Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Amiya Bej

Others

2.5  

Amiya Bej

Others

ରଜନୀ

ରଜନୀ

8 mins
7.0K


ଆଃ! କଷ୍ଟର କଷ୍ଟ , କେଡେ କଷ୍ଟକର !! ମୋ' ଭିତରର ଉତ୍ତାଳ ସବୁ ମୋ'ତେ ବିବ୍ରତ କରାଇପକାଉଥିଲେ । ଧକ୍କାଦେଇ କହୁଥିଲେ -

- ତୁ ଯା' , ଯାଃ ସେଠାକୁ । ସେଇଠି ଅଛି ମୁକ୍ତି , ସେଇଠି ନିର୍ବାଣ , ସେଇଠି ମୋକ୍ଷ । ଯା ଯାଃ ଯା !!

ପର୍ବତ ଖୋଳିବାର ବାହୁଭର୍ତ୍ତି ସାମର୍ଥ୍ୟ ଥିଲେବି , ଦେହକଷ୍ଟ ଆଗରେ ଖୁବ୍ ଅସହାୟ ପୁରୁଷଟେ ! ଆଉ ସେଇ ଅଭାବବୋଧ ପାଇଁ , ନାରୀ ମୂଲ୍ୟବାନ । ବିନା ସାନ୍ନିଧ୍ୟରେ , ଭିତରେ ଭିତରେ କୋରି ସନ୍ତୁଳି , ଅନନ୍ୟୋପାୟ ହୋଇ ଗତାନୁଗତିକ ଧାରାରୁ ବିଚ୍ୟୁତ ହୋଇଯାଏ ପୁରୁଷ । ଏସବୁର ଜୀବନ୍ତ ଉଦାହରଣ ମୁଁ ନିଜେ । ମୁଁ ଭିଜୁଥିଲି , ନିଜକୁ ଭାଜୁଥିଲି । ସମୟ ଅନ୍ତରାଳେ ଖୁବ୍ ଦର୍କାର ପଡୁଥିଲା ମୋତେ 'ରଜନୀ' !

ଆସକ୍ତ ମଣିଷ, ତା' ଆବଶ୍ୟକତାକୁ ଖୋଜିନିଏ । ଆବଶ୍ୟକତା ମାନେ ବି ପାଖଆଖରେ ଯେମିତି ଆଢୁଆଳରେ ଥା'ନ୍ତି । ଖୋଜିବା ଆଉ ପାଇବାରେ , ଦୂରତ୍ୱ କେବେ ବାଧାଦିଏନି ।

ମୋ' ବସାଘରଠୁଁ ସେ ବଦନାମ ପଡା ଭିତରେ ଯେଉଁ ପାଦଚଲା ରାସ୍ତା , ତା'ର ଦୂରତା ବେଶିନୁହେଁ । ଖାଲି ମୁହଁ ଛୁପାଇ ଯିବାକୁ ଅନ୍ଧାର ଟିକେ ଅଧିକା ଯାହା । 'ରଜନୀ'ର ପିଛା କରିକରି ଦିନେ ମୁଁ ଏଇ ଠିକଣା ପାଇଥିଲି । ସେଦିନ ପାଖରୁ ଏୟା କହିବିଯେ' ମୁଁ ଆଉ ମୋ' ଦୁଃଖରେ ନଥିଲି । ଯେବେ କଷ୍ଟ ବାଉଳା କରେ , 'ରଜନୀ' ମୋତେ ସାହା ହୁଏ । ଯନ୍ତ୍ରଣାମୁକ୍ତ କରାଏ । ପୁଣି ମୁଁ ମଣିଷ ପାଲଟେ । ସାମାଜିକ ହୁଏ ।

