Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଦୁଷ୍ଟ ଚିଲ ଓ ଚତୁର କଙ୍କଡା - ୨
ଦୁଷ୍ଟ ଚିଲ ଓ ଚତୁର କଙ୍କଡା - ୨
★★★★★

© ଓଡିଆ ଶିଶୁ ଗପ

Children

3 Minutes   7.3K    14


Content Ranking

ତାପରେ ସେ ଚିଲ ପୋଖରୀରୁ ବଡ ବଡ ରୋହି ମାଛ ଧରିଲା । ତେଣୁ ଦିନକୁ ଦିନ ରୋହିମାଛ ମାନଙ୍କ ସଂଖ୍ୟା ସେ ପୋଖରୀରୁ କମିବାକୁ ଲାଗିଲା । ଚିଲ ତ ଏଭଳି ମିଠା ରୋହିମାଛ ଆଗରୁ କେବେବି ଖାଇନଥିଲା, ତେଣୁ ମିଠା ମିଠା ରୋହିମାଛର ସ୍ୱାଦ ପାଇବା ପରେ ଚିଲ କେବଳ ସେ ରୋହିମାଛ ହିଁ ଖାଇବାକୁ ଲାଗିଲା । ତେଣୁ ରୋହିମାଛମାନଙ୍କର ମନ ଖୁବ୍ ଉଦାସ ହୋଇଗଲା । ତାଛଡା ସେମାନେ ବି ଜାଣିପାରିଲେ ଯେ, ଏ ପୋଖରୀରୁ ଚିଲ ସବୁ ରୋହିମାଛ ଖାଇ ତାଙ୍କର ବଂଶ ସମୂଳେ ଶେଷ କରିଦେବ । ତେଣୁ ସେ ରୋହିମାଛମାନେ ତାଙ୍କର ମୁଖିଆଙ୍କୁ ଏସବୁ କଥା କହିଲେ । ତାପରେ ସେ ମୁଖିଆ ରୋହିମାଛ ଏକଥା ତା’ର ସାଙ୍ଗ ରାମଲେଖନି କଙ୍କଡାକୁ କହିଲା । ସେ କଙ୍କଡା ତ ବହୁତ ବଳବାନ୍, ଚତୁର ଓ ବୁଦ୍ଧିମାନ ଥିଲା । ତେଣୁ ସେ ଏ ମୁଖିଆ ରୋହିମାଛର କଥା ସବୁ ଶୁଣି ପୋଖରୀରେ ରହିଥିବା ସମସ୍ତ ଜଳଚର ପ୍ରାଣୀମାନଙ୍କର ଏକ ସଭା ଡକାଇଲା ।

ସଭାରେ କଙ୍କଡା କହିଲା – “ଏ ବଗଟା ତ ବହୁତ ସରଳ ବିଶ୍ୱାସୀ । କିନ୍ତୁ ଦୁଷ୍ଟ ଚିଲ ତା’ର (ବଗର) ସରଳତାର ସୁଯୋଗ ନେଇ ତା’ ସହିତ ମିତ ବସିଛି । ଆସ୍ତେ ଆସ୍ତେ ଏ ଚିଲ ଏ ପୋଖରୀରୁ ସବୁ ମାଛ ଖାଇବାରେ ଲାଗିଛି । ଆଉ କେତେ ଦିନ ପରେ ରୋହିବଂଶ ଶେଷ କରିଦେବ ସେ ଚିଲ । ସେ ଦୁଷ୍ଟ ଚିଲ ତା କାର୍ଯ୍ୟରେ ସଫଳ ହେବା ପୂର୍ବରୁ ତାକୁ ଉଚିତ୍ ଶିକ୍ଷା ଦେବାକୁ ହିଁ ପଡିବ । ତହୁଁ ସବୁ ଜଳଚର ପ୍ରାଣୀ କହିଲେ କ’ଣ କରିବାକୁ ହେବ ଆମ୍ଭମାନଙ୍କୁ ଖାଲି କୁହନ୍ତୁ ଆମ୍ଭେମାନେ ତାହା ହିଁ କରିବୁ । ଏକଥା ଶୁଣି ସେ କଙ୍କଡା କହିଲା – “କୌଣସି ମାଛ ଆଉ ପୋଖରୀ କୂଳକୁ ମୋଟେ ବି ଯିବେ ନାହିଁ ।” ଫଳରେ ସେ ବଗ ଆଉ କେବେବି ମାଛ ଖାଇପାରିବ ନାହିଁ । ଭୋକରେ ଆଉଟୁ ପାଉଟୁ ହେଲେ ଖାଇବା ପାଇଁ ବଗ ଶେଷରେ ଚିଲ ଉପରେ ହିଁ ନିର୍ଭର କରିବ । ତା’ପରେ ଦେଖିବା ମଜା ।

