Dr Jagatabandhu Mohapatra

Inspirational Romance Tragedy


5.0  

Dr Jagatabandhu Mohapatra

Inspirational Romance Tragedy


ଜାତି, ଜାତକ ଓ ଯୌତୁକ

ଜାତି, ଜାତକ ଓ ଯୌତୁକ

8 mins 7.7K 8 mins 7.7K

ଜାତି, ଜାତକ ଓ ଯୌତୁକ

· ଡାଃ ଜଗତବଂଧୁ ମହାପାତ୍ର


ମୁଁ ଜିତେନ…ଜିତେନ୍ଦ୍ର ଆଚାର୍ଯ୍ୟ I ଘର ପୁରୀ I ମୋ ଘରେ ନନା, ବୋଉ, ମୁଁ ଆଉ ମୋ ସାନ ଭଉଣୀ ମୁକ୍ତି I ନନା ରବୀନ୍ଦ୍ରନାଥ ଆଚାର୍ଯ୍ୟ, ପୁରୀ ଜିଲ୍ଲା ସଦର ମହକୁମାର ଜିଲ୍ଲାପାଳଙ୍କ ଅଫିସର କିରାଣୀ I ମୁଁ ଉତ୍କଳ ବିଶ୍ଵବିଦ୍ୟାଳୟରୁ ପ୍ରାଣୀବିଜ୍ଞାନରେ ସ୍ନାତ୍ତକୋତ୍ତର ଶିକ୍ଷା ସମାପ୍ତ କରି ଏକ ବେସରକାରୀ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିଲି ।


ଉତ୍କଳ ବିଶ୍ଵବିଦ୍ୟାଳୟରେ ପାଠ ପଢୁଥିବାବେଳେ କେମିତି କେଜାଣି ମୋ ଜୀବନ ପରିଧି ଭିତରକୁ ଧସେଇ ପଶି ଆସିଥିଲେ, ମୋ ସହ ଉତ୍କଳ ବିଶ୍ଵବିଦ୍ୟାଳୟରେ ଇତିହାସ ପଢୁଥିବା ମୋର ଜଣେ ସହପାଠିନୀ କାଜଲ ବେହେରା । ସମୟ ସୁଅରେ କାଜଲ ମତେ ଭଲ ପାଇବସିଲେ, ଆଉ ମୁଁ ବି ତାଙ୍କୁ । ଅନେକ ଗପ ସପ, ନିରୋଳା ମୂହୁର୍ତ୍ତ, ଅନେକ ଆଶା ଆକାଂକ୍ଷା ଓ ସମ୍ଭାବନା ଭିତରେ ଆମର ଭଲପାଇବା ଆଗେଇ ଚାଲିଥିଲା, ଆଗକୁ ଆଗକୁ ଅନେକ ଆଗକୁ । ବିଶ୍ଵବିଦ୍ୟାଳୟର ସେଇ ଦୁଇ ବର୍ଷ ପାଠ ପଢା ଯେମିତି ମତେ ଲାଗିଲା ଦୁଇ ଦିନ ଭିତରେ ସରିଗଲା ପରି । ସେ ତାଙ୍କର ମନର କଥା ସବୁ ମୋ ଆଗରେ କହୁଥିଲେ, ମୁଁ ବି ମୋ କଥା ସବୁ ତାଙ୍କ ଆଗରେ କହୁଥିଲି, ସତେ ଯେମିତି ଉଭୟେ ଉଭୟଙ୍କର ଅତି ଆପଣାର । ଉଭୟେ ଏକ ଆଉ ଅଭିନ୍ନ । ପାଠ ପଢା ସରିବା ପୂର୍ବରୁ ଉଭୟେ ଉଭୟଙ୍କୁ ଜୀବନ ସାଥି କରିବାର ପ୍ରତିଶୃତି ମଧ୍ୟ ଦେଇସାରିଥିଲୁ । ଦୁହେଁ ଅଧ୍ୟାପକ ଚାକିରି କରିବୁ, ବୋଲି ନିଷ୍ପତ୍ତି ମଧ୍ୟ ନେଇଥିଲୁ । ଦୁହେଁ ଦୁହିଁଙ୍କ ଘରେ ଆମର ନିଷ୍ପତ୍ତିକୁ ଜଣାଇ ସେମାନଙ୍କ ଅନୁମତି ଆଣି ସଂସାର ପଥରେ ଆଗେଇବୁ ବୋଲି ଏକ ସ୍ଥିର ସିଦ୍ଧାନ୍ତରେ ଉପନୀତ ହୋଇଥିଲୁ ।


