Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ସୁକୃତୀ
ସୁକୃତୀ
★★★★★

© sushama Parija

Inspirational Others

16 Minutes   14.7K    15


Content Ranking

ତୁହାକୁ ତୁହା କରତାଳି ମଧ୍ୟରେ ମଞ୍ଚ ଉପରକୁ ପ୍ରବେଶ କରୁଥିବା ମହିଳା ଜଣଙ୍କର ଚେହେରାଟି ଚିହ୍ନା ଚିହ୍ନା ମନେ ହେଉଥିଲା ଲାବଣ୍ୟର। ଉଜ୍ଜ୍ଵଳ ଆଲୋକ ବିଚ୍ଛୁରିତ ହୋଇ ପଡିଥିବା ମଞ୍ଚ ଉପରେ ଧୀର ପଦପାତରେ ଆଗେଇ ଯାଉଥିଲେ ସବୁଜ ରଙ୍ଗର ମାଣିଆବନ୍ଦୀ ପାଟ ଶାଢୀ ପିନ୍ଧା ମହିଳା ଜଣକ । ମଞ୍ଚାସୀନ ଅତିଥି ବୃନ୍ଦ ଦଣ୍ଡାୟମାନ ହୋଇ ପଡିଲେ ତାଙ୍କୁ ସମ୍ମାନ ଜଣାଇବାକୁ । ମୁଖ୍ୟ ଅତିଥି ବଢାଇ ଦେଲେ ପୁଷ୍ପ ଗଚ୍ଛ ଓ ମାନପତ୍ର, ଗଳାରେ ତାଙ୍କର ଲମ୍ବାଇ ଦେଲେ ସମ୍ମାନ ସୂଚକ ଉତ୍ତରୀୟ । ଘନ ଘନ କରତାଳି ଶବ୍ଦରେ କମ୍ପି ଉଠିଲା ସଭାସ୍ଥଳ । ସୁକୃତୀ ଦେବୀଙ୍କର ଜୟ ଧ୍ୱନିରେ ମୁଖରିତ ହୋଇ ଉଠିଲା ଗଗନ ପବନ । ଆଉ ଟିକେ ନିରିଖେଇ ଚାହିଁଲା ଲାବଣ୍ୟ , ମନେ ପକାଇବାକୁ ଚେଷ୍ଟା କଲା କେଉଁଠି ଦେଖିଛି ସେ ଏଇ ମହିଳାଙ୍କୁ । ବସ୍ ରେ କଲେଜ୍ ଗଲାବେଳେ ନା କେଉଁ ସଭା ସମିତିରେ ନା ଶାଶୁଘରର କେଉଁ ପାରିବାରିକ ଉତ୍ସବରେ ? କେଉଁଠି ? କେଉଁଠି ? ମନେ ପକାଇବାକୁ ଶତଚେଷ୍ଟା କରିବା ସତ୍ତ୍ଵେ ବି ମନେ ପକାଇବା ଲାଗି ଅସମର୍ଥ ହେଲା ଲାବଣ୍ୟ । କାହାକୁ ବା ପଚାରିବ ଭଦ୍ର ମହିଳାଙ୍କର ପରିଚୟ । ସମସ୍ତେ ତ ସଭା ଦେଖିବାରେ , ସଭାପତିଙ୍କର ଭାଷଣ ଶୁଣିବାରେ ବ୍ୟସ୍ତ । ସଭାପତି ଅନର୍ଗଳ ଭାବେ କହି ଚାଲିଥାନ୍ତି ସୁକୃତୀ ଦେବୀଙ୍କର ମହନୀୟତା ବିଷୟରେ । କେମିତି ସେ ପାଞ୍ଚଶହ ଅନାଥ ,ମୂକ ବଧିର ପିଲାମାନଙ୍କୁ ସାଇତି ରଖିଛନ୍ତି ତାଙ୍କ '' ଆଶ୍ରୟ '' ଅନାଥାଶ୍ରମରେ,କେମିତି ଦିନ ଦିନ ଧରି ସେବା କରି ଆସୁଛନ୍ତି ସେମାନଙ୍କର , ସେଥିଲାଗି କାହାରି ପାଖରେ ହାତ ପତେଇ ନାହାଁନ୍ତି ସେ । ବରଂ ନିଜର ସର୍ବସ୍ଵ ସମ୍ପତ୍ତି ଆଉ ସ୍ଵାମୀଙ୍କ ପରେ ତାଙ୍କୁ ମିଳୁଥିବା ପେନସନ୍ ଗଣ୍ଡାକ ମଧ୍ୟ ବାଜି ଲଗାଇ ଦେଇଛନ୍ତି ସେ ଇତ୍ୟାଦି ଇତ୍ୟାଦି । ଲାବଣ୍ୟର କାନ କିନ୍ତୁ ସିଆଡେ ନାହିଁ ,ସେ ମହିଳାଙ୍କର ପ୍ରକୃତ ପରିଚୟ କ'ଣ ,ସେ କଥା ଭାବି ଭାବି ତା' ମୁଣ୍ଡ ଚକ୍କର କାଟୁଛି। ସେ ଅପେକ୍ଷା କରିଛି କେତେବେଳେ ଶିତିକଣ୍ଠ ଆସି ତା' ପାଖରେ ଥିବା ଖାଲି ଚୌକିଟିରେ ବସିବେ ଆଉ ସିଏ ତାଙ୍କୁ ପଚାରି ବୁଝିବ ସେ ମହିଳାଙ୍କ ପରିଚୟ । ହୁଏତ ଶିତିକଣ୍ଠ ଜାଣି ଥାଇ ପାରନ୍ତି ତାଙ୍କ ପରିଚୟ କାରଣ ତାଙ୍କର ବନ୍ଧୁ ବଳୟ ବିସ୍ତିର୍ଣ୍ଣ , ତା ଛଡା ତାଙ୍କ ସାଇ ଭାଇ କୁଟୁମ୍ବ ବହୁତ ବେଶି। ଶିତିକଣ୍ଠ କିନ୍ତୁ ଆସୁ ନଥାନ୍ତି । ସେ ଏଇ ସଭାର ଆୟୋଜକଙ୍କ ମଧ୍ୟରୁ ଜଣେ , ତେଣୁ ସଭାରେ ତାଙ୍କର ଉପସ୍ଥିତି ଅନିବାର୍ଯ୍ୟ । ଏକା ଏକା ଦର୍ଶକ ମାନଙ୍କ ନିମିତ୍ତ ଉଦ୍ଦିଷ୍ଟ ଚୌକିରେ ପ୍ରଥମ ଧାଡିରେ ତା'କୁ ବସେଇ ଦେଇ ଯେ ଯାଇଛନ୍ତି ତ ଯାଇଛନ୍ତି । କେମିତିକା ମଣିଷ କେଜାଣି , ଟିକିଏ ହେଲେ ଭାବୁନାହାନ୍ତି ସିଏ ଏକା ଏକା ଏମିତି ବସି କ'ଣ କରୁଥିବ । ଶିତିକଣ୍ଠ ସବୁବେଳେ ସେମିତି ସଂସାର ପ୍ରତି ଉଦାସୀନ । ବିରକ୍ତିରେ ଗୁଣୁଗୁଣୁ ହୋଇ ବସି ରହିଲା ଲାବଣ୍ୟ । ମଞ୍ଚ ଉପରେ ମହିଳା ଜଣକ ତାଙ୍କର ବକ୍ତବ୍ୟ ଜାରି ରଖିଥାଆନ୍ତି । ସେଥିରୁ ଅଧା ଲାବଣ୍ୟର କାନରେ ପଶୁ ଥାଏ ତ ଅଧା ପଶୁ ନଥାଏ , ତା'ର ମନ ଘୁରି ବୁଲୁଥାଏ ସେଇ ମହିଳାଙ୍କ ଚାରିପଟେ , ଖାଲି ଚୌକିଟିରେ ଏପଟ ସେପଟ ହେଉଥାଏ ସେ ।

ନିଜର ବକ୍ତବ୍ୟ ସାରି ମଞ୍ଚ କରତାଳି ମଧ୍ୟରେ ତଳକୁ ଓହ୍ଲାଇ ଆସିଲେ ମହିଳା ଜଣକ । ସେତିକିବେଳେ କେଉଁଠି ଥିଲେ କେଜାଣି ଶିତିକଣ୍ଠ ଆସି ପହଞ୍ଚି ଗଲେ ତାଙ୍କ ପାଖରେ । ଲାବଣ୍ୟ ଦେଖିଲା ଶିତିକଣ୍ଠର ପାଦ ଛୁଇଁ ପ୍ରଣାମ କଲେ ମହିଳା ଜଣକ ଆଉ ତାଙ୍କ ହାତ ଧରି ଆଗେଇ ଆସିଲେ ତା' ପାଖରେ ପଡିଥିବା ଚୌକିଟି ଆଡକୁ । ଲାବଣ୍ୟର ପ୍ରଶ୍ନବାଚୀ ଦୃଷ୍ଟିକୁ ଚାହିଁ ହସିହସି କହିଲେ '' ଚିହ୍ନି ପାରୁନ ନା’ କଅଣ ମ’ ?