★★★

ଧାଉଁଥାଏ ମୁଁ । ସଭ୍ୟରୁ ଅସଭ୍ୟ ହେବାର ରାସ୍ତାରେ । ଧିରେଧିରେ ସରୁଥିଲା ଆଲୁଅ , ବଢୁଥିଲା କଷ୍ଟ । ଉଛନ୍ନ ଆବେଗରେ ଯନ୍ତ୍ରବତ୍ ଧାଉଁଥିଲି ମୁଁ । ଯେଉଁଠି ଯାଇ ପାଦ ଅଟକିଲା , ସେ ହେଲା ରଜନୀର ଖୋଲୀ । ଏ କ'ଣ ? ତା'ର ଯେ ଆଉଜା ଦୁଆର ? ବୁଝିବାକୁ ବାକି ରହିଲାନି ଯେ' , ରଜନୀକୁ ନେଇ ଆଉକେ' ଝାଡୁଛି କଷ୍ଟସବୁ । ଲଭୁଛି ପୂଣ୍ୟଭାଗ । ଭାରି ଉଣା ହୋଇଗଲା ମୋ' ମଣିଷମନ ।

ଏରକମ ପୁଣି ନିଜକୁ ବୁଝାଇଲି , ସେ' ବାରଙ୍ଗନା , ସ୍ତ୍ରୀ ନୁହେଁ ଯେ' ଏକନିଷ୍ଠ ହେବାକୁ ବାଧ୍ୟ ହେବ । ମନକଷ୍ଟ ମୋ'ର କାହିଁକି ? ଲଥ୍ କି ବସିଗଲି ବାରଣ୍ଡାରେ । ଅନ୍ଧାର ଭିତରୁ କେ' ଗୋଟେ ଚିଲ୍ଲେଇଲା -

- ହେଃ ! ୟା'ଡେ ଆ । ସେଠେ ଭିଡ କରେନା । ନମ୍ବର ଲଗା ଆସି ।

ଲୋକଟା ଚିହ୍ନା ଥିଲା । ପଡାର ଗୁଣ୍ଡା । ଦଲାଲ୍ ।ସିଂହଭାଗ ଏମାନଙ୍କର । ପାଖକୁ ଉଠିଆସି ପଚାରିଲି -

- କେତେ ନମ୍ୱର ?

- ଆଉରି ଦି'ଲୋକ। ଯା ସେ ବିଦେଶୀ ଦୋକାନ ଆଡେ

ଟହଲ ମାରୁଥା । ସଇଲେ ଡାକିଦେବି । ସେପଟ ଖୋଲି ଖାଲି ଅଛି । ଯିବୁକି ?

- ନାଇଁ , ଏଇଠି ।

ହସିଲା ଠୋ ଠୋ କରି ଗୁଣ୍ଡା ।

- ଗୋରା ଚମ ଦେଖି , ସବୁ ଏଇଠି । ଶଃ! ଜଗିଥା ଘଣ୍ଟାଏ ।

ଘଣ୍ଟାଏ ? ବାରଭୋଗ୍ୟା ପାଇଁ ଅପେକ୍ଷା ପୁଣି ଘଣ୍ଟାଏ ?

ମୁଁ ମଦ ପିଏନି । କେମିତି କାଟିବି ଏ ଦୁର୍ଦ୍ଦଶାର ବେଳ ? ପର୍ସରେ ମାତ୍ର ପାଁଶ । ରଜନୀ ର ସର୍ବନିମ୍ନ ଦର । ଆଉ ଶହେ ଦି'ଶ ଥିଲେ , ମୂଲଚାଲ କରି ଆଗ ନମ୍ୱର ଟେ ପାଇପାରିଥାନ୍ତି । ଦୁର୍ଭାଗ୍ୟ । ଦରମାକୁ ଆଉରି ଦଶଦିନ । ଦଲାଲ୍ ମାନେ ବେଉସାରେ ଭାରି କଠୋର । ପ୍ରିୟାପ୍ରିତୀରେ ଚାଲେନି ଏଠି । ମାଂସ ବେପାରରେ ରିହାତି ନଥାଏ । ବରଂ ନିଲାମୀ ହୁଏ । ମାଂସାସୀ ଆଦୌ ପଛଘୁଞ୍ଚା ଦିଏନି । ଏଇ ରହସ୍ୟ ଜଣାଥିବାରୁ , ଏ ବ୍ୟବସାୟ କ୍ଷତିମୁହଁ ଦେଖେନି ଜମା।

