Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଚମ୍ପିନାନୀଙ୍କ ଚଢେଇବସା
ଚମ୍ପିନାନୀଙ୍କ ଚଢେଇବସା
★★★★★

© Lopamudra Mishra

Inspirational Others Tragedy

12 Minutes   14.4K    12


Content Ranking

ଚମ୍ପିନାନୀ ବାଲ୍ୟ ବିଧବା l ଆଜିକୁ ବହୁ ବର୍ଷ ତଳେ ସେ ନିଜ ଶୈଶବରେ ମାତ୍ର ଆଠବର୍ଷ ବୟସରେ ବାପର କୋଳରେ ବସି ବାହା ହେଇଥିଲେ l କିନ୍ତୁ ବାହାଘରକୁ ଦୁଇବର୍ଷ ବି ପୁରିଲାନାହିଁ l ଶାଶୁଘରକୁ ଭାର ନେଇଯିବା ପୂର୍ବରୁ, କେବଳ ବାର ବର୍ଷ ବୟସ ତାଙ୍କ ମଥାରେ ସିନ୍ଦୁର ଭଲ କି ନଲାଗୁଣୁ ପୋଛିହୋଇଗଲା l ସେହି ଦିନୁ ସେ ରହିଗଲେ ବାପଘରେ l ସେହି ଯାହା ବାହାଘର ପରେ ପରେ ଆଠ ଦିନ କାଳ ପିଲା କନିଆଁ ହୋଇ ଶାଶୁଘରେ ବିବାହିତ ଜୀବନ ଜିଇଁଛନ୍ତି l ସେତକ ଦିନର ସାଧବାପଣ ଦାୟରେ ଚିରଦିନ ଗୋଟେ ରଙ୍ଗହୀନ ସଫେଦ ଜୀବନ ବଞ୍ଚିଆସୁଛନ୍ତି l

ଚମ୍ପିନାନୀଙ୍କ ଦେହର ରଙ୍ଗଟି ଠିକ ଚମ୍ପାଫୁଲର ରଙ୍ଗ ପରି ସୁନ୍ଦର ଓ ଉଜ୍ଜ୍ଵଳ l ବାପା ମାଆ ନାଁ ଦେଇଥିଲେ ଚମ୍ପା ରାଣୀ ପଣ୍ଡା l ଖୁବ ଖାନଦାନୀ ଘର ଦେଖି ମଧ୍ୟ ତାଙ୍କୁ ବାହା ଦେଇଥିଲେ l ହିନିକପାଳୀର ଭାଗ୍ୟରେ ତ କେବଳ ଖାଲି ପଣ ଲେଖାଅଛି, ସେ ଵା ସୁଖୀ ହେଇପାରିବେ କେମିତି ?ସ୍ଵାମୀଙ୍କ ମୃତ୍ୟୁ ପରେ ମଧ୍ୟ ଶାଶୁ ଅନେକ ଡାକିଛନ୍ତି ଶାଶୁଘରକୁ ଫେରିଯିବାକୁ l ସେ କିନ୍ତୁ ଗୋଟେ ଅପରାଧ ବୋଧରେ ସେଠିକୁ ଯାଇପାରିନାହାଁନ୍ତି l ଶାଶୁଙ୍କ ଜ୍ୟେଷ୍ଠ ପୁତ୍ରର ମୃତ୍ୟୁ ପାଇଁ ନିଜକୁ ଦାୟୀ କରି, ତାଙ୍କୁ ଆଉ ଅଲକ୍ଷଣା ମୁହଁଟା ନଦେଖେଇବାକୁ ଠିକ କରି ବାପ ଘର ଓଳିରେ ପଡ଼ି ରହିଛନ୍ତି l

ଚମ୍ପିନାନୀ ଭାଇ ଭଉଣୀ ମାନଙ୍କ ଭିତରେ ସବୁଠୁ ବଡ l ସେ ଯେତେବେଳେ ନିଜ ଶୈଶବର ଚପଳତା , କୈଶୋର ର ଭାବପ୍ରବଣତା ଓ ଯୌବନ ର ଅଦ୍ଭୁତ ଉଦ୍ଧାମତାକୁ ସଫେଦ ଧଳା ଶାଢ଼ୀରେ ଢାଙ୍କି ଢୁଙ୍କି ଶ୍ୱାସରୁଦ୍ଧ କରିପକାଉଥିଲେ , ତାଙ୍କର ଛୋଟ ଛୋଟ ଭଉଣୀ ଓ ଏକ ମାତ୍ର ଭାଇ ସମସ୍ତେ ଗୋଟି ଗୋଟି କରି ବାହା ହୋଇ ନିଜ ନିଜର ସୁଖୀ ସଂସାର ବସାଉଥିଲେ l ସେ ସଭିଙ୍କ ବାହାହେବାର ଦୃଶ୍ୟକୁ ଲୁଚି ଛପି ମୁହଁ ଢାଙ୍କି ଦେଖୁଥିଲେ , କାଳେ ତାଙ୍କର ଅଲକ୍ଷଣା ଅଶୁଭ ଦୃଷ୍ଟିଟା ନବଦମ୍ପତିଙ୍କ ଉପରେ ପଡି ସେମାନଙ୍କ ବୈବାହିକ ଜୀବନକୁ ଛାରଖାର କରିଦେବ l

ବାପଘରେ ବାପାଙ୍କ ସମେତ ସଭିଙ୍କ ବିମୁଖତାକୁ ମୁଣ୍ଡ ପାତି ସହିଯାଉଥିଲେ l ଖାଲି ଯେ ତାଙ୍କର ପୋଷାକ ରଙ୍ଗ ହୀନ ହୋଇଯାଇଥିଲା ସେତିକି ନୁହେଁ, ମନରୁ ସରସତା ଲିଭି ଧୂଆଁ ହୋଇ ଉଡିଯାଇଥିଲା l ସମସ୍ତ ସ୍ଵାଦିଷ୍ଟ ଖାଦ୍ୟକୁ ତାଙ୍କଠୁ ଦୁରେଇ ନିଆଯାଇଥିଲା l ତେଲ, ଅତର,ଗହଣା ଏମିତିକି ଚପଲ ହଳେରୁ ବି ସେ ଥିଲେ ବଞ୍ଚିତl l ଗୋଟେ ପଶୁ ଠୁ ବି ହୀନ ଥିଲା ତାଙ୍କ ଜୀବନ ଶୈଳୀ l