ଇଏ ପରା ଆମ ଖୁସି , ଆମ ପାର୍ବତୀ ମାଉସୀଙ୍କର ଝିଅ ମ’ ସୁଖଲତା । ମୁରୁକି ହସି ଲାବଣ୍ୟର ପାଦ ଛୁଇଁଲା ଖୁସି । କହିଲା ନୂଆନୂଆ ବାହାହୋଇ ଆସିଲା ବେଳେ ଥରେ ଅଧେ ଦେଖିଥିଲେ ଭାଉଜ ମତେ , ଆଉ ଏତେ ଦିନ ପରେ କ'ଣ ତାଙ୍କର ମନେଥିବ । ସେଇଥି ଲାଗି ପରା ବେଖୁନ ଭାଇ କେମିତି ଅଚିହ୍ନା ମଣିଷଙ୍କ ଭଳି ଚାହିଁ ରହିଛନ୍ତି । ନିଜକୁ ପ୍ରକୃତିସ୍ଥ କରି ଖୁସିର ହାତ ଧରି ପାଖ ଚୌକିଟି ଉପରେ ବସାଇ ଦେଲା ଲାବଣ୍ୟ । ତା'ର ଆଖିରେ ନାଚି ଯାଉଥିଲା ତିରିଶି ବର୍ଷ ତଳର ସେଇ ଟିପ୍ ଟପ୍ ଚେହେରାର ସାଲୁଆର୍ କାମିଜ୍ ପିନ୍ଧା ହାଇ ହିଲ୍ ପରିହିତା ସୁନ୍ଦରୀ ଷୋଡଶୀ ଖୁସି , ଯାହା ହରିଣୀ ଆଖିର କଜଳରେ ଥିଲା ଲକ୍ଷେ ଇନ୍ଦ୍ରଧନୁର ରଙ୍ଗ, ଯାହାର ପଛପଟେ ଝୁଲୁଥିବା ଲମ୍ବାବେଣୀରେ ଥିଲା ଲକ୍ଷେ ହୃଦଯ କୁ ଟାଣି ଆଣିବାର ଉଦ୍ଦାମ ଯୌବନ , ସେଇ ଖୁସି ଆଜି ର ଏ ଲୋଳିତଚର୍ମା , ପୃଥୁଳକାୟା , ପକ୍ୱକେଶା ସୁକୃତୀ ଦେବୀ ? ନିଜର ଆଖି ଦୁଇଟାକୁ ବିଶ୍ଵାସ କରି ପାରୁନଥିଲା ଲାବଣ୍ୟ । ଏମିତି ବି ପରିବର୍ତ୍ତନ ହୋଇପାରେ ମଣିଷର ? କାହିଁକି ? କେମିତି ? ଭଳି ପ୍ରଶ୍ନ ମାନେ ମିଳିମିଶି ଅସ୍ତବ୍ୟସ୍ତ କରି ପକାଉଥିଲେ ଲାବଣ୍ୟର ମନକୁ । ସେଇ ପ୍ରଶ୍ନର ଉତ୍ତର ପାଇବାକୁ ବ୍ୟାକୁଳିତ ହୋଇ ଉଠୁଥିଲା ତା'ର ମନ। ସେ ଅନୁରୋଧ କଲା ଖୁସି ଓରଫ ସୁକୃତୀ ଦେବୀଙ୍କୁ '' ଏତେ ଦିନ ପରେ ଦେଖାହେଲା ତମ ସାଥିରେ , ମନ ଖୋଲି ଦି’ପଦ କଥା ବି ହୋଇ ପାରିନି , ଆଜିକ ରହିଯାଅନା ଆମ ଘରେ ପ୍ଲିଜ୍ , କାଲି ସକାଳୁ ତମ ଭାଇ ନେଇ ଛାଡି ଦେଇ ଆସିବେ ତମ ଘରେ '' । ବିନମ୍ର ପ୍ରତ୍ୟାଖ୍ୟାନ କଲା ଖୁସି , କହିଲା '' ନାଇଁ ଭାଉଜ ଆଜି ନୁହେଁ , ମୋ ପୁଅ ଠିକ୍ ନଅଟା ବେଳକୁ ଗାଡି ଧରି ଆସି ପହଞ୍ଚିବ ମତେ ନେବା ଲାଗି, ମୁଁ ଆଉ କେବେ ସମୟ କରି ଆସିବି , ତୁମ ସହିତ ଦି’ପଦ ଦୁଃଖସୁଖ ହୋଇ ଯିବି '' । ସତକୁ ସତ ଠିକ୍ ରାତି ନଅଟା ବେଳକୁ ଗାଡି ଧରି ଆସିଥିଲା ଖୁସିର ପୁଅ । ଡ୍ରାଇଭରଟି ଆସି ଖୁସିକୁ ଡାକିବାରୁ ଲାବଣ୍ୟ ଆଉ ଶିତିକଣ୍ଠ ଦୁଇ ଜଣ ଯାକ ଗାଡି ପର୍ଯ୍ୟନ୍ତ ବଳେଇ ଦେବାକୁ ଗଲେ ଖୁସିକୁ । ଖୁବ୍ ଖୁସିରେ ସେ ପରିଚୟ କରାଇ ଦେଲା ତା'ର ପୁଅ ସହିତ '' ଇଏ ତୋର ମାମୁଁ ମାଇଁ ହେବେ , ପ୍ରଣାମ କର । ପୁଅଟି ଗାଡିରୁ ଓହ୍ଲାଇ ଆସି ପ୍ରଣାମ କଲା ଦୁଇଜଣଙ୍କୁ । ଲାବଣ୍ୟ ଦେଖିଲା ଖୁବ୍ ସୁନ୍ଦର ସୁସ୍ଥ ସବଳ ଯୁବକଟିଏ , ବୟସରେ ଖୁବ୍ ବେଶିରେ ଦଶବର୍ଷ ସାନ ହେବ ଖୁସି ଠାରୁ, ପାଦ ଛୁଇଁ ପ୍ରଣାମ କରି ଚୁପ୍ ଚାପ୍ ବସି ପଡିଲା କାର୍ ଭିତରେ । ଆଶ୍ଚର୍ଯ୍ୟରେ ଭରିଗଲା ଲାବଣ୍ୟ , ପଦୁଟିଏ କଥା ବି କହିଲାନି ଖୁସିର ପୁଅ । ସେ ଭାବୁଥିଲା ଦାମୀ କାର୍ ନେଇ ଆସିଥିବା ଭଣଜାଟିର ବୋଧହୁଏ ମାମୁଁ ମାଇଁ ପା’ ସଙ୍ଗରେ ପଡିଲେନି , ସେଥିଲାଗି କଥା ପଦେ କହିବାକୁ ପସନ୍ଦ କଲାନାହିଁ । ଧୀରେ ଧୀରେ ଖୁସିର କଥା ମନ ଭିତରେ ଫିକା ପଡିବାରେ ଲାଗିଥିଲା ।