ପିଚ୍ କି ପାନଛେପ ମେଞ୍ଚାଏ ପକାଇଲା ଗୁଣ୍ଡା । ମୋ'ରି ଆଡକୁ । ଘୁଞ୍ଚିଗଲି ମୁଁ ଦୂରକୁ । ଲୋକଟା ହାତରେ ଏକ ଅଶ୍ଳୀଳ ଇଙ୍ଗିତ କରି , ଅଭଦ୍ରଙ୍କ ପରି ଠୋ ଠୋ ହେଇ ହସିଲା । ଏଠାରେ କିଏ ଭଦ୍ରତା ଖୋଜେ ଯେ ? ଅପେକ୍ଷା କରିବାକୁ ହେବ ମୋତେ । ବିଳମ୍ବିତ ପ୍ରେମିକାକୁ ନୁହେଁ , ଏକ ମାମୁଲି ଦେହଜିବୀକୁ । କଷ୍ଟ ମୋ'ର କୂଳ ଲଙ୍ଘୁଥିଲା । ମନହେଉଥିଲା , ଏ ପାଳିତ ଗୁଣ୍ଡା ଦଲାଲ୍ ସମେତ ଭିତରେ ଥିବା ଆଉ ବାହାରେ ଅପେକ୍ଷାରେ ଥିବା ମଣିଷ ଗୁଡାକୁ ହତ୍ୟା କରିପକାନ୍ତି କି !!

ନିଜକୁ ନିଜେ ସମ୍ଭାଳୁଥିଲି ମୁଁ । ପଡାଯାକ ଦେହ ଜଳୁଥିବାର ପୋଡାଗନ୍ଧ । ଗନ୍ଧ ପଚାସଢା ନାଳିନର୍ଦମାର , ମଣିଷ ଦେହର , ମଦମାଂସର । କିଛି ଫରକ୍ ନଥିଲା ମୋତେ । ମୁଁ ଏଥିରେ ବେଶ୍ ଅଭ୍ୟସ୍ତ । ସହିପାରୁନଥିଲି ଅପେକ୍ଷାକୁ ଯାହା । ଲାଗୁଥିଲା ରଜନୀ ହେଉଛି ମୋ'ର ଅଧିକାର । ଅର୍ଥ ବଳରେ ତା'କୁ ହଡପ କରି , ଭୋଗୁଛି ଆଉକେହି । ଆଉ ମୁଁ ଏଠି ନିରୁପାୟ , ପୂତିଗନ୍ଧମୟ ହୋଇ ତା'ବାଟ ଚାହିଁ ରହିଛି । ମୋ' ଏ ଦୂରାବସ୍ଥା ରଜନୀ କାନରେ ପଡନ୍ତାନି ଟିକେ ? ବିଶ୍ୱାସ ଅଛି ସେ ଧାଇଁ ଆସି କୋଳେଇ ନିଅନ୍ତା ମୋତେ !

ହେଇତ ଖୋଲି ପିଣ୍ଡାର ତାରରେ ଶୁଖୁଛି ରଜନୀର ସେ ନାଲି ଚୋଲୀଘାଗରା ! ମୋ ଅତିପ୍ରିୟର ବାସ ସବୁ । ବହୁଥର ତା' ଦେହରୁ ଉତ୍ତାରିଛି , ଚଢାଇଛି ମୁଁ । ଗୁଣ୍ଡା ତା' ବେଉସାରେ ବ୍ୟସ୍ତ ଥିବା ଦେଖି ମୁଁ ଚଢିଲି ପୁଣି ପିଣ୍ଡାରେ । ଖୁବ୍ ଆଦରରେ ରଜନୀର ପିନ୍ଧା କପଡାକୁ ସାଉଁଟି , ମୁହଁ ପୋଛିଲି । ଆଃ! ରଜନୀ ! ମୋ' ରଜନୀ !!!!

ଲୋକଟା ପୁଣି ପାଟିକଲା -

- ହେଏଏ ପାଗଳଟା କିରେ ? ଆ ସେଠୁ । ଶଳା ବେମାରିଆ କେଉଠିକା ! ଯାଃ ଫେରିଯା । ୟେ' ସାଆରେ ସାତଶ' ଦେଇ ତୋ'ଆଗରେ ଯିବେ । ତୁ ପଛେଇଲୁ ।

ସତରେ ମୁଁ ଏଥର ଭୟଙ୍କର ରାଗିଗଲି । କାହାର ଅଧିକାର ଛଡେଇନେବାର ଅଧିକାରଟେ କେ'ଦେଲା ଏଗୁଡାଙ୍କୁ?