ତାଙ୍କୁ ଯେତେବେଳେ ତେର ବର୍ଷ ବୟସ, ତାଙ୍କ ତଳ ଭଉଣୀ ମାଧବୀର ବାହାଘର l କେତେ ରକମ ସୁନା ଗହଣା ସହ ନୂଆ ନାଲି ଶାଢ଼ୀ ପିନ୍ଧି ଓ ତେଲ, ହଳଦୀ, ସ୍ନୋ, ପାଉଡର ମାଖି ସଜ ବାଜ ହୋଇ ମାଧବୀ ସାକ୍ଷାତ ଦେବୀ ପ୍ରତିମା ପରି ଦେଖାଯାଉଥିଲା l ଚମ୍ପିନାନୀ ମାଧବୀକୁ ଟିକେ ପାଖରୁ ଦେଖିବାକୁ ଯାଉଛନ୍ତି , ମାଆ ତାଙ୍କର ତାକୁ ଟାଣି ଟାଣି ନେଇ ଗୋଟେ କୋଠରୀରେ ବନ୍ଦ କରିଦେଲେ l ସେହି ବନ୍ଦ କୋଠରୀ ଭିତରକୁ ବାଜା ରୋଷଣୀର ସୁମଧୁର ଧ୍ଵନି ଭାସି ଆସି ତାଙ୍କରି କାନରେ ଗୁଞ୍ଜରିତ ହେଉଥିଲା ଓ ରହି ରହି ଟିକି ମନଟି ତାଙ୍କର ତାଳ ଦେଇ ବିଳପି ଉଠୁଥିଲା l ସେବେଠୁ ଘରେ କେବେ କାହାର ବାହାଘର ହେଲେ ସେ ନିଜକୁ ବନ୍ଦ କୋଠରୀ ଭିତରେ ବନ୍ଦୀ କରି ରଖୁଥିଲେ l ସଭିଏଁ ବାହାଘର ଭୋଜିର ସ୍ଵାଦିଷ୍ଟ ବ୍ୟଞ୍ଜନ ଖାଇ ହାକୁଟି ମାରୁଥିଲା ବେଳେ, ମାଆ ତାଙ୍କର ଗୋଟିଏ ଥାଳିରେ ଶୁଖିଲା ଭାତ ଓ ବିନା ରସୁଣ ପିଆଜରେ ରନ୍ଧା ହୋଇଥିବା ଅଳ୍ପ ଟିକେ ଡାଲି ତରକାରୀ ଆଣି ତାଙ୍କ ପାଖେ ରଖିଦେଉଥିଲେ l

ଭାଇ ବାହା ହୋଇ ଯେବେ ଭାଉଜ ଆସିଲା, ସବୁଠୁ ବେଶି ଖୁସି ହୋଇଥିଲେ ଚମ୍ପିନାନୀ l ସାନ ଭାଉଜଟିକୁ ଖୁବ ଶ୍ରଦ୍ଧା କରନ୍ତି ସେ l ଭାଉଜଙ୍କ ସୁନ୍ଦର ବୋହୂ ବେଶ ଦେଖିଲେ ନିଜ ମନରେ କେମିତି ଗୋଟେ ଅଦ୍ଭୁତ ଉଦବେଳନ ଖେଳିଯାଏ ତାଙ୍କର l ନିଜକୁ ସେ ସେହି ବେଶରେ କଳ୍ପନା କରି ଚମକି ପଡନ୍ତି l ଦିନେ ଭାଉଜଙ୍କର ଅନୁପସ୍ଥିତିରେ ତାଙ୍କ ହଳଦୀ ଗିନାରୁ ଟିପିଏ ହଳଦୀ ନେଇ ମୁହଁରେ ଲଗାଇ ଦେଲେ l ଭାଉଜଙ୍କ କଜଳ ଟିକେ ଆଣି ଡରି ଡରି ଆଇନା ଆଗରେ ଠିଆ ହୋଇ ଦୁଇଆଖିରେ ଦୁଇଟି ସରୁ ସରୁ ଗାର ଟାଣିଦେଲେ l ନିରିଖେଇ ଟିକେ ନିଜକୁ ଭଲ କରି ଦେଖୁଥିଲା ବେଳେ ଭାଉଜ ଆସି ପହଞ୍ଚିଗଲେ l ଓହଃ.. କି ଲଜ୍ୟା !!ଭାଉଜ କ୍ରୋଧିତ ଦୃଷ୍ଟିରେ ହାଣି ପକେଇଲେ ଚମ୍ପିନାନୀଙ୍କୁ l ପରୋକ୍ଷରେ ଖୁବ କଟୁ କଥା କହି ତାଙ୍କୁ ଗଭୀର ଆଘାତ ପହଞ୍ଚେଇଲେ l କଥା ଖାଲି ସେତିକିରେ ରହିଲାନାହିଁ ସାହି ପଡିଶାରେ ବି ଲଜ୍ଜାକର ପ୍ରସଙ୍ଗଟି ପ୍ରଘଟିତ ହେଇଗଲା l ହା ରେ ବିଧାତା ! କି ପ୍ରକାର ନିୟମ ଇଏ? ସ୍ୱାମୀ ହରେଇଥିବା ନାରୀଟି ପାଇଁ ଆମ ସମାଜ କାହିଁକି ଏତେ ଅସମ୍ବେଦନଶୀଳ?? ହଳଦୀ କଜ୍ଜ୍ୱଳ ଉପରେ ଯେମିତି କେବଳ ସଧବାଙ୍କର ହିଁ ଏକଚାଟିଆ ଅଧିକାର ! !

ସଧବାପଣକୁ କେବେ ଅନୁଭବ କରିନଥିବା ଯୁବତୀଟି ପାଇଁ କେଡେ କଠୋର ଓ ନିର୍ଦୟ ନଥିଲା ସତରେ ସେବେର ସେହି ସମାଜ ବ୍ୟବସ୍ଥାଟି !!