କାଜଲ ତାଙ୍କ ଘରେ ଜଣାଇଥିଲେ, ଆଉ ମୁଁ ଆମ ଘରେ । କାଜଲଙ୍କ ବାପା ମା’ ଏହି ପ୍ରସ୍ତାବକୁ ସାଦରେ ଗ୍ରହଣ କରି ନେଇଥିଲେ । କିନ୍ତୁ ମୋର ଶନିସପ୍ତା ପଡିଥିଲା କି କ’ଣ ? ମୋ ନନା ବୋଉ ଏ କଥା ଶୁଣୁଶୁଣୁ ରାଗରେ ନିଆଁବାଣ ହୋଇ ଆମ ଭଲପାଇବାରେ ବାଧକ ସାଜିଥିଲେ I ତାଙ୍କ ମତରେ ଜାତି ଥିଲା, ଏଇ ପ୍ରସ୍ତାବର ବାଧକ । ମୁଁ ଥିଲି, ଜାତି ଶ୍ରେଷ୍ଠ ବ୍ରାହ୍ମଣ, ଆଉ କାଜଲ ଥିଲା, ଜାତିରେ ଶୂଦ୍ର I ପାଠ ପଢିବା ବେଳେ ଆମର ଶିକ୍ଷକ ଓ ଗୁରୁଜନମାନଙ୍କଠାରୁ ଶୁଣିଥିଲି, ସବୁ ମଣିଷ ସମାନ ଓ ସମାଜରେ ଜାତି ଭେଦ ରଖିବା କଥା ନୁହେଁ ଏବଂ ବିଶ୍ଵବିଦ୍ୟାଳୟରେ ପଢୁଥିବା ବେଳେ ଏହି ଜାତି ଓ ସମାଜରୁ ଅସ୍ପୃଶ୍ୟତା ଦୂରେଇବା ପାଇଁ ମୁଁ ବି ଅନେକ ଥର ଆଗକୁ ଆସିଥିଲି, ହେଲେ ମୋ ନନା ଓ ବୋଉ ପାଖରେ ହାର ମାନିଯାଇଥିଲି I ସତରେ ଏ “ଜାତି” ଶବ୍ଦଟା ମଣିଷ ମଣିଷ ଭିତରେ ସମ୍ପର୍କର ଖିଅ ଯୋଡିବା ପାଇଁ ନା ମଣିଷ ମଣିଷ ଭିତରେ ସମ୍ପର୍କ ଭାଙ୍ଗିବା ପାଇଁ ଏହି କଥା ମୁଁ ଆଜି ବି ଭାବୁଛି !!!


ମୁଁ ଘରର ଏକମାତ୍ର ପୁଅ ହୋଇଥିବାରୁ ସେମାନଙ୍କ ନିଷ୍ପତ୍ତି ବିରୁଦ୍ଧରେ କୌଣସି ପଦକ୍ଷେପ ନେଇପାରିନଥିଲି, କାରଣ ମୋ ବୋଉ ଶପଥ ନେଇଥିଲା, ମୁଁ ଯଦି କାଜଲଙ୍କୁ ବିବାହ କରେ, ସେ ଦଉଡି ଦେଇ ଆତ୍ମହତ୍ୟା କରିବ । ତେଣୁ ବାଧ୍ୟ ହୋଇ ଆମ ଘରର ନିଷ୍ପତ୍ତିକୁ ମୁଁ କାଜଲଙ୍କୁ ଶୁଣେଦେଇଥିଲି, ସେଦିନ । ହତାଶା, ଦୁଃଖ, ଆଉ ଗ୍ଳାନି ଭିତରେ ପରସ୍ପରଠାରୁ ସେଦିନ ବିଦାୟ ନେଇଥିଲୁ । ଦୁଇଜଣ ଯାକ ଗୋଟିଏ ମହାବିଦ୍ୟାଳୟରେ ଚାକିରି କରିଥିବାରୁ ବାଧ୍ୟ ହୋଇ ମୁଁ ଇସ୍ତଫା ଦେଇ ସେଠାରୁ ପଳାଇ ଆସିଥିଲି । କିନ୍ତୁ ମନେ ମନେ ସଂକଳ୍ପ ନେଇଥିଲି ଯେ, ସାରା ଜୀବନ ମୁଁ ଅବିବାହିତ ରହିବି ।


XXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXX


ଏମିତି ଏକ ମାନସିକ ଚାପ ଭିତରେ ମୁଁ ଏକ ବର୍ଷ ଅତିବାହିତ କରିଥିଲି । ତା’ପରେ ବଂଶରକ୍ଷା ପାଇଁ ମୋ ନନା, ବୋଉ ମୋତେ ବିବାହ କରେଇବାକୁ ସେମାନଙ୍କ ଚେଷ୍ଟାରେ ଲାଗି ପଡିଥିଲେ । ଅନେକ ପ୍ରସ୍ତାବ ଆସିଥିଲା । କିନ୍ତୁ ଜାତକର ମେଳକ ଠିକ ଭାବରେ ପଡୁ ନ ଥିବାରୁ ସେ ପ୍ରସ୍ତାବଗୁଡିକ ଅପସରି ଯାଉଥିଲା, ଏମିତି ବୋଧେ ଅଶୀ କି ନବେ ପ୍ରସ୍ତାବ ଆସିଥିଲା । ମୁଁ ମନେ ମନେ ବହୁତ ଖୁସୀ ହେଉଥିଲି । ଯାହା ହେଉ ପ୍ରସ୍ତାବ ଭାଙ୍ଗିଯାଉଥିଲା ।


ଜାତକକୁ ନେଇ ପିଲାଟି ଦିନରୁ କାହିଁକି କେଜାଣି ଗୋଟେ ଦ୍ଵନ୍ଦ୍ୱ ରହିଆସିଥିଲା, ମୋ ମନରେ I ପିଲା ବେଳେ ଦେଖେ, କଚେରୀ ଆଗରେ ଓ ରାସ୍ତା ପାଖରେ କିଛି ଲୋକ ଜାତକ ବିଚାର କରିବା ପାଇଁ ବସିଥାନ୍ତି, ଲୋକମାନେ ଆସନ୍ତି, ଜାତକ ଦେଖାନ୍ତି ଓ ଆଗତ ଭବିଷ୍ୟତ ବୁଝନ୍ତି ଏବଂ ଭବିଷ୍ୟତରେ ସୁଧାର ଆଣିବା ପାଇଁ ପରାମର୍ଶ ନିଅନ୍ତି, ମାତ୍ର ସେତେବେଳେ ମୁଁ ଭାବୁଥାଏ, ଜାତକ ବିଚାର କରୁଥିବା ଲୋକମାନଙ୍କର ଭବିଷ୍ୟତରେ ପରିବର୍ତ୍ତନ ହୁଏ ନାହିଁ କାହିଁକି ? ସେକଥା ମୋ ମନ ଭିତରକୁ ଆସୁଥିଲା ସିନା, ହେଲେ ମୋ ପରିବାରର ସମସ୍ତେ ସେହି ଜାତକ ବିଚାରର ସୀମା ଭିତରେ ବାନ୍ଧି ହୋଇ ଯାଇଥିବାର ଦେଖି ମୋତେ ହସ ଲାଗୁଥିଲା I


XXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXX


କାଜଲଙ୍କ ସହିତ ମୋର ଆଉ କୌଣସି ସମ୍ପର୍କ ବି ରହୁନଥିଲା । ସେ ମୋ ଖବର ରଖୁ ନଥିଲେ କି ମୁଁ ତାଙ୍କ ଖବର । ଆମ ଦୁହିଁଙ୍କର ସମ୍ପର୍କର ସୂତା ଖିଅ ଯେମିତି ସଂପୂର୍ଣ୍ଣ ଭାବରେ ବିଚ୍ଛିନ୍ନ ହୋଇ ଯାଇଥିଲା; ତଥାପି ଏମିତି କୌଣସି ଦିନ ନାହିଁ ; ଯୋଉଦିନ କାଜଲଙ୍କ କଥା ମୋ ମନ ଭିତରକୁ ନ ଆସିଛି । ପ୍ରଥମ ଭଲ ପାଇବା କ’ଣ କେବେ ଭୁଲି ହୁଏ ? ତାଙ୍କ କଥା ଯେତେବେଳେ ମନେପଡିଯାଉଥିଲା, ସେତେବେଳେ ମୋ ହୃଦୟ ଆନ୍ଦୋଳିତ ହୋଇଉଠୁଥିଲା । ତାଙ୍କ ପାଇଁ ମୋ ମନ ବେଦନାରେ ଭରି ଉଠୁଥିଲା । ମୋ ହୃଦୟ ଭିତରେ ମନର ବୀଣା କେମିତି ଏକ କରୁଣା ମୂର୍ଚ୍ଛନାର ସ୍ଵର ତୋଳୁଥିଲା । ଭାବେ, କାଜଲ ନିଶ୍ଚୟ ମୋ ଠାରୁ ନାସ୍ତି ବାଣୀ ଶୁଣିବା ପରେ ଅନ୍ୟ କାହାର ହାତ ଧରିଥିବେ । ଅନ୍ୟ କାହାର ଶଙ୍ଖା ସିନ୍ଦୁର ପିନ୍ଧି ନବବଧୂ ସାଜିଥିବେ । ଛାଡ, ସେ ସବୁ କଥା ଭାବି ଆଉ ଲାଭ କ’ଣ ? ଆମେ ଦି ଜଣ ତ ଦୁଇଟି ଭିନ୍ନ ଭିନ୍ନ ସରଳ ରେଖା । ସାରା ଜୀବନରେ ଆମେ କେବେ ବି ମେଳ ହୋଇ ପାରିବୁନି । ସେସବୁ ଆଉ ନ ଭାବିବା ଉଚିତ ବୋଲି ମନେ ମନେ ସ୍ଥିର କରିନେଇଥିଲି । ହେଲେ, ସବୁବେଳେ ପରମେଶ୍ଵରଙ୍କ ନିକଟରେ କାଜଲର ଶୁଭମନାସୁ ଥିଲି I


XXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXX


ନନା, ବୋଉ ଗୋଟେ ପ୍ରସ୍ତାବ ଆଣିଥିଲେ, ମୋ ପାଇଁ । ଝିଅଟି ଦେଖିବାକୁ ସୁନ୍ଦର ଥିଲା । ବିଏ ପାସ ବି କରିଥିଲା । ଜାତକ ବି ରାଜ ଯୋଟକ ପଡିଥିଲା । ମୁଁ ମୁକ୍ତି ପାଖରୁ ଶୁଣିଥିଲି, ଝିଅଟି ଦେଖିବା ପାଇଁ ରୂପରେ ଯେମିତି, ଆଚାର ବ୍ୟବହାର, ଗୁଣରେ ବି ସେମିତି ହେଲେ, ଯୌତୁକ ଦବାକୁ ତାଙ୍କର ସକ୍ଷମ ନଥିଲା । ମୁଁ ବି ସେ ଝିଅକୁ ଦେଖିବାକୁ ଯାଇନଥିଲି । ମୋର ଦେଖିବା ବି ଦରକାର ପଡିନଥିଲା । ନନା, ବୋଉ ସେ ପ୍ରସ୍ତାବକୁ ବାତିଲ କରିଦେଇଥିଲେ । ମୁଁ ବି ଅତ୍ୟଧିକ ଖୁସୀ ହୋଇଥିଲି । ଯାହାହେଉ ମୋର ଅବିବାହିତ ହୋଇ ରହିବା ସଂକଳ୍ପଟା ପୁଣି ବଜାୟ ରହିଥିଲା । ମୋର ବିବାହ ନ ହେବାର ସଂକଲ୍ପଟା ଯେମିତି ପୂରଣ ହେବାକୁ ଯାଉଥିଲା I