- ଶଃ! ଟଙ୍କା ବହପ ଦେଖାଉଛ ମୋତେ ? ଡାକ ରଜନୀକୁ । ସେ କହିବ କେ' ଆଗ କେ' ପଛ । ଚାଲିଛି ଧନ୍ଦା ଗୋଟେ ।

ମୋଠୁଁ ଅଧିକା ରାଗିଗଲା ଲୋକଟା। ଆତ୍ମସମ୍ମାନର କଥା ତା'ପାଇଁ । ସେ ଗୁଣ୍ଡା । ସିଧାଆସି ଧକ୍କାଟିଏ ଦେଲାମୋତେ । ତା' ଅତର୍କିତ ଆକ୍ରମଣ ପାଇଁ ମୁଁ ଅପ୍ରସ୍ତୁତ ଥିଲି । ପାଖ ନର୍ଦମାରେ ଗଳିପଡିଲି । ପଡିଲିକ'ଣ ,ପୁରା ଡୁବିଗଲି ଏକପ୍ରକାରେ । ଏଥର ଗୁଣ୍ଡା ଅନୁତାପ କଲା । ସହୃଦୟତାର ସହ ମୋତେ ହାତ ବଢାଇଲା । ତା'ରି ସାହାଯ୍ୟରେ ମୁଁ ବାହାରକୁ ଆସିଲି । ଭଙ୍ଗା ମଦବୋତଲର ଟୁକୁଡା କାଚ ଖଣ୍ଡେ ବୋଧେ ପାଦକାଟିଦେଇଥିଲା ମୋର । କିଛି ରକ୍ତ ବୋହିଗଲା । ଗୁଣ୍ଡା ବୁଝାଇଲା -

- ମନକଷ୍ଟ କରେନା । ବଇନା ଦେଇ ଚାଲିଯା । କାଲିର ପହିଲି ଭେଟି ତୋଓର । କଥାଦେଲି ।

ମାଡ଼ ଅପମାନରେ ଜର୍ଜରିତ ମୋର ଆଉ କ'ଣ ଯେ କରିବାର ଥିଲା ସେଠି । ଅଗତ୍ୟା ଫେରିଲି । ଦେହଯାକ ଆବର୍ଜନା । ରଜନୀ ମିଳୁ କି ନମିଳୁ , ପାପନେଇ ଫେରିବାକୁ ହେବା ଥୟ ଏଠି । ଭାଗ୍ୟ ଟାଏ ନ ଚାହିଁଲେ ଫୁଲଟେ ଫୁଟେନି ଗଛରେ ! ମୋର ଆଜିର ଭାଗ୍ୟ ବୋଧେ ବାମ ।

ମୋ'ସହ ଘଟିଥିବା ଘଟଣାକୁ ନେଇ ରଜନୀ ବ୍ୟସ୍ତ ହୋଇନପାରେ । ବାରଭୋଗ୍ୟାଙ୍କର ପରପାଇଁ ଦୁଃଖ କରିବାକୁ ମନଟେ ଆସିବ କୁଆଡୁ ? ତାଙ୍କର ନିଜ ଦୁଃଖ କିଛି କମ୍ ଥାଏ ଯେ' ? ଦେହକଷ୍ଟକୁ ଉପଶମ କରିବାର ଦାୟିତ୍ୱ ତା'ର । ମନକଷ୍ଟ ପାଇଁ , ସେ କାଇଁ ଦାୟୀ ହେବ ? ମନ ତାପାଇଁ ତ ପାଉଁଶଗୁଣ୍ଡ ।

ଓଃ! ରଜନୀଟାଏ ବିନା ପୁରୁଷର କି ଅକୁହା କଷ୍ଟ ସବୁ !!!!

★★★

ପହିଲି ଭେଟରେ ରଜନୀ ପଚାରିଥିଲା -

- ଭଲଲୋକ ପରି ଲାଗୁଛ ତ । ଏଠିକୁ କାହିଁକି ? ଏ ଅଭ୍ୟାସରେ ସଂସାର ଭାଙ୍ଗିଯାଏ । ଜାଣିନ ?

