନୋମାଳିନ୍ୟର କରାଳ ଛାୟା । ବାପା ଅନେକ ଅଚଳ ଭୂ ସମ୍ପତ୍ତି ଛାଡ଼ି ଯାଇଥିଲେ । ତାକୁ ହିଁ କେନ୍ଦ୍ର କରି କଳହର ସୂତ୍ରପାତ ହେଲା । ଆମେ ଦୁଇ ଭଉଣୀ ହେଲୁ ନୀରବ ଦ୍ରଷ୍ଟା । ଏତେ ମିଳିମିଶି ଚଳୁଥିବା ଏକ ଆରେକକୁ ଏତେ ଭଲ ପାଉଥିବା ଭାଇ ମାନେ ଯେମିତି ପରସ୍ପରର ଶତ୍ରୁ ପାଲଟି ଗଲେ । ସମୟ ଯେ ଏମିତି ପରିବର୍ତ୍ତନ ଘଟାଏ ତାହା ମୋର କଳ୍ପନା ବାହାରେ ଥିଲା । ମାଆକୁ ମଧ୍ୟ ଧୀରେ ଧୀରେ ହତାଦର ସହିବାକୁ ପଡ଼ିଲା । ଚୀର ଦୁଃଖିନୀ ମାଆ ମୋର ଏ ଭାଇ ପାଖରେ ମାସେ ସେ ଭାଇ ପାଖରେ ମାସେ ରହି ମୃତ୍ୟୁକୁ ଯେମିତି ଅପେକ୍ଷା କରି ରହିଲା । ଆମ ଦୁଇ ଭଉଣୀଙ୍କ ଆତ୍ମା ବିଳପି ଉଠୁଥିଲା ସତ ମାତ୍ର ଆମେ କିଛି କରି ପାରୁନଥିଲୁ । କିପରି ଅଦ୍ଭୁତ ଓ ଉଦ୍ଭଟ ମାନସିକତା ନା ସତରେ ଆମ ଭାରତୀୟ ମାନଙ୍କର?(ଧନ୍ୟବାଦ ଭଗବାନଙ୍କ),ଆଜି ସେ ମାନସିକତା କିଛି କିଛି ପରିବର୍ତ୍ତିତ ହେଲାଣି । ଆମେ ଦୁହେଁ ଆଜି ଭାବୁ,କେବଳ ଭାଇମାନଙ୍କର କାହିଁକି ଆମର ବି କିଛି କର୍ତ୍ତବ୍ୟ ଥିଲା ଆମ ମାଆ ପ୍ରତି । ଶାଶୁ ଘର ତ ଏକ ବାହାନା, ଏକ ମିଥ୍ୟା ଦ୍ୱାହି।

ଏତେ ଦୁଃଖରେ ମଧ୍ୟ ମୋ ମାଆର ଅନ୍ତରରୁ ତା ଛୁଆ ମାନଙ୍କ ପ୍ରତି ନିରନ୍ତର ଆଶୀର୍ବାଦ ହିଁ ଝରୁଥିଲା । ମାଆ ମାତ୍ରେ ହିଁ ତ ଏଇଆ।

ଆଜି ସେହି ମାଆର ଶବ ବାସୀ ହେବାକୁ ବସିଛି । ଅନ୍ତ୍ୟେଷ୍ଟିର ଖର୍ଚ୍ଚ କିଏ ବହନ କରିବ ଭାବି ଭାଇମାନେ ବିଭିନ୍ନ ବାହାନା ଦେଖେଇ ବିଳମ୍ବରେ ପହଞ୍ଚୁଛନ୍ତି । ଶବ ପାଖରେ ଖର୍ଚ୍ଚ ନେଇ ପରସ୍ପର ବାଦ ବିବାଦ ଲଗେଇଛନ୍ତି । ବାଃ ରେ ସନ୍ତାନ! ଦାଣ୍ଡରେ ଲୋକ ଗହଳିକୁ ବି ଖାତିର ନାହିଁ କି ଟିକିଏ ଲଜ୍ଜା ବି ନାହିଁ।

ସେହି ମାଆ ଯିଏ ଗାଁରେ ଝଡ଼ ବର୍ଷା ହେଲେ ଆତଙ୍କିତ ହେଉଥିଲା ବିଦେଶରେ ଥିବା ତାର ପିଲା ମାନେ କାଳେ କାମରୁ ଫେରି ନ ଥିବେ,କାଳେ ଭିଜି ଯାଇ ଥିବେ । ସେହି ମାଆ ଯିଏ ଭୂଇଁରେ ଖଡ଼ି ଗାର ଟାଣି ଗଣନା କରୁଥିଲା ପୁଅ ଆଜି ଗାଁ କୁ ଆସିବ ନା ନାହିଁ । ଫୋନ ତ ସର୍ବ ସୁଲଭ ନଥିଲା । ସେହି ମାଆ ଯିଏ ପିଲା ମାନଙ୍କ ପାଇଁ ମାସରେ ଆଠ ଦଶଟା ଓଷା ବ୍ରତ ପାଳୁଥିଲା । ଓଷାରେ ନିଜ ପାଇଁ କରି ଥିବା ସୁଜି ହାଲୁଆ ପିଲାଙ୍କ ଥାଳିରେ ଅଜାଡି ଦେଉଥିଲା।

ଆଜି କଣ ସନ୍ତାନ ମାନଙ୍କର କିଛି ମନେ ନାହିଁ?ଟଙ୍କା ପଇସାର ମୋହ କଣ ମଣିଷକୁ ଏତେ ନିମ୍ନ ଗାମୀ କରି ପାରେ?ମାଆ ବାପା କଣ ଏଇଥିପାଇଁ ସନ୍ତାନ ମାନଙ୍କୁ ଗଢ଼ି ଥାଆନ୍ତି?