ତା’ପର ଦିନ ସକାଳୁ ବଗ ସେ ପୋଖରୀ କୂଳେ କୂଳେ ଜଗି ବସିଲା । ହେଲେ ଗୋଟିଏ ହେଲେ ବି ମାଛ ଖାଇବାକୁ ପାଇଲା ନାହିଁ ସେ ବଗ । ବଗ ଯେମିତି ସେ ପୋଖରୀ ଭିତରକୁ ପଶିଛି ସବୁ ମାଛ ପଦ୍ମ ପତ୍ର ତଳେ ଲୁଚିଗଲେ । ଏହି ମଉକାରେ କଙ୍କଡା ବଗର ବେକକୁ କାମୁଡି ଧରିଲା । ତାପରେ କଙ୍କଡା ସେ ବଗକୁ ପାଣି ଭିତରକୁ ଟାଣି ନେଇ ତା ଗୋଡରେ ବଗର ବେକକୁ ଚିପି ଧରିଲା । ଫଳସ୍ୱରୂପ କିଛି ସମୟପରେ ବଗର ମୃତ୍ୟୁ ହୋଇଗଲା । ଏହିପରି ସେ ବଗ ତା’ କଲା କର୍ମର ଫଳ ପାଇଲା । ଏହା ପରେ ଆସିଲା ଚିଲର ପାଳି ।

ଦୁଷ୍ଟ ଚିଲ ବଗର ମରିଯିବା ପରେ ଅତ୍ୟନ୍ତ ଖୁସି ହୋଇଗଲା । ମନେ ମନେ ଭାବିଲା ତା ବାଟର ଗୋଟେ କଂଟା ଗଲା । ଏଥର ସେ ଚିଲ ତା’ ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ବି ଆଣି ପାଖରେ ରଖିବ । ତାପରେ ସେ ଚିଲ ପରିବାର ଏହି ପୋଖରୀର ମାଛ ଖାଇ ଓ ପୋଖରୀର ମିଠା ପାଣି ପିଇ ଅତିଶୟ ଖୁସିରେ ଦିନ କଟାଇବେ । ଏହାପରେ ଦୁଷ୍ଟ ଚିଲର ପରିବାର ସେ ପୋଖରୀ ମଧ୍ୟକୁ ଗଲେ । କଙ୍କଡା ତ ଏହି ମଉକାରେ ଥିଲା । ତେଣୁ ସେ ଜୋକମାନଙ୍କୁ କହିଲା – ଚିଲମାନେ ଯେତେବେଳେ ପାଣି ଭିତରେ ପଶି ମାଛ ଖାଇବେ ସେତିକିବେଳେ ତୁମେ ମାନେ ଶହ ଶହ ସଂଖ୍ୟାରେ ସେମାନଙ୍କ ଦେହରେ ଲାଗିଯିବ । ଏମିତିକି ସେମାନଙ୍କ ଦେହରୁ ସବୁତକ ରକ୍ତ ଶୋଷି ଦେବ । କାହିଁକିନା ଚିଲ ମାନଙ୍କ ଦେହରୁ ରକ୍ତ କମିଗଲେ ସେମାନଙ୍କର ବଳ ଓ ଶକ୍ତି ବି କମିଯିବ । ସେଇ ମଉକାରେ ଆମ୍ଭେ କଙ୍କଡାମାନେ ସମସ୍ତେ ମିଶି ସେ ଚିଲମାନଙ୍କୁ କାମୁଡିବା ଆରମ୍ଭ କରିବୁ । ତାପରେ ଶିଙ୍ଗି ମାଛ, କଂଟିଆ ଭଳି ମାଛମାନେ ସେମାନଙ୍କୁ ବିନ୍ଧିବେ । କାମୁଡା ବିନ୍ଧାରେ ସେ ଚିଲମାନଙ୍କର ଅବସ୍ଥା ପୁରାପୁରି ଖରାପ୍ ହୋଇଯିବ ।