ମାସେ ଖଣ୍ଡେ ବିତି ଯିବା ପରେ ଦିନେ ଖରାବେଳଟାରେ ଖାଇ ପିଇ ବିଶ୍ରାମ କରୁଥିବା ବେଳେ ଦାଣ୍ଡ ଦୁଆରେ ଗାଡିର ହର୍ଣ୍ଣ ଶୁଣି ଚମକି ଉଠିଲା ଲାବଣ୍ୟ । ଦରଜା ଖୋଲି ଦେଖିଲା ବେଳକୁ ଦରଜା ବାହାରେ ଖୁସି ଠିଆ ହୋଇଛି ହାତରେ ବଡ ମିଠା ପ୍ୟାକେଟଟିଏ ଧରି । ମତେ ଦେଖି କୁଣ୍ଢାଇ ପକାଇଲା, ଆଜି ତମ ପାଖରେ ରହିବି ଭାଉଜ , ସେଥିଲାଗି ଗାଡିକୁ ଫେରେଇ ଦେଲି , ଡ୍ରାଇଭରକୁ କହି ଦେଇଛି କାଲି ସକାଳୁ ଆସି ମତେ ଏଇଠୁ ନେଇଯିବ । ମନରେ ଟିକିଏ ସ୍ଵାର୍ଥୀ ହୋଇ ପଡିଥିଲା ଲାବଣ୍ୟ , ସେ ଖୁସିର ଆସିବାରେ ଯେତିକି ଆନନ୍ଦିତ ହେଉ ନଥିଲା ତା'ଠୁ ବେଶି ଆନନ୍ଦିତ ହେଉଥିଲା ଖୁସି ଜୀବନର ତିରିଶିଟି ବସନ୍ତର ଅନାଲୋଚିତ ଅଧ୍ୟାୟକୁ ଜାଣି ପାରିବ ବୋଲି । ଲୁଗାପଟା ବଦଳେଇ ଧୁଆଧୋଇ ହୋଇ ଖାଇ ସାରିଲା ପରେ ଆସି ତା' ରି ପାଖରେ ଖଟରେ ଗଡି ପଡିଲା ଖୁସି । କହିଲା ସେଦିନ ତମ ଆଖିରେ ଅନେକ ପ୍ରଶ୍ନବାଚୀ ଦେଖିଥିଲି ଭାଉଜ । ତା'ର ଉତ୍ତର ଦେବାକୁ ମୋ ପାଖରେ ସମୟ କି ସୁବିଧା ନଥିଲା, ସେଥିଲାଗି ଫେରିଗଲି । ତା'ଛଡା ମୁଁ ଭାବି ନଥିଲି ଯେ ସେଠାରେ ତୁମମାନଙ୍କ ସହିତ ଏମିତି ହଠାତ୍ ଦେଖା ହୋଇଯିବ ବୋଲି । ତା 'ପରେ ମୁଁ ଭାବି ନଥିଲି ଯେ ଏତେ ବର୍ଷ ପରେ ଏମିତି ଅବସ୍ଥାରେ ଦେଖି ଭାଇ ମତେ ଚିହ୍ନି ପାରିବେ ଆଉ ତମେ ? ତମେ ମତେ ଦେଖି ଚିହ୍ନିବ କ'ଣ ମୁଁ ତ ତମକୁ ଦେଖି ଚିହ୍ନି ପାରିଲିନି, ଭାଇ ନ କହିଥିଲେ ମୁଁ ତମକୁ ମୋଟେ ଚିହ୍ନି ପାରି ନଥାନ୍ତି । କୁଆଡ଼େ ଗଲା ତମର ସେ ରୂପ ରଙ୍ଗ ଭାଉଜ ? ଦୁଧଅଳତା ରଙ୍ଗର କଣ୍ଢେଇଟିଏ ଭଳି ଦିଶୁଥିଲ ତମେ ସେତେବେଳେ । ପ୍ରଥମ ଥର ତୁମକୁ ଦେଖିଲା ପରେ ସୁନ୍ଦରୀ ଝିଅ ବୋଲି ମୋ ମନରେ ଥିବା ଅହମିକାଟି କାଚ ଦର୍ପଣ ପରି ଭାଙ୍ଗି ଚୁରମାର ହୋଇଯାଇଥିଲା । ତଥାପି ମାଉସୀଙ୍କର ପସନ୍ଦକୁ ତାରିଫ୍ ନକରି ରହି ପାରି ନଥିଲି ମୁଁ । କହିଥିଲି କୋଉଠୁ ଟର୍ଚ୍ଚ ମାରି ଖୋଜି ଖୋଜି ବୋହୂ ଆଣିଛୁ କି ମାଉସୀ ? ଅନ୍ଧାର ଘରେ ପୁରାଇ ଦେଲେ ତୋଫା ଆଲୁଅ ଜଳେଇ ଦବ । ସେଦିନ ଲାଜରା ହସଟିଏ ହସି ମୁଣ୍ଡ ନୁଆଁଇଥିଲ ତୁମେ । ଆଜି ତମକୁ ଦେଖି କିଏ କହିବ ତମେ ସେଇ ଭାଉଜ ବୋଲି । କଥାର ମୋଡ ବୁଲାଇବା ଲାଗି ଚେଷ୍ଟା କରି କହିଲା ଲାବଣ୍ୟ ' ଛାଡ ମ ମୋ କଥା , ତମର ସେ କୋଡିଏ ଡେଇଁ ନଥିବା ଭାଉଜଟାକୁ ଆସି ପଚାଶ ଧରିଲାଣି , ପୁଅ ଝିଅଙ୍କୁ ବାହାଘର କରି ନାତି ନାତୁଣୀଙ୍କୁ ଧରି ବୁଢୀ ହେଲାଣି ସେ କଥା ତମ ମନରେ ଆସୁନି ବୋଧେ , ଅଣ୍ଟା, ଆଣ୍ଠୁ ଗଣ୍ଠି ଧରି ସଳଖି ଚାଲି ପାରୁନି ଆଉ ସୁନ୍ଦରୀ ପଣ ଖୋଜୁଛି କିଏ '' ? ତମେ ଆଗ ତମ କଥା କହିଲ , ବୟସରେ ତ ତମେ ସାନ ହେବ ମୋ ଠାରୁ , ତମର କାହିଁକି ଏଇ ଅବସ୍ଥା ? ଲୁଗାକାନିରେ ମୁହଁ ପୋଛି ଆରମ୍ଭ କଲା ଖୁସି .......।

