Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କାହାଣୀ ନୁହେଁ ସେ

କାହାଣୀ ନୁହେଁ ସେ

5 mins
7.4K


ଗୋଟାଏ ଯୁଗ ବିତିଗଲାଣି । କେଜାଣି କାହିଁକି ଭୁଲି ପାରୁନି ତାକୁ । ଆମ ଗାଁ ହୁରା ସାହି ୟୁ ପି ସ୍କୁଲରେ ସେତେବେଳେ ମୋର ଦ୍ଵିତୀୟ ଶ୍ରେଣୀ । ସେତେବେଳର ନିୟମ କାନୁନ ଅନୁସାରେ ଭଲ ପାଠ ପଢ଼ୁଥିବା ପିଲା ଆଗ ଧାଡ଼ିରେ ବସିବେ । ବୋଧହୁଏ ଝିଅ ପିଲାଙ୍କ ଭିତରେ ମୁଁ ଆଗ ଧାଡିରେ ଥିଲି । ଏକା ଏକା ଜମା ଭଲ ଲାଗୁ ନଥିଲା । ହଟାତ ଦିନେ ନୂଆ ଝିଅଟିଏ ଆସିଲା ଆମ ସ୍କୁଲକୁ । ଦ୍ୱିତୀୟରେ ନାମ ଲେଖାଇଲା । ସୁନ୍ଦର ହସ ହସ ମୁହଁ। ତା ନାଁ ଥିଲା ବେବି । ଏକଦମ ସ୍କୁଲକୁ ଲାଗି ତାର ଘର । ସେ ତା ମାମୁଁ ଘରେ ରହି ପଢୁଥିଲା । ସେ ବର୍ଷ ନିଜ ଗାଁକୁ ପଳାଇ ଆସିଲା । ସେ ଆସି ଆଗ ଧାଡିରେ ମୋ ପାଖରେ ବସିଲା । ସେବେ ଠାରୁ ମୋତେ ଆଉ କେବେ ଏକୁଟିଆ ଲାଗୁନ ଥିଲା । ସ୍କୁଲରେ କହୁଥିଲେ କାଳେ ଆମେ ଦୁଇ ଜଣ ଏକା ପରି ଦେଖା ଯାଉଥିଲୁ । କେବେକେବେ ତାକୁ ମୁଁ ଖେଳ ଛୁଟିରେ ଆମ ଘରକୁ ଡାକି ଆଣୁଥିଲି । ଦୁଇ ଜଣ ଆମ ଘରେ ଖାଇ ସ୍କୁଲ ଦୌଡ଼ି ଦୌଡ଼ି ପଳାଉଥିଲୁ । ତା ଘର ସ୍କୁଲ ପାଖରେ ଥିବାରୁ ଅନେକ ସମୟରେ ସେ ମୋତେ ତା ଘରକୁ ଡାକି ନେଉଥିଲା । ଆମ ଅଜାଣତରେ ଆମେ ଦୁଇ ସାଙ୍ଗ ଅତି ନିଜର ହୋଇ ଯାଇଥିଲୁ ।ଜଣେ ଆଉ ଜଣକୁ ଛାଡି ଗୋଟେ କ୍ଷଣ ରହିବା ଆମ ପକ୍ଷେ କଷ୍ଟକର ହୋଇ ଯାଇଥିଲା । ଦୁଇ ଜଣ ଏକାଠି ଖେଳରେ ନାଚରେ ଭାଗ ନେଉଥିଲୁ । ଦୁଇ ଜଣ ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷା ଦେବାକୁ ଯାଇଥିଲୁ । ତାଙ୍କ ବାଡ଼ିରେ ଗୋଟେ ବହୁତ ବଡ଼ ମିଠା କମଳା ଗଛ ଥିଲା । କମଳା ପାଚିଲେ ସେ ସବୁବେଳେ ମୋ ପାଇଁ ବ୍ୟାଗରେ ପୁରାଇ ନେଇ ଆସୁଥିଲା । ମୁଁ ବି ଘରକୁ ଆଣି ବାପାଙ୍କୁ ଚଖାଇ ଥିଲି । ବେବି ଦିନେ କହିଲା ତାଙ୍କ ବାଡ଼ିରେ ଅନେଜ ଛୋଟ କମଳା ଗଛ ଉଠିଛି , ଆଉ ସେ ଆଣିଦେବ ମୋ ପାଇଁ । ମୁଁ ବି ଆମ ବାଡି଼ରେ ଲଗାଇବି । ଏମିତି ତିନିଟା ଛୋଟ ଗଛ ଦେଇଥିଲା । ମୁଁ ଆଣି ବାପାଙ୍କୁ କହି ତାଙ୍କ ସାହାଯ୍ୟ ନେଇ ଆମ ବାଡ଼ିରେ ଲଗାଇଲି। ଦୁଇଟା ଗଛ ବଂଚିଲା । ଏବେ ବି ମୋର ମନେ ଅଛି , ମୁଁ ପ୍ରତି ଦୁଇ ଦିନରେ ଗଛ ଚାରିପାଖରୁ ଖୋଳି ଦେଖୁଥିଲି କେତେ ନୂଆ ଚେର ହେଲା । ବାପା ହସି ହସି କହିଥିଲେ , ତାକୁ ପାଣି ଦେଇ ଛାଡିଦେ , ସେ ଆପେ ଆପେ ବଢିବ । ବେବି ମଧ୍ୟ ପଚାରୁଥିଲା ଗଛ କଥା ଓ ମଝିରେ ମଝିରେ ଆସି ଗଛକୁ ଆମ ବାଡ଼ିରେ ଦେଖି ଯାଉଥିଲା । ଦୁଇ ଜଣ ଭାରି ଖୁସି ଥିଲୁ ଯେ ଆମ ଦୁଇ ଜଣଙ୍କ ବାଡ଼ିରେ ଏକା ପ୍ରକାର ମିଠା କମଳା ଫଳିବ ।