ମନ ଭିତରକୁ ଆସୁଥିଲା ଯେ, ବିବାହ ବନ୍ଧନ ଦୁଇଟି ମନର ମିଳନ ଓ ଦୁଇଟି ପରିବାରର ଆତ୍ମୀୟତାକୁ ସୁଦୃଢ କରିବା ସହ ସାମାଜିକ ବନ୍ଧନକୁ ପ୍ରୋତ୍ସାହନ ଦେବା I ମଣିଷ ଅର୍ଥ ମୋହରେ ପଡି ଯୌତୁକ ରୂପକ ବ୍ୟାଧି ପଛରେ ଗୋଡାଇ ସମ୍ପର୍କର ସେତୁବନ୍ଧକୁ ଭାଙ୍ଗି ଝିଅମାନଙ୍କୁ ଅଯଥା ବୋଝ ରୂପେ ପରିଗଣିତ କରୁଛି, ଯା’ଫଳରେ ସେମାନଙ୍କ ଯୋଗ୍ୟତାକୁ ଅର୍ଥର ମାପକାଠିରେ ତଉଲାଯାଉଛି I ଯୌତୁକ ଯୋଗୁଁ କେତେ ଝିଅଙ୍କର ବାହାଘର ମଧ୍ୟ ହୋଇପାରୁନି I ସତରେ ଏ ଯୌତୁକ ସମାଜ ପାଇଁ କଳଙ୍କ I

XXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXX

କଥାରେ ଅଛି; “ଦଇବ ଦଉଡି ମଣିଷ ଗାଈ, ଯେଣିକି ଟାଣଇ ତେଣିକି ଯାଇ” । ମୋ ଅବସ୍ଥା ଠିକ୍ ସେମିତି ଭାବରେ ଗତି କରୁଥିଲା । ଘରେ ଆଉ ଏକ ପ୍ରସ୍ତାବ ଆଣିଲେ ଓ ପ୍ରସ୍ତାବର ସଂଯୋଜକ ଥିଲେ, ମୋର ମାମୁଁ । ପ୍ରଜାପତି ଘଟ୍ଟସୂତ୍ର ଅଫିସର ଦଲାଲ ଭଳିଆ ମୋ ନନା, ବୋଉଙ୍କୁ ପୁରା ପ୍ରବର୍ତ୍ତାଇଥିଲେ । ଝିଅଟି ସୁନ୍ଦରୀ, ଉଚ୍ଚ ଶିକ୍ଷିତା, ଘରର ଷ୍ଟାଣ୍ଡାର୍ଡ ମଧ୍ୟ ଭଲ । ସେମାନେ ନବା ଦବା ବି ଭଲ କରିବେ । ଏଭଳି ଏକ ପ୍ରସ୍ତାବକୁ ମୋ ଉପରେ ଲଦି ଦିଆଯାଇଥିଲା, ମୋର ଶତ ବାରଣ ସତ୍ତ୍ୱେ I ମୋ କଥାକୁ କେହି ବି କର୍ଣ୍ଣପାତ କରି ନଥିଲେ । ନନା, ବୋଉ, ବନ୍ଧୁ ବାନ୍ଧବ ସମସ୍ତେ ଯେମିତି ମୋର ସଂକଳ୍ପ ଭାଙ୍ଗିବାକୁ ଲାଗି ପଡିଥିଲେ । ପେଟ କାଟି ଜନ୍ମ ଦେଇଥିବା ମୋର ବୋଉ ଆଉ ଜୀବନର ଚଲାପଥରେ ହାତ ଧରି ବାଟ କଢାଇଆସିଥିବା ମୋର ନନାଙ୍କ ଜୀବନ ଆଗରେ ସଂକଳ୍ପ ଭାଙ୍ଗିଯାଇଥିଲା, ଅତି ସହଜରେ I ଶେଷରେ ସେମାନେ ଜିତିଯାଇଥିଲେ; ଆଉ ମୁଁ ହାରିଯାଇଥିଲି । ସାରା ଜୀବନ ଅବିବାହିତ ରହିବା ସଙ୍କଳ୍ପଟା ମୋର ପାଣି ଫୋଟକା ପରି କୁଆଡେ ମିଳେଇଯାଇଥିଲା । ବଳି ପଡୁଥିବା ଛେଳିଟି ପରି ମତେ ନେଇ ବେଦିରେ ବସାଇ ବାହା କରି ଦିଆଯାଇଥିଲା ।

XXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXX

ଝିଅଟି’ର ନାଁ ଥିଲା ସୁଗୁଣା । ହେଲେ ତା’ ମନଟା ଅନେକ ଦୁର୍ଗୁଣରେ ପରିପୂର୍ଣ୍ଣ ଥିଲା । ଏକ ସ୍ଵେଚ୍ଛାଚାରିଣୀ ଓ ଏକ ଜିଦିଆ ସ୍ଵଭାବର ଝିଅ ଥିଲା ସେ । ଅନେକ ଯୌତୁକ ଆଣିଥିବାରୁ ନନା, ବୋଉ ତାକୁ ସାହସ କରି କିଛି କହିପାରୁନଥିଲେ । ମୁଁ ଯଦି ତାକୁ କେବେ କୌଣସି କଥାରେ ପ୍ରତିବାଦ କରୁଥିଲି, ତା’ହେଲେ ଆରମ୍ଭ ହୋଇଯାଉଥିଲା, କଥା କଟାକଟି, ଯୁକ୍ତିତର୍କ, ଓ ଟଣାଓଟରା ।


ଫୋନ କଲ କରିବା, ଭିଡିଓ କଲ କରିବାରେ ବିତି ଯାଉଥିଲା ତା’ର ଦିନଗୁଡିକ । ଯେତେବେଳେ ଯୁଆଡେ ଇଚ୍ଛା ସିଆଡେ ଯାଇ ବୁଲିବା, ଏସବୁ ତା’ର ଥିଲା, ନିତିଦିନିଆ ବେଉସା । ଶାଶୁ ଶ୍ଵଶୁରଙ୍କୁ ଉପେକ୍ଷା କରିବା, ସ୍ଵାମୀଙ୍କୁ ମେଣ୍ଢା କରି ରଖିବା, ଏସବୁ ଥିଲା, ଚାରିତ୍ରିକ ଗୁଣ । ତା’ ସଙ୍ଗେ ଚଳିବା ମୋ ପକ୍ଷେ କଷ୍ଟକର ହୋଇଉଠୁଥିଲା । ଦିନକୁ ଦିନ ମୁଁ କେମିତି ଅଣନିଶ୍ଵାସୀ ହୋଇଯାଉଥିଲି I ମତେ ଲାଗୁଥିଲା, ମୁଁ ଯେମିତି ଗୋଟେ କ୍ରୀତଦାସ । ମୋର ନିଜର ସ୍ଵାଧୀନତା ବୋଲି କିଛି ନାହିଁ । ତା’ ଇଚ୍ଛାରେ ମତେ ଉଠ ବସ ହେବାକୁ ପଡିବ ।


ଦିନେ ମଦ ପିଇ ଆମ ଘରକୁ ଡେରି ରାତିରେ ଆସି ପହଞ୍ଚିଥିଲା I ମୁଁ ରାଗିକରି କହିବାରୁ ସେ କାହାକୁ ହଠାତ୍ ଫୋନ କରି ନିଜ ଜିନିଷ ନେଇ ତା’ ଘରକୁ ପଲେଇଥିଲା I ତା’ ପରଦିନ ସକାଳୁ ପୋଲିସ ଆସି ଆମଘରେ ପହଞ୍ଚି ଆମ ତିନିଜଣଙ୍କୁ ବାନ୍ଧି ନେଇଥିଲେ I ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦିଆଯାଉଥିବାର ଅଭିଯୋଗ ଆଣିଥିଲା, ଥାନାରେ I ମୋର ଦୋଷ ଥିଲା, ମୁଁ ଅନେକ ଯୌତୁକ ଦାବି କରିଥିଲି । ଆଉ ସେ ଯୌତୁକ ଆଣିଥିବା ସତ୍ତ୍ୱେ ବି ମୁଁ ଆହୁରି ଅଧିକ ଯୌତୁକ ଦାବି କରି ତାକୁ ନିର୍ଯ୍ୟାତନା ଦେଉଥିଲି । ଏପରିକି କିରୋସିନି ଢାଳି ପୋଡି ମାରି ଦେବାକୁ ବି ଉଦ୍ୟମ କରିଥିଲି । ତା’ ଅଭିଯୋଗ ଶୁଣି ମୁଁ ସ୍ତବ୍ଧ ହୋଇଯାଇଥିଲି । ମୋ କଥା ଶୁଣିବାକୁ କେହି ଜଣେ ବି ପ୍ରସ୍ତୁତ ନ ଥିଲେ । ସମସ୍ତେ ଭାବୁଥିଲେ, ମୁଁ ଗୋଟେ ଯୌତୁକ ଲୋଭୀ ହିଂସ୍ର ପଶୁ । ମୋର ମାନବିକତା ବୋଲି କିଛି ନାହିଁ । ଏହି ଅଭିଯୋଗ ଯୋଗୁଁ ଆମକୁ ଜେଲର ଅନ୍ଧାରିଆ କୋଠରୀରେ ଯନ୍ତ୍ରଣା ଭୋଗିବାକୁ ପଡିଥିଲା ।