ପାର୍ବତୀ ମାଉସୀ ଥିଲେ ଆମ ଶାଶୁଙ୍କର ପିଉସୀ ଝିଅ ଭଉଣୀ । ମଉସାଙ୍କର ଥିଲା ଗୋଟିଏ ତେଜରାତି ଦୋକାନ । ସହର ମଝାମଝି ଘର ହୋଇ ଥିବାରୁ ସେଇ ଘରେ ହିଁ ବାହାର ପଟକୁ ଆଜ୍ ବେଷ୍ଟସର ଛାତଟିକୁ ଲମ୍ବାଇ ତେଜରାତି ଦୋକାନ ଘରଟିଏ କରି ଥିଲେ ମଉସା । ଦୋକାନରେ ବେପାରବଟା ବି ଭଲ ହେଉଥିଲା । ଯାହା ରୋଜଗାର ହେଉଥିଲା ତାହା ଚଳିବା ଲାଗି ଯଥେଷ୍ଠ ଥିଲା । ପୁଅକୁ ଅନେଇ ଅନେଇ ପାଞ୍ଚ ପାଞ୍ଚଟା ଝିଅ ପରେ ପୁଅଟିଏ ହୋଇଥିଲା ମଉସାଙ୍କର । ଛୋଟ ତେଜରାତି ଦୋକାନଟିର ରୋଜଗାର ସାତ ସାତଟି ପ୍ରାଣୀଙ୍କର ଭରଣ ପୋଷଣ କରିବାକୁ ଅକ୍ଷମ ହେଲା । କ୍ରମେ କ୍ରମେ ଘରେ ଅଭାବ ବଢିଲାରୁ ମଉସା ମାଉସୀଙ୍କ ମଧ୍ୟରେ ଖିଟ୍ ଖାଟ୍ ଲାଗି ରହିଲା । ପାଞ୍ଚ ଝିଅ ପାଠ ପଢିବାକୁ ଯିବା ବେଳକୁ ସାନ ପୁଅଟି ମାଆ କୋଳରେ କ୍ଷୀର ଟୋପାଏ ଲାଗି ଡହକ ବିକଳ ହେଉଥିଲା । ଏମିତି କିଛିଦିନ ବିତିଗଲା ପରେ ମାଉସୀ ପାଖ ପାନ ଦୋକାନରୁ ଗୁଆ ଆଣି କଟାକଟି କରି , ଘରେ ବଡି ତିଆରି କରି ବିକ୍ରି କରି କିଛି ପଇସା ରୋଜଗାର କରୁଥିଲେ । ଧୀରେ ଧୀରେ ସେତକ ବି ନିଅଣ୍ଟ ପଡିଲା ପରିବାରର ଖର୍ଚ୍ଚ ତୁଲାଇବାକୁ । ଖୁସି ସେତେବେଳକୁ ମାଟ୍ରିକ ପରୀକ୍ଷା ଦେଉଥାଏ । ବର୍ଷିକିଆ ଛୁଆ ହୋଇ ଥିବାରୁ ତା 'ତଳ ଭଉଣୀ ମାନେ ତା' ତଳ ଶ୍ରେଣୀ ମାନଙ୍କରେ ପଢୁଥାଆନ୍ତି । ନିଜେ ପାଠ ପଢୁଥିବା ବେଳେ କେବେ ଟିଉସନଟିଏ ନ ହୋଇଥିବା ଖୁସି କିନ୍ତୁ ସାନ ଭଉଣୀ ମାନଙ୍କୁ ଘରେ ପଢାଇଲା ବେଳେ ସାହୀରୁ ଆଉ ଦି’ଚାରିଟା ପିଲାଙ୍କୁ ବସାଇ ଟିଉସନ କରେ । ଯିଏ ଯାହା ଖୁସିରେ ଦିଅନ୍ତି ସେତକ ନେଇ ମାଆକୁ ଦେଇଥାଏ । ଗୁଣ୍ଡୁଚି ମୂଷାଟିଏ ଭଳି ସେ ମଧ୍ୟ ପରିବାର ଚଳାଇବାରେ ସାହାଯ୍ୟ କରିଥାଏ ମଉସା ମାଉସୀଙ୍କୁ ।

ଖୁସି ଥିଲା ଜଣେ ମେଧାବୀ ଛାତ୍ରୀ , ମନ ଲଗାଇ ପିଲାମାନଙ୍କୁ ପାଠ ପଢାଉଥିଲା ,ପିଲାମାନେ ସ୍କୁଲରେ ଭଲ ନମ୍ବର ରଖିବାରୁ ଧୀରେ ଧୀରେ ଟିଉସନରେ ପିଲାଙ୍କ ସଂଖ୍ୟା ବଢିବାକୁ ଲାଗିଲା । ଏବେ ଆଉ ଖୁସିର ଛୋଟ ଘରଟିରେ ପିଲାମାନଙ୍କୁ ବସି ପଢିବା ନିମନ୍ତେ ଯଥେଷ୍ଟ ଯାଗା ହେଉନଥିଲା । ଅଭିଭାବକ ମାନେ ଆସି ଅନୁରୋଧ କରୁଥିଲେ ଖୁସିକୁ ସେମାନଙ୍କ ଘରେ ଯାଇ ତାଙ୍କ ପିଲାମାନଙ୍କୁ ଟିଉସନ କରିବା ଲାଗି , ସେଥିପାଇଁ ସେମାନେ ଅଧିକ ପାରିଶ୍ରମିକ ମଧ୍ୟ ଦେବାକୁ ପ୍ରସ୍ତୁତ ଥିଲେ । ଖୁସି କ୍ରମେ କ୍ରମେ ଘରୋଇ ଶିକ୍ଷକ ପାଲଟି ଗଲା । ଅଧିକ ପଇସା ରୋଜଗାର ହେବାରୁ ମଉସା ମାଉସୀ ମଧ୍ୟ ମନରେ ଖୁସି ହେଉଥିଲେ । କିନ୍ତୁ ଖୁବ୍ ଶୀଘ୍ର ଖୁସି ଜାଣି ପାରିଲା ଯେ ଏଇ ପେଷାଟି ତା'ଲାଗି ନିରାପଦ ନୁହେଁ । କାରଣ ସେ ଥିଲା ଅସାମାନ୍ୟା ସୁନ୍ଦରୀ, ସେଥିରେ ପୁଣି ଅଳ୍ପ ବୟସୀ , ଅଭିଭାବକ ମାନଙ୍କ ଶ୍ୟେନଦୃଷ୍ଟି ପ୍ରାୟତଃ ତା' ଉପରେ ଘୁରି ବୁଲୁଥିଲା , କେହି କେହି ଅଶ୍ଳୀଳ ଇଙ୍ଗିତ ବି କରିବାକୁ ପଛାଉ ନଥିଲେ । ଏବେ ସେ ଖୁବ୍ ଭାବିଚିନ୍ତି ଟିଉସନ ପିଲା ଠିକ୍ କରୁଥିଲା । ସେଇ ସମୟରେ ସାହୀର ବାବାଜୀ ମଉସା ଗୋଟିଏ ଭଲ ପ୍ରସ୍ତାବ ଦେଲେ। ସିଏ ଯେଉଁ ବାବୁଙ୍କ ଘରେ ରୋଷେଇବାସ କରୁଥିଲେ , ସେଇ ମାଲିକଙ୍କର ଦୁଇଟି ଯାଆଁଳା ପୁଅ , ଢନ୍ମରୁ ମୂକ ବଧିର , ସେଇ ମାନଙ୍କର ରକ୍ଷଣାବେକ୍ଷଣ କରିବା ଲାଗି । ପିଲାଙ୍କ ମାଆ ସାଙ୍ଘାତିକ ଭାବରେ ଅସୁସ୍ଥ ହୋଇ ଶଯ୍ୟାଶାୟୀ , ସେଥିଲାଗି ମାଲିକ ବ୍ୟାଙ୍କ ଚାକିରୀରୁ ସ୍ଵେଚ୍ଛାକୃତ ଅବସର ଗ୍ରହଣ କରି ନିଜର ବ୍ୟବସାୟ କରୁଛନ୍ତି । ମାଲିକାଣୀଙ୍କୁ ବହୁତ ଭଲ ପାଆନ୍ତି ମାଲିକ, ସେଥିଲାଗି ଦଣ୍ଡେ ହେଲେ ତାଙ୍କ ପାଖରୁ ଉଠନ୍ତି ନାହିଁ , ତାଙ୍କର ସବୁ କାମ ନିଜ ହାତରେ କରନ୍ତି, ଘରର ବାସନ ମଜା, ଝଡାପୋଛା , ଲୁଗା ପଟା ସଫା କରିବା ଲାଗି ମଲ୍ଲୀମାଆ ଅଛି , ରୋଷେଇବାସ, ବଜାର ଘାଟ କରିବାକୁ ମୁଁ ଅଛି ଆଉ ରହିଲା ପିଲାମାନଙ୍କର ଦାୟିତ୍ବ । ସେଇଥିପାଇଁ ବାବୁ ଅନେକ ଦିନ ହେବ ମତେ କହିଲେଣି ଗୋଟିଏ ଭଲ ଲୋକଟିଏ ଖୋଜି ଦେବାପାଇଁ । ମୁଁ ଚାରିଆଡେ ଖୋଜି ଖୋଜି ଥକିଲିଣି , ଭରସା ଯୋଗ୍ୟ ଲୋକଟିଏ ହୋଇଥିବ ପୁଣି ନିଜର ପିଲା ଭଳି ଦେଖିବ ସେ ପିଲା ଦୁଇଟିଙ୍କୁ ,ଏମିତିକା ଲୋକଟିଏ ମୋ ଆଖିକୁ କେହି ଦିଶୁ ନାହାନ୍ତି । ଆମ ଖୁସି ତ ଏଠି ପିଲାମାନଙ୍କୁ ପାଠପଢାଇ କେଡେ ଯତନରେ ରଖୁଛି ମୁଁ ଦେଖୁଛି । ବାରଆଡେ ବୁଲି ପଢେଇବା ଅପେକ୍ଷା ଆମ ବାବୁଙ୍କ ଘରେ ରହି ତାଙ୍କରି ପିଲାମାନଙ୍କୁ ଦେଖାଶୁଣା କଲେ ଭଲ ହୁଅନ୍ତା । ସକାଳୁ ମୋ 'ରି ସାଥୀରେ ଯାଆନ୍ତା ପୁଣି ସଞକୁ ମୋ ସାଥିରେ ଆସନ୍ତା । ଝିଅଟି ମୋ ସାମନାରେ ରହନ୍ତା ସୁରକ୍ଷିତ ହୋଇ । ପଇସା କଥା କିଛି ଚିନ୍ତା କରିବାର ନାହିଁ , ଯାହା କହିବ ମାଲିକ ଦେବେ। ବହୁତ ବଡ ମନ ତାଙ୍କର , ଖୁସିର କାମରେ ଖୁସି ହେଲେ ସେ ତା' ର ବାହାଘର ବେଳେ ମଧ୍ୟ ତମକୁ ସାହାଯ୍ୟ କରି ପାରନ୍ତି । ବାବାଜୀ ଦାଦାଙ୍କର କଥା ମନକୁ ପାଇଲା ସମସ୍ତଙ୍କର। ତା' ପର ଦିନ ସକାଳୁ ଉଠି ଖୁସି ଗଲା ବାବାଜୀ ଦାଦାଙ୍କ ସାଥିରେ ପରିତୋଷ ଚୌଧୁରୀଙ୍କ ଘରକୁ, ତାଙ୍କର ଦୁଇ ପୁତ୍ରଙ୍କର ଦେଖାଶୁଣା କରିବା ଲାଗି ।