ସମୟ ଆଗକୁ ବଢିବା ସହ ଚମ୍ପିନାନୀ ଯୁବତୀ ବିଧବାରୁ ପ୍ରୌଢା ବିଧବାକୁ ରୂପାନ୍ତରିତ ହୋଇଗଲେ l ଭାଇର ପୁଅ ଝିଅ ମାନେ ବଡ ହୋଇଗଲେ l ତିନୋଟି ଯାକ ଝିଅ ପଢାପଢି କରି ବାହାସାହା ହୋଇ ଶାଶୂଘରକୁ ଚାଲିଗଲେଣି l ଗୋଟିଏ ବୋଲି ପୁତୁରା 'ମଣ୍ଟୁ' ଚମ୍ପିନାନୀଙ୍କ ନୟନ ପିତୁଳା l ସେ ଚମ୍ପିନାନୀଙ୍କୁ ପିଉସୀ ନାନୀ ନଡାକି 'ଚମ୍ପିମାଆ ' ଡାକେ l ମଣ୍ଟୁର ବାହାଘର ବୟସ ଆସି ଉପନୀତ ହେଲା l ମଣ୍ଟୁ ବାହାଘରରେ ତାର ପ୍ରିୟ ଚମ୍ପିମାଆ କିନ୍ତୁ ଉପସ୍ଥିତ ରହିପାରିଲେ ନାହିଁ l ଜମିବାଡ଼ି ସମ୍ପର୍କିତ କିଛି କାଗଜ ପତ୍ରରେ ଚମ୍ପିନାନୀଙ୍କ ଦସ୍ତଖସ୍ତର ଆବଶ୍ୟକତା ପଡିବାରୁ ଅନେକ ଦିନ ପରେ ନିଜ ଶାଶୁଘର ଗାଁକୁ ସେ ଚାଲିଯାଇଥିଲେ l

ଶାଶୁଘର ଗାଁରୁ ଫେରି ଚମ୍ପିନାନୀ ନୂଆବୋହୂଟିକୁ ମନପୁରାଇ ଦେଖିଲେ ଓ ବହୁଦିନୁ ସାଇତି ରଖିଥିବା ତାଙ୍କ ଗହଣା ତକ କାଢି ପୁତୁରାବୋହୂକୁ ଭେଟି ଦେଲେ l ସେ ସିନା ଅଶୁଭ ଅଲକ୍ଷଣୀ, ଗହଣାର କିନ୍ତୁ କି ଦୋଷ? ଗହଣା ତ ସବୁବେଳେ ଶୁଭ ହୋଇଥାଏ, ଯଦି ସେସବୁ ପୁଣି ସୁନା ରୁପା କିମ୍ବା ଅଲଗା କୋଉ ମୂଲ୍ୟବାନ ଧାତୁ ପଥରରେ ଗଢ଼ା ହୋଇଥାନ୍ତି l

ଭାଉ ଭାଉଜ ଏବେ ଚମ୍ପିନାନୀ ପରି ବାର୍ଦ୍ଧକ୍ୟରେ ଉପନୀତ l ପୁତୁରା ଓ ପୁତୁରା ବୋହୂଙ୍କ ନିର୍ଦେଶରେ ଘର ଚଳୁଥାଏ l ପୁତୁରା ମଣ୍ଟୁ ଓ ତା ସ୍ତ୍ରୀ ମନୀଷା ଉଭୟ ଉଚ୍ଚ ଶିକ୍ଷିତ l ପୁତୁରା ଇଲେକ୍ଟ୍ରିକାଲ ଜେ.ଇ ଓ ବୋହୂ ମନୀଷା ସ୍କୁଲ ଶିକ୍ଷୟିତ୍ରୀ l ଚମ୍ପିନାନୀ ଅନେକ ସମୟରେ ଭାବନ୍ତି ସମୟ କେତେ ପରିବର୍ତ୍ତନ ହୋଇଯାଇଛି l ଆଜିକାଲି ଝିଅମାନେ ପାଠ ପଢ଼ି ନିଜ ଗୋଡ଼ରେ ଠିଆ ହୋଇପାରୁଛନ୍ତି l କାହାରି ଉପରେ ନିର୍ଭର କରିବାକୁ ପଡୁନାହିଁ l ବିନା ଦୋଷରେ ଆଉ କୋଉ ନିରୀହ ବାଳିକା ବାଲ୍ୟବିଧବାର କଳଙ୍କ ବୋହି ଜଳି ଜଳି ଜୀବନ କଟାଉନାହିଁ l ଦୁନିଆଁ ବହୁତ ଆଗେଇଛି l ବହୁତ... ତା ସହ ତାଳ ଦେଇ ଝିଅମାନେ ବି ଆଗଉଛନ୍ତି l ନାରୀ ଆଉ ନିର୍ଯାତିତା ନୁହେଁ l ସେ ଏବେ ଆତ୍ମନିର୍ଭରଶୀଳା l

ପରିବର୍ତ୍ତିତ ସମୟକୁ ସମ୍ମାନ କରନ୍ତି ଚମ୍ପିନାନୀ l ଖୁବ ଖୁସି ମଧ୍ୟ ହୁଅନ୍ତି l

ମଣ୍ଟୁ ଓ ମନୀଷାଙ୍କ ଜୀବନରେ ଏ ଭିତରେ ଦୁଇ ଦୁଇଟି ଗୁଲୁଗୁଲିଆ କନ୍ୟାରତ୍ନ ଆସି ସାରିଲେଣି l ସୋନା ଛଅ ବର୍ଷର ଓ ମୋନା ତିନି ବର୍ଷର l ଘରେ ନୂଆ ସଦସ୍ୟଙ୍କ ଗୁରୁତ୍ୱ ବଢୁଛି l ପୁରୁଣା ସଦସ୍ୟଙ୍କ ବୋଝ ବି ଗୃହ କର୍ତ୍ତା ଓ କର୍ତ୍ତୀଙ୍କୁ ଭାରାକ୍ରାନ୍ତ କରୁଛି l ଚମ୍ପିନାନୀଙ୍କ ପରି ଏକ ଅଯଥା ଅନାବଶ୍ୟକ ସଦସ୍ୟାଙ୍କୁ ମନୀଷା ଆଉ ଏତେଟା ସହ୍ୟ କରିପାରୁନାହାଁନ୍ତି l ମଣ୍ଟୁ ମଧ୍ୟ ଏବେ ଘରେ ଚମ୍ପିମାଆର ଉପସ୍ଥିତିଟାକୁ ବେଶି ପସନ୍ଦ କରନ୍ତି ନାହିଁ l ଚମ୍ପିନାନୀ ସବୁ ବୁଝିପାରନ୍ତି l କିନ୍ତୁ ସେ ବା ଆଉ ଯିବେ କୁଆଡେ? ଏ ସାରା ସଂସାରଟାରେ ବିରାଟ ଗୋଟେ ଖାଲିପଣ ବ୍ୟତୀତ ଆଉ ତାଙ୍କର ନିଜର ହୋଇ ଅଛି କିଏ? ଯାହାଙ୍କୁ ସେ ନିଜର ମାନି ପଡ଼ିରହିଛନ୍ତି , ସେହିମାନେ ହିଁ ତ ବର୍ଜ୍ୟବସ୍ତୁ ମନେକରି ଆଡେଇଦେଉଛନ୍ତି l