- ଜାଣେ ।

- ତେବେ ପୁଣି ?

- ଯା'ର ଭଙ୍ଗା ସଂସାର , ତା'ପାଇଁ ଅଡୁଆ କ'ଣ ?

- ନାହିଁ ଯଦି ଗଢିନିଅ । ଏଇଟା ବାରଲୋକଙ୍କ ଦୁଆର । ଅସନା ମାନଙ୍କର । ସଫା ମଣିଷ , ଆଲୁଅରେ ରହିଲେ ଭଲ । ଏଠି ଭୋଗ ଅଛି , କିନ୍ତୁ ରୋଗ ଅଛି । ବିକୃତ ପାଗଳ ରୋଗୀ ଦୁରାଚାରୀ ମାନଙ୍କ ସହ ବହୁମିଳିତରେ ଆମେ ବିଷାକ୍ତ । ଦେହ ବୋଲି ଯାହାସବୁ ଦୃଶ୍ୟ, ଏସବୁ ନର୍କକୁଣ୍ଡ । ପଙ୍କଭର୍ତ୍ତି ପୋଖରୀ ପରି । ପାଦ ଥୋଇଲେ ଥରେ , ଗତି ତଳକୁ ତଳକୁ । ଏଠୁ ଯାଅ , ଆସିବନି ଆଉ । ଭଲମଣିଷଙ୍କୁ ମୁଁ ସହିପାରେନି । ନିଜକୁ ବାଢି ପାରେନି । ପାପପାପ ଲାଗେ ମୋତେ । ଦେହ ବିକିବାର ଜୀବିକା ମୋର ବୋଲି ମୁଁ ଦେହଜିବୀ । ନାରୀ ଟିଏ ପାଇଁ ଏଇଟା ସହଜସାଧ୍ୟ । ଅନ୍ୟ କେଉଁଥିରେ ପୁରୁଷର ବାଦ ବିଭେଦ । ଏଇ ବେଉସାରେ ପୁରୁଷ ପାଲଟେ ପୋଷା କୁକୁର । ଲାଙ୍ଗୁଡ ଜାକି ପାଦଚାଟିବା ଯାଏଁ ବି କଥାଯାଏ । ସେଇଥିବେଳେ ନିଜକୁ ରାଣୀତୁଲ୍ୟ ବୋଧହୁଏ ଆମକୁ । ପୁରୁଷ ଠୁଁ ଢେର୍ ଉର୍ଦ୍ଧ୍ବରେ ଆମେ । ଏ ପାପପଇସା ସଂଚୁଛି ଖାଲି , ଦେହ ଝଡିଗଲେ ବଞ୍ଚିରହିବାକୁ । ମୋର ଆଗପଛରେ କେହିଗୋଟେ , ନିଆଁ ଦେବାକୁ ନାହିଁ । କେଉଁଠୁ ଆସିଲି , କେମିତି ଆସିଲି ମନେନାହିଁ । ମନେପକାଇ ଲାଭ ବି ନାହିଁ । ବେଳେବେଳେ ନିଜଲୋକଙ୍କୁ ବି ଜୀବନରେ ଭେଟେ ନାରୀ । ଭୋଗିବାର ନିଶାରେ ସେମାନେ ଅନ୍ଧହୋଇ , ଅଚିହ୍ନା ହୁଅନ୍ତି । ନାରୀଟିଏ କେବଳ ଭୋଗ୍ୟବସ୍ତୁ । ଭୋଗିବାପାଇଁ କେବଳ ପୁରୁଷ ତାକୁ ବଞ୍ଚାଇରଖେ । ପହିଲିଦିନରୁ ବେଶ୍ୟାଟିଏ ମରିସାରିଥାଏ । ସେଥିପାଇଁ ବାରଙ୍ଗନାଟେ କାହାକୁ ଲୋଡେନାହିଁ। ସେ ସ୍ୱୟଂସମ୍ପୂର୍ଣ୍ଣା ।