ସେଠାରେ ପହଞ୍ଚି ଦେଖିଲା ବିରାଟ ଏକ ଦ୍ଵିତଳ ପ୍ରାସାଦ, ସାମନାରେ ଜାତି ଜାତିକା ଫୁଲର ସୁନ୍ଦର ବଗିଚା , ବାହାରେ ବିରାଟ ଷ୍ଟିଲ ଗେଟ୍ ପାଖରେ ଦରୱାନଟିଏ , ଦୁଇପଟେ ମୁଲାୟମ ଘାସର ଗାଲିଚା , ମଝିରେ ଥିବା ସରୁ ରାସ୍ତାଟି ଲମ୍ବି ଯାଇଛି ଘରର ପାହାଚ ଯାଏ । ପାହାଚ ଡେଇଁ ଘରେ ପାଦ ରଖିଲା ଖୁସି , ଚଟାଣରେ ପଡିଥିବା ଦାମୀ ଗାଲିଚା ଫୁଲ ଭଳିଆ କୋମଳ ଲାଗୁଥାଏ ଖୁସିର ପାଦକୁ , ସେ ବହେ ଘରେ ପଡିଥିବା ଦାମୀ ଆସବାବପତ୍ର ଉପରେ ଆଖି ବୁଲେଇ ଆଣୁଥାଏ ତ ବହେ ବାବାଜୀ ଦାଦାଙ୍କର ମୁହଁ ଉପରେ । ଖୁସିକୁ ଲାଗୁଥାଏ ସତେକି ସେ ସ୍ବର୍ଗରେ ପହଞ୍ଚିଛି , ତା' ଆଖିରେ ପଲକ ପଡୁନଥାଏ । ଦୁଇ ତିନୋଟି ରୁମ୍ ଅତିକ୍ରମ କରି ସେମାନେ ପହଞ୍ଚିଲେ ଗୋଟିଏ ବଡ ରୁମରେ , ଯେଉଁଠି ଗୋଟିଏ ବିରାଟ ପଲଙ୍କ ଉପରେ ଆଖି ବନ୍ଦ କରି ଶୋଇ ରହିଥିଲେ ଜଣେ ଶୀର୍ଣ୍ଣକାୟା ଭଦ୍ର ମହିଳା, ପଲଙ୍କ ପାଖରେ ପଡିଥିବା ସୁନ୍ଦର ଚୌକିଟିରେ ବସି ରହିଥିଲେ ଜଣେ ଭଦ୍ର ଲୋକ । ଉଭୟଙ୍କ ଚେହେରାରେ ସମ୍ଭ୍ରାନ୍ତ ପରିବାରର ଚିହ୍ନ ସୁସ୍ପଷ୍ଟ । ମୁଣ୍ଡ ଝୁଙ୍କାଇ ହାତଯୋଡି ଦୁଇ ଜଣଙ୍କୁ ପ୍ରଣାମ କଲେ ବାବାଜୀ ଦାଦା ଆଉ ଆଖିର ଇସାରାରେ ଖୁସିକୁ ମଧ୍ୟ ଜଣାଇ ଦେଲେ ସେମିତି କରିବା ଲାଗି । ନମସ୍କାରଟିଏ ପକାଇ ଚୁପ୍ ଚାପ୍ ମୁଣ୍ଡ ନୁଆଁଇ ଠିଆହେଲା ଖୁସି । ବାବାଜୀ ଦାଦା ଠାରୁ ସବୁ କଥା ଶୁଣିବା ପରେ ମାଲିକ ତାକୁ ପିଲାଙ୍କ ପାଖକୁ ନେଇ ଯିବାକୁ କହିଲେ। ଖୁସିକୁ ନେଇ ପିଲାମାନେ ରହୁଥିବା ଘରଟିରେ ଛାଡି ଦେଇ ଆସିଲେ ଆଉ ବୁଝେଇ ଦେଲେ ଯେ କ'ଣ କ'ଣ ତାକୁ କରିବାକୁ ପଡିବ । ତାଙ୍କର କଥାରୁ ବୁଝିଲା ଖୁସି ଯେ ପିଲା ଦିନରୁ ସେମାନେ ମାଆର ଆଦର ଯତ୍ନ ପାଇ ବଢିଥିଲେ ଏବେ ମାଆ ରୋଗୀଣା ହେବାରୁ ସେମାନଙ୍କୁ ଦେଖାଶୁଣା କରିବା ସମ୍ଭବ ହେଉନାହିଁ , ମୂକ ବଧିର ହୋଇ ଥିବାରୁ ଦୁଇ ଭାଇ ଯାକ ନିଜର ମନୋଭାବ କାହା ଆଗରେ ପରିପ୍ରକାଶ କରି ପାରୁ ନାହାଁନ୍ତି କିମ୍ବା କଲେ ମଧ୍ୟ କେହି ତାଙ୍କ କଥା ଠିକ୍ ଭାବରେ ବୁଝି ପାରୁନାହାଁନ୍ତି ଯେଉଁଥିଲାଗି ସେମାନଙ୍କ ଭିତରେ ଚିଡ୍ ଚିଡା ସ୍ୱଭାବ ବୃଦ୍ଧି ପାଇଛି ଆଉ ସେମାନେ ଜିନିଷ ପତ୍ର ସବୁ ଫିଙ୍ଗା ଫୋପଡ଼ା କରି ଦେଉଛନ୍ତି । ପିଲା ଦୁଇଟିଙ୍କୁ ଚାହିଁଲା ଖୁସି , ଯାଆଁଳା ପୁଅ ଦୁଇଟି , ସାତ ଆଠ ବର୍ଷର ହେବେ ବୋଧହୁଏ, ବେଶ୍ ଗୋରା ତକତକ ଡଉଲଡାଉଲ ଚେହେରା, ନୀଳନୀଳ ଆଖି ଚାରୋଟି ତୋଳି ନିରୀହ ଦୃଷ୍ଟିରେ ଚାହିଁ ରହିଛନ୍ତି ତା 'କୁ । ସେମାନଙ୍କର ଏମିତି ଭାବ ଦେଖି ଦୟା ଆସିଲା ଖୁସିର ମନରେ।