ମନୀଷା ତୃତୀୟ ଥର ପାଇଁ ମାତୃତ୍ୱ ଲାଭ କରିବାକୁ ଯାଉଥିଲେ l ଭାଉଜଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ହେତୁ ସେ ବୋହୂର ଭଲ ମନ୍ଦ ଆଉ ବୁଝିବାକୁ ସକ୍ଷମ ହେଲେନାହିଁ l ଚମ୍ପିନାନୀ ନିଜ ବାର୍ଦ୍ଧକ୍ୟର ସମସ୍ତ କଷ୍ଟପଣ ସତ୍ୱେ ମଧ୍ୟ ଘରର ଯାବତୀୟ କାମ ସହ ମନୀଷା ଓ ପିଲାମାନଙ୍କର ସଠିକ ଦେଖାରଖା କଲେ l ଠିକ ସମୟରେ ମନୀଷାଙ୍କ ତୃତୀୟ କନ୍ୟା ସନ୍ତାନ ଦୁନିଆଁର ଆଲୋକ ଦେଖିଲା l କିନ୍ତୁ ଏ କଣ? ଚମ୍ପିନାନୀଙ୍କ ବ୍ୟତୀତ ସଭିଙ୍କ ମନ ଏକଦମ ଭାଙ୍ଗି ଚୁରମାର ହେଇଯାଇଛି l ଯେମିତି କୁନି ଝିଅଟି ଜନ୍ମ ହୋଇ ବହୁତ ବଡ଼ ଭୁଲଟାଏ କରିପକାଇଛି l ମନୀଷାଙ୍କ ମାଆ ମନୀଷାଙ୍କୁ ଧୀରେ ଧୀରେ କଣ କହୁଥିବାର ଶୁଣିଲେ ଚମ୍ପିନାନୀ l

"ସେ ଅଲକ୍ଷଣୀ ବିଧବା ଟାର ତୁମ ଉପରେ ଆଖି ଥିବା ଯାଏଁ ତୁମର କିଛି ଶୁଭ ହେବ ନାହିଁ ମୁଁ କହିଦେଉଛି ମାନୁ l ତାକୁ କୋଉ ବୃଦ୍ଧାଶ୍ରମକୁ ପଠେଇ ଦିଅ ନହେଲେ ତା ଶାଶୁଘରେ ନେଇ ତାକୁ ଛାଡିଦିଅ l ଶେଷ ବେଳଟା ଅତ୍ୟନ୍ତ ସେ ଆଉ କୋଉଠି ବିତାଉ l ତୁମ ପାଖରେ ରହିଲେ ବଡ ଅସୁବିଧା କରେଇବ ଜାଣିଥା l "

ଏତକ ଶୁଣୁ ଶୁଣୁ ଚମ୍ପିନାନୀଙ୍କର ଛାତିଟା କୋରି ହୋଇ, ଛିଡି ଖଣ୍ଡ ଖଣ୍ଡ ହୋଇଗଲା ପରି ଭୀଷଣ ଗୋଟେ ଯନ୍ତ୍ରଣା ଅନୁଭବ ହେଲା ତାଙ୍କୁ l ସେ ଭାବୁଥିଲେ , "ଆଜି ବି କିଛି ବଦଳିନି ନାହିଁ ନାଁ କଣ? ଝିଅଟିଏ ଜନ୍ମ ହେଲାରୁ ଏତେ ଅସନ୍ତୁଷ୍ଟ ଏମାନେ !"

ଚମ୍ପିନାନୀ ଏବେ ଆଉ ବେଶି ଘରକାମ କରି ପାରୁନଥିଲେ l ତାଙ୍କର ଚାଲିଚଳଣ, ହାବଭାବ, ଖାଦ୍ୟପେୟ, ପୋଷାକ ପରିଚ୍ଛେଦ ସବୁଥିରେ ଏଣିକି ମନୀଷାଙ୍କର ଅଭିଯୋଗ l ଜୀବନଟା ଚମ୍ପିନାନୀଙ୍କୁ ବେଶିରୁ ବେଶି ଓଜନିଆ ଲାଗିଲା l ଯେଉଁ ଈଶ୍ୱର ତାଙ୍କଠୁ ସବୁ ସୁଖକୁ ଦୂରରେ ରଖିଛନ୍ତି , ତାଙ୍କୁ ଦୁଃଖ ବେଳେ ମନେପକାଇବାକୁ ମଧ୍ୟ ଦୁଃଖିନୀ ନାରୀଟି କୁଣ୍ଠାବୋଧ କରୁଥିଲେ l ଠାକୁରଙ୍କୁ ଡ଼ାକିବେ ତ କାହିଁକି ଡ଼ାକିବେ ?ତାଙ୍କୁ ହସ୍ତଯୋଡି ମୃତ୍ୟୁ ଭିକ୍ଷା କରିବେ କି? ଯିଏ ତାଙ୍କୁ ଭଲ ଜୀବନଟେ ଦେଇପାରିଲେ ନାହିଁ, ସେ କିଭଳି ପୁଣି ଭଲ ମୃତ୍ୟୁଟେ ଦେଇପାରିବେ? ମୋକ୍ଷ ବି ତାଙ୍କର ଦରକାର କଣ ?ଜୀଇଁ ଥାଉ ଥାଉ ଯିଏ କିଛି ନପାଇ କେବଳ ପ୍ରତି ମୁହୂର୍ତ୍ତରେ ମରିଛି , ମଲା ପରେ କଣ ପାଇବ ନପାଇବ ସେ ହିସାବ କାହିଁକି ବା ସିଏ କରିବ l