ଚାଲିଯାଅ ବାବୁ । ଏ ଜାଗା ତୁମପରି ମଣିଷ ମାନଙ୍କ ପାଇଁ ନୁହଁ ।

ସେଦିନ ମୁଁ ରଜନୀକୁ ଛୁଇଁ ପାରିନଥିଲି । ଭୟ ସମ୍ମାନରେ ନୁହେଁ ,ତା' ଆଖିରେ ଏତେଯାକ ଶ୍ରଦ୍ଧା ଦେଖି । ଫେରିଆସିଲି ସତ , କେଉ ଆଉ ଗଲିନିଯେ' ??? ପୁରୁଷଶ୍ରେଷ୍ଠ ସବୁବେଳେ ନାରୀର କଥାକୁ ଅଣଦେଖା ହିଁ କରେ ।

★★★

ରଜନୀ ମୋଠୁଁ କିଛି ବଡ। ପ୍ରତି ଭେଟରେ ପ୍ରାୟତଃ ସେ ମୋତେ କିଛିନାକିଛି ଶ୍ରଦ୍ଧା ଦିଏ । ତାକୁ ଛାଡି ଆଉକା' ଖୋଲୀରେ ମୁଁ ମନପୁରାଏନି । କ୍ରମେକ୍ରମେ ସେ ମୋତେ ତୁମେରୁ ତୁ ଯାଏଁ ଚାଲିଆସେ । ତୁ' ରେ ଆଦର ବହୁଗୁଣା ବଢିଯାଏ । ଦିନେ ପଚାରିଲା -

- ତୁ ଭଲପାଉ କିରେ ମୋତେ ?

ମୁଁ ମୁହଁ ପୋତିଲି । ମୋ ମୁହଁ ଟାକୁ ନେଇ ସେ ତା ଛାତି ଦୁଇଟାରେ ମାଡିଧରିଲା ।

- ଦେଖେ ଭଲକି । ବାରଙ୍ଗନାର ହୃଦୟ ନଥାଏ । ମିଛମାୟାରେ ପଡେନା । ଢେର୍ ହେଲା ।ଆସେନା ଆଉ । ସଂସାରଟେ ବାନ୍ଧେ ଯାଇ ।

- ଆସିବିନି । ଖୁସିହେବୁ ତ ?

- ନାଇଁରେ । ଦୁଃଖ ପାଇବି ଢେର୍ । ତୋତେ ଖୋଜିବି ଭାରି ।

- ଭଲପାଉ ମୋତେ ?

- କହିଲିପା ? ବାରଙ୍ଗନାର ହୃଦୟ ନଥାଏ ବୋଲି ?

କାହାକୁ ମନେପକାଇ କାନ୍ଦିବାର ଲୁହତକ , ହୃଦୟରୁ ନିଗିଡେନି । ସେସବୁ ଆତ୍ମାର ସୃଷ୍ଟି । ଆତ୍ମାରୁ ଅନବରତ ଝରୁଥାଏ !!! ତୋତେ ପ୍ରେମ କରିନପାରେ । କିନ୍ତୁ ଖୁବ୍ ନିଜର ଭାବେ ।

- ରଜନୀ ?

- ହଁ! ବାକିମାନେ ଶେଷଟଙ୍କା ଯାଏଁ ଦେହ ଝୁଣନ୍ତି । ମୋ' ମୁହଁ ରେ କଷ୍ଟ ପିଡା ଦେଖିଲେ , ନିଜ ପୁରୁଷାକାରକୁ ନେଇ ଗର୍ବ କରନ୍ତି । ପ୍ରକୃତରେ ସେମାନେ ଖାଲିହାତରେ ଫେରନ୍ତି । ତୁ ଆସୁ ମନଟିଏ ନେଇ । ଫେରିବାକୁ ମନ କରୁନି । ଅଲଗା ମଣିଷଟେ ତୁ । ବାରିହେଇପଡୁ ।

ଏତକ କହି , ରଜନୀ କୁଣ୍ଢେଇ ପକାଇଲା ମୋତେ । ମୁଁ ଲୁଗାଟା ଘୋଡିଦେଲି ତା'ଦେହରେ ଫେରିଲାବେଳେ ।

★★★

ଦିନେ ଭେଟିଲି ତା'କୁ ପାଖ ବଜାରରେ । ଦିନ ଆଲୁଅରେ । ତା'ର କିଛି ସ୍ୱତନ୍ତ୍ର ଭେକ ନଥିଲା । ଆଲୁଅରେ ସବୁ ବେଶ୍ୟା ସାଧାରଣ , ଅନ୍ଧାରରେ ସବୁ ସାଧାରଣ ବେଶ୍ୟାପରି ଲାଗନ୍ତି । ଅଚିହ୍ନା ଅଚିହ୍ନା ହେଲା ରଜନୀ ! ମୁଁ ପାଖକୁ ଲାଗି ପଚାରିଲି -

- ହେଏ ! ଜାଣିପାରୁନୁ ?