ଏମିତି ଏମିତି ପଞ୍ଚମ ଶ୍ରେଣୀ ହୋଇ ଗଲା । ଦୁଇ ଜଣ ପଞ୍ଚମ ଶ୍ରେଣୀ ବୃତି ପରୀକ୍ଷା ଦେବୁ ବୋଲି ଆମ ବଡ଼ ସାର ଠିକଣା କରିଥାନ୍ତି । ଦୁଇ ଜଣ ଯାକ ବହୁତ ଖୁସି ଥାଉ । ବେବି ଦେଇଥିବା ଗଛ ବି ଟିକେ ବଡ଼ ହୋଇ ଯାଇ ଥାଏ । ସେଦିନ ସକାଳ କେମିତି ହୋଇଥିଲା ମୋର ମନେ ନାହିଁ । ସକାଳୁ ସକାଳୁ ଗାଁ ସାରା ଚହଳ ପଡିଗଲା ଯେ ହଳଧର ନାୟକଙ୍କ ବଡ଼ ଝିଅକୁ ରାତିରେ ବିଛଣାରେ ସାପ କାମୁଡି ଦେଇଛି । ସେ ଆଉ ନାହିଁ । ସବୁଦିନ ପାଇଁ ସେପୁରକୁ ଚାଲି ଯାଇଛି । ସବୁ ଆଡେ ଚର୍ଚ୍ଚା ଚାଲିଥାଏ ସାପ କେଉଁ ବାଟ ଦେଇ ଘର ଭିତରେ ବିଛଣା ଉପରକୁ ଗଲା । ବାପା ଓ ମା’ଙ୍କ ପାଖରେ ଶୋଇ ଥିବା ଛୋଟ ଝିଅଟିକୁ କେମିତି ଦଂଶିଲା !! ବୋଉ ଠାରୁ ମୁଁ ଶେଷରେ ବୁଝିଲି ଯେ ସେ ଆଉ କେହି ନୁହେଁ, ସେ ମୋର ସାଙ୍ଗ ବେବି , ।