ଜେଲରେ ମୋତେ ଭାରି ଅଣନିଶ୍ଵାସୀ ଲାଗୁଥିଲା I ସେଇ ବାତାବରଣରେ ରୁନ୍ଧି ହୋଇଯାଉଥିଲି, ମୁଁ ଦିନକୁ ଦିନ ! ମୋତେ ଭାରି ଅସ୍ତବ୍ୟସ୍ତ ଲାଗୁଥିଲା I କେବଳ ଆଶା ଥିଲା, ମୁକ୍ତିର ଭରସା I ସମସ୍ତେ ମୋତେ ଅପରାଧୀ ଭଳି ବ୍ୟବହାର କରୁଥିଲେ I ଦୋଷ ନ କରି ବି, ଦୋଷୀ ଭଳି ଜୀବନ ଜିଇଁବାଟା କେତେ ଯେ କଷ୍ଟ, ତାହା ଭାଷାରେ କହିବା ଅସମ୍ଭବ I


ଦୁଃଶ୍ଚିନ୍ତାରେ ନନା, ବୋଉ ଆଗ ପଛ ହୋଇ ଆରପାରିକୁ ଚାଲିଯାଇଥିଲେ I ନିଜର ବୋଲି କିଏ ଯଦି ରହିଯାଇଥିଲା, ସେ ଥିଲା, ମୁକ୍ତି I ମୁକ୍ତି, ମୋ ଭଉଣୀ, ମୁକ୍ତିମାଳା ଆଚାର୍ଯ୍ୟ I ମୋତେ ଏଠୁ ମୁକ୍ତି ଦେବା ପାଇଁ ଯେମିତି ସେ ସଂକଳ୍ପ କରିନେଇଥିଲା I ଦିନରାତି ଏକ କରିଦେଇଥିଲା I ସବୁବେଳେ ମୋତେ ସାହସ ଦେଉଥିଲା, ଭାଇନା, ତୁ ଜମା ବ୍ୟସ୍ତ ହୁଅନା I ସବୁ ଠିକ୍ ହୋଇଯିବ I


ଏହିଭଳି କିଛିଦିନ ଜେଲର ଅନ୍ଧାରି କୋଠରି ଭିତରେ ରହିବା ପରେ କୋର୍ଟର ରାୟ ବଳରେ ମୋତେ ଜେଲରୁ ମୁକ୍ତି ମିଳିଥିଲା I ଜେଲରୁ ବାହାରିବା ବେଳେ ମୁକ୍ତି ଜେଲର ଫାଟକ ପାଖରେ ଅପେକ୍ଷା କରିରହିଥିଲା I ଜେଲରୁ ମୁକ୍ତି ମିଳିଥିଲା, ହେଲେ ମନଟା କାହିଁ କି କେଜାଣି ଗୋଟେ ଶୂନ୍ୟତା ଭିତରେ ଘୁରି ବୁଲୁଥିଲା I ଆମେ ଦୁହେଁ ଫାଟକଠାରୁ କିଛି ପାଦ ଗଲା ପରେ ସୁଗୁଣାର ମୃତ୍ୟୁ ଖବର ସମ୍ପର୍କରେ ସେ ମୋତେ କହିଥିଲା I ସୁଗୁଣାର ଆକ୍ସିଡେଣ୍ଟରେ ମୃତ୍ୟୁ ହୋଇଯାଇଛି । ଆମ ଘରୁ ଯିବା ପରେ ସେ ତାଙ୍କ ଘରେ ନ ରହି ତା’ର ଗୋଟେ ବୟଫ୍ରେଣ୍ଡ ଘରେ ରହୁଥିଲା । ବାଇକରେ ଉଭୟେ ଯାଉଥିବାବେଳେ ଏକ ଟ୍ରକ ସହିତ ଧକ୍କା ହୋଇଥିଲା ଓ ସେହିଠାରେ ତା’ର ମୃତ୍ୟୁ ହୋଇଥିଲା । କେମିତି ଏକ ଆଶ୍ଵସ୍ତିର ଦୀର୍ଘଶ୍ଵାସ ମୋ ଅନ୍ତରାତ୍ମାରୁ ବାହାରି ଆସିଥିଲା I