- ନାଃ! କିଏ ?

- ଚୋପ୍ !

- ପଳାଯା ଏଠୁ । ମହତ ଯିବ ତୋଓର ।

- ଯାଉ । କେଉଁ ଅଛି ଯେ ? ହେଇ ଦେଖେ ସେ ନୀଳକୋଠାର ତଳ ବଖରାରେ ମୋର ରହଣୀ । ଆସେ ସେଠାକୁ ।

କେମିତି ଗୋଟେ କଟମଟ କରି ମୋତେ ଅସନ୍ତୁଷ୍ଟ ହୋଈ ଚାହିଁଲା ରଜନୀ । ଅଧାକାମସାରି ତରତରରେ ଚାଲିଗଲା ବି । ଭାରି ବାଧିଲା ମୋତେ ।

ସେଦିନ ରାତିରେ , ତା'ପାଖକୁ ଗଲାରୁ , ଭାରି ଆଦରରେ କହିଲା -

- ତୋ' ସେ ନୀଳକୋଠାରେ ଯାଇଟିକେ ବସିଆସିବାକୁ ଭାରି ମନଟେ ହେଉଥିଲାରେ ମୋଓର !

- ଗଲୁନି ତ ?

- ନାଇଁରେ । ସଫାଯାଗା ଆମକୁ ମନା । ସେଇଟା ବେଉସାର ନିୟମ । ଆମର ଗୋଟାଏ ଠିକଣା । ପଡା ।

ତା'ର ଏସବୁ ବାଜେ କଥା ନିୟମ ସବୁରେ ମୋର ଆଉ ମନ ନଥିଲା । ଦିନବେଳୁ ତା'ମନସ୍କ ହୋଇ ମୁଁ ପାଗଳ ହୋଇସାରିଥିଲି । ରାତିହେବାରୁ ମନଟା ଦିଗୁଣା ହୋଇସାରିଥିଲା ତାକୁ ପାଖରେ ପାଇ ।

★★★

ପୂତିଗନ୍ଧମୟ, ନର୍ଦମାସିକ୍ତ ହୋଇ ଏ ଆବର୍ଜନାମୟ ଦେହଟାକୁ ଘୋଷାଡି , ରକ୍ତଭିଜା ପାଦରେ ଅପମାନର ଗରଳକୁ ବୋହିବୋହି ରାଜରାସ୍ତାରେ ଘରକୁ ଫେରିବାବେଳେ , ବେଶ୍ୟାପଡାର କୁକୁର ମାନେ ବି ସଂଘବଦ୍ଧ ହୋଇ ମୋତେ ଗୋଡାଇବାରେ ଲାଗୁଥିଲେ । ଈଛା ହେଉଥିଲା ମୁଁ ମଣିଷରୁ କୁକୁରକୁ ରୁପାନ୍ତରିତ ହୋଇଯା'ନ୍ତି କି ? ମନକହିଲା କେଉ ହେଇନୁ ଯେ'?

ମନ ,ମୋହ ଭାଙ୍ଗି ସାରିଥିଲା କେତେବେଳୁ। ଆଉକା ଭାଗରେ ମୋ' ସୁଖତକ ଏବେ । ଖାଲିଟାରେ ଝୁରୁଛି ମୁଁ ଏ ରାଜରାସ୍ତାଉପରେ ।

ମନକଷ୍ଟ ଆଗରେ ଯେ ଦେହକଷ୍ଟ କେଡେ ତୁଚ୍ଛ ! ସାମାନ୍ୟ !