ସେତେବେଳେ ମୋତେ ଲାଗୁଥିଲା ଯେମିତି ଆମ ସ୍କୁଲ ଘର ଛପର ମୋ ମୁଣ୍ଡ ଉପରେ ପଡି ଯାଇଛି । ସ୍କୁଲ ସବୁ ଦିନ ପାଇଁ ବନ୍ଦ ହୋଇ ଯାଇଛି । ଅନେକ କାନ୍ଦିଲି ବୋଉ ପାଖରେ । କହିଲି ବୋଉକୁ ମୁଁ ଆଉ ଜମା ସ୍କୁଲ ଯିବିନି । କେମିତି ସେ ସ୍କୁଲ ଘର ମୋତେ ଖାଁ ଖାଁ ଗୋଡାଉ ଥିଲା । କେବେ ସ୍କୁଲ ବନ୍ଦ ନକରିଥବା ମୁଁ ସେଦିନ ପ୍ରଥମ ଥର ପାଇଁ ସ୍କୁଲ ଗଲିନି । ବଡ଼ ସାରଙ୍କ ପାଖରୁ ଘରକୁ ଖବର ଆସିଲା । ଅନେକ ବୁଝା ସୁଝା ପରେ ମୁଁ ତା ଆର ଦିନ ସ୍କୁଲ ଗଲି । କିନ୍ତୁ ବେବିକୁ ଭୁଲିବା ମୋ ପାଖରେ ସହଜ ନ ଥିଲା । ଘରକୁ ଫେରିଲେ ମୁଁ ସେ କମଳା ଗଛ ଆଡେ ଚାହୁଁଥିଲି ।

ସମୟ ଗଡି ଚାଲିଲା । ମୁଁ ଏକା ଏକା ବୃତି ପରୀକ୍ଷା ଦେବାପାଇଁ ଗଲି । ବୃତ୍ତି ପରୀକ୍ଷାରେ ସ୍କୁଲର ପ୍ରଥମ ଝିଅ ହିସାବରେ ସଫଳ ହୋଇ ଜୟରାମ ହାଇସ୍କୁଲ କରିଲ ପାଟଣାରେ ନାଁ ଲେଖାଇଲି।

ଧୀରେ ଧୀରେ ବେବିକୁ ଭୁଲିବାକୁ ଚେଷ୍ଟା କଲି। ନୂଆ ସାଙ୍ଗ ମିଳିଲେ ହାଇସ୍କୁଲରେ । ଦିନ ଗଡି ଚାଲିଲା ।

କମଳା ଗଛଟା ଅନେକ ବଡ଼ ହୋଇ ଯାଇଥିଲା ଏ ଭିତରେ । ମୋ ଠାରୁ ମୋ ବାପା କମଳା ଗଛକୁ ଦେଖି ବେଶି ଖୁସି ହେଉଥିଲେ । କେହି କେହି ଆମ ଘରକୁ ବୁଲିବାକୁ ଆସିଲେ ବାପା ଆମର ବାଡ଼ି ବଗିଚା ବୁଲାଇ ଦେଖାଇବା ସମୟରେ ଗର୍ବରେ କମଳା ଗଛ ବିଷୟରେ ଏକ ବଡ଼ ଟିପ୍ପଣୀ ଦେଉଥିଲେ । ଅନର୍ଗଳ କହି ଚାଲୁଥିଲେ ଯେ " ମୋର ଝିଅ ତୃତୀୟ ଶ୍ରେଣୀରେ ପଢିବା ସମୟରେ ଏ ଗଛ ଲଗାଇଛି , ତାର ଗଛ ଲଗାଇବା ଏକ ସଉକ , ଇତ୍ୟାଦି ଇତ୍ୟାଦି। ସେ ଭିତରେ ବେବି କଥା ବି କହୁଥିଲେ ସେ କେମିତି ଗଛ ଚାରାଟି ସେ ଦେଇଥିଲା ମୋତେ । "