ପାଦ ଚିପିଚିପି ସେମାନଙ୍କ ପାଖକୁ ଗଲା ଆଉ ସେମାନଙ୍କୁ ନିଜ ଛାତିରେ ଜଡାଇ ଧରିଲା । ମନେମନେ ଭାବିଲା , ଆହା ବିଚରା ପିଲା ଦୁଇଟି ! ମଆର ସ୍ନେହ ଟିକିଏ ପାଇବାକୁ କି ଡହକ ବିକଳ ହେଉଥିବେ ସତେ । ନିଜ ଅଜାଣତରେ ଦି’ଟୋପା ଲୁହ ଗଡି ଯାଇଥିଲା ତା ଆଖିରୁ । ପିଲା ଦୁଇଟି ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଲାଖି ରହିଥିଲେ ତା ଛାତିରେ ।

ସେଇଠୁ ଆରମ୍ଭ ହୋଇଥିଲା ଖୁସିର ନୂଆ ଜୀବନ । ସେଇ ମୂକ ବଧିର ପୁଅ ଦୁଇଟି ପାଲଟି ଯାଇଥିଲେ ଖୁସିର ଜୀବନ। ସେଇ ମାନଙ୍କ ପାଇଁ ରାତି ରାତି ଅନିଦ୍ରା ରହି ସେ ମୂକ ବଧିର ମାନଙ୍କ ଭାଷା ଶିଖିଲା , ସେମାନଙ୍କୁ ମୂକ ବଧିର ସ୍କୁଲରେ ଆଡମିଶନ୍ କରି ସାଙ୍ଗରେ ନେଇ ଯିବା ଆସିବା କରୁକରୁ ସେ ଏତେ ଦକ୍ଷତା ଲାଭ କରିଥିଲା ସେମାନଙ୍କ ଭାଷା, ଚାଲି ଚଳନ , ବ୍ୟବହାରରେ ଯେ ଦିନେ ସେ ସ୍କୁଲର ଅଧ୍ୟକ୍ଷ ଡାକି କହିଥିଲେ ମାଲିକ ପରିତୋଷ ଚୌଧୁରୀଙ୍କୁ '' ସାର୍, ଆପଣଙ୍କ ଆୟାଟି ବଡ ବୁଦ୍ଧିମତୀ , ଏଇ ବର୍ଷଟିଏ ପିଲାମାନଙ୍କୁ ନେବା ଆଣିବା କରି ,ତାଙ୍କ ପାଖରେ ବସିବସି ସେ ଯେତିକି ଜ୍ଞାନ ଆହରଣ କରିଛି ନା ସେ ଆରାମରେ ଗୋଟିଏ ମୂକ ବଧିର ବିଦ୍ୟାଳୟ ଚଳେଇ ପାରିବ । ମୁଁ ତା ସହିତ କଥାବାର୍ତ୍ତା କରୁଥିଲି , ସେ ଇଣ୍ଟର୍ ପାସ୍ କରିଛି , ଆପଣ ଚାହିଁଲେ ତାକୁ ପ୍ରାଇଭେଟରେ ପରୀକ୍ଷା ଦିଆ କରେଇ ଗ୍ରାଜୁଏଟ୍ ଟିଏ କରେଇ ପାରିବେ। ମୁଁ ମଧ୍ୟ ଚେଷ୍ଟା କରିବି ତାକୁ ମୂକ ବଧିର ପିଲାମାନଙ୍କୁ ପଢାଇବା ଲାଗି ସାର୍ଟିଫିକେଟଟିଏ କରେଇ ଦେବା ଲାଗି । ଝିଅଟିର ସ୍ୱଭାବ ଖୁବ୍ ଭଲ, ତା'ର ନିଷ୍ଠା ଅଛି , କିଛି କରି ଦେଖାଇବାର ଆକାଂକ୍ଷା ମଧ୍ୟ ଅଛି , ଆପଣଙ୍କ ପାଖରେ ପଇସା ଅଛି , ସାମର୍ଥ୍ୟ ବି ଅଛି , ଆପଣ ମନା କରନ୍ତୁ ନାହିଁ ସାର୍ । ଚିନ୍ତା କରନ୍ତୁ ସେ ଝିଅଟି ଆପଣଙ୍କ ପିଲାମାନଙ୍କର କେତେ ସେବା କରୁଛି , ତା' ପାଇଁ କିଛି କଲେ ଆପଣଙ୍କ ପିଲାମାନଙ୍କର ମଙ୍ଗଳ ହେବ। ବର୍ଷକ ଆଗରୁ ଖୁସି ତାଙ୍କ ଘରେ କାମ କରୁଥିଲେ ମଧ୍ୟ ତାକୁ ଭଲ ଭାବରେ ଦେଖିବାକୁ କିମ୍ବା ତା' ବିଷୟରେ କିଛି ଜାଣିବାକୁ ଚେଷ୍ଟା କରି ନଥିଲେ ପରିତୋଷ ଚୌଧୁରୀ , ଖାଲି ଏତିକି ଜାଣିଥିଲେ ଯେ ତାଙ୍କ ପୁଅ ରବିନ୍ ଆଉ ଜୁବିନଙ୍କ କଥା ଖୁସି ଭଲରେ ବୁଝୁଛି ଆଉ ପିଲାମାନେ ତା' କୁ ମାଆ ଭଳି ଆଦରି ନେଇଛନ୍ତି । ଆଜି ପିଲାଙ୍କ ସ୍କୁଲର ଅଧ୍ୟକ୍ଷ ଖୁସି ବିଷୟରେ ଆଲୋଚନା କରିବା ପରେ ସେ ଘରକୁ ଫେରି ପ୍ରଥମେ ପଶିଲେ ପିଲାମାନଙ୍କର ରୁମକୁ । ବୋଧହୁଏ ପିଲମାନେ ଖାଇସାରି ଶୋଇ ଯାଇଥିବେ ଭାବି ଦୁଆରମୁହଁରୁ ଫେରି ଆସୁଛନ୍ତି ସେ ଦେଖିଲେ ବେଡ୍ ଉପରେ ଖୁସିର ଦୁଇ ପଟେ ଶୋଇ ରହିଛନ୍ତି ରବିନ୍ ଆଉ ଜୁବିନ୍, ଖୁସିର ଗଳାରେ ବେଢି ରହିଛି ଦୁଇଜଣଙ୍କ ହାତ , ଠିକ୍ ଯେମିତି ତାଙ୍କ ପତ୍ନୀ ସୁକୃତୀ ସୁସ୍ଥ ଥିବା ବେଳେ ଶୋଉଥିଲେ ସେମାନେ । ପୁଅ ମାନଙ୍କ ମୁହଁରେ ଲାଖି ରହିଛି ଗଭୀର ଆତ୍ମତୃପ୍ତିର ହସଧାରେ , ଯାହା ସେ ସୁକୃତୀ ଅସୁସ୍ଥ ହେବା ପରଠାରୁ କେବେ ବି ଦେଖି ନଥିଲେ। ଆଖିରେ ଲୁହ ଜକେଇ ଆସିଲା ତାଙ୍କର। ଭାବିଲେ ବିଗତ ପାଞ୍ଚ ବର୍ଷ ଧରି ସେ ସୁକୃତୀଙ୍କ ଲାଗି ଏତେ ବ୍ୟସ୍ତ ଅଛନ୍ତି ଯେ ପୁଅ ମାନଙ୍କର ଧ୍ୟାନ ରଖି ପାରିନାହାନ୍ତି ଠିକ୍ ରେ । ଖାଲି ସୁକୃତୀଙ୍କ କଥା ହିଁ ଭାବିଛନ୍ତି । କେମିତି ସୁକୃତୀ ଏଇ ମାରାତ୍ମକ ବୋନ୍ କ୍ୟାନସରରୁ ଭଲ ହେବେ , ସେଇ କଥା ଭାବି ଭାବି ଦିନରାତି ଏକାକାର କରି ଲାଗି ରହିଛନ୍ତି । ସହରର ସବୁ ଭଲ ହସ୍ପିଟାଲ, ସବୁ ବଡ ଡାକ୍ତରମାନେ ବିଫଳ ହୋଇଛନ୍ତି ସୁକୃତୀଙ୍କୁ ଆରୋଗ୍ୟ କରିବା ଲାଗି । ଦିନକୁ ଦିନ ତାଙ୍କର ଅବସ୍ଥା ଖରାପ ହେବାକୁ ଲାଗିଛି ସିନା ଭଲ ହେଉନାହିଁ । ପିଲାମାନଙ୍କୁ ଅବହେଳା ପ୍ରଦର୍ଶନ କରିଥିବାର ପଶ୍ଚାତାପରେ ମନଟା ଭାରି ହୋଇ ଯାଉଥିଲା ତାଙ୍କର । ଆଖି ଫେରେଇ ଖୁସି ଆଡ଼କୁ ଚାହିଁଲେ ପରିତୋଷ ଚୌଧୁରୀ, କାମ କରି ଥକି ଶୋଇ ପଡିଛି ଖୁସି , ଗୋରା ରଙ୍ଗ , ପୁରିଲା ପୁରିଲା ଚେହେରା, ମୁହଁ ଉପରକୁ ଝୁଲି ରହିଥିଲା ଅଡୁଆ ବାଳ କେରାକ ତା' କପାଳର ଶୋଭା ବଢାଉଛି ସିନା କମାଉ ନାହିଁ । କେତେ ହେବ ବୟସ ଝିଅଟିର ? ତାଙ୍କର ଅଧାରୁ ବି କମ୍ ହୋଇପାରେ । ତଥାପି ଝିଅଟିର ମନୋବଳ ଖୁବ୍ ବେଶୀ ।