ବସାରେ ପହଞ୍ଚି , ଦୁଆର ଆଉଜେଇଲା ପରେ , ନିଜକୁ ଖୁବ୍ ନିଜର ନିଜର ଲାଗିଲା ମୋତେ । ମୁଁ ଏବେ ରାଜା ମୋ ଉଆସର । କୁକୁରରୁ ପୁଣି ମଣିଷ ପାଲଟିଯିବାର ବେଳ ଏବେ ।

ଗୋଟେ ବେଶ୍ୟାକୁ ନେଇ ଏତେଯାକ ଭାବପ୍ରବଣତା ପୁଣି କ'ଣ ? ଠିକ୍ ନୁହଁ । ରଜନୀ ନିଜେକୁହେ , ହୃଦୟବିହୀନ ନାରୀ ସେମାନେ । ସେମାନଙ୍କଠାରେ ପ୍ରେମପ୍ରବଣତାର ମୂଲ୍ୟ କିଛି ନାହିଁ । ମୋ ଅପମାନରେ, ମୋ ପୀଡାରେ ମଲମ ବୋଳିବାକୁ ସେ ଧାଇଁ ଆସିବନି ଏଠାକୁ । ଦେହ ଦେଇଦାଇ କାଙ୍ଗାଳ କରିଦିଏ ପୁରୁଷକୁ ନାରୀଟିଏ । ଦାତାର ମନକଷ୍ଟ ରେ ଗ୍ରହୀତାର ଯାଏ କଣ ?

ମୁଁ କାଇଁ ମନ ଭାଙ୍ଗୁଛି ଏଠି ? ତା ' ପୁଣି ଗୋଟେ ବାରଭୋଗ୍ୟାକୁ ନେଇ ? ପଚାସଢା ଦେହଟା ଛଡା ତାଠେଇଁ ଅଛିବି କ'ଣ ଗୋଟେ ?

ତା'ରି ପାଇଁ ମୁଁ ମାଡଗାଳି ଖାଇ ଆବର୍ଜନା ହେବି ନିତି ?

ନାଃ ! ଆଉନୁହେଁ । ମୁଁ ପୁରୁଷ , କାପୁରୁଷ ନୁହେଁ । ଗୋଟେ ବାରଙ୍ଗନା, ମୋତେ ଏତେଯାକ କଷ୍ଟ ଦେଇନପାରେ । ଓହ୍ଲାଇଦେବାକୁ ହେବ ଦେହରୁ ଭୋଗିବାର ଆବରଣ । ଅସଭ୍ୟତାର ଖୋଳପା ଛଡାଇ , ମଣିଷତ୍ୱକୁ ଆବୋରି ନେବାକୁ ହେବ ଏବେମୋତେ । ଆଉନୁହେଁ , ଆଉନୁହେଁ, ଆଉନୁହେଁ ।

କେତେବେଳୁ , କେତେଚିନ୍ତାରେ , କେତେ ସଂକଳ୍ପରେ

ଶୋଇପଡିଥିଲି ମୁଁ । ଯୁଗଯୁଗର ନିଦ ମୋ ଆଖିରେ ଏବେ । କାଳକାଳର ଅଭିଶାପ ମୋ ଦେହରେ ଏବେ । ଆସକ୍ତିରେ ମଜ୍ଜି ପାରିବି , ମୁକ୍ତ ହେଇପାରିବିନି କାହିଁକି ? ସର୍ବଶେଷରେ ମୁଁ ମଣିଷଟେ ।

ଆବେଗ କେବଳ ଏକ ନିଶା । ପ୍ରେମ ନୁହଁ ।

କେତେ ଶୋଇଗଲି କେଜାଣି ? ଅବଶ ହୋଇଯାଇଥିଲା ପାପୀଦେହ ମୋର । ପାହାନ୍ତି ନିଦଟା ଭାଙ୍ଗିଗଲା କାହା ଦରଜା ବାଡେଇବା ଡାକରେ । ଆଖି ମଳିମଳି ଦୁଆର ଖୋଲନ୍ତେ , ମୁଁ ମୁହଁ ପୋଛି ଆସିଥିବା ସେଇ ନାଲି ଚୋଲିଘାଗରାରେ ଠିଆହୋଇଛି "ରଜନୀ" !!!!!!

ଅମୀୟ ବେଜ୍ , ଘଟଗାଁ , କେନ୍ଦୁଝର ■


Rate this content
Log in