ଏବେ ତାଙ୍କର ମନ ବେଶି ଭାରି ଭାରି ଲାଗିଲେ, ସେ ଯାଇ ଦାଣ୍ଡ ଘରେ ବସନ୍ତି l କେବେ କେବେ ନିରିଖେଇ ନିରିଖେଇ ଓଡ଼ିଆ ନିଉଜ ପେପର ପଢନ୍ତି ଅବା କେବେ ଟିଭି ଦେଖନ୍ତି l ଟିଭି ଓ ଖବରକାଗଜରେ ମଧ୍ୟ କିଛି ଭଲ ସେ ପାଆନ୍ତିନାହିଁ l କୋଉଠି କନ୍ୟାଭୃଣ ହତ୍ୟା ତ ପୁଣି କେଉଁଠି ନାବାଳିକା, ଯୁବତୀ ଦୁଷ୍କର୍ମ l କିଏ ଯୌତୁକ ପାଇଁ ନବବଧୂକୁ ପୋଡି ମାରିଦେଲାଣି ତ ପୁଣି କିଏ ବୁଢୀମାଆକୁ ପିଟି ପିଟି ଘରୁ ବାହାର କରିଦେଲାଣି l ଯେତକ ସବୁ ବ୍ୟଭିଚାରର ଦୁଃସମ୍ବାଦ l

ଚମ୍ପିନାନୀ ଜଣେ ଚିନ୍ତଶିଳା ନାରୀ l ଏସବୁ କଥାକୁ ସେ ଗଭୀର ଭାବେ ଚିନ୍ତା କରନ୍ତି l ପୂର୍ବରୁ ସମାଜ ପ୍ରତି ଥିବା ତାଙ୍କର ଦୃଷ୍ଟିଭଙ୍ଗୀ ବଦଳିଯାଏ l ସେ ପୁଣି ଭାବନ୍ତି, "ନାଇଁ ସତରେ କିଛି ବି ବଦଳିନି l ଏହି ପୁରୁଷ କୈନ୍ଦ୍ରୀକ ସମାଜରେ ନାରୀଟିଏ ଆଗରୁ ବି ଅନେକ ନିର୍ଯାତନାର ଶିକାର ହେଉଥିଲା, ଏବେ ମଧ୍ୟ ହେଉଛି l ଖାଲି ଯାହା ତରିକାଟା ବଦଳି ଯାଇଛି l ଆଉ ବାଲ୍ୟ ବିଧବାମାନେ କୋଉଠି ବି ନାହାଁନ୍ତି କିନ୍ତୁ ଅନେକ କୁନି ଝିଅ ଦୁଷ୍କର୍ମର ଶିକାର ହୋଇ କଅଁଳ ବୟସରେ ହିଁ ଦଳି ମକଚି ହୋଇ ମାଟିରେ ମିଶିଯାଉଛନ୍ତି l ସତୀଦାହ ପ୍ରଥା ଉଠିଯାଇଛି ସତ କିନ୍ତୁ ଏବେ ମଧ୍ୟ ବିଭିନ୍ନ ସ୍ଥାନରେ କେବେ କେବେ ଯୁବତୀ ଝିଅଙ୍କର ଜିଅନ୍ତା ଶରୀର ଏସିଡ ମାଡ଼ରେ ତରଳି ଯାଇ ଖୀନଭିନ ହେଇ ଯାଉଛି ତ ପୁଣି ଆଉ କେବେ ସ୍ୱାମୀ ନିଜେ ଅଳ୍ପ କିଛି ସ୍ୱାର୍ଥ ପାଇଁ ନିଜ ନବବିବାହିତା ପତ୍ନୀକୁ କଲବଲ କରି ଜୀବନ୍ତ ଦଗ୍ଧ କରୁଛି l" ଏସବୁ ବିଷୟ ଚମ୍ପିନାନୀଙ୍କୁ ଖୁବ ମର୍ମାହତ କରେ l ସେହି ସମସ୍ତ ଦୁଃଖିନୀ ନାରୀଙ୍କର ବେଦନାକୁ ସେ ତାଙ୍କ ନିଜ ଛାତି ଭିତରେ ଅନୁଭବ କରନ୍ତି l ହୃଦୟ ତାଙ୍କର ବେଶି ବେଶି ରୁନ୍ଧି ହୋଇ ଚିତ୍କାର କରିଉଠେ l

ଵାପଘରଟା ଏବେ ବହୁତ ବେଶି ପର ହେଇଯାଏ ତାଙ୍କ ପାଇଁ l ସେ ଏଠି ଏବେ ଶ୍ବାସରୁଦ୍ଧ ହୋଇପଡନ୍ତି l ତାଙ୍କ ଶୂନ୍ୟ ଜୀବନରେ ପୂର୍ଣ୍ଣତା ଆଣିଥିବା ପୁତୁରା ଓ ତାଙ୍କର ନୂଆକରି ଗଢ଼ାହୋଇଥିବା ପରିବାରଟି ପାଇଁ ଯେ ସେ ଅନାବଶ୍ୟକ ବୋଝ ଜାଣିପାରି ନିଜ ମୂଲ୍ୟହୀନ ଜୀବନକୁ ଧିକ୍କାର କରନ୍ତି l ସେ ଭାବନ୍ତି , "ମୁଁ ଅଲକ୍ଷଣୀ ଛୋଟବେଳୁ ବିଧବା ହୋଇ ବାପଘରେ ପଡିରହିଲି ବାପକୁ ଯାତନା ଦେବା ପାଇଁ ,ଯୌବନରୁ ପ୍ରୌଢତା ଭାଇର ପରିବାରରେ ବିରାଟ ବୋଝ ହେଲି ଆଉ ଏବେ ପୁଣି ଛୋଟ ପୁତୁରା ଟିର ସଂସାର ଭାରକୁ ଆହୁରି ବେଶି ଓଜନିଆ କରୁଛି ମୋର ଏହି ବାର୍ଦ୍ଧକ୍ୟ ବେଳର ଅସାମର୍ଥ୍ୟତା l ମୋ ଜନ୍ମ ହେବାଟା କଣ ସତରେ ଉଦେଶ୍ୟହୀନ ? "