ସ୍ଵଳ୍ପ ରୋଜଗାରୀ ବାପଟିକୁ ସାହାରା ଦେବାକୁ, ଭାଇଭଉଣୀଙ୍କୁ ପାଠ ପଢେଇ ମଣିଷ କରିବା ଲାଗି ପରଘରେ କାମ କରୁଛି , ପୁଣି ଏତେ ସଚ୍ଚୋଟ ଯେ ତାଙ୍କ ପୁଅ ମାନଙ୍କୁ ନିଜର ଭାବି ଏମିତି ଆପଣେଇ ନେଇଛି ଯେ ସେମାନେ ନିଜର ମାଆକୁ ବି ଖୋଜୁ ନାହାଁନ୍ତି ଆଉ। ପରିତୋଷ ଚୌଧୁରୀଙ୍କର କେମିତି ଗୋଟାଏ ମାୟା ଆସିଗଲା ଝିଅଟି ଉପରେ ।

ତା' ପର ଦିନ ସକାଳୁ ସକାଳୁ ହଠାତ୍ ଶ୍ୱାସ ଆରମ୍ଭ ହୋଇଥିଲା ସୁକୃତୀ ଦେବୀଙ୍କର । ଡାକ୍ତରଙ୍କୁ ଡାକି ଚିକିତ୍ସା କରୁକରୁ ସଞବେଳେ ପ୍ରଥମ ହୃଦ୍ ଘାତ ହୋଇଗଲା ତାଙ୍କର। ଚତୁର୍ଦ୍ଦିଗ ଅନ୍ଧକାର ଦେଖାଗଲା ପରିତୋଷ ଚୌଧୁରୀଙ୍କୁ । ଯେଉଁ ପ୍ରାଣପ୍ରିୟା ପତ୍ନୀଙ୍କୁ ବଞ୍ଚାଇବା ଲାଗି ଉଚ୍ଚ ଦରମାର ବ୍ୟାଙ୍କ ଚାକିରୀ ଛାଡି ପାଞ୍ଚ ବର୍ଷ ହେଲା ତାଙ୍କ ପାଖରେ ଜଗି ବସିଥିଲେ , ଆଜି ସେଇ ପ୍ରିୟତମାଙ୍କର ଶେଷ ଅବସ୍ଥା ଦେଖି ଛାତି କୋରି ହୋଇଯାଉଥିଲା ତାଙ୍କର । ଖାଲି ଈଶ୍ବରଙ୍କୁ ପ୍ରାର୍ଥନା କରିବା ଛଡା ଆଉ କିଛି ବାଟ ନଥିଲା ତାଙ୍କର।

ରାତିରେ ସେମିତି ଅନିଦ୍ରା ହୋଇ ଜଗି ବସିଥାଆନ୍ତି ସେ ସୁକୃତୀ ଦେବୀଙ୍କର ବେଡ୍ ଉପରେ । ହାତରେ ମୁଠେଇ ଧରିଥାନ୍ତି ସୁକୃତୀଙ୍କ ହାତ , ସତେକି ମୁଠାଟି ହୁଗୁଳା ହୋଇଗଲେ ସେ ଛାଡି ପଳେଇଯିବେ ପରିତୋଷଙ୍କୁ। ଶତ ଚେଷ୍ଟା କରି ମଧ୍ୟ ଅଟକେଇ ପାରିଲେନି ପରିତୋଷ ସୁକୃତୀ ଦେବୀଙ୍କୁ । ରାତି ତିନିଟା ବେଳକୁ ହୋଇଥିଲା ଶେଷ ହୃଦ୍ ଘାତ, ଅନ୍ତ ହୋଇଥିଲା ସୁକୃତୀ ଦେବୀଙ୍କର ଯନ୍ତ୍ରଣାମୟ ଜୀବନର।

ଖବର ପାଇ ଦୌଡି ଆସିଥିଲେ ବାବାଜୀ ଆଉ ଖୁସି । ପତ୍ନୀଙ୍କୁ ହରାଇ ଭାଙ୍ଗି ପଡିଥିବା ପରିତୋଷ ଆଉ ମାତୃହରା ପିଲା ଦୁଇଟିଙ୍କୁ ସାନ୍ତ୍ବନା ଦେଇ ତାଙ୍କ ଦୁଃଖରେ ସମଭାଗୀ ହେବା ଲାଗି । ସକାଳୁ ସକାଳୁ ସୁକୃତୀ ଦେବୀଙ୍କର ଶବକୁ ନେଇଗଲେ ପୁରୀ । ସ୍ବର୍ଗଦ୍ବାରରେ ତାଙ୍କର ଦାହ ସଂସ୍କାର ସାରି ଫେରିଲେ ଘରକୁ ।

ଏତେ ବଡ ଘରଟା ଯେମିତି ଖାଇ ଗୋଡାଉଥିଲା ପରିତୋଷଙ୍କୁ। ଘରେ ବାହାରେ ବାଡି ବଗିଚାରେ ଯୁଆଡେ ଚାହିଁଲେ ସୁକୃତୀଙ୍କ ମୁହଁଟା ସବୁବେଳେ ଦେଖା ଯାଉଥିଲା । ପାଗଳଙ୍କ ଭଳି ହେଉଥିଲେ ପରିତୋଷ । ଏଡେ ବଡ ଏଡେ ସୁନ୍ଦର ମଣିଷଟା ମାସକ ଭିତରେ କଣ୍ଟା ହୋଇ କତରାଲଗା ହୋଇ ଗଲା । ମାଲିକଙ୍କର ଏମିତି ଅବସ୍ଥା ଦେଖି ସମ୍ଭାଳି ପାରିଲାନି ଖୁସି । ଆଗରୁ ମାଲିକଙ୍କର ସାମନାରେ ଠିଆ ହୋଇ କଥା କରୁନଥିବା ଝିଅଟି ତାଙ୍କ ବିପଦ ବେଳେ ବନ୍ଧୁଟିଏ ହୋଇ ଠିଆ ହେଲା , ତାଙ୍କର ଦୁଇ ପିଲାଙ୍କ ସହିତ ତାଙ୍କୁ ବି ପିଲାଟିଏ ଭଳି ସମସ୍ତ ଦାୟିତ୍ବ ବହନ କରି ସମ୍ଭାଳି ନେଲା । ସେଇ କେତେ ଦିନ ଖୁସିର ସେବା ଶୁଶ୍ରୁଷାରେ ପରିତୋଷ ପୁଣି ଥରେ ଫେରି ଆସିଥିଲେ ପୂର୍ବ ଅବସ୍ଥାକୁ । ଧୀରେ ଧୀରେ ଖୁସିର ସାନିଧ୍ୟ ଭଲ ଲାଗିବାକୁ ଆରମ୍ଭ କରିଥିଲା ପରିତୋଷ ଚୌଧୁରୀଙ୍କୁ । କେମିତି କେଜାଣି ସେ ଟାଣି ହୋଇ ଯାଉଥିଲେ ଖୁସି ଆଡକୁ । ତାଙ୍କ ଅଜାଣତରେ ସୁକୃତୀଙ୍କ ସ୍ଥାନ ଅଧିକାର କରି ବସିଥିଲା ଖୁସି । ସେ ଚାହୁଁଥିଲେ ଖୁସି ସବୁବେଳେ ତାଙ୍କ ପାଖରେ ଥାଉ । ସେମିତି ତାଙ୍କର ପିଲାମାନଙ୍କର ଓ ତାଙ୍କର ସେବା କରୁଥାଉ ,ତାଙ୍କ ଭିତରେ ନୂଆ ଉତ୍ସାହ ଉଦ୍ଦୀପନା ସୃଷ୍ଟି କରୁଥାଉ । କିନ୍ତୁ ମୁହଁଖୋଲି କିଛି କହି ପାରୁ ନଥିଲେ ଖୁସିକୁ କାଳେ ଖୁସି କ'ଣ ଭାବିବ ବୋଲି।