କାଜଲଙ୍କ ବିଷୟରେ ମଧ୍ୟ ଶୁଣିବାକୁ ପାଇଥିଲି, ମୁକ୍ତି ଠାରୁ I ମୋର ଧାରଣା ସଂପୂର୍ଣ୍ଣ ଭୁଲ ଥିଲା I ସେ ସବୁବେଳେ ମୋର ଖବର ରଖିଆସୁଥିଲେ I କାଜଲ ଓ ମୁକ୍ତି ଦୁଇଜଣ ମୋ ମୁକ୍ତିର ମୁଖ୍ୟ ନାୟିକା ଥିଲେ I


ସେ ଅନ୍ୟ କାହାର ଶଙ୍ଖା ସିନ୍ଦୂର ପିନ୍ଧି ନ ଥିଲେ କି ଅନ୍ୟ କାହାର ହାତ ବି ଧରି ନଥିଲେ I ଏସବୁ ଜାଣିବା ପରେ ବହୁତ ଆଘାତ ପାଇଥିଲି ମୁଁ, ଭାବିଲି ସତରେ ମୁଁ କେତେ ଅନ୍ୟାୟ କରିଛି, କାଜଲଙ୍କ ପ୍ରତି I


XXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXX


କହୁ କହୁ ବହୁତ କଥା କହିଦେଲି, ମୁଁ I ହୃଦୟର କୋହକୁ ହୃଦୟ ଭିତରେ ଚାପି ରଖିପାରିଲିନି ମୁଁ I ପ୍ରକୃତରେ ଅଭାବ ଓ ଅସହାୟତା ମଣିଷକୁ ବହୁତ କିଛି ଶିଖାଇଥାଏ I ମୋତେ ମୋର ଅସହାୟତା ଲେଖିବା ଶିଖାଇଛି I ମୋର ଆଜି ଏ ଉପନ୍ୟାସକୁ ସେହି ଦୁଇଜଣଙ୍କୁ ମୁଁ ଉତ୍ସର୍ଗ କରୁଛି; ଯାହାଙ୍କ ପାଇଁ ଆଜି ମୁଁ ଏହି ମଞ୍ଚରେ ଠିଆ ହୋଇପାରିଛି, ସେମାନେ ହେଲେ ମୋର ଭଉଣୀ ମୁକ୍ତି ଓ ଜୀବନ ସାଥି କାଜଲ I ମୁଁ ସେମାନଙ୍କୁ ଏହି ମଞ୍ଚ ଉପରକୁ ଆସିବା ପାଇଁ ଅନୁରୋଧ କରୁଛି, କାରଣ ଏହି ଉପନ୍ୟାସ ସେମାନଙ୍କ ପାଇଁ ହିଁ ପୂର୍ଣ୍ଣାଙ୍ଗ ରୂପ ପାଇଛି I

ଧନ୍ୟବାଦ ସମସ୍ତଙ୍କୁ I


XXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXX


ସମସ୍ତଙ୍କ ଆଖିରେ ଲୁହ ଆସିଯାଇଥିଲା I ଜିତେନର ଆଖିରୁ ଅବିରତ ଭାବରେ ଲୁହ ବୋହିଚାଲିଥିଲା I


ଗ୍ରାମ - ଅଠରାଙ୍ଗ, ପୋଷ୍ଟ - ଗଡ଼ମାଣୀତୀର, ଭାୟା- ବେଗୁନିଆ, ଜିଲ୍ଲା – ଖୋର୍ଦ୍ଧା-୭୫୨୦୬୨

ମୋ-୭୯୭୮୬୩୧୪୯୮




Rate this content
Originality
Flow
Language
Cover Design