ଚମ୍ପିନାନୀଙ୍କୁ ଲାଗେ ତାଙ୍କର ଯେପରି କୌଣସି ନିର୍ଦ୍ଧିଷ୍ଟ ଠିକଣା ହିଁ ନାହିଁ l ସେ ୟା’ ବସା ତା ବସାରେ ମୁଣ୍ଡ ଗୁଞ୍ଜୁଥିବା ବେସାହାରା ଗୋଟେ ପକ୍ଷୀ l ପୁଣି କେବେ ତାଙ୍କୁ ଲାଗେ ସେ ମୃତ୍ୟୁକୁ ଅପେକ୍ଷା କରି ପଡିରହିଥିବା ପଞ୍ଜୁରୀ ଆବଦ୍ଧ ରୁଗ୍ଣ ଚଢେଇଟେ ମାତ୍ର, ଯିଏ ଇଚ୍ଛା କରେ ମରିବା ପୂର୍ବରୁ ଥରେ ପଞ୍ଜୁରୀ ଛାଡ଼ି ବାହାରର ମୁକ୍ତ ହାୱାକୁ ମନଭରି ପିଇଯିବାକୁ l

ମଣ୍ଟୁ ଓ ମାନୁଙ୍କ ବ୍ୟବହାର ଦିନକୁ ଦିନ ଅସହ୍ୟ ବୋଧ ହୁଏ l ଏମିତି ଦୁଃଖ କଷ୍ଟରେ ଦିନ କାଟୁ ଥିଲା ବେଳେ ଦିନେ ଚମ୍ପିନାନୀ ଶୁଣନ୍ତି ନୂଆକରି ଦୁନିଆଁକୁ ଆସିଥିବା ସେହି କୁନି ଝିଅ 'ରୋନା' ର ଜନ୍ମରୁ ହିଁ ଦୁଇଟି ଯାକ କିଡ଼ନୀ ଦୁର୍ବଳ l ଅନେକ ଟଙ୍କା ଆବଶ୍ୟକ କିଡ଼ନୀ ପ୍ରତିରୋପଣ ପାଇଁ l ମଣ୍ଟୁ ଓ ମନୀଷା ଚିନ୍ତାରେ ପଡ଼ିଯାଆନ୍ତି l "ଝିଅଟିଏ ତ ହେଲା, ସେ ପୁଣି ଏତେ ରୋଗୀଣା l କିଏ ବା ତାକୁ କିଡ଼ନୀ ଦେବ? ଏତେ ଟଙ୍କା ବି ତା ପାଇଁ ଖର୍ଚ୍ଚ କରିବା ବଡ କଷ୍ଟଦାୟକ "l

ଚମ୍ପିନାନୀ ଜିଦ୍ଦି କରନ୍ତି ତାଙ୍କ କିଡ଼ନୀଟା ମେଳଖାଇବ କି ନାହିଁ ପରୀକ୍ଷା କରିଦେଖିବା ପାଇଁ l ସୌଭାଗ୍ୟକୁ ତାଙ୍କର କିଡ଼ନୀ ହିଁ ଉପଯୁକ୍ତ ବିବେଚିତ ହୁଏ ରୋନା ପାଇଁ l ଚମ୍ପିନାନୀ ନିଜର ଶୁଦ୍ଧି କାର୍ଯ୍ୟରେ ଲଗେଇବାକୁ ଅନେକ ଦିନରୁ ଏକ କପଡା ଥଳିରେ ସାଇତି ରଖିଥିବା ଟଙ୍କାତକ ଆଣି ରୋନାର ଚିକିତ୍ସା ପାଇଁ ମଣ୍ଟୁ ପାଖେ ପୈଠ କରିଦିଅନ୍ତି l ରୋନାର କିଡ଼ନୀ ଟ୍ରାନ୍ସପ୍ଲାଣ୍ଟେସନ ସଫଳ ହୁଏ l ମଣ୍ଟୁ ଓ ମାନୁ ଚମ୍ପିମାଆର ଉଦାରପଣିଆ ଆଗରେ ମୁଣ୍ଡ ନୁଆଇଁଦିଅନ୍ତି l ମନୀଷା ଠିକ କରନ୍ତି, "ଘରକୁ ଗଲେ ଚମ୍ପିମାଆଙ୍କର ଖୁବ ଯତ୍ନ ନେବି l ନିଜ ମାଆ ପରି ତାଙ୍କୁ ସ୍ନେହଁ କରିବି l ଅନେକ କଷ୍ଟ ଦେଇଛି ତାଙ୍କୁ l ଦିନରାତି ତାଙ୍କର ସେବା କରି ମୋ ଭୁଲର ମୁଁ ପ୍ରାୟଶ୍ଚିତ କରିବାକୁ ଚେଷ୍ଟା କରିବି "l

ହେଲେ ଘରକୁ ଆସି ଦେଖନ୍ତି ଚମ୍ପିମାଆ ମେଡିକାଲରୁ ଘରକୁ ଫେରିନାହାଁନ୍ତି l ସ୍ୱାମୀ ସ୍ତ୍ରୀ ଦୁହେଁ ତାଙ୍କୁ ଅନେକ ଖୋଜନ୍ତି l କୋଉଠି ମଧ୍ୟ ପାଆନ୍ତି ନାହିଁ l ମଣ୍ଟୁ ଚମ୍ପିମାଆର ଶାଶୂଘରକୁ ଯାଇ ବୁଝନ୍ତି ସେଠି ବୃଦ୍ଧାଜଣଙ୍କ କିଛିଦିନ ରହି ନିଜ ଭାଗରେ ଥିବା ଗୁଡ଼ାଏ ସମ୍ପତିକୁ ବିକ୍ରି କରି ଟଙ୍କା ଧରି ପୁଣି ଫେରିଯାଇଥିଲେ l ତାହେଲେ ଏତେଗୁଡ଼ାଏ ଟଙ୍କା ନେଇ ବୁଢୀଲୋକଟା ଗଲା କୁଆଡେ? କେହି ଆଉ ତାଙ୍କୁ ଟଙ୍କା ଲୋଭରେ...? ମଣ୍ଟୁ ଓ ମାନୁ ଡରିଯାଆନ୍ତି l

ଟଙ୍କା ପ୍ରତି ମନୀଷାଙ୍କର ଅହେତୁକ ଆକର୍ଷଣ ପଳାତକ ଚମ୍ପିନାନୀଙ୍କ ପ୍ରତି ତାଙ୍କର ପୁନର୍ବାର ଘୃଣାର କାରଣ ପାଲଟିଯାଏ l ଚମ୍ପିମାଆଙ୍କୁ ଖୋଜି ଖୋଜି ନପାଇବାରୁ ମାନୁ ରାଗିକରି ସ୍ୱାମୀଙ୍କୁ କହନ୍ତି , "ସେ ଯୁଆଡେ ଯାଇଛନ୍ତି ଯାଇଥାନ୍ତୁ l ଆଉ ତାଙ୍କୁ ଖୋଜନା l ଏତେଗୁଡାଏ ଟଙ୍କା ଧରି କିଏ ଏମିତି ଏକା ଏକା କୁଆଡେ ପଳାଏ? "