ଦିନେ ମନରେ ଖୁବ୍ ସାହସ ବାନ୍ଧି ମନର କଥା ଜଣାଇଲେ ଖୁସିକୁ । ପ୍ରଥମେ ତ ଆଚମ୍ବିତ ହୋଇ ସେ ତାଙ୍କୁ ଚାହିଁଲା , କିଛି ସମୟ ପରେ ପ୍ରକୃତିସ୍ଥ ହୋଇ କହିଲା '' ମୋ ମନରେ ବି ଖୁବ୍ ସମ୍ମାନ ଅଛି ଆପଣଙ୍କ ପାଇଁ ବାବୁ ହେଲେ ପ୍ରେମ ଅଛି କି ନାହିଁ ସେଇଟା ମୁଁ କହି ପାରିବିନି । ତା ଛଡା ମୋ ଉପରେ ମୋର ବାପା ମାଆଙ୍କର , ମୋ ଭାଇ ଭଉଣୀଙ୍କର ଦାୟିତ୍ବ ଅଛି , ସେ ସବୁକୁ କ'ଣ ମୁଁ ଛାଡି ଦେଇ ପାରିବି ?

ଆମେ ଗରିବ ଲୋକ ବାବୁ ! ଆପଣଙ୍କ ପ୍ରସ୍ତାବ ସ୍ବୀକାର କଲେ ଲୋକେ କହିବେ ଧନ ଲୋଭରେ ମୋ ବାପା ଝିଅଟିକୁ ବିକିଦେଲେ ବୋଲି । ସେ ନିନ୍ଦା ମୁଁ ସହି ପାରିବିନି । ମୁଁ ନାଚାର ବାବୁ ! ମତେ କ୍ଷମା କରି ଦିଅନ୍ତୁ ''। ଆଉ ଅଧିକ କିଛି କହିପାରି ନଥିଲେ ପରିତୋଷ । ଘରକୁ ଫେରି ଯାଇଥିଲା ଖୁସି। ତା'ପରେ ଆଉ ଆସି ନଥିଲା ସାତଦିନ ତାଙ୍କ ଘରକୁ । ରବିନ୍, ଜୁବିନ୍ ଖୁସିକୁ ଝୁରି ଝୁରି ଖାଇବା ପିଇବା ଛାଡି ଦେଇଥିଲେ, ନିଜେ ପରିତୋଷ ବି କମ୍ ଛଟପଟ ହୋଇ ନଥିଲେ ଖୁସିକୁ ଟିକେ ଦେଖବା ପାଇଁ। କେମିତି ଗୋଟାଏ ଦୋଷୀ ଦୋଷୀ ଭାବ ଆବୋରି ବସିଥିଲା ତାଙ୍କୁ।

ଅଷ୍ଟମ ଦିନ ଆସିଥିଲା ଖୁସି । ହାତ ଯୋଡ଼ି ଠିଆ ହୋଇ ଥିଲା ପରିତୋଷଙ୍କ ଆଗରେ। କହିଥିଲା '' ବହୁତ ଚେଷ୍ଟା କଲି ବାବୁ ! ଆପଣଙ୍କୁ , ରବିନ୍ ଜୁବିନଙ୍କୁ , ଏ ଘଲକୁ ଛାଡି ରହିବି ବୋଲି , ହେଲେ ରହି ପାରିଲିନି , ଆପଣମାନଙ୍କର ସ୍ନେହ ଶ୍ରଦ୍ଧା ଟାଣି ଆଣିଲା ମତେ ଏଠିକି । ମୁଁ ଆପଣଙ୍କ ପ୍ରସ୍ତାବରେ ରାଜି । ଆପଣ ଯାହା ଉଚିତ୍ ମନେ କରୁଛନ୍ତି କରନ୍ତୁ । ପରିତୋଷ ବସିବା ଯାଗାରୁ ଉଠିଆସି ଖୁସିକୁ ଛାତିରେ ଚାପି ଧରିଥିଲେ । ମାସକ ପରେ ବହୁତ ସାଧାରଣ ଭାବରେ ରେଜିଷ୍ଟ୍ରି ମ୍ୟାରେଜ୍ ହୋଇଥିଲା ପରିତୋଷ ଆଉ ଖୁସିଙ୍କର। ଖୁବ ଖୁସି ହୋଇଥିଲେ ରବିନ୍ ଆଉ ଜୁବିନ୍ । ଖୁସି ପରିବର୍ତ୍ତିତ ହୋଇଥିଲା ସୁକୃତୀ ଚୌଧୁରୀରେ । ସଂସାରର ସବୁ ସୁଖ ତାକୁ ଦେଇଥିଲେ ପରିତୋଷ । ତା'ର ଭଉଣୀ ମାନଙ୍କୁ ବାହାତୋଳା କରିଥିଲେ, ଭାଇକୁ ପାଠଶାଠ ପଢେଇ ମଣିଷ କରି ସରକାରୀ ଚାକିରୀଟିଏ କରେଇ ଦେଇଥିଲେ।

ପୁଅ ମାନେ ମାଆ ମାଆ ବୋଲି ପାଣି ପିଉ ନଥିଲେ । ଏତେ ସୁଖ ଦଇବ ସହିଲା ନାହିଁ। ପାଞ୍ଚ ବର୍ଷର ସଂସାର କରି ପରିତୋଷ ବାଟ କାଟିଲେ ଆରପାରିକୁ । ସୁକୃତୀ ଚୌଧୁରୀ ପୁଣି ଏକା ହୋଇଗଲା ଏତେ ବଡ ପରିବାରର ବୋଝ ବୋହିବାକୁ । ମୂକ ବଧିର ବିଦ୍ୟାଳୟଟିଏ ଖୋଲି ପିଲାମାନଙ୍କୁ ମଣିଷ କଲା। ଆଜି ସେଇ ପିଲା ଦି’ଜଣ ଉଚ୍ଚଶିକ୍ଷା ଲାଭ କରି ଉଚ୍ଚ ପଦବୀରେ ଅଧିଷ୍ଠିତ । ସୁକୃତୀର ସେ ବିଦ୍ୟାଳୟ ଆଜି ପରିତୋଷ ଅନାଥାଶ୍ରମ ନାମରେ ଜନସେବା କରି ପ୍ରସିଦ୍ଧି ଲାଭ କରିଛି ।

ଆଖିରୁ ଲୁହ ଢାଳି ସବୁ ଶୁଣୁଥିଲା ଲାବଣ୍ୟ । ତା'ର ମନେ ହେଉଥିଲା ଖୁସି ରୂପରେ ସେ ଦେବୀଟିଏ ଦେଖୁଛି ।

ସୁକୃତୀ ଅନାଥାଶ୍ରମ ଶିତିକଣ୍ଠ

Rate the content


Originality
Flow
Language
Cover design

Comments

Post

Some text some message..