ଆଜି ମୁଁ ମଧ୍ୟ ମୋ ନିଜକୁ ନିଜ ବିବେକକୁ ଧିକ୍କାର କରେ,ଆମକୁ ବି ତ ସେତିକି ସ୍ନେହ ଶ୍ରଦ୍ଧାରେ ସେମାନେ ପାଳି ଥିଲେ । ଏହା କଣ ଏକ ମିଥ୍ୟା ଭାବନା ଏକ ବାହାନା ନୁହେଁ ଯେ ବିବାହ ପରେ ଝିଅ ପର ହୋଇ ଯାଏ?କାହିଁ ଆମ ଦୁଇ ଭଉଣୀଙ୍କ ତୁଣ୍ଡରୁ ମଧ୍ୟ ଦାୟିତ୍ୱ ତୁଲେଇବା ପାଇଁ ଶବ୍ଦଟିଏ ମଧ୍ୟ ବାହାରିଲା ନାହିଁ । ଆମେ କେବଳ ପରସ୍ପର ମୁହଁ ଚାହାଁ ଚାହିଁ ହେଉଥିଲୁ।

ଏତିକି ବେଳେ ମୋ ସାନ ଭାଇର ଛଅ ବର୍ଷର ପୁଅ କଣ ପୁଟୁଳିଟିଏ ମାଆର ତକିଆ ତଳୁ ବାହାର କରି ଆଣିଲା । ସାତ ଗଣ୍ଠି ଦେଇ ରଖିଥିବା ସେ ପୁଟୁଳିଟିକୁ ଖୋଲିଲା ବେଳକୁ ସେଥିରୁ ବାହାରିଲା କୋଚଟ ଛୋଟିଆ ପର୍ସ ଟିଏ, ଯେଉଁଟା ମୁଁ ଆଣି ଦେଇଥିଲି ଓ ନିଜର କର୍ତ୍ତବ୍ୟ ଏତିକି ବୋଲି ଭାବିଥିଲି । ମୋର କୋହକୁ ଅଟକାଇବାର ଚେଷ୍ଟାରେ ହିକ୍କା ଉଠୁଥିଲା । ପର୍ସରେ ଥିଲା ମୋଡି ମକଚି ହୋଇ ରହିଥିବା କୋଡ଼ିଏ ଖଣ୍ଡ ପାଁଶ ଟଙ୍କିଆ ନୋଟ ଯାହାକୁ କି ସେ ଗଣି ଗଣି ମଇଳା କରି ଦେଇ ଥିଲା,କିଛି ଖୁଚୁରା ପଇସା, ଭଙ୍ଗାରୁଜା ଦିହଳ ସୁନା କାନଫୁଲ ଓ କିଛି ସୁନାର ଟୁକୁଡା । ମୁଁ ଆଉ ଆୟତ୍ତରେ ରହି ପାରିଲି ନାହିଁ । ଭୋ ଭୋ କାନ୍ଦି ମୁଣ୍ଡ ପିଟୁଥିଲି ଓ ନିଜକୁ ନିନ୍ଦୁଥିଲି।

ଏତେ ବଡ଼ ଘରର ମାଲିକାଣୀ ମାଆ ମୋର ଜୀବନର ଅନ୍ତିମ ପାହାଚରେ ନିଜ ସଂସାରକୁ ସେହି ଛୋଟ ପୁଟୁଳିଟିରେ ସୀମିତ କରି ଦେଇ ଥିଲା ଯେମିତି । ତାକୁ ସେ କେତେବେଳେ କରଛଡା କରୁନଥିଲା।

ସବୁ ସମସ୍ୟାର ସମାଧାନ ମିଳିଯାଇଥିଲା ।ସମସ୍ତଙ୍କ ମୁହଁ ଉଜ୍ଜ୍ଵଳ ଓ ଚିନ୍ତା ହୀନ ଦେଖାଗଲା।

ଭୋର ହୋଇ ଆସିଲାଣି, ଆକାଶକୁ ଅନେଇଲି,ସାତ ଭାୟା ତାର ଆମ୍ବଡ଼। ଗଛ ଉପରକୁ ଆସିଲେଣି । କୁଆଁ ତାରାଟି ମଧ୍ୟ ଜଳୁଛି ଦପ୍ ଦପ୍ ହୋଇ।

ଆରତୀ ସାହୁ(ଆଶା)


Rate this content
Log in

Similar oriya story from Inspirational