ମଣିଷର ପ୍ରକୃତି ଏହିପରି l କାହା ପାଖେ କୌଣସି ସ୍ୱାର୍ଥ ଥିଲେ ସେ ଲୋକଟି ପ୍ରତି ତାର ବ୍ୟବହାର ମଧ୍ୟ ବଦଳିଯାଏ l

ଚମ୍ପିନାନୀଙ୍କ ପାଖେ ପହଞ୍ଚିବାର ଅନ୍ୟ କୌଣସି ଉପାୟ ଆଉ ନପାଇ ସଭିଏଁ ବାଧ୍ୟ ହୋଇ ଚୁପରୁହନ୍ତି l ସମସ୍ତଙ୍କ ଜୀବନ ସାଧାରଣ ଗତିରେ ଆଗଉଥାଏ l ଅନେକ ବର୍ଷ ବିତିଯାଏ l ଚମ୍ପିନାନୀଙ୍କୁ ପ୍ରାୟ ସମସ୍ତେ ଧୀରେ ଧୀରେ ପାଶୋରି ଯାଉଥିବା ବେଳେ ଦିନେ ମଣ୍ଟୁ ଖବର ପାଆନ୍ତି ବାଲେଶ୍ୱର ଜିଲ୍ଲାର କୋଉଗୋଟେ କୁଆଁରପାଟଣାରେ ଚମ୍ପିନାନୀଙ୍କ ନାମରେ ଏକ ମହିଳା ଆଶ୍ରମ ଅଛି l ଲୋକେ ଆଶ୍ରମଟିକୁ 'ଚମ୍ପିନାନୀଙ୍କ ଚଢେଇବସା 'କହନ୍ତି l ଉପେକ୍ଷିତା ଅନାଥ କନ୍ୟା ସନ୍ତାନ, ଦୁଷ୍କର୍ମ ପୀଡିତା ନିର୍ଯାତିତା ଓ ଘରୁ ବିତାଡିତ ବାଳିକା,କିଶୋରୀ ଓ ଯୁବତୀ ଏବଂ ଅସହାୟା ବିଧବା, ସ୍ୱାମୀ ପରିତ୍ୟକ୍ତା ନାରୀ ମାନଙ୍କୁ ଆଶ୍ରୟ ଦେଇଥିବାଛୋଟ ଗୋଟେ ଆଶ୍ରମକୁ ଜଣେ ବୃଦ୍ଧା ନିଜ ସଞ୍ଚିତ ଅର୍ଥରେ ଗଢ଼ିଥିଲେ l ମଣ୍ଟୁ ଓ ମନୀଷା ଭାବିଲେ ଯାଇ ଦେଖି ଆସିବା ଉଚିତ ହେବ ସେ ମହିଳା ଜଣକ ସେମାନଙ୍କ ଚମ୍ପିମାଆ କି ଅନ୍ୟ କେହି l

ମଣ୍ଟୁ ମାନୁ ସେହି ନିର୍ଦ୍ଧିଷ୍ଟ ଆଶ୍ରମରେ ଯାଇପହଞ୍ଚି ଦେଖିଲେ ଫାଟକ ଆଗରେ ବଡ ବଡ ଅକ୍ଷରରେ ଲେଖାହୋଇଛି 'ଚମ୍ପିନାନୀଙ୍କ ଚଢେଇବସା ' l ଫାଟକ ଅତିକ୍ରମ କରି ଭିତରକୁ ଗଲେ l ଚମତ୍କାର ସ୍ୱଚ୍ଛ ସୁନ୍ଦର ପରିବେଶ l ନାନା ଜାତିର ଫୁଲ ଗଛରେ ଭର୍ତ୍ତି ଏକ ଛୋଟ ବଗିଚା ରହିଛି ଆଶ୍ରମ ଆଗରେ l ଏହି ସବୁ ସୁନ୍ଦର ସୁନ୍ଦର ଫୁଲଗଛ ଲଗାଇବାକୁ ତ ଖୁବ ଭଲପାଆନ୍ତି ମଣ୍ଟୁଙ୍କ ଚମ୍ପିମାଆ l ଯେମିତି ଫୁଲମାନେ ହିଁ ତାଙ୍କ ନିରୋଳା ଜୀବନର ସାଥୀ ! ତାହେଲେ ଏହିଠି କୋଉଠି ସେ ନିଶ୍ଚୟ ଥିବେ l ଏହି କୋଉ ଫୁଲଗଛ ପାଖେ ଠିଆ ହୋଇ ଗଛରେ ପାଣି ଦେଉଥିବେ ନଚେତ କୋମଳ ଫୁଲକୁ ଟିକେ ଆଉଁଷି ଦେଉଥିବେ l ଏମିତି ସବୁ ମନେ ମନେ ଭାବୁ ଭାବୁ ମଣ୍ଟୁ ଗାର୍ଡେନ ଭିତରକୁ ଟିକେ ଚାଲିଗଲେ l ଏ କଣ?? ବଗିଚା ମଝା ମଝି ଏ କାହାର ପ୍ରତିମୂର୍ତ୍ତି?? ଚମ୍ପିମାଆଙ୍କ ମୁହଁ ସହ ଅସମ୍ଭବ ସାମଞ୍ଜସ୍ୟ !ତାହେଲେ କଣ ସେ?? ମାନୁଙ୍କୁ ଚିତ୍କାର କରି ଡାକିଲେ l ଦୁହେଁ ମୂର୍ତ୍ତିଟିର ତଳକୁ ଦେଖିଲେ ଖଣ୍ଡେ ମାର୍ବଲ ପଥରରେ ଲେଖାଅଛି- ' ଚମ୍ପାରାଣୀ ଦିବ୍ୟା,ପ୍ରତିଷ୍ଠାତ୍ରୀ :-ଚଢେଇବସା, କୁଆଁରପାଟଣା '

ପତି ପତ୍ନୀ ଉଭୟ ଗଭୀର ଅନୁତାପରେ ପରସ୍ପର ସହ ମଧ୍ୟ ଦୃଷ୍ଟି ମିଳେଇପାରୁନାହାଁନ୍ତି l ମୂର୍ତ୍ତି ପାଖେରେ ଠିଆ ହୋଇ କାନ୍ଦି କାନ୍ଦି ମଣ୍ଟୁ କହୁଥାନ୍ତି, "ଏତେ ନିଷ୍ଠୁର ତୁମେ ଚମ୍ପିମାଆ !ଆମକୁ ପ୍ରାୟଶ୍ଚିତର ସୁଯୋଗ ବି ଟିକେ ଦେଲନି !"