ଚତୁର ରାମଲେଖନି କଙ୍କଡା ଯାହା ଯାହା ଆଦେଶ ଦେଇଥିଲା ଜୋକ ମାନେ ବି ଠିକ୍ ସେଇଆ କଲେ । ସବୁ ଜୋକମାନେ ଚିଲ ପରିବାରର ସମସ୍ତ ସଦସ୍ୟଙ୍କର ଖାଲି ରକ୍ତ ଶୋଷିବାକୁ ଲାଗିଲେ । ପରେ ପରେ କଙ୍କଡା ମାନେ ମଧ୍ୟ ଚିଲମାନଙ୍କୁ କାମୁଡିବା ଆରମ୍ଭ କରିଦେଲେ । ଏହା ପରେ ସିଙ୍ଗି ମାଛ ଓ କଂଟିଆ ଭଳି ମାଛମାନେ ସେ ଚିଲମାନଙ୍କୁ ବିନ୍ଧିବାକୁ ଲାଗିଲେ । ଫଳତଃ ଯନ୍ତ୍ରଣା କଷ୍ଟ ସହି ନ ପାରି ଅନେକ ଚିଲ ମରିଗଲେ । ବାକି ଚିଲ ସେ ପୋଖରୀରୁ ବାହାରି ବରଗଛକୁ ଫେରିଗଲେ ।

ଏଥର ସେ ଦୁଷ୍ଟ ଚିଲ କରିଥିବା ବିଶ୍ୱାସ ଘାତକତା ଓ ଲୋଭ ପାଇଁ ଉଚିତ୍ ଦଣ୍ଡ ପାଇଲା । ସେହି ଦିନ ଠାରୁ ସେ ଦୁଷ୍ଟ ଚିଲ ଆଉ ଭୁଲ୍ରେ ବି ସେ ପଦ୍ମ ପୋଖରୀରେ ପଶିବାକୁ ମୋଟେ ସାହସ କଲାନାହିଁ । ଯନ୍ତ୍ରଣା କଷ୍ଟ ଓ ଖାଇବାକୁ ନ ପାଇ ଶେଷରେ ସେ ଦୁଷ୍ଟ ଚିଲ ଦିନ ଦୁଇଟାରେ ମରିଗଲା । ସେହି ଦିନଠାରୁ ସମସ୍ତ ମାଛ ପରିବାର ଖୁବ୍ ଶାନ୍ତିରେ ପୋଖରୀରେ ରହିଲେ । କିଛି ଦିନ ପରେ ପୁଣି ରୋହି ବଂଶ ବଢିଗଲା । ତାପରେ ସମସ୍ତେ ସେ ଚତୁର କଙ୍କଡାକୁ ଧନ୍ୟବାଦ ଦେଲେ । ମୁଖିଆ ରୋହିମାଛ ବି ସେ ଚତୁର କଙ୍କଡାକୁ ତା’ର ବୁଦ୍ଧି ପାଇଁ ବହୁତ ପ୍ରଶଂସା କଲା । ପରିଶେଷରେ ସମସ୍ତେ ମିଳିମିଶି ଅତ୍ୟନ୍ତ ଆନନ୍ଦରେ ଦିନ କଟାଇଲେ ।

ଚିଲ କଙ୍କଡା ରୋହିମାଛ

Rate the content


Originality
Flow
Language
Cover design

Comments

Post

Some text some message..