ସବୁ ଶୁଣି ମୋ ସାନ ଭାଇ ହସି ହସି କହୁଥିଲା ଯେ ସେ ବାଡ଼ି ସାରା ଶହ ଶହ ଗଛ ଲଗାଇବା ସତ୍ତ୍ୱେ ବାପା କେମିତି ତାଙ୍କ ସାନ ଝିଅର ଗୋଟିଏ ଗଛ ଉପରେ ଏତେ ପ୍ରଶଂସା କରୁଛନ୍ତି !! ମୁଁ ସବୁ ଶୁଣି ଖାଲି ହସୁଥିଲି । ନଡିଆ ଗଛ ଛାଇରେ କମଳା ଗଛଟା ବେଶି ଭଲ ବଢି ପାରିଲାନି। ଦୁଇଟା ଗଛରୁ ଶେଷରେ ଗୋଟେ ଗଛ ବଂଚି ରହିଲା । ବାପା ଥିବା ସମୟରେ ମୁଁ ଯେବେ ଘରକୁ ଯାଉଥିଲି କମଳା ଗଛ ବିଷୟରେ ବାପା ନିଶ୍ଚୟ କିଛି କହୁଥିଲେ । ସେ ତାଙ୍କର ପ୍ରାଣ ପଣେ ଖତ ସାର ଦେଇ ବଂଚିରହିଥିବା ଗୋଟିଏ ଗଛକୁ ସବୁ ଦିନ ପାଇଁ ବଞ୍ଚାଇ ରଖିବାକୁ ଚେଷ୍ଟା କରିଥିଲେ ।

ବୋଧ ହୁଏ ବାପା ମୋର ବେବି ସାଙ୍ଗରେ ଥିବା ବନ୍ଧୁତ୍ୱକୁ କମଳା ଗଛ ଭିତରେ ବଞ୍ଚାଇ ରଖିବାକୁ ଚେଷ୍ଟା କରୁଥିଲେ ।

ସମୟ ଗଡି ଚାଲିଲା । ଯୁଗଟାଏ ବିତି ଗଲାଣି ଏ ଭିତରେ ।

ବାପା ମୋର ହଜିଗଲେଣି ଅନେକ ଦିନରୁ ।

ଆଜି ବି ମୁଁ ଆମ ଗାଁକୁ ଗଲେ ଆଗେ ଯାଇ ଆମ ବଗିଚାରେ ବୁଲିଆସେ । କେବେ କମଳା ଗଛଟା ପତ୍ର ଝଡା ଦେଇଥାଏ , ପୁଣି କେବେ କଅଁଳିଆ ପତ୍ର ବାହାରିଥାଏ । ଗଛ ଆଡେ ମୁଁ ମନ ଭରି ଦେଖି ନିଏ । ଡାଳ ପତ୍ରରେ ଟିକେ ହାତ ବୁଲାଇନିଏ । ସେ ଗଛ ଭିତରେ ତୃତୀୟ ଶ୍ରେଣୀର ଦୁଇଟି ସ୍କୁଲ ଝିଅଙ୍କୁ ମୁଁ ପୁଣି ଥରେ ମନ ଆଇନାରେ ଦେଖି ନିଏ । କେଜାଣି କେମିତି ଓଡ଼ିଶାର ମହାବାତ୍ୟା ଅନେକ ଲୁଟପାଟ କଲା ପରେ ବି ଏ ଦୁର୍ବଳ କମଳା ଗଛଟି ବଞ୍ଚି ଯାଇଛି ତା କବଳରୁ। ଆଜି ଯାଏ ମୂକ ସାକ୍ଷୀ ହୋଇ ଛିଡା ହୋଇଛି ଆମ ଗାଁ ବଗିଚାରେ । କଥା ସିନା କହି ପାରୁନି ସେ , ହେଲେ ତା ଦେହରେ ଜାବୁଡି ଧରିଛି ଏକ ଅର୍ଦ୍ଧ ଶତାବ୍ଦୀର ଇତିହାସକୁ ।


Rate this content
Log in

Similar oriya story from Inspirational