ସେଇଠି ସେହିପରି ଠିଆ ହୋଇ ମଣ୍ଟୁଙ୍କର ମନେ ପଡିଯାଉଥିଲା ତାଙ୍କ ପିଲାଦିନ କଥା l କିପରି ଚମ୍ପିମାଆ ତାଙ୍କୁ ପିଠିରେ ନାଉ କରି ସ୍କୁଲକୁ ନେଇଯାଉଥିଲେ l ପୁଣି କାଖରେ ଧରି ଘରକୁ ଫେରୁଥିଲେ l ଯିବା ଆସିବା ବେଳେ ତାଙ୍କୁ ଟିକେ ବି ତଳେ ଛାଡୁନଥିଲେ କାଳେ ଗାଁର କାଦୁଅ ରାସ୍ତାରେ କୁନି ପୁତୁରାଟିର ଗୋଡ଼ ଖସି ଅସନା ହୋଇଯିବ ବୋଲି l ସବୁବେଳେ ଚମ୍ପିମାଆ ତାଙ୍କୁ ଜଗିରହୁଥିଲେ l ଯେତେବେଳେ ଯାହା ଜିଦି କଲେ ସଙ୍ଗେ ସଙ୍ଗେ ପୁରୁଣ କରିବାକୁ ଚେଷ୍ଟା କରୁଥିଲେ l ଗାଧୋଇ ଦେବା, ଖୁଆଇଦେବା ଠାରୁ ଆରମ୍ଭ କରି କୁନି ମଣ୍ଟୁର ଯାବତୀୟ ଅଳି ଅଝଟକୁ ଖୁସି ଖୁସି ସହିଯାଉଥିଲେ ଚମ୍ପିମାଆ l

ମଣ୍ଟୁ ଭାବିଲେ, ଯିଏ ତାଙ୍କୁ ସବୁଦିନ ନୟନ ପିତୁଳା କରି ଆଖିରେ ବସେଇରଖିଥିଲା ସେହି ମାତୃ ତୁଲ୍ୟ ବିଧବା ପିଉସୀଟିର ଦୁଃଖ କଷ୍ଟକୁ କେମିତି ସେ ନିଜର ନୟନରେ ଅଞ୍ଜନ କରି ବୋଳି ନପାରି ଦୃଷ୍ଟି ଆଢୁଆଳକୁ ଫିଙ୍ଗି ଦେବାକୁ ଚାହିଁପାରିଲେ? ଆଖିରୁ ତାଙ୍କର ଲୁହ ଧାର ଧାର ହୋଇ ଗାଲ ଦେଇ ବୋହି ଆସିଲା l ମନୀଷାଙ୍କ ଆଖି ମଧ୍ୟ ଓଦା ଓଦା l ତାଙ୍କ ଝିଅର ଜୀବନ ବଞ୍ଚେଇଥିବା ଦେବୀଙ୍କୁ ସେ ଚିହିଁ ନପାରି ଅଲକ୍ଷଣୀ କହି କେତେ ନିର୍ଯାତନା ଦେଇନାହାଁନ୍ତି ସତରେ !!

ସେମାନେ ଦୁହେଁ ଏବେ ଆଶ୍ରମ କାର୍ଯ୍ୟାଳୟ ଭିତରକୁକୁ ଯାଇ ପ୍ରତିଷ୍ଠାତ୍ରୀ ଚମ୍ପାରାଣୀଙ୍କ ବିଷୟରେ ପଚାରି ଶୁଣିଲେ ଯେ ଚମ୍ପିନାନୀ ଅନେକ ଦିନୁ ଚାଲିଗଲେଣି l କିନ୍ତୁ ତାଙ୍କରି ଉଦ୍ୟମରେ ମୁଣ୍ଡ ଟେକିଥିବା ଏହି ମହିଳା ଆଶ୍ରମଟି ଏବେ ଏ ଅଞ୍ଚଳର ଏକ ପ୍ରତିଷ୍ଠିତ ଅନୁଷ୍ଠାନର ମାନ୍ୟତା ପାଇପାରିଛି l ସେଠାକୁ ଅନେକ ନିରାଶ୍ରୟୀ ନାରୀ ଆସି ସ୍ୱାବଲମ୍ବୀ ହୋଇ ସ୍ୱାଧୀନ ଜୀବନ ଜୀଇଁବାର କଳା ଶିଖିପାରୁଛନ୍ତି l ଚମ୍ପିନାନୀଙ୍କ ଦୃଷ୍ଟାନ୍ତ ମୂଳକ ପଦକ୍ଷପ ଅନେକ ମହିଳାଙ୍କୁ ଉଚିତ ମାର୍ଗ ଦେଖାଉଛି l ପରିଣତ ବୟସରେ ମଧ୍ୟ ସମାଜ ପ୍ରତି ତାଙ୍କର ଅବଦାନକୁ ସମସ୍ତେ ଏଠାରେ ହୃଦୟର ସହ ସମ୍ମାନ କରନ୍ତି l ସାରା ଜିଲ୍ଲାରେ ଆଜି ତାଙ୍କ ମହାନ ପଣିଆର ଗୁଣ ସଭିଙ୍କ ତୁଣ୍ଡରେ l ସେ ଥିଲେ ଜଣେ ସମାଜମନସ୍କl ସାହସୀ ନାରୀ l ସେଥିପାଇଁ ଆଜି ତାଙ୍କ ନିର୍ମିତ ଏହି ଚଢେଇବସାଟି "ଚମ୍ପିନାନୀଙ୍କ ଚଢେଇବସା " ନାମରେ ସୁପରିଚିତ l

ଲୋପାମୁଦ୍ରା ମିଶ୍ର

ନନ୍ଦିପୁର, ଦଶରଥପୁର, ଯାଜପୁର

ଚମ୍ପିନାନୀ ମଣ୍ଟୁ ମାନୁ

Rate the content


Originality
Flow
Language
Cover design

Comments

Post

Some text some message..